ଲକ୍ଷ୍ମୀଧର ମିଶ୍ର
ସ୍ବାଧୀନତା କହିଲେ ଆମେ ସାଧାରଣତଃ ରାଜନୀତିକ, ଅର୍ଥନୀତିକ, ସାମାଜିକ, ନ୍ୟାୟିକ ଓ ପ୍ରଶାସନିକ ସ୍ବାଧୀନତା ବୋଲି ବୁଝିଥାଉଁ। ସ୍ବାଧୀନତା ମଧ୍ୟ ବ୍ୟକ୍ତିକୈନ୍ଦ୍ରିକ ଓ ସମଷ୍ଟିଗତ ତଥା ସାମୂହିକ ସ୍ବାଧୀନତା ହୋଇପାରେ। ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା ପ୍ରଫେସର ଅମର୍ତ୍ତ୍ୟ ସେନ ସ୍ବାଧୀନତାକୁ ସାମଗ୍ରିକ ବିକାଶ ପ୍ରକ୍ରିୟାର ଏକ ହେତୁ ଓ ପରିଣାମ ଦୃଷ୍ଟିରେ ଦେଖିଛନ୍ତି (ଡେଭଲପ୍ମେଣ୍ଟ ଅାଜ୍ ଫ୍ରିଡମ୍, ୧୯୯୯)। ବାସ୍ତବରେ ଦେଖିଲେ ସ୍ବାଧୀନତାର ପରିସର ଅତ୍ୟନ୍ତ ବ୍ୟାପକ। ସ୍ଥାନୀୟ ପୃଷ୍ଠଭୂମିରେ ଦୁଇ ଗୋଟି ଉଦାହରଣ ମାଧ୍ୟମରେ ମୁଁ ଏହି ପରିସରକୁ ଅନୁଧ୍ୟାନ କରି କେତେଗୁଡ଼ିଏ ନିଷ୍କର୍ଷରେ ପହଞ୍ଚିବା ପାଇଁ ପ୍ରୟାସ କରିବି।
ସମୟ ୧୯୬୩ରୁ ୧୯୬୬ ମସିହା। ପ୍ରଖ୍ୟାତ କବି, ପ୍ରବନ୍ଧକ, କ୍ଷୁଦ୍ରଗଳ୍ପ ଲେଖକ, କଳା ଐତିହାସିକ ଓ ଚିତ୍ରକାର ଜଗନ୍ନାଥ ପ୍ରସାଦ ଦାସ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାପାଳ ଥାଆନ୍ତି। କଳାହାଣ୍ଡି ଆମ ରାଜ୍ୟରେ ଏକ ଅନଗ୍ରସର, ମରୁଡ଼ି ପ୍ରପୀଡ଼ିତ, ଦରିଦ୍ର ଓ ପଳାୟନ ଅଭିମୁଖୀ ବାସିନ୍ଦାଙ୍କ ଜିଲ୍ଲା ଭାବେ ବହୁ ଦିନରୁ ଜଣା। ୧୯୬୫ର ମଧ୍ୟଭାଗରେ ଅତ୍ୟନ୍ତ ଅନୁଭବୀ ଓ ଦରଦୀ ଜିଲ୍ଲାପାଳ ଭାବେ ସେ ହୃଦୟଙ୍ଗମ କଲେ ଯେ ଅଗଷ୍ଟ ମାସର ଅଧା ପର୍ଯ୍ୟନ୍ତ ଖୁବ୍ କମ୍ ବର୍ଷା ହୋଇଛି, ଧାନ ଚାଷର ଅବସ୍ଥା ଭଲ ନାହିଁ ଓ ଏହି କାରଣରୁ ସାରା ଜିଲ୍ଲାରେ ଏକ ଉତ୍କଟ ଅନଟନ ପରିସ୍ଥିତି ଉପୁଜିଛି। ଚାହିଦା ଅନୁଯାୟୀ ଯଥେଷ୍ଟ ପରିମାଣର ଚାଉଳ ଲୋକମାନଙ୍କ ପାଖରେ ନାହିଁ। ସ୍ଥିତିକୁ ନିୟନ୍ତ୍ରଣ ନ କଲେ ଅବସ୍ଥା ଅସମ୍ଭାଳ ହେବ- ଏହା ସେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିଲେ ଓ ଅନୁଧ୍ୟାନ କଲେ ଯେ ଜିଲ୍ଲା ଭିତରୁ ଚାଉଳ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଉ। ପ୍ରତ୍ୟୁତ୍ତରରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ତାଙ୍କୁ ଲେଖିଲେ, ‘କଳାହାଣ୍ଡି ବାହାରକୁ ଚାଉଳ ପଠାଯିବା ପ୍ରକ୍ରିୟା ଅବ୍ୟାହତ ରହିବ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ରେଲୱେ ଷ୍ଟେସନ ମାଷ୍ଟର ଓ ଯୋଗାଣ ବିଭାଗର ଅଧସ୍ତନ କର୍ମଚାରୀମାନଙ୍କୁ ପଠାଇଥିବା ନିର୍ଦ୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।’
ଏ ଉଦାହରଣଟି ପାଠକମାନଙ୍କର ସାମନାରେ ରଖିବାର ତାତ୍ପର୍ଯ୍ୟ ହେଉଛି: ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ପ୍ରଶାସନିକ ଅଧିକାରୀ। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅବାଧ, ସହଜ ଓ ସମୟୋଚିତ ଯୋଗାଣ ସୁନିଶ୍ଚିତ କରିବା ତାଙ୍କର ପ୍ରମୁଖ ଦାୟିତ୍ବ। ଖାଦ୍ୟ ସାମଗ୍ରୀର ଉତ୍ପାଦନ, ସଂରକ୍ଷଣ ଓ ସୁଷମ ବଣ୍ଟନ ପ୍ରଣାଳୀ କ୍ଷେତ୍ରରେ ତାଙ୍କୁ ସଂପୂର୍ଣ୍ଣ ସ୍ବାଧୀନତା ଦେବା ରାଜ୍ୟ ସରକାରଙ୍କ ପକ୍ଷରେ ଅନିବାର୍ଯ୍ୟ। ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ଉପେକ୍ଷା କରି ଧାନ ଓ ଚାଉଳ ବାହାରକୁ ଚାଲାଣ କଲେ, ତାହା ଅବୈଧ ହେବ, ଚୋରା କାରବାରକୁ ପ୍ରୋତ୍ସାହିତ କରିବ, ଜିଲ୍ଲାରେ ଉତ୍କଟ ଖାଦ୍ୟାଭାବ ପଡ଼ିବ; ଜିଲ୍ଲାବାସୀ, ବିଶେଷତଃ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକେ ତୀବ୍ର ବୁଭୁକ୍ଷା, ଅନାହାର ଓ ଅନାହାରଜନିତ ମୃତ୍ୟୁର ଶିକାର ହେବେ।
ଫେବ୍ରୁଆରି ୧୯୬୬ରେ ତଦନାନ୍ତୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବଲାଙ୍ଗୀରର ବଙ୍ଗୋମୁଣ୍ଡା ଓ କଳାହାଣ୍ଡିର ଖରିଆର ଗସ୍ତ ସମୟରେ ମରୁଡ଼ି ଓ ଖାଦ୍ୟ ଅନଟନ ଯୋଗୁଁ ବୁଭୁକ୍ଷିତ ଲୋକମାନଙ୍କର ଶୋଚନୀୟ ଅବସ୍ଥା ଦେଖିବାକୁ ପାଇଥିଲେ। ଆମ ରାଜ୍ୟରେ ‘ମା’ ବୋଲି ପଦବାଚ୍ୟ ପୂଜନୀୟା ରମା ଦେବୀ ମଧ୍ୟ ସେହି ସମୟରେ କଳାହାଣ୍ଡି ଜିଲ୍ଲା ଗସ୍ତ କରି ତାଙ୍କର ତିକ୍ତ ଅନୁଭୂତି ଆଧାରିତ ଏକ ବିସ୍ତୃତ ବିବରଣୀ ରାଜ୍ୟ ସରକାରଙ୍କୁ ଦେଇଥିଲେ। ଏ ସମସ୍ତ ସତ୍ତ୍ବେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଜିଲ୍ଲାପାଳଙ୍କ ପାଖକୁ ପଠେଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର କରି ନ ଥିଲେ।
ଯେଉଁ ବ୍ୟକ୍ତି ବାସ୍ତବରେ ସ୍ବାଧୀନ ସେ କେବେ ଅସ୍ଥିର, ଅଶାନ୍ତ, ଦ୍ବିଧାଗ୍ରସ୍ତ, ସଂଶୟାକୁଳ ଓ ଦୋଦୁଲ୍ୟମାନ ହେବ ନାହିଁ। ତାଙ୍କର ଆଚାର, ବ୍ୟବହାର ଓ ମନୋବୃତ୍ତି ସର୍ବଦା ସକାରାତ୍ମକ ହେବ।
ଏହା ଥିଲା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତି, ଯାହାର ଆଧାରରେ ପ୍ରସିଦ୍ଧ ସାମ୍ବାଦିକ, ଲେଖକ, ବାଗ୍ମୀ ପି. ସାଇନାଥ ‘ଏଭ୍ରିୱାନ ଲଭ୍ସ ଏ ଗୁଡ ଡ୍ରାଉଟ୍’ ବା ‘ମରୁଡ଼ି ପଡ଼ିଲେ ସଭିଙ୍କ ମଉଜ’ (୨୦୦୬) ନାମରେ ଏକ ଅନ୍ତର୍ଭେଦୀ ପୁସ୍ତକ ରଚନା କରିଛନ୍ତି। ମୋର ଦ୍ବିତୀୟ ଉଦାହରଣଟି ଶିଶୁ ଶ୍ରମ ସମ୍ବନ୍ଧିତ ଓ ଏ ସଂକ୍ରାନ୍ତରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏମ୍. ସି. ମେହେଟା ବନାମ କେନ୍ଦ୍ର ସରକାର (୧୯୯୬)ଙ୍କ ଦ୍ବାରା ଦିଆଯାଇଥିବା ଐତିହାସିକ ରାୟର ପରିପାଳନ ଓ ଉଲ୍ଲଂଘନକୁ କେନ୍ଦ୍ର କରି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଦେଇଥିବା ଅନେକଗୁଡ଼ିଏ ନିର୍ଦ୍ଦେଶ ମଧ୍ୟରୁ ଗୋଟିଏ ଥିଲା ଯେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏକ ସର୍ବେକ୍ଷଣ କରିବେ, ତା’ ମାଧ୍ୟମରେ ୧୪ ବର୍ଷ ବା ତା’ଠାରୁ କମ୍ ବୟସର ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରି ଗଣନା କରିବେ, ଏହି ପ୍ରକ୍ରିୟା ଛ’ ମାସ ମଧ୍ୟରେ (୧୦.୧୨.୯୬ରୁ ୧୦.୬ ୯୭) ସଂପୂର୍ଣ୍ଣ ହେବ ଓ ସାଂଖିକୀୟ ଆକଳନ ଆଧାରରେ ଶିଶୁ ଶ୍ରମିକମାନଙ୍କର ପୁନର୍ବାସ ବା ଥଇଥାନ କରାଯିବ।
ମୁଁ ଏହି ସମୟରେ କେନ୍ଦ୍ର ଶ୍ରମ ସଚିବ ଥାଏ ଓ ଆମ ରାଜ୍ୟରେ ଡକ୍ଟର ଅଜିତ କୁମାର ତ୍ରିପାଠୀ (ଗୌତମ ବୁଦ୍ଧ ଓ ଜୟଦେବଙ୍କ ଜନ୍ମ ଓ ଜୀବନ ଦର୍ଶନ ଉପରେ ପ୍ରଖ୍ୟାତ ଗବେଷକ) ଶ୍ରମ ସଚିବ ଥାଆନ୍ତି। ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠାରେ ତାଙ୍କ ନିର୍ଦ୍ଦେଶରେ ଏକ ସୁଚିନ୍ତିତ, ସମନ୍ବିତ ଓ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରି ସର୍ବେକ୍ଷଣ କରାଗଲା ଓ ଦୁଇ ଲକ୍ଷରୁ ଅଧିକ ଶିଶୁ ଶ୍ରମିକ ଚିହ୍ନିତ ହେଲେ। ତୃଣମୂଳ ସ୍ତରରେ ବାସ୍ତବ ସତ୍ୟର ଏହା ଥିଲା ଏକ ସଂପୂର୍ଣ୍ଣ ନିର୍ଭୁଲ୍ ଓ ବିଶ୍ବାସଯୋଗ୍ୟ ପ୍ରତିଫଳନ। ଏହି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରକ୍ରିୟାକୁ ଏକ ଅନୌପଚାରିକ ଅଥଚ ସମୟାବଦ୍ଧ, ଯୋଜନାବଦ୍ଧ ଓ ଶୃଙ୍ଖଳିତ ଢାଞ୍ଚାରେ ପରିଚାଳନା କରି ସଂପୂର୍ଣ୍ଣ ସତ୍ୟ ଆଧାରିତ ପରିଣାମକୁ ସେ ସାମନାକୁ ଆଣିଥିଲେ; ଯାହା ଥିଲା ଏକ ଉଚ୍ଚକୋଟୀର ପ୍ରଶଂସନୀୟ ପ୍ରୟାସ। ତେବେ, ଯାହା ସବୁଠାରୁ ସ୍ବାଗତଯୋଗ୍ୟ ଥିଲା, ତାହା ହେଲା ଏହି ଆହ୍ବାନଭରା ଦୁଃସାହସିକ କାର୍ଯ୍ୟ ପରିଚାଳନାରେ ତାଙ୍କର ସଂପୂର୍ଣ୍ଣ ସ୍ବାଧୀନତା ଥିଲା ଓ ତତ୍କାଳୀନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ସେ ସମସ୍ତ ପ୍ରୋତ୍ସାହନ ଓ ସମର୍ଥନ ପାଇଥିଲେ।
ମହାରାଷ୍ଟ୍ର ଅର୍ଥନୈତିକ ଦୃଷ୍ଟିରୁ ଏକ ବିକଶିତ ରାଜ୍ୟ। କିନ୍ତୁ ପରିତାପର ବିଷୟ ଯେ ଦ୍ରୁତ ଶିଳ୍ପାୟନ ବା ଉଦ୍ୟୋଗୀକରଣ ସହ ଶିଶୁ ଶ୍ରମିକମାନଙ୍କ ସଂଖ୍ୟା ଏହି ରାଜ୍ୟରେ ଅଧିକରୁ ଅଧିକ ହୋଇ ଚାଲିଛି। ସବୁଠାରୁ କ୍ଷୋଭର ବିଷୟ ଯେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶକୁ ସେହି ରାଜ୍ୟରେ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିଲା। ସେଠାକାର ସର୍ବେକ୍ଷଣ ପଦ୍ଧତି ଥିଲା ଭ୍ରମାତ୍ମକ ଓ ପରିଣାମ (ମାତ୍ର ୧୦,୦୦୦ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ) ଥିଲା ସତ୍ୟର ସଂପୂର୍ଣ୍ଣ ଅପଳାପ। ଅନ୍ୟାନ୍ୟ ରାଜ୍ୟମାନଙ୍କର ସ୍ଥିତି ମୋଟାମୋଟି ଭାବେ ମହାରାଷ୍ଟ୍ର ଭଳି ଥିଲା, ଯେଉଁଥି ପାଇଁ କେନ୍ଦ୍ର ନିର୍ଦ୍ଦେଶରେ ବାରମ୍ବାର ସର୍ବେକ୍ଷଣ କରିବାକୁ ପଡ଼ିଥିଲା। ନିଜ ପ୍ରତି, ସ୍ରଷ୍ଟାଙ୍କର ଶ୍ରେଷ୍ଠ ଅବଦାନ ଶିଶୁ ପ୍ରତି ଓ ସର୍ବୋପରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରତି ଏହା ଥିଲା ଏକ କୁଠାରାଘାତ।
ଏହି ଦୁଇଗୋଟି ଉଦାହରଣରୁ ଯେଉଁ ନିଷ୍କର୍ଷଗୁଡ଼ିକ ଆମ ସାମନାକୁ ଆସୁଛି, ତାହା ନିମ୍ନୋକ୍ତ ପ୍ରକାରର।
ପ୍ରଶାସନ, ଆଇନ ଶୃଙ୍ଖଳା ବଜାୟ ରଖିବା, ମାନବ ବିକାଶର ଧାରାକୁ ଆବ୍ୟାହତ ରଖିବା ଇତ୍ୟାଦି ଭଳି ଯେ କୌଣସି ବିଷୟ ହେଉ; ତାହାର ଦାୟିତ୍ବ ନେଇଥିବା ସଂସ୍ଥା ଓ ଅଧିକାରୀଙ୍କୁ କର୍ତ୍ତବ୍ୟ ନିର୍ବାହ ପ୍ରକ୍ରିୟାରେ ସମ୍ୟକ ସ୍ବତନ୍ତ୍ରତା ଦିଆଯିବା ବିଧେୟ, ଅନାବଶ୍ୟକ ହସ୍ତକ୍ଷେପ ନ କରି ମାର୍ଗ ଦର୍ଶନ, ପରିଦର୍ଶନ, ପର୍ଯ୍ୟବେକ୍ଷଣ ଓ ନିଷ୍କର୍ଷ ଓ ମୂଲ୍ୟାଙ୍କନ ମାଧ୍ୟମରେ କାର୍ଯ୍ୟାନ୍ବୟନ ପ୍ରକ୍ରିୟାକୁ ନିୟନ୍ତ୍ରିତ କଲେ ବାଂଛିତ ଫଳ ନିଶ୍ଚୟ ଉପଲବ୍ଧ ହେବ। ଦ୍ବିତୀୟରେ, ନିଷ୍ପତ୍ତି ନେବା ସମୟରେ ଠିକ୍ ଆକଳନ କରି ପ୍ରାସଙ୍ଗିକ ଓ ସଂପୂର୍ଣ୍ଣ ସତ୍ୟ ସୂଚନା ଆଧାରରେ ଆମ ସାମନାରେ ଥିବା ଅନେକଗୁଡ଼ିଏ ବିକଳ୍ପ ମଧ୍ୟରୁ ସର୍ବୋତ୍ତମକୁ ବାଛିବାକୁ ହେବ, ଯାହା ସମାଜ ଓ ଓ ସମୁଦାୟକୁ ଭଲ ଫଳ ଦେବ। ତୃତୀୟରେ, ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ବ୍ୟକ୍ତିର ମତ, ଆଦର୍ଶ ଓ କାର୍ଯ୍ୟ ପ୍ରଣାଳୀକୁ ସମ୍ମାନ ଦେଖାଇବା ଉଚିତ। ଯେଉଁ ବ୍ୟକ୍ତି ବାସ୍ତବରେ ସ୍ବାଧୀନ, ସେ ଘୃଣା, ହିଂସା, ଦ୍ବେଷ ଓ ପକ୍ଷପାତିତାରୁ ନିଜକୁ ସଂପୂର୍ଣ୍ଣ ମୁକ୍ତ କରି ରେଖ। ସେ ଉଦାରଚେତା, ସହନଶୀଳ ଓ କ୍ଷମା ପରାୟଣ ହେବା ମାନବିକତାର ପରିଚାୟକ ହେବ। ଚତୁର୍ଥ କଥା ହେଲା, ନିଷ୍ପତ୍ତି ନେବା ଅଥବା ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ସମୟରେ କୌଣସି ପ୍ରକାର ଚାପ, ପ୍ରଭାବ ଓ ପ୍ରତିବନ୍ଧକର ବଶବର୍ତ୍ତୀ ହେବା ଅନୁଚିତ। କାରଣ ସେ ସବୁ ଆଗରେ ନତମସ୍ତକ ହେବାର ଅର୍ଥ ହେଲା ଭ୍ରଷ୍ଟାଚାର ସହ ସାଲିସ କରିବା। ଏହା ମଧ୍ୟ ବ୍ୟକ୍ତିଗତ ଓ ସାମୂହିକ ସ୍ବାଧୀନତାର ପରିପନ୍ଥୀ। ପଞ୍ଚମରେ ଉପରିସ୍ଥ ଅଧିକାରୀ ନିମ୍ନସ୍ତରୀୟ ଅଧିକାରୀଙ୍କୁୁ ଲିଖିତ ନିର୍ଦ୍ଦେଶ ଦେବା ସ୍ପୃହଣୀୟ। ତେବେ, ଲିଖିତ ହେଉ ବା ମୌଖିକ ହେଉ; ଯଦି ନିର୍ଦ୍ଦେଶ ଅଯୌକ୍ତିକ, ଅପ୍ରାସଙ୍ଗିକ, ଅନୈତିକ, ଅସାଂବିଧାନିକ ଓ ଆଇନ ବିରୁଦ୍ଧ, ତେବେ ସେ ନେଇ ନିମ୍ନସ୍ତରୀୟ ଅଧିକାରୀ ଅତ୍ୟନ୍ତ ସୌଜନ୍ୟ ଓ ବିନମ୍ରତାର ସହ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଜରୁରି। ଷଷ୍ଠରେ ସମସ୍ତ ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ଏକ ସ୍ବଚ୍ଛ, ଉନ୍ମୁକ୍ତ ଓ ସମ୍ବେଦନଶୀଳ ବାତାବରଣ ମଧ୍ୟରେ ସମାହିତ ହେବା ସ୍ପୃହଣୀୟ। ଏହି ପ୍ରକ୍ରିୟାରେ ଦମନ କରିବା, ବଳପ୍ରୟୋଗ ଦ୍ବାରା ବାଧ୍ୟ କରିବା ବା ଅତ୍ୟଧିକ ନିୟନ୍ତ୍ରଣର ପରିବେଶ ସୃଷ୍ଟି କରିବା ଉଚିତ ନୁହେଁ। ଏହା ବ୍ୟକ୍ତିର ଆତ୍ମପ୍ରତ୍ୟୟ ଓ ସ୍ବାଭିମାନର ପରିପନ୍ଥୀ ହେବ। ଯେଉଁ ବ୍ୟକ୍ତି ବାସ୍ତବରେ ସ୍ବାଧୀନ ସେ କେବେ ଅସ୍ଥିର, ଅଶାନ୍ତ, ଦ୍ବିଧାଗ୍ରସ୍ତ, ସଂଶୟାକୁଳ ଓ ଦୋଦୁଲ୍ୟମାନ ହେବ ନାହିଁ। ତାଙ୍କର ଆଚାର, ବ୍ୟବହାର ଓ ମନୋବୃତ୍ତି ସର୍ବଦା ସକାରାତ୍ମକ ହେବ।
ସପ୍ତମରେ ଯେ କୌଣସି ସାଂବିଧାନିକ ବା ଆଇନସଂଗତ ବ୍ୟବସ୍ଥାକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇପାରେ। ଆମକୁ ଏ କଥା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଆମେ କରୁଥିବା ବିଶ୍ଳେଷଣ ରାଷ୍ଟ୍ରୀୟ ସଂହତିର ପରିପନ୍ଥୀ ହେବ ନାହିଁ। ଆଉ ମଧ୍ୟ ଏହି ବିଶ୍ଳେଷଣ ଗରିବ, ବଞ୍ଚିତ, ବ୍ୟଥିତ, ପୀଡ଼ିତ ଓ ଶୋଷିତ ବ୍ୟକ୍ତିମାନଙ୍କର ସାମଗ୍ରିକ କଲ୍ୟାଣ, ଅଧିକାର ଓ ସୁରକ୍ଷା ପାଇଁ ସହାୟକ ହେବ। ଅଷ୍ଟମତଃ, କୌଣସି ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ପ୍ରସ୍ତାବଟିକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରି ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଚୂଡ଼ାନ୍ତ ନିଷ୍ପତ୍ତି ବିଜ୍ଞାନସମ୍ମତ, ବିଚାର ବୁଦ୍ଧି ସଂପନ୍ନ, ସୁସଂଗତ ଓ ଯୁକ୍ତିଯୁକ୍ତ।
ପରିଶେଷରେ ଏତିକି ମାତ୍ର କୁହାଯାଇପାରେ ଯେ ‘ଗତି ବା ବେଗ ହିଁ ଉନ୍ନତିର ଲକ୍ଷଣ’। ଆଜିର କାର୍ଯ୍ୟ ଆଜି କରିବା, ଆଜିର ନିଷ୍ପତ୍ତି ଆଜି ନେବା ଓ ତାହାକୁ ତୁରନ୍ତ ଓ ସତର୍କତାର ସହିତ କାର୍ଯ୍ୟକାରୀ କରିବା। ଆଜିର କାମ କାଲିକୁ ପକାଇ ରଖିଲେ କୌଣସି ଭଲ ପରିଣାମ ଆସିବ ନାହିଁ। ନିର୍ଣ୍ଣୟ ନେବା ପ୍ରକ୍ରିୟାରେ ଅନୈତିକ ଓ ଅନାବଶ୍ୟକ ଚାପ, ପ୍ରଭାବ ବା ହସ୍ତକ୍ଷେପ ହେଲେ ନିର୍ଣ୍ଣୟ ନେବାରେ ବିଳମ୍ବ ହୁଏ। ଫଳରେ ଶିଶୁ ବ୍ୟାପାର, ଶିକ୍ଷା, ସ୍ବାସ୍ଥ୍ୟ, ସାମଗ୍ରିକ ବିକାଶ, ପରିବେଶ ଓ ଐତିହ୍ୟ ସଂରକ୍ଷଣ, ଦାରିଦ୍ର୍ୟ ବିମୋଚନ କ୍ଷେତ୍ରରେ ପଦକ୍ଷେପମାନ ବାଧାପ୍ରାପ୍ତ ହୁଏ। ଏହା ଦ୍ବାରା ସର୍ବସାଧାରଣଙ୍କ ମନରେ ଅସନ୍ତୋଷ ଓ ହତାଶାର ଭାବନା ଜାଗ୍ରତ ହୁଏ। ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୁଏ। ଏବଂ ମୂଳ କଥା ହେଲା ଏଭଳି ସ୍ଥିତିେର ନାଗରିକ ସମାଜ, ପ୍ରଶାସନିକ କଳ ଓ ସରକାର; ସମସ୍ତେ ଚାପଗ୍ରସ୍ତ ହୁଅନ୍ତି ଓ ପରାଧୀନତାର ଭାବନା ଉଦ୍ରେକ ହୁଏ।
(ମତାମତ ଲେଖକଙ୍କ ନିଜସ୍ବ)
ପ୍ରାକ୍ତନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ସଚିବ
ମୋ: ୯୫୬୦୨୦୨୩୫୨