ଅନେକ ଆଗତଦ୍ରଷ୍ଟା କହିଥାଆନ୍ତି ଯେ ତୃତୀୟ ବିଶ୍ବଯୁଦ୍ଧ ଯଦି କେବେ ହୁଏ, ତେବେ ତାହା ହେବ ଜଳକୁ େନଇ! କାରଣ ପୃଥିବୀ ଏବେ ମଧୁର ଜଳ ସଂକଟ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆମ ଦେଶର ସ୍ଥିତି ମଧ୍ୟ ଉଦ୍ବେଗ ସୃଷ୍ଟି କରିଥାଏ, ଯାହା ଆଲୋଚନାସାପେକ୍ଷ।
ପୃଥିବୀର ମୋଟ ଜନସଂଖ୍ୟାର ପ୍ରାୟ ୧୮% ଭାରତରେ ବସବାସ କରନ୍ତି ସିନା, ପୃଥିବୀର ସମଗ୍ର ଜଳ ସମ୍ପଦର ମାତ୍ର ୪% ଭାରତ ଠାରେ ଉପଲବ୍ଧ। ଉଲ୍ଲେଖଯୋଗ୍ୟ ଯେ ପୃଥିବୀର ମୋଟ ମଧୁର ଜଳର ମାତ୍ର ୧.୨% ହେଉଛି ପାନୀୟ ଜଳ। ୨୦୨୧ ମସିହା ସୁଦ୍ଧା ଭାରତରେ ମୁଣ୍ଡପିଛା ବାର୍ଷିକ ହାରାହାରି ଜଳ ଉପଲବ୍ଧତା ଥିଲା ୧୪୮୬ ଘନ ମିଟର। ଏହା ଏକ ହାରାହାରି ହିସାବ ହୋଇଥିବାରୁ ବିଭିନ୍ନ ଋତୁ, ତାପମାତ୍ରା ଓ ଅଂଚଳ ଅନୁସାରେ ଉପଲବ୍ଧ ଜଳର ପରିମାଣ ଭିନ୍ନ ଭିନ୍ନ ହୋଇଥାଏ। ଏହା ସୁବିଦିତ ଯେ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଜାମ୍ମୁ ଓ କାଶ୍ମୀର, ପଞ୍ଜାବ ଓ ହରିୟାଣା ସମେତ ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକ ମଧ୍ୟରେ ଦୀର୍ଘକାଳୀନ ନଦୀ ଜଳ ବଣ୍ଟନ ସଂପର୍କିତ ବିବାଦମାନ ଲାଗି ରହିଛି ଏବଂ ଅନେକ ସମୟରେ ବିରୋଧ ଓ ସଂଘର୍ଷର କାରଣ ମଧ୍ୟ ହୋଇଛି। ସେମିତି ଜଳାଭାବ କାରଣରୁ ବିଭିନ୍ନ ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟର ହିଂସାକାଣ୍ଡମାନ ମଧ୍ୟ ଘଟିଥାଏ। ‘ୟୁନାଇଟେଡ୍ ନେସନ୍ ଅଫିସ୍ ଅନ୍ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍’ (ୟୁଏନ୍ଓଡିସି)ର ‘ଗ୍ଲୋବାଲ୍ ଷ୍ଟଡି ଅନ୍ ହୋମିସାଇଡ୍’ ବା ‘ନରହତ୍ୟା ସଂକ୍ରାନ୍ତ ଅନୁଧ୍ୟାନ’ ରିପୋର୍ଟ (୨୦୨୩) ଅନୁଯାୟୀ ୨୦୧୯ରୁ ୨୦୨୧ ମଧ୍ୟରେ ଭାରତରେ ହୋଇଥିବା ସମସ୍ତ ହତ୍ୟାକାଣ୍ଡର ୦.୫% ଜଳ ବିବାଦ ସହ ଜଡ଼ିତ।
ଚୀନ, ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ସବୁ କାରଣରୁ ବିବାଦମାନ ରହିଛି ତା’ ମଧ୍ୟରେ ଗୋଟିଏ ହେଉଛି ନଦୀ ଜଳ ବଣ୍ଟନ ସଂପର୍କିତ; ଯହିଁରେ ବ୍ରହ୍ମପୁତ୍ର ଏବଂ ସିନ୍ଧୁ ଭଳି ନଦୀ ସଂପୃକ୍ତ। ତେଣୁ ଏହି ତିନି ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ବିବାଦ ତୀବ୍ର ହେଲେ ବେଳେବେଳେ ନଦୀ ଜଳ ବଣ୍ଟନକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯିବାର ଧମକମାନ ଦିଆଯାଇଥାଏ।
ଭାରତ ସମେତ ପୃଥିବୀର ବିଭିନ୍ନ ଅଞ୍ଚଳରେ ଭୂତଳ ଜଳ ସ୍ତର ହ୍ରାସ ପାଇବା ନେଇ ବାରମ୍ବାର ସତର୍କ ଘଣ୍ଟି ବାଜି ଚାଲିଛି। ଜାତିସଙ୍ଘ ଦ୍ୱାରା ପ୍ରକାଶିତ ‘ଇଂଟର-କନେକ୍ଟେଡ୍ ଡିଜାଷ୍ଟର ରିସ୍କ ରିପୋର୍ଟ ୨୦୨୩’ରେ ଦର୍ଶାଯାଇଛି ଯେ ଭାରତ-ଗାଙ୍ଗେୟ ଅବବାହିକାର କେତେକ ଅଂଚଳରେ ଭୂତଳ ଜଳ ସ୍ତର ହ୍ରାସ ପାଇ ଅତ୍ୟନ୍ତ ନିମ୍ନ ସ୍ତରକୁ ଚାଲିଗଲାଣି ଏବଂ ୨୦୨୫ ସୁଦ୍ଧା ଦେଶର ସମଗ୍ର ଉତ୍ତର-ପଶ୍ଚିମାଂଚଳରେ ଭୂତଳ ଜଳର ଉପଲବ୍ଧତା ଗୁରୁତର ଭାବେ ପ୍ରଭାବିତ ହେବ।
ଏକ ତଥ୍ୟାନୁସାରେ ଭାରତ ବିଶ୍ୱର ସବୁଠାରୁ ଅଧିକ ଭୂତଳ ଜଳର ବ୍ୟବହାର କରିଥାଏ। ଆମେରିକା ଓ ଚୀନ ମିଶି ଯେତିକି ଜଳ ବ୍ୟବହାର କରନ୍ତି, ଏହା ତା’ଠାରୁ ମଧ୍ୟ ଅଧିକ। ଆମ ଦେଶରେ ଭୂତଳ ଜଳର ୯୦% କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଆମେରିକାର ଏକ ଗବେଷଣାରେ ଦର୍ଶାଯାଇଛି ଯେ ଯଦି ଭାରତର ଚାଷୀମାନେ ବର୍ତ୍ତମାନ ହାରରେ ଭୂତଳ ଜଳର ଉତ୍ତୋଳନ ଜାରି ରଖିବେ, ତେବେ ୨୦୮୦ ସୁଦ୍ଧା ଭାରତରେ ଭୂତଳ ଜଳ ହ୍ରାସର ହାର ତିନି ଗୁଣ ହୋଇଯିବ, ଯାହା ବିପଜ୍ଜନକ ସ୍ଥିତି ସୃଷ୍ଟି କରିବ। ଏବେ ଶିଳ୍ପୋଦ୍ୟୋଗଗୁଡ଼ିକ ମଧ୍ୟ ପ୍ରଚୁର ଭୂତଳ ଜଳ ଶୋଷଣ କରିବାରେ ଲାଗିଛନ୍ତି। ଆମ ରାଜ୍ୟ ଓଡ଼ିଶାର ଭୂତଳ ଜଳର ସ୍ଥିତି ମଧ୍ୟ ଉଦ୍ବେଗଜନକ। କାରଣ ଜଳ ସ୍ତର ହ୍ରାସ ପାଇବା ସହିତ ଏହା ପ୍ରଦୂଷିତ ମଧ୍ୟ ହେଉଛି।
ଆମ ଦେଶରେ ବର୍ଷା ଜଳ ସଂରକ୍ଷଣ ଯୋଜନା ଅତି ଦୁର୍ବଳ ସ୍ଥିତିେର ରହିଛି। ପୁଣି, ଜଳବାୟୁ ପରିବର୍ତ୍ତନ କାରଣରୁ ବୃଷ୍ଟିପାତଜନିତ ଅନିୟମିତତା ହେତୁ ଜଳ ସଙ୍କଟ ଆହୁରି ଉଗ୍ର ହେଉଛି। କେବଳ ସେତିକି ନୁହେଁ, ଆମେମାନେ ବିନା ଦ୍ବିଧାରେ ଜଳ ଅପଚୟ କରିଥାଉ।
ଅତୀତରେ ଆମ ଦେଶ ଏକ ଜଳକ୍ଳିଷ୍ଟ ଦେଶ ଭାବେ ପରିଚିତ ନ ଥିଲା; ଅଥଚ ଆମମାନଙ୍କ ଅପରିଣାମଦର୍ଶିତା କାରଣରୁ ଏଭଳି ସ୍ଥିତିର ଆବିର୍ଭାବ ଘଟିଲାଣି। ଏହି ସମୟରେ ଆମ ସମ୍ମୁଖରେ ଇସ୍ରାଏଲର ଉଦାହରଣ ବିଦ୍ୟମାନ, ଯାହା ନିୟତିର ଆଦେଶରେ ଏକ ଅତ୍ୟନ୍ତ ଜଳକ୍ଳିଷ୍ଟ ଅଞ୍ଚଳ ହୋଇଥିବା ସତ୍ତ୍ବେ ଜଳର ବ୍ୟବହାର ଏବଂ ବିନିଯୋଗ ଦୃଷ୍ଟିରୁ ପୃଥିବୀକୁ ଚମତ୍କୃତ କରି ଦେଇଛି। ବୁନ୍ଦା ଜଳସେଚନ ବା ‘ଡ୍ରିପ ଇରିଗେସନ’ ଜରିଆରେ ଅତି ଅଳ୍ପ ଜଳ ବ୍ୟବହାର କରି କିଭଳି େକ୍ଷତକୁ ଶସ୍ୟ ଶ୍ୟାମଳା କରାଯାଇପାରେ, ତାହା ଇସ୍ରାଏଲ୍ ଶିଖାଇଛି। କେବଳ ସେତିକି ନୁହେଁ, ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରୟୋଗ କରି ଇସ୍ରାଏଲ୍ ସମୁଦ୍ର ଜଳକୁ ମଧ୍ୟ ବ୍ୟବହାରଯୋଗ୍ୟ ମଧୁର ଜଳରେ ପରିଣତ କରି ପାରିଛି। ତେଣୁ ଯଦିଓ ଜଳ ସଂକଟ ଅତି ଗୁରୁତର, ଇସ୍ରାଏଲ୍ ତା’ର ମୁକାବିଲା ଏବଂ ସଂକଟକୁ ପରାହତ କରିବା ଦିଗରେ ଆଶା ସଂଚାର ମଧ୍ୟ କରିଛି।
ମୋ: ୯୯୧୦୭୪୦୮୩୯
ଜଳ ସଂକଟ, ଆମେ ଓ ଇସ୍ରାଏଲ୍
ବିଭୂତି ପତି