ଆମ ଦେଶରେ ନିୟମର ମଧ୍ୟ ଅନେକ ନିୟମ ଅଛି। ପ୍ରଥମଟି ହେଉଛି ଯେଉଁମାନେ ନିୟମ ତିଆରି କରିଥାନ୍ତି ସେମାନେ ନିୟମକୁ ଲାଗୁ କରେଇ ନ ଥାନ୍ତି ଯଥା ସଂସଦ ଓ ବିଧାନସଭା ନିୟମ ତିଆରି କରିଥାନ୍ତି କିନ୍ତୁ ସରକାର ଏହାକୁ ଲାଗୁ କରେଇଥାନ୍ତି। ଦ୍ୱିତୀୟଟି ହେଉଛି ଯେଉଁ ସରକାର ଏହାକୁ ଲାଗୁ କରେଇଥାନ୍ତି ଏହା ତାଙ୍କ ଉପରେ ଲାଗୁ ହୋଇନଥାଏ। ତୃତୀୟଟି ହେଉଛି ଏହା ଯାହାଙ୍କ ଉପରେ ଲାଗୁ ହୋଇଥାଏ, ଯଥା ନିରୀହ ଜନସାଧାରଣ, ସେମାନେ ନିୟମ କ’ଣ ଜାଣନ୍ତି ନାହିଁ ଆଉ ଚତୁର୍ଥଟି ହେଉଛି ଯେଉଁ ବଡ଼ ବଡ଼ିଆମାନେ ନିୟମ କ’ଣ ଜାଣନ୍ତି ସେମାନେ ନିୟମ ମାନନ୍ତି ନାହିଁ।
ଉଦାହରଣଟିଏ ଦେଉଛି। ନିୟମ ଅଛି ଯେ ଗାଁ ଗହଳିରେ ଖୋଳା ଯାଉଥିବା ଅବ୍ୟବହୃତ ନଳକୂପଗୁଡ଼ିକ ତୁରନ୍ତ ପୋତି ଦିଆଯିବ କିନ୍ତୁ ପ୍ରତି ବର୍ଷ ଆପଣ ଦେଖୁଥିବେ ଜଣେ କି ଦୁଇଜଣ ପିଲା କି ବୁଢ଼ାବୁଢ଼ୀ ଏହି ନଳକୂପ ଭିତରେ ଗଳିପଡୁଛନ୍ତି। ଏହା ଖବର କାଗଜରେ ପ୍ରକାଶ ପାଉଛି ଓ ଟିଭିରେ ଏହି ଉଦ୍ଧାର କାର୍ଯ୍ୟର ଧାରା ବିବରଣୀ ପ୍ରସାର ହେଉଛି କିନ୍ତୁ ଆର ଥରକୁ ପୁଣି ସେଇଆ। ଏବେ ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗାଁରେ ଉଠା ଜଳସେଚନ ବିଭାଗ ତରଫରୁ ଖୋଳାଯାଇଥିବା ଗୋଟେ ନଳକୂପରେ ଗଳି ପଡ଼ି ଦୁଃଖୀ ନେଗୀ ନାମ୍ନୀ ଜଣେ ବିଧବା ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିୟମାବଳୀରେ ନଳକୂପ ପରିଚାଳନାର ସ୍ପଷ୍ଟ ବ୍ୟବସ୍ଥା ରହିଛି ଏବଂ ଏହା ଉପରେ ବାର ବର୍ଷ ତଳୁ ସୁପ୍ରିମ୍‌ କୋର୍ଟର ନିର୍ଦ୍ଦେଶ ମଧ୍ୟ ରହିଛି, କିନ୍ତୁ ମାନୁଛି କିଏ? ନିୟମ ନିଜେ ସରକାର ଭାଙ୍ଗିଛନ୍ତି ଆଉ ତାଙ୍କୁ କହିବ କିଏ? ଟିକିଏ ଯାହା ହୋ’ ହଲ୍ଲା ହେଲା, କିନ୍ତୁ କାହାର କ’ଣ ଗଲା? କେବଳ ଗାଁର ଗରିବ ବିଧବା ବୁଢ଼ୀଟିଏର ଜୀବନ ଗଲା।
ବାଣଫୁଟା ନିୟମକୁ ଦେଖନ୍ତୁ। ରାଜ୍ୟ ସରକାର ନିୟମ କଲେ ଯେ କିଛି ନିର୍ଦ୍ଦିଷ୍ଟ ବାଣ ରାତି ଦଶଟା ଯାଏଁ ଫୁଟା ଯାଇ ପାରିବ। ସୁପ୍ରିମ୍‌ କୋର୍ଟ ମଧ୍ୟ ଏହା ଉପରେ କଡ଼ା ନିର୍ଦ୍ଦେଶନାମା ଜାରି କଲେ କିନ୍ତୁ ହେଲା କ’ଣ? ରାତି ସାରା ଢୋ ଢା ବାଣ ଫୁଟାଗଲା। ବାଣ ଯାହା ଦାମ ହୋଇଛି ଗରିବ ଗୁରୁବାଙ୍କ କଥା ଛାଡ଼ନ୍ତୁ, ମଧ୍ୟବିତ୍ତ ପରିବାରର ଲୋକଟିଏ ମଧ୍ୟ ବାଣ କିଣିବାକୁ ସ୍ୱପ୍ନରେ ସୁଦ୍ଧା ଭାବିପାରିବ ନାହିଁ। ତେଣୁ ରାତି ସାରା ଲକ୍ଷ ଲକ୍ଷ ଟଙ୍କାର ବାଣ ଫୁଟେଇଲା କିଏ? ସୁପ୍ରିମ୍‌ କୋର୍ଟ କ’ଣ ଆସି ଗଳିକନ୍ଦିରେ ବୁଲି ନିୟମ ଲାଗୁ କରେଇଥାନ୍ତେ? ଲାଗୁ କଲା ବାଲା କ’ଣ କରୁଥିଲେ? କିଏ ପଚାରିବ? ଆର ବର୍ଷକୁ ପୁଣି ଏହି ନାଟକରେ ପୁନରାବୃତ୍ତି ଦେଖିବାକୁ ମିଳିବ।
ନିୟମ ଅଛି ଯେ ପାନ ମସଲା ଓ ଗୁଟଖାର ବିଜ୍ଞାପନ ପ୍ରସାରିତ ହୋଇପାରିବ ନାହିଁ, କିନ୍ତୁ ରାତିଦିନ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକାମାନେ ଟିଭିରେ ଓ ଖବରକାଗଜରେ ଏହାର ବିଜ୍ଞାପନ କରି ଚାଲିଛନ୍ତି ଆଉ ଗୁଟଖା ନାଁରେ ଅଳେଇଚ ଦାନା ଚୋବାଉଛନ୍ତି ବୋଲି କହି ଖସିଯାଉଛନ୍ତି। ସେହିପରି ମଦ୍ୟପାନ ବିଜ୍ଞାପନ ନିଷେଧ କରାଯାଇଛି କିନ୍ତୁ ମଦ୍ୟପାନ ନାଁରେ ବିଶୁଦ୍ଧ ଜଳପାନ କରୁଛନ୍ତି ବୋଲି ତାରକାମାନେ ସଫେଇ ଦେଉଛନ୍ତି। ଏହା ନିୟମକୁ ଆଖିଠାର ନୁହେଁ କି? ସଂସଦ, ବିଧାନସଭା, ସୁପ୍ରିମ୍‌ କୋର୍ଟ ଓ ହାଇକୋର୍ଟରେ ବିରାଜମାନ ସଭ୍ୟ, ବିଚାରପତି ଓ ଅଧିକାରୀମାନେ କ’ଣ ଏହା ଜାଣିପାରୁ ନାହାନ୍ତି ନାଁ ଜାଣିଶୁଣି ସାଧାରଣ ଜନସାଧାରଣଙ୍କୁ ଭକୁଆ ବନଉଛନ୍ତି?
ଏବେ ଏକ ବଢ଼ିଆ ନିୟମ ଲାଗୁ ହେବାକୁ ଯାଉଛି। ଶ୍ରୀମନ୍ଦିରରେ ପାନ ଓ ଗୁଟଖା ଖାଇବା ମନା। ନିୟମ ବହୁତ ବଢ଼ିଆ କିନ୍ତୁ ଏହା କିଛି ନୂଆ ନିୟମ ନୁହେଁ। ୨୦୨୦ ମସିହାରୁ କେତେ ପ୍ରଶାସକ ଏହି ନିୟମ ପ୍ରଚଳନ କରିବାକୁ ଚେଷ୍ଟା କରି ବିଫଳ ହୋଇସାରିଲେଣି। ତାହାର କାରଣ ହେଉଛି ନିରୀହ ଭକ୍ତମାନଙ୍କୁ ସିନା ଆପଣ ଧମକ ଚମକ ଦେଖେଇ ମନା କରିଦେବେ କିନ୍ତୁ ମନ୍ଦିର କର୍ମଚାରୀ ଓ ସେବକମାନଙ୍କୁ କିଏ ମନା କରିବ? ନିୟମ ହୋଇଛି ଯେ ମନ୍ଦିର ଭିତରକୁ କେହି ଦୂରଭାଷ ଯନ୍ତ୍ର ନେଇ ଯାଇପାରିବେ ନାହିଁ, କିନ୍ତୁ ଅନେକ କର୍ମଚାରୀ ଓ ସେବକଙ୍କ ହାତରେ ଏହି ଯନ୍ତ୍ର ଶୋଭା ପାଉଛି। ଯିଏ ଆକଟ କରିବେ ସିଏ ଯଦି ନ ମାନିବେ ତେବେ ନିୟମ ଲାଗୁ ହେବ କେମିତି?
ପୁଣି ଏକ ନିୟମ ହେବାକୁ ଯାଉଛି ଯେ ଭକ୍ତମାନେ ମନ୍ଦିର ଭିତରକୁ ଶାଳୀନ ପୋଷାକ ପିନ୍ଧି ଯିବେ ଏବଂ ଭିତରେ ଶାଳୀନତାପୂର୍ଣ୍ଣ ବ୍ୟବହାର କରିବେ। ହେଲେ ମନ୍ଦିର ପ୍ରଶାସନ ଅଧୀନରେ ଯେତେ ସେବକ ଅଛନ୍ତି ସେମାନେ ସମସ୍ତେ ଶାଳୀନ ପୋଷାକ ପିନ୍ଧୁଛନ୍ତି କି? ଯେତେ କର୍ମଚାରୀ ଅଛନ୍ତି ସେମାନେ ସମସ୍ତେ ଶାଳୀନତାପୂର୍ଣ୍ଣ ବ୍ୟବହାର କରୁଛନ୍ତି କି? ଖାଲି ମାର ମାର ଭଣ୍ଡାରିଆକୁ ମାର ନୀତିରେ ନିୟମ ଲାଗୁ ହୋଇନଥାଏ। ଏହି ପାତରଅନ୍ତର ନୀତି ଯୋଗୁଁ ଆଜି ଯାଏ ଶ୍ରୀମନ୍ଦିରରେ ଅନେକ କଟକଣା ପାଇଁ ନିୟମ କରାଯାଇଥିଲେ ମଧ୍ୟ ଏହା କେବଳ ନିୟମରେ ହିଁ ରହିଯାଇଛି। ଦେଖାଯାଉ ଏଥରକ କ’ଣ ହେଉଛି?
ନିୟମରେ ବଡ଼ ସାନର ଭେଦଭାବ ଓ ପାତରଅନ୍ତର ନୀତି ଏହାକୁ କେବଳ ବିଫଳ ନୁହେଁ ଲୋକହସା ମଧ୍ୟ କରାଇଥାଏ। ଥରେ ଜଣେ ଅତି ବିଶିଷ୍ଟ ବ୍ୟକ୍ତିଙ୍କ ପତ୍ନୀ ରାସ୍ତାର ନିୟମ ନ ମାନି ଜଣକ ଉପରେ ଗାଡ଼ି ଚଢ଼େଇ ଦେଲେ। ଲୋକଟି ମରୁ ମରୁ ବଞ୍ଚିଗଲା। କେସବାସ ହେଲା। ବିଚାରପତି ଲୋକଟିର ଦୁର୍ଦ୍ଦଶା ଦେଖି କହିଲେ, “ରାସ୍ତାରେ ଗଲାବେଳେ ଆଗରୁ ଦ୍ରୁତ ଗତିରେ ଆସୁଥିବା ଗାଡ଼ିଟିକୁ ଦେଖି ତୁମେ ଯଦି ଟିକେ ହୁସିଆର ହୋଇ ରାସ୍ତା କଡ଼କୁ ଚାଲିଯାଇଥାନ୍ତ ତେବେ ତୁମର ଆଜି ଏ ଦଶା ହୋଇନଥାନ୍ତା।” ଲୋକଟି କହିଲା, “କି ରାସ୍ତା ଆଜ୍ଞା, ମୁଁ ରାସ୍ତାଠୁ ଶହେ ହାତ ଦୂରରେ ମୋ ବିଲରେ ବସି ବିଡ଼ି ପିଉଥିଲି ଆଉ ଏ ବାବୁଆଣୀ ଗାଡ଼ି ଆଣି ମୋତେ ସେଇଠି ଠୁକି ଦେଲେ।” ବିଚାରପତି କହିଲେ, “କ’ଣ କହିଲ? ତୁମେ ବିଲରେ ଅର୍ଥାତ୍‌ ସର୍ବସାଧାରଣ ସ୍ଥାନରେ ବସି ବିଡ଼ି ପିଉଥିଲ? ସର୍ବସାଧାରଣରେ ଧୂମ୍ରପାନ ଗର୍ହିତ ଅପରାଧ। ଏଥିପାଇଁ ଭାରତୀୟ ଦଣ୍ଡ ସଂହିତାର ନିୟମ ଅନୁଯାୟୀ ତୁମକୁ ହଜାରେ ଟଙ୍କା ଜୋରିମାନା କରାଗଲା ଓ ବିଶିଷ୍ଟ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଖଲାସ କରିଦିଆଗଲା।”
ମୋ: ୯୪୩୭୦୬୭୫୬୭