ମୋ ନିଜ ଦେଶ ଛଡ଼ା ଆଉ ଯେଉଁ ଗୋଟିଏ ଦେଶକୁ ମୁଁ ସବୁଠାରୁ ଭଲ ଭାବେ ଜାଣିଛି ତାହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଅଠତିରିଶ ବର୍ଷ ପୂର୍ବେ ମୁଁ ସେହି ଦେଶରେ ପ୍ରଥମ ଥର ପାଦ ଦେଇଥିଲି, ତା’ ପରେ ଅନେକ ଥର ମୁଁ ସେଠାକୁ ଯାଇଛି। ଶେଷ ଥର ୨୦୨୩ ମସିହାର ବସନ୍ତ କାଳରେ ମୁଁ ଆମେରିକା ଗସ୍ତରେ ଯାଇଥିଲି। ସେତେବେଳକୁ ଜୋ ବାଇଡେନ୍‌ ଦୁଇ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ରହିଆସିଥିଲେ। ସେହି ଗସ୍ତରେ ମୁଁ ପାଖାପାଖି ତିନି ସପ୍ତାହ ସେଠାରେ କାଟିଥିଲି। ବନ୍ଧୁମାନଙ୍କ ସହ ଆଲୋଚନା ଓ ନିଜସ୍ବ ପର୍ଯ୍ୟବେକ୍ଷଣରୁ ମୁଁ ସ୍ପଷ୍ଟ ହୋଇଗଲି ଯେ ରାଷ୍ଟ୍ରପତିଙ୍କର ପ୍ରଦର୍ଶନ ଉତ୍କୃଷ୍ଟ ଥିଲା, ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ବ ସମୟର ଉତ୍କଟ ବିଭାଜନକୁ ପଛରେ ଛାଡ଼ିଯିବା ଲାଗି ସେ ଆମେରିକାର ନାଗରିକଙ୍କୁ ସହଯୋଗ କରୁଥିଲେ। ଏ କଥା ମଧ୍ୟ ସ୍ପଷ୍ଟ ଜଣାପଡୁଥିଲା ଯେ ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା କାରଣରୁ ବାଇଡେନ୍‌ ଦ୍ବିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଅନୁଚିତ ଏବଂ ସଅଳ ଏ ସମ୍ପର୍କରେ ଘୋଷଣା କରି ସେ ତାଙ୍କ ସ୍ଥାନ ନେବା ଭଳି ଉତ୍କୃଷ୍ଟ ପ୍ରାର୍ଥୀ ଚୟନ ଲାଗି ଦଳକୁ ପର୍ଯ୍ୟାପ୍ତ ସମୟ ଦେବା ଉଚିତ।
ହେଲେ ବାଇଡେନ୍‌ ସେଭଳି ସଂକେତଗୁଡ଼ିକୁ ହେୟଜ୍ଞାନ କଲେ ଏବଂ ଦ୍ବିତୀୟ ପାଳି ପାଇଁ ଲଢ଼ିବାର ପ୍ରସ୍ତୁତିରେ ଲାଗିପଡ଼ିଲେ। ଡୋନାଲ୍‌ଡ ଟ୍ରମ୍ପଙ୍କ ସହିତ ବିତର୍କରେ ବିପର୍ଯ୍ୟସ୍ତ ପ୍ରଦର୍ଶନ ପରେ ପ୍ରାର୍ଥିତ୍ବ ପ୍ରତ୍ୟାହାର ଲାଗି ତାଙ୍କ ଉପରେ ଡେମୋକ୍ରାଟ୍‌ ଦାନକର୍ତ୍ତା, କଂଗ୍ରେସ ସଦସ୍ୟ ଓ ସିନେଟର୍‌ଙ୍କ ସମେତ ଦଳୀୟ କର୍ମୀ-କର୍ମକର୍ତ୍ତାଙ୍କ ଚାପ ବଢ଼ିବାରେ ଲାଗିଥିଲା। ପୋଲ୍‌ ବା ଜନମତଗୁଡ଼ିକରେ ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପଛକୁ ପଛକୁ ଯିବାକୁ ଲାଗିଥିଲେ। ଏବଂ ନିର୍ବାଚନ ଦୌଡ଼ରୁ ଓହରିବାକୁ ବାଧ୍ୟ ନ ହେବା ପର୍ଯ୍ୟନ୍ତ ବାଇଡେନ୍‌ ଅନେକ ସପ୍ତାହ ଧରି ରଣାଙ୍ଗନରେ ଦୃଢ଼ତାର ସହ ଛିଡ଼ା ହୋଇ ରହିଥିଲେ। ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ନିଜ କ୍ଷମତାକୁ ଜାବୁଡ଼ି ରହିବାର ପ୍ରବଣତା ତାଙ୍କର ବ୍ୟକ୍ତିଗତ ବିଶେଷତ୍ବ ନୁହେଁ। ବରଂ, ଏହା ଏକ ଅଲକ୍ଷଣ, ଯାହା ଦର୍ଶାଏ କ୍ଷମତା ଓ ସଫଳତା ହାସଲ କରିଥିବା ପୃଥିବୀର ପ୍ରତ୍ୟେକ ଦେଶର ପୁରୁଷମାନେ କିଭଳି ଆଚରଣ ପ୍ରଦର୍ଶନ କରିଥାନ୍ତି। ସେମାନଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଦୁର୍ବଳ ହେବାକୁ ଲାଗିବା ସତ୍ତ୍ବେ, ନିଜ କାମ ଭଲଭାବେ ନିର୍ବାହ କରିପାରିବେ ନାହିଁ ବୋଲି ଜଣାପଡ଼ିଲେ ସୁଦ୍ଧା, କ୍ଷମତାରେ ଥିବା ପୁରୁଷମାନେ ନିଜ ସ୍ଥାନରେ ରହିବାକୁ ଚେଷ୍ଟା କରନ୍ତି, ଯାହା ସେମାନେ ସେବା କରୁଥିବା ଅନୁଷ୍ଠାନ ଓ ସମାଜକୁ କ୍ଷତିଗ୍ରସ୍ତ କରେ ଏବଂ ସେମାନଙ୍କର ପ୍ରତିଷ୍ଠାର ମଧ୍ୟ ହାନି ଘଟାଏ।
ଭାରତରେ କ୍ରିକେଟ୍‌ ପ୍ରଶଂସକମାନେ ବୋଧହୁଏ ଏହି ପ୍ରବଣତା ପ୍ରତି ସବୁଠାରୁ ଅଧିକ ସଚେତନ। ଜଣେ କ୍ରୀଡ଼ାବିତ୍‌ ୩୫ ବର୍ଷ ଅତିକ୍ରମ କରିବା ପରେ ସେ ପୂର୍ବ ପରି ପ୍ରଦର୍ଶନ କରିବା କଷ୍ଟକର ହୋଇଯାଏ। କିନ୍ତୁ ଖୁବ୍ କମ୍ ଏହି ସଂକେତକୁ ଚିହ୍ନିପାରନ୍ତି। ସେଭଳି ଜଣେ ବ୍ୟତିକ୍ରମ ହେଉଛନ୍ତି ସୁନୀଲ ଗାଭାସ୍କର, ଯିଏ ବିଶ୍ବ କପ୍‌ରେ ଖୁବ୍ ଭଲ ବ୍ୟାଟିଂ କରିବା ପରେ ଅବସର ନେଇଯାଇଥିଲେ। ତାଙ୍କର ଘନିଷ୍ଠ ବନ୍ଧୁ ଜି. ଆର୍‌. ବିଶ୍ବନାଥ କିନ୍ତୁ ଅବସର ନେବାରେ କିଛି ବର୍ଷ ବିଳମ୍ବ କରିଦେଇଥିଲେ। କପିଳ ଦେବ ଓ ସଚିନ ତେନ୍ଦୁଲକର ମଧ୍ୟ ଅନେକ ଡେରିରେ ଅବସର ନେଲେ। ଏହାର କାରଣ ହେଲା ଏହି ଦୁଇ ଖେଳାଳି ଯଥାକ୍ରମେ ସର୍ବାଧିକ ଟେଷ୍ଟ ଵିକେଟ୍‌ ନେବାର ଓ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିବାର ମହତ୍ତ୍ବାକାଂକ୍ଷାକୁ ଦଳର ସ୍ବାର୍ଥରୁ ଊର୍ଦ୍ଧ୍ବରେ ରଖିଥିଲେ।
ବିଜ୍ଞତା ଓ ସ୍ବାଭିମାନ କନିଷ୍ଠଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଇଙ୍ଗିତ କରୁଥିବା ସତ୍ତ୍ବେ କ୍ଷମତାରେ ରହିବାର ଏହି ଅଭିଳାଷ ରାଜନୀତି ଓ କ୍ରୀଡ଼ା କ୍ଷେତ୍ରରେ ସୀମିତ ନୁହେଁ। ଆମର ଅନେକ ବିଚକ୍ଷଣ ଉଦ୍ୟୋଗୀ ସେମାନଙ୍କ ଅତୀତର ଅବଦାନକୁ ଉପେକ୍ଷା କରି ସେମାନେ ପ୍ରତିଷ୍ଠା କରିଥିବା ଉଦ୍ୟୋଗର ଅଧ୍ୟକ୍ଷତା ଜାରି ରଖନ୍ତି, ଯେତେବେଳେ କି ଅଧିକ ଦକ୍ଷ ଯୁବ ସହକର୍ମୀମାନେ ସେମାନଙ୍କ ପଦ ସମ୍ଭାଳିବା ପାଇଁ ଅଧିକ ଉପଯୁକ୍ତ ହୋଇ ସାରିଥାନ୍ତି। ଫଳରେ ନିଜର ବା ନିଜ ନିୟନ୍ତ୍ରଣାଧୀନ ଅନୁଷ୍ଠାନର ପ୍ରତିଷ୍ଠାକୁ ଯେତେ ବଡ଼ ମୂଲ୍ୟ ଦେବାକୁ ପଡୁ ପଛକେ ସେମାନେ ଯଥାସମ୍ଭବ କାଳ ଯାଏ କ୍ଷମତା ଉପଭୋଗ କରିବାର ଇଚ୍ଛା ପୋଷଣ କରିଥାଆନ୍ତି। ନାଗରିକ ସମାଜ କର୍ମୀମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଅନୁରୂପ ଭାବେ ବିଦ୍ୟମାନ।
ବୌଦ୍ଧିକ ଜୀବନକୁ ମଧ୍ୟ ଏହି ରୋଗ ବ୍ୟାପିଯାଇଛି। ‘ଇକୋନମିକ୍ ଆଣ୍ଡ୍‌ ପଲିଟିକାଲ୍‌ ଵିକ୍‌ଲି’ ନାମକ ଜର୍ନାଲ୍‌କୁ ଉଦାହରଣ ରୂପେ ବିଚାର କରିବା। ବମ୍ବେରୁ ପ୍ରକାଶିତ ଏହି ପତ୍ରିକା ଏକଦା ଆନ୍ତର୍ଜାତିକ ପ୍ରସିଦ୍ଧି ଅର୍ଜନ କରିଥିଲା। ଭାରତ ତଥା ପୃଥିବୀର ଅନେକ ସ୍ଥାନର ଯୁବ ଛାତ୍ର ଏହି ଜର୍ନାଲ୍‌ ପଢୁଥିଲେ ଏବଂ ଏଥିରେ ନିଜର ନିବନ୍ଧ ପ୍ରକାଶ କରିବାକୁ ବ୍ୟାକୁଳ ଥିଲେ। ବିଦ୍ବାନ ଓ ଗବେଷକଙ୍କ ଭଳି ସାମ୍ବାଦିକ, ପ୍ରଶାସକ ଓ ନାଗରିକ କର୍ମୀମାନେ ମଧ୍ୟ ‘ଇପିଡବ୍ଲ୍ୟୁ’ ଜର୍ନାଲ୍‌କୁ ଉତ୍ସୁକତାର ସହ ପଢୁଥିଲେ। ହେଲେ ବିଗତ କିଛି ବର୍ଷ ଧରି ଏହି ଜର୍ନାଲ୍‌ଟି ନିମ୍ନଗାମୀ ହୋଇଚାଲିଛି। ଏଥିରେ ଏବେ ଯେଉଁସବୁ ପ୍ରବନ୍ଧ ପ୍ରକାଶ ପାଉଛି, ସେଗୁଡ଼ିକ କ୍ବଚିତ୍‌ ଅଭିନବତ୍ବ ପ୍ରଦର୍ଶନ କରୁଛନ୍ତି। ଯେଉଁ ଜର୍ନାଲ୍‌ଟି ଏକଦା ଭାରତରେ ବୌଦ୍ଧିକ ବିତର୍କର କ୍ଷେତ୍ର ପ୍ରସ୍ତୁତ କରିଥିଲା, ତାହା ଆଜି ତା’ ପୂର୍ବ ସ୍ବରୂପର ମଳିନ ଛାୟାରେ ପରିଣତ ହୋଇଯାଇଛି।
‘ଇପିଡବ୍ଲ୍ୟୁ’ର ପତନର ଏକ ବଡ଼ କାରଣ ହେଉଛି ଏହି ଜର୍ନାଲ୍‌କୁ ଚଳାଉଥିବା ଟ୍ରଷ୍ଟର ସଦସ୍ୟମାନେ (ଆମେରିକାର ସୁପ୍ରିମ୍‌ କୋର୍ଟ ଭଳି) ଆଜୀବନ କାର୍ଯ୍ୟକାଳ ଉପଭୋଗ କରନ୍ତି। ଦଶ ଜଣ ଟ୍ରଷ୍ଟିଙ୍କ ମଧ୍ୟରୁ ସବୁଠାରୁ ସାନ ହେଉଛନ୍ତି ୬୭ ବର୍ଷୀୟ; ସବୁଠାରୁ ବୟସ୍କ ହେଉଛନ୍ତି ୯୩ ବର୍ଷୀୟ। ଦଶ ଜଣଙ୍କ ମଧ୍ୟରୁ ନଅ ଜଣ ହେଉଛନ୍ତି ପୁରୁଷ। ଟ୍ରଷ୍ଟ ସଦସ୍ୟମାନଙ୍କ ହାରାହାରି ବୟସ ୮୦ର ନିକଟତର। ଅପର ପକ୍ଷେ, ସମାଜବିଜ୍ଞାନ କ୍ଷେତ୍ରରେ ଗବେଷକମାନେ ସାଧାରଣତଃ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାନ୍ତି ସେମାନଙ୍କ ଜୀବନର ତୃତୀୟ ଅଥବା ଚତୁର୍ଥ ଦଶନ୍ଧିରେ। ଜର୍ନାଲ୍‌ର ପରିଚାଳକ ଓ ତାହାର ନିବନ୍ଧ ଲେଖକଙ୍କ ବୟସରେ ଏହି ବିଶାଳ ତାରତମ୍ୟ ଥିବା ବେଳେ ‘ଇପିଡବ୍ଲ୍ୟୁ’ କିଭଳି ଭାବେ ତାହାର ପୂର୍ବ ପ୍ରତିଷ୍ଠା ବଜାୟ ରଖିପାରିବ?
‘ଇପିଡବ୍ଲ୍ୟୁ’ର ଆତ୍ମଘାତୀ ପତନର ସମ୍ପୂର୍ଣ୍ଣ ବିପରୀତ ଦିଗରେ ଯାଇ ମୁଁ ଜାଣିଥିବା ଅନ୍ୟ ଏକ ବୌଦ୍ଧିକ ଅନୁଷ୍ଠାନ ସ୍ବ-ନବୀକରଣ କରିପାରିଛି। ଏହା ହେଉଛି ବାଙ୍ଗାଲୋରର ନେସ୍‌ନାଲ୍‌ ସେଣ୍ଟର୍‌ ଅଫ୍ ବାୟୋଲୋଜିକାଲ୍‌ ସାଇନ୍‌ସେସ୍‌ (ଏନ୍‌ସିବିଏସ୍‌)। ‘ଏନ୍‌ସିବିଏସ୍‌’ ହେଉଛି ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚ୍ଚ (ଟିଆଇଏଫ୍‌ଆର୍‌)ର ଏକ ପ୍ରଶାଖା, ଯାହା ୧୯୪୦ ଦଶନ୍ଧିରେ ବମ୍ବେଠାରେ ପ୍ରତିଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ଦେଢ଼ ଦଶନ୍ଧିରେ ପଦାର୍ଥବିଜ୍ଞାନୀ ଓ ଗଣିତଜ୍ଞମାନେ ‘ଟିଆଇଏଫ୍‌ଆର୍‌’ରେ ଆଧିପତ୍ୟ ବିସ୍ତାର କରିଥିଲେ। ତେବେ ୧୯୬୦ ଦଶକରେ ଏଠାରେ ଓବେଦ୍ ସିଦ୍ଦିକି ନାମକ ଜଣେ ବିଚକ୍ଷଣ ଯୁବ ଜୀବବିଜ୍ଞାନୀ ନିଯୁକ୍ତ ହେଲେ। ଏହି ଅନୁଷ୍ଠାନର ମୂଳ କ୍ୟାମ୍ପସ୍‌ରେ କୋଡ଼ିଏ ବର୍ଷ କାମ କରିବା ପରେ ସେ ଏକ ନୂଆ ଜୀବବିଜ୍ଞାନ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ବାଙ୍ଗାଲୋର ଗଲେ।
ପ୍ରଶିକ୍ଷଣ ଦୃଷ୍ଟିରୁ ମୁଁ ଜଣେ ସମାଜବିଜ୍ଞାନୀ ହୋଇଥିଲେ ହେଁ ଭାରତୀୟ ବିଜ୍ଞାନ ଜଗତ ସହ ମୋର ଭଲ ପରିଚୟ ଅଛି। ମୋର ଅନେକ ନିକଟ ସମ୍ପର୍କୀୟ ବୈଜ୍ଞାନିକ ଥିଲେ, ମୁଁ ନିଜେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍‌ସରେ ଅଧ୍ୟାପନା କରିଛି। ‘ଏନ୍‌ସିବିଏସ୍‌’ର ଯେଉଁ ଦିଗଟି ମୋତେ ଆକୃଷ୍ଟ କରେ, ତାହା ହେଉଛି ମୁଁ ଜାଣିଥିବା ସମସ୍ତ ଭାରତୀୟ ଗବେଷଣା ଅନୁଷ୍ଠାନ ମଧ୍ୟରୁ ଏଠାରେ ସର୍ବନିମ୍ନ ଶ୍ରେଣୀ ବିଭାଜନ ଦେଖିବାକୁ ମିଳେ। ଏଠାକାର ସହଯୋଗୀ ମନୋଭାବ, ମୁକ୍ତ ବୌଦ୍ଧିକ ମତ ବିନିମୟ ସବୁଠାରୁ ଉଲ୍ଲେଖନୀୟ, ଯାହା ‘ସେଣ୍ଟର୍‌ ଫର୍ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ’ ଅଧୀନସ୍ଥ ୩୭ଟି ପରୀକ୍ଷାଗାରରେ ମୁଖ୍ୟତଃ ଅନୁପସ୍ଥିତ; ଆଇଆଇଟିମାନଙ୍କରେ ମଧ୍ୟ ବର୍ତ୍ତମାନ ସେଭଳି ବିଭାବ ଦୃଶ୍ୟମାନ ହେଉନାହିଁ। ଆଇଆଇଟିମାନଙ୍କରେ ଡିନ୍‌ ଓ ନିର୍ଦେଶକ ପଦରେ ଥିବା ବୟସ୍କ ପୁରୁଷମାନଙ୍କୁ ସେମାନଙ୍କ କନିଷ୍ଠ ସହକର୍ମୀମାନେ ଅତିରଞ୍ଜିତ ବଶମ୍ବଦତା ପ୍ରଦର୍ଶନ କରିବାକୁ ବାଧ୍ୟ ହୁଅନ୍ତି, ଅଥଚ ସେହିମାନେ ହୁଏତ ସେମାନଙ୍କ ବରିଷ୍ଠମାନଙ୍କ ଠାରୁ ଅଧିକ ମୌଳିକ ଗବେଷଣାରେ ବ୍ୟାପୃତ ଥାଆନ୍ତି।
ନିକଟରୁ ଓବେଦ୍‌ ସିଦ୍ଦିକିଙ୍କୁ ଦେଖିଥିବାରୁ, ମୋର କୌଣସି ସନ୍ଦେହ ନାହିଁ ଯେ ଏହି ଗଣତାନ୍ତ୍ରିକ ଓ ଭାଗୀଦାରି ଆଦର୍ଶ ପ୍ରତିଷ୍ଠା କରିବାରେ ତାଙ୍କର ନିର୍ଣ୍ଣାୟକ ଭୂମିକା ଥିଲା। ତାଙ୍କ ପିଢ଼ିର ଅନ୍ୟ ଶୀର୍ଷ ଭାରତୀୟ ଗବେଷକଙ୍କ ବିପରୀତ, ତାଙ୍କ ଠାରେ ଆଡ଼ମ୍ବର ଅଥବା ଶ୍ରେଣୀବିଭାଜନ ପ୍ରତି ଆଦର ସଂପୂର୍ଣ୍ଣ ଅନୁପସ୍ଥିତ ଥିଲା। ସେ ଜାଣିଥିଲେ ଯେ ଯୁବପିଢ଼ି ହିଁ ଶ୍ରେଷ୍ଠ ବୈଜ୍ଞାନିକ କାର୍ଯ୍ୟ କରନ୍ତି; ତାଙ୍କ ଦାୟିତ୍ବ ଥିଲା ସେମାନଙ୍କୁ ନିଜ ଦକ୍ଷତା ପ୍ରସ୍ଫୁଟନ ଲାଗି ପର୍ଯ୍ୟାପ୍ତ ସ୍ବାଧୀନତା ଦେବା, ନିଜ ବିଚାରର ଛାଞ୍ଚରେ ସେମାନଙ୍କୁ ଆକାର ଦେବା ନୁହେଁ। ବିଜ୍ଞାନ ବହିର୍ଭୂତ ଦୁନିଆରେ ମଧ୍ୟ ତାଙ୍କର ଗଭୀର ଆଗ୍ରହ ଥିଲା, ସେ ଦାର୍ଶନିକ, ଐତିହାସିକ ଓ ସମାଜବିଜ୍ଞାନୀମାନଙ୍କ ସହିତ ବିଚାର ଆଦାନପ୍ରଦାନ କରୁଥିଲେ।
ନିର୍ଦେଶକ ଭାବେ ସିଦ୍ଦିକିଙ୍କ କାର୍ଯ୍ୟକାଳ ପୂରିବା ପରେ ସେ ନିଜେ ପ୍ରତିଷ୍ଠା କରିଥିବା ଅନୁଷ୍ଠାନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିନଥିଲେ; ତାଙ୍କ ସ୍ଥାନରେ ଅନ୍ୟ କେହି ଥିଲେ ହୁଏତ ସେଭଳି ଉଦ୍ୟମ କରିଥାନ୍ତେ। ସେ ‘ଏନ୍‌ସିବିଏସ୍‌’ର ପରିଚାଳନା ଦାୟିତ୍ବ ଜଣେ କନିଷ୍ଠ ସହକର୍ମୀଙ୍କୁ ହସ୍ତାନ୍ତର କରିଦେଇଥିଲେ ଏବଂ ନିରବରେ ନିଜ ଗବେଷଣା ଜାରି ରଖିଥିଲେ। ‘ଏନ୍‌ସିବିଏସ୍‌’ର ଦ୍ବିିତୀୟ ନିର୍ଦେଶକ ମଧ୍ୟ ତାଙ୍କ ପର ପିଢ଼ିର ଜଣେ ଉତ୍କୃଷ୍ଟ ବୈଜ୍ଞାନିକଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ, ଯିଏ ଏବେ ଚତୁର୍ଥ ନିର୍ଦେଶକଙ୍କ ପାଇଁ ବାଟ ସୁଗମ କରିଦେଇଛନ୍ତି। ପୂର୍ବ ତିନିଜଣ ନିର୍ଦେଶକଙ୍କ ବିପରୀତ ଏବେକାର ନିର୍ଦେଶକ ପୂର୍ବରୁ କେବେ ‘ଏନ୍‌ସିବିଏସ୍‌’ରେ କାମ କରିନଥିଲେ, ତେଣୁ ତାଙ୍କ ସହିତ ଏହି ଅନୁଷ୍ଠାନକୁ ନୂତନ ଅଭିଜ୍ଞତା ଓ ବିଚାରର ଆଗମନ ହୋଇଛି।
ଓବେଦ୍‌ ସିଦ୍ଦିକି ଯଦି ଜଣେ ଅସାଧାରଣ ଭାରତୀୟ ପୁରୁଷ ହୋଇନଥାନ୍ତେ, ତେବେ ‘ଏନ୍‌ସିବିଏସ୍‌’ର ଏପରି ଶ୍ରୀବୃଦ୍ଧି ହୋଇନଥାନ୍ତା। ଏହି ଅନୁଷ୍ଠାନର ଦୀର୍ଘସ୍ଥାୟୀ ସଫଳତାର ଅନ୍ୟ ଏକ କାରଣ ହେଉଛି ଏହାର ପରିଚାଳନା ସଂରଚନା। ଏହାର ନିର୍ଦେଶକ ଅନୁଷ୍ଠାନର ଦୈନନ୍ଦିନ କାର୍ଯ୍ୟ ଦାୟିତ୍ବରେ ଥିବା ବେଳେ ତାଙ୍କ ଉପରିସ୍ଥ ମ୍ୟାନେଜମେଣ୍ଟ ବୋର୍ଡ ତାଙ୍କୁ ପରାମର୍ଶ ଓ ସହଯୋଗ ପ୍ରଦାନ କରିଥାଏ। ଏହି ବୋର୍ଡରେ ପନ୍ଦର ଜଣ ସଦସ୍ୟ ଅଛନ୍ତି। ସେଥିରୁ ପାଞ୍ଚ ଜଣ ହେଲେ ଭାରତ ସରକାର ଓ ଟିଆଇଏଫ୍‌ଆର୍‌ର ପୂର୍ବତନ ଅଧିକାରୀ। ଅନ୍ୟ ଦଶ ଜଣ ହେଉଛନ୍ତି ସାରା ପୃଥିବୀରୁ ମନୋନୀତ ହୋଇଥିବା କାର୍ଯ୍ୟରତ ବୈଜ୍ଞାନିକ, ଯେଉଁଥିରୁ ପାଞ୍ଚ ଜଣ ହେଉଛନ୍ତି ମହିଳା।
‘ଏନ୍‌ସିବିଏସ୍‌’ ବୋର୍ଡ ସଦସ୍ୟଙ୍କ କାର୍ଯ୍ୟ କାଳ ହେଉଛି ଠିକ୍ ତିନି ବର୍ଷ; ଜଣଙ୍କ ସଦସ୍ୟତା ଦୁଇ ଥରରୁ ଅଧିକ ନବୀକୃତ ହୋଇପାରିବ ନାହିଁ। ‘ଇପିଡବ୍ଲ୍ୟୁ’ ଟ୍ରଷ୍ଟ ବିପରୀତ, ଏଠାରେ କେହି ଆଜୀବନ ସଦସ୍ୟ ନାହାନ୍ତି। ‘ଏନ୍‌ସିବିଏସ୍‌’ ବୋର୍ଡରେ ଜଣେ ସର୍ବାଧିକ ନଅ ବର୍ଷ କାର୍ଯ୍ୟ କରିପାରିବେ, ଯେତେବେଳେକି ‘ଇପିଡବ୍ଲ୍ୟୁ’ ବୋର୍ଡରେ ଜଣେ ଜଣେ ତିରିଶ ବର୍ଷରୁ ଅଧିକ କାଳ ରହିଆସିଛନ୍ତି।
ଉପସଂହାରରେ ଏହା ଉଲ୍ଲେଖ କରିବା ଜରୁରି ଯେ ଯଦିଓ କ୍ଷମତାଶାଳୀ ଓ ସଫଳ ମହିଳାମାନେ ଏହି ‘ପାରୁପର୍ଯ୍ୟନ୍ତ କାଳ ଯାଏ କ୍ଷମତାରେ ରହିବାର’ ଅଲକ୍ଷଣରୁ ମୁକ୍ତ ନୁହନ୍ତି, ତଥାପି ଏହା ପୁରୁୁଷମାନଙ୍କ କ୍ଷେତ୍ରରେ ଅଧିକ ବ୍ୟାପକ। ଓବେଦ୍‌ ସିଦ୍ଦିକି ନିଜ ଲିଙ୍ଗ ଓ ଦେଶ ଦୃଷ୍ଟିରୁ ଜଣେ ବ୍ୟତିକ୍ରମ। ରାଜନୀତି, କ୍ରୀଡ଼ା, ଶିଳ୍ପ, ନାଗରିକ ସମାଜ ଓ ଶିକ୍ଷା କ୍ଷେତ୍ରରେ ଅସଂଖ୍ୟ ଭାରତୀୟ ପୁରୁଷ ସେହିଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି ଓ ଆଗକୁ କରିବେ ମଧ୍ୟ, ଯେଉଁଭଳି କରିବାକୁ ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ଚାହୁଁଥିଲେ। ସେମାନଙ୍କର ଏଭଳି ଅଦୂରଦର୍ଶୀ ଓ ଆତ୍ମକୈନ୍ଦ୍ରିକ ଆଚରଣର ମୂଲ୍ୟ ସେମାନଙ୍କ କନିଷ୍ଠ ଦକ୍ଷତାସଂପନ୍ନ ସହକର୍ମୀ ଓ ସାମଗ୍ରିକ ଭାବେ ସମାଜକୁ ହିଁ ଦେବାକୁ ପଡ଼େ।
[email protected]