ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଭକ୍ତମାନେ ବଡ଼ଦାଣ୍ଡରେ ଧାଡ଼ି କରି ସମାନ୍ତରାଳ ବାଡ଼ ଘେରରେ ସିଂହଦ୍ବାର ପାଖାପାଖି ଦୂରତାକୁ ଅତିକ୍ରମ କରି ପହଞ୍ଚିଥାଆନ୍ତି ପତିତପାବନଙ୍କ ପାଖରେ। ବାଇଶ ପାହାଚ ଚଢ଼ିବା ପରେ ଭିତର ବେଢ଼ାରେ ଥିବା ବାଡ଼ରେ ପୁଣି ଧାଡ଼ି ବାନ୍ଧି ଠିଆ ହୁଅନ୍ତି ଓ ଧୀରେ ଧୀରେ ଆଗକୁ ବଢ଼ନ୍ତି। ପାଞ୍ଚ ଛଅଟି ବାଡ଼ରୁ ପ୍ରାୟ ଦୁଇ ଶହ ଲୋକଙ୍କୁ ସାତ ପାହାଚକୁ ଛଡ଼ା ହୁଏ ଓ ଅନ୍ୟମାନେ ବାଡ଼ ଭିତରେ ଠିଆ ହୋଇ ଅପେକ୍ଷା କରିଥା’ନ୍ତି। ସାତ ପାହାଚରେ ଖୁନ୍ଦାଖୁନ୍ଦି ହୋଇ ଠିଆ ହୋଇଥିବା ଲୋକଙ୍କୁ ଯେତେବେଳେ ମନ୍ଦିର (ଜଗମୋହନ) ଭିତରକୁ ଛଡ଼ାଯାଏ, ସେତେବେଳେ ଆଉ କିଛି ନିୟନ୍ତ୍ରଣ ନ ଥାଏ।
ହୁରୁଡ଼ି ଯାଇଥିବା ବିରାଟ ଗାଈଗୋଠ ପରି ସମସ୍ତେ ଠେଲାପେଲା ହୋଇ ପ୍ରବେଶ କରନ୍ତି। ଯେତେବେଳେ ସେମାନେ ଅତି ଆଗ୍ରହରେ ଭିତର କାଠ ପାଖରେ ପହଞ୍ଚନ୍ତି, ସେମାନଙ୍କ ଆଖି ବିଗ୍ରହମାନଙ୍କୁ ଦେଖିବା ବେଳକୁ ପୁଲିସ୍ ବାଲାଏ ‘ଯାଅ ଯାଅ’ ବୋଲି ସେମାନଙ୍କୁ ବିଦା କରନ୍ତି। ଚଳମାନ ଅବସ୍ଥାରେ ଭିଡ଼ ଭିତରେ ବାଆଁ ପଟକୁ ମୁହଁ କରି ବିଗ୍ରହମାନଙ୍କୁ ଦେଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୁଏ ନାହିଁ। ଯିଏ କାଠ ପଟକୁ ରହିଥାଏ ତାକୁ ଦେଖାଯାଏ, କିନ୍ତୁ ଯିଏ ଗରୁଡ ସ୍ତମ୍ଭ ପଟକୁ ରହେ, ତା’ ପାଇଁ ଦର୍ଶନ କଷ୍ଟକର ହୋଇଥାଏ।
ଯଦି ସେ ଦର୍ଶନାର୍ଥୀଙ୍କ ଉଚ୍ଚତା କମ୍ ତେବେ ତାଙ୍କ ଭାଗ୍ୟରେ ଥିଲେ ସେ ଗୋଟିଏ ବା ଦୁଇଟି ପଲକରେ ଅନ୍ୟମାନଙ୍କ ପିଠି କି ବେକ ଉହାଡ଼ରୁ ଯାହା ଦେଖିବାକୁ ପାଇଲେ, ସେତିକି। ପୁଣି ସେଇ ସୀମିତ ସ୍ଥାନ ଭିତରେ କିଛି ସେବକ ଠିଆ ହୋଇ ବିଗ୍ରହ ଓ ଦର୍ଶନାର୍ଥୀଙ୍କ ଭିତରେ ବାଧକ ସୃଷ୍ଟି କରନ୍ତି। କିଛି କିଛି ଭକ୍ତ ପୁଣି ସେମାନଙ୍କ ପାଖାପାଖି ଠିଆହୋଇ ରହି ଫୁଲ, ତୁଳସୀ ଆଦି ଆଦାନ ପ୍ରଦାନ କରୁଥିବାରୁ ଭିଡ଼ ଆହୁରି ବଢ଼େ। ସାହାଣମେଲା ସମୟରେ ଗର୍ଭ ଗୃହ ଭିତରକୁ ଯିବା ବେଳକୁ ବି ସେଇ ଅବସ୍ଥା। ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କଲା ବେଳକୁ ତାକୁ ଘଉଡ଼ାଇବାରେ ବ୍ୟସ୍ତ ଶୃଙ୍ଖଳା ରକ୍ଷାକାରୀ ବର୍ଗ।
ଯଦି ସେଇ ଜାଗାରେ ଏକାଠି ଠେଲା ଠେଲି ନ ହୋଇ ଜଣଙ୍କ ପରେ ଜଣେ ହିସାବରେ ଭକ୍ତମାନଙ୍କୁ ଯିବାର ସୁଯୋଗ ଦିଆଯାଆନ୍ତା ତେବେ ସମସ୍ତେ ସୁବିଧାରେ ଦର୍ଶନ ଲାଭ କରି ପାରନ୍ତେ। ଭକ୍ତ ଯଦି ସୁବିଧାରେ ଦର୍ଶନ ପାଇବେ ନାହିଁ ତେବେ ଏତେ ବାଡ଼, ଧାଡ଼ି ଓ ନିର୍ଦ୍ଦେଶର ମୂଲ୍ୟ କ’ଣ?
ଚିତ୍ତରଞ୍ଜନ ମିଶ୍ର
ଵାଟର ଵର୍କସ୍ ରୋଡ୍, ପୁରୀ