ଚନ୍ଦ୍ରଶେଖର ହୋତା

Advertisment

ସ୍ୱାମୀ ବିବେକାନନ୍ଦ କେବଳ ଜଣେ ହିନ୍ଦୁ ସନ୍ନ୍ୟାସୀ, ପ୍ରବଚକ ଅଥବା ଅଭିଭାଷଣରେ ସମ୍ମୋହନ ସୃଷ୍ଟି କରୁଥିବା ବ୍ୟକ୍ତିତ୍ୱ ନ ଥିଲେ, ସେ ମଧ୍ୟ ଥିଲେ ଚର୍ବିତଚର୍ବଣ ବିଚାର ଓ ବ୍ୟବସ୍ଥାକୁ ବିରୋଧ କରୁଥିବା ଜଣେ ବିପ୍ଳବୀ ବା ବିଦ୍ରୋହୀ। ଅନନ୍ୟ ଅନ୍ତର୍ଦୃଷ୍ଟି ଓ ଅନ୍ତର୍ବୋଧ ହେତୁ ତାଙ୍କ ବିଚାର ଥିଲା ଅତ୍ୟନ୍ତ ମୌଳିକ। ଚିନ୍ତନ ଓ ମନନକୁ ଅଗ୍ରାଧିକାର ଦେଉଥିବା ସ୍ବାମୀ ବିବେକାନନ୍ଦ ବିଚାର, ବିଜ୍ଞାନ ଓ ଉଚିତ ନିର୍ଣ୍ଣୟବୋଧ ଉପରେ ଗୁରୁତ୍ବ ଦେଉଥିଲେ। ତେଣୁ ଏହା ମଧ୍ୟ କୁହାଯାଇପାରେ ଯେ ଏହି ଅନନ୍ୟ ଯୋଗୀଙ୍କ ବୈଚାରିକ ଆଧାର ଥିଲା ବାସ୍ତବବାଦ। 
ଊନବିଂଶ ଶତାବ୍ଦୀର ଭାରତରେ ସଂସ୍କାରଧର୍ମୀ ନବ ଜାଗରଣର ତରଙ୍ଗ ସୃଷ୍ଟି ହୋଇଥିଲା। ବିବେକାନନ୍ଦ ସେହି ସମୟରେ ଆଧ୍ୟାତ୍ମିକ ଚେତନାର ଉନ୍ମେଷ ଉଦ୍ୟମରେ ବ୍ରତୀ ଥିଲେ। କିନ୍ତୁ ତାଙ୍କର ବୈଶିଷ୍ଟ୍ୟ ହେଲା, ଅନ୍ୟ ପକ୍ଷରେ ସେ କୁସଂସ୍କାରପୂର୍ଣ୍ଣ ଧାର୍ମିକ ତଥା ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ମଧ୍ୟ ସଘନ ଉଦ୍ୟମଶୀଳ ଥିଲେ। ଏହି କାରଣରୁ ତାଙ୍କ ଦ୍ବାରା ବ୍ୟାଖ୍ୟାୟିତ ହିନ୍ଦୁ ଅଧ୍ୟାତ୍ମବାଦ ବିଶ୍ୱମୟ ଓ ଅଧିକ ବିଶ୍ୱସନୀୟ ହୋଇ ଉଠିଥିଲା। ତାଙ୍କ ଦୃଷ୍ଟିରେ ଧର୍ମାଚାରର ଅର୍ଥ ଥିଲା ମାନବର ସମସ୍ତ ମହନୀୟ ଗୁଣର ପରିପ୍ରକାଶ। 
ଶଙ୍କା, ପ୍ରଶ୍ନ, ଅନୁସନ୍ଧିତ୍ସା ଓ ଜିଜ୍ଞାସା ପୂରଣର ଦୁର୍ବାର ତୃଷ୍ଣା ବାଳକ ନଗେନ୍ଦ୍ରଙ୍କୁ ଅବଲୀଳା କ୍ରମେ ସ୍ବାମୀ ବିବେକାନନ୍ଦରେ ପରିଣତ କରିଥିଲା। ଆଦ୍ୟ କୈଶୋରରୁ ପ୍ରାଚ୍ୟ ଦର୍ଶନ ଓ ଶାସ୍ତ୍ର ଜ୍ଞାନ ସହିତ ପାଶ୍ଚାତ୍ୟ କବିତା ଓ ଦର୍ଶନ ମଧ୍ୟକୁ ବିବେକାନନ୍ଦଙ୍କ ପ୍ରବେଶ ଘଟିଥିଲା, ଯାହା ତାଙ୍କ ବିଶ୍ବ ଦୃଷ୍ଟିକୁ ଅତ୍ୟନ୍ତ ପ୍ରଶସ୍ତ କରିଥିଲା। ମନରେ ଥିବା ଶଙ୍କା ଓ ପ୍ରଶ୍ନର ଉତ୍ତର ଅନ୍ବେଷଣ ପ୍ରକ୍ରିୟାରେ ସେ ‘ବ୍ରାହ୍ମ ସମାଜ’ ଆଡ଼କୁ ଆକୃଷ୍ଟ ହୋଇଥିଲେ ଏବଂ ରାମକୃଷ୍ଣଙ୍କୁ ଗୁରୁ ଭାବେ ବରଣ କରିଥିଲେ। ଏଭଳି ଅନ୍ବେଷଣ ତାଙ୍କୁ ଅଧ୍ୟୟନ, ଚିନ୍ତନ, ମନନ ଓ ପରିବ୍ରାଜନରେ ପ୍ରବୃତ୍ତ କରିଥିଲା। ସେ ଥିଲେ ସଂସ୍କାରବାଦୀ, କିନ୍ତୁ ପରଂପରାର ସଂପୂର୍ଣ୍ଣ ବିନଷ୍ଟୀକରଣ ବା ଅସ୍ତିତ୍ବ ହନନ ତାଙ୍କର ଧ୍ୟେୟ ନ ଥିଲା। ସେ କହୁଥିଲେ ଯେ ପରଂପରା ହେଉଛି ଏକ ପ୍ରବାହ, ଯାହା ସମୟ କ୍ରମେ ପରିବର୍ତ୍ତନ ଲୋଡ଼ିଥାଏ। ତାଙ୍କ ମତରେ ପରିବର୍ତ୍ତନର ଅର୍ଥ ଏଭଳି ପୁନର୍ବିନ୍ୟାସ ବା ରୂପାନ୍ତରଣ ଯେ ତହିଁରେ ତା’ର ମୂଳ ଭିତ୍ତି ଅକ୍ଷୁଣ୍ଣ ରହିବ, କେବଳ ଢାଞ୍ଚାଗତ ପରିବର୍ତ୍ତନ ହିଁ ସମାହିତ ହେବ। ୧୮୯୬ ମସିହା, ମଇ ମାସ ୧୪ ତାରିଖ‌େର ଲଣ୍ଡନରେ ସେ ଦେଇଥିବା ଅଭିଭାଷଣ (‘ମେଥଡ ଆଣ୍ଡ ପର୍ପଜ ଅଫ ରିଲିଜିଅନ’)ରେ ସେ ପୂଜା ବିଧି, କର୍ମକାଣ୍ଡ, ଧର୍ମର ସଂଜ୍ଞା ଓ ଲକ୍ଷ୍ୟ, ସାଧନା ଓ ସାଧ୍ୟ ଇତ୍ୟାଦିର ନୂତନ ଭୂମିକା ସଂପର୍କରେ ବୁଝାଇଥିଲେ। ମନୁଷ୍ୟର ଉତ୍ତରଣ ବା ତା’ ଚେତନାର ଆରୋହଣ‌େର ଯାହା ସହାୟକ ହୁଏ, ତାହା ଧର୍ମ ବୋଲି ସେ କହିଥିଲେ। ବଙ୍ଗଳାରେ ତାଙ୍କର ଏକ ରଚନା - ‘ଭାବର କଥା’ -ରେ ସେ ଧର୍ମକୁ ପୌରୋହିତ୍ୟବାଦ, ବ୍ରାହ୍ମଣବାଦ ଓ ଏକଚାଟିଆ ଅଧିକାରରୁ ମୁକ୍ତ କରିବା ସକାଶେ ଉପଦେଶ ଦେଇଛନ୍ତି। ହିନ୍ଦୁ ଧର୍ମ, ପ୍ରଥା ଓ ପରମ୍ପରା ମଧ୍ୟରେ ବଢ଼ି ଉଠିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାରର ସେ ଥିଲେ କଟୁ ସମାଲୋଚକ। ‘ମ୍ଳେଚ୍ଛ’ ଶବ୍ଦର ଉତ୍ପତ୍ତି ସହିତ ଆମ ଅଧଃପତନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ‘ମୋତେ ଛୁଅଁ ନାହିଁ’ ପରି ବିଚାରକୁ ପରିତ୍ୟାଗ କରିବା ପାଇଁ ସେ ବାରମ୍ବାର ଆହ୍ବାନ ଦେଉଥିଲେ। 
ତାଙ୍କ ବିଚାରର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଭାବ ଥିଲା ସମନ୍ୱୟବାଦ, ଯହିଁରେ ସଗୁଣ-ନିର୍ଗୁଣ ବା ଶୈବ-ବୈଷ୍ଣବ କିମ୍ବା ଯୋଗ-ଆରାଧନା ଅଥବା ଜ୍ଞାନ-ଭକ୍ତି ଅାଦି ସୁମଧୁର ଭାବେ ଏକାକାର ହୋଇ ଯାଉଥିଲେ। କେବଳ ସେତିକି ନୁହେଁ, ‘ପ୍ରାୟୋଗିକ ବେଦାନ୍ତ’ ହେଉଛି ତାଙ୍କର ଏକ ନୂତନ ବିଚାର। ‌େସ କହୁଥିଲେ ଯେ ବେଦ ବେଦାନ୍ତ କେବଳ ମୁନି-ଋଷି ବା ତପଃଚାରୀଙ୍କ ସକାଶେ ରହିନାହିଁ, ଏହା ସାଧାରଣ ମନୁଷ୍ୟ ଲାଗି ମଧ୍ୟ ଉଦ୍ଦିଷ୍ଟ। ୧୮୯୬ ମସିହାରେ, ଲଣ୍ଡନ ନଗରୀରେ ତାଙ୍କ ଦ୍ବାରା ପ୍ରଦତ୍ତ ଚାରିଟି ଅଭିଭାଷଣରେ ସେ ଏହି ବିଚାରର ଉଲ୍ଳେଖ ଓ ବିଶ୍ଳେଷଣ କରିଛନ୍ତି। ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ଥିଲା ଯେ ଅନାହାରକ୍ଳିଷ୍ଟ ବ୍ୟକ୍ତି ସକାଶେ ଧର୍ମ ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ହୋଇଥାଏ ରୁଟି। ତେଣୁ ସେ ପାରଂପରିକ ସନ୍ନ୍ୟାସୀ ଭଳି ନ ଥିଲେ, ମାନବ ସେବାକୁ ପ୍ରକୃତ ଭଗବତ୍‌ ସେବା ବୋଲି ବିଚାର କରୁଥିଲେ। ‌େସହି କାରଣରୁ ହଇଜା ବା ପ୍ଲେଗ୍‌ ଆଦି ମହାମାରୀ ବେଳେ ତାଙ୍କୁ ରୋଗୀ ସେବା କରୁଥିବା ଦେଖିବାକୁ ମିଳୁଥିଲା।
ସ୍ବାମୀ ବିବେକାନନ୍ଦଙ୍କ ବିଚାର ଅନୁସାରେ ଶିକ୍ଷା ଥିଲା ମାନବ ନିର୍ମାଣ ତଥା ସମାଜ ଗଠନର ମୂଳ ଉପକରଣ। ସେ ଏହା ବୁଝାଇବାରେ ବ୍ରତୀ ଥିଲେ ଯେ ଜୀବିକା, ସ୍ବାବଲମ୍ବନ ଓ ବିଚାର ସାମର୍ଥ୍ୟ ପ୍ରଦାନ କରିବାରେ ଶିକ୍ଷାର ଭୂମିକା ସୀମିତ ହୋଇ ନ ଥାଏ, ଏହା ଦ୍ବାରା ଚେତନାଗତ ଉତ୍ତରଣ ମଧ୍ୟ ସାଧିତ ହୋଇଥାଏ, ଏହା ଦ୍ବାରା ଅଶିକ୍ଷାଜନିତ ଅନ୍ଧତ୍ବ ଦୂର ହୋଇଥାଏ। ସେ ମଧ୍ୟ ଥିଲେ ନାରୀ ଶିକ୍ଷାର ଜଣେ ପରମ ପୃଷ୍ଠପୋଷକ। ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ବିକାଶ ଲାଗି ବିପୁଳ ଅର୍ଥ ପ୍ରଦାନ କରିଥିବା ଜନ୍ ଡି. ରକ୍‌ଫେଲର ସ୍ବାମୀ ବିବେକାନନ୍ଦଙ୍କ ଦ୍ୱାରା ଅନୁପ୍ରେରିତ ହୋଇଥିଲେ। 
ବିବେକାନନ୍ଦ ଥିଲେ ପ୍ରଗତିଶୀଳ ଚିନ୍ତନର ପ୍ରତିଭୂ। ତାଙ୍କର ବିକଳ୍ପ ବିଚାର ହେତୁ ଦେଶରେ ଏକ ବୌଦ୍ଧିକ ବିପ୍ଳବ ସଂଘଟିତ ହୋଇଥିଲା। ତାଙ୍କର ବିଶ୍ବ ଦୃଷ୍ଟି ଓ ସ୍ବତନ୍ତ୍ର ବିଚାର ହେତୁ ପ୍ରାଚ୍ୟ ଧର୍ମ ଓ ଦର୍ଶନର ମହକ ସାରା ପୃଥିବୀକୁ ସୁବାସିତ କରିଥିଲା। ପାଶ୍ଚାତ୍ୟ ‌େଦଶଗୁଡ଼ିକରେ ହିନ୍ଦୁ ଧର୍ମକୁ ନେଇ ରହିଥିବା ଅନେକ ଭ୍ରାନ୍ତିକୁ ସେ ଦୂର କରିଥିଲେ। ଚାଲିଚଳଣରେ ‘ବୋହେମିଆନ୍‌’, ଖାଦ୍ୟପେୟରେ ନିର୍ବିକାର ଓ ବିଚାରରେ ଉଦାର ସ୍ବାମୀ ବିବେକାନନ୍ଦ ଏବଂ ତାଙ୍କ ବିକଳ୍ପ ବିଚାରର ସତରେ କୌଣସି ବିକଳ୍ପ ନାହିଁ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୭୬୩୧ ୯୦୮୦୩