“ଟୋକା ହେଉଛନ୍ତି ଟୋକା ତେଣୁ ସେମାନେ ଯଦି କିଛି ଭୁଲ୍ କାମ କରିଦେଲେ ତେବେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି? ପୁରୁଷ ଲୋକଟା ସ୍ତ୍ରୀ ଦେହରେ ହାତ ମାରିଦେଲା ତ କ’ଣ ହୋଇଗଲା? ରାତି ଅଧରେ ତୁମେମାନେ କ୍ଲବ୍କୁ କାହିଁକି ଯାଇଥିଲ? ଛୋଟ ଛୋଟ ବ୍ଲାଉଜ ପିନ୍ଧିଲେ ପୁରୁଷମାନେ ଉତ୍ତେଜିତ ହେବେ ନାହିଁ କି? ଆଜ୍ଞା, ଚାଓମିନ ହିଁ ଏହି ଧର୍ଷଣର ମୂଳ କାରଣ। ଏଗୁଡ଼ାକ ଖାଇଲେ ଶରୀର ଉତ୍ତେଜିତ ହୋଇ ଧର୍ଷଣ କରିବାକୁ ଚାହେଁ। ଯଦି ସେ ସରସ୍ୱତୀ ମନ୍ତ୍ର ପଢ଼ି ସେମାନଙ୍କୁ ଭାଇ ବୋଲି ସମ୍ବୋଧନ କରିଥାନ୍ତା ତେବେ ଧର୍ଷଣ ହୋଇ ନଥାନ୍ତା। ବୟଫ୍ରେଣ୍ଡ୍ ସହିତ ରାତି ଅଧରେ ବସରେ ବୁଲିବ, ଧର୍ଷଣ ହେବ ନି ତ ଆଉ କ’ଣ ହେବ? ଝିଅମାନେ ହେଉଛନ୍ତି ମିଠା ତେଣୁ ପିମ୍ପୁଡ଼ି ଘେରିଯିବା ସ୍ୱାଭାବିକ ନୁହେଁ କି?”
ଆଜ୍ଞା, ଏ ସବୁ ହେଉଛି ଆମ ଦେଶର ସାମାଜିକ, ଧାର୍ମିକ ଓ ରାଜନୈତିକ କ୍ଷେତ୍ରରେ ଅତ୍ୟନ୍ତ ମାନ୍ୟଗଣ୍ୟ, ଉଚ୍ଚଶିକ୍ଷିତ ଓ ଉଚ୍ଚପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ନାରୀ ଧର୍ଷଣ ଉପରେ ମନ୍ତବ୍ୟ, ଯାହା କି ନୈରାଶ୍ୟଜନକ ମଧ୍ୟଯୁଗୀୟ ବାର୍ତ୍ତା ବହନ କରୁଛି। ତେଣୁ ନିୟମ ଯେତେ କଠୋର କଲେ କ’ଣ ହେବ? ଯେ ପର୍ଯ୍ୟନ୍ତ ଏହିଭଳି ବିକୃତ ଚିନ୍ତାଧାରା ପରିବର୍ତ୍ତନ ନ ହୋଇଛି ସେ ପର୍ଯ୍ୟନ୍ତ ନିର୍ଭୟାଠୁ ନେଇ ଅଭୟା ପର୍ଯ୍ୟନ୍ତ ନାରୀ ଧର୍ଷିତା ହୋଇ ଚାଲିଥିବେ ଆଉ ଆପଣମାନେ କେବଳ ଅସହାୟ ଭାବେ ସଂଖ୍ୟା ଗଣତି କରି ଚାଲିଥିବେ।
ଏହି ଗଣତି କହୁଛି ଯେ ରାଜସ୍ଥାନରେ ପ୍ରତି ଦେଢ଼ ଘଣ୍ଟାରେ ଗୋଟିଏ ଧର୍ଷଣ ହେଉଥିଲା ବେଳେ ଉତ୍ତରପ୍ରଦେଶରେ ପ୍ରତି ଅଢ଼େଇ ଘଣ୍ଟାରେ ଗୋଟିଏ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ପ୍ରତି ତିନି ଘଣ୍ଟାରେ ଗୋଟିଏ ଧର୍ଷଣ ଘଟୁଛି। ତେବେ ଆମ ରାଜ୍ୟ ଓଡ଼ିଶାରେ ପ୍ରତି ଛଅ ଘଣ୍ଟାରେ ଗୋଟିଏ ଧର୍ଷଣ ହେଉଛି। ଏକ ବିଶ୍ୱସନୀୟ ଗଣମାଧ୍ୟମ ସଂସ୍ଥାର ଅନୁସନ୍ଧାନ ଅନୁଯାୟୀ ସମଗ୍ର ଭାରତବର୍ଷରେ ପ୍ରତି ଷୋଳ ମିନିଟରେ ଜଣେ, ଅର୍ଥାତ୍ ଘଣ୍ଟାକୁ ଚାରି ଜଣ ନାରୀ ବଳାତ୍କାରର ଶିକାର ହେଉଛନ୍ତି। ଏହି ପରିସଂଖ୍ୟାନ କେବଳ ଲିପିବଦ୍ଧ ଅଭିଯୋଗର ସଂଖ୍ୟା ମାତ୍ର। ବାସ୍ତବ ସଂଖ୍ୟା ଆହୁରି ଅଧିକ ହେବ, କାରଣ ଅନ୍ୟ ଏକ ପରିସଂଖ୍ୟାନ କହୁଛି ଯେ ଭାରତବର୍ଷରେ ମାତ୍ର ଚାଳିଶ ପ୍ରତିଶତ ଧର୍ଷଣ ଅଭିଯୋଗ ଲିପିବଦ୍ଧ ହୋଇଥାଏ।
ଏହିପରି ଦିନକୁ ଦିନ ଧର୍ଷଣ ବଢ଼ି ଚାଲିଥିଲା ବେଳେ ସୁପ୍ରିମ୍ କୋର୍ଟ କହୁଛି, “ବହୁତ ହୋଇଗଲା, ଆଉ ଗୋଟେ ଧର୍ଷଣ ପର୍ଯ୍ୟନ୍ତ ଅପେକ୍ଷା କରାନଯାଇ କଡ଼ା ପଦକ୍ଷେପ ନିଆଯାଉ।” ଏହା ହାସ୍ୟାସ୍ପଦ, କାରଣ ମନେ ପକାନ୍ତୁ ଊଣେଇଶ ସତାନବେ ମସିହା କଥା। ରାଜସ୍ଥାନର ଭଉଁରୀ ଦେବୀ ଧର୍ଷଣ ଓ ହତ୍ୟାକାଣ୍ଡ ପରେ କଡ଼ା ପଦକ୍ଷେପ ନିଆଯାଇ ବିଶାଖା ନିୟମାବଳୀ ପ୍ରସ୍ତୁତ କରାଗଲା। ଏହି କଡ଼ା ପଦକ୍ଷେପ ସତ୍ତ୍ୱେ ଆଜି ଧର୍ଷଣରେ ରାଜସ୍ଥାନ ଭାରତବର୍ଷରେ ସର୍ବପ୍ରଥମ ସ୍ଥାନ ହାସଲ କରିଛି। ଦୁଇ ହଜାର ସାତ ମସିହାରେ ନୂଆଦିଲ୍ଲୀର ଏକ ହସପିଟାଲରେ ଏକ ଡାକ୍ତରାଣୀ ରାତ୍ରିକାଳୀନ ବିଶ୍ରାମ ନେଉଥିବା ବେଳେ ନୃଶଂସ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିଲେ। ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ଏହାର ପାଞ୍ଚ ବର୍ଷ ଭିତରେ ନିର୍ଭୟା କାଣ୍ଡ ଘଟିଲା। ଆଇନ କାନୁନ ଆହୁରି କଠୋର କରାଗଲା, କିନ୍ତୁ କ’ଣ ହେଲା? ପୁଣି ପାଞ୍ଚ ବର୍ଷ ପରେ ଉନ୍ନାଓ ଘଟିଲା। ପୁଣି ଦୁଇ ବର୍ଷ ପରେ ହାଇଦ୍ରାବାଦ ଓ ତା’ପରେ ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ି ବଢ଼ି ଶେଷକୁ ଦିଲ୍ଲୀ ଘଟଣାର ପୁନରାବୃତ୍ତି ଏବେ କଲିକାତାରେ ଘଟିଲା। ତେଣୁ ଆଉ ଗୋଟେ ଘଟିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡୁନାହିଁ।
ବିଡ଼ମ୍ବନାର ବିଷୟ ଯେ ଯେଉଁମାନେ ଧର୍ଷଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ବାଚିତ ହୋଇଛନ୍ତି ସେମାନେ ନିଜେ ଏହି ଧର୍ଷଣ ଅଭିଯୋଗରୁ ମୁକ୍ତ ନୁହନ୍ତି। ପରିସଂଖ୍ୟାନ ଅନୁଯାୟୀ ବର୍ତ୍ତମାନ ଭାରତବର୍ଷରେ ଶହେ ପଚାଶରୁ ଅଧିକ ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅଭିଯୋଗ ରହିଥିବା ବେଳେ କୋଡ଼ିଏ ଜଣଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ରହିଛି। କର୍ଣ୍ଣାଟକର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ପୁଅ ଓ ନାତି ନାରୀ ଧର୍ଷଣ ଅଭିଯୋଗରେ ଜାମିନରେ ଅଛନ୍ତି। କଲିକତା ଧର୍ଷଣର ମୁଖ୍ୟ ଅଭିଯୁକ୍ତ ମଧ୍ୟ ତୃଣମୂଳ କଂଗ୍ରେସର ଏକ ପୁଲିସ ସ୍ୱେଚ୍ଛାସେବୀ, ଯିଏ କି ମାସିକ ଦଶ ହଜାର ଟଙ୍କା ଦରମାରେ କଲିକତା ପୁଲିସକୁ ସାହାଯ୍ୟ କରିବା ପାଇଁ ନିଯୁକ୍ତି ପାଇଛି। ଧର୍ଷଣ କଲିକତାରେ ହେଉ କି ମହାରାଷ୍ଟ୍ରରେ ହେଉ, ଦୁର୍ଭାଗ୍ୟକୁ ଏହା ତୁରନ୍ତ ଏକ ରାଜନୈତିକ ରୂପ ନେଇଯାଉଛି। ଯଦି ଧର୍ଷଣ ଉତ୍ତରପ୍ରଦେଶରେ ହେଉଛି ତେବେ ‘ଇଣ୍ଡି’ ମେଣ୍ଟ ମାଡ଼ିବସିଲାବେଳେ କଲିକତାରେ ଧର୍ଷଣ ହେଲେ ‘ଏନ୍ଡି’ ମେଣ୍ଟ ମାଡ଼ିବସୁଛି। ବିଲକିସ ବାନୋଙ୍କ ବଳାତ୍କାର ଅଭିଯୁକ୍ତମାନଙ୍କୁ ଅସମୟରେ ମୁକ୍ତି କରାଯାଇ ସେମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯାଉଛି। ଅର୍ଥାତ୍ ଧର୍ଷଣ ଏକ ସାମାଜିକ କଳଙ୍କ ହୋଇଥିଲେ ହେଁ ଏହାକୁ ଏକ ରାଜନୈତିକ କଳଙ୍କର ରୂପ ଦିଆଯାଉଛି।
କିଂବଦନ୍ତି କହୁଛି ଯେ ପୌରାଣିକ ଯୁଗରେ ଯେତେବେଳେ ଅସହାୟ ନାରୀମାନେ ଭୟଭୀତ ହୋଇପଡ଼ି ଆର୍ତ୍ତନାଦ କରିଥାନ୍ତି ସେତେବେଳେ ସ୍ୱୟଂ ଭଗବାନ ଆବିର୍ଭାବ ହୋଇ ତାଙ୍କର ଲଜ୍ଜା ବାରଣ କରିଥାନ୍ତି, କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଆଧୁନିକ ଯୁଗରେ ଯେତେବେଳେ ସ୍ୱୟଂ ଦେଶର ରାଷ୍ଟ୍ରପତି ଭୟଭୀତ ହୋଇପଡ଼ିଛନ୍ତି ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଅସହାୟ ହୋଇପଡ଼ି ଦୋଷୀକୁ ଦଣ୍ଡ ଦେବା ପାଇଁ ଧାରଣା ଦେଉଛନ୍ତି ସେତେବେଳେ ନାରୀ ଆଉ କାହା ଭରସାରେ ରହି ନିଜର ଲଜ୍ଜା ବାରଣ କରିବ? ତେଣୁ ହିନ୍ଦୀ କବି ପୁଷ୍ପମିତ୍ର ଉପାଧ୍ୟାୟ ଆଧୁନିକ ନାରୀମାନଙ୍କୁ ନିଜର ସୁରକ୍ଷା ନିମନ୍ତେ ଆଉ କାହାରି ଉପରେ ନିର୍ଭର ନ କରି ଶସ୍ତ୍ର ଉଠେଇବାକୁ ଆହ୍ୱାନ ଦେଇ କହିଛନ୍ତି, “ଶୁନୋ ଦ୍ରୌପଦୀ ଶସ୍ତ୍ର ଉଠାଲୋ, ଅବ୍ ଗୋବିନ୍ଦ ନା ଆଏଙ୍ଗେ।”
ମୋ: ୯୪୩୭୦୬୭୫୬୭