ଡିସେମ୍ବର ୨୧ରେ ଦେଶରେ ଦୁର୍ନୀତିର ମଉଡ଼ମଣି ରୂପେ ବିବେଚିତ ହୋଇ ଆସିଥିବା ୨ଜି ସ୍ପେକ୍ଟ୍ରମ୍‌ କେଳେଙ୍କାରୀରେ ଅଭିଯୁକ୍ତ ତତ୍କାଳୀନ ଟେଲିକମ୍‌ ମନ୍ତ୍ରୀ ଏ.ରାଜାଙ୍କ ସମେତ ସମସ୍ତଙ୍କୁ ଦିଲ୍ଲୀସ୍ଥିତ ସ୍ପେସାଲ ସିବିଆଇ ଅଦାଲତ ନିର୍ଦ୍ଦୋଷ ଘୋଷଣା କରି ରାୟ ଦେବା ପରେ ବର୍ତ୍ତମାନ ଟେଲିକମ୍‌ କମ୍ପାନିମାନେ ସରକାରଙ୍କଠାରୁ କ୍ଷତିପୂରଣ ଦାବି କରି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଦେଖା ଗଲାଣି। ଉଦାହରଣ ସ୍ୱରୂପ ଭିଡ଼ିଓକନ୍‌ ଟେଲିକମ୍‌ ଓ ଲୁପ୍‌ ଟେଲିକମ୍‌ ଯଥାକ୍ରମେ ୧୦,୦୦୦ କୋଟି ଟଙ୍କା ଏବଂ ୪,୦୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଟେଲିକମ୍‌ ଟ୍ରିବ୍ୟୁନାଲରେ ଆବେଦନ ଦାଖଲ କରିସାରିଥିବା ବେଳେ ଏସ୍‌ଟେଲ୍‌ କମ୍ପାନି ୩,୪୦୦ କୋଟି ଟଙ୍କାର ଦାବି ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଲାଣି। ୨୦୦୮ରେ ଏ.ରାଜାଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ୧୨୨ଟି ଯାକ ଲାଇସେନ୍‌ସକୁ ୨୦୧୨ରେ ସୁପ୍ରିମ୍‌ କୋର୍ଟ ରଦ୍ଦ କରିଦେବା ପରେ ଏଥିଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଟେଲିକମ୍‌ କମ୍ପାନିମାନଙ୍କ ମଧ୍ୟରୁ ଏମାନେ ହେଉଛନ୍ତି କେତୋଟି। ଆଗକୁ ଅନ୍ୟ କ୍ଷତିଗ୍ରସ୍ତ କମ୍ପାନିମାନେ ମଧ୍ୟ ଏଭଳି କ୍ଷତିପୂରଣ ଦାବି କରିବାର ସମସ୍ତ ସମ୍ଭାବନା ରହିଛି।
ଏମାନଙ୍କର ଏପରି ଉଦ୍ୟମ ଦେଖିଲେ ମନେ ହୁଏ ଏମାନେ ଏକ ସତସତିକା ଦୁନିଆ ପରିବର୍ତ୍ତେ ବୋଧହୁଏ ‘ଆଲିସ୍‌ ଇନ୍‌ ଓଣ୍ଡରଲ୍ୟାଣ୍ଡ୍‌’ ଭଳି ଏକ ମିଛିମିଛିକା ଦୁନିଆରେ ବାସ କରୁଛନ୍ତି ବୋଲି ଭାବୁଛନ୍ତି। ପୃଥିବୀର ଏହି ସର୍ବଶ୍ରେଷ୍ଠ ସୁପରିଚିତ ପିଲାଙ୍କ କାହାଣୀରେ ଛୋଟ ଝିଅ ଆଲିସ୍‌ ତାର ସ୍ୱପ୍ନରେ ଯେତେବେଳେ ଠେକୁଆ ଗାତରେ ଗଳି ପଡ଼ିଛି ସେତେବେଳେ ତା’ ମନରେ ଯେଉଁ ଭାବନା ଖେଳି ଯାଇଛି, ତାହାହେଲା: ‘‘ଯଦି ମୁଁ ସିଧା ସଳଖ ପୃଥିବୀର କେନ୍ଦ୍ର ଦେଇ ଗଳି ପଡ଼ି ଆର ପଟେ ବାହାରେ, ଯେଉଁଠି ଲୋକମାନେ ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ କରି ଚାଲୁଥିବେ, ତେବେ କ’ଣ ହେବ.... ସବୁ କଥା ଅବାନ୍ତର ହେବ।’’ ଆମ ଦେଶର ନ୍ୟାୟ ବ୍ୟବସ୍ଥାରେ ସୁପ୍ରିମ୍‌କୋର୍ଟ ହେଉଛି ମସ୍ତକ ଓ ଏ ଟ୍ରାଏଲ୍‌ କୋର୍ଟ ହେଉଛି ପାଦ। ତେଣୁ ଟ୍ରାଏଲ୍‌ କୋର୍ଟର ରାୟ ସୁପ୍ରିମ୍‌ କୋର୍ଟ ଦ୍ୱାରା ବାତିଲ ହୋଇଯାଇପାରେ, କିନ୍ତୁ ସୁପ୍ରିମ୍‌ କୋର୍ଟଙ୍କର ନିର୍ଦ୍ଦେଶକୁ ବାତିଲ କରିବା କ୍ଷମତା ଟ୍ରାଏଲ୍‌ କୋର୍ଟର ନାହିଁ। ଯଦି ତାହା ହୁଏ, ତେବେ ମୁଣ୍ଡ ତଳକୁ, ଗୋଡ଼ ଉପରକୁ କରି ଚାଲିବା ଭଳି ହେବ। ତେଣୁ ସୁପ୍ରିମ୍‌ କୋର୍ଟଙ୍କର ଆଦେଶ ଯୋଗୁଁ କ୍ଷତିରେ ପଡ଼ିଥିବା ଟେଲିକମ୍‌ କମ୍ପାନିମାନେ ଟ୍ରାଏଲ୍‌ କୋର୍ଟର ଆଦେଶ ବଳରେ କ୍ଷତିପୂରଣ ପାଇବେ କିପରି? ଏଥିରେ ସନ୍ଦେହ ନାହିଁ ଅପିଲ୍‌ ବାଟ ଦେଇ ମାମଲା ପୁଣି ସୁପ୍ରିମ୍‌ କୋର୍ଟରେ ପହଞ୍ଚିବ। ସେତେବେଳେ ସୁପ୍ରିମ୍‌ କୋର୍ଟ କ’ଣ ନିଜ ରାୟକୁ ନିଜେ ବାତିଲ କରିବେ?
ତା’ଛଡ଼ା ଯେଉଁ ଟ୍ରାଏଲ୍‌ କୋର୍ଟର ଆଦେଶକୁ ଭିତ୍ତି କରି ଏହି ଟେଲିକମ୍‌ କମ୍ପାନିମାନେ କ୍ଷତିପୂରଣ ଦାବି କରୁଛନ୍ତି, ସେଇ ରାୟରେ ଏପରି ଦୋଷ ଦୁର୍ବଳତା ଭରି ରହିଛି ଯାହା ଅପିଲ୍‌ ଶୁଣାଣି ସମୟରେ ଉଚ୍ଚତମ ନ୍ୟାୟାଳୟର ଦୃଷ୍ଟି ଏଡ଼ାଇବା ସହଜ ନୁହେଁ। ଯଦି ସେତେବେଳେ ଏହି ରାୟ ଓଲଟିଯାଏ ତେବେ ଟେଲିକମ୍‌ କମ୍ପାନିମାନଙ୍କର ଦାବି ମଧ୍ୟ ଭିତ୍ତିହୀନ ହୋଇଯିବ। ସ୍ପେସାଲ୍‌ ସିବିଆଇ ଅଦାଲତଙ୍କର ରାୟରେ ଥିବା କେତେକ ସ୍ପଷ୍ଟ ଦୁର୍ବଳତା ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଇପାରେ। ସେଥି ପୂର୍ବରୁ ଏକଥା ମଧ୍ୟ ଭୁଲିବା ଉଚିତ ହେବନାହିଁ ଯେ ଏହି ଟ୍ରାଏଲ୍‌ କୋର୍ଟରେ ଏ.ରାଜାଙ୍କ କାର୍ଯ୍ୟର ବୈଧତା ଅପେକ୍ଷା ତାହାର ଆପରାଧିକତା ଥିଲା ବିଚାରର ମୁଖ୍ୟ ବିଷୟବସ୍ତୁ। ଅବୈଧତା ସାବ୍ୟସ୍ତ କରିବା ପାଇଁ ଯେଉଁଭଳି ପ୍ରମାଣ ଆବଶ୍ୟକ ହୁଏ, ଆପରାଧିକତା ସାବ୍ୟସ୍ତ କରିବା ପାଇଁ ତାହାଠାରୁ ବହୁତ ଅଧିକ କଠୋର ପ୍ରମାଣ ଲୋଡ଼ା ହୋଇଥାଏ। ହୁଏତ ସିବିଆଇ ସେଭଳି ଦୃଢ଼ ପ୍ରମାଣ ପେସ୍‌ କରିପାରି ନଥିବାରୁ କୋର୍ଟ ରାଜା ଓ ଅନ୍ୟମାନଙ୍କୁ ନିର୍ଦୋଷ ବୋଲି ବିଚାର କରିଛି। କିନ୍ତୁ ଯଦି ଏପରି ଏକ ଆଭିମୁଖ୍ୟ ଗ୍ରହଣ କରାଯାଏ, ତେବେ ବି ଏହି ରାୟରେ ରହିଥିବା ଛିଦ୍ରମାନ ଜଳଜଳ ହୋଇ ଦିଶିଥାଏ।
ଅପରାଧ ଅନୁସନ୍ଧାନ ଦୁନିଆରେ ଏକ ନଳୀରୁ ତଥାପି ଧୂଆଁ ବାହାରୁଥିବା ବନ୍ଧୁକକୁ ହତ୍ୟାକାରୀକୁ ଧରାପକାଇ ଦେଉଥିବା ସବୁଠାରୁ ମଜବୁତ ପ୍ରମାଣ ରୂପେ ବିଚାର କରାଯାଏ। ଟୁଜି ମାମଲାରେ ହୋଇଥିବା ଲାଞ୍ଚ କାରବାର ଅଭିଯୋଗକୁ ଯଦି ଏକ ହତ୍ୟାକାଣ୍ଡ ରୂପେ ଦେଖାଯାଏ, ତେବେ ଏଠାରେ ଯାହା ଧୂଆଁ ବାହାରୁଥିବା ବନ୍ଧୁକର ସ୍ଥାନ ନେଇଥାଏ, ତାହା ହେଉଛି ଏ. ରାଜାଙ୍କ ଦୟାରୁ ଲାଇସେନ୍‌ସ ପାଇଥିବା ସ୍ୱାନ୍‌ ଟେଲିକମ୍‌ କମ୍ପାନି ବିଭିନ୍ନ ଛଦ୍ମ ସଂସ୍ଥା ବାଟ ଦେଇ କାନିମୋଝୀଙ୍କ ମାଲିକାନାରେ ଥିବା କାଲାଇଗ୍‌ନାର୍‌ ଟିଭି କମ୍ପାନିକୁ ୨୦୦ କୋଟି ଟଙ୍କା ପ୍ରଦାନ କରିବା। ଉଲ୍ଲେଖ ନିଷ୍ପ୍ରୟୋଜନ କାନିମୋଝୀ ହେଉଛନ୍ତି କରୁଣାନିଧିଙ୍କ କନ୍ୟା ଏବଂ କରୁଣାନିଧି ହେଉଛନ୍ତି ରାଜାଙ୍କ ଦଳ ‘ଡିଏମ୍‌କେ’ର ମାଲିକ ଯାହାଙ୍କୁ ରାଜା ପିତୃତୁଲ୍ୟ ମାନନ୍ତି। ଲାଇସେନ୍‌ସ ପାଇବାର ମାସ କେତେଟା ପରେ ସ୍ୱାନ୍‌ ଟିଭି ଅତ୍ୟନ୍ତ ସନ୍ତର୍ପଣରେ ଏହି ଅର୍ଥ ପ୍ରେରଣ କରିଥିଲା। ଏହା ଯେ ବିଶୁଦ୍ଧ ଲାଞ୍ଚ, ଏଥିରେ ସନ୍ଦେହର ଅବକାଶ ନାହିଁ। କିନ୍ତୁ ବିଚାରପତି ଓ.ପି.ସଇନିଙ୍କ ମତରେ ଏହାକୁ ଲାଞ୍ଚ ରୂପେ ଦେଖାଯାଇ ପାରିବ ନାହିଁ, କାରଣ ଲାଞ୍ଚ ଲାଇସେନ୍‌ସ ପାଇବା ପୂର୍ବରୁ ଦିଆଯାଆନ୍ତା, ଲାଇସେନ୍‌ସ ପାଇବା ପରେ ନୁହେଁ। ଏହି ଲାଞ୍ଚ ପ୍ରେରଣ କାରବାରରେ ସମ୍ପୃକ୍ତ କମ୍ପାନିମାନଙ୍କର ଏ ସମ୍ପର୍କିତ କାଗଜପତ୍ର ଠିକ୍‌ ନଥିବା କଥା ପ୍ରତି ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ତାଙ୍କର ଅବିଶ୍ୱାସ୍ୟ ମନେହେବା ଭଳି ପ୍ରତିକ୍ରିୟା ଥିଲା- ‘‘ଭାରତରେ ଯେ ଘରୋଇ ବ୍ୟବସାୟମାନେ କାଗଜପତ୍ର ଠିକଣା କରି ରଖନ୍ତି ନାହିଁ, ଏହା ଏକ ସାଧାରଣ ସତ୍ୟ।’’ ଏଥିରୁ ମନେହୁଏ ମାନନୀୟ ବିଚାରପତି ନା ବନ୍ଧୁକ ଦେଖିବାକୁ ଚାହିଁଛନ୍ତି, ନା ତା’ର ଧୂଆଁ।
ଏହା ମଧ୍ୟ ଲିପିବଦ୍ଧ ହୋଇ ରହିଛି ଯେ ଏ. ରାଜା ଲାଇସେନ୍‌ସ ପାଇଁ ଦରଖାସ୍ତ ଗ୍ରହଣର ଶେଷ ତାରିଖକୁ ବଦଳାଇ ଦେଇଥିଲେ ଏବଂ ଲାଇସେନ୍‌ସ ପ୍ରଦାନ ପାଇଁ ଯେଉଁ ତାରିଖକୁ ବିଚାରକୁ ନେଇଥିଲେ ତାହା ଦରଖାସ୍ତ ପକାଇବାର ତାରିଖ ନୁହେଁ, ଯଦିବା ଅତୀତରେ ଏହି ତାରିଖକୁ ଭିତ୍ତି କରି ଲାଇସେନ୍‌ସ ପ୍ରଦାନର ପ୍ରଥା ଚଳି ଆସିଥିଲା। ରାଜା ଯେଉଁ ତାରିଖକୁ ଏହା ସ୍ଥାନରେ ବିଚାରକୁ ନେଇଥିଲେ ତାହା ହେଲା ପଇସା ପୈଠର ତାରିଖ। କେତେକ ନିର୍ଦ୍ଦିଷ୍ଟ କମ୍ପାନିକୁ ସୁଯୋଗ ଦେବା ପାଇଁ ସେ ଏପରି କରିଥିବାର ଦୃଢ଼ ସନ୍ଦେହ ହୁଏ। ସେହିପରି ଲାଇସେନ୍‌ସ ପାଇବାର ତିନିବର୍ଷ ନ ପୂରୁଣୁ ତାହାକୁ ବିକ୍ରି କରିବାକୁ ଅନୁମତି ପ୍ରଦାନ କରି ରାଜା ସେମାନଙ୍କ ପାଇଁ ବିପୁଳ ଆଶୁ ଲାଭ ଅର୍ଜନ କରିବାର ବାଟ ଖୋଲି ଦେଇଥିଲେ। ବିଚାରପତି ଏହି ମାମଲାରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ଅଫିସର ପୁଲକ ଚାଟାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ସବୁକଥା ଜଣାଇ ନଥିଲେ ବୋଲି ତାଙ୍କୁ ଭର୍ତ୍ସନା କରିଛନ୍ତି। କିନ୍ତୁ ବିଚାରପତିଙ୍କ ଦୃଷ୍ଟିରେ ରାଜା ଯଦି କିଛି ଅନିୟମିତତା କରି ନଥିଲେ, ତେବେ ପୁଲକ ଚାଟାର୍ଜୀ ରାଜାଙ୍କର କେଉଁ ଅପରାଧ ପ୍ରଧାନମନ୍ତ୍ରୀଙ୍କ ଠାରୁ ଲୁଚାଇଥିଲେ? ଏହା ଉଦ୍ଭଟ ନୁହେଁ କି? ଅପିଲ ବିଚାର ସମୟରେ ଏ ସବୁ ତଥା ଆହୁରି ଅନେକ ଛିଦ୍ରମାନ ଉନ୍ମୋଚିତ ହୋଇ ଶେଷରେ ସୁପ୍ରିମ୍‌ କୋର୍ଟଙ୍କର ମୂଳ ଆଦେଶ ବଳବତ୍ତର ରହିବା ପ୍ରାୟ ନିଶ୍ଚିତ। ସେପରି ସ୍ଥଳେ ବର୍ତ୍ତମାନ ଟେଲିକମ୍‌ କମ୍ପାନିମାନେ କରୁଥିବା କ୍ଷତିପୂରଣ ଦାବି କେବଳ ଲୋକଦେଖାଣିଆ ଭଳି ମନେହୁଏ।