ଏବେ ଆଶା କରିବା ଉଚିତ ହେବ ଯେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ଏହ ପ୍ରଗତିଶୀଳ ଓ ଲିଙ୍ଗୀୟ ନ୍ୟାୟ ପ୍ରଦାନକାରୀ ଆଦେଶଟି ପୂର୍ବ ଭଳି ପ୍ରତିକ୍ରିୟା ସୃଷ୍ଟି କରିବ ନାହିଁ, ଯଦିଓ ମୌଳବାଦୀ ଏହାର ପ୍ରତିବାଦ କରିବେ। କିନ୍ତୁ, ବାସ୍ତବତାଟି ହେଲା ପୂର୍ବ ଥର ଭଳି ଏଭଳି ରାୟକୁ ରଦ୍ଦ କରି ଆଉ ଏକ ଆଇନ ଆଣିବା ସକାଶେ କ୍ଷମତାସୀନ ସରକାରଙ୍କ ଠାରେ ସେଭଳି ସଂଖ୍ୟା ବଳ ନାହିଁ ବା ସେ ନେଇ ତିଳାର୍ଧେ ଆଗ୍ରହ ମଧ୍ୟ ନାହିଁ।
ଗଲା ବୁଧବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଠାରୁ ନିସୃତ ଏକ ରାୟ ସହିତ ସତେ ଯେମିତି ଇତିହାସର କେଇ ପୃଷ୍ଠା ପଛକୁ ଓଲଟି ଯାଇଛି ଏବଂ ୧୯୮୫ ମସିହାର ଶାହବାନୋ ପ୍ରସଙ୍ଗ ପୁନର୍ବାର ସ୍ମରଣ ଓ ଆଲୋଚନାର ପରିସରକୁ ଆସିଯାଇଛି। ପ୍ରକାଶ ଥାଉ କି ୧୯୮୫ ମସିହାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ରାୟ ପରେ ତୁମୂଳ ବିବାଦ ସୃଷ୍ଟି ହୋଇ ଶାହବାନୋଙ୍କୁ ଜାତୀୟ ଓ ଅନ୍ତର୍ରାଷ୍ଟ୍ରୀୟ ଗଣମାଧ୍ୟମର ଶିରୋନାମାରେ ଅବତୀର୍ଣ୍ଣ କରାଇଥିଲା ଏବଂ ତାହା ଫଳରେ ଆତ୍ମରକ୍ଷା ମୁଦ୍ରାକୁ ଚାଲିଆସିଥିବା ତତ୍କାଳୀନ କ୍ଷମତାସୀନ ସରକାର ସଂସଦରେ ଏକ ଆଇନ ଗୃହୀତ କରାଇ ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ରଦ୍ଦ କରି ଦେଇଥିଲେ। ସୁତରାଂ, ଗୋଟିଏ ଦୃଷ୍ଟିରୁ କୁହାଯାଇପାରେ ଯେ ଏହି ସଦ୍ୟ ପ୍ରକାଶିତ ରାୟ ଫଳରେ ଆଜିକୁ ୩୯ ବର୍ଷ ତଳେ ମୂଲ୍ୟହୀନ ହୋଇ ପଡ଼ିଥିବା ଅଦାଲତୀ ରାୟଟି ତାହାର ମୂଳ ଉଦ୍ଦେଶ୍ୟ ଚରିତାର୍ଥ ହେବାର ମାର୍ଗ ଉନ୍ମୋଚିତ ହୋଇଥିବା ଦେଖି ହୁଏତ ସନ୍ତୋଷ ଲାଭ କରୁଥିବ! ଏଭଳି ଏକ ସ୍ଥିତିରେ ମୁସଲିମ ପର୍ସନାଲ୍ ଲ’ ଅନ୍ତର୍ଗତ ଯେଉଁ ସ୍ପର୍ଶକାତର ସଂଦର୍ଭରେ ଉପରୋକ୍ତ ରାୟର ଆବିର୍ଭାବ ଘଟିଛି, ତାକୁ ନେଇ ଏଠାରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ।
ଆଲୋଚିତ ଘଟଣାର ପୃଷ୍ଠଭୂମିରେ ଦେଖିବାକୁ ମିଳିଥାଏ ଯେ ବିବାହ-ବିଚ୍ଛେଦ ପରେ ‘ସି.ଆର୍.ପି.ସି.’ (କୋଡ୍ ଅଫ୍ କ୍ରିମିନାଲ୍ ପ୍ରସିଡ୍ୟୁଅର୍)ର ଧାରା ୧୨୫ ଆଧାରରେ ଜଣେ ମୁସଲିମ ମହିଳା ତାଙ୍କ ପୂର୍ବ ସ୍ବାମୀ ମହମଦ ଅବଦୁଲ ସମଦଙ୍କ ଠାରୁ ଭରଣପୋଷଣ ସକାଶେ ମାସକୁ ୧୦,୦୦୦ ଟଙ୍କା ପାଇବା ଲାଗି ନିମ୍ନ ଅଦାଲତରୁ ଆଦେଶ ପ୍ରାପ୍ତ ହେବା ପରେ ତା’ ବିରୋଧରେ ଅବଦୁଲ ସମଦ ଉଚ୍ଚ ଅଦାଲତର ଆଶ୍ରୟ ନେଇ ଭରଣପୋଷଣ ଲାଗି ଉଦ୍ଦିଷ୍ଟ ଅର୍ଥର ପରିମାଣକୁ ହ୍ରାସ (ମାସକୁ ୫୦୦୦ ଟଙ୍କା) କରିପାରିଥିଲେ ସିନା, ନିମ୍ନ ଅଦାଲତାର ରାୟକୁ ଖାରଜ କରାଇ ପାରି ନ ଥିଲେ। ସୁତରାଂ, ସେ ମାମଲାଟିକୁ ସୁପ୍ରିମ୍ କୋର୍ଟକୁ ନେଇଥିଲେ, ଯେଉଁ ପରିପ୍ରେକ୍ଷୀରେ ସଦ୍ୟ ପ୍ରକାଶିତ ରାୟରେ ବି.ଭି. ନାଗରତ୍ନମ ଓ ଅଗଷ୍ଟିନ ଜର୍ଜ ମସିଙ୍କ ଦ୍ବାରା ଗଠିତ ଦୁଇଜଣିଆ ଖଣ୍ଡପୀଠ ତାଙ୍କ ପରିତ୍ୟକ୍ତା ପତ୍ନୀଙ୍କ ଭରଣପୋଷଣର ଅଧିକାରକୁ ଅକ୍ଷୁଣ୍ଣ ରଖିଛନ୍ତି। ଖଣ୍ଡପୀଠଙ୍କ ରାୟର ମର୍ମାନୁସାରେ ୧୯୮୬ ମସିହାରେ ସଂସଦରେ ଗୃହୀତ ‘ମୁସଲିମ ଉମେନ (ପ୍ରୋଟେକ୍ସନ୍ ଅଫ୍ ରାଇଟ୍ସ ଅନ୍ ଡାଇଭୋର୍ସ) ଆକ୍ଟ’ ଦ୍ବାରା ୧୯୮୫ ମସିହାରେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ଆଦେଶ ଅଚଳ ହୋଇ ଯାଇଥିଲେ ହେଁ ‘ସି.ଆର୍.ପି.ସି.’ର ଧାରା ୧୨୫ର ପ୍ରଭାବ କୌଣସି ରୂପେ ଖଣ୍ଡିତ ହୋଇନାହିଁ; ବରଂ ଏଭଳି ସ୍ଥିତିରେ ମହିଳାମାନଙ୍କ ଲାଗି ତାଙ୍କ ଭବିଷ୍ୟତ୍ ସୁରକ୍ଷା ପରିପ୍ରେକ୍ଷୀରେ ୧୯୮୬ ମସିହାର ଆଇନ ଓ ‘ସି.ଆର୍.ପି.ସି.’ର ପ୍ରାବଧାନ, ଦୁଇଟିଯାକ ମାର୍ଗ ଉନ୍ମୁକ୍ତ; ଯାହାକୁ ସେମାନେ ନିଜ ଆବଶ୍ୟକତା ଓ ପସନ୍ଦ ଅନୁସାରେ ଗ୍ରହଣ କରିପାରିବେ। ପାଠକପାଠିକାମାନଙ୍କ ମଧ୍ୟରୁ ହୁଏତ ଅନେକଙ୍କ ସ୍ମରଣରେ ଥିବ ଯେ ୧୯୮୬ ମସିହାର ଆଇନଟି ଏକ ଭୀଷଣ ବିବାଦୀୟ ପରିସ୍ଥିତିରେ ରୂପ ପାଇଥିଲା, ଯେତେବେଳେ ୭୩ ବର୍ଷ ବୟସ୍କା ଶାହବାନୋଙ୍କ ଦ୍ବାରା ଆଗତ ଏକ ମାମଲାରେ ସୁପ୍ରିମ୍ କୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ୱାଇ. ଭି. ଚନ୍ଦ୍ରଚୂଡ଼ଙ୍କ ଏକ ନିଷ୍ପତ୍ତି ଶହବାନୋଙ୍କ ଭରଣପୋଷଣ ବାବଦକୁ ମାସକୁ ୫୦୦ ଟଙ୍କା ପ୍ରଦାନ କରିବାକୁ ତାଙ୍କ ପୂର୍ବ ସ୍ବାମୀ ବିତ୍ତଶାଳୀ ଓକିଲ ମହମଦ ଅହମଦଙ୍କୁ ଆଦେଶ ଦେଇଥିଲା। ତେବେ, ମୁସଲମାନଙ୍କ ଧର୍ମୀୟ ପରଂପରା ଆଧାରିତ ଆଚରଣ ବିଧି ଉପରେ ଏହି ରାୟ ଏକ ସିଧାସଳଖ ହସ୍ତକ୍ଷେପ ବୋଲି ଦର୍ଶାଇ ଉଲେମାମାନଙ୍କ ନେତୃତ୍ବ ଓ ପ୍ରରୋଚନାରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ଯେଉଁ କାରଣରୁ ବର୍ଷକ ପରେ ରାଜୀବ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ସଂସଦରେ ଏକ ଆଇନ ଗୃହୀତ କରାଇ ରାୟଟିକୁ ଅକାମି କରି ଦେଇଥିଲେ। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ସଂପ୍ରତି ପ୍ରକାଶିତ ରାୟଟି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଦ୍ବାରା ପ୍ରଦତ୍ତ ସେହି ପୁରୁଣା ରାୟର ଏକ ବିସ୍ତାର।
ଉଲ୍ଲେଖଯୋଗ୍ୟ ଯେ ୧୯୮୪ ମସିହାରେ ୪୦୪ଟି ଆସନ ସହିତ ସଂସଦରେ ଉପସ୍ଥିତ କଂଗ୍ରେସ ଅଗତ୍ୟା ଅପରାଜେୟ ଭଳି ପ୍ରତୀତ ହେଉଥିଲେ ହେଁ ପର ବର୍ଷ ବିହାରର କିଶନଗଞ୍ଜ ଉପନିର୍ବାଚନରେ ପରାସ୍ତ ହୋଇ ତା’ର ପାରଂପରିକ ଆସନ ହରାଇଥିଲା। ଏହାର କାରଣ ଥିଲା ଶାହବାନୋ ମାମଲାରେ ସୁପ୍ରିମ୍ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଉଠିଥିବା ଭୀଷଣ ପ୍ରତିବାଦର ଝଡ଼, ଯହିଁରେ ମୁସଲିମବହୁଳ କିଶନଗଞ୍ଜ ତା’ର କଡ଼ା ଉତ୍ତର ଦେଇଥିଲା। କେବଳ ସେତିକି ନୁହେଁ, ଏହା ସହିତ ମୁସଲିମ ଜନାଧାର ଉପରେ କଂଗ୍ରେସର କର୍ତ୍ତୃତ୍ବ ବିଘଟିତ ହେବାର ସମୟ ମଧ୍ୟ ଉପନୀତ ହୋଇ ସାରିଥିଲା। ଏହା ସହିତ କଂଗ୍ରେସ ଅଭ୍ୟନ୍ତରରେ ମୁସଲମାନ ସଦସ୍ୟମାନଙ୍କ ପ୍ରତିବାଦ ମଧ୍ୟ ତୀବ୍ର ହୋଇଥିଲା। ସୁତରାଂ, ଏକ ଭୟାତୁର କଂଗ୍ରେସ ସରକାର ୧୯୮୬ ମସିହାରେ ମୁସଲିମ ମହିଳା ବିବାହ-ବିଚ୍ଛେଦ ଆଇନଟିକୁ ଆଣିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ, ଯାହା ଯଦିଓ ଥିଲା ମୁସଲିମ ସଂପ୍ରଦାୟକୁ ସନ୍ତୁଷ୍ଟ କରିବାକୁ ଅଭିପ୍ରେତ, ପ୍ରକାରାନ୍ତରେ କିନ୍ତୁ ଥିଲା ଆତ୍ମଘାତୀ! କାରଣ, ଏଭଳି ମୁସଲିମ ତୁଷ୍ଟୀକରଣ ଉଦ୍ୟମ ଅନେକ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ରୁଷ୍ଟ କରି କଂଗ୍ରେସ ବିରୋଧୀରେ ପରିଣତ କଲା, ଯେଉଁମାନେ କଂଗ୍ରେସ ମାର୍କା ‘ଧର୍ମ ନିରପେକ୍ଷତା’ରେ ଛଳନା ଓ ଭୋଟ ବ୍ୟାଙ୍କ ସୃଷ୍ଟିର ଅଭିସନ୍ଧି ଦେଖିଲେ। ଏଣେ କିଶନଗଞ୍ଜ ପରାଜୟ ପରେ କଂଗ୍ରେସର ମୁସଲିମ ଜନାଧାର କ୍ଷୟ ହେବାର ଧାରା ମଧ୍ୟ ପ୍ରାରମ୍ଭ ହୋଇ ଯାଇଥିଲା, ଯାହା କ୍ରମେ ସମାଜବାଦୀ ପାର୍ଟି ବା ରାଷ୍ଟ୍ରୀୟ ଜନତା ଦଳ ବା ତୃଣମୂଳ କଂଗ୍ରେସ ଭଳି ଆଞ୍ଚଳିକ ଦଳକୁ ପରିପୁଷ୍ଟ କରିବାକୁ ଲାଗିଲା। ଦୁଇ ପଟରୁ ଜନାଧାର ସଂକୋଚନର ପରିଣାମ କଂଗ୍ରେସ କିଭଳି ଭୋଗିଛି, ତାହା ସଂପ୍ରତି ବୁଝାଇ କହିବାର ଆବଶ୍ୟକତା ନାହିଁ। ସେହି ବିଚାରରେ କୁହାଯାଇପାରେ ଯେ ଶାହବାନୋ ପ୍ରସଙ୍ଗଟି ଥିଲା ‘ଟେକ୍ଟୋନିକ୍ ପ୍ଲେଟ୍’ରେ ହୋଇଥିବା ଏକ କଂପନ ଯାହା ଭାରତୀୟ ରାଜନୀତିରେ ଭୂଚଳନ ତୁଲ୍ୟ ପରିବର୍ତ୍ତନ ଘଟାଇ ଦେଲା।
ଏବେ ଆଶା କରିବା ଉଚିତ ହେବ ଯେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ଏହ ପ୍ରଗତିଶୀଳ ଓ ଲିଙ୍ଗୀୟ ନ୍ୟାୟ ପ୍ରଦାନକାରୀ ଆଦେଶଟି ପୂର୍ବ ଭଳି ପ୍ରତିକ୍ରିୟା ସୃଷ୍ଟି କରିବ ନାହିଁ, ଯଦିଓ ମୌଳବାଦୀ ଏହାର ପ୍ରତିବାଦ କରିବେ। କିନ୍ତୁ, ବାସ୍ତବତାଟି ହେଲା ପୂର୍ବ ଥର ଭଳି ଏଭଳି ରାୟକୁ ରଦ୍ଦ କରି ଆଉ ଏକ ଆଇନ ଆଣିବା ସକାଶେ କ୍ଷମତାସୀନ ସରକାରଙ୍କ ଠାରେ ସେଭଳି ସଂଖ୍ୟା ବଳ ନାହିଁ ବା ସେ ନେଇ ତିଳାର୍ଧେ ଆଗ୍ରହ ମଧ୍ୟ ନାହିଁ। ପ୍ରକାଶ ଥାଉ କି ୧୯୬୦ ମସିହାରୁ ଜେନେରାଲ ଆୟୁବ ଖାଁଙ୍କ ଅମଳରେ ପାକିସ୍ତାନରେ ମୁସଲିମ ପର୍ସନାଲ ଲ’ରେ ସଂସ୍କାର ଅଣାଯାଇ ତିନି ତଲାକ ଓ ବହୁ ପତ୍ନୀ ଗ୍ରହଣ ବ୍ୟବସ୍ଥାକୁ ଉଚ୍ଛେଦ କରି ଦିଆଯାଇଛି। ଅଥଚ, ଭାରତରେ ମାତ୍ର ପାଞ୍ଚ ବର୍ଷ ତଳେ ଅର୍ଥାତ୍ ୨୦୧୯ ମସିହାରେ ତିନି ତଲାକ ବ୍ୟବସ୍ଥାକୁ ଆଇନ ବଳରେ ଅକାମି କରାଗଲା। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଏକ ବିଡ଼ମ୍ବିତ ସତ୍ୟ ହେଲା ଉଦାରବାଦୀ କଂଗ୍ରେସ ବା ତାହାର ସମଧର୍ମାମାନେ ତୁଷ୍ଟୀକରଣ ରାଜନୀତିର ‘ଲଲିପପ୍’ମାନ ଧରାଇ ଦେଇ ମୁସଲିମ ସଂପ୍ରଦାୟକୁ ସେମାନଙ୍କ ବଚସ୍କର ବୋଲି ବିବେଚନା କରି ସାମାଜିକ-ଆର୍ଥିକ ସ୍ତରରେ ନିମ୍ନତମ ସୋପାନରୁ ସେମାନଙ୍କୁ ଉପରକୁ ଉଠାଇବା ଲାଗି ଉଦ୍ୟମ ନ କରିବା ଫଳରେ ମୁସଲମାନମାନଙ୍କ ଯେଉଁ କ୍ଷତି ସାଧିତ ହୋଇଛି, ମୌଳବାଦୀମାନଙ୍କ ଆଚରଣ ମଧ୍ୟ ଅଯଥା ବିଭ୍ରାନ୍ତି ସୃଷ୍ଟି କରି ହିନ୍ଦୁତ୍ବବାଦୀମାନଙ୍କ ଦ୍ବାରା ସମୁଦାୟ ସଂପ୍ରଦାୟକୁ ସନ୍ଦେହାସ୍ପଦ କରିବାକୁ ସୁଯୋଗ ଦେଇ ତଦନୁରୂପ କ୍ଷତି ସାଧନ କରିଛି। ସୁତରାଂ, ସେମାନଙ୍କ ମତରେ ସାଧାରଣ ଭାରତୀୟ ମୁସଲିମ ବର୍ଗ ଦୁଇ ପଟୁ ଶିକାର। ଏହି ପରିପ୍ରେକ୍ଷୀରେ ଯୁଗୋପଯୋଗୀ ପ୍ରଗତିଶୀଳ ଆଭିମୁଖ୍ୟ ବହନ କରିବା ହେଉଛି ଗୁରୁତ୍ବପୂର୍ଣ୍ଣ। ସୁତରାଂ, ଲିଙ୍ଗଗତ ନ୍ୟାୟ ପ୍ରଦାନ କରୁଥିବା ଉପରୋକ୍ତ ରାୟଟି ସମସ୍ତଙ୍କ ଦ୍ବାରା ସ୍ବୀକାର୍ଯ୍ୟ ହେଉ।