ସତ୍ୟନାରାୟଣ ଗନ୍ତାୟତ
କ’ଣ ହେଉଛି?
ଏଁ, ଆମକୁ ପଚାରୁଛନ୍ତି କି?
ଆପଣଙ୍କ ଏ ମହାର୍ଘ ପ୍ରଶ୍ନଟି ଆମକୁ ଆମ ପିଲାଦିନକୁ ଘେନି ଯାଉଛି। ଆମ ମନ ଆଇନାରେ ଦିଶି ଯାଉଚନ୍ତି ସରକାରୀ କ୍ୱାଟରର ସେଇ ଖଦଡ଼ା ସିମେଣ୍ଟ ଚଟାଣ, ଯେଉଁଠି ସପ ପାରି ଦିନର ଖଟଣି ପରେ ଘଡ଼ିଏ ଶାୟିତା ହୋଇ ଘୁମେଇବାର ପ୍ରୟାସ କରୁଥିବା ଆମ ପରମ ସ୍ନେହମୟୀ ବୋଉ! ଏ ସମୟେ ଯଦି ତାଙ୍କ କାନରେ ରନ୍ଧା ଘରୁ ଅଚାନକ ଖୁଡ଼ଖାଡ଼ ଶବ୍ଦ ପଡୁଥିଲା, ତେବେ ଏହା ତାଙ୍କ ନଟଖଟ ଜାତୀୟ ଏକୋଇରବଳା ପୁତ୍ରମଣିଙ୍କ କାଣ୍ଡ ବୋଲି ନିଶ୍ଚିତ ହୋଇ ପ୍ରାୟତଃ ସେ ଠିକ୍ ଏହି ପ୍ରଶ୍ନଟେ ହିଁ ଫୋପାଡୁ ଥିଲେ: କ’ଣ ହେଉଛି?
ବୋଲିବା ବାହୁଲ୍ୟ ମାନନୀୟା ବୋଉ ନିଜ ଅନୁମାନକୁ ଠିକ୍ ସାବ୍ୟସ୍ତ କରି ଆମକୁ ସପ୍ରମାଣ ଧରୁଥିଲେ, ଯେତେବେଳେ ଆମ ମୁହଁ ଅମୁଲ ପାଉଡର (ଗୁଣ୍ଡ ଦୁଗ୍ଧ)ରେ ବଲବଲ ବା ହାତରେ ଆମର ଥିବ ସେ କାଳର ଆମ୍ପ୍ରୋ ଗ୍ଲୁକୋଜ ବିସ୍କୁଟ ପୁଡ଼ିଆଟିଏ। ଏହାର ପ୍ରତିକ୍ରିୟା ସ୍ୱରୂପ ସେ ଉଭୟ ବାଚନିକ ଓ ହାଲୁକା ଦୈହିକ ଶାସ୍ତି ବିଧାନ କରିବାରେ ଆଦୌ ହେଳା କରୁ ନ ଥିଲେ। କିନ୍ତୁ ଆମ ବୋଉଙ୍କ ପାଟିରୁ ବାହାରୁଥିବା ଭଳି ଢଙ୍ଗରେ ତ ଆପଣ ପଚାରୁ ନାହାନ୍ତି! ଆପଣ ‘କ’ଣ’ ଶବ୍ଦ ପରେ କିଞ୍ଚିତ ବିରାମ ନେଇ ତା’ ପରେ ଅଳ୍ପ ଲହରେଇ ‘ହଉଛି’ ବୋଲି ଏମିତି ଜିଜ୍ଞାସା କରୁଛନ୍ତି ଯେ ଲାଗୁଛି ଆପଣ କିଛି କମାଲ କଥା ଜାଣିବା ମତଲବରେ ଅଛନ୍ତି!
ଆପଣ ଯେମିତି ପଚାରିଲେ ମୋର କାହିଁକି କେଜାଣି ମନେ ପଡୁଛନ୍ତି ସୁନାମ ନନା! ସେ ଆମ ଚାକିରି ଜୀବନର ଆରମ୍ଭ ବେଳର କଥା। କଥା କ’ଣ କି ଚାକିରି ଆରମ୍ଭିବାର ଦିନ ଦି’ଟା ହୋଇଛି କି ନାହିଁ ଦିନେ ଦପ୍ତର ସାରା ଗହଳି ହେଲା ଯେ ଆଜି ରାତିରେ ଭୋଜି ହେବ! ବିଶ୍ୱାସ କରନ୍ତୁ ସଦ୍ୟ ଛାତ୍ର ଜୀବନ ଛାଡ଼ି ଚାକିରିରେ ବାହଲ ହୋଇଥିବା ଆମେ ଭାବି ନେଲୁ ସେ ଯାବତ୍ ଖାଇ ଆସିଥିବା ଭୋଜିଭାତ ଭଳି କାନିକା, ଡାଲି ଘାଣ୍ଟ, ଭଜା ମାଛ, ଖିରି ଆଦି ପରଷା ହେବ। କିନ୍ତୁ ମୁଖ୍ୟ ଦପ୍ତରୀ ସୁନାମ ନନା ବୁଝାଇ ଦେଲେ ଯେ ଏଠି ସଭିଏଁ ମାଂସାଶୀ ପ୍ରାଣୀ, ତେଣୁ ଦୁଇଟି ଆଇଟମ, ଶୁଦ୍ଧ ଖାସି ମାଂସ କଷା କି ଝୋଳ ଓ ତା’ ସହ ଦୋଷ କଟାଇବା ଭଳି ଗୁଣ୍ଡାଏ ଦି’ ଗୁଣ୍ଡା ଅରୁଆ ଭାତ! କିନ୍ତୁ କ’ଣ ଖାଲି ସତିକି? କାରଣ ସେ ଦିନ ଦିପହର ଆରମ୍ଭ ହେଉ ହେଉ ନନା ସଭିଁଙ୍କୁ ଜଣ ଜଣ କରି ପଚାରିବାରେ ଲାଗି ଥାଆନ୍ତି, ‘ଆଜି କ’ଣ ହେଉଛି?’ ଏହା ସହିତ ନିଜ ପାନ ଖିଆ ଦାନ୍ତ ଦି’ଧାଡ଼ି ଦେଖାଇ ସେ ହେଁ ହେଁ ହୋଇ ଏମିତି ଅଜବ ଢଙ୍ଗରେ ନିଜ ଦି ହାତ ପାପୁଲି ମଳି ମଳି ଭ୍ରୁଲତା ନଚାଉ ଥାଆନ୍ତି ଯେ ଆମ୍ଭ ଭଳି ପ୍ରାଣୀଟି କିଛି ଗୋଟାଏ ରହସ୍ୟ ଉନ୍ମୋଚନ ହେବାକୁ ଚାହି ବସିଥାଏ। କାରଣ ଯାହାକୁ ବି ଏହି ବିଷୟରେ ପଚରାଗଲେ ସେହି ଗୋଟାଏ ଉତ୍ତର ମିଳୁଥାଏ ସଂଧ୍ୟାକୁ ଜାଣିବ!’
ସଂଧ୍ୟା ହେଉ ହେଉ ସଭିଏଁ ଏକ ଠାବ। ବାଘ ଛେଳି ଗୋଟାଏ ତୁଠରେ। ଫିଜିକ୍ସରେ ଗୋଲ୍ଡ ମେଡାଲଧାରୀ ଆମ ସହ ନୂଆ କରି ଚାକିରିରେ ଯୋଗ ଦେଇଥିବା ଆମ ବଡ଼ଭାଇ ଜଣକ ବି ସେଇଠି! ଗୋଟିଏ ଛୋଟ କୁଦ ଆକାରରେ ରାଗୁଆ ମିକ୍ସଚର ସହ କଟା ପିଆଜ ଓ ତା’କୁ ଘେରି ଦପ୍ତର ମୁଖ୍ୟଙ୍କଠୁ ଆରମ୍ଭ କରି ମୁଖ୍ୟ ଦପ୍ତରୀ ନନା ଓଗେର ସଭିଏଁ! ଭେଦାଭେଦ ଭୁଲି ସତେ ଅବା ସାମ୍ୟବାଦର ଗୋଟେ ଉଦାହରଣ।
କିଛି ସମୟ ଭିତରେ କାଚ ପିଆଲାରେ ଢଳା ଯାଉଥିବା ପାନୀୟ ସହ ମିକ୍ସଚର ଓ ପିଆଜର ସଦବ୍ୟବହାର କରି କାନରେ ଶୁଣି ନ ହେବା ଭଳି ଅଜବ ଗଜବ ଗପ ମାନ ଉଗାଳିବା ସୁରୁ ହୋଇଗଲା। ନନାଙ୍କ ଗ୍ଲାସରେ ନାମକୁ ମାତ୍ର ଟିକେ ଢଳା ଯାଉ ଯାଉ ନନା ସେତକ ଗଳାଧଃକରଣ କରି ସଙ୍ଗେ ସଙ୍ଗେ ଏକ ଭିନ୍ନ ଜଗତକୁ ଅବା ଚାଲିଯାଇଥିଲେ! ସେ ସେଠୁ ଚାଲିଗଲେ ପାଖ ଅଗଣାକୁ ଯେଉଁଠି ଖୋଲା ଆକାଶ ଆଡ଼ିକି ଖାଲି ଗ୍ଲାସ ଦେଖାଇ ନାଚି ନାଚି ଗାଇବା ସୁରୁ କରି ଦେଇଥିଲେ ‘‘ଦ୍ୱିତୀୟା ଯାମିନୀରେ ମୋ ପ୍ରାଣ ସହୀ...!’
ଏଥର ଆମକୁ ଜଣାଇ ଦିଆଗଲା ଯେ ଏହି ପାନୀୟ କାର୍ଯ୍ୟକ୍ରମକୁ ଏଠି ଅଧିବେଶନ ବୋଲି କୁହାଯାଇଥାଏ ଓ ସବୁ ଭୋଜିରେ ଏମନ୍ତ ଅଧିବେଶନ ହେଉଥିଲେ ହେଁ ଶେଷ ମୁହୂର୍ତ୍ତ ଯାଏ ସ୍ଥିର ହୋଇ ନ ଥାଏ ଏ ଅଧିବେଶନ ହେବ ନା ନାହିଁ! ତେଣୁ ଆମ ସୁନାମ ନନା ଭୋଜି ହେବା ଶୁଣିଲେ ଦିନ ସାରା ସଭିଁଙ୍କୁ ପଚାରି ଚାଲନ୍ତି: ‘କ’ଣ ଆଜି ହେଉଛି?’
ଏବେ ଆପଣଙ୍କ ପ୍ରଶ୍ନରୁ ଲାଗୁଛି ସୁନାମ ନନାଙ୍କ ଭଳି ସବୁ ଜାଣି ବି ଆପଣ ପଚାରୁଛନ୍ତି ‘କ’ଣ ହେଉଛି?’ କାରଣ ସବୁ ଜାଣି ବି ଅଙ୍ଗେ ନ ନିଭେଇଲା ପର୍ଯ୍ୟନ୍ତ ଏମିତି ପଚାରି ଚାଲିବାରେ ବି ରସ ଥାଏ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୯୦୯୬୭୫