‘ୱେଷ୍ଟସାଇଡ୍‌’ର ତାରକା

ସୁବ୍ରତ ବାଗ୍‌ଚୀ

‘ଆମେ ସବୁବେଳେ ପଛ କଥାରେ ବିଚଳିତ ହୋଇଯାଉ। କିମ୍ବା ଅଜଣା ଭବିଷ୍ୟତର ଅନିଶ୍ଚିତତା କଥା ଭାବି ଭାବି ମନକୁ ଭାରାକ୍ରାନ୍ତ କରିଦେଉ। ମୁଁ କିନ୍ତୁ ସବୁବେଳେ ବର୍ତ୍ତମାନ କଥା ଭାବେ। ବର୍ତ୍ତମାନ ହିଁ ମୋ’ର ସର୍ବସ୍ବ। ବର୍ତ୍ତମାନ ଉପରେ ହିଁ ମୋ’ର ସବୁ ଅଧିକାର। ମୁଁ ଯଦି ବର୍ତ୍ତମାନକୁ ମୋ’ର ସବୁକିଛି ସମର୍ପିତ କରିଦିଏ, ଭବିଷ୍ୟତ ମୋ ପାଇଁ ମନକୁ ମନ ସବୁ ବନ୍ଦ କବାଟ ଖୋଲିଦେବ। ପ୍ରଥମେ ପାଦଟିଏ ମୁଁ ଚାଲିବି। ତା’ପରେ ବିଧାତା ନିଶ୍ଚୟ ମତେ ଦୁଇ ପାଦ ଆଗେଇ ନେବ।’

ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍‌। ସେଇ ବ୍ଲକ୍‌ରେ ୨୯୮ଟି ଚାଷୀ ପରିବାରକୁ ନେଇ ଛୋଟିଆ ଗାଁ ଅମରପୁର। ୧୫୦୨ ଲୋକଙ୍କର ଏଇ ଗାଁଟି ଭଦ୍ରକ ସହରଠାରୁ ୨୮ କିଲୋମିଟର ଦୂର। ସେଇ ଅମରପୁରରେ ମେ ମାସ ୧୯୯୭ରେ ସୁମତୀ ନାୟକଙ୍କ ଜନ୍ମ। ବାପାଙ୍କର ଅଳ୍ପ ଚାଷ। ପରିବାରଟି କୌଣସିମତେ ଚଳିଯାଏ। ଘରେ ଚାରି ଭାଇ ଭଉଣୀ; ସୁମତୀ ମଝିଆଁ। ନିୟମିତ ସ୍କୁଲ ଯାଉଥିଲେ ମଧ୍ୟ ବିଭିନ୍ନ କାରଣରୁ ନିଜ ପାଠ ପ୍ରତି ଦୃଷ୍ଟି ଦେଇ ପାରୁ ନଥିଲେ ସେ। ସେଥିପାଇଁ ଦ୍ବିତୀୟ ଶ୍ରେଣୀ ପାଇବାର ଆଶା ରଖିଥିଲେ ମଧ୍ୟ ସେ ତୃତୀୟ ଶ୍ରେଣୀରେ ଗାଁ ସ୍କୁଲରୁ ଦଶମ ପାସ୍‌ କଲେ। ଯଦିଓ ତାଙ୍କ ବଡ଼ ଭଉଣୀ ସେତେବେଳେ +୩ରେ ପଢୁଥିଲେ, ସୁମତୀଙ୍କର ପାଠରୁ ମନ ଛାଡ଼ିଗଲା। ଏମିତିରେ ବି ଘରେ ସ୍ବଚ୍ଛଳତା ଥିଲା କମ୍। ସେଥି ପାଇଁ ସେ ଠିକ୍‌ କଲେ ଯେ ଚିରାଚରିତ ପାଠ ପଛରେ ନ ଗୋଡ଼ାଇ ଚାକିରିଟିଏ କରିବେ। ପଡ଼ିଶା ଘରୁ ଖବରକାଗଜ ମାଗି ଆଣି ଏଥର ସେ ଚାକିରିର ବିଜ୍ଞାପନ ଉପରେ ଆଖି ବୁଲାଇବା ଆରମ୍ଭ କଲେ। ସେତିକି ବେଳେ ଦିନେ ତାଙ୍କ ମାମୁଙ୍କ ଝିଅ ରାସ୍ତା କଡ଼ର ଗୋଟିଏ ପାଂପଲେଟ୍ ପଢ଼ି ଖବର ଦେଲେ ଯେ ‘ଏଡୁଜବ୍’ ବୋଲି ଗୋଟିଏ ଟ୍ରେନିଂ ସଂସ୍ଥାରେ ସରକାରଙ୍କ ତରଫରୁ ଦୀନ ଦୟାଲ ଉପାଧ୍ୟାୟ ଯୋଜନାରେ ଅଢ଼େଇ ମାସର ରିଟେଲ୍‌ ଆସିଷ୍ଟାଣ୍ଟ ଟ୍ରେନିଂ ମିଳୁଛି। ସୁମତୀ ଠିକ୍ କଲେ ଯେ ସେ ସେଇ ଟ୍ରେନିଂ ନେବେ। ବଡ଼ ବଡ଼ ମଲ୍‌ରେ ଥିବା ରିଟେଲ୍ ଦୋକାନରେ ଜିନିଷ ସଜେଇବା ଠାରୁ ଆରମ୍ଭ କରି ଗ୍ରାହକଙ୍କ ସଙ୍ଗେ କିପରି କଥାବାର୍ତ୍ତା କରିବାକୁ ହେବ, ହିସାବ କିପରି ରଖାଯିବ ଏବଂ କଂପ୍ୟୁଟର କିପରି ବ୍ୟବହାର କରାଯିବ- ଏ ସବୁ ନେଇ ଟ୍ରେନିଂ। ଦିନେ ସଫଳତାର ସହିତ ଟ୍ରେନିଂ ଶେଷ ହେଲା। ଟ୍ରେନିଂ ପରେ ଭାରତର ଗୋଟିଏ ସଂସ୍ଥା ‘ଟ୍ରେଣ୍ଟ୍‌’ ତରଫରୁ ଚାକିରି ପାଇଁ ନିଯୁକ୍ତି ପତ୍ର ଆସିଲା। ଟାଟା ସଂସ୍ଥାର ଗୋଟିଏ କଂପାନି ହେଉଛି ‘ଟ୍ରେଣ୍ଟ୍‌’। କଂପାନିଟି ୨୦୦୦ କୋଟି ଟଙ୍କାର ବିରାଟ ବ୍ୟବସାୟ ଚଳାଏ। ଭାରତର ୮୨ ସହରରେ ସେମାନଙ୍କର ୧୪୩ଟି ଦୋକାନ ରହିଛି। ଦୋକାନର ନାମ ‘ୱେଷ୍ଟସାଇଡ୍‌’। ସୁମତୀଙ୍କ ଚାକିରି ସ୍ଥାନ ସୁଦୂର ବେଙ୍ଗାଲୁରୁ। ସୁମତୀଙ୍କ ସମେତ ୧୭ ଜଣ ପୁଅଝିଅ ବେଙ୍ଗାଲୁରୁ ଗଲେ। ବେଙ୍ଗାଲୁରୁ ନୂଆ ଜାଗା, ଭାଷା ଅଲଗା, ପୁଣି ଖାଇବାପିଇବା ମଧ୍ୟ ଅନ୍ୟ ରକମର। ଏ ସବୁ ଅସୁବିଧା ଅଧିକାଂଶ ପୁଅଝିଅଙ୍କୁ ଭଲ ଲାଗିଲା ନାହିଁ। ସେମାନଙ୍କ ଭିତରୁ କେତେକ ଓଡ଼ିଶା ଫେରି ଆସିଲେ। ସୁମତୀ କହନ୍ତି, ‘ଆମ ଓଡ଼ିଆ ପୁଅଝିଅମାନେ କାମର କଷ୍ଟକୁ ଆଦୌ ଡରନ୍ତି ନାହିଁ, କିନ୍ତୁ ରହିବା ଖାଇବା ଠିକ୍‌ ନ ହେଲେ ସେମାନଙ୍କର ମନ ଭାଙ୍ଗି ଯାଏ।’ ନିଜ ଉଦାହରଣ ଦେଇ ସେ କହନ୍ତି, ‘ସେଥିପାଇଁ କାମ କରିବାକୁ ଯିବା ଆଗରୁ ନିଜକୁ ପଚାରିବାକୁ ହେବ, ମୁଁ କାହିଁକି କାମ କରିବାକୁ ଆସିଛି? କାମ କରିବା ପଛରେ ଉଦ୍ଦେଶ୍ୟଟି କ’ଣ? ମୁଁ ସ୍ଥିର କରି ଆସିଥିଲି ଯେ ଦୁଇଟି କାରଣରୁ ଚାକିରି କରିବି। ଗୋଟିଏ ହେଲା, ପରିବାରକୁ ସାହାଯ୍ୟ କରିବି। ଦ୍ବିତୀୟଟି ହେଲା, ମନପ୍ରାଣ ଦେଇ କେବଳ ଚାକିରି ନୁହଁ, ଗୋଟିଏ ଭଲ କ୍ୟାରିଅରଟିଏ ଗଢ଼ିବି। ମନରେ ବୃହତ୍ତର ଉଦ୍ଦେଶ୍ୟଟିଏ ରହିଲେ, କୌଣସି କଷ୍ଟ ଆଉ କଷ୍ଟ ବୋଲି ମନେ ହେବ ନାହିଁ କିମ୍ବା ତାହା ଆମକୁ ବିଚଳିତ କରିବନାହିଁ।’

ଅନ୍ୟମାନଙ୍କ ପରି ସୁମତୀଙ୍କର ମଧ୍ୟ ପ୍ରଥମରୁ ବେଙ୍ଗାଲୁରୁରେ ଅନେକ ଅସୁବିଧା ହୋଇଥିଲା। ବସ୍‌ରେ ପିଜି (ଯେଉଁ ସ୍ଥାନରେ ପେୟିଂ ଗେଷ୍ଟ୍ ଭାବେ ଭଡ଼ା ଦେଇ ରହିବାର ବ୍ୟବସ୍ଥା କରାଯାଇଥାଏ)କୁ ଯିବା ଆସିବା ପାଇଁ ୪୫ ମିନିଟ୍‌ ସମୟ ଲାଗୁଥିଲା। କିନ୍ତୁ ଅଧିକାଂଶ ବେଳେ ବସ୍‌ ସମୟ ଅନୁସାରେ ଆସୁ ନ ଥିଲା। ବେଳେବେଳେ ରାତି ଡେରି ହୋଇ ଯାଉଥିଲା। ଘରେ ପହଞ୍ଚିଲା ବେଳକୁ ପିଜିର ଖାଇବା ଶେଷ। ଦିନେ ପୁଣି ପିଜିରେ ରହୁଥିବା ଘରର ଖଣ୍ଡେ ଭୁଶୁଡ଼ି ପଡ଼ିଲା। ଦୁଇ ତିନି ରାତି ତାଙ୍କୁ ୱେଷ୍ଟସାଇଡ଼୍ ଦୋକାନ ଭିତରେ ରହିବାକୁ ପଡ଼ିଲା। କିନ୍ତୁ ଏସବୁ ଅସୁବିଧା ନେଇ ସୁମତୀଙ୍କ ମନ ଦବି ଯାଇ ନ ଥିଲା। ଏ ସବୁ ବ୍ୟତୀତ ଅନ୍ୟ ରକମ ଅସୁବିଧା ମଧ୍ୟ ଥିଲା। ତାଙ୍କୁ କାମ ସିନା ବେଶ୍‌ ଭଲ ଭାବରେ ଜଣାଥିଲା, କିନ୍ତୁ ଭାଷାର ଯେ ବିରାଟ ଅସୁବିଧା! ସୁମତୀ ସେତେବେଳେ ହିନ୍ଦୀ ଜମା ବୁଝୁ ନ ଥିଲେ। ଇଂରେଜୀ କିଛି କିଛି ବୁଝୁଥିଲେ, କିନ୍ତୁ କହିପାରୁ ନ ଥିଲେ। ସେ ଠିକ୍‌ କଲେ ଯେ ଏ ସମସ୍ୟାର ସମାଧାନ କରିବା ପାଇଁ ଅଣଓଡ଼ିଆ ସହଯୋଗୀମାନଙ୍କ ସାଙ୍ଗରେ ବେଶି ମିଶିବେ, କଥା ହେବେ। ତା’ ହେଲେ ସେମାନଙ୍କ ଭାଷା ଶିଖିବାକୁ ସେ ବାଧ୍ୟ ହେବେ। ସେହି ଅନୁସାରେ ସେ ତାଙ୍କର କନ୍ନଡ଼ ବନ୍ଧୁମାନଙ୍କୁ ତାଙ୍କ ସାଙ୍ଗରେ ଇଂରେଜୀ ଓ କନ୍ନଡ଼ ଭାଷାରେ କଥା ହେବାକୁ ଅନୁରୋଧ କଲେ। ସୁମତୀଙ୍କର ଅନଭ୍ୟସ୍ତ ଉଚ୍ଚାରଣ ଶୁଣି ଅଣଓଡ଼ିଆ ବନ୍ଧୁମାନଙ୍କୁ ମଜା ଲାଗିଗଲା। କିନ୍ତୁ ଅଳ୍ପ ଦିନ ପରେ ସେମାନେ ଦେଖିଲେ ଯେ ସୁମତୀ ପରିଷ୍କାର ଭାବରେ ହିନ୍ଦୀ, ଇଂରେଜୀ ଓ କନ୍ନଡ଼ କହିପାରୁଛନ୍ତି।

ମୁଁ ୨୦୧୭ ମସିହାରେ ବେଙ୍ଗାଲୁରୁର କମର୍ସିଆଲ୍‌ ଷ୍ଟ୍ରିଟ୍ ପାଖ ‘ୱେଷ୍ଟସାଇଡ୍‌’ରେ ସୁମତୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲି। ତାଙ୍କର ଜେନେରାଲ ମ୍ୟାନେଜର ମୋତେ ତାଙ୍କ ସହିତ ଚିହ୍ନା କରାଇ ଦେଇ କହିଥିଲେ, ‘ଏଇ ଝିଅଟି ଉପରେ ନଜର ରଖିଥିବେ। ନୂଆ ଆସିବା ବେଳେ ସେ କେବଳ ଓଡ଼ିଆ ଜାଣିଥିଲା। ଏବେ ପରିଷ୍କାର ଇଂରେଜୀ ଓ କନ୍ନଡ଼ ଭାଷାରେ କଥା କହି ଗ୍ରାହକମାନଙ୍କର ମନ ଜିଣି ନେଇଛି। ଦିନେ ଦେଖିବେ ଏଇ ଝିଅଟି ମୋ’ ପୋଷ୍ଟରେ ରହିବ।’

ଜେନେରାଲ ମ୍ୟାନେଜରଙ୍କ କଥା ଶୁଣି ମୋତେ ବହୁତ ଭଲ ଲାଗିଥିଲା। କିନ୍ତୁ ସତରେ କ’ଣ ଗୋଟିଏ ଦଶମ ପାସ୍ ଝିଅ ସୁମତୀ ଏତେ ବଡ଼ ଆଶା ମନରେ ବାନ୍ଧିପାରିବ?
ଗତ ଚାରି ବର୍ଷ ଧରି ମୁଁ ସୁମତୀଙ୍କ ସାଙ୍ଗରେ ବରାବର ଯୋଗାଯୋଗରେ ରହିଛି। ସେଦିନର ସେଲ୍‌ସ୍‌ ଟ୍ରେନି ସୁମତୀ, ଦିନେ ସେଲ୍‌ସ୍‌ ଅଫିସର ହେଲେ। ତା’ପରେ ହେଲେ ଟିମ୍‌ ଲିଡର୍‌। ନୂଆ ନୂଆ ଜିନିଷ ଶିଖିଲେ। ଯେକୌଣସି ଟ୍ରେନିଂ ନେବାର ସୁବିଧା ପାଇଲେ ସେ ପାଦ ବଢ଼ାଇ ଦେଉଥିଲେ। କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପରୀକ୍ଷା ଦେଇ ସେ ଆଗକୁ ଆଗକୁ ଯିବାକୁ ଲାଗିଲେ। ସାତ ହଜାର ଟଙ୍କାର ଦରମା ବଢ଼ି ବଢ଼ି ଅଠର ଛୁଇଁଲା। ଏହା ଭିତରେ ଡିପାର୍ଟମେଣ୍ଟ୍‌ ମ୍ୟାନେଜର ହୋଇ ତାମିଲନାଡ଼ୁର ବଡ଼ ସହର କୋଏମ୍ବାଟୁର ଯିବା ପାଇଁ କମ୍ପାନି ତରଫରୁ ତାଙ୍କୁ ନୂଆ ସୁଯୋଗ ମିଳିଲା। ସୁମତୀ ବେଙ୍ଗାଲୁରୁକୁ ବିଦାୟ ଦେଇ କୋଏମ୍ବାଟୁରର ଦାୟିତ୍ବ ନେବା ପରେ ପରେ ହିଁ କୋଭିଡ-୧୯ର ପ୍ରଭାବରେ ଚାରିଆଡ଼ ଲକ୍‌ଡାଉନ୍ ହୋଇଗଲା। ଅନିଶ୍ଚିତତା ଭିତରେ ପଡ଼ିଗଲେ ସମସ୍ତେ। ଅନେକ ଲୋକ ଚେନ୍ନାଇରୁ ଶ୍ରମିକ ଏକ୍‌ସପ୍ରେସ୍‌ରେ ଘରକୁ ଚାଲିଯିବା ପାଇଁ ସୁମତୀଙ୍କୁ ଉପଦେଶ ଦେଲେ। କିନ୍ତୁ ତାଙ୍କର ଚିନ୍ତାଧାରା ଅନ୍ୟ ରକମର। ସେ ମନେ କଲେ ଯେ ବ୍ୟସ୍ତ ହୋଇ ଘରକୁ ଦଉଡ଼ିବା ମାନେ ଆହୁରି ଗୋଟିଏ ବିରାଟ ଅନିଶ୍ଚିତତା। ତା’ଛଡା ତାଙ୍କର ମନେ ହେଲା ଯେ ତାଙ୍କର ମଧ୍ୟ କମ୍ପାନି ପାଇଁ ଗୋଟିଏ ଦାୟିତ୍ବ ରହିଛି। ଯେଉଁ କମ୍ପାନି ତାଙ୍କ ପାଇଁ ଏତେ କରି ଆସିଛି, ଅସୁବିଧା ସମୟରେ ତାକୁ ପାଦରେ ଆଡ଼େଇ ଦେବା କ’ଣ ଠିକ୍‌ ହେବ?

ତେଇଶ ବର୍ଷ ବୟସର ଗାଁ ଝିଅ ସୁମତୀଙ୍କ ଚିନ୍ତାଧାରା ସ୍ପଷ୍ଟ। ସେ କହନ୍ତି, ‘ମୁଁ ଚାକିରି କରିବାକୁ ଆସିନାହିଁ ା ଆସିଛି କ୍ୟାରିଅର ଗଢ଼ିବାକୁ।’
ତାଙ୍କର ଚିନ୍ତାଶୈଳୀ ମୋତେ ଅବାକ୍‌ କରିଦେଲା। ମୋତେ ବୁଝାଇବା ଭଳି ସୁମତୀ କହିଥିଲେ, ‘ଆମେ ସବୁବେଳେ ପଛ କଥାରେ ବିଚଳିତ ହୋଇଯାଉ। କିମ୍ବା ଅଜଣା ଭବିଷ୍ୟତର ଅନିଶ୍ଚିତତା କଥା ଭାବି ଭାବି ମନକୁ ଭାରାକ୍ରାନ୍ତ କରିଦେଉ। ମୁଁ କିନ୍ତୁ ସବୁବେଳେ ବର୍ତ୍ତମାନ କଥା ଭାବେ। ବର୍ତ୍ତମାନ ହିଁ ମୋ’ର ସର୍ବସ୍ବ। ବର୍ତ୍ତମାନ ଉପରେ ହିଁ ମୋ’ର ସବୁ ଅଧିକାର। ମୁଁ ଯଦି ବର୍ତ୍ତମାନକୁ ମୋ’ର ସବୁକିଛି ସମର୍ପିତ କରିଦିଏ, ଭବିଷ୍ୟତ ମୋ ପାଇଁ ମନକୁ ମନ ସବୁ ବନ୍ଦ କବାଟ ଖୋଲିଦେବ। ପ୍ରଥମେ ପାଦଟିଏ ମୁଁ ଚାଲିବି। ତା’ପରେ ବିଧାତା ନିଶ୍ଚୟ ମତେ ଦୁଇ ପାଦ ଆଗେଇ ନେବ।’
(ବିଶ୍ବ ଯୁବ-କୌଶଳ ଦିବସ ଉପଲକ୍ଷେ)
ଅଧ୍ୟକ୍ଷ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଭୁବନେଶ୍ବର

ସମ୍ବନ୍ଧିତ ଖବର