ପ୍ରାଣନାଥ ପଟ୍ଟନାୟକଙ୍କର ଜନ୍ମ ୧୬ ନଭେମ୍ବର ୧୯୦୫ରେ ହୋଇଥିଲା ଏବଂ ୫ ଅକ୍ଟୋବର ୧୯୭୦ରେ ସେ ପରଲୋକ ଗମନ କରିଥିଲେ। ସ୍ବଳ୍ପ ସମୟର ଜୀବନ, କିନ୍ତୁ ସମସ୍ତଙ୍କ ମଙ୍ଗଳ ପାଇଁ ଏହା ଅଭିପ୍ରେତ। ସେ ଏକାଧାରରେ ଥିଲେ ସ୍ବାଧୀନତା ସ˚ଗ୍ରାମର ମହାନ ଯୋଦ୍ଧା, ସାମ୍ୟବାଦର ମହାନାୟକ, କୃଷକ ଆନ୍ଦୋଳନର ପ୍ରତିଷ୍ଠାତା, ଗଡ଼ଜାତ ପ୍ରଜା ଆନ୍ଦୋଳନର ନେତା, ଶିକ୍ଷାବିତ୍‌, ସାହିତ୍ୟିକ, ବିଧାୟକ ଓ ବିପ୍ଲବୀ। ସେ କାଶୀ ବିଦ୍ୟାପୀଠର ଛାତ୍ର ଥିଲେ। ଲାଲ ବାହାଦୂର ଶାସ୍ତ୍ରୀ ଥିଲେ ତାଙ୍କର ସହପାଠୀ। ସେ ପଢୁଥିବା ସମୟରେ ଜଵାହରଲାଲ ନେହରୁ ସେଠାରେ ଶିକ୍ଷାଦାନ କରୁଥିଲେ। ସେ ସ୍ବାଧୀନତା ସ˚ଗ୍ରାମରେ ଯୋଗ ଦେବା ସମୟରେ ବାପୁଙ୍କର ପଦାଙ୍କ ଅନୁସରଣ କଲେ। ତାଙ୍କ ଆହ୍ବାନରେ ରେଭେନ୍‌ସା ମହାବିଦ୍ୟାଳୟରୁ ପାଠ ଛାଡ଼ିଥିଲେ। ଖୋର୍ଦ୍ଧା ସହରର ଗୋଟିଏ ଟ୍ରାଫିକ ଛକରୁ ସତ୍ୟାଗ୍ରହ କରି ସ୍ବାଧୀନତା ସ˚ଗ୍ରାମରେ ଯୋଗ ଦେଇଥିଲେ। ପ୍ରାଣନାଥଙ୍କ ତ୍ୟାଗ ଓ ତ୍ୟାଗପୂତ ଜୀବନ ରାଜ୍ୟର ଜନସାଧାରଣଙ୍କୁ ସବୁ ସମୟରେ ଉଦ୍‌ବୁଦ୍ଧ କରିଆସିଛି। ନିଜ ଗାଁ ଡିମିରିରେ ରହୁଥିବା ବେଳେ ସେ ଗାଁର ଯୁବକମାନଙ୍କ ସହ ମିଶି ଇ˚ରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ ସଂଗଠିତ କରିଥିଲେ।

Advertisment

ରଣପୁର ପ୍ରଜାମେଳିରେ ଭାଗ ନେବା ପାଇଁ ଗାଁକୁ ଗାଁ ପାଦରେ ଚାଲି ଚାଲି ବୁଲୁଥିଲେ। ଲୋକମାନଙ୍କୁ ବେଜଲଗେଟ ଆନ୍ଦୋଳନରେ ଯୋଗ ଦେବା ପାଇଁ ଆହ୍ବାନ କରୁଥିଲେ। ସିଏ ମଧୢ ଓଡ଼ିଶାରେ ସାମ୍ୟବାଦୀ ଦଳର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ଭଗବତୀ ଚରଣ ପାଣିଗ୍ରାହୀ ଓ ଗୁରୁଚରଣ ପଟ୍ଟନାୟକଙ୍କ ସହିତ ମିଶି କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ। ସେ ସାମ୍ୟବାଦୀ ହୋଇଥିଲେ ହେଁ ଗାନ୍ଧୀ ତାଙ୍କର ଆଦର୍ଶ ଥିଲେ। କୃଷକ, ଶ୍ରମିକ, ଖଟିଖିଆ ଓ ସାମ୍ୟବାଦୀଙ୍କ ଆନ୍ଦୋଳନକୁ ସେ ଗାନ୍ଧୀଙ୍କ ମାର୍ଗରେ ନେତୃତ୍ବ ଦେଉଥିଲେ। ପଣ୍ତିତ ଜଵାହରଲାଲଙ୍କୁ ବହୁତ ସମ୍ମାନ କରୁଥିଲେ। ତାଙ୍କର ୬୪ ବର୍ଷର ଜୀବନ କାଳରୁ ୧୩ ବର୍ଷ ବିଭିନ୍ନ ପର୍ଯ୍ୟାୟରେ କାରାଗାରର ଚାରି କାନ୍ଥ ଭିତରେ କଟିଥିଲା। ସେ ସାହିତ୍ୟ ରଚନା କରୁଥିଲେ ଓ ଜଣେ ସଫଳ ସ˚ପାଦକ ଥିଲେ। ସେ ଖୋର୍ଦ୍ଧା କଲେଜ (ବର୍ତ୍ତମାନର ପ୍ରାଣନାଥ କଲେଜ)ର ପ୍ରାଣ ପ୍ରତିଷ୍ଠାତା ଥିଲେ। ପ୍ରାଣନାଥଙ୍କର ଇଚ୍ଛା ଥିଲା ଖୋର୍ଦ୍ଧା କଲେଜଟି ବିଶ୍ବବିଦ୍ୟାଳୟରେ ପରିଣତ ହେଉ। ସେଥିପାଇଁ ସେ ନିଜେ ବିଭିନ୍ନ ଶିକ୍ଷାବିତ୍‌ମାନଙ୍କୁ ନେଇ ଯୋଜନା ପ୍ରସ୍ତୁତ କରିଥିଲେ ଯାହା ଏ ଯାଏଁ ପୂର୍ଣ୍ଣ ରୂପ ନେଇପାରିନାହିଁ। ଏ କାର୍ଯ୍ୟ କିଏ ସ˚ପୂର୍ଣ୍ଣ କରିବେ ଚିନ୍ତା କରି କଲେଜ ପରିବାର ବିଧାୟକ ଶଶୀଭୂଷଣ ବେହେରା ଏବ˚ ବିଧାୟକ ତଥା ‘ସମ୍ବାଦ’ର ସ˚ପାଦକ ସୌମ୍ୟର˚ଜନ ପଟ୍ଟନାୟକଙ୍କୁ ଅଗ୍ରଣୀ ଭୂମିକା ନେବା ପାଇଁ ନିବେଦନ କରିଛନ୍ତି। ସେମାନେ କିଛି ପରାମର୍ଶ ଦେଇଛନ୍ତି। ଭବିଷ୍ୟତ ପାଇଁ କଲେଜ ପରିବାର ସେମାନଙ୍କ ଉପରେ ନିର୍ଭରଶୀଳ।

୧୯୭୦ରେ ପ୍ରାଣନାଥଙ୍କର ମୃତ୍ୟୁ ପରେ ୫୦ ବର୍ଷ ବିତିଗଲାଣି। କିନ୍ତୁ ପ୍ରାଣନାଥଙ୍କୁ ଯିଏ ଭଲ ପାଆନ୍ତି, ତାଙ୍କର କଲେଜ ପରିବାର, ଅତୀତର ସହଯୋଗୀମାନେ କେହି ତାଙ୍କର ନିର୍ଲିପ୍ତତା, ହସ ହସ ମୁହଁ, ଅନ୍ୟକୁ ସାହାଯ୍ୟ କରିବାର ପ୍ରବୃତ୍ତିକୁ ଭୁଲି ପାରିନାହାନ୍ତି। ସେ ସର୍ବଦା ଖୋର୍ଦ୍ଧା ପାଇଁ, ରାଜ୍ୟ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିବେ।

ଜେଲ୍‌ ରୋଡ୍, ଖୋର୍ଦ୍ଧା