ଏବେ ଜଣେ ସେନାଧିକାରୀଙ୍କ ପ୍ରତି ଭରତପୁର ଥାନାର ପୁଲିସ କର୍ମଚାରୀମାନଙ୍କ ଦୁର୍ବ୍ୟବହାରକୁ ନେଇ ସାରା ଦେଶରେ ହୋହଲ୍ଲା ହେଉଛି। ସତକଥା ହେଉଛି ଯେ ସେ ଜଣେ ଉଚ୍ଚପଦସ୍ଥ ସେନାଧିକାରୀ ହୋଇଥିବା ଯୋଗୁଁ ଏପରି ହେଉଛି, ନଚେତ ଏମିତି ଘଟଣା ପ୍ରତ୍ୟହ ଥାନାରେ ଘଟୁଥିବା ବେଳେ ହୋହଲ୍ଲା ହେବା ତ ଦୂରର କଥା, ସାମାନ୍ୟ ପାଟିତୁଣ୍ଡ ମଧ୍ୟ ଶୁଣାଯାଏ ନାହିଁ। ସାଧାରଣ ଲୋକଟିଏ ହୋଇଥିଲେ କାନମୁଣ୍ଡା ଆଉଁସି ରହିଯାଇଥାନ୍ତା ସିନା, ହେଲେ ପାଟି ଖୋଲିବାକୁ ସାହସ କରି ନ’ଥାନ୍ତା। କାରଣ ପାଟି ଖୋଲିଲେ ସାହାଯ୍ୟ ତ ଦୂରର କଥା ଆହୁରି ଗୁଡ଼େ ମାଡ଼ ଖାଇବାକୁ ପଡ଼ିଥାନ୍ତା। ଏଇଥିପାଇଁ ବୋଧହୁଏ ଜନୈକ ‘ଦାସ ମହାଶୟ’ଙ୍କ ଫାଣ୍ଡି ଯିବାର ଅଭିଜ୍ଞତାକୁ ନେଇ ଓଡ଼ିଆରେ ଏକ ଢଗ ଅଛି ଯାହାକୁ ଗାଁ ଗହଳିରେ ଲୋକମାନେ ହସି ହସିକି କହିଥାନ୍ତି।
ଭରତପୁର ଘଟଣା ଉପରେ ପୁଲିସବାଲା କହୁଛନ୍ତି ଯେ ସେନାଧିକାରୀଙ୍କର ଭୁଲ୍ ଏବଂ ସେନାଧିକାରୀ କହୁଛନ୍ତି ଯେ ପୁଲିସବାଲାଙ୍କ ଭୁଲ୍। କିଏ ଭୁଲ୍ କିଏ ଠିକ୍ ନିଷ୍ପତ୍ତି ନେବା ପୂର୍ବରୁ ମନରେ ଏକ ପ୍ରଶ୍ନ ଆସେ ଯେ ଜଣେ ଲୋକ ଥାନାକୁ ଯାଇଥାଏ କାହିଁକି? ଥାନା, ପାଇଖାନା କିମ୍ବା ଡାକ୍ତରଖାନାକୁ କେହି ସ୍ୱଇଚ୍ଛାରେ ଯିବାକୁ ଚାହେ ନାହିଁ। ଏହି ତିନିଟି କ୍ଷେତ୍ର ଅତ୍ୟନ୍ତ ପୀଡ଼ାଦାୟକ ହେବାର ସମ୍ଭାବନା ଥାଏ, ତେଣୁ ଅତ୍ୟନ୍ତ ଜରୁରି ନ ହେଲେ ଜଣେ ଏଠିକି ଯାଇ ନ ଥାଏ କିମ୍ବା ଯଦି ଯାଇଥାଏ ତେବେ ନିଶ୍ଚୟ କୌଣସି ବାଧ୍ୟବାଧକତାରେ ଯାଇଥାଏ। 
ଧରନ୍ତୁ, ଆପଣ ଏକ ଅଭିଯୋଗ ନେଇ ଥାନାକୁ ଗଲେ। ଯାଉ ଯାଉ କ’ଣ ଆପଣ କ୍ରୋଧାନ୍ୱିତ ହୋଇ ଥାନା ଭିତରେ ପାଟିତୁଣ୍ଡ ଆଉ ଭଙ୍ଗାରୁଜା ଆରମ୍ଭ କରିଦେବେ? ଆପଣଙ୍କ ଅଭିଯୋଗକୁ ନ ଶୁଣିବା କିମ୍ବା ଶୁଣିକି ହେୟଜ୍ଞାନ କରିବା ଆପଣଙ୍କୁ ଉତ୍ତ୍ୟକ୍ତ କରେଇ ଦେଇଥାଏ। ସାଧାରଣ ଲୋକଟିଏ ହୋଇଥିଲେ ଚୁପ୍‌ଚାପ୍ ସହିଯାଇଥାନ୍ତା କିନ୍ତୁ ଏଠାରେ ଯେହେତୁ ଜଣେ ଉଚ୍ଚପଦସ୍ଥ ସେନା ଅଧିକାରୀ ଥିଲେ, ସେ ଚୁପ୍‌ଚାପ୍ ନ ରହି ତାଙ୍କର ପ୍ରଭାବ ପ୍ରଦର୍ଶନ କରିଥିଲେ। କଥା ଉପରେ ନଥା ଓ ନଥା ଉପରେ କଥା ହୋଇ ଶେଷକୁ ଲଙ୍କାକାଣ୍ଡଟିଏ ଘଟିଲା। କିନ୍ତୁ ପ୍ରଶ୍ନ ଉଠେ, ଆରମ୍ଭ କଲା କିଏ? ଏମିତି ନୁହେଁ ଯେ ପୁଲିସ କର୍ମଚାରୀମାନେ ସେନାଧିକାରୀଙ୍କ ଅଭିଯୋଗ ଶୁଣି ତୁରନ୍ତ ତନାଘନା ଆରମ୍ଭ କରିଦେଲେ ଆଉ ସେ ସେନାଧିକାରୀ ଓ ତାଙ୍କର ବାନ୍ଧବୀ ମିଳିମିଶି ଥାନା ଭିତରେ ସମସ୍ତଙ୍କୁ ଦୁର୍ବବ୍ୟବହାର କରିବାକୁ ଲାଗିଲେ।
ଏହି ଘଟଣାଟି ଏକ ବିସ୍ଫୋରକ ରୂପ ନେବାର ଅନ୍ୟ ଏକ କାରଣ ହେଉଛି ଯେ ଭାରତବର୍ଷରେ ପୁଲିସ ବାହିନୀଙ୍କର ଏକ ମଳିନ ଭାବମୂର୍ତ୍ତି ଥିଲାବେଳେ ଭାରତୀୟ ସେନାବାହିନୀ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି। ପୁଲିସ ନଁା ଶୁଣିଲେ ଲୋକେ ଛାନିଆ ହୋଇପଡୁଥିବା ବେଳେ ସେନା ନଁା ଶୁଣିଲେ ଲୋକଙ୍କ ମନରେ ସ୍ୱତଃ ଏକ ସମ୍ମାନ ଭାବ ଜାଗ୍ରତ ହେଉଛି। ଏହିପରି ଏକ ମଳିନ ଭାବମୂର୍ତ୍ତି ଲୋକେ ନୁହେଁ, ପୁଲିସ ହିଁ ନିଜେ ସୃଷ୍ଟି କରିଛି। ସେନାବାହିନୀ ଦେଶବାସୀଙ୍କୁ ବିଦେଶୀମାନଙ୍କ ଆକ୍ରମଣରୁ ସୁରକ୍ଷା ଦେଇଥାଏ ଆଉ ପୁଲିସ ଦେଶବାସୀଙ୍କୁ ଗୁଣ୍ଡା ଓ ବଦ୍‌ମାସମାନଙ୍କ ଆକ୍ରମଣରୁ ସୁରକ୍ଷା ଦେଇଥାଏ। ରାତିଅଧରେ ଯେତେବେଳେ ସାତ ଆଠ ଜଣ ମଦ୍ୟାସକ୍ତ ଉଦ୍ଧତ ଯୁବକ ଜଣେ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତା ଉପରେ ଅଶ୍ଳୀଳ ବ୍ୟବହାର କଲେ ସେତେବେଳେ ପୁଲିସ ତାହାର ପ୍ରଥମ କର୍ତ୍ତବ୍ୟ ତୁରନ୍ତ ପାଳନ କରିଥିଲା କି? ଏମିତି ନୁହେଁ ଯେ ସେମାନେ ଚାହିଥିଲେ ତାହା କରିପାରି ନ’ଥାନ୍ତେ। ଯେତେବେଳେ କଥା ବିସ୍ଫୋରକ ମୋଡ଼ ନେଲା ସେତେବେଳେ କଲେ କେମିତି? ଯାହା ଦୁଇ ଦିନ ପରେ ହୋଇପାରିଲା ତାହା ଯଦି ତୁରନ୍ତ ହୋଇପାରିଥାନ୍ତା ତେବେ କଥା ଏତେ ବାଟ ଯାଇ ନ’ଥାନ୍ତା। ବିଡ଼ମ୍ବନାର ବିଷୟ ଏହି ଯେ ପୁଲିସ ଅଭିଯୁକ୍ତ ଉଚ୍ଛୃଙ୍ଖଳ ଯୁବକମାନଙ୍କୁ ଗିରଫ କରିବାକୁ ତତ୍ପରତା ନ ଦେଖେଇ ତୁରନ୍ତ ଅଭିଯୋଗକାରୀଙ୍କୁ ଗିରଫ କରିଦେଲେ, ଯେଉଁଥିପାଇଁ ଓଡ଼ିଶାର ମାନ୍ୟବର ହାଇକୋର୍ଟ ତୁରନ୍ତ ତାଙ୍କୁ ଜାମିନ୍ ଦେଇ ପୁଲିସର ଭୂମିକା ଉପରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଦେଲେ। 
ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ମଦ୍ୟପାନ କରିଥାଇପାରନ୍ତି, କିନ୍ତୁ ଏହା ତାଙ୍କର ଅଭିଯୋଗକୁ ଦୁର୍ବଳ କରୁନାହିଁ। ପୁଲିସ ତାଙ୍କୁ ରାସ୍ତା ଉପରୁ ମଦ୍ୟପାନ ଅଭିଯୋଗରେ ଗିରଫ କରି ଆଣି ନାହିଁ, ବରଂ ସେମାନେ ମଦ୍ୟପାନ କରି ମଧ୍ୟ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ଏଠାରେ ନାରୀ ସୁରକ୍ଷାର ପ୍ରଶ୍ନ ଉଠୁଛି। ଜଣେ ନାରୀକୁ ସୁରକ୍ଷା ଦେବା ପରିବର୍ତ୍ତେ ତାଙ୍କୁ ଗିରଫ କରି ହାଜତରେ ଭର୍ତ୍ତି କରିଦେବା ପୁଲିସର ଭାବମୂର୍ତ୍ତିକୁ ମଳିନ କରୁ ନାହିଁ କି? 
ଏଇଠି ପଞ୍ଜାବ ଅମୃତସରରେ ଘଟିଥିବା ଘଟଣାଟିଏ ମନେ ପଡ଼ିଯାଏ। ଭାରତୀୟ ସେନାବାହିନୀର ପାଞ୍ଚ ଜଣ ଅଧିକାରୀ ଅର୍ଦ୍ଧରାତ୍ରିରେ ସପତ୍ନୀକ ଅମୃତସର ରେଳ ଷ୍ଟେସନ୍‌କୁ ଯାଉଥିଲେ। ବାଟରେ ପାଞ୍ଚ ଛଅ ଜଣ ଉଚ୍ଛୃଙ୍ଖଳ ଯୁବକ ସେମାନଙ୍କୁ ଦୁର୍ବବ୍ୟବହାର କଲେ। ଉତ୍‌କ୍ଷିପ୍ତ ହୋଇ ସେନା ଅଧିକାରୀମାନେ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୁଅନ୍ତେ ସେମାନେ ଛତ୍ରଭଙ୍ଗ ଦେଇ ଧାଇଁବାରେ ଲାଗିଲେ ଆଉ ଅନ୍ଧାରରେ କୁଆଡ଼େ ଲୁଚିଗଲେ। ତତ୍‌କ୍ଷଣାତ୍‌ ଘଟଣା ସମ୍ପର୍କରେ ସ୍ଥାନୀୟ କମାଣ୍ଡିଂ ଅଧିକାରୀଙ୍କୁ ଜଣେଇ ଦିଆଗଲା, ଯିଏ କି ବହୁତ ପରଶ୍ରମ କରି ସେମାନଙ୍କୁ ବାନ୍ଧି ଆଣି ଆର୍ମି କ୍ୟାମ୍ପ୍‌ରେ ଭର୍ତ୍ତି କରିଦେଲେ। 
ଏହି ବିଶୃଙ୍ଖଳ ଯୁବକମାନଙ୍କ ମଧ୍ୟରେ ଜଣେ ଥିଲେ ସେ ସମୟର ଅତ୍ୟନ୍ତ ପ୍ରଭାବଶାଳୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂହ କାଇରନଙ୍କ ପୁଅ। ପ୍ରତାପ ସିଂହ କାଇରନ ହେଉଛନ୍ତି ଭାରତବର୍ଷରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଓ ରକ୍ଷାମନ୍ତ୍ରୀ ଭି.କେ. କୃଷ୍ଣମେନନ୍‌ଙ୍କ ବିଶ୍ୱସ୍ତ ବନ୍ଧୁ ଏବଂ ରାଜନୀତିରେ ଜଣେ କ୍ଷମତାଶାଳୀ ବ୍ୟକ୍ତି। ପଣ୍ଡିତ ଜବାହରଲାଲ ନେହରୁ, ପ୍ରତାପ ସିଂହ କାଇରନ, ଏପରିକି ରକ୍ଷାମନ୍ତ୍ରୀ ତୃଷ୍ଣମେନନଙ୍କ ଅନୁରୋଧ ମଧ୍ୟ ତତ୍‌କାଳୀନ ଆର୍ମି ଜେନେରାଲ୍ ଥିମାୟାଙ୍କ ଉପରେ କୌଣସି ପ୍ରଭାବ ପକେଇଲା ନାହିଁ। ଏ କଥା ପାର୍ଲିଆମେଣ୍ଟରେ ଉଠିଲା। ନେହରୁଙ୍କ ପ୍ରତିପତ୍ତି ଯୋଗୁଁ ପାର୍ଲିଆମେଣ୍ଟ ଆର୍ମି ଜେନେରାଲ୍ ଥିମାୟାଙ୍କ ବେଖାତିର ମନୋଭାବକୁ ନେଇ ସ୍ପଷ୍ଟୀକରଣ ଓ ଅଫିସରମାନଙ୍କ ଆଚରଣ ନେଇ କ୍ଷମା ପ୍ରାର୍ଥନା ଚାହିଲେ। ଆର୍ମି ଜେନରାଲ୍ ଯେଉଁ ସ୍ପଷ୍ଟୀକରଣ ଦେଇଥିଲେ ତାହା ଆଜି ମଧ୍ୟ ପ୍ରଯୁଜ୍ୟ- “ଯଦି ଆମେ ଦେଶର ନାରୀମାନଙ୍କୁ ସୁରକ୍ଷା ନ ଦେଇପାରୁଛୁ ତେବେ ଦେଶକୁ କିପରି ସୁରକ୍ଷା ଦେବୁ?”
ମୋ: ୯୪୩୭୦୬୭୫୬୭