ପ୍ରଦୋଷ ପଟ୍ଟନାୟକ

Advertisment

ବିଭିନ୍ନ ପାଶ୍ଚାତ୍ୟ ଦେଶରେ ଭାରତୀୟ ନାଗରିକଙ୍କୁ ବିନା କାରଣରେ ହତ୍ୟା କରାଯିବା ଭଳି ଅତ୍ୟନ୍ତ ବିମର୍ଷକର ଖବରମାନ ଅଧିକ ସଂଖ୍ୟାରେ ଆସୁଛି। ଯୁକ୍ତରାଷ୍ଟ୍ର ଆମେରିକା କିମ୍ବା କାନାଡା ବା ବ୍ରିଟେନରେ ଭାରତୀୟମାନେ ଅକାରଣ ହିଂସା ଓ ହତ୍ୟାର ଶରବ୍ୟ ହେଉଛନ୍ତି। ଗତ ସପ୍ତାହରେ ଦିନକ ଭିତରେ କାନାଡାରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ତାଙ୍କ କାର୍ ଭିତରେ ଓ ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ଅଜଣା ଆତତାୟୀମାନେ ହତ୍ୟା କଲେ, ଯେଉଁମାନଙ୍କୁ ଏ ଯାବତ୍‌ ଚିହ୍ନଟ କରାଯାଇ ପାରିନାହିଁ। ଦେଖିବାକୁ ମିଳୁଛି ଯେ ଆମେରିକାକୁ ଉଚ୍ଚ ଶିକ୍ଷା ଲାଗି ଯାଉଥିବା ଛାତ୍ରଛାତ୍ରୀ ବା ଚାକିରି କରୁଥିବା ଯୁବକଯୁବତୀଙ୍କୁ ଏଭଳି ଆକ୍ରମଣର ଶିକାର ହେବାକୁ ପଡୁଛି। ଉଦ୍‌ବେଗର କାରଣ ହେଲା ଏହି ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଗତ ଦୁଇ ସପ୍ତାହ ମଧ୍ୟରେ ୮ଜଣ ଭାରତୀୟଙ୍କୁ ହତ୍ୟା କରାଯାଇଛି। ଜଣେ ପଚିଶ ବର୍ଷ ବୟସ୍କ ଭାରତୀୟ ଛାତ୍ରଙ୍କୁ ମୁଣ୍ଡ ଜାମିନ କରି ରଖାଯିବାର ଖବର ଆସିଥିଲା। ଏହି ଯୁବକ ଜଣକ ହାଇଦ୍ରାବାଦର ମୂଳ ବାସିନ୍ଦା। ସେ ଦୁଇ ସପ୍ତାହ ଧରି ନିଖୋଜ ରହିଥିଲେ। ଏଇ ନିକଟରେ ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କୁ ହତ୍ୟା କରାଗଲା। ତାଙ୍କ ନାମ ଅମରନାଥ ଘୋଷ। ସେ କଲିକତାର ଜଣେ ଜଣାଶୁଣା ଭାରତନାଟ୍ୟମ୍ ଓ କୁଚିପୁଡ଼ି ନୃତ୍ୟଶିଳ୍ପୀ। ୱାସିଂଟନ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଅଫ୍ ଫାଇନ ଆର୍ଟ‌୍ସ (ସ୍ନାତକୋତ୍ତର) ପଢୁଥିଲେ। ଜଣେ କଳାକାରଙ୍କୁ କାହିଁକି ହତ୍ୟା କରାଗଲା ତାହା ସ୍ପଷ୍ଟ ହୋଇପାରିନାହିଁ।
କେବଳ ସେତିକି ନୁହେଁ, କେତେକ ଭାରତୀୟ ନାଗରିକଙ୍କ ସନ୍ଦେହଜନକ ଅବସ୍ଥାରେ ମଧ୍ୟ ମୃତ୍ୟୁ ଘଟୁଛି। କାଲିଫର୍ନିଆର ସାନ୍ ମାଟେଓ ଅଞ୍ଚଳର ଜଣେ ଭାରତୀୟ ବଂଶୋଦ୍ଭବ ଦମ୍ପତ୍ତି ଏବଂ ସେମାନଙ୍କର ଚାରି ବର୍ଷର ଯାଆଁଳା ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନେ ଆତ୍ମହତ୍ୟା କରିଛନ୍ତି କି ସେମାନଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ମାସାଚୁସେଟ୍‌ସରେ ରହୁଥିବା ଏକ ବିତ୍ତଶାଳୀ ଭାରତୀୟ ପରିବାରର ତିନିଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର କରାଯାଇଥିଲା। ୨୦୨୨ ମସିହାରେ ଗୋଟିଏ ଭାରତୀୟ ପରିବାରର ଚାରି ଜଣ ସଦସ୍ୟଙ୍କ ମୃତଦେହ ଆମେରିକା-କାନାଡା ସୀମାର ଦୁର୍ଗମ ଜଙ୍ଗଲ ଅଞ୍ଚଳରୁ ମିିଳିଥିଲା। କିଛିଦିନ ତଳେ ଆମେରିକାର ଆଲାବାମାରେ ଜଣେ ଭାରତୀୟ ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କରାଗଲା। ଛଅସ୍ତରି ବର୍ଷ ବୟସ୍କ ଏହି ଭାରତୀୟଙ୍କ ନାମ ପ୍ରବୀଣ ରାଓ ପଟେଲ। ହୋଟେଲରେ ରୁମ୍ ଦେବା ନେଇ ଜଣେ ଆମେରିକୀୟ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ପରେ ଉତ୍‌କ୍ଷିପ୍ତ ଗୋରା ଯୁବକ ତାଙ୍କୁ ଗୁଳିକରି ହତ୍ୟା କଲେ। ସେହିପରି ରାଜଧାନୀ ୱାସିଂଟନରେ ଏକଚାଳିଶ ବର୍ଷ ବୟସ୍କ ଭାରତୀୟ ବଂଶୋଦ୍ଭବଙ୍କୁ ଆକ୍ରମଣ କରାଗଲା‌, ଯହିଁରେ ତାଙ୍କର ମୃତ୍ୟୁ ହେଲା।
ଆମେରିକାରେ ଆଇନତଃ କଳା-ଗୋରା ଭେଦଭାବର ବିଲୋପ ଘଟିଥିଲେ ମଧ୍ୟ ଏବେ ବି ଗୋରା ଲୋକଙ୍କର ଆଫ୍ରିକୀୟ ତଥା ଭାରତୀୟ ମୂଳୋଦ୍ଭବଙ୍କ ପ୍ରତି ଘୃଣା ଏବଂ ଅସୂୟା ଭରି ରହିଛି। ଏଣେ ଆମେରିକାରେ ପ୍ରବାସୀ ଭାରତୀୟମାନେ ନିଜର ଜ୍ଞାନ, ବୁଦ୍ଧି ଏବଂ ଯୋଗ୍ୟତା ବଳରେ ବହୁ ଉଚ୍ଚ ପଦରେ ଅଧିଷ୍ଠିତ ହେଲେଣି। ଅନେକ ଆମେରିକୀୟ ଭାବନ୍ତି ଯେ ସେମାନଙ୍କ ଚାକିରିକୁ ଭାରତୀୟ ଯୁବକଯୁବତୀମାନେ ଗ୍ରାସ କରି ଦେଉଛନ୍ତି। ଈର୍ଷା ପ୍ରଣୋଦିତ ହୋଇ ସେମାନେ ବିନା କାରଣରେ ଭାରତୀୟମାନଙ୍କୁ ଆକ୍ରମଣ କରୁଥିବାର ଅନେକ ଦୃଷ୍ଟାନ୍ତ ମିଳିଲାଣି। ଆମେରିକାରେ ଗୋଟିଏ ଜିମ୍‌ ବା ବ୍ୟାୟାମଶାଳାରେ ବରୁଣ ରାଜ ପୁଚା ନାମକ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଗଲା, କାରଣ ହତ୍ୟାକାରୀକୁ ତାଙ୍କ ଚେହେରା ବିଚିତ୍ର ଲାଗିଲା! ଏହା ଠାରୁ ବଳି ଦୁର୍ଭାଗ୍ୟଜନକ ଆଉ କ’ଣ ବା ଥାଇପାରେ?
ଯୁକ୍ତରାଷ୍ଟ୍ର ଆମେରିକାରେ ‘କ୍ଲୁକ୍‌ କ୍ଲାକ୍‌ସ କ୍ଲାନ୍‌’ ଭଳି ଏକ ଚରମ ଦକ୍ଷିଣପନ୍ଥୀ ଦଳ ସକ୍ରିୟ ଅଛି। ଏଥିରେ ସାମିଲ ଶ୍ବେତାଙ୍ଗ ଯୁବକମାନଙ୍କୁ ଅଣଶ୍ବେତାଙ୍ଗମାନେ ଭୀଷଣ ଭୟ କରନ୍ତି; କାରଣ ସେମାନେ ଏଭଳି ହିଂସ୍ର ଯେ ବିନା ବା ସାମାନ୍ୟ କାରଣରେ ସେମାନେ ଅଣଶ୍ବେତାଙ୍ଗମା‌ନଙ୍କୁ ହତ୍ୟା କରନ୍ତି। ପୁଣି ଆଉ ଏକ ବାସ୍ତବତା ହେଲା ୨୦୦୧ ମସିହାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ଉତ୍ତୁଙ୍ଗ ବିଶ୍ବ ବାଣିଜ୍ୟ କେନ୍ଦ୍ର ଧରାଶାୟୀ ହେବା ପରେ ଏସୀୟମାନଙ୍କ ପ୍ରତି ଆମେରିକୀୟମାନଙ୍କ ବିଦ୍ବେଷ ବଢ଼ିବାରେ ଲାଗିଛି। ସୁତରାଂ, ଭାରତୀୟମାନେ ଏଥିରୁ ବାଦ୍‌ ପଡୁ ନାହାନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ସରକାର ମଧ୍ୟ ସ୍ବୀକାର କରନ୍ତି ଯେ ଆ‌ମେରିକାର ଉନ୍ନତିରେ ପ୍ରବା‌ସୀ ଭାରତୀୟଙ୍କ ଅବଦାନ ଅତୁଳନୀୟ। ସେଠାରେ ବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ହେଉଛି  ୪୯ ଲକ୍ଷରୁ ଅଧିକ। ସଂପ୍ରତି ଭାରତୀୟ ବଂଶଜ କମଳା ହାରିସ ସେଠାକାର ଉପରାଷ୍ଟ୍ରପତି। ଡୋନାଲ୍‌ଡ ଟ୍ରଂପ୍‌ ରାଷ୍ଟ୍ରପତି ନିର୍ବାଚନରେ ଭାଗ ‌େନବା ଲାଗି ଆସିଲେ ବୋଲି ରିପବ୍ଲିକାନ ପାର୍ଟିର ନେତା ଭାରତୀୟ ମୂଳୋଦ୍ଭବ ନିକି ହ୍ୟାଲି ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଭାଗ ନେଇ ପାରିଲେ ନାହିଁ। ଏବେ ଅନେକ ଭାରତୀୟ ବଂଶଜ ସେଠାରେ ସାଂସଦ ଏବଂ କେତେକ ପ୍ରଦେଶରେ ଗଭର୍ନର ମଧ୍ୟ। ଭବିଷ୍ୟତ୍‌ରେ କୌଣସି ଭାରତୀୟ ମୂଳୋଦ୍ଭବ ଯେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନ ହେବ, ତାହା କହିହେବ ନାହିଁ। ସେମିତି ‘ସିଲିକନ୍ ଭ୍ୟାଲି’ର ସର୍ବାଧିକ ମୂଲ୍ୟବାନ ଟେକ୍‌ କଂପାନିଗୁଡ଼ିକର ସି.ଇ.ଓ.ମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ। ଇଂଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକ ଜଣେ ଆସ୍ତିକ ହିନ୍ଦୁ ଓ ଭାରତୀୟ ବଂଶଜ ହୋଇଥିବା ସହିତ ଗୋଟିଏ ଭାରତୀୟ ପରିବାରର ଜାମାତା। ଏଭଳି ଘଟଣାମାନ ଏକଦା ଭାରତ ସମେତ ପୃଥିବୀକୁ ଅଧୀନସ୍ଥ କରି ରଖିଥିବା ପାଶ୍ଚାତ୍ୟର ଶ୍ବେତାଙ୍ଗମାନଙ୍କ ଗାତ୍ରଦାହ ସୃଷ୍ଟି କରିବା ସ୍ବାଭାବିକ। ଏହାର ପରିଣାମରେ ଭାରତୀୟମାନଙ୍କ ପ୍ରତି ହିଂସାତ୍ମକ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ପାଶ୍ଚାତ୍ୟ ରାଷ୍ଟ୍ରଗଣ, ବି‌ଶେଷ କରି ଯୁକ୍ତରାଷ୍ଟ୍ର ଆମେରିକା ବ୍ୟକ୍ତିିବାଦ, ବ୍ୟକ୍ତ ସ୍ବାଧୀନତା, ଗଣତନ୍ତ୍ର ଏବଂ ଉଦାରବାଦର ଜୈତ୍ର ଉଡ଼ାଇଥାଏ। ତେଣୁ ସେଠାରେ ପରିଦୃଷ୍ଟ ହେଉଥିବା ବିଦ୍ବେଷ ଏବଂ ଘୃଣା ବିଜଡ଼ିତ ହିଂସା ନିଶ୍ଚିତ ଭାବେ ଏକ ବିରୋଧାଭାସ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ।
ମୋ: ୯୮୬୧୦୨୬୬୪୦