ଶ୍ୟାମସୁନ୍ଦର ଅଗ୍ରୱାଲା
ସପ୍ତାହକୁ କେତେ ଘଣ୍ଟା କାମ କରୁଛନ୍ତି ବଡ଼ କଥା ନୁହେଁ, କେତେ କାମ କରୁଛନ୍ତି ବଡ଼ କଥା। ତେଣୁ ଇନ୍ଫୋସିସ୍ର ନାରାୟଣ ମୂର୍ତ୍ତିଙ୍କ ମତରେ ସପ୍ତାହକୁ ସତୁରି ଘଣ୍ଟା କିମ୍ବା ଆହୁରି ପାଦେ ଆଗେଇ ଯାଇ ଏଲ୍ଏଣ୍ଡ୍ଟି ସୁବ୍ରମଣ୍ୟମଙ୍କ ମତରେ ସପ୍ତାହକୁ ନବେ ଘଣ୍ଟା କାମ କରିବାର କୌଣସି ମୂଲ୍ୟ ନାହିଁ, ଯଦି ଏତେ ଘଣ୍ଟା କାମ ଭିତରେ ମଧ୍ୟ ଅସଲି କାମଟି ନ ହେଉଛି। ମନ ଦେଇ ଠିକ୍ କାମ କଲେ ସପ୍ତାହକୁ ଅଠଚାଳିଶ ଘଣ୍ଟା ବି ଯଥେଷ୍ଟ ହୋଇଥାଏ। ଠକ, ଅଳସୁଆ ଓ ଫୁଲାଫାଙ୍କିଆମାନଙ୍କ ପାଇଁ ସପ୍ତାହକୁ ଶହେ ଘଣ୍ଟା ବି ନିଅଣ୍ଟ ପଡ଼ିଥାଏ।
ପ୍ରସିଦ୍ଧ କଥାକାର ଖୁସୱନ୍ତ ସିଂହଙ୍କ ଏକ କାହାଣୀ ଏହାର ସୂଚନା ଦେଇଥାଏ। ସୁନ୍ଦର ସିଂହ ଜଣେ ଅଫିସ ଷ୍ଟେନୋଗ୍ରାଫର। ଅଫିସ ସମୟ ଦିନ ଦଶଟା ହୋଇଥିଲା ବେଳେ ବାବୁ ଏଗାରଟା ବେଳେ ପହଞ୍ଚନ୍ତି। ନିଜ କୋଟ୍ଟିକୁ ଚଉକି ଉପରେ ରଖିଦେଇ ଫୋନ୍ଟିକୁ ଖୋଲି ଟେବୁଲ ଉପରେ ଥୋଇ ଦିଅନ୍ତି, ଆଉ ତୁରନ୍ତ କ୍ୟାଣ୍ଟିନକୁ ଚା’ ପିଇବା ପାଇଁ ଚାଲିଯାନ୍ତି। ସେଠି ସୁନ୍ଦର ସିଂହ ଅଭିଯୋଗ କରିଥାନ୍ତି ଯେ ଇଂଲାଣ୍ଡରେ ଦିନ ଏଗାରଟା ବେଳେ ଅଧଘଣ୍ଟାଏ ପାଇଁ ଚା’ ବିରତି ମିଳୁଥିବା ବେଳେ ଆମ ଦେଶରେ ମିଳୁନାହିଁ। କ୍ୟାଣ୍ଟିନରୁ ଫେରୁ ଫେରୁ ଦିନ ବାରଟା। “ସାର, ଖୋଜୁଥିଲେ କି?” ବୋଲି ପଚାରିଦେଇ ସିଧା ଚାଲନ୍ତି ଅଫିସ କ୍ଲବ୍କୁ। ଭଲିବଲ୍ ଟୁର୍ନାମେଣ୍ଟ ବିଷୟରେ ଆଲୋଚନା ହେବ। ଏଥର ଯେମିତି ତାଙ୍କ ବିଭାଗ ଜିତିବ।
ଦିନ ଦୁଇଟା ବେଳେ ହୁଏ ଲଞ୍ଚ ବ୍ରେକ। ନିର୍ଦ୍ଦିଷ୍ଟ ସମୟ ମାତ୍ର ଘଣ୍ଟାଏ, କିନ୍ତୁ ବାବୁ ଫେରନ୍ତି ଚାରିଟା ବେଳେ। ପୁଣି ଥରେ “ସାର ଖୋଜୁଥିଲେ କି?” ବୋଲି ପଚାରି ଦେଇ ବାବୁ ଚାଲନ୍ତି ବାହାରକୁ ସିଗାରେଟ ଟାଣିବାକୁ। ଆରମ୍ଭ ହୋଇଯାଏ ଅଫିସ ଗୁଲିଖଟି। ପ୍ରମୋସନ ପାଇବାକୁ ହେଲେ ବଡ଼ ବାବୁମାନଙ୍କୁ କେମିତି ତେଲ ମାରିବାକୁ ହୁଏ ତା’ ଉପରେ ଏକ ସାରଗର୍ଭକ ଆଲୋଚନା ହୁଏ। ଏମିତି ଗପୁ ଗପୁ ହୋଇଯାଏ ପାଞ୍ଚ ଆଉ ବାବୁ ଫେରନ୍ତି ଘରକୁ। ହାଟ ସଉଦା ସାରି ଘରେ ପହଞ୍ଚୁ ପହଞ୍ଚୁ ରାତି ସାଢ଼େ ସାତ। ଘର ବାହାରେ ଖଟିଆଟିଏ ପଡ଼ିଥାଏ। ସୁନ୍ଦର ସିଂହ ଖଟିଆ ଉପରେ ଚାରି କାତ ମେଲେଇ ପଡ଼ିଯାନ୍ତି। ପତ୍ନୀ ଆସି କୁହନ୍ତି “କ’ଣ ହାଲିଆ ହୋଇ ପଡ଼ିଲ କି? ଅଫିସରେ କ’ଣ ଏତେ କାମ କରିବାକୁ ପଡୁଛି?” ସୁନ୍ଦର ସିଂହ ଟିକିଏ ବିରକ୍ତ ହୋଇ କୁହନ୍ତି “ମୁର୍ଖ ମାଇକିନା, ତୁ କ’ଣ ଭାବୁଛୁ କି? ଆମେ ଯଦି କାମ ନ କରୁଛୁ, ତେବେ ଭାରତ ସରକାର ଚାଲୁଛି କେମିତି?”
ବନ୍ଧୁଗଣ, ସୁନ୍ଦର ସିଂହଙ୍କ ଦୈନିକ ଆଠ ଘଣ୍ଟା ହିସାବରେ ସପ୍ତାହକୁ ଅଠଚାଳିଶ ଘଣ୍ଟା କାମ କରିବାର ନିୟମ ଅଛି। କିନ୍ତୁ ସେ କାମ କରନ୍ତି କେତେ ଘଣ୍ଟା? ପରିସଂଖ୍ୟାନ କହୁଛି ଯେ ଭାରତୀୟମାନେ ସପ୍ତାହକୁ ଅଠଚାଳିଶ ଘଣ୍ଟା କାମ କରି ପୃଥିବୀର ସବୁଠୁ ଅଧିକ କାମ କରିବା ଦେଶମାନଙ୍କ ଭିତରେ ତେର ନମ୍ବର ସ୍ଥାନରେ ଥିଲା ବେଳେ ଭାରତୀୟମାନଙ୍କ କାର୍ଯ୍ୟର ଫଳାଫଳକୁ ବିଚାରକୁ ନେଲେ ଏହା କାର୍ଯ୍ୟର ଉତ୍ପାଦିକା ତାଲିକାରେ ପୃଥିବୀର ସବା ତଳକୁ ଶହେ ତେତିଶତମ ସ୍ଥାନରେ ରହିଛି, ଅର୍ଥାତ୍ କାମ ଅଧିକ, କିନ୍ତୁ ଫଳ ଘର ଶୂନ। ଭାରତୀୟ ଓ ଚୀନା କର୍ମଚାରୀ ପ୍ରାୟ ପାଖାପାଖି ସମୟ କାମ କରୁଥିବା ବେଳେ ଚୀନ କର୍ମଚାରୀମାନଙ୍କର କାର୍ଯ୍ୟ ଉତ୍ପାଦିକା ଶକ୍ତି ଭାରତୀୟମାନଙ୍କ ଠାରୁ ପ୍ରାୟ ତିନି ଗୁଣ ଅଧିକ ହୋଇଥାଏ। ଭାରତୀୟ କର୍ମଚାରୀମାନେ ଅଫିସ ସମୟରେ ଯେତିକି ଗପସପ, ମୋବାଇଲ ଫୋନ, ହ୍ୱାଟସ୍ଆପ୍, ଗୁଲିଖଟି, ପର ଚର୍ଚ୍ଚା ଓ ପର ନିନ୍ଦାରେ ବିତେଇଥା’ନ୍ତି, ତାହା ପୃଥିବୀର ଅନ୍ୟ କୌଣସି ରାଷ୍ଟ୍ରରେ ଏତେ ଦେଖାଯାଏ ନାହିଁ।
ଏହି ଠକାମି ଓ ଅଳସୁଆମି ଭାରତବର୍ଷରେ ପ୍ରାୟ ଉଭୟ ସରକାରୀ ଓ ବେସରକାରୀ ବେତନଭୋଗୀ କର୍ମଚାରୀମାନଙ୍କ ଠାରେ ଦେଖାଯାଇଥାଏ, କିନ୍ତୁ ଯେଉଁ ଭାରତୀୟମାନେ ସ୍ୱାବଲମ୍ବୀ ଓ ନିଜର ଅଧ୍ୟବସାୟ ବଳରେ ଜୀବିକା ନିର୍ବାହ କରିଥାନ୍ତି, ସେମାନଙ୍କ ଠାରେ ଏହା ଦେଖାଯାଏ ନାହିଁ। ଉଦାହରଣ ସ୍ୱରୂପ ଛୋଟ ଛୋଟ ବ୍ୟବସାୟୀ, ଚା’ ଦୋକାନୀ, ଫଳ ଦୋକାନୀ, ମାଳୀ, ଇଲେକ୍ଟ୍ରିସିଆନ, ଡ୍ରାଇଭର, ସିକ୍ୟୁରିଟି ଗାର୍ଡ ଓ ଦିନ ମଜୁରିଆମାନେ ଆଜି ବି ଭାରତବର୍ଷରେ ରବିବାର ସମେତ ଦିନକୁ ଦଶ-ବାର ଘଣ୍ଟା କାମ କରୁଛନ୍ତି। ଭାରତର ଜିଡିପି ବୃଦ୍ଧି ପାଇଁ ଏହି ଗୋଷ୍ଠୀମାନଙ୍କର ଯେତିକି ଅବଦାନ ରହିଛି, ସରକାରୀ ଓ ବେସରକାରୀ କର୍ମଚାରୀମାନଙ୍କର ସେତିକି ନାହିଁ।
ନାରାୟଣ ମୂର୍ତ୍ତି ହୁଅନ୍ତୁ କି ସୁବ୍ରମଣ୍ୟମ ହୁଅନ୍ତୁ; ସେମାନେ କେବଳ ସଂଗଠିତ କ୍ଷେତ୍ରରେ ବେତନଭୋଗୀ କର୍ମଚାରୀମାନଙ୍କ ପାଇଁ କହୁଛନ୍ତି ଓ ଏଥିପାଇଁ ବହୁତ ହୋହଲ୍ଲା ହେଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯାହାକୁ ଅଣସଂଗଠିତ କ୍ଷେତ୍ର ବୋଲି କୁହାଯାଉଛି, ସେଠି ସେମାନେ ବିନା ଦ୍ୱିଧାରେ ରାତିଦିନ ଲଗାତାର କାମ କରୁଛନ୍ତି। ସେମାନଙ୍କର କ’ଣ କାର୍ଯ୍ୟ ଓ ଜୀବନ ସନ୍ତୁଳିତ ନୁହେଁ? ସତ କହିବାକୁ ଗଲେ ସେମାନଙ୍କର ଜୀବନ ହିଁ କର୍ମ ଓ କର୍ମ ହି ଜୀବନ। ସେମାନେ କାମରେ ଠକନ୍ତି ନାହିଁ କି ଠକିବା ପାଇଁ ବାହାନାବାଜି କରନ୍ତି ନାହିଁ। ଏହି ଠକାମି ଓ ବାହାନାବାଜି ସବୁ ସଂଗଠିତ କ୍ଷେତ୍ରର ବେତନଭୋଗୀ କର୍ମଚାରୀମାନଙ୍କ ଠାରେ ଦେଖାଯାଇଥାଏ।
ଥରେ ଜଣେ ବଡ଼ କମ୍ପାନିର କର୍ମଚାରୀ ଅଫିସ ସମୟରେ ଚୂଳ କାଟିବାକୁ ସେଲୁନ ଚାଲିଗଲେ। ପ୍ରାୟ ଦୁଇ ଘଣ୍ଟା ପରେ ଫେରିଲେ। କମ୍ପାନି ମାଲିକ ପଚାରିଲେ, “ଅଫିସ ସମୟରେ ତୁମେ ଚୂଳ କାଟିବାକୁ କେମିତି ଚାଲିଗଲ?” କର୍ମଚାରୀ ଜଣକ କହିଲେ, “କାହିଁକି ଯିବିନି?” ଅଫିସ ସମୟରେ କ’ଣ ଚୂଳ ବଢ଼ି ନ ଥାଏ କି? ମାଲିକ କହିଲେ, “ଚୂଳ ଘରେ ଥିଲା ବେଳେ ବି ବଢ଼ିଥାଏ।” କର୍ମଚାରୀ ଜଣକ ନଛୋଡ଼ବନ୍ଦା। ସେ କହିଲେ “ଆଜ୍ଞା, ଯେତିକି ଚୂଳ ଅଫିସରେ ବଢ଼ିଥିଲା, ସେତିକି ହିଁ କାଟିଛି। ଘରେ ବଢ଼ିଥିବା ଚୂଳ ତକ ଛାଡ଼ି ଦେଇଛି।” ମାଲିକ ଚୁପ୍।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭