ଭଲ ଡାକ୍ତର କିଏ?

ଜୟଦେବ ସାହୁ

ସେଦିନ ଚୋରଟି ବୁର୍ଲାର ଜନୈକ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଚିଠିଟି ଲେଖି ଚୋରି କରିଥିବା ଦୁଇଚକିଆ ଯାନ ଉପରେ ରଖି ଦେଇଥିଲା। ଚିଠିରେ ଲେଖା ଥିଲା, ‘ଆଜ୍ଞା ଆପଣଙ୍କ ବାଇକ ବୋଲି ଜାଣି ନ ଥିଲି। ଆପଣ ଜଣେ ମହାନ ଡାକ୍ତର। ଆପଣଙ୍କ ଯାନକୁ ମୁଁ ଚୋରି କରି ଅନୁତପ୍ତ।’
ଏଥିରୁ ଧାରଣା କରିହୁଏ ଯେ ଜଣେ ଭଲ ଡାକ୍ତରଙ୍କ ପ୍ରତି ଲୋକଙ୍କ ମନୋଭାବ କିଭଳି! ଆମ ଦେଶରେ ଡାକ୍ତରଙ୍କୁ ଈଶ୍ବରଙ୍କ ସ୍ବରୂପ ବୋଲି କୁହାଯାଏ। ସତ କହିଲେ ଜୀବନ ଓ ମରଣର ସନ୍ଧିକ୍ଷଣରେ ଯେଉଁ ବୃତ୍ତିଟି ବିଦ୍ୟମାନ ତାହା ଜଣେ ଚିକିତ୍ସକ ବା ଡାକ୍ତରଙ୍କ ବୃତ୍ତି। ଏବେ ସବୁ ବାପା ମା’ ଚାହାନ୍ତି ଯେ ସେମାନଙ୍କ ପିଲାଏ ଡାକ୍ତର ହୁଅନ୍ତୁ। କେବଳ ଭଲ ପାଠ ପଢୁଥିବା ଛାତ୍ରଛାତ୍ରୀ ହିଁ ଚିକିତ୍ସକ ହୁଅନ୍ତି। କିନ୍ତୁ ଏହା ସହିତ ଯାହା ଏକ କଟୁ ସତ୍ୟ ଭାବେ ଏବେ ଉଭା ହୋଇଛି, ତାହା ହେଲା ଅ‌େନକ ଡାକ୍ତର ଅର୍ଥ ଉପାର୍ଜନ ଲାଗି ଏତେ ଅଧିକ ଲାଳାୟିତ ଯେ ସେମାନେ ରୋଗୀର ସେବା କରିବେ କ’ଣ ବରଂ ରୋଗୀକୁ ବିଭିନ୍ନ ଉପାୟରେ ଶୋଷଣ କରିବାରେ ବ୍ୟସ୍ତ। ସଂପ୍ରତି ଡାକ୍ତରୀ ବୃତ୍ତିକୁ ଅନେକ ଏଥି ଲାଗି ପସନ୍ଦ କରୁଛନ୍ତି, କାରଣ ଏହା ବିପୁଳ ଅର୍ଥ ଉପାର୍ଜନର ମାର୍ଗରେ ପରିଣତ ହୋଇଛି। ଏହା ମଧ୍ୟ ସତ ଯେ ଏହି ପେସାରୁ ଅର୍ଥ ଉପାର୍ଜନ କରିବାରେ କୌଣସି ଅନୈତିକତା ନାହିଁ। ଅନେକ ଦରଦୀ ଓ ଉତ୍ତମ ସ୍ବଭାବର ଚିକିତ୍ସକ ପ୍ରଭୂତ ବିତ୍ତ ଅର୍ଜନ କରିଥାଆନ୍ତି। କିନ୍ତୁ ସେମାନେ ରୋଗୀର ଶୋଷଣ କରି ନ ଥାଆନ୍ତି; ସେମାନେ ଯତ୍ନର ସହିତ ରୋଗୀର ଚିକିତ୍ସା କରିଥାଆନ୍ତି। ଅନେକ ସଫଳ ଡାକ୍ତର ଦରିଦ୍ର ରୋଗୀଙ୍କ ସେବା ମାଗଣାରେ କରୁଥିବାର ଦେଖାଯାଏ। ବର୍ତ୍ତମାନର ପରିସ୍ଥିତିରେ ଏତିକି ବି ଯ‌େଥଷ୍ଟ।

ଆମ ରାଜ୍ୟରେ ଓଡ଼ିଶା ସରକାର ଡାକ୍ତରମାନଙ୍କ ଗୁରୁତ୍ବ ଉପଲବ୍‌ଧି କରି ସେମାନଙ୍କ ଅବସର ବୟସ ସୀମା ୬୦ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି। ଅନୁନ୍ନତ ଅଞ୍ଚଳରେ ଡାକ୍ତର ନିଯୁକ୍ତି ପାଇଁ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଡାକ୍ତରଙ୍କ ଘରୋଇ ଚିକିତ୍ସା ଉପରେ ମଧ୍ୟ କଟକଣା ଲଗାଯାଇନାହିଁ। ଏହା ପଛରେ ଥିବା ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ଠିକ ଚିକିତ୍ସା ଯୋଗାଇବା। କିନ୍ତୁ ସରକାରୀ ଡାକ୍ତରଖାନାରେ ଏ‌େବ ବି ଡାକ୍ତରଙ୍କ ଦେଖା ମିଳେନାହିଁ। ଗରିବ ରୋଗୀମାନେ ସରକାରୀ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
ଥରେ ପ୍ରସିଦ୍ଧ ଡାକ୍ତର ଦେବୀ ସେଟ୍ଟୀ(ନାରାୟଣ ହୃଦୟାଳୟ)ଙ୍କୁ ପଚରା ଯାଇଥିଲା ଯେ ଜଣେ ଭଲ ଡାକ୍ତର କିଏ? ଉତ୍ତରରେ ସେ କହି ନ ଥିଲେ ଯେ ଯିଏ ଭଲ ରୋଗ ଚିହ୍ନିପାରେ ବା ଭଲ ସର୍ଜରୀ କରିପାରେ ସେ ଭଲ ଡାକ୍ତର। ସେ କହିଥିଲେ ଯେ ରୋଗୀ ଲୋଡ଼ିବା ମାତ୍ରେ ଯିଏ ତା’ ପାଖରେ ପହଞ୍ଚି ଯାଇ ତାର ସାମର୍ଥ୍ୟ ମୁତାବକ ସେବା ପ୍ରଦାନ କରେ, ସେ ହେଉଛି ଭଲ ଡାକ୍ତର। ସତ କଥା ଏବେ ସେମିତି ଡାକ୍ତର ବିରଳ; କିନ୍ତୁ ସେମାନେ ଅଛନ୍ତି। ବୁର୍ଲାର ଡାକ୍ତର ରାମଚନ୍ଦାନୀଙ୍କ ଟଙ୍କାକିଆ କ୍ଲିନିକ୍‌ କଥା ଏବେ ସାରା ଭାରତରେ ଚର୍ଚ୍ଚିତ। ପୁନେର ଡାକ୍ତର ଅଭିଜିତ ସୋନାଉଅନେ ଚାକିରିରୁ ଇସ୍ତଫା ଦେଇ ନିଜକୁ ଗରିବ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ କରିଛନ୍ତି। ଏକ ଅନ୍ତର୍ଜାତୀୟ ସଂସ୍ଥା ଅଛି ଯାହାର ନାମ ‘ଡକ୍ଟର୍‌ସ ୱିଦାଉଟ୍ ବର୍ଡର୍‌ସ’। ଏହି ସଂସ୍ଥାରେ କାମ କରୁଥିବା ଡାକ୍ତରମାନେ ନିଜ ଜୀବନକୁ ପାଣି ଛଡ଼ାଇ ଯୁଦ୍ଧ କ୍ଷେତ୍ର‌େର ବା ବିଭିନ୍ନ ସ୍ବାସ୍ଥ୍ୟଗତ ସଂକଟ କାଳରେ ଚିକିତ୍ସା ଲୋଡୁଥିବା ଅସହାୟଙ୍କ ପାଖରେ ପହଞ୍ଚି ସେବା କରନ୍ତି। ଆଫ୍ରିକାର ସେରାଲିଓନରେ ମହାଘାତକ ଇବୋଲାର ସଂକ୍ରମଣ ଏକ ମାରାତ୍ମକ ସ୍ଥିତିରେ ଥିବା ବେଳେ ପୀଡ଼ିତମାନଙ୍କ ପାଖରେ ଥିଲେ ଏହି ସଂସ୍ଥାର ଚିକିତ୍ସକମାନେ। ଏମାନେ ସତରେ ଈଶ୍ବରଙ୍କ ଠାରୁ କୌଣସି ଗୁଣରେ ନ୍ୟୂନ ନୁହନ୍ତି। ଏବେ କୋଭିଡ୍‌-୧୯ ପାନ୍‌ଡେମିକ୍ ସମୟରେ ଡାକ୍ତରମାନେ ସମ୍ମୁଖ ଭାଗର ଯୋଦ୍ଧା ଭାବେ ନିଜ ଜୀବନକୁ ବାଜି ଲଗାଇ ଚିକିତ୍ସା କରିଛନ୍ତି। ସେଥି ଲାଗି ଏହି ଡାକ୍ତରମାନେ ନମସ୍ୟ।

ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ବିଭିନ୍ନ କାରଣରୁ ଡାକ୍ତରମାନେ ରୋଗୀଙ୍କ ସଂପର୍କୀୟମାନଙ୍କ ଦ୍ବାରା ଆକ୍ରମଣର ଶିକାର ହେଉଛନ୍ତି। ଏକ ଆକଳନରୁ ଜଣାଯାଏ ଯେ ୭୫% ଡାକ୍ତର ତାଙ୍କ କାର୍ଯ୍ୟ ସ୍ଥଳରେ ହିଂସାର ଶିକାର ହୁଅନ୍ତି। କିନ୍ତୁ ବିଡ଼ମ୍ବନା ହେଲା ଏହି ଭିତରୁ ଅଧିକାଂଶ ଭୁଲ୍‌ ବୁଝାମଣାରୁ ସୃଷ୍ଟି ହୋଇଥାଏ। ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରମାନେ ରୋଗୀ ବା ତାଙ୍କ ସଂପର୍କୀୟଙ୍କୁ ଚିକିତ୍ସାର ପଦ୍ଧତି ବାବଦରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇବା ଆବଶ୍ୟକ। ଏଥିରେ ଅବହେଳା କଲେ ଡାକ୍ତରଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିଥାଏ। ଭାରତରେ ମଧ୍ୟ ନିଜ ରୋଗ ଓ ଚିକିତ୍ସା ସମ୍ପର୍କରେ ଜାଣିବାର ଅଧିକାର ରୋଗୀର ଅଛି। କିନ୍ତୁ ସାଧାରଣତଃ ଏଭଳି ଅଧିକାରକୁ ଅତି କମ୍ ସଂଖ୍ୟକ ରୋଗୀ ଜାହିର କରନ୍ତି। ସଂପ୍ରତି ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣ କ୍ରମବର୍ଦ୍ଧି‌ଷ୍ଣୁ ହୋଇ ଚାଲିଥିବାରୁ ଡାକ୍ତରଙ୍କ ସୁରକ୍ଷା ପାଇଁ ଅନେକ କଡ଼ା ନିୟମ କରାଯାଇଛି। କିନ୍ତୁ ସତ କଥା ହେଲା ଜଣେ ଡାକ୍ତରଙ୍କୁ କେବଳ ତାଙ୍କ ମନୋଭାବ ହିଁ ସୁରକ୍ଷା ପ୍ରଦାନ କରିପାରିବ। ଜଣେ ମହାନ ଡାକ୍ତରଙ୍କ ‌େଚାରି ଦ୍ରବ୍ୟ ବି ଚୋର ଘରେ ଫେରାଇ ଦେଇ ଯିବ।

ଭାରତୀୟ ଚିକିତ୍ସା ଶାସ୍ତ୍ରର ଜନକ ଚରକ ଥରେ କହିଥିଲେ ଯେ ‘ଏକ ଭଲ ଚିକିତ୍ସକ ମା’, ବାପା ଓ ଭାଇ ଭଳି ରୋଗୀକୁ ସ୍ନେହପୂର୍ବକ ଜୀବନ ଦାନ କରେ।’ ସେଥି ଲାଗି ଡାକ୍ତରମାନେ ହିପୋକ୍ରେଟିସ୍‌ଙ୍କ ନାମରେ ଶପଥ ନିଅନ୍ତି। ଏହି ଶପଥ ପାଠରେ ଲେଖା ଥାଏ- ‘ମୁଁ ଜାତି, ଧର୍ମ, ବର୍ଣ୍ଣ, ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କ ଯତ୍ନ ନେବି ଏବଂ ଗରିବ ଓ ଗୃହ ଶୂନ୍ୟଙ୍କ ପାଇଁ ମୋର କିଛି ସମୟ ବିନିଯୋଗ କରିବି।’ ଜଣେ ଭଲ ଡାକ୍ତର ଏହାକୁ ମାନି ଚଳିଥାଏ।
କଳାହାଣ୍ଡି ବିଶ୍ୱବିଦ୍ୟାଳୟ , ଭବାନୀପାଟଣା
ମୋ- ୭୯୭୮୯୯୦୦୧୬

ସମ୍ବନ୍ଧିତ ଖବର