‘ଇକନୋମିକ୍ ଟାଇମ୍ସ’ ଖବରକାଗଜରେ ‘ପୁଲିଙ୍ଗ୍ ଦି ପୁଅର୍ ଆଉଟ୍ ଅଫ୍ ପୋଭର୍ଟି, ନାଉ ଫାଷ୍ଟର୍’ ଶୀର୍ଷକ ସହ ଗତ ବର୍ଷ ଅକ୍ଟୋବର ୧୯ରେ ଏକ ସଂପାଦକୀୟ ପ୍ରକାଶ ପାଇଥିଲା। ଦ୍ରୁତ ସହରୀକରଣ ମାଧ୍ୟମରେ ଦେଶରେ ଦାରିଦ୍ର୍ୟ ହ୍ରାସ କରିବା ପ୍ରସଙ୍ଗରେ ବିତର୍କ ଲାଗି ଏହା ନୂଆ ଅବକାଶ ସୃଷ୍ଟି କରିଛି। ସହରୀକରଣ ଓ ଆର୍ଥିକ ଅଭିବୃଦ୍ଧି ମଧ୍ୟରେ ସକାରାତ୍ମକ ସମ୍ପର୍କ ଥିବା ନେଇ ଅସଂଖ୍ୟ ଆଲୋଚନା ଏବଂ ନିବନ୍ଧମାନ ଉପଲବ୍ଧ ଅଛି ସତ, କିନ୍ତୁ ଦାରିଦ୍ର୍ୟ ଉପରେ ସହରୀକରଣର ପ୍ରଭାବ ସମ୍ପର୍କରେ ବିଶେଷ କୌଣସି ତଥ୍ୟ ନାହିଁ। ଉଚ୍ଚା ଆର୍ଥିକ ଅଭିବୃଦ୍ଧି (ମୁଣ୍ଡପିଛା ଆୟରେ ବୃଦ୍ଧି) ସାଧାରଣତଃ ଦାରିଦ୍ର୍ୟ ହ୍ରାସ କରୁଥିବାରୁ କିଛି ଅର୍ଥନୀତିଜ୍ଞ ଓ ନୀତି ସମୀକ୍ଷକ ଦୃଢ଼ ବିଶ୍ବାସ ପୋଷଣ କରିଥାନ୍ତି ଯେ ସହରୀକରଣ ହିଁ ଦାରିଦ୍ର୍ୟ ହ୍ରାସ କରିଥାଏ।
ବୈଶ୍ବିକ ସ୍ତରରେ ସହରୀକରଣର ସ୍ଥିତି ଉପରେ ନଜର ପକାଇଲେ ଦେଖିବାକୁ ମିଳିଥାଏ ଯେ ଅଧିକ ସହରୀକରଣ ହୋଇଥିବା ଦେଶଗୁଡ଼ିକ କମ୍ ସହରୀକରଣ ହୋଇଥିବା ଦେଶ ତୁଳନାରେ ଅଧିକ ବିକଶିତ ହୋଇଥାନ୍ତି। କିନ୍ତୁ ଆଜିର ଦିନରେ ମୁଖ୍ୟତଃ ଅଧିକ ମାତ୍ରାରେ ଗ୍ରାମୀଣ ଦାରିଦ୍ର୍ୟର ଶିକାର ହେଉଥିବା ବିକାଶଶୀଳ ଦେଶମାନଙ୍କରେ ହିଁ ସହରୀକରଣ ପ୍ରକ୍ରିୟା ଚାଲିଛି। ଭାରତ ଏଭଳି ବିକାଶଶୀଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ, ଯେଉଁଠାରେ ସହରୀକରଣର ହାର ବୃଦ୍ଧି ସହିତ ତୀବ୍ର ଗ୍ରାମୀଣ ଦାରିଦ୍ର୍ୟ ସହାବସ୍ଥାନ କରୁଛି। ୨୦୧୧ ଜନଗଣନା ଅନୁସାରେ ଭାରତର ସହରୀ ଜନସଂଖ୍ୟା ୨୮.୬୧ କୋଟିରୁ ବୃଦ୍ଧି ପାଇ ୩୭.୭୨ କୋଟିରେ ପହଞ୍ଚିଛି। ଅର୍ଥାତ୍ ୨୦୦୧-୧୧ ମଧ୍ୟରେ ସହରୀ ଜନସଂଖ୍ୟାରେ ୯.୧୧ କୋଟି ବୃଦ୍ଧି ଘଟିଛି ଯାହା ଯେକୌଣସି ଦଶନ୍ଧିରେ ହୋଇଥିବା ବୃଦ୍ଧି ମଧ୍ୟରେ ସର୍ବାଧିକ। ତଥାପି ଗ୍ରାମୀଣ ଦାରିଦ୍ର୍ୟ ବୃଦ୍ଧି ହାର (ବହୁ-ଆୟାମୀ ଦାରିଦ୍ର୍ୟ ସୂଚକାଙ୍କ) ୩୨.୭୫ ପ୍ରତିଶତ ପରି ଉଚ୍ଚା ରହିଛି (‘ନିତି’ ଆୟୋଗ ୨୦୨୧)। ଉକ୍ତ ପରିସ୍ଥିତିରେ ପ୍ରଶ୍ନ ଉଠିଥାଏ ଯେ ତ୍ବରିତ ସହରୀକରଣ ଜରିଆରେ ଦେଶରୁ ଦାରିଦ୍ର୍ୟ ଦୂର କରିବାର ଉଦ୍ୟମ ଯୁକ୍ତିଯୁକ୍ତ କି? ଏ ପ୍ରଶ୍ନର ଉପଯୁକ୍ତ ଉତ୍ତର ପାଇବା ଲାଗି ଆମେ ଭାରତରେ ସହରୀକରଣ ସହ ଜଡ଼ିତ କେତେକ ପ୍ରସଙ୍ଗ ନେଇ ଆଲୋଚନା କରିବା।
ଏହା ସମସ୍ତେ ଜାଣନ୍ତି ଯେ ଆମ ଦେଶର ଜି.ଡି.ପି. ବା ଜାତୀୟ ଆୟର ସିଂହ ଭାଗ କୃଷି ବଦଳରେ ଶିଳ୍ପ ଓ ସେବା କ୍ଷେତ୍ରରୁ ଆସିଥାଏ। ଏବେ କୃଷି କ୍ଷେତ୍ରରେ ବୈଷୟିକ ବିକାଶ ବା ଯାନ୍ତ୍ରିକୀକରଣ ଯୋଗୁଁ ସେଠାରେ ପୂର୍ବରୁ ନିୟୋଜିତ ଶ୍ରମିକମାନେ ସହରମୁହାଁ ହେଉଛନ୍ତି, ଯାହା ସହରୀକରଣ ପ୍ରକ୍ରିୟାକୁ ଗତିମାନ କରିଛି। ଭାରତ ପରିପ୍ରେକ୍ଷୀରେ ଦେଖିଲେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜି.ଡି.ପି.ର ସିଂହ ଭାଗ କୃଷିକ୍ଷେତ୍ରରୁ ଦୂରେଇ ଯାଇଛି। ୧୯୫୦-୫୧ରେ ଏହା ଜି.ଡି.ପି.ର ୫୫ ପ୍ରତିଶତ ଥିବା ବେଳେ ୨୦୧୯-୨୦ରେ ଏହା ମାତ୍ର ୧୮ ପ୍ରତିଶତକୁ ଖସିଆସିଛି। ତଥାପି ଶ୍ରମ ବିଭାଜନରେ ଅନୁରୂପ ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ଆଜି ଦେଶର ସମୁଦାୟ ଜନସଂଖ୍ୟାର ୬୯ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି ଏବଂ କୃଷି କାର୍ଯ୍ୟ ପୂର୍ବବତ୍ ଗ୍ରାମ୍ୟ ଅର୍ଥନୀତିର ମୁଖ୍ୟ ଉପଜୀବ୍ୟ ହୋଇ ରହିଛି ଏବଂ ଆମ ସମୁଦାୟ ଶ୍ରମ ଶକ୍ତିର ୪୬ ପ୍ରତିଶତକୁ ଏହା ରୋଜଗାର ପ୍ରଦାନ କରୁଛି (୨୦୧୧ ଜନଗଣନା ଅନୁସାରେ)।
ବୈଷୟିକ ସାଧନ କୃଷି କ୍ଷେତ୍ରରେ ଶ୍ରମିକଙ୍କ ସ୍ଥାନ ନେବା ପ୍ରକ୍ରିୟା ଭାରତରେ ଅତି ମନ୍ଥର ରହିଆସିଛି। ନିଶ୍ଚିତ ରୂପେ କୃଷି ଯନ୍ତ୍ରପାତି ବ୍ୟବହାରରେ ବୃଦ୍ଧି ଘଟିଛି, କିନ୍ତୁ ଏ ପର୍ଯ୍ୟନ୍ତ କୃଷିକାର୍ଯ୍ୟରେ ମାନବୀୟ ଶ୍ରମର ଭୂମିକାରେ ସେଭଳି ପ୍ରଭାବଶାଳୀ ହ୍ରାସ ପରିଲକ୍ଷିତ ହୋଇନାହିଁ। ଆମ ଦେଶର ୬୮ ପ୍ରତିଶତ ଚାଷ ଜମି ବର୍ଷା ଜଳ ଉପରେ ନିର୍ଭରଶୀଳ। ସେ ସବୁ ଅଞ୍ଚଳରେ ବୈଷୟିକ ଜ୍ଞାନ ସେତେଟା ପ୍ରବେଶ କରି ପାରିନାହିଁ। ଅର୍ଥକରୀ ଫସଲ ଉତ୍ପାଦନରେ ମାନବୀୟ ଶ୍ରମ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି। ଏହି ସବୁ ଅଞ୍ଚଳରେ ଉତ୍ପାଦନଶୀଳତା କମ୍ ରହୁଥିବାରୁ ଦାରିଦ୍ର୍ୟ ସଘନତା ସ୍ବାଭାବିକ ଭାବେ ଉଚ୍ଚା ରହିଛି। ତେଣୁ, ଉଭୟ ପରିସ୍ଥିତିରେ ବୈଷୟିକ ଜ୍ଞାନ ଗ୍ରହଣୀୟତାରେ ଶିଥିଳତା ଅଧିକ ଲୋକଙ୍କୁ କୃଷିକାର୍ଯ୍ୟରେ ନିୟୋଜିତ କରି ରଖୁଛି, ଯାହା ଫଳରେ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଶ୍ରମିକଙ୍କ ସହଜ ସ୍ଥାନାନ୍ତରଣ ବାଧାପ୍ରାପ୍ତ ହେଉଛି।
ଦେଶରେ ସହରୀକରଣର ବେଗ ଓ ଢାଞ୍ଚା କଥା ଆଲୋଚନା କଲା ବେଳେ ଆମେ ଦେଖିବାକୁ ପାଇଥାଉ ଯେ ଏହା ସମୟ ଓ ସ୍ଥାନ ନିର୍ବିଶେଷରେ ଅତ୍ୟନ୍ତ ନିରୁତ୍ସାହଜନକ ଓ ଅସମତୁଲ ଅଭିବୃଦ୍ଧି ପ୍ରଦର୍ଶନ କରିଛି। ଚାଳିଶ ବର୍ଷ (୧୯୭୧ରୁ ୨୦୧୧) ମଧ୍ୟରେ ସହରୀ ଜନସଂଖ୍ୟା ସମୁଦାୟ ଜନସଂଖ୍ୟାର ୨୦ ପ୍ରତିଶତରୁ ୩୧ ପ୍ରତିଶତକୁ ବଢ଼ିଛି। ପ୍ରତି ଦଶନ୍ଧିରେ ସହରୀ ଜନସଂଖ୍ୟା ବୃଦ୍ଧି ହାର କେତେବେଳେ ଉପର ମୁହାଁ ତ ଆଉ କେତେବେଳେ ତଳ ମୁହାଁ ହେବାର ଦେଖାଯାଇଥାଏ। ୧୯୮୦ ଓ ୧୯୯୦ ଦଶନ୍ଧିରେ ଏହି ହାର ତଳ ମୁହାଁ ହୋଇଥିବା ବେଳେ ୨୦୦୦ ଦଶନ୍ଧିରେ ଏହା ତୀବ୍ର ଭାବରେ ବୃଦ୍ଧି ପାଇଥିବାର ପରିଲକ୍ଷିତ ହୋଇଥିଲା। ବିଶ୍ବ ବ୍ୟାଙ୍କର ସଦ୍ୟତମ ଆକଳନ ଅନୁସାରେ ୨୦୨୧ରେ ଭାରତର ସହରୀ ଜନସଂଖ୍ୟାର ଭାଗ ହେଉଛି ସମୁଦାୟ ଜନସଂଖ୍ୟାର ୩୫%।
ସାଧାରଣତଃ ସହରୀ ଜନସଂଖ୍ୟା ବୃଦ୍ଧି ଚାରିଟି କାରକ ଉପରେ ନିର୍ଭରଶୀଳ, ଯଥା: ପ୍ରାକୃତିକ ବୃଦ୍ଧି, ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତରଣ, ଗ୍ରାମୀଣ ଅଞ୍ଚଳକୁ ସହରାଞ୍ଚଳରେ ପରିବର୍ତ୍ତନ ଓ ସୀମା ପରିବର୍ତ୍ତନ। ୨୦୦୧ରୁ ୨୦୧୧ ମଧ୍ୟରେ ପ୍ରାକୃତିକ ବୃଦ୍ଧି ଭାଗ ୫୯.୨୪ ପ୍ରତିଶତରୁ ୪୪ ପ୍ରତିଶତକୁ ଖସିଆସିଛି ଏବଂ ଅନ୍ୟ ତିନିଟି କାରକର ଭାଗ ୪୦.୫୬ରୁ ୫୬ ପ୍ରତିଶତକୁ ବୃଦ୍ଧି ପାଇଛି। ଜନସଂଖ୍ୟାର ଏହି ଗଠନଗତ ପରିବର୍ତ୍ତନ ସହରାଞ୍ଚଳରେ ଜୀବନ ନିର୍ବାହର ମାନ ଉପରେ ଗଭୀର ପ୍ରଭାବ ପକାଇଛି।
ରିପୋର୍ଟ ଅନୁସାରେ ବଡ଼ ବଡ଼ ସହରମାନଙ୍କରେ ଜନସଂଖ୍ୟା ଅତ୍ୟଧିକ ହେବା କାରଣରୁ ସହରର ପରିବେଶରେ ଲଗାତାର ଅବନତି ଘଟୁଛି, ଅତ୍ୟାବଶ୍ୟକ ସାମଗ୍ରୀର ଉତ୍କଟ ଅଭାବ ଦେଖାଦେଉଛି, ଗୁଣାତ୍ମକ ଜରୁରୀ ସେବା ହାସଲରେ ବୈଷମ୍ୟ ଆଦି ପରିଲକ୍ଷିତ ହେଉଛି। ଏ ସବୁ ଜନସାଧାରଣଙ୍କର ଜୀବନ ଓ ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରୁଛି। ଅଧିକନ୍ତୁ ବିଶାଳ ସହରମାନଙ୍କରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବସ୍ତି ସଂଖ୍ୟାରେ ବୃଦ୍ଧି ଘଟୁଛି। ଗ୍ରାମାଞ୍ଚଳରୁ ସ୍ଥାନାନ୍ତରିତ ଗରିବ ଲୋକମାନେ ହିଁ ଏହି ସବୁ ବସ୍ତିରେ ରହିଥାନ୍ତି। ଏକ ଆକଳନ ଅନୁସାରେ ୨୦୦୯ ବେଳେ ୮ କୋଟିରୁ ଅଧିକ ଗରିବ ଲୋକ ସହରରେ ରହୁଥିଲେ, ଯାହା ଦେଶର ସମୁଦାୟ ସହରୀ ଜନସଂଖ୍ୟାର ଏକ-ଚତୁର୍ଥାଂଶ।
ସହର ବିକାଶ ନେଇ ସରକାରଙ୍କ ନୀତି ସହରୀକରଣ ମାମଲାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ଉପଲବ୍ଧ ସୂଚନାରୁ ଜଣାପଡ଼େ ଯେ ଦେଶର ନୀତି ନିର୍ଦ୍ଧାରଣ ବେଳେ ଗ୍ରାମାଞ୍ଚଳର ବିକାଶ ସହର ବିକାଶ ତୁଳନାରେ ଅଗ୍ରାଧିକାର ପାଇଆସିଛି। ସ୍ବାଧୀତନା ପରେ ସହରୀ ବିକାଶ ଏକ ରାଜ୍ୟ ତାଲିକାଭୁକ୍ତ ପ୍ରସଙ୍ଗ ହୋଇଥିବାରୁ ଉଦାରୀକରଣ ପୂର୍ବବର୍ତ୍ତୀ ସମୟରେ ଏହାକୁ ସେତେଟା ଗୁରୁତ୍ବ ଦିଆଯାଇ ନ ଥିଲା। ଉଦାରୀକରଣ ପରେ ଏବଂ ମୁଖ୍ୟତଃ ବିଗତ କିଛି ବର୍ଷରେ ‘ଅମୃତ’, ସ୍ମାର୍ଟ ସିଟି ମିସନ, ‘ପିଏମ୍ଏୱାଇ’, ସ୍ବଚ୍ଛ ଭାରତ ମିସନ, ଐତିହ୍ୟ ସହର ଆଦି ଯୋଜନା ହାତକୁ ନେଇ କେନ୍ଦ୍ର ସରକାର ସହରୀକରଣ ଓ ସହର ବିକାଶକୁ ତ୍ବରାନ୍ବିତ କରିବାର ଉଦ୍ୟମ କରିଛନ୍ତି। କିନ୍ତୁ ଏ ସବୁ ଯୋଜନାର ସଫଳ ରୂପାୟନ ସମ୍ମୁଖରେ ଛିଡ଼ା ହୋଇଥିବା ସବୁଠାରୁ ବଡ଼ ବାଧକ ହେଲା କାର୍ଯ୍ୟ ଓ ପାଣ୍ଠି ପରିଚାଳନାରେ ନଗରପାଳିକାର ସ୍ବାୟତ୍ତତାର ଅଭାବ। ୧୯୯୨ରେ କାର୍ଯ୍ୟକାରୀ ହୋଇଥିବା ପ୍ରଥମ ସଂସ୍କାର (୭୪ତମ ସାଂବିଧାନିକ ସଂଶୋଧନ ଆଇନ) ଫଳରେ ବିକେନ୍ଦ୍ରୀକରଣ ନୀତି ଅନୁସାରେ ନଗରପାଳିକାଗୁଡ଼ିକୁ ସ୍ବାୟତ୍ତତାର ଅଧିକାର ପ୍ରଦାନ କରାଯାଇଥିଲା। କିନ୍ତୁ ଏହା ଆଂଶିକ ସଫଳ ହୋଇପାରିଛି।
ଉପରୋକ୍ତ ଆଲୋଚନାରୁ ଏହି ନିଷ୍କର୍ଷ ବାହାର କରାଯାଇପାରେ ଯେ ଭାରତର ବିକାଶରେ ଦାରିଦ୍ର୍ୟ ଏକ ବିରାଟ ପଥରୋଧକ ହୋଇ ରହିଛି, ଅପର ପକ୍ଷେ ଦେଶରେ ସହରୀକରଣର ଶୈଳୀ ନେଇ ସତର୍କତାପୂର୍ଣ୍ଣ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ସିଂହ ଭାଗ ଗରିବ ଲୋକ ଗ୍ରାମାଞ୍ଚଳରେ ରହୁଥିବା ବେଳେ ସହରୀ ଦାରିଦ୍ର୍ୟର ସ୍ତର ମଧ୍ୟ ଊର୍ଦ୍ଧ୍ବଗାମୀ ହେଉଛି। ସହରାଞ୍ଚଳର ଗରିବ ଜନସଂଖ୍ୟାର ଅଧିକାଂଶ ଭାଗ ପ୍ରବାସୀ ଶ୍ରମିକ ହୋଇ ଥିବାରୁ ଏଥିରୁ ବୁଝି ହୋଇଥାଏ ଯେ ଅର୍ଥନୈତିକ ସଂସ୍କାରମାନ କ୍ଷୁଦ୍ର ଓ ମଧ୍ୟମ ଧରଣର ସହର ଓ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରିବାରେ ସଫଳ ହୋଇନାହାନ୍ତି। ଗ୍ରାମୀଣ ବିକାଶ ଯୋଜନାମାନ ଫଳରେ ସ୍ଥାନାନ୍ତରଣ ବିନା ମଧ୍ୟ ଗ୍ରାମାଞ୍ଚଳର ଲୋକଙ୍କୁ ସହରର କେତେକ ସୁବିଧା ମିଳୁଛି, ଯେମିତିକି ସ୍ବଚ୍ଛ ପାଣି ଓ ଖାଦ୍ୟର ଉପଲବ୍ଧତା ବୃଦ୍ଧି ପାଇବା ସହିତ ଜୀବନର ମାନରେ ଉନ୍ନତି ଘଟିଛି। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ୨୦୦୩ରେ ଭାରତୀୟ ଗ୍ରାମାଞ୍ଚଳର ବିକାଶ ଲାଗି ଉଦ୍ଦିଷ୍ଟ ରଣକୌଶଳର ନାମକରଣ କରିଥିଲେ- ‘ପ୍ରୋଭିଜନ୍ ଅଫ୍ ଅର୍ବାନ୍ ଆମନିଟିଜ୍ ଟୁ ରୁରାଲ୍ ଏରିଆସ୍’ (ପୂରା)। ଏହା ଦେଶରେ ଦାରିଦ୍ର୍ୟ ଦୂରୀକରଣର ଅଧିକ ବାସ୍ତବିକ ରଣକୌଶଳ ଭଳି ମନେ ହୋଇଥାଏ। ସହରାଞ୍ଚଳରେ ଗ୍ରାମାଞ୍ଚଳ ଅପେକ୍ଷା ଦାରିଦ୍ର୍ୟର ହାର କମ୍ ରହିଥାଏ। କିନ୍ତୁ ଆମେ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଦାରିଦ୍ର୍ୟ ରପ୍ତାନି କରି ଯୋଜନାବିହୀନ ବସତି ସୃଷ୍ଟି କରିଥାଉଁ। ଆମେ ସେଥିରୁ ନିବୃତ୍ତ ରହିବା ଉଚିତ।
ମୋ: ୯୪୩୭୩୮୭୧୭୨