ଗାନ୍ଧୀ କ’ଣ ଥିଲେ, କେମିତି ଥିଲେ!

ଅଭିରାମ ବିଶ୍ବାଳ

ଛକ, ପାର୍କ ଓ ରାସ୍ତାଘାଟ ଏବ˚ ସେହି ଭଳି ଆମ ଦେଶର ଆହୁରି ଅନେକ ସର୍ବସାଧାରଣ ସ୍ଥାନରେ ଗାନ୍ଧୀଜୀଙ୍କ ଯେଉଁ ପ୍ରତିମୂର୍ତ୍ତି ଦୃଷ୍ଟି ଆକର୍ଷଣ କରେ ସେସବୁରୁ ସାଧାରଣତଃ ଗାନ୍ଧୀଜୀଙ୍କୁ ଅତି ବୟସ୍କ, ବୃଦ୍ଧ ସମ ରୂପରେ ଭେଟିବାକୁ ପଡ଼ିଥାଏ, ଯିଏ କି ସାମାନ୍ୟ ନଇଁ ପଡ଼ିଥାନ୍ତି ଓ ଯାହାଙ୍କ ହାତରେ ଥାଏ ବାଡ଼ି ବା ଲାଠିଟିଏ। ଗାନ୍ଧୀ କିନ୍ତୁ ଜନ୍ମରୁ ଅତି ବୟସ୍କ ଅଥବା ବୃଦ୍ଧ ବ୍ୟକ୍ତିଟିଏ ଭାବେ ଭୂମିଷ୍ଠ ହୋଇନଥିଲେ। ଲାଠି ଓ ବାଡ଼ି ଯେଉଁ ହି˚ସାର ପ୍ରତୀକ ଆଉ ଆୟୁଧ ହୋଇପଡ଼େ ଜୀବନସାରା ଗାନ୍ଧୀ ଥିଲେ ତା’ର ବିରୋଧୀ। ପୁଣି ମାନସିକତା, ଇଚ୍ଛାଶକ୍ତି, ଉତ୍ସାହ, ଆଶାବାଦ, ଭବିଷ୍ୟ-ଦୃଷ୍ଟି ଓ ଅନୁକ୍ରିୟାଶୀଳତା ଆଧାରରେ ଦେଖିଲେ ସିଏ ଥିଲେ ଚିର କିଶୋର, ଚିର ଯୁବକ। ତିନିଟି ମହାଦେଶ- ଏସିଆ, ୟୁରୋପ ଓ ଆଫ୍ରିକା-ର ଧାତୁରେ ସମ୍ଭବ ହୋଇପାରିଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ମାନବୀୟ ମହାତ୍ମାତ୍ବ। ନିଜ ଜୀବନର ପ୍ରାୟ ଏକତୃତୀୟା˚ଶ ସମୟ ସିଏ କାଟିଥିଲେ ବିଦେଶରେ- ପ୍ରଥମେ ଇ˚ଲଣ୍ତରେ ଓ ତା’ପରେ ଦକ୍ଷିଣ ଆଫ୍ରିକାରେ। ଓକିଲାତି ପଢ଼ିବାକୁ ଇ˚ଲଣ୍ତ ଗଲା ବେଳେ ତାଙ୍କ ବୟସ ଥିଲା ମାତ୍ର ୧୯ ଓ ଓକିଲ ଭାବେ ପେସା ଆପଣେଇବାକୁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଲା ବେଳକୁ ତାଙ୍କୁ ହୋଇଥିଲା ମୋଟେ ୨୪ ବର୍ଷ। କିଶୋରଟିଏ ଭାବେ ଔପନିବେଶିକ ଇ˚ଲଣ୍ତକୁ ଓ ଯୁବକଟିଏ ଭାବେ ବର୍ଣ୍ଣବିଦ୍ବେଷ ପ୍ରପୀଡ଼ିତ ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ଭେଟିଥିଲେ ସିଏ। ଗାନ୍ଧୀଙ୍କ କୈଶୋର ଓ ଯୌବନର ବହୁ ଆୟାମୀ ଅନୁଭବକୁ ବାଦ୍‌ ଦେଇ ଗାନ୍ଧୀ ସତ୍ତାର ମୌଳିକ ନିର୍ଯ୍ୟାସ ଉପସ୍ଥାପନ କରିବା ସମ୍ଭବ ନୁହେଁ। ପ୍ରାୟ ୨୪୦ ମାଇଲ୍‌ ଦାଣ୍ତି ଯାତ୍ରା ସମୟରେ ୭୯ ଜଣ ଯାତ୍ରା-କର୍ମୀଙ୍କ ଭିତରେ ଏକମାତ୍ର ଗାନ୍ଧୀ ଥିଲେ ବରିଷ୍ଠ ନାଗରିକ। ସେତେବେଳେ ତାଙ୍କ ବୟସ ହୋଇଥାଏ ୬୧। କିନ୍ତୁ ସହଯାତ୍ରୀଙ୍କ ତୁଳନାରେ- ବୟସାଧିକ୍ୟ ସତ୍ତ୍ବେ- ସିଏ ଥିଲେ ସବୁଠୁ ଆଗରେ। ଚାଲୁଥିଲେ ସର୍ବାଧିକ ବେଗରେ।
ଜାତିର ଜନକ ଗାନ୍ଧୀଙ୍କୁ ସଭିଏଁ କାମର ମଣିଷ ଭାବେ ଜାଣନ୍ତି। ସିଦ୍ଧାନ୍ତ ବଦଳରେ ତାର ପ୍ରୟୋଗ ଜରିଆରେ ହିଁ ତାଙ୍କୁ ଠାବ କରିବାକୁ ପଡ଼ିଥାଏ। ହେଲେ ସିଏ ଶବ୍ଦ ଜଗତ୍‌- କଥା ଓ ଲେଖା- ପ୍ରତି ବିମୁଖ ଥିଲେ ବୋଲି କହିହେବନି। ଓକିଲ, ପତ୍ରକାର ଓ ଲେଖକ ଭାବେ ଗାନ୍ଧୀଙ୍କ ଭୂମିକା ଓ ଅବଦାନ ଥିଲା ଅତି ଗୁରୁତ୍ବପୂର୍ଣ୍ଣ। ଓକିଲାତି ଓ ପତ୍ରକାରିତା (ସାମ୍ବାଦିକତା) ନାମକ ଆଧୁନିକ ବୃତ୍ତି ବାଟେ ସିଏ କେବଳ ତର୍କ ଓ ତତ୍ତ୍ବ ସର୍ବସ୍ବ ନ ହୋଇ ମୁଖ୍ୟତଃ ତଥ୍ୟ ଓ ସତ୍ୟର ପ୍ରତିପାଦନ ଚାହୁଁଥିଲେ। ପ୍ରତିପକ୍ଷର ଭୁଲ ଦର୍ଶାଇ ତାଙ୍କୁ ଅପଦସ୍ତ ଓ ଅପମାନିତ କରିବା ଜାଗାରେ ପ୍ରତିପକ୍ଷ ସହ ମିଶି ସମାଧାନର ଅନ୍ବେଷଣ ତଥା ସତ୍ୟର ପ୍ରତିଷ୍ଠା ଚାହୁଁଥିଲେ ସିଏ। ପତ୍ରକାରିତା ବାଟେ ବହୁ-ଭାଷିକତାକୁ ସମ୍ମାନ ଦେବାରେ ଗାନ୍ଧୀ ଥିଲେ ଅନ୍ୟତମ ଅଗ୍ରଦୂତ। ଦକ୍ଷିଣ ଆଫ୍ରିକାରୁ ସିଏ ବାହାର କରୁଥିବା ‘ଇଣ୍ତିଆନ୍‌ ଓପିନିଅନ୍‌’ ଖାଲି ଗୁଜୁରାଟୀ କିମ୍ବା ଇ˚ଲିସ୍‌ ଭାଷାରେ ବାହାରୁନଥିଲା; ତାମିଲ ଓ ହିନ୍ଦୀରେ ମଧୢ ବାହାରୁଥିଲା। ଜଣେ ବିଲାତ-ଶିକ୍ଷିତ ଓକିଲ ଭାବେ ଗାନ୍ଧୀ ଓକିଲାତିରେ ତଥ୍ୟ, ତର୍କ, ସାକ୍ଷ୍ୟ ଓ ପ୍ରମାଣର ଆନୁପାତିକ ସ୍ଥାନ କ’ଣ ବେଶ୍‌ ଭଲ ରୂପେ ଜାଣିଥିଲେ। ହେଲେ ତାଙ୍କ ଓକିଲାତି କ୍ଷେତ୍ରରେ ଅଗ୍ରାଧିକାର ପାଉଥିଲା ସତ୍ୟ। ସର୍ବଦା ତାଙ୍କ ପାଇଁ ସତ୍ୟ ଥିଲା ଈଶ୍ବର। ଯାହା ସତ୍ୟ ତାହା ହିଁ ଈଶ୍ବର। ଅର୍ଥାତ୍‌ ଗାନ୍ଧୀଙ୍କ ବିଚାରରେ ଈଶ୍ବର ଅସତ୍ୟରେ ଥିଲେ ସିଏ ଈଶ୍ବର ପଦବାଚ୍ୟ ନୁହଁନ୍ତି। ଏମିତିରେ ତ ତାଙ୍କ ଆତ୍ମଜୀବନୀର ପ୍ରତିନାମ ବା ଉପଶୀର୍ଷକ ଥିଲା ସତ୍ୟ ସହ ପରୀକ୍ଷା-ନିରୀକ୍ଷା।

ଗାନ୍ଧୀଜୀଙ୍କ ଚିଠିପତ୍ର, ବକ୍ତବ୍ୟ, ବାର୍ତ୍ତା, ସାକ୍ଷାତ୍‌କାର, କଥାବାର୍ତ୍ତା ଓ ଲେଖା ସ˚କଳିତ ହୋଇ ଶହେ ଖଣ୍ତରେ ପ୍ରକାଶିତ ହୋଇସାରିଛି। ଲିଖିତ ଶବ୍ଦ, ଆଧୁନିକ ଗଦ୍ୟର ମହିମା ମଣ୍ତନ କରିଥିଲେ ଗାନ୍ଧୀ। ତାଙ୍କ ଲେଖାମାନ ଥିଲା ସ୍ପଷ୍ଟ, ସରଳ, ସ୍ବଚ୍ଛନ୍ଦ, ବୋଧଗମ୍ୟ, ପ୍ରାସଙ୍ଗିକ, ସ˚କ୍ଷିପ୍ତ ଓ ଆଳାପଧର୍ମୀ। ଭାଷା, ଶୈଳୀ ଓ ପ୍ରସଙ୍ଗ ଦୃଷ୍ଟିରୁ ଅତ୍ୟନ୍ତ ଗଣତାନ୍ତ୍ରିକ। ଅଳଙ୍କାର ବିହୀନ ଆଧୁନିକ ଗଦ୍ୟର ଚମତ୍କାର ନମୁନା। ଯେଉଁଠି ଯେଉଁଠି ଗାନ୍ଧୀ ଉଦ୍‌ବୋଧନ ଦେଉଥିଲେ, ସେଇଠି ସେଇଠି ତାଙ୍କୁ ଯିଏ ଶୁଣୁଥିଲେ ସିଏ ଭାବୁଥିଲେ ଗାନ୍ଧୀ ସିଧାସଳଖ ଖାସ୍‌ ତାଙ୍କୁ ହିଁ, ତାଙ୍କ ଉଦ୍ଦେଶ୍ୟରେ ହିଁ କହୁଛନ୍ତି। ତାଙ୍କ ସହ ଖିଅ ଯୋଡ଼ି ଦେଉଥିଲେ ଗାନ୍ଧୀ। ଆଉ ସାଧାରଣ ଲୋକେ ତାଙ୍କୁ ଦେଖିବାକୁ, ତାଙ୍କ ଦର୍ଶନ ଲାଭ କରିବାକୁ ଚାଲି ଆସୁଥିଲେ କାହିଁ କେତେ ଦୂରରୁ। ରକ୍ତମା˚ସର ମଣିଷ ଗାନ୍ଧୀ ଉଭା ହେଉଥିଲେ ଲୋକଙ୍କ ଆଗରେ ଦେବତ୍ବର ଅମର ଉପାଦାନ ସହ। କିନ୍ତୁ କେବେ ବି ସେ ଗାନ୍ଧୀ ଅପହଞ୍ଚ ଦୂରତ୍ବ ଅବଲମ୍ବନ କରୁନଥିଲେ। ଜଣେ ପ୍ରକୃତ ଜନନାୟକ ଭାବେ ସିଏ ରାଜନୀତିକୁ ଲୋକନୀତିରେ ରୂପାନ୍ତର କରିବାକୁ ଆଦୌ ଅମଙ୍ଗ ହେଉନଥିଲେ। ନେତୃତ୍ବ ନେଲା ବେଳେ ଉପରେ ନ ରହି ଆଗରେ ଓ ଲୋକଙ୍କ ସହିତ, ଲୋକଙ୍କ ମେଳରେ ରହୁଥିଲେ। ପ୍ରଯୁକ୍ତିର ତାର ବା ଇଣ୍ଟରନେଟ୍‌ ବିନା ହୃଦୟର ତନ୍ତୁ ବା ‘ଇଣ୍ଟ୍ରାନେଟ୍‌’ ବଳରେ ଯେ ଲୋକଙ୍କ ସହ ଗୁନ୍ଥି ହୋଇହୁଏ, ତାହା ଗାନ୍ଧୀ ସାବ୍ୟସ୍ତ କରିଥିଲେ। ପୃଥିବୀର ସର୍ବପ୍ରଥମ ଅହି˚ସ ଗଣ ଆନ୍ଦୋଳନର ନେତୃତ୍ବ କାଳରେ ସିଏ ବ୍ୟବହାର କରୁଥିବା ପ୍ରତୀକ ଓ ପରିଭାଷା ଥିଲା ସାଧାରଣ ଲୋକଙ୍କ ପରିଚିତ ଓ ଦୈନନ୍ଦିନ ଜୀବନର। ଏଇ ଯେମିତି ଲୁଣ, ଖଦି, ଅରଟ, ପଦଯାତ୍ରା, ପ୍ରାର୍ଥନା, ଭଜନ, ଉପବାସ, ମୌନବ୍ରତ ଓ ଶାରୀରିକ ଶ୍ରମ।

ବହୁତ ସମୟରେ ଦେଖାଯାଏ ଯେ ବିଶିଷ୍ଟ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ବ କେଉଁ ସ୍ତରକୁ ଯାଇପାରିବ, ତାହା ନିର୍ଦ୍ଧାରିତ ହୁଏ ସେ ବ୍ୟକ୍ତିମାନଙ୍କ ଆଗରେ ମୁଣ୍ତ ଟେକିଥିବା ସମକାଳର ଆହ୍ବାନ ଓ ସେମାନଙ୍କ ସମସାମୟିକମାନଙ୍କ ଦ୍ବାରା। ଗାନ୍ଧୀଙ୍କ ସମସାମୟିକଙ୍କ ଭିତରେ ସାମିଲ ଥିଲେ ନେହରୁ, ପଟେଲ୍‌, ମୌଲାନା ଆଜାଦ୍‌, ଆମ୍ବେଦକର, ସୁଭାଷ ବୋଷ, ସୀମାନ୍ତ ଗାନ୍ଧୀ, ରାଜେନ୍ଦ୍ର ପ୍ରସାଦ, ବିନୋବା ଭାବେ, ଆଚାର୍ଯ୍ୟ କୃପାଳିନୀ, ଗୋପବନ୍ଧୁ, କସ୍ତୁରବା, ରବୀନ୍ଦ୍ର ନାଥ ଟାଗୋର, ରାଜାଗୋପାଳାଚାରୀ ଓ ସରୋଜିନୀ ନାଇଡୁ ପ୍ରମୁଖ। ନୈତିକ ଉଚ୍ଚତା ଓ ଗଭୀରତାରେ ଏମାନେ ସମସ୍ତେ ଥିଲେ ଅତି ଉତ୍ତମ ମାନର। କେହି ବି ନ ଥିଲେ ମଧୢମ କିମ୍ବା ଅଧମ ମାନର। ଏମାନଙ୍କ ଗହଣରେ ପରିପୁଷ୍ଟ ଗାନ୍ଧୀଙ୍କ ବ୍ୟକ୍ତିତ୍ବ ତେଣୁ ଆହୁରି ଅଧିକ ସଶକ୍ତ, ଉତ୍ତୀର୍ଣ୍ଣ ଓ ଉନ୍ନୀତ ହୋଇ ପାରିଥିଲା। ବାପୁଜୀଙ୍କ ସହ ନେତାଜୀ ଓ ବାବାସାହେବଙ୍କ ମତାଦର୍ଶଗତ ଅମେଳ ସର୍ବଜନବିଦିତ। ହେଲେ ଗାନ୍ଧୀ ଅନ୍ୟ କାହାର ଭିନ୍ନ ମତକୁ ଉପେକ୍ଷା କରୁନଥିଲେ। ସୁଭାଷ ବୋଷଙ୍କୁ ସିଏ ଦେଶପ୍ରେମୀଙ୍କ ଭିତରେ ଯୁବରାଜ ବୋଲି ଅଭିହିତ କରିଥିଲେ। ଆଉ ଆମ୍ବେଦକରଙ୍କ ବାବଦରେ କହିଥିଲେ- ତାଙ୍କ ଜାଗାରେ ମୁଁ ଥିଲେ କେତେ ମୁଣ୍ତ ଫାଟି ସାରନ୍ତାଣି। ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ବର ଅସାଧାରଣ ଚୁମ୍ବକୀୟ ଗୁଣ ବା ‘କାରିସ୍ମା’ ଦ୍ବାରା ଟାଣି ହୋଇ ଔପନିବେଶିକ ଇ˚ଲଣ୍ତର ଆନି ବେସାନ୍ତ, ସି.ଏଫ୍‌.ଆଣ୍ତ୍ର୍ୟୁଜ୍‌, ଭେରିଅର‌୍‌ ଏଲ୍‌ଵିନ୍‌ ଓ ମୀରାବେନ ଭାରତ ପାଇଁ କାମ କରିଥିଲେ। ବି˚ଶ ଶତାବ୍ଦୀର ଏବ˚ ତା’ ପରର ପୃଥିବୀ ଫାସିବାଦ, ସାମ୍ୟବାଦ, ବିଶ୍ବଯୁଦ୍ଧ, ଉପନିବେଶବାଦ ଓ ସାମ୍ରାଜ୍ୟବାଦ ବାବଦରେ ପ୍ରତିକୂଳ ମନୋଭାବ ପୋଷଣ କରିଥିଲା ବେଳେ ଗାନ୍ଧୀ ଚିନ୍ତା ଚେତନା ଓ କର୍ମପ୍ରବଣତା ଆଡ଼କୁ ଅଧିକ ଢଳିବାରେ ଲାଗିଛି। ନେଲ୍‌ସନ୍‌ ମାଣ୍ତେଲା, ଦଲାଇ ଲାମା, ମାର୍ଟିନ୍‌ ଲୁଥର‌୍‌ କି˚ (କନିଷ୍ଠ), ଲା ଵାଲେସା ଅ˚ଗ୍‌ ସୁକୀ ଓ ରିଗୋବେର୍ଟା ମେଞ୍ଚୁ ପ୍ରମୁଖ ଗାନ୍ଧୀଜୀଙ୍କ ଛାପ ସ୍ବୀକାର କରିଛନ୍ତି। ଜଣେ ‘ଜୀ’ ଆଗରେ ଅନ୍ୟ ସବୁ ‘ଜି’-୨ଜି, ୩ଜି ଓ ୪ଜି- ଫିକା ପଡ଼ିଯାଏ। ସେ ଜଣକ ହେଲେ ଗାନ୍ଧୀ‘ଜୀ’। ପୃଥିବୀର ଅନ୍ୟତମ ଅତି ପ୍ରଭାବଶାଳୀ ଚଟିବହି ‘ହିନ୍ଦ୍‌ ସ୍ବରାଜ’ର ଲେଖକ ଗାନ୍ଧୀ ଆଧୁନିକ ପାଶ୍ଚାତ୍ୟ ସଭ୍ୟତାର ଅନୁଶୀଳନକୁ କେବଳ ବିରୋଧ ଓ ସମାଲୋଚନାରେ ସୀମିତ ନ ରଖି ସେ ବିକଳ୍ପ କଥା ଉପସ୍ଥାପନ କରିଛନ୍ତି। ସେଥିରେ ସିଏ ଏକ ପ୍ରକାରେ ସ୍ଥାନୀୟ-ନିଖିଳର ଏକାୟନ (ଗ୍ଲୋକାଲ=ଗ୍ଲୋବାଲ୍‌+ଲୋକାଲ୍‌) ପ୍ରସଙ୍ଗ ଉଠେଇଛନ୍ତି। ଆହୁରି ସୂଚେଇଛନ୍ତି ଯେ ‘ସୁରାଜ’ କେବେ ବି ‘ସ୍ବରାଜ’ର ବିକଳ୍ପ ବା ବଦଳ ନୁହେଁ।

ପୃଥିବୀର ଅନେକତ୍ର ସ˚ଗଠିତ ହେଉଥିବା ଗଣ ଆନ୍ଦୋଳନ ଓ ପ୍ରତିରୋଧ କ୍ଷେତ୍ରରେ ଗାନ୍ଧୀଜୀଙ୍କ ଅନୁପ୍ରେରଣା କିଛି କମ୍‌ ନୁହେଁ। ତାଙ୍କ ସମୟର ପରାଧୀନ ଭାରତବର୍ଷରେ ଚାଷୀ ଓ କୃଷକମାନେ ଭୋଗୁଥିବା କଷଣ ବାବଦରେ ସେ ବେଶ୍‌ ଅବଗତ ଥିଲେ ଏବ˚ ସେଇଥିପାଇଁ ସେମାନଙ୍କ ଆନ୍ଦୋଳନ ସପକ୍ଷରେ ଥିଲେ। ୧୯୧୭ ମସିହାର ବିହାରର ଚ˚ପାରଣ ଚାଷୀ ଆନ୍ଦାଳନ ସହ ସିଏ ନିଜକୁ ସାମିଲ କରିଥିଲେ। ତାହା ଥିଲା ଗାନ୍ଧୀ ନେତୃତ୍ବରେ ପ୍ରଥମ ସତ୍ୟାଗ୍ରହ, ଯେଉଁଥିରେ ଝାସ ଦେଇଥିଲେ ରାଜେନ୍ଦ୍ର ପ୍ରସାଦ ଓ ଆଚାର୍ଯ୍ୟ କୃପାଳିନୀ ଆଦି। ବର୍ଷେ ପରେ ୧୯୧୮ ମସିହାରେ ଗୁଜୁରାଟର ଖେଡ଼ା ଠାରେ ସ˚ଗଠିତ କୃଷକ ଆନ୍ଦୋଳନରେ ବି ସାମିଲ ହୋଇଥିଲେ ଗାନ୍ଧୀଜୀ, ଯେଉଁଥିରେ ଯୋଡ଼ି ହୋଇଥିଲେ ସର୍ଦ୍ଦାର ପଟେଲ ଓ ମହାଦେବ ଦେଶାଇ ପ୍ରମୁଖ। ପରେ ବର‌୍‌ସାଡ୍‌ (୧୯୨୨-୨୩) ଓ ବର୍ଦୋଳି (୧୯୨୯)ରେ କୃଷକ ଆନ୍ଦୋଳନ ମୁଣ୍ତ ଟେକିଥିଲା। ସେ ଆନ୍ଦୋଳନମାନ ଏତେ ପ୍ରାସଙ୍ଗିକ ଥିଲା ଯେ ଗାନ୍ଧୀ ପ୍ରଭାବରେ ଆସି ପଟେଲ ଥରେ କହିଥିଲେ- ମତେ ବାରିଷ୍ଟର‌୍‌ ପଟେଲ୍‌- ଭାବେ ନ ଚିହ୍ନି କୃଷକ ପଟେଲ୍‌ ଭାବେ ଚିହ୍ନିଲେ ଭଲ। ଗାନ୍ଧୀ ପ୍ରତିଷ୍ଠା କରିଥିବା ‘ଫିନିକ୍‌ସ ବସତି’ ଓ ‘ସାବରମତୀ ଆଶ୍ରମ’ରେ ଚାଷବାସ, କୃଷିକର୍ମ ଉପରେ ଗୁରୁତ୍ବ ଦିଆଯାଉଥିଲା। ଏକାଧିକ ଥର ନିଜର ପରିଚୟ ଘୋଷଣା କରି ଗାନ୍ଧୀ କହିଥିଲେ- ମୁଁ ଚାଷବାସ ଓ ବୁଣାବୁଣି କରେ। ସିଏ ବି କହିଥିଲେ- ଚାଷୀଙ୍କୁ କେବେ ବି ଖଡ୍‌ଗ ଦବେଇ ପାରିବନି; କାରଣ ସେମାନେ ନିଜେ ଖଡ୍‌ଗ ବ୍ୟବହାରରେ ବିଶ୍ବାସ କରନ୍ତିନି। କୃଷକ ଆନ୍ଦୋଳନ ମାନେ ଏକତା, ଅନୁଶାସନ ଓ ଅହି˚ସା ଆଶ୍ରିତ ଗଣ ଆନ୍ଦୋଳନ। ଗାନ୍ଧୀ ଆହୁରି କହିଥିଲେ- ସର୍ବୋଚ୍ଚ, ସର୍ବଶ୍ରେଷ୍ଠ ଲକ୍ଷ୍ୟ ହାସଲ ନିମନ୍ତେ ସର୍ବନିମ୍ନ, ସାମାନ୍ୟତମ ହି˚ସାର ଅବଲମ୍ବନ ମଧୢ ଯଥାର୍ଥ ନୁହେଁ।

ଗଲା କିଛି ବର୍ଷ ହେଲା ଚତୁର୍ଥ ଗୁଳିଟିରେ ଗାନ୍ଧୀ ପ୍ରାଣ ହରେଇଥିବା ପ୍ରସ˚ଗ ଉଠାଯାଉଛି। ତିନିଟି ଗୁଳି ଚଳେଇ ଗାନ୍ଧୀଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କୁ ମୁକୁଳେଇ ଦେବାର ତାହା ସୂକ୍ଷ୍ମ ଉଦ୍ୟମ ନୁହେଁ ତ? ଗାନ୍ଧୀଙ୍କ ଭଗ୍ନପ୍ରାୟ ଶରୀର ପାଇଁ ତିନିଟି ଗୁଳି କ’ଣ କମ ପଡ଼ିଗଲା? ଘୃଣା ଓ ହି˚ସା ର˚ଜିତ ସେ ତିନିଟି ଗୁଳିର ଗତିପଥ ବର˚ ଅଟକେଇ ଦେଲା ଗାନ୍ଧୀଙ୍କ ଶରୀରର ନନ୍ଦନମୟ ଆତ୍ମାବଳ। ଯିଏ ସତ୍ୟ ଓ ଅହି˚ସା ପାଇଁ ସାରା ଜୀବନ କାଟିଥିଲେ ସିଏ ଶେଷରେ ସତ୍ୟ ସକାଶେ ଓ ହି˚ସାର ପ୍ରତିରୋଧ କରି ନିଜ ଜୀବନ ଦେଇଦେଲେ। ମହାତ୍ମା ଗାନ୍ଧୀଙ୍କ ଅସାଧାରଣ ମଣିଷପଣିଆ ଆଉ ଥରେ ସାବ୍ୟସ୍ତ ହେଲା।
ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର