‘ଓମ୍‌ଫେଡ୍‌’ର ଗତି କୁଆଡ଼େ?

ବଣିଜ ବିଚାର - ପୁର୍ଣ୍ଣେନ୍ଦୁ କର

ଏକଦା ଓଡ଼ିଶାର ଦୁଗ୍‌ଧ ସାମ୍ରାଜ୍ୟରେ ଏକକ ବାଦଶାହ ଥିଲା ‘ଓମ୍‌ଫେଡ୍‌।’ ଯଦିଓ ଏବେ ମଧ୍ୟ ବଜାର ଅଂଶ ବା ‘ମାର୍କେଟ୍‌ ସେୟାର୍‌’ରେ ‘ଓମ୍‌ଫେଡ୍‌’ର ସିଂହଭାଗ ରହିଛି; କେତେକ ପ୍ରତିଦ୍ବନ୍ଦ୍ବୀ ଘରୋଇ କମ୍ପାନି ୨୦୦୮-୨୦୦୯ ମସିହାରେ ବେପାରକୁ ଓହ୍ଲାଇ ସେମାନଙ୍କ ‘ମାର୍କେଟ୍‌ ସେୟାର୍‌’ ବୃଦ୍ଧି କରିବାରେ ଲାଗିଛନ୍ତି। ଗୁଜରାଟର ‘ଅମୁଲ’ ମଡେଲକୁ ଭିତ୍ତି କରି ଦେଶରେ ଗଢ଼ି ଉଠିଥିବା କ୍ଷୀର ସମବାୟ ଭିତରୁ ଓଡ଼ିଶାର ‘ଓମ୍‌ଫେଡ୍‌’ ଅନ୍ୟତମ, ଯାହା ୧୯୮୦ ମସିହାରେ ଆତ୍ମପ୍ରକାଶ କରିଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହାର ବିକାଶ ଯେଉଁ ଭଳି ହେବା କଥା, ସେମିତି ହୋଇ ପାରିନାହିଁ।

ସଂପ୍ରତି, ଓଡ଼ିଶାରେ କ୍ଷୀର ଉତ୍ପାଦନ ବୃଦ୍ଧି ହାର ୩% ଥିଲା ବେଳେ ‘ଓମ୍‌ଫେଡ୍‌’ର ବ୍ୟବସାୟ ୨% ହାରରେ କମିବାରେ ଲାଗିଛି। ଅନ୍ୟ ରାଜ୍ୟରେ ଦୁଗ୍‌ଧ କୋ-ଅପରେଟିଭ ଏବଂ ଓଡ଼ିଶା ସମେତ ସବୁ ରାଜ୍ୟର ଘରୋଇ କ୍ଷୀର କମ୍ପାନିମାନଙ୍କର ବାର୍ଷିକ ବ୍ୟବସାୟରେ ବୃଦ୍ଧି ୯-୧୧% ହାରରେ ଥିବା ବେଳେ ୨୦୧୬-୧୭ରୁ ୨୦୨୧-୨୨ ଭିତରେ ହୋଇଥିବା ବ୍ୟବସାୟ ପରିସଂଖ୍ୟାନ କହେ ଯେ ‘ଓମ୍‌ଫେଡ୍‌’ର ବ୍ୟବସାୟ ବାର୍ଷିକ ହାରାହାରି ବିଗତ ୫ ବର୍ଷ ଭିତରେ ୨% ହାରରେ କମିବାକୁ ଲାଗିଛି। ‘ଓମ୍‌ଫେଡ୍‌’ର ବିକ୍ରି ମୂଲ୍ୟ ୨୦୧୨-୧୩ରେ ୫୨୨ କୋଟି ଟଙ୍କା ଥିଲା ବେଳେ ୨୦୨୨ ସୁଦ୍ଧା ମାତ୍ର ୬୯୪ କୋଟି ଟଙ୍କାରେ ପହଂଚିଛି, ଅର୍ଥାତ ବିଗତ ଦଶ ବର୍ଷ ଭିତରେ ମାତ୍ର ୩୨% ବ୍ୟବସାୟ ବୃଦ୍ଧି। ଏହା ସହିତ ବିଗତ ୧୦ ବର୍ଷର ଲାଭ ୧୬୭% ହାରରେ ତଳକୁ ଖସି ଖସି ଆସିଛି। ୨୦୦୫ଠାରୁ ସଦସ୍ୟ ଦୁଗ୍‌ଧ ଚାଷୀଙ୍କ ସଂଖ୍ୟା ମାତ୍ର ୩% ହାରରେ ବୃଦ୍ଧି ପାଉଛି, ଯାହା ଅନ୍ୟ ରାଜ୍ୟର ଦୁଗ୍‌ଧ କୋଅପରେଟିଭ ଏବଂ ଘରୋଇ ଦୁଗ୍‌ଧ କମ୍ପାନିମାନଙ୍କ କ୍ଷେତ୍ରରେ ହେଉଛି ୧୦-୧୨%। ଚାଷୀଙ୍କ ଠାରୁ କ୍ଷୀର ଅସୁଲିରେ ମାତ୍ର ୮% ହାରରେ ବୃଦ୍ଧି ଘଟୁଛି, ଯାହା ଅନ୍ୟ ରାଜ୍ୟର ଦୁଗ୍‌ଧ କୋଅପରେଟିଭ ତଥା ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଘ‌େରାଇ ଦୁଗ୍‌ଧ କମ୍ପାନିମାନଙ୍କ କ୍ଷେତ୍ରରେ ପାଖାପାଖି ୧୫%। ‘ଓମ୍‌ଫେଡ୍‌’ର ୨୦୨୧-୨୨ ପାଇଁ ବିକ୍ରିର ଆକଳନ ୮୧୨ କୋଟି ଟଙ୍କା କରାଯାଇଥିବା ବେଳେ ପ୍ରକୃତ ବିକ୍ରି ମୂଲ୍ୟ ଥିଲା ମାତ୍ର ୬୯୪ କୋଟି ଟଙ୍କା। ବିଗତ ପାଞ୍ଚ ବର୍ଷର ବିକ୍ରିକୁ ଦେଖିଲେ ଆକଳନ ଏବଂ ପ୍ରକୃତ ବିକ୍ରି ଭିତରେ ପାଖାପାଖି ୧୦୦-୧୫୦ କୋଟିର ଫରକ ରହିଛି।

ଭାରତରେ ସବୁଠାରୁ ଅଧିକା ଦୁଗ୍‌ଧ ଉତ୍ପାଦନ କରୁଥିବା ବିଭିନ୍ନ ରାଜ୍ୟର କୋ-ଅପରେଟିଭ୍‌ଗୁଡ଼ିକର ବ୍ୟବସାୟକୁ ଦେଖାଯାଉ। ପଞ୍ଜାବର ‘ମିଲ୍‌କଫେଡ୍‌’ ଗଲା ଦଶ ବର୍ଷରେ ବାର୍ଷିକ ହାରାହାରି ୧୧% ହାରରେ ବୃଦ୍ଧି ଅନୁସାରେ ୨୦୨୦-୨୧ରେ ୪,୪୬୨ କୋଟି ଟଙ୍କାର ବ୍ୟବସାୟ କରିଛି ଏବଂ ବିଦେଶକୁ ମଧ୍ୟ ରପ୍ତାନି କରୁଛି। ଉଲ୍ଲେଖ ଥାଉ କି ପଞ୍ଜାବର ଜନସଂଖ୍ୟା ଓଡ଼ିଶା ଠାରୁ ପାଖାପାଖି ଦେଢ଼ କୋଟି କମ୍‌। କର୍ଣ୍ଣାଟକର ‘ନନ୍ଦିନୀ’ ବିଗତ ପାଞ୍ଚ ବର୍ଷରେ ହାରାହାରି ୯-୧୦% ବୃଦ୍ଧି ଘଟାଇ ପହଞ୍ଚିଛି ୧୯,୭୮୪ କୋଟି ଟଙ୍କାରେ। ତାମିଲନାଡୁର ‘ଆଭିନ’ ବିଗତ ୫ ବର୍ଷରେ ବାର୍ଷିକ ହାରାହାରି ୧୧% ହାରରେ ବୃଦ୍ଧି ହୋଇ ପହଞ୍ଚିଛି ୫,୯୯୪ କୋଟି ଟଙ୍କାରେ। ସେହି ଦୃଷ୍ଟିରୁ ‘ଓମଫେଡ୍‌’ର ସ୍ଥିତି ନିରାଶାଜନକ ଭଳି ମନେ ହୁଏ।

ଏବେ ବଡ଼ ଘରୋଇ କଂପାନିମାନେ ଏ କ୍ଷେତ୍ରରେ ପ୍ରବେଶ କରି କାୟା ବିସ୍ତାର କରିବାରେ ଲାଗିଛନ୍ତି। ଏମାନେ ଏବେ ଓଡ଼ିଶ‌ା‌ରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏମାନଙ୍କ ସହିତ ଓଡ଼ିଶାର ଘରୋଇ କଂପାନିମାନେ ମିଶିଗଲେ ତାହା ‘ଓମ୍‌ଫେଡ୍‌’ର ବେପାର ସକାଶେ ଅଧିକ ଚିନ୍ତା ବଢ଼ାଇବ। ଏଣେ ଘରୋଇ କଂପାନିମାନଙ୍କ ମା‌େର୍କଟିଂ ଖର୍ଚ୍ଚ ହ୍ରାସ ପାଉଥିବା ବେଳେ ବେପାରରେ ବୃଦ୍ଧି ପାଇ ସେମାନଙ୍କ ଲାଗି ଅଧିକ ଲାଭର କାରଣ ହେଉଛି। ଉଦାହରଣ ସ୍ବରୂପ ଆନ୍ଧ୍ର ପ୍ରଦେଶର ହେରିଟେଜ କମ୍ପାନିର ଖର୍ଚ୍ଚ ବିଗତ ୫ ବର୍ଷରେ ୨% ହାରରେ କମୁଛି, ଅଥଚ ବେପାର ହାରାହାରି ୮% ହାରରେ ବଢୁଛି ବା ତାମିଲନାଡୁର ହ୍ୟାଟସନ କଂପାନିର ଖର୍ଚ୍ଚ ବିଗତ ୫ ବର୍ଷରେ ୦.୫% ହାରରେ କମୁଛି କିନ୍ତୁ ବେପାର ୧୫% ହାରରେ ବଢୁଛି। ଅନ୍ୟ ପକ୍ଷରେ, ‘ଓମ୍‌ଫେଡ୍‌’ର ମାର୍କେଟିଂ ଖର୍ଚ୍ଚ ବିଗତ ୫ ବର୍ଷରେ ୦.୨୧% ହାରରେ ବଢୁଛି, କିନ୍ତୁ ବେପାର ହାରାହାରି ୨% ହାରରେ କମୁଛି। ଏକ ଆକଳନ ଅନୁସାରେ ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାରେ ଦୁଗ୍‌ଧ ଏବଂ ଦୁଗ୍‌ଧ ଜାତ ଦ୍ରବ୍ୟର ବ୍ୟବସାୟ ପାଖାପାଖି ୧୪% ହାରରେ ବୃଦ୍ଧି ପାଇବାର ସମ୍ଭାବନା ଅଛି। କିନ୍ତୁ ଲାଗୁଛି ଏହାର ଲାଭ ‘ଓମ୍‌ଫେଡ୍‌’ ତୁଳନାରେ ବିଭିନ୍ନ ଘରୋଇ ସଂସ୍ଥା ଅଧିକ ଉଠାଇ ପାରନ୍ତି।

ଏବେ ଆଲୋଚନା କରିବା ‘ଓମ୍‌ଫେଡ୍‌’ ଦୁଗ୍‌ଧ ସମ୍ରାଜ୍ୟରେ ଅସୁବିଧାଟି ରହିଛି କେଉଁଠି? ପ୍ରଥମ କଥା ହେଲା ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ବାବଦ ମୂଲ୍ୟ ପ୍ରଦାନରେ ନିୟମିତତା। ‘ଓମ୍‌ଫେଡ୍‌’ର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଘରୋଇ କଂପାନି ୫ ଦିନକୁ ଥରେ ଚାଷୀଙ୍କୁ ଟଙ୍କା ଦେଇଥାଏ, କିନ୍ତୁ ଏ ବାବଦରେ ‘ଓମ୍‌ଫେଡ୍‌’ର କୌଣସି ନିର୍ଦ୍ଦିଷ୍ଟ ନୀତି ବା ନିୟମ ନାହିଁ। ‘ଓମ୍‌ଫେଡ୍‌’ର ୧୦୧ତମ ବୋର୍ଡ ମିଟିଙ୍ଗ ମାଇନୁଟ୍‌ସରୁ (ଏଜେଣ୍ଡା ନମ୍ବର ୧୮୬୩) ଏଭଳି ଅନିୟମିତତାର ଆଭାସ ମିଳେ। ତେଣୁ ‘ଓମ୍‌ଫେଡ୍‌’କୁ ଦୁଗ୍‌ଧ ଯୋଗାଇବାରେ ଚାଷୀମାନେ କ୍ରମେ କୁଣ୍ଠା ପ୍ରକାଶ କରୁଛନ୍ତି। ଏଣେ ୨୦୧୯-୨୦ର ବାର୍ଷିକ ରିପୋର୍ଟରେ ଥିବା ତଥ୍ୟ କହେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ‘ଓମ୍‌ଫେଡ୍‌’କୁ ୮୫ କୋଟି ଟଙ୍କା ଅନୁଦାନ ଦେଇ ସାରିଛନ୍ତି; ଓଡ଼ିଶା ସରକାର ୫ କୋଟି ଟଙ୍କାର ଋଣ ବି ଦେଇଛନ୍ତି; ‘ଓମ୍‌ଫେଡ୍‌’ ପରିଚାଳନା ନିୟମ ମୁତାବକ ରିଟେଲରମାନଙ୍କଠାରୁ ଅଗ୍ରିମ ଟଙ୍କା ଆଣି କ୍ଷୀର ବିକ୍ରି କରାଯାଏ, ନ ହେଲେ ନଗଦରେ ବିକ୍ରି କରାହୁଏ। ‘ଓମ୍‌ଫେଡ୍‌’ର ବାର୍ଷିକ ବିବରଣୀ ଅନୁସାରେ ବିଗତ ୫ ବର୍ଷ ହେଲାଣି ବିକ୍ରି ହେବାର ୭ ଦିନ ଭିତରେ ଯେମିତି ହେଲେ ମଧ୍ୟ ରିଟେଲରମାନଙ୍କ ଠାରୁ ଟଙ୍କା ମିଳିଯାଏ।

ଏ ପଟେ ସରକାରଙ୍କ ଠାରୁ ଅନୁଦାନ ମିଳୁଛି, ସେ ପଟେ ସପ୍ତାହେ ଭିତରେ ବିକ୍ରି ଟଙ୍କା ମିଳିଯାଉଛି; ଅଥଚ ଚାଷୀମାନଙ୍କୁ ପାଞ୍ଚ ଦିନକୁ ଥରେ ପ୍ରାପ୍ୟ ପଇଠ କରାଯାଇ ପାରୁନାହିଁ କାହିଁକି? ଘରୋଇ ସଂସ୍ଥାମାନେ ଗୋ-ଖାଦ୍ୟ ପାଇଁ ଚାଷୀଙ୍କୁ ସବ୍‌ସିଡି ଦେଉ ନ ଥିଲା ବେଳେ ‘ଓମ୍‌ଫେଡ୍‌’ ଚାଷୀଙ୍କ ଲାଗି ସବ୍‌ସିଡିର ବ୍ୟବସ୍ଥା କରିଛି। ଏହା ସତ୍ତ୍ବେ ରାଜ୍ୟର ଘରୋଇ କଂପାନିର ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଛି; ଯାହାର ପ୍ରମାଣ ହେଲା ଘରୋଇ କଂପାନିଗୁଡ଼ିକର ଗୋ-ଖାଦ୍ୟ ବିକ୍ରି ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ଦ୍ବିତୀୟରେ ‘ଓମ୍‌ଫେଡ୍‌’ର ପରିଚାଳନା ସରକାରୀ ପ୍ରାଶାସନିକ ଅଧିକାରୀଙ୍କ ଦ୍ବାରା ହୋଇଥାଏ। କିନ୍ତୁ କଥା ହେଲା, ଏହି ପଦରେ କ୍ଷିପ୍ର ଅଦଳବଦଳ ହୋଇଥାଏ, ଅନେକ ସମୟରେ ରାଜନୈତିକ ପୃଷ୍ଠପୋଷକତା ଲାଭ କରୁଥିବା ଅଧିକାରୀଙ୍କ ନିଯୁକ୍ତି ବିଷୟ ଚର୍ଚ୍ଚାକୁ ଆସେ ଏବଂ ବଡ଼ କଥା ହେଲା ଦୁଗ୍‌ଧ ବ୍ୟବସାୟରେ ପୂର୍ବ ଅଭିଜ୍ଞତା ନ ଥିବା ଲୋକେ ଏହି ପଦରେ ଆସୀନ ହୁଅନ୍ତି।

କିନ୍ତୁ ଘରୋଇ କଂପାନିମାନଙ୍କରେ ଏ ସବୁ ଅତ୍ୟନ୍ତ ସୂକ୍ଷ୍ମ ଯୋଜନା ମୁତାବକ ତଥା ଅଭିଜ୍ଞ ପରିଚାଳକଙ୍କ ଦ୍ବାରା ହୋଇଥାଏ। ସମ୍ଭବତଃ, ଏ କଥାକୁ ବୁଝି ପାରି ‘ଓମ୍‌ଫେଡ୍‌’ ପକ୍ଷରୁ କିଛି ବର୍ଷ ହେଲା ନୂଆ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି, ଯାହାଙ୍କ ଦୁଗ୍‌ଧ ଉତ୍ପାଦନ ଏବଂ ବ୍ୟବସାୟ ପରିଚାଳନାରେ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ଅଛି। କିନ୍ତୁ ପ୍ରଶ୍ନ ଉଠେ ଏଭଳି ନିଯୁକ୍ତି କେବଳ ୩ ବର୍ଷ ପାଇଁ କାହିଁକି? ଏହା ଦ୍ବାରା ପରିଚାଳନାଗତ ଦୁର୍ବଳତା ଦୂର କରାଯାଇ ପାରୁନାହିଁ। ତୃତୀୟରେ ‘ଓମ୍‌ଫେଡ୍‌’ର ପରିଚାଳନା ଏକକୈନ୍ଦ୍ରିକ ବା ‘ସେଣ୍ଟ୍ରାଲାଇଜଡ୍‌’ ନୁହେଁ। ଏହାର ପ୍ରଥମ ସ୍ତରରେ ରହିଲେ ଦୁଗ୍‌ଧ ଚାଷୀ, ଯେଉଁମାନେ ସୋସାଇଟିକୁ କ୍ଷୀର ବିକନ୍ତି। ଦ୍ବିତୀୟ ସ୍ତରରେ ରହିଲେ ଜିଲ୍ଲା ଦୁଗ୍‌ଧ ୟୁନିଅନ ଯିଏ ଗାଁରେ ଥିବା ସୋସାଇଟି ପାଖରୁ ଦୁଗ୍‌ଧ ଆଣନ୍ତି ଏବଂ ତୃତୀୟ ସ୍ତରରେ ଥିବା ‘ଓମ୍‌ଫେଡ୍‌’କୁ କ୍ଷୀର ଯୋଗାଣ କରନ୍ତି। ଏଭଳି ତିନି ସ୍ତରରେ ହେଉଥିବା ପରିଚାଳନାରେ ତ୍ରୁଟି ରହିବା ସ୍ୱାଭାବିକ। ଏଭଳି ବ୍ୟବସ୍ଥାରେ ଅନେକ ଛିଦ୍ର ଥିବାର ଅଭିଯୋଗ ହୁଏ। ଉଦାହରଣ ସ୍ବରୂପ ଅଭିଯୋଗ ହୁଏ ଯେ ଯେଉଁ ଚାଷୀ ଗାଈ ଏବଂ ଗୋଖାଦ୍ୟ କିଣିବାକୁ ସୋସାଇଟି ସେକ୍ରେଟାରିଙ୍କ ଠାରୁ ହାତ ଉଧାରି ନେଇଥାନ୍ତି, ସେମାନଙ୍କୁ ଭଲ କ୍ଷୀର କମ୍‌ ପଇସାରେ ଦେବାକୁ ପରୋକ୍ଷରେ ବାଧ୍ୟ କରାଯାଏ। ଗୋଖାଦ୍ୟ ଯୋଗାଣକୁ ନେଇ ମଧ୍ୟ ଦୁର୍ନୀତି ଦୃଷ୍ଟିଗୋଚର ହୁଏ। ଅନ୍ୟ ପକ୍ଷରେ ଘରୋଇ କମ୍ପାନିଙ୍କ ଦ୍ବାରା ସିଧାସଳଖ ଚାଷୀଙ୍କ ଠାରୁ ଉଚିତ ମୂଲ୍ୟରେ ଦୁଗ୍‌ଧ କିଣାଯାଏ। ଏଜେଣ୍ଟ ମାନଙ୍କୁ ଦୁଗ୍‌ଧ ଯୋଗାଣ ନେଇ ଟାର୍ଗେଟ ବା ଲକ୍ଷ୍ୟ ଦିଆଯାଏ ଏବଂ ତାହା ପୂରଣ କଲେ ସେମାନେ ପ୍ରୋତ୍ସାହନମୂଳକ ରାଶି ପାଆନ୍ତି। ଏହା ଦ୍ବାରା ପରିଚାଳନା ଅଧିକ ପାରଦର୍ଶୀ ହୋଇଥାଏ ଏବଂ ଚାଷୀମାନେ ସଂପୃକ୍ତ ହେବାକୁ ଆଗ୍ରହ ଦେଖାନ୍ତି।

ଓଡ଼ିଶାର ଅଗ୍ରଣୀ ଘରୋଇ କଂପାନି ‘ମିଲ୍‌କି ମୁ’ ବିଗତ କିଛି ବର୍ଷ ଭିତରେ ୧୫୦ କୋଟି ଟଙ୍କା ନିବେଶ କରିସାରିଲାଣି। ଏଥିରୁ ସ୍ପଷ୍ଟ ଯେ ଘରୋଇ ପୁଞ୍ଜି ନିବେଶକାରୀମାନେ ଓଡ଼ିଶାରେ ଦୁଗ୍‌ଧ ବ୍ୟବସାୟରେ ଥିବା ମଉକାକୁ ଚିହ୍ନି ସାରିଲେଣି। ତେଣୁ ଭୟ ହୁଏ ଯେ ଆମ ଓଡ଼ିଶାର କାମଧେନୁ ତଥା କ୍ଷୀର ବ୍ୟବସାୟର ମଉଡ଼ମଣି ‘ଓମ୍‌ଫେଡ୍‌’ କ’ଣ ତାର ଔଜ୍ଜ୍ବଲ୍ୟ ହରାଇ ଅତୀତର ଓ.ଟି.ଏମ. ବା କୋଣାର୍କ ଟେଲିଭିଜନର ଦଶା ଭୋଗିବ?
ମୋ: +୯୧-୯୭୯୧୧୨୧୦୬୮

ସମ୍ବନ୍ଧିତ ଖବର