ଭାରତ ଏଭଳି ସ୍ବରରେ ପରିପୂର୍ଣ୍ଣ ହୋଇଯାଇଛି ସତେ ଯେପରି ସମଗ୍ର ଦେଶରେ ଆତଙ୍କ ଖେଳିଯାଇଛି। ଚାରି ଆଡୁ ସେ ସ୍ବର ଆସିବାରେ ଲାଗିଛି। କେହି କାହାକୁ ଦେଖୁନାହାନ୍ତି କି ଭାବୁନାହାନ୍ତି ଯେ କିଏ କାହା କଥା ଶୁଣୁଛି। କହୁଥିବା ଲୋକମାନେ ନିଜ କ’ଣ କହୁଛନ୍ତି ସେ ବାବଦରେ ସଚେତନ ନାହାନ୍ତି। ୨୦୧୪ରେ ଗଠିତ ଭାରତ ସରକାର ନିର୍ବାଚନୀ ବଣ୍ଡ୍ର ଯୋଜନା ଆଣିଥିଲେ। ତାହା ଅନ୍ଧାରରେ କଳା ପୋଷାକ ପିନ୍ଧି ଲୁଟିବା ପାଇଁ ଏକ ସାଂବିଧାନିକ ଯୋଜନା ଥିଲା, ଯାହା ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପ୍ରସ୍ତୁତ କରିଥିଲେ। ତାହାର ଗୁଣ, ଦୋଷଦୁର୍ବଳତା ଓ ବୈଧାନିକତା ଉପରେ ପ୍ରଶ୍ନ କରିଥିବା ଯାଚିକା ବର୍ଷ ବର୍ଷ ଧରି ସୁପ୍ରିମ୍ କୋର୍ଟଙ୍କ ପାଖରେ ପଡ଼ିରହିଛି। କି ଅଜବ କଥା- ଏପରି ସାଂବିଧାନିକ ମାମଲା, ଯାହା ସହ ଦେଶର ବର୍ତ୍ତମାନ ଓ ଭବିଷ୍ୟତର ନିର୍ଣ୍ଣାୟକ ସମ୍ପର୍କ ରହିଛି, ତାହା ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚି ତ ଗଲା, ମାତ୍ର ମାନ୍ୟବର ଅଦାଲତ ପ୍ରାଥମିକତା ଭିତ୍ତିରେ ତାହାର ଶୁଣାଣି କରିନାହାନ୍ତି। ଏ ବାବଦରେ କେହି କେହି ପଚାରିପାରନ୍ତି- ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଯଦି କିଛି ସଦସ୍ୟଙ୍କର ବୈଧତା ପ୍ରସଙ୍ଗକୁ ରାଜନୈତିକ କାରଣରୁ ବର୍ଷ ବର୍ଷ ଧରି ଝୁଲାଇ ରଖିବା ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ‘ଆପଣ ତାହାକୁ ଏପରି ଅନିର୍ଦ୍ଦିଷ୍ଟ କାଳ ଯାଏ ରୋକି ରଖି ପାରିବେ ନାହିଁ ଏବଂ ସେପରି କଲେ ଆମେ ନିର୍ଦ୍ଦେଶ ଜାରି କରିବୁ’ ବୋଲି କହି ଧମକାଇ ପାରନ୍ତି, ତେବେ ସୁପ୍ରିମ୍ କୋର୍ଟ ଏଡ଼େ ଗୁରୁତ୍ବପୂର୍ଣ୍ଣ ମାମଲାକୁ କେତେ ଦିନ ଧରି ବିଚାରାଧୀନ ରଖିବେ? ସେଥିପାଇଁ କ’ଣ କେହି ଉତ୍ତରଦାୟୀ ହେବେନି? କୌଣସି ରାଜନୈତିକ ଅବା ସାଂବିଧାନିକ ଅନୁଷ୍ଠାନ ଏ କଥା ଭୁଲିଯିବା ଉଚିତ ନୁହେଁ କି, ଅନ୍ତତଃ ଆମେ ସମସ୍ତେ ଏହି ସଂବିଧାନର ସନ୍ତାନ ଏବଂ ଏହି ସଂବିଧାନ ହେଉଛି ଭାରତର ଜନତାଙ୍କର ସନ୍ତାନ। କେବଳ ଜନତା ସର୍ବୋପରି ଯାହା ପ୍ରତି ସଂବିଧାନ ଅନୁଯାୟୀ ସମସ୍ତେ ଉତ୍ତରଦାୟୀ।
ତଥାପି କେଉଁ ବ୍ୟକ୍ତି କେଉଁ ଦଳକୁ କେତେ ଅର୍ଥରାଶି ଦେଇଛି, ତାହା ଜାଣିବାର ଅଧିକାର ଭାରତର ଜନତାଙ୍କର ନାହିଁ ବୋଲି ସର୍ବୋଚ୍ଚ ଅଦାଲତରେ ଛିଡ଼ା ହୋଇ ଆଟର୍ନି ଜେନେରାଲ ଆର୍. ଭେଙ୍କଟରମଣି କିପରି ଏକ ଲିଖିତ ବୟାନ ଦେଇପାରିଲେ? ଯେଉଁ ସରକାର ଲୋକଙ୍କ ଭୋଟରେ ଗଠିତ ଏବଂ ଜନତାଙ୍କ ଟଙ୍କାରେ ପରିଚାଳିତ, ସେହି ସରକାରଙ୍କ ଆଇନଗତ ପ୍ରତିନିଧି ଯଦି କହନ୍ତି ଯେ ଲୋକଙ୍କ ପଇସାକୁ କିଏ କେମିତି ଖର୍ଚ୍ଚ କରୁଛି, ତାହା ଜାଣିବାର ଅଧିକାର ସେମାନଙ୍କର ନାହିଁ, ତାହାର ଅର୍ଥ ହେଲା ସେ କହୁଛନ୍ତି ଯେ ଜନତାଙ୍କର କୌଣସି ମର୍ଯ୍ୟାଦା ନାହିଁ। ସେହି ଭେଙ୍କଟରମଣି ମହାଶୟଙ୍କୁ ମାସିକ ଦରମା ଏହି ଜନତା ଦେଉଛନ୍ତି ଏବଂ ଅଦାଲତର ସମସ୍ତ ବ୍ୟବସ୍ଥା ଏଇ ଲୋକଙ୍କ ପଇସାରେ ହିଁ ଚାଲୁଛି। ସୁତରାଂ ଅଦାଲତରେ ଛିଡ଼ା ହୋଇ ଏପରି କହିବା ହେଉଛି ମୂଢ଼ତା ଅଥବା ଅହଂକାରର ପ୍ରମାଣ। ଏହା ଦେଶବାସୀଙ୍କର ସାର୍ବଭୌମତ୍ବ ଉପରେ ଆକ୍ରମଣ କହିଲେ ଅତ୍ୟୁକ୍ତି ହେବନାହିଁ। ତାହାଠୁ ବଳି ଆଶ୍ଚର୍ଯ୍ୟର କଥା ହେଉଛି, ଦେଶର ସର୍ବୋଚ୍ଚ ଅଦାଲତ ଏପରି ସରକାରୀ ଅହଂକାରକୁ ଶୁଣନ୍ତି ଏବଂ ଚୁପ୍ ରହନ୍ତି।
ଏଠାରେ ବଡ଼ ପ୍ରଶ୍ନ ହେଉଛି, ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅର୍ଥରାଶି କେଉଁଠୁ ମିଳିଥାଏ? ଏହା ହେଉଛି ଆର୍ଥିକ ଓ ରାଜନୈତିର ଭ୍ରଷ୍ଟାଚାରର ଗଙ୍ଗୋତ୍ରୀ। ତେଣୁ ପ୍ରଶ୍ନ ଉଠେ ଯେ ନିର୍ବାଚନୀ ବଣ୍ଡ୍ ଯୋଜନା ନିର୍ବାଚନରେ ଧନପତିମାନଙ୍କର ହସ୍ତକ୍ଷେପକୁ ରୋକିଥାଏ କି? ରାଜନୈତିକ ଦଳଗୁଡ଼ିକ ସଚ୍ଚୋଟ ହୋଇନଥିବାରୁ ଏହି ହସ୍ତକ୍ଷେପକୁ କାବୁ କରିବା ପାଇଁ ଅଦ୍ୟାବଧି କୌଣସି ଉଦ୍ୟମ ପ୍ରଭାବୀ ହୋଇପାରିନାହିଁ। ସେଥିପାଇଁ ଉପାୟ ଖୋଜିବାର ଆବଶ୍ୟକତା ଥିଲା। ତେଣୁ ନିର୍ବାଚନୀ ବଣ୍ଡ୍ ଯୋଜନା ସାମନାକୁ ଆସିଲା। ଏହା ଏପରି ଏକ ଅନୈତିକ ଯୋଜନା, ଯାହା ବେଇମାନିକୁ ଆଇନସମ୍ମତ କରିଦେଇଛି। ଦାତା କିଏ, ତାହା ଜଣା ପଡ଼ିବନି। ତାହା ଜାଣିବାର ଅଧିକାର ବି ଆପଣଙ୍କର ନାହିଁ। ଯେଉଁମାନେ ଏହାର ରହସ୍ୟ ଜାଣନ୍ତି, ସେମାନେ ଖେଳରେ ଭାଗୀଦାର ହୁଅନ୍ତି। ଏ ପ୍ରକାର ତଥ୍ୟ-ଗୋପନୀୟତା ଜନମତକୁ ପରାସ୍ତ କରିବା ଲାଗି ଧନଶାଳୀଙ୍କୁ ଅସାଂବିଧାନିକ ଅଧିକାର ଦେଇଥାଏ। ଏହା ଦ୍ବାରା ଦାତାମାନଙ୍କୁ କ୍ଷମତାର ବରାଭୟ ମିଳିଥାଏ। ସେଥିପାଇଁ ତ ୨୦୧୪ ପରଠାରୁ ଭାରତୀୟ ଜନତା ପାର୍ଟିକୁ ବିପୁଳ ପରିମାଣର ଅର୍ଥରାଶି ମିଳିଆସୁଛି। ଅନ୍ୟ ଦଳଗୁଡ଼ିକର ଅବସ୍ଥା ସୁଦାମା ପରି। ଏହା ଭାରତୀୟ ଜନତା ପାର୍ଟିର ଚମତ୍କାରିତା ନୁହେଁ, ବରଂ ଶାସନ କ୍ଷମତାର ଚମତ୍କାରିତା। କାଲିକି ଆଉ କେଉଁ ଦଳ ଶାସନ କ୍ଷମତାକୁ ଆସିବ ତ ସମସ୍ତ ଧନରାଶି ତାହାରି ପାଖକୁ ଯିବ। ଏପରି ବ୍ୟବସ୍ଥା ନୈତିକ ନୁହେଁ କି, ଗଣତାନ୍ତ୍ରିକ ଅବା ସାଂବିଧାନିକ ନୁହେଁ। ନିର୍ବାଚନୀ ବଣ୍ଡ୍ ଏପରି ଏକ ପଦକ୍ଷେପ ଥିଲା, ଯାହାକୁ ଲୋକତାନ୍ତ୍ରିକ ସଂବିଧାନର ସୁରକ୍ଷା ପାଇଁ ସାଂବିଧାନିକ ଶପଥ ନେଇଥିବା ନ୍ୟାୟପାଳିକା ନିରସ୍ତ୍ର କରିଦେବା କଥା। ଅଥଚ, ଏବେ ପ୍ରତିବନ୍ଧକବିହୀନ ସରକାର ସାମନାକୁ ଆସି କହୁଛନ୍ତି କି, ଶାସନ ଓ ଧନପତି ମିଶି କେଉଁ ଖେଳ ଖେଳୁଛନ୍ତି, ତାହା ଜାଣିବାର ଅଧିକାର ଲୋକଙ୍କର ନାହିଁ। କି ବିଡ଼ମ୍ବନା! ୟୁଏପିଏ ଆଇନ ଯେଭଳି ଭାବରେ ଅଦାଲତର ସାଂବିଧାନିକ ଅଧିକାରକୁ ଅସମ୍ମାନ କରେ, ନିର୍ବାଚନୀ ବଣ୍ଡ୍ ମଧ୍ୟ ଅନୁରୂପ ଭାବେ ତାହାକୁ ପରିହାସ କରୁଛି। କିଛି ଶବ୍ଦ ପ୍ରଧାନମନ୍ତ୍ରୀଙ୍କ ଅଭିଧାନର ବାହାରେ ରହିଛି। ମଣିପୁର ସେଭଳି ଏକ ଶବ୍ଦ। ଗୃହ ମନ୍ତ୍ରାଳୟ ନିଜ ଶବ୍ଦକୋଷରୁ ସେ ଶବ୍ଦକୁ ବାହାର କରିଦେଇଛନ୍ତି। ସେଠାରେ କ’ଣ ଘଟୁଛି ଓ କାହିଁକି ଘଟୁଛି- ସେଇ ପ୍ରଶ୍ନ କିଏ ବା କାହାକୁ ପଚାରୁଛି? ଉଭୟ ଛାପା ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମ ଆଉ ଦେଶର କୌଣସି ସ୍ଥାନରେ ବଞ୍ଚି ରହିନାହାନ୍ତି। ଗଣମାଧ୍ୟମ ନାଁରେ କ୍ଷମତାର ପାକୁଳି କରୁଥିବା ବ୍ୟାବସାୟିକ ସଂସ୍ଥାମାନ ଅଛନ୍ତି, ଯେଉଁମାନେ ଖବରକାଗଜକୁ ତ ପ୍ରଦୂଷିତ କରୁଛନ୍ତି, ଦେଶର ମନକୁ ମଧ୍ୟ କଳୁଷିତ କରୁଛନ୍ତି। ଆଜି ଯୁଦ୍ଧରତ ଗାଜା ପଟିରେ ଆମର ଏଠାରୁ ଭଲ ସାମ୍ବାଦିକତା କରାଯାଉଛି।
ଯେତେବେଳେ ମଣିପୁର ବାବଦରେ କିଛି ନ କହିବାକୁ ନିର୍ଦ୍ଦେଶ ରହିଛି, ସେତେବେଳେ ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ପି.ସି. ନାୟର ମଣିପୁର ବିଷୟରେ କହୁଛନ୍ତି! ସେନା ଆଉ ପୁଲିସ କୌଣସି ରାଜନୈତିକ ବିବୃତି ନ ଦେବା ଏକଦା ଏକ ପରମ୍ପରା ଥିଲା। ଏ ବାବଦରେ ସେମାନଙ୍କର ଏକ ଅଲିଖିତ ସାଂବିଧାନିକ କଟକଣା ଥିଲା। କିନ୍ତୁ ଏବେକାର ନୂଆ ଧାରା ଏପରି ହୋଇଯାଇଛି ଯେ, ବୈଦେଶିକ ପ୍ରସଙ୍ଗରେ ସେନା ନୀତିଗତ ବିବୃତି ଦେଉଛି। ଆଜି ପୁଲିସ ଅଧିକାରୀ ମଣିପୁରର ଅତୀତ-ଭବିଷ୍ୟତ ଓ ବର୍ତ୍ତମାନର ଚିତ୍ର ଆଙ୍କୁଛନ୍ତି। ଯେତେବେଳେ ‘ଲୋକତନ୍ତ୍ର’ରୁ ଲୋକ ଶେଷ ହୋଇଯାଏ, ସେତେବେଳେ ‘ତନ୍ତ୍ର’ ନିଜର ପ୍ରତିଧ୍ବନିରେ ଆକାଶ କମ୍ପାଇଦିଏ। ସେ କେବଳ ନିଜ କଥା ଶୁଣେ ଓ ଶୁଣାଏ।ନାୟର ସାହେବ କହୁଛନ୍ତି କି, ମଣିପୁର ଧୀରେ ଧୀରେ ଶାନ୍ତି ଆଡ଼କୁ ଫେରୁଛି। ସେ ଏଥିପାଇଁ ବହୁତ ଚିନ୍ତିତ। ଆମେ ଆଶା କରୁଛୁ, ମଣିପୁରରୁ ବହୁ ପରିମାଣରେ ଲୁଟ୍ ହୋଇଥିବା ଅସ୍ତ୍ର ଭୁଲ୍ ହାତରେ ନ ପଡୁ। ରାଜ୍ୟ ସରକାର କହୁଛନ୍ତି କି, ସରକାରୀ ଅସ୍ତ୍ର ଭଣ୍ଡାରରୁ ଲୁଟ୍ ହୋଇଥିବା ଅସ୍ତ୍ରର ଏକ-ଚତୁର୍ଥାଂଶ ବି ଫେରି ନାହିଁ। ନାୟର ସାହେବ କହୁଛନ୍ତି କି, ଯଦି ଏହି ଅସ୍ତ୍ରଗୁଡ଼ିକ ନ ଫେରେ, ତେବେ ତାହାର ଅର୍ଥ ହେବ କି, ସେଗୁଡ଼ିକ ଭୁଲ୍ ହାତକୁ ଚାଲିଯାଇଛି। ସେଥି ମଧ୍ୟରୁ ଅନେକ ଅସ୍ତ୍ରଶସ୍ତ୍ର ଉଗ୍ରବାଦୀଙ୍କ ହାତରେ ପଡ଼ିଥାଇପାରେ। ସେ ଗଭୀର ବିଶ୍ଳେଷଣ କରି ପୁଣି କହୁଛନ୍ତି କି, ଏହି ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଉଗ୍ରବାଦ ପୁଣି ମୁଣ୍ଡ ଟେକିପାରେ। ତାଙ୍କୁ ଏକଥା ପଚାରିବା ଉଚିତ୍ ହେବ କି, ଯଦି ସରକାରୀ ଗୋଦାମରୁ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଛି, ତେବେ ଆପଣଙ୍କ ଚାକିରି ଏଯାଏ ସୁରକ୍ଷିତ ହୋଇ ରହିଛି କିପରି? ତାଙ୍କୁ ଏକଥା ମଧ୍ୟ ପଚାରିବା ଉଚିତ ହେବ କି, ଯଦି ସରକାରୀ ଗୋଦାମରୁ ଅସ୍ତ୍ରଶସ୍ତ୍ର ଲୁଟ୍ ହେବା କଥା ସତ, ତେବେ ଚାବି ଭୁଲ୍ ହାତରେ ଥିଲା ବୋଲି ଏହା ପ୍ରମାଣିତ କରୁନାହିଁ କି? ନାୟର ସାହେବଙ୍କ ପରି ଅଧିକାରୀମାନେ ବଡ଼ ପଦରେ ଏଥିପାଇଁ ରହିଛନ୍ତି ଯେ ସେମାନେ ଭୁଲ୍ ଆଉ ଠିକ୍ର ଫରକ କରିପାରିବେ। ଅସ୍ତ୍ରଶସ୍ତ୍ର ଉଗ୍ରବାଦୀଙ୍କ ପାଖରେ ପହଞ୍ଚି ଯାଇଥିବା ଆଶଙ୍କାରେ ସେମାନେ କାନ୍ଦୁଛନ୍ତି। ଏହାର ଅର୍ଥ କ’ଣ ଅସ୍ତ୍ରଶସ୍ତ୍ର ଉଗ୍ରବାଦୀ ଓ ଶାନ୍ତିବାଦୀ- ଏ ଦୁଇ ପ୍ରକାର ଲୋକଙ୍କ ହାତକୁ ଚାଲିଯାଇଛି? ଏହା ହେଉଛି ସମସ୍ୟାର ମୂଳ।
ଆଦିବାସୀମାନଙ୍କ ମଧ୍ୟରେ ସଂଘର୍ଷର ଇତିହାସ ବହୁ ପୁରୁଣା। ଆମ ସମାଜରେ ଜାତୀୟ ସଂଗଠନଗୁଡ଼ିକରେ ପାରସ୍ପରିକ ବିବାଦ ହେଉଛି ତାହାର ଆଧୁନିକ ସଂସ୍କରଣ। ମଣିପୁରରେ ମଧ୍ୟ ମୈତେଇ ଓ କୁକି ଲୋକଙ୍କ ମଧ୍ୟରେ ଏହା ପ୍ରଥମ ସଂଘର୍ଷ ନୁହେଁ। ତେବେ ଏଥର ଏମିତି କ’ଣ ହେଲା ଯେ, ସଂଘର୍ଷର ସ୍ବରୂପ ଏତେ ଭୟଙ୍କର ଓ ଏତେ ଦୀର୍ଘକାଳୀନ ହୋଇଗଲା? ମଣିପୁରର ଏହି ଦୁଇ ଗୋଷ୍ଠୀର ବିବାଦ ଯଦି ଘରୋଇ ଓ ବିଦେଶୀ ଅସ୍ତ୍ରଶସ୍ତ୍ରର ସଂଘର୍ଷରେ ପରିଣତ ହୁଏ, ତେବେ ଦେଶ ପାଇଁ ନାୟର ସାହେବଙ୍କ ଭଳି ବ୍ୟକ୍ତିଙ୍କର ଆବଶ୍ୟକତା କ’ଣ? କୌଣସି ଗୋଟିଏ ଦଳ ପକ୍ଷରୁ ଖେଳିବା ସେନା-ପୁଲିସର କାମ ନୁହେଁ, ହିଂସାକୁ ଦମନ କରିବା ହେଉଛି ସେମାନଙ୍କର କାମ। ସେହି ରାସ୍ତାରେ ଯିଏ ବି ଆସୁ ନା କାହିଁକି, ତା’କୁ ସମାନ କଠୋରତାର ସହ ଦମନ କରିବା ଆବଶ୍ୟକ। ନାୟର ସାହେବ ଏ କଥାକୁ ଏପରି ଲୁଚାଇବାକୁ ଚାହୁଁଛନ୍ତି ସତେ ଯେମିତି ଅସ୍ତ୍ରଶସ୍ତ୍ର କେବଳ ଲୁଟ୍ କରାଯାଇ ନାହିଁ, ସେଗୁଡ଼ିକୁ ବଣ୍ଟାଯାଇଛି ମଧ୍ୟ। କାହାକୁ ଶାସନ କ୍ଷମତାର ସାହାରା ମିଳୁଛି ତ କାହାକୁ ବାହାର ଶକ୍ତି ଉସୁକାଉଛନ୍ତି। ସେମାନଙ୍କ ଭିତରେ ହିନ୍ଦୁସ୍ଥାନ ପେଷି ହେଉଛି।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ