ପୃଥିବୀକୁ ଅଧିକ ପ୍ରଦୂଷିତ କରୁଛି କିଏ?

ମହାମେଘବାହନ ଐର ଖାରବେଳ ସ୍ୱାଇଁ

କାହିଁକି ବିଶ୍ୱରେ ପ୍ରଦୂଷଣ ସବୁ ପ୍ରକାର ପ୍ରତିଶ୍ରୁତି ସତ୍ତ୍ୱେ ବଢ଼ିବାରେ ଲାଗିଛି, ଯାହା ଭବିଷ୍ୟତରେ ଦେଶ ବା ବିଶ୍ୱର ମଙ୍ଗଳ କରୁନାହିଁ। ଏଥି ପ୍ରତି ଦେଶ ଯେତିକି ଗୁରୁତ୍ବ ଦେବା କଥା ତାହା ଦେଉନାହିଁ। ପୂର୍ବରୁ ଯେମିତି କ୍ୱୋଟୋ, ପ୍ୟାରିସ, ଗ୍ଲାସଗୋ ଆଦିରେ ଜଳବାୟୁ ସଙ୍କଟ ନିବାରଣ ପାଇଁ ବିଶ୍ୱ ସମ୍ମେଳନମାନ ଅନୁଷ୍ଠିତ ହୋଇଥିଲା, ଏବେ ଇଜିପ୍‌ଟର ସମୁଦ୍ରକୂଳିଆ ସହର ସର୍ମ ଏଲ-ଶେଖ ଠାରେ ସେପରି ସି.ଓ.ପି. ୨୭ ସମ୍ମେଳନ ଚାଲିଛି। ଏହାର ମଧ୍ୟ ସେହି ଉଦ୍ଦେଶ୍ୟ ରହିଛି, ଯାହା ହେଲା ବିଶ୍ୱର ପ୍ରଦୂଷଣକୁ କମାଇବା। ତା’ ନହେଲେ ବିଶ୍ୱରେ ଉତ୍ତାପ ବୃଦ୍ଧି ହେଉଛି ଓ ତାହା ରୋକା ନ ଗଲେ ପୃଥିବୀ ଧ୍ୱଂସ ପାଇଯିବ। ବିଶ୍ୱର ଉତ୍ତାପ ବଢ଼ିବା ହେତୁ ଜଳବାୟୁର ଆକସ୍ମିକ ପରିବର୍ତ୍ତନ ହେଉଛି। ପାକିସ୍ତାନର ଭୟାବହ ବନ୍ୟା, ୟୁରୋପରେ ଗ୍ରୀଷ୍ମ ପ୍ରବାହ ଆଦି ଏ ଧରଣର ଜଳବାୟୁ ପରିବର୍ତ୍ତନ ଜନିତ ବିପଦମାନର ଉଦାହରଣ। ଅତୀତର ଏ ଧରଣର ସମ୍ମେଳନମାନଙ୍କରେ ୨୧୦୦ ମସିହା ସୁଦ୍ଧା ବିଶ୍ୱର ଉତ୍ତାପ ଅତି ବେଶିରେ ୧.୫ ଡିଗ୍ରି ବଢ଼ିଲେ ଚଳିବ ବୋଲି କୁହାଯାଉଥିଲା। ସେଥିପାଇଁ ବିଭିନ୍ନ ଦେଶମାନେ ୨୦୩୦ ସୁଦ୍ଧା କେତେ ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ କମାଇବେ ସେ ସମ୍ପର୍କରେ ପ୍ରତିଶ୍ରୁତି ଦେଇଥିଲେ; ଯାହାକୁ ସେମାନେ ପାଳନ କରିନାହାନ୍ତି। ମୁଖ୍ୟତଃ ଧନୀ ଦେଶମାନେ ଏ ଧରଣର ପ୍ରତିଶ୍ରୁତିମାନଙ୍କୁ ପାଳନ କରିନାହାନ୍ତି। ତିରିଶ ବର୍ଷ ତଳେ ବ୍ରାଜିଲର ରିଓ ଡି ଜେନିରୋଠାରେ ଜାତିସଂଘ ଦ୍ୱାରା ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଗ୍ରିନ ହାଉସ୍‌ ଗ୍ୟାସର ବ୍ୟାପକ ହ୍ରାସ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହା ଉତ୍ତାପକୁ ବଢ଼ାଇଥାଏ। କିନ୍ତୁ ଦେଖାଯାଇଛି ଯେ ଏହି ନିର୍ଗମନ ଏତେ ବର୍ଷ ପରେ ମାତ୍ର ୧୧% କମିଛି। ଗତ ଗ୍ଲାସ୍‌ଗୋ ସମ୍ମେଳନରେ ଜଳବାୟୁର ଯେଉଁ ଅବସ୍ଥା ଥିଲା ତାହା ବର୍ତ୍ତମାନ ପ୍ରାୟ ସେଭଳି ରହିଛି; ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ।
ଧନୀ ଦେଶମାନେ ଅଭିଯୋଗ କରୁଛନ୍ତି ଯେ ସବୁଠୁ ବେଶୀ ବାୟୁ ପ୍ରଦୂଷଣ କରୁଥିବା ୫ଟି ଦେଶ ମଧ୍ୟରୁ ଭାରତ ଗୋଟିଏ। ତେବେ ମୁଣ୍ଡପିଛା ବାୟୁ ପ୍ରଦୂଷଣକାରୀ ଗ୍ରିନ୍ ହାଉସ ଗ୍ୟାସ ନିର୍ଗମନ ଭାରତରେ ମୁଣ୍ଡ ପିଛା ମାତ୍ର ୧.୯ ଟନ ଅଟେ। ଅର୍ଥାତ, ମୁଣ୍ଡ ପିଛା ଗ୍ୟାସ ନିର୍ଗମନ ହିସାବରେ ଭାରତ ବିଶ୍ୱରେ ୧୨୬ତମ ସ୍ଥାନରେ ଅଛି। ଏହା ହେଉଛି, ଆମେରିକାର ମୁଣ୍ଡ ପିଛା ଗ୍ୟାସ ନିର୍ଗମନର ୧୫ ଭାଗରୁ ଭାଗେ। ଏପରିକି ଅତ୍ୟନ୍ତ ଶୀତପ୍ରଧାନ ସ୍କାଣ୍ଡିନେଭିଆନ ଦେଶମାନଙ୍କ ତୁଳନାରେ ଭାରତ ୬ ଭାଗରୁ ଭାଗେ ନିର୍ଗମନ କରୁଛି। ବାସ୍ତବତାଟି ହେଲା, ଭିନ୍ନ ଭିନ୍ନ ଆକଳନ ଅନୁସାରେ ଅଲଗା ଅଲଗା ହିସାବ। ଅପରପକ୍ଷରେ ଜଳବାୟୁ ପରିବର୍ତ୍ତନ ପାଇଁ ବର୍ଷକୁ ଯେଉଁ ୧୦,୦୦୦ କୋଟି ଡଲାର ୨୦୨୦ ସୁଦ୍ଧା ଖର୍ଚ୍ଚ ହେବାର ବ୍ୟବସ୍ଥା ଥିଲା, ତାହା ଏ ଯାଏ ହୋଇନାହିଁ। ଏହାର ଅର୍ଥ ହେଉଛି ଯେଉଁ କାର୍ଯ୍ୟାନୁଷ୍ଠାନ ହେବା କଥା ତାହା ହେଉନାହିଁ।

ସାରା ବିଶ୍ୱରେ କୃଷି କର୍ମ ହେତୁ ୨୪% ଗ୍ରିନ ହାଉସ ଗ୍ୟାସର ନିର୍ଗମନ ହେଉଛି। ଅଥଚ ଆହୁରି ଗୁରୁତ୍ୱପୂର୍ଣ୍ଣ ହେଲା, ବିଶ୍ୱରେ ଉତ୍ପାଦିତ ହେଉଥିବା ୧୭% ଖାଦ୍ୟ ନଷ୍ଟ ହେଉଛି। ଜଳବାୟୁ ପାଇଁ ୟୁରୋପୀୟ ବ୍ୟୁରୋର ରିପୋର୍ଟ ଅନୁସାରେ ୟୁରୋପରେ ପ୍ରତି ବର୍ଷ ୧୫.୩ କୋଟି ଟନ ଖାଦ୍ୟ ନଷ୍ଟ ହେଉଛି। ଏହି ଅଞ୍ଚଳ ପ୍ରତି ବର୍ଷ ଯେତେ ଖାଦ୍ୟ ଆମଦାନି କରୁଛି, ତା’ ଠାରୁ ଅଧିକ ଖାଦ୍ୟ ନଷ୍ଟ କରୁଛି। ଏହି ନଷ୍ଟ ହେଉଥିବା ଦ୍ରବ୍ୟରୁ ଯେତେ ଗ୍ରିନ ହାଉସ ଗ୍ୟାସ ନିର୍ଗମନ ହେଉଛି ତାହା ୟୁରୋପରେ ନିର୍ଗମିତ ହେଉଥିବା ଗ୍ରିନ ହାଉସ ଗ୍ୟାସର ୬%। ଆମେରିକାର ଅନୁଷ୍ଠାନ ‘ପରିବେଶ ସୁରକ୍ଷା ଏଜେନ୍‌ସି’ର ଆକଳନ ଅନୁସାରେ ଆମେରିକାରେ ନଷ୍ଟ ହେଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟ ୧୭ କୋଟି ଟନ୍‌ ଗ୍ରିନ ହାଉସ ଗ୍ୟାସ ନିର୍ଗମନର କାରଣ। ଏତକରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ ୪୨ଟି କୋଇଲା ଚାଳିତ ବିଦ୍ୟୁତ୍‌ କେନ୍ଦ୍ରର ନିର୍ଗମନ ସହ ସମାନ। ବିଦ୍ୟୁତ୍‌ ଉତ୍ପାଦନ ଓ ଉତ୍ତାପ ସୃଷ୍ଟିକାରୀ ବ୍ୟବସ୍ଥାମାନ ଯେତେ ଗ୍ରିନ ହାଉସ ଗ୍ୟାସ ନିର୍ଗମନ କରନ୍ତି, ତାହା ବିଶ୍ୱରେ ମୋଟ ଗ୍ରିନ ହାଉସ ଗ୍ୟାସ ନିର୍ଗମନର ୨୫% ସହ ସମାନ। କିନ୍ତୁ ତାପଜ ବିଜୁଳି କେନ୍ଦ୍ର ଦ୍ବାରା ହେଉଥିବା ନିର୍ଗମନ ଉପରେ ଅଧିକ ନଜର ଦିଆଯାଉଛି, ନଷ୍ଟ ହେଉଥିବା ଖାଦ୍ୟ ବା ସେହିଭଳି ପ୍ରସଙ୍ଗ ଉପରେ ଅତି ଅଳ୍ପ ଧ୍ୟାନ ଦିଆଯାଉଛି। ଆବଶ୍ୟକତା ଓ ଚାହିଦା ମଧ୍ୟରେ ବିଶାଳ ପାର୍ଥକ୍ୟ କାରଣରୁ ଏମିତି ନଷ୍ଟ ହେଉଛି। ଚାହିଦା ଯେତେ, ଆବଶ୍ୟକତା ସେତେ ନୁହେଁ। ଧନୀ ଦେଶମାନଙ୍କର ରାଜନୈତିକ ଅର୍ଥନୀତିରେ ସଂରକ୍ଷଣର ପ୍ରଶ୍ନ ନ ଥାଏ।
ଇଂଲାଣ୍ଡରେ ସେଠାକାର ସଂସଦ ଭବନକୁ ୩୦ ଡିଗ୍ରି ସେଲ୍‌ସିଅସ ପର୍ଯ୍ୟନ୍ତ ଗରମ କରାଯାଇଥାଏ। ଅଥଚ ସେ ଦେଶରେ ବିଜୁଳି ସଙ୍କଟ ଦେଖାଦେଇଛି ଏବଂ ଚଳିତ ବର୍ଷର ଗ୍ରୀଷ୍ମ ଋତୁର ଉତ୍ତାପର ପ୍ରଭାବ ସେଠାରେ ବହୁ ଅଧିକ ଥିଲା। ଫ୍ରାନ୍‌ସର ସରକାର ସେଠାରେ ବିଜୁଳି ସଂରକ୍ଷଣର ପ୍ରୟାସ କରୁଛନ୍ତି।

ସେଠାକାର ଗୋଟିଏ ବିଳାସପୂର୍ଣ୍ଣ ଦ୍ରବ୍ୟ ଉତ୍ପାଦକ କମ୍ପାନି ତା’ର ଉତ୍ତାପ ସୃଷ୍ଟିକାରୀ ଯନ୍ତ୍ରକୁ ଓ ଆଲୁଅକୁ ୩ ଘଣ୍ଟା ପୂର୍ବରୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ଘୋଷଣା କରିଛି। ତେବେ ଏପରି କଥା ବାହାରକୁ ଭଲ ଶୁଭୁଥିଲେ ମଧ୍ୟ ତାହା ବାସ୍ତବରେ ଘଟୁନାହିଁ। ତେଣୁ ବିଦ୍ୟୁତ୍‌ ସଙ୍କଟ ଦେଖାଯାଇଛି। ‘ୟୁଏନ୍ଇପି’ର ଗ୍ଲୋବାଲ ରିସୋର୍ସେସ ଆଉଟଲୁକ୍‌ର ରିପୋର୍ଟ ଅନୁସାରେ ଖାଇବା ଓ ଫୋପାଡ଼ିବା ହେଉଛି ଏବେକାର ବଡ଼ ଦେଶମାନଙ୍କର ଗୋଟାଏ ଅଭ୍ୟାସ। ଏହି ନୀତି ଫଳରେ ସାରା ବିଶ୍ୱ ଉପରେ ଏକ ବ୍ୟାପକ ହାନିକାରକ ପ୍ରଭାବ ପଡୁଛି। ଏହାଦ୍ୱାରା ୯୦% ଜୈବ ବିବିଧତା ଉପରେ ଅନିଷ୍ଟକର ପ୍ରଭାବ ପଡୁଛି। ଯେଉଁ ଦ୍ରବ୍ୟମାନ ନଷ୍ଟ ହେଉଛି, ସେମାନଙ୍କ ଉତ୍ପାଦନ ପାଇଁ ମାଟି ତଳୁ ଖଣିଜ ସମ୍ପଦମାନ ଖୋଳା ହେଉଛି, ସେ ସବୁର ଉତ୍ପାଦନ ପାଇଁ ବିଜୁଳିର ଆବଶ୍ୟକତା ପଡୁଛି। ତେଣୁ ନଷ୍ଟ ହେଉଥିବା ଏହି ଦ୍ରବ୍ୟମାନଙ୍କ ପାଇଁ ବିଶ୍ୱର ୫୦% ଗ୍ରିନ ହାଉସ ଗ୍ୟାସ ନିର୍ଗମନ ହେଉଛି। ଆଉ ଗୋଟିଏ ଉଦାହରଣ ହେଲା ବିଶ୍ୱରେ ୨୦୦୦ କୋଟି ହଳ ଜୋତା ଉତ୍ପାଦିତ ହୋଇ ବିକ୍ରି ହେଉଛି। ଗୋଟିଏ ହଳ ଜୋତା ତିଆରିରେ ୩୦ ପାଉଣ୍ଡ (ପ୍ରାୟ ୧୨ କିଲୋଗ୍ରାମ) ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ହେଉଛି।
ଏହି ସବୁ ଉଦାହରଣମାନଙ୍କରୁ ଭାରତ ପାଇଁ ଅଶେଷ ଶିକ୍ଷା ରହିଛି। ଭାରତର ସମୁଦ୍ର ଉପକୂଳ ଓ ସନ୍ନିକଟ ଅଞ୍ଚଳମାନ ଜଳବାୟୁ ପରିବର୍ତ୍ତନର ମାଡ଼ ଦ୍ୱାରା ଅଶେଷ କ୍ଷତିଗ୍ରସ୍ତ ହୋଇଥାନ୍ତି। ଭାରତକୁ ତା’ର ଜଳବାୟୁ ପ୍ରଦୂଷଣ ରୋକିବା ଲକ୍ଷ୍ୟ ହାସଲ କରିବା ପାଇଁ ଫସଲ ଉତ୍ପାଦନ ଓ ଅମଳ ପରେ କୃଷିଜାତ ଦ୍ରବ୍ୟର ନଷ୍ଟକୁ ନିୟନ୍ତ୍ରଣ କରିବାକୁ ହେବ। ପଚନଶୀଳ କୃଷିଜାତ ଦ୍ରବ୍ୟକୁ ସଂରକ୍ଷିତ କରି ରଖିବା ଦରକାର। ଜଳର ସନ୍ତୁଳିତ ବ୍ୟବହାର ଉପରେ ମଧ୍ୟ ଧ୍ୟାନ ଦେବା ଦରକାର। ବିଜୁଳି ଚୋରି ଓ ନଷ୍ଟକୁ ରୋକାଯିବା ଦରକାର। ଘର ଛାତରେ ସୌର ବିଜୁଳି ଲାଗି ପ୍ୟାନେଲର ବ୍ୟବସ୍ଥା କରାଯିବା ଉଚିତ। ଏହାଛଡ଼ା ଇନ୍ଧନ ଗ୍ୟାସ ଉପରେ ନିର୍ଭରଶୀଳତା କମାଇବା ଉଚିତ। ସେମିତି ଅକ୍ଷୟ ଶକ୍ତିର ବ୍ୟବହାର କରି ଯାନବାହନ ଚଳାଚଳ କରାଯିବା ଆବଶ୍ୟକ। କାରଣ ଜଳବାୟୁ ପରିବର୍ତ୍ତନ କୌଣସି ରାଷ୍ଟ୍ରର ସୀମାରେ ସୀମିତ ନୁହେଁ। ଏଣୁ ଜଳବାୟୁ ପ୍ରଦୂଷଣ ଯେମିତି ଅନ୍ୟାନ୍ୟ ଦେଶକୁ ଆକ୍ରାନ୍ତ ନ କରେ, ତାହା ମଧ୍ୟ ଦେଖାଯିବା ଦରକାର। କାରଣ ଗୋଟିଏ ଦେଶର ପ୍ରଦୂଷଣ ଦ୍ବାରା ସାରା ବିଶ୍ୱ ପ୍ରଭାବିତ ହୋଇପାରେ।

ତେବେ ଅତୀତରେ ଓ କେତେକ କ୍ଷେତ୍ରରେ ଏବେ ମଧ୍ୟ ଯୁକ୍ତି ଉଠେ ଯେ ଭାରତର ଅନେକ ଲୋକ ଦରିଦ୍ର ହୋଇଥିବାରୁ ସେମାନଙ୍କର ଆର୍ଥିକ ବିକାଶ ପାଇଁ ବିଜୁଳି, ଖାଦ୍ୟ ଆଦି ଦିଆଯିବା ଦରକାର। ଏଥିପାଇଁ ଯଦିବା କିଛି ପ୍ରଦୂଷଣ ହୁଏ, ତେବେ ତାହା ପ୍ରତି ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। କେବଳ ସେତିକି ନୁହେଁ, ଭାରତ ପକ୍ଷରୁ ମୁଣ୍ଡପିଛା ପ୍ରଦୂଷଣର ଉଦାହରଣ ଦିଆଯାଇ ତାହା ଅତ୍ୟନ୍ତ କମ୍ ବୋଲି ମଧ୍ୟ କୁହାଯାଇଥାଏ। କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଭାରତର ଜନସଂଖ୍ୟା ଆମେରିକାର ଜନସଂଖ୍ୟାର ୪ ଗୁଣରୁ ଅଧିକ। ତେଣୁ ଭାରତର ସମୁଦାୟ ଅଙ୍ଗାରକାମ୍ଳ ନିର୍ଗମନ ବହୁତ ଅଧିକ। ଏ କଥାକୁ ଅତ୍ୟନ୍ତ ମହତ୍ତ୍ବ ଦିଆଯିବା ଉଚିତ। ଅବଶ୍ୟ ଚୀନ ଓ ଆମେରିକା ଅତ୍ୟନ୍ତ ଶିଳ୍ପ ସମୃଦ୍ଧ ହୋଇଥିବାରୁ ବିଶ୍ୱରେ ସର୍ବାଧିକ ପ୍ରଦୂଷଣ ସେମାନେ କରୁଛନ୍ତି। କିନ୍ତୁ ଭାରତର ମୁଣ୍ଡ ପିଛା ଅଙ୍ଗାରକାମ୍ଳ ନିର୍ଗମନ କମ୍‌ ଥିବାରୁ ଭାରତର ପ୍ରଦୂଷଣ ସମ୍ପର୍କରେ ଚିନ୍ତା କରିବା ଉଚିତ ନୁହେଁ ବୋଲି ଯୁକ୍ତି ମଧ୍ୟ ଠିକ୍‌ ନୁହେଁ। ଭାରତ ତା’ର ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ଉଚିତ। କାରଣ, ଭାରତରେ ବିଦ୍ୟୁତ୍‌, କୃଷି ଇତ୍ୟାଦି ବଢ଼ି ଦେଶର ଆର୍ଥିକ ପ୍ରଗତି ହେଲେ ମଧ୍ୟ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଭାରତ ବିଭିନ୍ନ ସମସ୍ୟାର ସାମନା କରିବ। ଏ ଦେଶର ଅଧିବାସୀଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପଡ଼ିବ ତଥା ଦେଶର ଭୌଗୋଳିକ ଅବସ୍ଥା ମଧ୍ୟ ବଦଳିଯିବ। ଏଣୁ ପ୍ରଦୂଷଣକୁ ହଟାଇବା ଭାରତର ଏକ ମୁଖ୍ୟ କର୍ତ୍ତବ୍ୟ। ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ବାଷ୍ପ କମାଇବା ନେଇ ଭାରତ ସରକାର ଯେଉଁ ପ୍ରତିଶ୍ରୁତି ଦେଇ ଆସିଛନ୍ତି, ତାହାକୁ ପାଳନ କରିବା ଉଚିତ। ଏଠାରେ ଜଙ୍ଗଲ ନ କାଟି ଯେତେ ଅଧିକ ଜଙ୍ଗଲ ସୃଷ୍ଟି ହୋଇପାରିବ, ତାହା ପ୍ରତି ଧ୍ୟାନ ଦିଆଯିବା ଉଚିତ ଯଦି ଆମେ ପ୍ରଦୂଷଣମୁକ୍ତ ହେବାକୁ ଚାହୁଁ।
ମୋ-୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର