ସେ କଳା ଲୋକଟି କିଏ?

ସୌମ୍ୟରଂଜନ ପଟ୍ଟନାୟକ

ଆଜକୁ ଷୋହଳ ବର୍ଷ ତଳର କଥା। ସେ ଦିନ ଥିଲା ୨୦୦୫ ଜାନୁଆରି ମାସ ଆଠ ତାରିଖ। ହଠାତ୍ ଟେଲିଫୋନ୍ ବାଜିବାରୁ ନିଦ ଭାଙ୍ଗିଗଲା। ମୁଁ ଉଠିପଡ଼ି ଘଡ଼ି ଦେଖେ ତ ରାତି ଗୋଟାଏ। ଫୋନ୍ ଉଠାଇଲି। ଆର ପଟେ ବଡ଼ ଝିଅ ତଲ୍ଲୀନାର ସ୍ବର। ତା’ ସ୍ବର ଶୁଣି ଆଶ୍ଚର୍ଯ୍ୟ ନ ହେଲେ ମଧ୍ୟ ଟିକେ ବ୍ୟସ୍ତ ହୋଇପଡ଼ିଲି। ତଲ୍ଲୀନା ଠାରୁ ମୁଁ ଫୋନ୍ ଆଶା କରୁଥିଲି, କିନ୍ତୁ ଏତେ ଶୀଘ୍ର ନୁହେଁ। ପୂର୍ବ ରାତିରେ ମୁଁ ତାକୁ କଲିକତା ଏୟାର୍‌ପୋର୍ଟ‌୍ରେ ବିଦାୟ ଦେଇ ଭୁବନେଶ୍ବର ଫେରି ଆସିଥାଏ। ପଢ଼ିବା ପାଇଁ ଇଂଲଣ୍ଡ ଯିବା ପରେ ସେ ପ୍ରଥମ ଛୁଟିରେ ଭାରତ ଆସିଥିଲା। ଏକୁଟିଆ ଫେରୁଥିଲା ଇଂଲଣ୍ଡ। ‘ଥାଇ ଏୟାର ଲାଇନ୍‌ସ’ରେ ତା’ର ଟିକେଟ୍ ହୋଇଥିଲା। କଲିକତାରୁ ବ୍ୟାଙ୍କକ୍‌ ଓ ବ୍ୟାଙ୍କକ୍‌ରୁ ବିମାନ ବଦଳ କରି ସେ ଲଣ୍ଡନ ଯିବା କଥା। ଲଣ୍ଡନର ହିଥ୍ରୋ ଏୟାର୍‌ପୋର୍ଟରୁ ପୁଣି ବିମାନ ବଦଳ କରି ସେ ବ୍ରିଟିସ୍‌ ଏୟାରୱେଜ୍‌ର ବିମାନରେ ମାଞ୍ଚେଷ୍ଟର ଯିବ ଓ ମାଞ୍ଚେଷ୍ଟର୍‌ରୁ ରେଳ ଯୋଗେ ଯିବ ଲାଙ୍କାଷ୍ଟାର୍‌। ଲାଙ୍କାଷ୍ଟାର୍‌ ୟୁନିଭର୍ସିଟିରେ ସେ ପାଠ ପଢ଼ୁଥିଲା। ମୁଁ ହିସାବ କରି ଦେଖିଥିଲି ଯେ ସବୁ ଯଦି ନିର୍ଦ୍ଧାରିତ ସମୟରେ ଘଟେ, ତେବେ ଭାରତୀୟ ସମୟ ପ୍ରାୟ ରାତି ତିନିଟା ବେଳକୁ ସେ ଲାଙ୍କାଷ୍ଟାର୍‌ ୟୁନିଭର୍ସିଟି କ୍ୟାଂପସ୍‌ରେ ପହଞ୍ଚିବ ଓ ଆମକୁ ଫୋନ୍ କଲା ବେଳକୁ ସକାଳ ହୋଇଯାଇଥିବ। ତେଣୁ ରାତି ଗୋଟାଏ ବେଳେ ତା’ର ଫୋନ୍ ପାଇ ଟିକେ ବ୍ୟସ୍ତ ହୋଇପଡ଼ିଲି। ତା’ର ମା’ଙ୍କୁ ମଧ୍ୟ ନିଦରୁ ଉଠାଇଲି। ତଲ୍ଲୀନା ସ୍ବରରୁ ସେ ବ୍ୟସ୍ତ ଓ ବିବ୍ରତ ଜଣାପଡୁଥିଲା। ସୁନାମି ଯୋଗୁଁ ବ୍ୟାଙ୍କକ୍‌ରୁ ତା ବିମାନ ବହୁ ବିଳମ୍ବରେ ଛାଡ଼ିଥିଲା ଓ ଲଣ୍ଡନରେ ପହଞ୍ଚିବା ବେଳକୁ ବ୍ରିଟିସ୍ ଏୟାରୱେଜ୍‌ର ଯେଉଁ ବିମାନରେ ତା’ର ଯିବାର ଥିଲା, ସେଇଟି ମଧ୍ୟ ଛାଡ଼ି ଦେଇଥିଲା। ତାକୁ ସେଠି ସାହାଯ୍ୟ କରିବାକୁ ବ୍ରିଟିସ୍‌ ଏୟାରୱେଜ୍‌ର କୌଣସି ଅଧିକାରୀ ନ ଥିଲେ। ଏଣେ ତା’ ପାଖରେ ରଖିବା ପାଇଁ ଆମେ ବେଶି ପଇସା ଦେଇ ନ ଥିଲୁ; ମାତ୍ର ୩୦ ପାଉଣ୍ଡ ନେଇ ସେ ଯାଇଥିଲା। ତେଣୁ ସେ ବ୍ୟସ୍ତ ହୋଇ ତା’ ମୋବାଇଲ୍‌ରୁ ମୋତେ ଫୋନ୍ କରି ମୋ ପରାମର୍ଶ ଲୋଡ଼ୁଥିଲା। ତା’ ଠାରୁ ଏ କଥା ଶୁଣିବା ପରେ ବ୍ୟସ୍ତ ହେଲେ ବି ମୁଁ ଟିକେ ଆଶ୍ୱସ୍ତ ହେଲି। କାରଣ କିଛି ବର୍ଷ ଇଂଲଣ୍ଡରେ ରହିବା ଫଳରେ ହିଥ୍ରୋ ଏୟାରପୋର୍ଟ ସମ୍ପର୍କରେ ଧାରଣା ଥିଲା। ପଢ଼ିଲା ବେଳେ ଏହି ହିଥ୍ରୋ ଏୟାରପୋର୍ଟ ଦେଇ ମୁଁ ବହୁ ବାର ଯା-ଆସ କରିଛି। କାହିଁକି କେଜାଣି ମୋତେ ଲାଗେ ଏହି ଏୟାରପୋର୍ଟଟି ପୃଥିବୀର ଏକ ଅତ୍ୟନ୍ତ ସୁରକ୍ଷିତ ସ୍ଥାନ। ଅପେକ୍ଷାରେ ଘଣ୍ଟା ଘଣ୍ଟା ସମୟ ବିତେଇବା ପାଇଁ ଏଠି ସବୁ ରକମର ସୁବିଧା ଅଛି। ତେଣୁ ଆଦୌ ବ୍ୟସ୍ତ ନ ହେବା ପାଇଁ ମୁଁ ତଲ୍ଲୀନାକୁ ପରାମର୍ଶ ଦେଲି ଓ କୌଣସିମତେ ରାତିଟିକୁ ଟର୍ମିନାଲ୍‌ରେ କଟାଇ ଦେବା ପାଇଁ ତାକୁ କହିଲି। କିଛି ସମୟ ପରେ ପୁଣି ସେ ଫୋନ୍ କଲା ଏବଂ କହିଲା ଯେ ଏୟାରପୋର୍ଟ ଟର୍ମିନାଲରେ ରାତି ଦଶଟା ପରେ କାହାରିକୁ ରହିବାକୁ ଦିଆଯାଉନାହିଁ। ସେ କ’ଣ କରିବ? ଆଗରୁ ଏ ବ୍ୟବସ୍ଥା ନ ଥିଲା। ସମ୍ଭବତଃ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଯୋଗୁଁ ଏଭଳି ନିଷ୍ପତ୍ତି ଏବେ ନିଆଯାଇଛି।

ସେ ଏ ଟର୍ମିନାଲରୁ ସେ ଟର୍ମିନାଲ ହୋଇ ଥକି ପଡ଼ିଥାଏ ଓ ପ୍ରତି ପନ୍ଦର, କୋଡ଼ିଏ ମିନିଟ୍‌ରେ କାନ୍ଦି କାନ୍ଦି ମୁଁ କ’ଣ କରିବି ବୋଲି ମୋତେ ଫୋନ୍‌ରେ ପଚାରୁଥାଏ। ତା’ର ବ୍ୟସ୍ତତା ଜାଣି ଆମେ ଦୁହେଁ ମଧ୍ୟ ବ୍ୟସ୍ତ ହେବାକୁ ଲାଗିଲୁ। ଏଭଳି ପରିସ୍ଥିତିରେ ମୁଁ ଦୂରରେ ଥାଇ ତାକୁ କି ପରାମର୍ଶ ଦେବି ଚିନ୍ତା କରି ପାରୁ ନ ଥାଏ।
ମନେ ପଡୁଛି ସେ ଦିନ ଥାଏ ଶନିବାର। ହିଥ୍ରୋ ବିମାନ ବନ୍ଦରରେ ରାତି ଦଶଟା ବାଜିଥିବ। କ’ଣ କରିବି ଭାବୁ ଭାବୁ ପୁଣି ଫୋନ୍ ଆସିଲା। ଏଥର ତଲ୍ଲୀନା କହିଲା, ‘ଜଣେ କଳା ଲୋକ ଆସି ମୋତେ ସାହାଯ୍ୟ କରିବ ବୋଲି କହୁଛନ୍ତି। ମୁଁ କିଏ, କେଉଁଠୁ ଆସିଛି, କାହିଁକି ଏପରି ବ୍ୟସ୍ତ ହେଉଛି ବୋଲି ମଧ୍ୟ ମୋ ଠାରୁ ପଚାରି ବୁଝି ସାରିଛନ୍ତି। ମୁଁ କ’ଣ କରିବି?’ କଳା ଲୋକ କଥା ଶୁଣି ମୋର ଇଂଲଣ୍ଡର ଛାତ୍ର ଜୀବନର ଗୋଟିଏ ଅନୁଭବ ମନେ ପଡ଼ିଗଲା। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଥିବା ବେଳେ ଦିନେ ସଂଧ୍ୟାରେ ମୁଁ ରାସ୍ତାରେ ଚାଲିଚାଲି ଯାଉଥାଏ। ହଠାତ୍ ଅପର ପାର୍ଶ୍ବରୁ ଦୁଇ ଜଣ କୃଷ୍ଣକାୟ ଯୁବକ ପବନ ବେଗରେ ଦୌଡ଼ି ଆସି ମୋ ମୁହଁରେ ଦୁଇ ଚାରି ମୁଥ ଲଗାଇ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ। ମୁଁ ଅଚେତ ହୋଇ ପଡ଼ିଗଲି। ଚେତା ଆସିବା ବେଳକୁ ଦେଖେ ମୁଁ ଡାକ୍ତରଖାନାରେ। ସେହିଦିନ ଠାରୁ ଇଂଲଣ୍ଡରେ ଥିବା କୃଷ୍ଣକାୟ ଲୋକଙ୍କ ସଂପର୍କରେ ମୋର ଧାରଣା ଖରାପ। ତେଣୁ ତଲ୍ଲୀନା ଯେତେବେଳେ ହିଥ୍ରୋ ଏୟାରପୋର୍ଟରେ ସେହି କଳା ଲୋକ କଥା କହିଲା, ତାଙ୍କ ଠାରୁ କୌଣସି ପ୍ରକାର ସାହାଯ୍ୟ ନେବା ପାଇଁ ମୁଁ ସଂଗେ ସଂଗେ ମନା କରିଦେଲି। କହିଲି, ‘କୌଣସି ମତେ ସେଇ ଟର୍ମିନାଲରେ ରାତିଟି କଟାଇ ଦେ, ସକାଳ ହେଲେ ଦେଖିବା।’ ସେ ହୁଏ’ତ କ’ଣ କହିଥା’ନ୍ତା, ଏତିକି ବେଳେ ଫୋନ୍‌ଟି କଟିଗଲା। ଆଉ ତା’ର ଫୋନ୍ ଆସିଲା ନାହିଁ। ଏଠି ଆମେ ଦୁହେଁ ରାତି ସାରା ଶୋଇ ପାରିଲୁ ନାହିଁ। ତଲ୍ଲୀନା କହିଥିବା କୃଷ୍ଣକାୟ ଲୋକ ସଂପର୍କରେ ଅନେକ କଥା ମନକୁ ଆସୁଥାଏ। ଊଣେଇଶ ବର୍ଷର ଝିଅ, ପାଖରେ ବେଶି ପଇସା ନ ଥିଲେ ବି ସାଙ୍ଗରେ ଲ୍ୟାପ୍‌ଟପ୍‌ଟିଏ ନେଇଛି। ସେହି କୃଷ୍ଣକାୟ ଲୋକଟି ତା’ ଠାରୁ ମୋବାଇଲ୍, ଲ୍ୟାପ୍‌ଟପ୍‌ ଛଡ଼ାଇ ନେଇ ଆଉ କିଛି କାଣ୍ଡ କଲା କି? ରାତି ଅଧରେ ଏ ବିଷୟରେ ଆଲୋଚନା କରିବା ପାଇଁ ଆ‌ମ ସ୍ବାମୀ, ସ୍ତ୍ରୀ ଦୁହିଁଙ୍କ ଛଡ଼ା ଆଉ କେହି ନ ଥାନ୍ତି। କାହାକୁ ବା କ’ଣ କହିବୁ? ଏତେ କମ୍ ବୟସରେ ଝିଅକୁ ବିଦେଶ ଛାଡ଼ିବା ପାଇଁ ଘରେ ଅନ୍ୟମାନେ ରାଜି ନ ଥିଲେ। ସେମାନଙ୍କ ପରାମର୍ଶ ନ ଶୁଣି ଝିଅକୁ ବିଦେଶ ପଠାଇଥିଲି ବୋଲି ଲାଜରେ କାହାକୁ କିଛି କହି ପାରୁ ନ ଥାଏ।

ରାତି ପାହିଗଲା। ମନକୁ ଅନେକ ପାପ କଥା ଛୁଇଁଲା। କାହିଁକି ଝିଅର ଫୋନ୍ ଆସୁନାହିଁ ବୋଲି ଭାବି କେତେ କ’ଣ ଅଘଟଣ ଆଶଙ୍କା କରିଯାଉଥାଏ। ପୁଣି ମନକୁ ବୁଝାଇଲି, ବୋଧହୁଏ ଦିନ ସାରା ବୁଲିବୁଲି ଥକି ପଡ଼ିଥିବାରୁ ତଲ୍ଲୀନା ଶୋଇ ଯାଇଛି। ସେଠି ସକାଳ ହେଲେ ଅର୍ଥାତ୍ ଆମ ସମୟର ଦିନ ବାରଟା ବେଳକୁ ନିଶ୍ଚୟ ଫୋନ୍ ଆସିବ। ସେହି ଆଶାରେ ଅପେକ୍ଷା କରି ରହିଲି। ଦିନ ବାରଟା ବାଜିଲା। ମାତ୍ର ତା’ ଫୋନ୍ ଆସିଲା ନାହିଁ। ସେଦିନ ସାଢ଼େ ବାରଟା ବେଳେ ଏଠି ଭୁବନେଶ୍ବର ‘ଆମ ଓଡ଼ିଶା’ ଅଫିସ୍‌ରେ ଏକ କାର୍ଯ୍ୟକ୍ରମ ଥିଲା। ଅନିଚ୍ଛା ସତ୍ତ୍ବେ ସେ କାର୍ଯ୍ୟକ୍ରମକୁ ଗଲି। ଭାବିଥିଲି ଗୋଟେ, ଦୁଇଟା ବେଳକୁ ନିଶ୍ଚୟ ଫୋନ୍ ଆସିବ। କାର୍ଯ୍ୟକ୍ରମରେ ଯୋଗ ଦେଲେ ମଧ୍ୟ ସେଠି ମନ ନ ଥିଲା। ଆପଣ ଆଜି କାହିଁକି ଅନ୍ୟମନସ୍କ ଜଣା ପଡୁଛନ୍ତି ବୋଲି ଜଣେ ଦୁଇ ଜଣ ପ୍ରଶ୍ନ ମଧ୍ୟ କରିଥିଲେ। ମାତ୍ର ମୁଁ ସେମାନଙ୍କୁ କିଛି କହି ପାରୁ ନ ଥିଲି। ଦୁଇଟା ବାଜିଲା। ତିନିଟା ବାଜିଲା। ପୁଣି ଯେତେବେଳେ ଚାରିଟା ବାଜିବାକୁ ବସିଲା, ମୁଁ ଭାବିଲି କଥା ସରିଲା। କିପରି କାହାକୁ ଏ ବିଷୟ ଜଣାଇବି ତାହା ଆଦୌ ଚିନ୍ତା କରିପାରୁ ନ ଥାଏ। ଚାରିଟା ଦଶରେ ହଠାତ୍ ଫୋନ୍ ଆସିଲା। ତଲ୍ଲୀନାର ସ୍ବର ଶୁଣି ମୁଁ ଆଶ୍ବସ୍ତ ହୋଇଗଲି। ତା’ ପରେ ତଲ୍ଲୀନା ସେ କଳା ଲୋକଙ୍କ ସଂପର୍କରେ ଯାହା କହିଲା ତାହା ମୁଁ ବିଶ୍ବାସ କରିପାରିଲିନାହିଁ।

ତଲ୍ଲୀନା କହୁଥିଲା, “ମୋବାଇଲ୍‌ର ଚାର୍ଜ ସରିଯିବାରୁ ଫୋନ୍ କଟିଗଲା। ସେ କଳା ଲୋକ ଜଣକ ମୋର ବାରଣ ସତ୍ତ୍ବେ ସେହି ବିମାନ ବନ୍ଦରରୁ ଫୋନ୍ କରି ଗୋଟିଏ ହୋଟେଲ୍‌ରେ ମୋ ପାଇଁ ରୁମ୍‌ଟିଏ ବୁଝି ଦେଲେ। କିଛି ସମୟ ମଧ୍ୟରେ ଗୋଟିଏ ଟ୍ୟାକ୍‌ସି ଆସି ପହଞ୍ଚିଲା। ସେହି ଟ୍ୟାକ୍‌ସିଟିରେ ହୋଟେଲ୍‌ର ନାମ ଥିବା ଦେଖି କୌଣସି ବିପଦର ସମ୍ଭାବନା ନାହିଁ ବୋଲି ଜାଣିଲି। ସେ ଲୋକ ହୋଟେଲ ଭଡ଼ା ବାବଦରେ ସତୁରି ପାଉଣ୍ଡ୍‌ ନିଜ ମନିପର୍ସରୁ କାଢ଼ି ମୋତେ ଧରାଇ ଦେଲେ। କେବଳ ସେତିକି ନୁହେଁ, କାଳେ ଆଉ କିଛି ଦରକାର ହେବ ବୋଲି ମୋତେ ଅଧିକ ଦଶ ପାଉଣ୍ଡ୍‌ ରଖିବା ପାଇଁ ସେ ବାଧ୍ୟ କଲେ। ଟ୍ୟାକ୍‌ସିରେ ବସିବା ପୂର୍ବରୁ ମୁଁ ଯେତେବେଳେ ତାଙ୍କୁ ଧନ୍ୟବାଦ ଜଣାଇ ତାଙ୍କ ନାମ ଠିକଣା ପଚାରିଲି, ସେ କେବଳ ଟିକେ ହସି ଦେଇ କହିଲେ, ‘ମୋ ଝିଅ ହୋଇଥିଲେ ମୁଁ କ’ଣ ତାକୁ ଏଭଳି ପରିସ୍ଥିତିରେ ଏକୁଟିଆ ଛାଡ଼ି ଚାଲିଯାଇଥାନ୍ତି!’ ତୁ ଶୀଘ୍ର ଯାଇ ହୋଟେଲ୍‌ରେ ବିଶ୍ରାମ କର, ବହୁତ ଥକି ପଡ଼ିଛୁ। ଏତିକି କହି ସେ କେଉଁଆଡ଼େ ଚାଲିଗଲେ। ମୁଁ ମଧ୍ୟ ସାରା ଦିନ ଥକି ଯାଇଥିବାରୁ ଟେଲିଫୋନ୍‌ଟିକୁ ଚାର୍ଜରେ ଲଗାଇ ନିଶ୍ଚିନ୍ତରେ ଶୋଇ ପଡ଼ିଥିଲି ଯେ ଏଇ ସକାଳ ଦଶଟା ବେଳେ ନିଦ ଭାଙ୍ଗିଲା। ତେଣୁ ଆଉ ତୁମକୁ ଫୋନ୍ କରିପାରି ନ ଥିଲି। ତଲ୍ଲୀନା କଥା ଶୁଣି ମୁଁ ଘଡ଼ିଏ ନିର୍ବାକ୍ ହୋଇଗଲି। ସେତେବେଳେ ମୋ ସ୍ତ୍ରୀ ମୋତେ କହିଲେ, ‘ଯେତେବେଳେ ତଲ୍ଲୀନା କାନ୍ଦି କାନ୍ଦି ଫୋନ୍ କରୁଥିଲା, ସେତେବେଳେ ମୁଁ ଉପାୟଶୂନ୍ୟ ହୋଇ ଜଗନ୍ନାଥଙ୍କୁ ହିଁ ବ୍ୟାକୁଳ ଭାବରେ ପ୍ରାର୍ଥନା କରି କହୁଥିଲି ତୁମେ ତାକୁ କୌଣସି ପ୍ରକାରେ ସାହାଯ୍ୟ କର। ତା’ ଉପରକୁ କୌଣସି ବିପଦ ନ ଆସୁ।’ ବିଛଣା ପାଖରେ ଥିବା ଜଗନ୍ନାଥଙ୍କର ଛୋଟ ପିତ୍ତଳ ମୂର୍ତ୍ତିଟିକୁ ଜାବୁଡ଼ି ଧରି ସେ ଅଳ୍ପ ସମୟ ପାଇଁ ଶୋଇଯାଇଥିଲେ ମଧ୍ୟ। ଆଜି ପର୍ଯ୍ୟନ୍ତ ସେ ଦିନର ସେହି ସ୍ମୃତି ଭୁଲି ପାରୁନାହିଁ। ଏବେ ବି ମନରେ ଯେତେବେଳେ ପ୍ରଶ୍ନ ଉଠେ ଯେ ତଲ୍ଲୀନାକୁ ସେହି ଗୋରା ଦେଶରେ ସାହାଯ୍ୟ କରିଥିବା କଳା ଲୋକଟି କିଏ, ସେତେବେଳେ ମନ ଭିତରୁ ଉତ୍ତର ଆସେ ସିଏ ମୋ ଜଗନ୍ନାଥ ଛଡ଼ା ଆଉ କିଏ?
ସଂପାଦକ, ସମ୍ବାଦ
(ସୌଜନ୍ୟ: ଅନୁଭବରେ ଶ୍ରୀଜଗନ୍ନାଥ)

ସ୍ମୃତିରୁ ଖିଏ

ତଲ୍ଲୀନା କଥା ଶୁଣି ମୁଁ ଘଡ଼ିଏ ନିର୍ବାକ୍ ହୋଇଗଲି। ସେତେବେଳେ ମୋ ସ୍ତ୍ରୀ ମୋତେ କହିଲେ, ‘ଯେତେବେଳେ ତଲ୍ଲୀନା କାନ୍ଦି କାନ୍ଦି ଫୋନ୍ କରୁଥିଲା, ସେତେବେଳେ ମୁଁ ଉପାୟଶୂନ୍ୟ ହୋଇ ଜଗନ୍ନାଥଙ୍କୁ ହିଁ ବ୍ୟାକୁଳ ଭାବରେ ପ୍ରାର୍ଥନା କରି କହୁଥିଲି ତୁମେ ତାକୁ କୌଣସି ପ୍ରକାରେ ସାହାଯ୍ୟ କର। ତା’ ଉପରକୁ କୌଣସି ବିପଦ ନ ଆସୁ।’ ବିଛଣା ପାଖରେ ଥିବା ଜଗନ୍ନାଥଙ୍କର ଛୋଟ ପିତ୍ତଳ ମୂର୍ତ୍ତିଟିକୁ ଜାବୁଡ଼ି ଧରି ସେ ଅଳ୍ପ ସମୟ ପାଇଁ ଶୋଇଯାଇଥିଲେ ମଧ୍ୟ।
ଆଜି ପର୍ଯ୍ୟନ୍ତ ସେ ଦିନର ସେହି ସ୍ମୃତି ଭୁଲି ପାରୁନାହିଁ। ଏବେ ବି ମନରେ ଯେତେବେଳେ ପ୍ରଶ୍ନ ଉଠେ ଯେ ତଲ୍ଲୀନାକୁ ସେହି ଗୋରା ଦେଶରେ ସାହାଯ୍ୟ କରିଥିବା କଳା ଲୋକଟି କିଏ, ସେତେବେଳେ ମନ ଭିତରୁ ଉତ୍ତର ଆସେ ସିଏ ମୋ ଜଗନ୍ନାଥ ଛଡ଼ା ଆଉ କିଏ?

ସମ୍ବନ୍ଧିତ ଖବର