ଶ୍ୟାମସୁନ୍ଦର ଅଗ୍ରୱାଲା
ସ୍ୱାମୀ ରୋମାଣ୍ଟିକ୍ ହୋଇ ଅଫିସରୁ ସ୍ତ୍ରୀକୁ ଫୋନ କରି ପଚାରିଲେ, “ଡାର୍ଲିଙ୍ଗ୍, ମୁଁ ଗଲାବେଳେ ତୁମ ପାଇଁ କ’ଣ ନେଇକି ଯିବି? ବର୍ଷାର ପ୍ରଥମ ବୁନ୍ଦା ଜଳ, ନା ଆକାଶର ସବୁଠୁ ଉଜ୍ଜ୍ବଳ ତାରା, ନା ତାଜା ଗୋଲାପ, ନା ହାତମୁଠାରେ ବନ୍ଦୀ ଜୁଳୁଜୁଳିଆ ପୋକ ନା ଗୋଟେ ମିଠା ମିଠା ସ୍ୱପ୍ନ।” ସ୍ତ୍ରୀ କହିଲେ, “ତୁମେ କ’ଣ କହୁଛ ମୁଁ ବୁଝିପାରୁନି! ହଁ, ମିଠା ସ୍ୱପ୍ନ କଥା ଶୁଣି ମନେ ପଡ଼ିଲା, ଘରେ ଚା’ ପାଇଁ ବିଲକୁଲ ଚିନି ନାହିଁ। ଆସିଲା ବେଳେ ଦୁଇ କିଲୋ ଚିନି ନେଇକି ଆସିବ।”
ଏଠାରେ ସ୍ୱାମୀ ସ୍ୱପ୍ନ ରାଇଜରେ ଉଡୁଥିବା ବେଳେ ସ୍ତ୍ରୀ ଭୂଇଁ ଉପରେ ଚଲାବୁଲା କରୁଛନ୍ତି କାରଣ ସେ ଜାଣିଛନ୍ତି ଯେ ସ୍ୱପ୍ନରେ ନୁହେଁ, ଚିନିରେ ଚା’ ମିଠା ହୁଏ। ଘରେ ଯଦି ଚିନି ନାହିଁ ତେବେ ମିଠା ମିଠା ସ୍ୱପ୍ନର କୌଣସି ମୂଲ୍ୟ ନାହିଁ, ତେଣୁ ଉଜ୍ଜ୍ବଳ ତାରା, ତାଜା ଗୋଲାପ, କିମ୍ବା ଜୁଳୁଜୁଳିଆ ପୋକ ଅପେକ୍ଷା ଚିନି ଅଧିକ ଗୁରୁତ୍ୱ ବହନ କରିଥାଏ।
ବନ୍ଧୁଗଣ, ଗତ ସରକାରଙ୍କଠୁ ନେଇ ବର୍ତ୍ତମାନର ସରକାର ଆମକୁ ବିଭିନ୍ନ ବିଷୟରେ ଏମିତି ମିଠା ମିଠା ସ୍ୱପ୍ନ ରାଇଜରେ ଭ୍ରମଣ କରଉଛନ୍ତି। ଗୋଟିଏ ବିଷୟ ହେଉଛି ସହରରେ ସୁରୁଖୁରୁରେ ଯାତାୟାତ ଓ ଗମନାଗମନ ବ୍ୟବସ୍ଥା। ମନେ ପକାନ୍ତୁ ଗତ ସରକାର ଏଥିପାଇଁ ‘ମୋ ସାଇକେଲ୍’ ନାମରେ ଏକ ସ୍ୱପ୍ନିଳ ଯୋଜନା ଆରମ୍ଭ କରିଥିଲେ। ଚଉଡ଼ା ରାସ୍ତାଗୁଡ଼ିକୁ ଦୁଇ ପଟେ ଦଶ ଦଶ ଫୁଟ୍ ସଙ୍କୁଚିତ କରି ଦିଆଗଲା। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାଇକେଲ୍ ଟ୍ରାକ୍ ତିଆରି ହେଲା। ଚକାଚକ୍ ନାଲି ରଙ୍ଗ ବୋଳାଗଲା। ହଜାର ହଜାର ସଂଖ୍ୟାରେ ଦାମିକା ସାଇକେଲ୍ ଧାଡ଼ି ଧାଡ଼ି ହୋଇ ରଖାଗଲା, କିନ୍ତୁ ହେଲା କ’ଣ? ସ୍ୱପ୍ନର ଯେତେବେଳେ ଭୂଇଁ ସହିତ ସମ୍ପର୍କ ନଥାଏ ସେତେବେଳେ ଯାହା ହେବା କଥା ତାହା ହୋଇଥାଏ। ସହରର ଜଳବାୟୁ, ଭୌଗୋଳିକ ପରିସ୍ଥିତି, ନକ୍ସା, ଉଠାଣ, ଗଡ଼ାଣ ଓ ଜନସାଧାରଣଙ୍କ ଆଚାର ବ୍ୟବହାରକୁ ଅନୁଶୀଳନ ନ କରି ଯେଉ ସ୍ୱପ୍ନ ଦେଖାଯାଇଥାଏ ତାହାର ଏହିପରି ଦୁରବସ୍ଥା ହୋଇଥାଏ। ସାଇକେଲ ତ ଚାଲିଲା ନାହିଁ ବରଂ ସହରର ସୁପ୍ରସ୍ତ ଜନପଥକୁ ସଙ୍କୁଚିତ କରାଯାଇ ଯାନବାହନ ଚଳାଚଳକୁ ଆହୁରି ପ୍ରତିରୋଧ କରିଦିଆଗଲା। ଭଙ୍ଗା ସାଇକେଲ୍ଗୁଡ଼ିକୁ କବାଡ଼ିବାଲାଙ୍କୁ ବିକ୍ରି କରିଦିଆଗଲା। ଯାହାକୁ କୁହନ୍ତି, ଖାଇବା ପିଇବା ତ ହେଲା ନାହିଁ ଅଥଚ ଗ୍ଲାସ୍ ଭାଙ୍ଗିବା ବାବତକୁ ପଇସା ଭରଣା କରିବାକୁ ପଡ଼ିଲା।
ଏବେ ଆଉ ଗୋଟେ ପୁରୁଣା ସରକାରଙ୍କ ସ୍ୱପ୍ନ, ମେଟ୍ରୋ ରେଳ୍ ଯୋଜନା ନୂଆ ସରକାର ହାତକୁ ନେଇଛନ୍ତି। ମେଟ୍ରୋ ପାଇଁ କାହାରି ଆପତ୍ତି ନାହିଁ କିନ୍ତୁ ପ୍ରଶ୍ନ ଉଠେ ଭୁବନେଶ୍ୱର ଭଳି ଏକ ସହରରେ ଏହାର ଆବଶ୍ୟକତା ରହିଛି କି? ଦୁଇ ହଜାର ଦଶ ମସିହାରେ ଗତ ସରକାର ଏହାର ଦାବି ପ୍ରଥମେ ଉଠେଇଥିଲେ। ଦୁଇ ହଜାର ତେର ମସିହାରେ ଶ୍ରୀଧରନ ମହାଶୟ, ଯାହାଙ୍କୁ ମେଟ୍ରୋ ଟ୍ରେନ୍ର ‘ଗଡ୍ଫାଦର୍’ ଓ ‘ମେଟ୍ରୋମ୍ୟାନ୍’ ବୋଲି କୁହାଯାଏ, ସେ ଏହି ପ୍ରସ୍ତାବକୁ ନାକଚ କରିଦେଇ ଭୁବନେଶ୍ୱର ଭଳି ସୀମିତ ଲୋକ ସଂଖ୍ୟାର ସହର ମେଟ୍ରୋ ପାଇଁ ଯୋଗ୍ୟତା ହାସଲ କରିନାହିଁ ବୋଲି ମତାମତ ଦେଇଥିଲେ ଏବଂ ଦୁଇ ହଜାର ସତର ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟ ଶାସନ ସଚିବ ମେଟ୍ରୋ ବଦଳରେ ସଡ଼କ ଗମନାଗମନ ଉପରେ ଅଧିକ ଧ୍ୟାନ ଦେବାକୁ ପଦକ୍ଷେପ ଗ୍ରହଣ କରିଥିଲେ। ୟା’ପରେ କ’ଣ ହେଲା କେଜାଣି ଏହାର ଠିକ୍ ବର୍ଷକ ପରେ ଦୁଇ ହଜାର ଅଠର ମସିହାରେ ସରକାର ପୁନଶ୍ଚ ମେଟ୍ରୋ ଯୋଜନାର ଦାବି ଉପସ୍ଥାପନ କରି ଏହାର ଅନୁମତି ମଧ୍ୟ ହାସଲ କରେଇନେଲେ।
ଏହାର ଦୁରବସ୍ଥା ବର୍ତ୍ତମାନ ଭୁବନେଶ୍ୱରବାସୀ ଭୋଗୁଛନ୍ତି। ଜନପଥର ବିଭିନ୍ନ ସ୍ଥାନରେ ରାସ୍ତା ଘେରଉ କରାଯାଇ ସଙ୍କୁଚିତ ଜନପଥକୁ ଆହୁରି ସଂକୀର୍ଣ୍ଣ କରିଦିଆଯାଇଛି। ଏହା ହୁଏତ ମୃତ୍ତିକା ପରୀକ୍ଷଣ ପାଇଁ ସାମୟିକ ହୋଇପାରେ ଓ ଯାତାୟାତ ବିକାଶ ପାଇଁ ବରଦାସ୍ତ କରାଯାଇପାରେ କିନ୍ତୁ ସବୁଠୁ ବିପଜ୍ଜନକ ପ୍ରସ୍ତାବ ହେଉଛି ଯେ ଏହି ଯୋଜନା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ପାର୍କ ଯାହାକୁ ଫରେଷ୍ଟ ପାର୍କ ବୋଲି କୁହାଯାଇଥାଏ ତା’ ଭିତର ଦେଇ ଯାଉଛି, ଯେଉଁଥିପାଇଁ ଚାରି ଶହରୁ ପାଞ୍ଚ ଶହ ମୂଲ୍ୟବାନ ଗଛ କଟାଯିବାର ପ୍ରସ୍ତାବ ରହିଛି।
ବନ୍ଧୁଗଣ, ମେଟ୍ରୋ ପଛେ ନ ହେଉ କିନ୍ତୁ ଗଛ କଟା ନ ଯାଉ। ଯଦି ସରକାର ବୁଝୁ ନାହାନ୍ତି ଆଉ ବିକାଶ ପାଇଁ ମେଟ୍ରୋ ଚାହୁଛନ୍ତି ତେବେ ଗୋଟିଏ ସର୍ତ୍ତରେ ହେଉ ଯେ ମେଟ୍ରୋ ପାଇଁ ଶହ ଶହ ଗଛ କଟା ନଯାଉ। ଦୁଇ ହଜାର ଏକୋଇଶ ମସିହାରେ ଯେତେବେଳେ ପଶ୍ଚିମବଙ୍ଗ ସରକାର ଫ୍ଲାଇଓଭର୍ ନିର୍ମାଣ ନିମନ୍ତେ ଶହ ଶହ ଗଛ କାଟିବାର ପ୍ରସ୍ତାବ ରଖିଲେ ସେତେବେଳେ ସୁପ୍ରିମ୍ କୋର୍ଟ ଏଥି ନିମନ୍ତେ ସାତ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଏହି କମିଟି ଗଛ କାଟିବା ବିରୋଧରେ ତାଙ୍କ ରିପୋର୍ଟ ଦେଇ ଗୋଟିଏ ଗୋଟିଏ ଗଛର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏହି ରିପୋର୍ଟ ଅନୁଯାୟୀ ଗୋଟିଏ ଗଛର ମୂଲ୍ୟ ହେଉଛି ଗଛର ବୟସ ଗୁଣନ ପଞ୍ଚସ୍ତରି ହଜାର, ଅର୍ଥାତ୍ ଗୋଟିଏ କୋଡ଼ିଏ ବର୍ଷର ଗଛର ମୂଲ୍ୟ ଯଦି ପନ୍ଦର ଲକ୍ଷ ଟଙ୍କା ତେବେ ଗୋଟେ ଚାଳିଶ ବର୍ଷର ଗଛର ମୂଲ୍ୟ ହେଉଛି ତିରିଶ ଲକ୍ଷ ଟଙ୍କା ଓ ଗଛଟି ଯଦି ଶତାଧିକ ବର୍ଷ ହୋଇଥାଏ ତେବେ ତାହାର ମୂଲ୍ୟ ହେଉଛି କୋଟିଏ ଟଙ୍କା।
ପୃଥିବୀର ଜଣେ ପରିବେଶବିତ୍ ଗୋଟିଏ ଗଛର ମୂଲ୍ୟ ନିର୍ଦ୍ଧାରଣ କରି କହିଛନ୍ତି ଯେ ଗୋଟିଏ ଗଛ ତା’ର ଜୀବନକାଳ ଭିତରେ ଦଶ ଲକ୍ଷ ଟଙ୍କାର ବାୟୁ ପ୍ରଦୂଷଣ ରୋକିଥାଏ, ପାଞ୍ଚ ଲକ୍ଷ ଟଙ୍କାର ଜଳ ବାୟୁମଣ୍ଡଳକୁ ଦେଇଥାଏ ଓ ଲକ୍ଷ ଲକ୍ଷ ଟଙ୍କାର ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରିଥାଏ। ଲାଭ କ୍ଷତିର ହିସାବ କଲେ ଗୋଟିଏ ହେକ୍ଟର ଜଙ୍ଗଲର ମୂଲ୍ୟ ଯଦି ଦଶ ଲକ୍ଷ ଟଙ୍କା ହୋଇଥାଏ ତେବେ ତାକୁ କାଟି ବିକାଶମୂଳକ କାର୍ଯ୍ୟରେ ଲଗେଇଲେ ଆମଦାନି ତାହାର ଅଧା ଅର୍ଥାତ୍ ପାଞ୍ଚ ଲକ୍ଷ ଟଙ୍କା ହୋଇଥାଏ। ଅର୍ଥାତ ଖର୍ଚ୍ଚ ଟଙ୍କାଏ ତ ଆମଦାନି ଆଠଣା। ତେଣୁ ସରକାର ନିର୍ବାକ ଗଛମାନଙ୍କ କଥା ବିଚାର କରନ୍ତୁ ଆଉ ଅଧିକ ସ୍ୱପ୍ନାବିଳାସୀ ନ ହୋଇ ଏହାର ବିକଳ୍ପ ଚିନ୍ତା କରନ୍ତୁ।
ମୋ: ୯୪୩୭୦୬୭୫୬୭