ଏଥିରେ ସନ୍ଦେହ ନାହିଁ ଯେ ଯେଉଁମାନେ ବ୍ୟାବସାୟିକ କାରଣରୁ ଏଭଳି ଅବିମୃଶ୍ୟକାରିତାପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ସେଇମାନେ ହିଁ ଏଥିଯୋଗୁଁ ଘଟିବାକୁ ଯାଉଥିବା ସମ୍ଭାବ୍ୟ ରାଜନୈତିକ କ୍ଷତି ଦ୍ବାରା ଭୟଭୀତ ହୋଇ କରମର୍ଦ୍ଦନ ବାତିଲ କରିବା ପାଇଁ ଭାରତୀୟ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖେଳରେ ଭାଗନେବା ନିଷ୍ପତ୍ତିରେ ଭାରତୀୟ ଟିମ୍ର ଯେପରି କୌଣସି ଭୂମିକା ନାହିଁ, କରମର୍ଦ୍ଦନ ନ କରିବା ନିଷ୍ପତ୍ତିରେ ମଧ୍ୟ ସେପରି ତାହାର କୌଣସି ଭୂମିକା ନାହିଁ।
ଗତ ରବିବାର ରାତିରେ ଦୁବାଇ ଠାରେ ଖେଳାଯାଉଥିବା ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟର ସର୍ବାଧିକ ରୋମାଞ୍ଚକର ରୂପେ ବିବେଚିତ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତୀୟ ଟିମ୍ ପାକିସ୍ତାନକୁ ଶୋଚନୀୟ ଭାବରେ ପରାସ୍ତ କଲା। ସ୍ବାଭାବିକ ଭାବରେ କ୍ରିକେଟ୍ ନିଶାସକ୍ତ ଉପମହାଦେଶରେ ଏହା ବ୍ୟାପକ ଚର୍ଚ୍ଚା ଓ ଚାଞ୍ଚଲ୍ୟର ବିଷୟବସ୍ତୁରେ ପରିଣତ ହୁଅନ୍ତା। କିନ୍ତୁ ସମସ୍ତଙ୍କୁ ଚକିତ କରି ଯାହାକୁ କେନ୍ଦ୍ରକରି ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିବା ଦେଖାଯାଇଛି, ତାହା ସେଦିନ ଖେଳପଡ଼ିଆରେ ଘଟିଥିବା ଜୟ ବା ପରାଜୟ ନୁହେଁ, ତାହା ହେଉଛି ସେଦିନ ସେଠାରେ ଘଟି ନଥିବା ଏକ ଘଟଣା- ଉଭୟ ପକ୍ଷର ଖେଳାଳି ଓ କ୍ୟାପ୍ଟେନ୍ଙ୍କ ମଧ୍ୟରେ କରମର୍ଦ୍ଦନ।
ପାରମ୍ପରିକ ଭାବରେ ଟସ୍ ପକାଯିବା ପୂର୍ବରୁ ଉଭୟ ଦଳର କ୍ୟାପ୍ଟେନ୍ମାନେ ପରସ୍ପର ସହିତ କରମର୍ଦ୍ଦନ କରିଥାନ୍ତି। ଖେଳ ସମାପ୍ତ ହେବା ପରେ ମଧ୍ୟ ଉଭୟ ପକ୍ଷର ଖେଳାଳିମାନେ ଧାଡ଼ି ବାନ୍ଧି ପରସ୍ପର ସହିତ ହାତ ମିଳାଇ ଶୁଭେଚ୍ଛା ଆଦାନପ୍ରଦାନ କରିଥାନ୍ତି। ଏହା ଅଲିମ୍ପିକ୍ସର ସେଇ ଆଦର୍ଶର ଅନୁସରଣ କରିଥାଏ, ଯାହା ଅନୁସାରେ ହାରଜିତ୍ ନୁହେଁ, ପ୍ରତିଯୋଗିତାରେ ଭାଗ ନେବା ହିଁ ହେଉଛି ଖେଳାଳିମାନଙ୍କ ପାଇଁ ସବୁଠାରୁ ବଡ଼ ଗୌରବର କଥା। ଖେଳପଡ଼ିଆରେ ସେମାନେ ପ୍ରଦର୍ଶନ କରିଥିବା ଉତ୍ସର୍ଗୀକୃତ ଉଦ୍ୟମକୁ ସମ୍ମାନ ପ୍ରଦର୍ଶନ ସ୍ବରୂପ ଖେଳ ଶେଷରେ ପ୍ରତିଦ୍ବନ୍ଦ୍ବୀମାନେ ପରସ୍ପର ସହିତ ହାତ ମିଳାଇଥାନ୍ତି। ଖେଳାଳିମାନଙ୍କର ଏହି ଆଚରଣ ପଛରେ ନିହିତ ଥିବା ମନୋଭାବକୁ ‘ସ୍ପେର୍ଟସମ୍ୟାନ୍ ସ୍ପିରିଟ୍’ ବା ‘ଖେଳୁଆଡ଼ ମନୋଭାବ’ ରୂପେ ଅଭିହିତ କରାଯାଇଥାଏ।
ଦୁବାଇ ଠାରେ ସେଦିନ କିନ୍ତୁ ଭାରତୀୟ ଟିମ୍ର ଖେଳାଳି ଓ ଅଧିନାୟକ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇବାକୁ ମନା କରିଦେଇଥିଲେ। ଭାରତୀୟ ଟିମ୍ର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହାର କାରଣ ଦର୍ଶାଇବାକୁ ଯାଇ କହିଥିଲେ: ‘‘ଜୀବନରେ ଏମିତି କେତେକ କଥା ଥାଏ, ଯାହା ହେଉଛି ସ୍ପେର୍ଟସମ୍ୟାନ୍ ସ୍ପିରିଟ୍ର ଊର୍ଦ୍ଧ୍ବରେ।’’ ଯାଦବ ଓ ତାଙ୍କ ଟିମ୍ର ବିଚାରରେ ଏଠାରେ ଯାହା ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଠାରୁ ଊର୍ଦ୍ଧ୍ବରେ ଥିଲା, ତାହା ହେଲା ପହଲଗାମ ଠାରେ ଆତଙ୍କବାଦୀମାନଙ୍କ ଆକ୍ରମଣରେ ଟଳି ପଡ଼ିଥିବା ପର୍ଯ୍ୟଟକମାନଙ୍କୁ ଓ ତାହାର ଜବାବରେ ଭାରତ ଚଳାଇଥିବା ‘ଅପରେସନ ସିନ୍ଦୂର’ ଅଭିଯାନରେ ଭାଗ ନେଇଥିବା ଭାରତୀୟ ସେନାବାହିନୀକୁ ସମ୍ମାନ ପ୍ରଦର୍ଶନ କରିବାର ଆବଶ୍ୟକତା। ପହଲଗାମ ଆତଙ୍କବାଦୀମାନଙ୍କର ପୃଷ୍ଠପୋଷକ ପାକିସ୍ତାନର ଖେଳାଳିମାନଙ୍କ ସହିତ କରମର୍ଦ୍ଦନ କରିବାକୁ ମନା କରିଦେବା ଥିଲା ଏହି ସମ୍ମାନ ପ୍ରଦର୍ଶନ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ କରମର୍ଦ୍ଦନ ଭଳି ଖେଳୁଆଡ଼ ଶିଷ୍ଟାଚାର ପ୍ରଦର୍ଶନ ପରମ୍ପରା କେବଳ କ୍ରିକେଟ୍ ମଧ୍ୟରେ ସୀମିତ ନୁହେଁ- ଟେନିସ୍ରୁ ଫୁଟ୍ବଲ୍, ବାସ୍କେଟ୍ବଲ୍ ଆଦି ପର୍ଯ୍ୟନ୍ତ ଅଧିକାଂଶ ଖେଳର ପ୍ରତିଯୋଗିତାମାନଙ୍କରେ ଏହା ଅନୁସୃତ ହୋଇଥାଏ। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ସମୟ ସମୟରେ ପ୍ରତ୍ୟେକ ଖେଳର ପ୍ରତିଯୋଗିତାରେ ଏହି ଶିଷ୍ଟାଚାର ଉଲ୍ଲଂଘନ କରାଯିବାର ଦୃଷ୍ଟାନ୍ତମାନ ରହିଛି। କ୍ରିକେଟ୍ରେ ଘଟିଥିବା ଏଇଭଳି କେତେକ ପରମ୍ପରା ଭଙ୍ଗ ଘଟଣାମାନଙ୍କ ମଧ୍ୟରୁ ଦୁଇଟି ପ୍ରତି ଏଠାରେ ଦୃଷ୍ଟି ଆକର୍ଷଣ କରାଯାଇପାରେ।
୨୦୦୮ରେ ଇଂଲାଣ୍ଡ୍ର ଓଭାଲ୍ ଷ୍ଟାଡିଅମ୍ରେ ଖେଳାଯାଉଥିବା ଏକ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଶେଷ ହେବା ପରେ ନିଉଜିଲାଣ୍ଡ୍ ଖେଳାଳିମାନେ ଇଂଲାଣ୍ଡ୍ ଖେଳାଳିମାନଙ୍କ ସହିତ ହାତ ମିଳାଇବାକୁ ମନା କରିଦେଇ ଡ୍ରେସିଙ୍ଗ୍ ରୁମ୍ରୁ ବାହାରି ନଥିଲେ। ସେଦିନ ଖେଳପଡ଼ିଆରେ ଘଟିଥିବା ଏକ ଘଟଣାର ପ୍ରତିବାଦରେ ନିଉଜିଲାଣ୍ଡ୍ ଖେଳାଳିମାନେ ଏଭଳି ଆଚରଣ ପ୍ରଦର୍ଶନ କରିଥିଲେ। ଘଟଣାଟି ହେଲା- ନିଉଜିଲାଣ୍ଡ୍ ବ୍ୟାଟସ୍ମ୍ୟାନ୍ ଗ୍ରାଣ୍ଟ ଏଲିଅଟ୍ ଇଂଲାଣ୍ଡ୍ ବୋଲର୍ ରୢାନ୍ ସାଇଡ୍ବଟମ୍ଙ୍କ ସହିତ ଧକ୍କା ଖାଇ ପିଚ୍ ମଧ୍ୟରେ ଲମ୍ବା ହୋଇ ପଡ଼ି ରହିଥିବାବେଳେ ଇଂଲାଣ୍ଡ୍ ଟିମ୍ ଏଲିଅଟ୍ଙ୍କୁ ରନ୍ଆଉଟ୍ କରିଦେଇଥିଲା। ଏହା ନିଶ୍ଚିତ ରୂପେ ଇଂଲାଣ୍ଡ୍ ଟିମ୍ର ଏକ ଖେଳୁଆଡ଼ ଆଚରଣ ନଥିଲା। ସେମାନଙ୍କ ସହିତ କରମର୍ଦ୍ଦନ ବାତିଲ କରି ନିଉଜିଲାଣ୍ଡ୍ ଟିମ୍ ଏହାର ଏକ ପ୍ରକାର ପ୍ରତିଶୋଧ ନେଇଥିଲା। ଅନ୍ୟ ଏକ ଘଟଣାରେ ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ଏକ ୱର୍ଲଡ କପ୍ ମ୍ୟାଚ୍ ପରେ ଶ୍ରୀଲଙ୍କା ଟିମ୍ର ଖେଳାଳିମାନେ ପ୍ରତିପକ୍ଷ ବାଂଲାଦେଶ ଟିମ୍ର ଖେଳାଳିମାନଙ୍କ ସହିତ କରମର୍ଦ୍ଦନ କରିବାକୁ ମନା କରିଦେଇଥିଲେ। ସେଦିନ ମ୍ୟାଚ୍ରେ ବାଂଲାଦେଶ ପକ୍ଷ ଶ୍ରୀଲଙ୍କା ଖେଳାଳି ଆଞ୍ଜେଲୋ ମ୍ୟାଥୁସ୍ଙ୍କ ବିରୋଧରେ ଏକ ‘ଟାଇମ୍ଡ ଆଉଟ୍’ ଅପିଲ୍ କରି ସଫଳ ହୋଇଥିଲା, ଯାହା ଶ୍ରୀଲଙ୍କା ଦୃଷ୍ଟିରେ ଏକ ଖେଳୁଆଡ଼ ଆଚରଣ ରୂପେ ବିବେଚିତ ହୋଇ ନଥିଲା। ସେମାନେ ତେଣୁ ଅଣଖେଳୁଆଡ଼ ମାନସିକତା ସଂପନ୍ନ ବାଂଲାଦେଶ ଟିମ୍ ସହିତ କରମର୍ଦ୍ଦନ କରିବା ଉଚିତ ମନେ କରି ନଥିଲେ।
ତେବେ ଲକ୍ଷ୍ୟ କରିବା କଥା ଏଇ ଉଭୟ ଉଦାହରଣରେ କ୍ରିକେଟ୍ ଖେଳ ସଂପର୍କିତ କୌଣସି କାରଣ ଯୋଗୁଁ ଗୋଟିଏ ଟିମ୍ ପ୍ରତିପକ୍ଷ ଟିମ୍ ସହିତ ସୌଜନ୍ୟମୂଳକ କରମର୍ଦ୍ଦନରୁ ନିବୃତ୍ତ ରହିଥିଲା। ଦୁବାଇ ଠାରେ କିନ୍ତୁ ଭାରତୀୟ ଟିମ୍ ପାକିସ୍ତାନୀ ଟିମ୍ ସହିତ କରମର୍ଦ୍ଦନ ନ କରିବାର କାରଣ ଉପରେ ଦର୍ଶାଯାଇଥିବା ଭଳି କ୍ରିକେଟ୍-ସଂପର୍କିତ ନଥିଲା କିମ୍ବା ଏହାକୁ ଭାରତୀୟ କ୍ୟାପ୍ଟେନ୍ ଓ ଖେଳାଳିମାନଙ୍କ ଠାରେ ଖେଳୁଆଡ଼ ମନୋଭାବର ଅନୁପସ୍ଥିତି ରୂପେ ବିବେଚନା କରାଯାଇ ପାରିବ ନାହିଁ। ଯେଉଁ ପହଲଗାମ ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତୀୟ ଟିମ୍ କରମର୍ଦ୍ଦନ ପରମ୍ପରା ଭଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା, ସେଇ କାରଣ ଯୋଗୁଁ ହିଁ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ପାକିସ୍ତାନ ସହିତ ଖେଳିବ କି ନାହିଁ, ସେ ନେଇ ଦେଶରେ ଏକ ତୀବ୍ର ବିତର୍କର ସୂତ୍ରପାତ ହୋଇଥିଲା। କେହି ଯଦି ପାସୋରି ଯାଇଥିବେ, ତେବେ ଏଠାରେ ମନେ ପକାଇ ଦିଆଯାଇପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର କରିଚାଲିଥିବା ଘୋଷଣା ଅନୁସାରେ ‘ଅପରେସନ ସିନ୍ଦୂର’ ବର୍ତ୍ତମାନ ମଧ୍ୟ ବଳବତ୍ତର ରହିଛି। ଏହାର ମର୍ମ ହେଲା ପାକିସ୍ତାନ ଆଶ୍ରିତ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ବିରୁଦ୍ଧରେ ଭାରତ ବର୍ତ୍ତମାନ ମଧ୍ୟ ଲଢ଼େଇ ଜାରି ରଖିଛି। ତେଣୁ ଯୁକ୍ତିଯୁକ୍ତ ଭାବରେ ଏଭଳି ଏକ ଶତ୍ରୁ ଦେଶ ସହିତ ବର୍ତ୍ତମାନ କ୍ରିକେଟ୍ ଖେଳିବା ଆଦୌ ଗ୍ରହଣୀୟ ନୁହେଁ।
‘ଅପରେସନ ସିନ୍ଦୂର’ କେବଳ ଯେ ଏକ ସାମରିକ ଅଭିଯାନରେ ସୀମିତ ହୋଇ ରହିନାହିଁ, ତାହା ଏକ ରାଜନୈତିକ କୌଶଳରେ ମଧ୍ୟରେ ପରିଣତ ହୋଇସାରିଛି, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ସ୍ବାଭାବିକ ଭାବରେ ଏହାର ପ୍ରଭାବରେ ଭାରତୀୟମାନଙ୍କ ଠାରେ ଯେଉଁ ଜାତୀୟତାବାଦ ଜାଗ୍ରତ ହୋଇଛି, ସେ ପରିପ୍ରେକ୍ଷୀରେ ସେମାନେ ପାକିସ୍ତାନ ସହିତ ଖେଳିବା କଥା ଯେତେବେଳେ ଚିନ୍ତା କରିପାରୁ ନଥିଲେ, ସେତେବେଳେ ଖେଳିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ଏଥିରେ ସନ୍ଦେହ ନାହିଁ ଯେ ଯେଉଁମାନେ ବ୍ୟାବସାୟିକ କାରଣରୁ ଏଭଳି ଅବିମୃଶ୍ୟକାରିତାପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ସେଇମାନେ ହିଁ ଏଥିଯୋଗୁଁ ଘଟିବାକୁ ଯାଉଥିବା ସମ୍ଭାବ୍ୟ ରାଜନୈତିକ କ୍ଷତି ଦ୍ବାରା ଭୟଭୀତ ହୋଇ କରମର୍ଦ୍ଦନ ବାତିଲ କରିବା ପାଇଁ ଭାରତୀୟ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖେଳରେ ଭାଗନେବା ନିଷ୍ପତ୍ତିରେ ଭାରତୀୟ ଟିମ୍ର ଯେପରି କୌଣସି ଭୂମିକା ନାହିଁ, କରମର୍ଦ୍ଦନ ନ କରିବା ନିଷ୍ପତ୍ତିରେ ମଧ୍ୟ ସେପରି ତାହାର କୌଣସି ଭୂମିକା ନାହିଁ। ତେଣୁ ‘ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍’ ମାପକାଠି ପ୍ରୟୋଗ କରି ସେମାନଙ୍କର ବିଚାର କରାଯିବା ଉଚିତ ନୁହେଁ।