ସତ୍ୟନାରାୟଣ ଗନ୍ତାୟତ

Advertisment

ଖରା ପ୍ରବଳ ହେଲାଣି। ଜଳ କଷ୍ଟ ବଢ଼ିଯିବ। ଜଳ ହିଁ ଜୀବନ ପରା। ଗତାନୁଗତିକ ଭାବେ ଅଳସୁଆ ହୋଇ ବସିଥିବା ବେଳେ ଏମିତିଆ କଥାମାନ ଆମ ମଥା ଭିତରେ ପଶି ଯାଆନ୍ତେ ଆମେ ଚେଙ୍ଗା ହୋଇ ଉଠିଲୁ। ତେବେ ଜାଣିଥିବେ ତ ଆମ ମଥା ଭିତରର ମଗଜ କେମିତି ଅବାଗିଆ। ତହୁଁ ସେ ଚେଙ୍କାଏ ଦେଇ କହିଲା, “ତୋ ପାଇଁ ଜଳ ଚିନ୍ତା ଯଦି ଏଡ଼େ ଚମତ୍କାର, ତେବେ କଞ୍ଚା ପାଣି ପିଇ ଦିନେ ବିତାଇ ଦେଖା ତ!”

ଆମ ମନକୁ ଏକା ବେଳେ ମନ୍ଥି ପକାଇଲା ଏ କଥା। ତହୁଁ ଭାବିଲୁ, ହଁ ଜଳ ସିନା ଜୀବନ, ହେଲେ ତା’ ସହ “ଯୋଗ” ମିଶିଗଲେ କେମିତି ତା’ ବନିଯାଏ “ଜଳଯୋଗ”! ଏଥକୁ ଆପଣ କହି ପାରନ୍ତି, “ହେ, ତାହାକୁ ପରା ‘ଜଳପାନ’ ବି କୁହାଯାଏ!’’ ହଁ ଆଜ୍ଞା, ଜଳପାନ କୁହାଯାଏ ଓ ସଭାଦିରେ ତା’ ପାଇଁ ବିରତି ବି ଦିଆ ଯାଇଥାଏ। ତେବେ ସେଇ ତଥାକଥିତ ‘ଜଳପାନର’ ଅର୍ଥ ସୁଦ୍ଦୁ ଜଳ ପିଇବା ତ ନୁହଁଇ। ବରଂ ସେଠି ଥୁଆ କିସମ କିସମର ଖାଇବା ଦରବଙ୍କୁ ପହିଲେ ଗେଫି ତଦୁତ୍ତାରେ ପାଣି ପିଇ ପେଟ ଭିତରକୁ ଠେଲିବାକୁ ବୁଝାଇଥାଏ। ‘ଜଳପାନ’ର ଆଉ ଗୋଟେ ନାମ ‘ଜଳଖିଆ’। ଆଗେ ସକାଳ ମାନେ ପଖାଳ ହିଁ ମନକୁ ଆସୁଥିଲା, ଯାହା ଏବ କାଳରେ ଲୋକଙ୍କ ମୁହଁରେ “ସେକାଳ ପଖାଳ” ହୋଇ ରହିଯାଇଛି। ଅବଶ୍ୟ ଏବେ ବି ମୁଖ୍ୟତଃ ମଧ୍ୟାହ୍ନ ଭୋଜନରେ ପଖାଳର ଆଦର ଅଛି ଏବଂ ତା’ ଭିତରେ ଦହି ତୋରାଣି ଆଦି ନାନା ରୂପରେ ମିଶ୍ରିତ ହୋଇ ପାଣି ହିଁ ରହିଥାଏ। ତେବେ ସକାଳର ଜଳଖିଆ ଭାବେ ପଖାଳ ଖିଆ ଆଜିକାଲି ପ୍ରାୟତଃ କମି ଗଲାଣି! 

ଠାଏ କୁହାଯାଇଛି ଯେ “ଗରିବ ଲୋକ, ରାତିରେ ଖାଇଲେ ସକାଳୁ ଭୋକ”। କିନ୍ତୁ ଏ ଉକ୍ତିରେ ଅଯଥାରେ ଗରିବଙ୍କୁ ଖାଲି ଯୋଖି ଦିଆଯାଇଛି ସିନା, ସକାଳ ହେଲେ ଖାଇବା ପାଇଁ ହାଇଁପାଇଁ ହେଉଥିବା ଉପାସିଆଙ୍କ ପାଇଁ ତ ଇଂରେଜୀରେ ‘ଜଳଖିଆ’ର ନାମ ହେଉଛି ‘ବ୍ରେକଫାଷ୍ଟ’। ପ୍ରସଙ୍ଗ କ୍ରମେ କହି ଦେବା ଠିକ୍‌ ହେବ ଯେ ଗତ ରାତିରେ ସୂର୍ଯ୍ୟାସ୍ତ ପୂର୍ବରୁ ହାଲୁକା ଆହାର ଗ୍ରହଣ ପୂର୍ବକ ସଅଳ ଶୋଇ ସଅଳ ଉଠୁଥିବା ଭଳି ଦୁଃସାଧ୍ୟ କର୍ମ ସମ୍ପାଦି ପାରୁଥିବା କତିପୟ ମହାନ ନୀତିନିଷ୍ଠ ଲୋକଙ୍କ ପାଇଁ ହିଁ ଜଳଖିଆ ହୁଏତ ଲଘୁପାକ, ନୋହିଲେ ଏବ କାଳରେ କାହା ଘରେ ସକାଳର ଜଳଖିଆ କଦବା କ୍ୱଚିତ ମୁଢ଼ି, ଚୁଡ଼ା ବା ଛତୁଆଦିରେ ଚଳି ଯାଉଥିବ! ନୋହିଲେ ସଭିଏଁ ରୁଟି, ପରଟା, ପୁରି, ଚକୁଳି, ଉପମା, ଇଟିଲି ଆଦି ସହ ଚଟଣି, ଡାଲମା, ସମ୍ବର, ତରକାରି ଆଦି ଭଳିକି ଭଳି ଖାଇବା ଦରବ ଲୋଡ଼ିଥାନ୍ତି। ପୁଣି ଦି ମିନିଟିଆ ନୁଡୁଲ, ପାସ୍ତା, ସିମେଇ, ଟୋଷ୍ଟ, ଅମଲେଟ ଭଳି ଚିଜଙ୍କ ବେଳ ବି ଚାଲିଚି ଏଇନେ। 

ପୁଣି ସକାଳର ଜଳଖିଆକୁ ନେଇ କଥାଏ ଏମନ୍ତ କୁହାଯାଇଛି ଯେ ସକାଳେ ଯଥା ସମୟରେ ଜଳଖିଆ ନାମରେ ଆଚ୍ଛା କରି ମନ ଭରି ଯଦି ଗେଫି ଯାଇଥିବ, ତାହା ହେଲେ ତାହା ଦିନ ସାରା ତୁମକୁ ଟାଣି ନେଇ ଯିବ! ତେଣୁ ଅନେକ ଘରେ ସକାଳୁ ସକାଳୁ ସ୍କୁଲ ଯାଉଥିବା ଛୋଟ ଛୁଆଙ୍କ ଟିଫିନ ବାକ୍ସ ଓ ଘରେ ରହୁଥିବା ସଦସ୍ୟଙ୍କ ପାଇଁ ହିଁ ଜଳଖିଆ ପ୍ରସ୍ତୁତି ହୁଏ ଏବଂ ବାହାରକୁ କାମରେ ଯାଉଥିବା ସଦସ୍ୟଙ୍କୁ ସେମାନଙ୍କ ମନ ମୁତାବକ ଜଳଖିଆ ବାହାରେ କିଣି ଖାଇବାକୁ ଛାଡ଼ି ଦିଆ ଯାଇଥାଏ। ଏହି ମହାର୍ଘ ସୁଯୋଗ ପ୍ରାପ୍ତ ହୋଇ କେହି ରାସ୍ତା କଡ଼ର ଠେଲାରୁ ତ କେହି ହୋଟେଲରୁ ପାଟି ସୁଆଦିଆ ଜଳଖିଆ ମାନ ମନ ଭରି ଗେଫିବା ଏବେ ନିତ୍ୟ ନୈମିତ୍ତିକ ହୋଇ ଗଲାଣି। କିଏ ଚକୁଳି ଡାଲମା ପ୍ରିୟ ତ କାହାର ଇଟିଲି ସମ୍ବର ପ୍ରିୟ। ଏତେ ସବୁ ଖିଆ ପରେ ତଥାପି କେହି କେହି ଛେନାପୋଡ଼ ଖଣ୍ଡେ ବା ନାଲିଆ ସୁଜି ହାଲୁଆ ଟିକେ ଖାଇ ମୁହଁ ମିଠା କରି ଖାଇବା ଥାନରୁ ଉଠନ୍ତି। କହନ୍ତି ସକାଳ କୁଆଡ଼େ ଜଣାଇ ଦେଇଥାଏ ଦିନଟି କେମିତି କଟିବ! ସତ କଥା। ଯେଉଁଠି ଜଳଖିଆ ନାମରେ ଏତେ ବଡ଼ ଆୟୋଜନ, ତହିଁରୁ ଦିନ ତମାମ ଖାଇବା ପିଇବା ନେଇ କ’ଣ କ’ଣ ହେଉ ନଥିବ ଅବା!
ତେବେ ଏମିତି ଭାବିବା ଭିତରେ ଆମ ତଥାକଥିତ ଖାଦ୍ୟ ସଂସ୍କୃତି ବିଷୟକ ଧାରଣା ଯେତିକି ପ୍ରାଞ୍ଜଳ ହେଲା, ତହୁଁ ବଳି ଆମ ମନଟା ଏଇଆ ଭାବି ଧନ୍ଦି ହେଲା ଯେ ମଣିଷ ବଞ୍ଚିବା ପାଇଁ ଖାଇବା ଭୁଲି ଯାଇ କ’ଣ ତୁଚ୍ଛା ଖାଇବା ପାଇଁ ହିଁ ବଞ୍ଚିବା ନେଇ ଦିନରାତି ଲାଗି ପଡ଼ିଥିବ?

ଯାହା ବି ମିଳିଲେ ସବୁ ଖାଇ ସାଫ୍ କରି ଦେଉଥିବା ‘ଖାଉରା ନମ୍ବର ଏକ’ ଭାବରେ କୁଖ୍ୟାତ ଆମର ସେଇ ସର୍ବଭକ୍ଷୀ ବାଲ୍ୟବନ୍ଧୁ ଜଣକ ଏବେ ମନେ ପଡୁଛନ୍ତି। ତ’ ଆଜିକାଲି କେମିତି ତାଙ୍କ ଖିଆପିଆ ଚାଲିଛି ଜାଣିବାର ଆମ ମନରେ ବାସନା ଜାଗି ଉଠିଲା ଓ ଆମେ ତାଙ୍କୁ ଫୋନ କଲୁ। ସେ ଗମ୍ଭୀର ହୋଇ କହିଲେ ଯେ ଆଜିକାଲି ସେ ସକାଳୁ ଉଠୁଉଠୁ ଆଗ ଅଧୁଆ ମୁହଁରେ ଗିଲାସେ ପାଣି ପିଇ ନିତ୍ୟକର୍ମ ସାରୁଛନ୍ତି। ତା’ ପରେ ରାତିରେ ଭିଜାଇ ଥିବା ଜିରା, ଜୁଆଣି, ପାନମଧୁରୀ ଓ ମେଥି ଆଦିର ପାଣି କପେ କପେ ପିଇ ସକାଳର ଆରମ୍ଭ କରୁଛନ୍ତି। ତା’ ପରେ ନିୟମିତ ଯୋଗ କରୁଛନ୍ତି। ତା’ ପରେ ଲେମ୍ବୁ ମିଶା ଉଷୁମ ପାଣି। ଏମିତି ନାନା ଜାତି ପାଣି ପିଆ ପରେ କମଳା, ଅଙ୍ଗୁର, ଅମୃତଭଣ୍ଡା, ସେଓ, ଡାଳିମ୍ବ ଆଦି ଫଳଙ୍କ ରସରୁ ଗିଲାସେ ନୋହିଲେ ଚହ୍ଲା ପାଣିରେ ଗୋଳା ମାଣ୍ଡିଆ ଜାଉ ଗିଲାସେ ଯାହା ପିଉଛନ୍ତି। 

ତାଙ୍କ କଥା ଶୁଣି ଚକିତ ହୋଇ ଆମେ ତାଙ୍କ ଅତୀତର ଖାଉରା ଅଭ୍ୟାସ ସମ୍ପର୍କେ ପଚାରିବୁ କି ନାହିଁ, ତାହା ଭାବୁଥିବା ବେଳେ ସେ ହିଁ ନିଜ ଆଡୁ କହି ଉଠିଲେ: ବୁଝିଲ ବନ୍ଧୁ, ଜୀବନ ସାରା ହାଉଁ ମାଉଁ ଖାଉଁ ହୋଇ ଖାଦ୍ୟ ଅଖାଦ୍ୟ ବାରଣ ଭୁଲି ଲାଳୁଆ ଜିଭକୁ ତୁଷ୍ଟ କରି ଚରିଲେ କି ହେବ? ଗୋଟେ ସମୟ ଆସିବ ଯେବେ ଯାବତ ଅବର୍ଜ୍ୟ ଚିଜରେ ଭରି ରହିଥିବା ଦିହ ଆଉ ସମ୍ଭାଳି ପାରିବନି! ସୁତରାଂ ଏଇନେ ଆଉ ସେବର ସଉକିଆ ‘ଜଳଖିଆ’ ନାହିଁ ବନ୍ଧୁ! ଏବେ ଜଳ ପାନରେ ଜୀବନ!’ ବନ୍ଧୁଙ୍କ କଥା ସତରେ ଭାରି ଗମ୍ଭୀର ଲାଗୁଥିଲେ ହେଁ ତାଙ୍କ ମନକୁ କିଞ୍ଚିତ ହାଲକା କରିବାକୁ ଯାଇ ଆମେ ଅଗତ୍ୟା ତାଙ୍କ କଥାରେ ଲଥାଟାଏ ଯୋଡ଼ିବାକୁ ଯାଇ କହିଲୁ: ହଁ ବନ୍ଧୁ, ଜଳ ପାନ ସହ ଯୋଗ ବି କରୁଛ ମାନେ ତ ତାହା ହୋଇଗଲା “ଜଳଯୋଗ”! ଜଳଯୋଗକୁ ନେଇ ଆମର ଏହି ଅପୂର୍ବ ବଖାଣ ପରେ ଦୁହେଁ ହସି ଉଠିଲୁ।
 (ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୯୦୯୬୭୫