ଜାତିର ଜନନୀ କିଏ?

ଅନ୍ତର୍ଜିତା ନାୟକ

ଶ୍ରେଣୀ ଗୃହରେ ଶିକ୍ଷକ ପିଲାମାନଙ୍କୁ ଗାନ୍ଧୀଜୀଙ୍କ ବିଷୟରେ ପଢ଼ାଉଥିବା ବେଳେ ଗାନ୍ଧୀଜୀ ଆମର ଜାତିର ଜନକ ବୋଲି କହିଲେ। ଏହା ଶୁଣି ଜଣେ ଛାତ୍ରର ନିରୀହ ଉତ୍ସୁକତା ତାକୁ ପଚାରିବାକୁ ବାଧ୍ୟ କଲା ଯେ ‘ସାର୍‌, ତାହା ହେଲେ ଆମ ଜାତିର ଜନନୀ କିଏ?’ କହିବା ବାହୁଲ୍ୟ ଯେ ସାର୍‌ଙ୍କ ନାଲି ଆଖି ତାକୁ ଶ୍ରେଣୀରେ ସେହି ବିଷୟରେ ଆଉ ଅଧିକ ଆଗ୍ରହୀ ହେବାକୁ ଦେଲା ନାହିଁ। ପିଲାଟି ଘରକୁ ଫେରି ତା’ ମା’ଙ୍କୁ ସେହି ପ୍ରଶ୍ନ ପଚାରିଲା। ପୁ୍ଅର ଏଭଳି ଅଚାନକ ଜିଜ୍ଞାସାରେ କ’ଣ ଉତ୍ତର ଦେବେ ବୋଲି ବୁଝି ନ ପାରି ମା’ କହିଲେ- ‘ଆରେ, ଆମ ଦେଶ ତ ଆମର ମା’!’

ସତ କହିଲେ ସେହି ପିଲାଟି ଏକ ଉଦ୍‌ବେଳନ ସୃଷ୍ଟିକାରୀ ପ୍ରଶ୍ନ ପଚାରିଥିଲା। ହୁଏ’ତ ସେ ତା’ ମା’ଙ୍କ ପ୍ରଦତ୍ତ ଉତ୍ତରରେ ବୁଝି ଯାଇଥିବ। କିନ୍ତୁ ପ୍ରକୃତରେ ପ୍ରଶ୍ନଟି ସେମିତି ଅନୁତ୍ତରିତ ହୋଇ ରହିଗଲା। ଯଦି ଗାନ୍ଧୀଜୀ ଜାତିର ପିତା, ‌େତବେ ଏହି ଜାତିର ମାତୃ-ସ୍ଥାନୀୟା କ’ଣ କେହି ନାହାନ୍ତି? ଦେଶକୁ ଇଂରେଜମାନଙ୍କ ଶାସନରୁ ମୁକ୍ତ କରାଇବାରେ ଗାନ୍ଧୀଜୀଙ୍କ ଅବଦାନ ହେତୁ ସେ ଯଥାର୍ଥରେ ଜାତିର ପିତା ହୋଇପାରିଲେ, ତେବେ ରାଣୀ ଲକ୍ଷ୍ମୀବାଇ ବା ସରୋଜିନୀ ନାଇଡୁ ବା ଭିକାଜୀ କାମା ଅଥବା କମଳାଦେବୀ ଚଟ୍ଟୋପାଧ୍ୟାୟ ଇତ୍ୟାଦିଙ୍କ ଭଳି ମହିଳା ଯେଉଁମାନେ ସ୍ବାଧୀନତା ଲାଗି ଆଗ ଧାଡ଼ିର ଭୂମିକା ନିର୍ବାହ କରିଥିଲେ, ସେମାନଙ୍କ ମଧ୍ୟରୁ କେହି କ’ଣ ଜାତିର ମାତା ବା ‘ମଦର୍‌ ଅଫ୍ ଦ ନେସନ୍‌’ ରୂପେ ସମ୍ବୋଧିତ ହୋଇ ପାରନ୍ତେ ନାହିଁ? ମହିଳାମାନଙ୍କର ଶିକ୍ଷା ଓ ସଶକ୍ତୀକରଣ କ୍ଷେତ୍ରରେ ସାବିତ୍ରୀବାଇ ଫୁଲେ ହୁଅନ୍ତୁ ବା ଜନ ସେବା କ୍ଷେତ୍ରରେ ମଦର ଟେରେସା ବା ବ୍ୟବସାୟ କ୍ଷେତ୍ରରେ ବିଶ୍ବର ଏକ ନମ୍ବର ବ୍ରାଣ୍ଡ୍‌ ପେପ୍‌ସିର ମୁଖ୍ୟ ଇନ୍ଦ୍ରା ନୁୟୀ ବା ବିଶ୍ବ ପ୍ରସିଦ୍ଧ ଔଷଧ କଂପାନି ବାୟୋକନ୍ ଲିମିଟେଡ୍‌ର ତତ୍ତ୍ବାବଧାୟିକା କିରଣ ମଜୁମଦାର ସ; ଏମାନଙ୍କ ଭିତରୁ କେହି କ’ଣ ନିଜ ଅବଦାନ ହେତୁ ମାତୃ ସ୍ଥାନୀୟା ମର୍ଯ୍ୟାଦା ଲାଭ କରିବାକୁ ଯୋଗ୍ୟ ହୋଇ ନ ଥାଆନ୍ତି?

ସବୁ ବିଷୟ‌େର ଜଣେ ଜଣେ ପିତା ଅଛନ୍ତି; ଯେମିତି ‘ଫାଦର୍ ଅଫ ଇକୋନୋମିକ୍‌ସ’ ବା ‘ଅର୍ଥନୀତି’ର ପିତା ଆଡାମ ସ୍ମିଥ୍‌ ବା ଆଧୁନିକ ବିଜ୍ଞାନର ପିତା ନିଉଟନ୍‌ ବା ଗାଲିଲିଓ କିମ୍ବା ଗଣିତର ପିତା ପିଥାଗୋରାସ୍‌ ବା ଭାରତରେ ଆଣବିକ ଶକ୍ତିର ପିତା ହୋମି ଭାବା ଇତ୍ୟାଦି। କିନ୍ତୁ, ମାତା କେହି ନାହାନ୍ତି! ଦୁଇ ଥର ନୋବେଲ ପୁରସ୍କାର ପାଇଥିବା ମେରୀ କ୍ୟୁରିଙ୍କୁ ମଧ୍ୟ ବିଜ୍ଞାନ ଗବେଷଣାର ମାତା ବା ଆଣବିକ ବିକିରଣ ବିଜ୍ଞାନର ଜନନୀ ବୋଲି କୁହାଯାଏ ନାହିଁ। ତାଙ୍କୁ କେବଳ ସମ୍ମାନର ସହିତ କୁହାଯାଏ ‘ମାଡାମ୍‌’ କ୍ୟୁରି! ବହୁ ଉଦ୍ଭାବକଙ୍କ ନାମ ଆମ ଜିଭ ଅଗରେ ଅଛି; ଯେମିତି ଏଡିସନ, ଗ୍ରାହାମବେଲ ବା ମାର୍କୋନି ଇତ୍ୟାଦି। କିନ୍ତୁ ଗ୍ରେସ୍ ହପର୍ ଏବଂ ଷ୍ଟେଫନି କ୍ୟୋଲେକ୍‌ଙ୍କ ବିଷୟରେ କେହି ଜାଣନ୍ତି କି? ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ପାଇଁ ପ୍ରଥମ ‘କଂପାଇଲର୍‌’ ଉଦ୍ଭାବନ କରି ସବୁ ଦିନ ଲାଗି କମ୍ପ୍ୟୁଟର ପ୍ରଯୁକ୍ତିକୁ ବଦଳାଇ ଦେଲେ ଓ ଅନ୍ୟ ଜଣକ ଇସ୍ପାତ ଠାରୁ ପାଞ୍ଚ ଗୁଣ ଅଧିକ ଶକ୍ତିଶାଳୀ ‘କେଭଲାର’ ଉଦ୍ଭାବନ କରିବା ପରେ ଆଧୁନିକ ଉଦ୍ୟୋଗର ରୂପ ପୂର୍ବ ଭଳି ରହିଲା ନାହିଁ। କିନ୍ତୁ ସେମାନଙ୍କ କଥା କେଉଁଠି ଉଠେ? ସେମିତି ଆମ ଧର୍ମ କଥା ଦେଖାଯାଉ। ହିନ୍ଦୁ ଧର୍ମରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ହେଉଛନ୍ତି ଯଥାକ୍ରମେ ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା ଏବଂ ସଂହାର କର୍ତ୍ତା। କିନ୍ତୁ ଏ ସଂସାରକୁ ଚଳାଉଥିବା ଦୁଇଟି ମୁଖ୍ୟ ଶକ୍ତି ଧନ ଓ ଜ୍ଞାନର ସ୍ରୋତ କେଉଁଠାରୁ ପ୍ରବାହିତ? ସେମାନେ ହେଲେ ଯଥାକ୍ରମେ ଦେବୀ ଲକ୍ଷ୍ମୀ ଓ ସରସ୍ବତୀ। କିନ୍ତୁ ସେମାନେ ବ୍ରହ୍ମା-ବିଷ୍ଣୁ-ମହେଶ୍ବରଙ୍କ ସମକକ୍ଷ ସ୍ଥାନ ପାଆନ୍ତି କି?

ତେବେ ଗୋଟିଏ କ୍ଷେତ୍ରରେ ଏହି ଲିଙ୍ଗଗତ ବୈଷମ୍ୟ ଓଲଟି ଯାଇ ନାରୀମାନେ ପୁରୁଷମାନଙ୍କୁ ପଛରେ ପକାଇ ଦେଇଥିବା ଦେଖାଯାଏ। ଏବଂ ଘୋର ବିଡ଼ମ୍ବନା ଏବଂ ଚରମ ଦୁଃଖର ବିଷୟ ହେଲା ଏହି କ୍ଷେତ୍ରଟି ହେଉଛି ଅନ୍ଧବିଶ୍ବାସ ବା ଗୁଣି ଗାରେଡ଼ି। ଏହି ତମସାଚ୍ଛନ୍ନ ଇଲାକାରେ ଡାହାଣୀ, ପିଶାଚୁଣୀ, ଚିରିଗୁଣୀ ରୂପେ ପ୍ରାୟତଃ ନାରୀମାନଙ୍କୁ ଦେଖିବାକୁ ମିଳେ, ଯେଉଁମାନେ ମିଛ ଅପବାଦକୁ ମୁଣ୍ଡାଇ ନରକୀୟ ଯାତନା, ହିଂସା ଏବଂ ହତ୍ୟା ଆଦିର ଶିକାର ହୁଅନ୍ତି। ଆଜି ମହିଳାମାନେ ଉଚ୍ଚ ଶିକ୍ଷିତ। ଅନେକ ପୁରୁଷ ଦୁର୍ଗରେ ମହିଳାମାନେ ରାଜୁତି ବି କଲେଣି। ଭାରତର ‘ଚନ୍ଦ୍ରଯାନ’ ବା ‘ମଙ୍ଗଳଯାନ’ ମିସନ୍‌ରେ କାର୍ଯ୍ୟରତ ତଥା ନେତୃତ୍ବ ନେଉଥିବା ବୈଜ୍ଞାନିକଙ୍କ ମଧ୍ୟରେ ମହିଳା ବିଜ୍ଞାନୀମାନେ ଥିଲେ ସଂଖ୍ୟାଧିକ। ସୁତରାଂ, ଏବେ ସମୟ ଆସିଛି ଦେଶ, ଜାତି ବା ବିଭିନ୍ନ କ୍ଷେତ୍ର ଲାଗି ମାତୃ ସ୍ଥାନୀୟା ବା ଜନନୀମାନଙ୍କୁ ମଧ୍ୟ ଖୋଜିବାକୁ ହେବ। ସେହି ପିଲାର ପ୍ରଶ୍ନରେ ଦମ୍ଭ ଅଛି। ତାକୁ ଏଡ଼ାଇ ଯିବା ଅର୍ଥ ଏକ ବିରାଟ ଭୁଲ୍‌ କରି ବସିବା!
ମୋ: ୬୩୭୦୯୦୫୯୪୭

ସମ୍ବନ୍ଧିତ ଖବର