କିଏ ହେବ ଶ୍ରେଷ୍ଠ ରାଷ୍ଟ୍ର!

ଶରତ ଚନ୍ଦ୍ର ମିଶ୍ର

ବିଶ୍ବ ପ୍ରସିଦ୍ଧ ୟେଲ ବିଶ୍ବବିଦ୍ୟାଳୟର ଅଧୢାପକ ପଲ କେନେଡି ତାଙ୍କ ପୁସ୍ତକ ‘The Rise and fall of great powers’ରେ ବିଶ୍ବରେ କିପରି ଶ୍ରେଷ୍ଠ ଶକ୍ତିର ପରିବର୍ତ୍ତନ ହୁଏ, ତା’ର ତତ୍ତ୍ବାଲୋଚନା କରିଛନ୍ତି। ତାଙ୍କ ମତରେ ବିଶ୍ବରେ ଶ୍ରେଷ୍ଠ ଶକ୍ତି ହୋଇ ରହିବା ନିମନ୍ତେ କେତେଗୋଟି କାରକ ଆବଶ୍ୟକ; ଯେମିତି କି ସାମରିକ ଶ୍ରେଷ୍ଠତ୍ବ, ଆର୍ଥିକ ଅବସ୍ଥାର ପ୍ରାଧାନ୍ୟ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନରେ ନେତୃତ୍ବ, ଉତ୍ପାଦିକା ଶକ୍ତି ଓ ଦେଶରେ ମାନବ ସମ୍ବଳର ଉପଲବ୍‌ଧି ଇତ୍ୟାଦି। ଏତଦ୍‌ ବ୍ୟତୀତ ସେ ଦେଶର ଓ ଦେଶର ଶ୍ରେଷ୍ଠ ଗୋଷ୍ଠୀମାନଙ୍କର ନେତୃତ୍ବ ନେବା ନିମନ୍ତେ ଆଗ୍ରହ ଓ ଇଚ୍ଛା ଥିବା ଆବଶ୍ୟକ। ଏଇ ସବୁ କାରକ ହେତୁ, ୧୬୦୦ ଶତାବ୍ଦୀରେ ସ୍ପେନ ଓ ୧୯୦୦ ଶତାବ୍ଦୀ ସମୟକୁ ଇ˚ଲାଣ୍ତ ପୃଥିବୀର ସର୍ବଶ୍ରେଷ୍ଠ ଦେଶ ହୋଇଥିଲେ। ପ୍ରଥମ ମହାଯୁଦ୍ଧ ଶେଷ (୧୯୧୮) ପରେ ଇ˚ଲାଣ୍ତ ଦୁର୍ବଳ ହେବାକୁ ଲାଗିଲା ଓ ଦ୍ବିତୀୟ ମହାଯୁଦ୍ଧ ପରେ (୧୯୪୫) ବିଶ୍ବ ନେତୃତ୍ବ ଇ˚ଲାଣ୍ତ ହାତରୁ ଖସି ଆମେରିକା ହାତକୁ ଚାଲିଗଲା। ବିଗତ ସତୁରି ବର୍ଷରୁ ଅଧିକ କାଳ ହେଲା, ଆମେରିକା ପୃଥିବୀର ଅଗ୍ରଗଣ୍ୟ ଦେଶ ଓ ଆମେରିକାନ ଡଲାର୍‌ ମାଧୢମରେ ପୃଥିବୀର ନେଣଦେଣ ଓ ବାଣିଜ୍ୟ ପରିଚାଳିତ ହେଉଅଛି। ବିଶ୍ବ ବ୍ୟାଙ୍କ୍‌ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଜରିଆରେ ଜଗତ୍‌ର ଆର୍ଥିକ ବ୍ୟବସ୍ଥାକୁ ଏକ ପ୍ରକାର ନିୟନ୍ତ୍ରଣ କରୁଛି ଓ ଡଲାର ମାଧୢମରେ ସମସ୍ତ କାରବାର ହେଉଥିବା ଯୋଗୁ ଅନ୍ୟ ଦେଶମାନଙ୍କ ଉପରେ ଆର୍ଥିକ କଟକଣା ଜାରି କରିପାରୁଛି। ବିରାଟ ନୌବହର, ଆକାଶ ବାହିନୀ ଓ ଆଣବିକ ଶକ୍ତି ହେତୁ, ବିଭିନ୍ନ ଦେଶରେ ସାମରିକ ହସ୍ତକ୍ଷେପ କରିପାରୁଅଛି। ଶୀତଳ ଯୁଦ୍ଧ ସମୟରେ ଆମେରିକାର ଏ ପ୍ରାଧାନ୍ୟକୁ ହ୍ରାସ କରିବା ନିମନ୍ତେ ଉଦ୍ୟମ କରି ସୋଭିଏତ୍‌ ରୁଷିଆ ଅସଫଳ ହେଲା ଓ ଆମେରିକା ସହିତ ବ୍ୟୟ ବହୁଳ ଅସ୍ତ୍ର ପ୍ରତିଯୋଗିତାରେ ବ୍ୟାପ୍ତ ହେବାରୁ ନିଜର ଆର୍ଥିକ ଅବସ୍ଥାରେ ଅବନତି ଘଟିଲା ଓ ସୋଭିଏତ୍‌ ୟୁନିୟନର ଅବକ୍ଷୟ ଘଟି, ଅଣ ରୁଷିଆ ଓ ମୁସଲମାନ ରାଷ୍ଟ୍ରମାନେ ସ୍ବାଧୀନ ହୋଇଗଲେ ଓ ପୂର୍ବ-ଇଉରୋପ, ମଧୢ ପ୍ରାଚ୍ୟ ଓ ଅନ୍ୟ କମ୍ୟୁନିଷ୍ଟ ଦେଶମାନଙ୍କରେ ସୋଭିଏତ୍‌ ପ୍ରଭାବ ହ୍ରାସ ପାଇଲା। କମ୍ୟୁନିଜିମ୍‌ରେ ବିଶ୍ବାସ କରୁଥିବା ବ୍ୟକ୍ତି ଓ ଦେଶର ନୂତନ ନେତା ଭାବରେ ଚୀନ୍‌ର ଅଭ୍ୟୁଦୟ ଘଟିଲା। ସୋଭିଏତ୍‌ ରୁଷ୍‌ର ଅବକ୍ଷୟ ପରେ ଆମେରିକା ବିଶ୍ବରେ ଏକମାତ୍ର ମହାଶକ୍ତି ଭାବରେ ପରିଗଣିତ ହେଲା।

ଆମ ଦେଶର ବହୁ ବ୍ୟକ୍ତି ବର୍ତ୍ତମାନ ଆମେରିକାରେ ବସବାସ କରୁଛନ୍ତି ଓ ଆମେରିକାରୁ ପ୍ରଚୁର ଅର୍ଥ ଆମ ଦେଶକୁ ଆସେ। ତେଣୁ ଚୀନ୍‌ ଓ ଆମେରିକାର ପ୍ରତିଯୋଗିତାରେ ଆମର ସ୍ବାର୍ଥ ଆମେରିକା ସହିତ ନିହିତ। ଏଇ ଉଭୟ ଦେଶ ସହିତ ସୁସ˚ପର୍କ ରକ୍ଷା କରି, ନିଜର ସ୍ବାର୍ଥ ରକ୍ଷା କରିବା ଆମ ବୈଦେଶିକ ନୀତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେବା ଆବଶ୍ୟକ।

ଦ୍ବିତୀୟ ମହାଯୁଦ୍ଧ ପରେ ପରାଜିତ ଦେଶ ଜର୍ମାନି ଓ ଜାପାନକୁ ଆମେରିକାର ନିରାପତ୍ତା ସହାୟତା ପ୍ରଦାନ କରି ନିରସ୍ତ୍ରୀକରଣ କରାଗଲା। ସମଗ୍ର ପଶ୍ଚିମ ଇଉରୋପର ନିରାପତ୍ତା ଦାୟିତ୍ବ ‘ନାଟୋ’ ମାଧୢମରେ ଆମେରିକା ଗ୍ରହଣ କଲା ଓ ଉଭୟ ପଶ୍ଚିମ ଇଉରୋପ ଏବଂ ଜାପାନ ଆମେରିକାର ଆର୍ଥିକ ସହାୟତା ଲାଭ କରି ଆର୍ଥିକ ପୁନର୍ଗଠନରେ ଧୢାନ ଦେଲେ। ଗଲା କେତେ ବର୍ଷର ଅଭିଜ୍ଞତା ପରେ ଆମେରିକାର ନିରାପତ୍ତା ପ୍ରତିଶ୍ରୁତି ଉପରେ ଅନ୍ୟ ଦେଶମାନଙ୍କର ନିର୍ଭରଶୀଳତା ହ୍ରାସ ପାଇଛି। ଭିଏତ୍‌ନାମ ଯୁଦ୍ଧରେ ପରାଜୟ, ଇରାକରେ ବିଫଳତା ଓ ସର୍ବୋପରି ଆଫଗାନିସ୍ତାନରୁ ସୈନ୍ୟ ଅପସାରଣ, ଆମେରିକାର ସାମରିକ ନେତୃତ୍ବ ସକ୍ଷମତା ସମ୍ବନ୍ଧରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଲା ଏକ ମାସ ଧରି ଚାଲିଥିବା ରୁଷ-ୟୁକ୍ରେନ୍‌ ଯୁଦ୍ଧ ପୃଥିବୀ ଇତିହାସରେ ଏକ ମାଇଲଖୁଣ୍ଟ ହେବ। ଆମେରିକା ଓ ‘ନାଟୋ’ ଦେଶମାନେ, ସୋଭିଏତ୍‌ ରୁଷ ବିରୋଧରେ ୟୁକ୍ରେନ୍‌କୁ ସାମରିକ ବାହିନୀ ପ୍ରେରଣ କରିପାରୁନାହାନ୍ତି। ୟୁକ୍ରେନ୍‌କୁ ସାହାଯ୍ୟ କରିବା ଅପେକ୍ଷା କଟକଣା ଜାରି କରି ରୁଷିଆକୁ ଦଣ୍ତିତ କରିବା ହେଉଛି ଆମେରିକା ଓ ତା’ର ସହଯୋଗୀମାନଙ୍କର ଉଦ୍ଦେଶ୍ୟ। କାରଣ, ଏ ଯୁଦ୍ଧରେ ଚୀନ୍‌ ସହ ମିଶି ରୁଷିଆ, ଆମେରିକାର ପ୍ରାଧାନ୍ୟ ପ୍ରତି ଆହ୍ବାନ ଦେଉଛି ବୋଲି ଆମେରିକା ଆକଳନ କରୁଛି ଓ ବ୍ୟୟ ବହୁଳ ଅସ୍ତ୍ର ପ୍ରତିଯୋଗିତାରେ ରାଷ୍ଟ୍ରପତି ରିଗାନ ଯେପରି ସୋଭିଏତ୍‌ ରୁଷିଆକୁ ଦୁର୍ବଳ କରିଥିଲେ, ସେଇପରି ଆର୍ଥିକ କଟକଣା କରି ଜୋ ବାଇଡେନ୍‌ ରୁଷିଆକୁ ଦୁର୍ବଳ କରିବାକୁ ଚାହାନ୍ତି। ଆର୍ଥିକ କଟକଣା ଧମକ ଚୀନ୍‌କୁ ଭୟଭୀତ କରିବା ନିମନ୍ତେ ମଧୢ ଉଦ୍ଦିଷ୍ଟ। ଏହା ଫଳରେ ରୁଷିଆ କ୍ଷତିଗ୍ରସ୍ତ ହେବ ସତ, କିନ୍ତୁ ୟୁକ୍ରେନ୍‌ ରୁଷିଆ ଆକ୍ରମଣରୁ ରକ୍ଷା ପାଇଲା ନାହିଁ। ଆମେରିକାର ନିରାପତ୍ତା ବଳୟ ମଧୢରେ ଥିବା ଦେଶମାନେ ବର୍ତ୍ତମାନ ସୁରକ୍ଷା ନିମନ୍ତେ ବିକଳ୍ପ ଅନୁସନ୍ଧାନ କରିବାକୁ ଆରମ୍ଭ କଲେଣି। ଜାପାନ ଆଣବିକ ଅସ୍ତ୍ର ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କଲାଣି। ଜର୍ମାନି ନିଜର ଦେଶ ରକ୍ଷା ଖର୍ଚ୍ଚ ବୃଦ୍ଧି କରିବାର ଯୋଜନା କରୁଛି ଓ ବି˚ଶ ଶତାବ୍ଦୀର ପ୍ରାରମ୍ଭରେ ଯେପରି ଇ˚ଲଣ୍ତ ଓ ଫ୍ରାନ୍‌ସ ଶହ ଶହ ବର୍ଷର ଶତ୍ରୁତା ତ୍ୟାଗ କରି ମିତ୍ରତାର ଚୁକ୍ତି ସ˚ପାଦନ କରିଥିଲେ, ସେଇପରି ଜର୍ମାନି ରୁଷିଆ ସହିତ ଯୁଗ ଯୁଗର ଶତ୍ରୁତା ତ୍ୟାଗ କରି ମିତ୍ରତା ସ୍ଥାପନ କରିବାର ସମ୍ଭାବନା ଦେଖା ଦେଲାଣି। ଫ୍ରାନ୍‌ସ ମଧୢ ରୁଷିଆ ସହିତ ଶତ୍ରୁତାରେ ଲାଭ ନାହିଁ ବୋଲି ବିଚାର କଲାଣି, ଏ ସମ୍ଭାବନା ସତ ଘଟିଲେ ପଶ୍ଚିମ ଇଉରୋପରେ ଆମେରିକା ନିଷ୍ପ୍ରଭାବୀ ହୋଇଯିବ।

ଆମେରିକାର ପ୍ରତିଦ୍ବନ୍ଦ୍ବିତା ଚୀନ୍‌ ସହିତ ବଳବତ୍ତର ରହିବ। ସେଇ ହେତୁ ଉଭୟ ଚୀନ୍‌ ଓ ଆମେରିକା, ବର୍ତ୍ତମାନ ଭାରତକୁ ନିଜ ପକ୍ଷକୁ ନେବାକୁ ଉଦ୍ୟମ କରୁଛନ୍ତି। ଚୀନ୍‌ ଓ ରୁଷିଆ ସ˚ଗରେ ଭାରତ ରହିଲେ, ଏସିଆରେ ଆମେରିକାକୁ ମୁକାବିଲା କରିବା ସହଜ ହେବ। ଅପର ପକ୍ଷରେ ଆମେରିକା ମଧୢ ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ସହିତ ସହଯୋଗ କରି ଚୀନ୍‌କୁ ପ୍ରତିରୋଧ କରିବାକୁ ଚାହେଁ। ଉଭୟ ବିବଦମାନ ପକ୍ଷ ଭାରତର ସମର୍ଥନ ଚାହୁଁଥିବାରୁ, ହଠାତ୍‌ ଭାରତର ଗୁରୁତ୍ବ ବୃଦ୍ଧି ପାଉଛି। ଜାପାନର ପ୍ରଧାନମନ୍ତ୍ରୀ, ଚୀନ୍‌ର ବୈଦେଶିକ ମନ୍ତ୍ରୀ, ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ, ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଆଦିଙ୍କର ଭାରତ ଗସ୍ତର ଉଦ୍ଦେଶ୍ୟ ଭାରତକୁ ନିଜ ପକ୍ଷକୁ ସାମରିକ ଓ ବ୍ୟବସାୟ ବାଣିଜ୍ୟରେ ସହଯୋଗୀ କରିବା। ଭାରତ ନିଜ ଉପରୁ ବିଦେଶୀ ଚାପ ହ୍ରାସ କରିବା ନିମନ୍ତେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ବ ପ୍ରଦାନ କରୁଛି। ରୁଷିଆ ଉପରେ ଆର୍ଥିକ କଟକଣା ହେତୁ, କେତେକ ଦେଶ ନିଜ ଦେଶର ମୁଦ୍ରା ମାଧୢମରେ ରୁଷିଆ ସହିତ ବ୍ୟବସାୟ କରିବାକୁ ଚାହାନ୍ତି। ଭାରତ ତା’ ମଧୢରୁ ଅନ୍ୟତମ। ଆମେରିକାର ଆର୍ଥିକ କଟକଣାରୁ ନିଜକୁ ମୁକ୍ତ କରିବା ନିମନ୍ତେ, ଚୀନ୍‌, ରୁଷିଆ, ଇରାନ ଭଳି ଦେଶ ଡଲାର୍‌ର ଏକ ବିକଳ୍ପ ସୃଷ୍ଟି କରିବାକୁ ଚାହାନ୍ତି। ତଦ୍ଦ୍ବାରା ଭାରତ ମଧୢ ଲାଭବାନ ହୋଇପାରେ। ବର୍ତ୍ତମାନ ଜାପାନ, ଚୀନ୍‌ ଓ ସାଉଦି ଆରବ ପାଖରେ ସମ୍ମିଳିତ ଭାବରେ ଆମେରିକା ଅପେକ୍ଷା ଅଧିକ ଡଲାର୍‌ ଅଛି ଓ ଭାରତ ପାଖରେ ମଧୢ ପ୍ରଭୂତ ବୈଦେଶିକ ମୁଦ୍ରା ଅଛି। ତେଣୁ ଆମେରିକାର ଆର୍ଥିକ ପ୍ରଭୁତ୍ବକୁ ଏଇ ଦେଶମାନେ ଏକାଠି ହେଲେ ହ୍ରାସ କରି ଦେଇପାରିବେ।

ଆମେରିକା ଏବେ ମଧୢ ବୌଦ୍ଧିକ ସ˚ପଦ ଓ ବୈଜ୍ଞାନିକ ଉଦ୍ଭାବନରେ ପୃଥିବୀରେ ଆଗୁଆ। କିନ୍ତୁ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଆଉ ସେ ଦେଶରେ ଆବଶ୍ୟକତା ଅନୁଯାୟୀ ଉତ୍ପାଦିତ ହେଉନାହିଁ। ଆମେରିକା ଚାହିଁଲେ, ସେସବୁ ଦ୍ରବ୍ୟ ଉତ୍ପାଦନ କରିପାରିବ, କିନ୍ତୁ ଉତ୍ପାଦନ ଖର୍ଚ୍ଚ ଅଧିକ ହେବ ଓ ଦେଶରେ ମୂଲ୍ୟବୃଦ୍ଧି ସମସ୍ୟା ସୃଷ୍ଟି ହେବ।
ମୋଟାମୋଟି ଭାବରେ ଆମେରିକାର ଏକକ ନେତୃତ୍ବର ଦିନ ସରି ଆସିବାକୁ ଆରମ୍ଭ ହେଲାଣି। ନିଜର ପ୍ରକୃତ ପ୍ରାକୃତିକ ସ˚ପଦ, ପ୍ରବାସୀଙ୍କ ମାଧୢମରେ ବିପୁଳ ଯୁବଶକ୍ତି ବୈଜ୍ଞାନିକ ଗବେଷଣାରେ ଶ୍ରେଷ୍ଠତ୍ବ ହେତୁ, ଏହା ପୃଥିବୀର ସବୁଠାରୁ ଧନଶାଳୀ ଦେଶ ହୋଇ ବହୁ କାଳ ପର୍ଯ୍ୟନ୍ତ ରହିବ, କିନ୍ତୁ ମହାଶକ୍ତି ହୋଇ ପୃଥିିବୀର ଯେ କୌଣସି ଜାଗାରେ ହସ୍ତକ୍ଷେପ କରିବାର ବାହୁ ବଳ ଆଉ ରହିବ ନାହିଁ। ଉଦାହରଣ ସ୍ବରୂପ, ୟୁକ୍ରେନ୍‌ ଯୁଦ୍ଧ ପରେ, ଚୀନ୍‌, ତାଇଵାନକୁ ଦଖଲ କରିବାକୁ ଉଦ୍ୟମ କରିବାର ସମ୍ଭାବନା ଅଛି। ଆମେରିକାର ନୌବହର ତାଇଵାନକୁ ରକ୍ଷା କରିବାକୁ ସମର୍ଥ ହେବ କି ନାହିଁ ତାହା ସନ୍ଦେହାସ୍ପଦ। ଆଗାମୀ ବର୍ଷଗୁଡ଼ିକ ଶ୍ରେଷ୍ଠତ୍ବ ନିମନ୍ତେ ଆମେରିକା ଓ ଚୀନ୍‌ର ପ୍ରତିଦ୍ବନ୍ଦ୍ବିତା ଦେଖିବ। ଏହା ଭାରତ ପ୍ରତି ଗଭୀର ସମସ୍ୟା ସୃଷ୍ଟି କରିବ। ଚୀନ୍‌ ଆମର ପାର୍ଶ୍ବବର୍ତ୍ତୀ ଦେଶ। ନିଜର ପାର୍ଶ୍ବବର୍ତ୍ତୀ ଦେଶ ଅଧିକ ଶକ୍ତିଶାଳୀ ହେଲେ, ତାହା ନିକଟବର୍ତ୍ତୀ ଦେଶମାନଙ୍କ ନିମନ୍ତେ ବିପଦ ସୃଷ୍ଟି କରିଥାଏ। ଚୀନ୍‌ ସହିତ ଯୁଦ୍ଧ ବିଗ୍ରହରେ ଆମକୁ ଆଉ ରୁଷିଆର ସାହାଯ୍ୟ ମିଳିବ ନାହିଁ ଓ ଆମେରିକା ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କଲେ ମଧୢ, ସୈନ୍ୟବାହିନୀ ପ୍ରେରଣ କରିପାରିବ ନାହିଁ। ନିଜ ସମସ୍ୟାର ମୁକାବିଲା ଆମକୁ କରିବାକୁ ହେବ। ଅସ୍ତ୍ରଶସ୍ତ୍ରରେ ସ୍ବାବଲମ୍ବୀ ହେବାକୁ ହେବ ଓ ପରିବର୍ତ୍ତିତ ସମୀକରଣରେ ସାବଧାନତା ସହିତ ପଦକ୍ଷେପ ନେବାକୁ ହେବ। ନିଜକୁ ପୁନର୍ବାର ପ୍ରତିଷ୍ଠା କରୁଥିବା ରାଷ୍ଟ୍ର ଯଥା ଜାପାନ, ଜର୍ମାନି, ଫ୍ରାନ୍‌ସ ଇତ୍ୟାଦିଙ୍କ ସହିତ ଅଧିକ ସହଯୋଗ କରି ଆମେରିକା, ରୁଷିଆ ଓ ଚୀନ୍‌ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ହେବ। ଆମ ଦେଶର ବହୁ ବ୍ୟକ୍ତି ବର୍ତ୍ତମାନ ଆମେରିକାରେ ବସବାସ କରୁଛନ୍ତି ଓ ଆମେରିକାରୁ ପ୍ରଚୁର ଅର୍ଥ ଆମ ଦେଶକୁ ଆସେ। ତେଣୁ ଚୀନ୍‌ ଓ ଆମେରିକାର ପ୍ରତିଯୋଗିତାରେ ଆମର ସ୍ବାର୍ଥ ଆମେରିକା ସହିତ ନିହିତ। ଏଇ ଉଭୟ ଦେଶ ସହିତ ସୁସ˚ପର୍କ ରକ୍ଷା କରି, ନିଜର ସ୍ବାର୍ଥ ରକ୍ଷା କରିବା ଆମ ବୈଦେଶିକ ନୀତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେବା ଆବଶ୍ୟକ।
ମୋ-୯୯୩୭୪୨୨୫୨୧

 

ସମ୍ବନ୍ଧିତ ଖବର