କାହାକୁ ଭୁଲିବି, କାହାକୁ ମନେ ପକେଇବି?

କୁମାର ପ୍ରଶାନ୍ତ

ହରିବଂଶ ବଚନଙ୍କ ଆତ୍ମଜୀବନୀରୁ ମୁଁ ଆଜି ଲେଖାର ଶିରୋନାମା ନେଇନାହିଁ ବୋଲି ପ୍ରଥମରୁ କହିଦେଉଛି। ବଚନଜୀ ନିଜ ଆତ୍ମକଥାର ପ୍ରଥମ ଖଣ୍ଡରେ ଏହି ଶୀର୍ଷକରେ ପ୍ରଶ୍ନବାଚକ ଚିହ୍ନ ଲଗାଇଥିଲେ କି ନାହିଁ ମୋର ମନେ ନାହିଁ, ତେବେ ମୁଁ ଜାଣିଶୁଣି ଏପରି ପ୍ରଶ୍ନବାଚକ ଚିହ୍ନ ଲଗାଇଛି। ଏଠାରେ ମୋର ପ୍ରମୁଖ ପ୍ରଶ୍ନ ହେଉଛି, କୌଣସି ଅଞ୍ଚଳ ନିଜର ବର୍ତ୍ତମାନ ଗଢ଼ିବା ପାଇଁ ଅତୀତର କିଛି ମନେ ରଖିବାକୁ ହେବ ନା କିଛି ଭୁଲି ଯିବାକୁ ହେବ ନା ପୂରା ଭୁଲିବାକୁ ପଡ଼ିବ? ଇତିହାସର ଅଳିଆ ଗଦାକୁ ଅତୀତ ଯାହା ସବୁ ଫିଙ୍ଗି ଦେଇଛି, ସେ ସବୁ ସଜଡ଼ା ହେବା ପାଇଁ ଯୋଗ୍ୟ ନୁହେଁ। ଯେଉଁ ଜାତି ବା ଅଞ୍ଚଳ ସେସବୁକୁ ସଜାଡ଼େ, ସେ ସ୍ରଷ୍ଟା ନୁହେଁ; ଇତିହାସର ଅଳିଆ ଗଦା ସାଜି ସେ ନିଜେ ସେମିତି ରହିଯାଇଥାଏ।

ଏହା ଏଥି ପାଇଁ କୁହାଯାଉଛି କାରଣ ଜାନୁଆରି ୧୪ର ସେହି ବିଭାଜନ ବିଭୀଷିକାକୁ ଆଗକୁ ସ୍ମୃତି ଦିବସ ଭାବେ ପାଳିବା ଲାଗି ସ୍ବତନ୍ତ୍ରତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହା ଶୁଣି ପ୍ରଥମେ ମନରେ ଏ କଥା ଉଠିଲା କି ରାଷ୍ଟ୍ର ତରଫରୁ ଏଭଳି ଘୋଷଣା କରିବା ଲାଗି କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏ ଅଧିକାର କେମିତି ମିଳିଲା। ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ର କେବେ ବାଛି ନାହିଁ, କେବଳ ଏକ ସାଂସଦ ଭାବେ ନିର୍ବାଚିତ କରିଛି; ତାଙ୍କୁ ତାଙ୍କ ଦଳର ସାଂସଦମାନେ ହିଁ ଚୟନ କରିଛନ୍ତି। ଯେପରି ରାଷ୍ଟ୍ର ତରଫରୁ ଏପରି ଘୋଷଣା କରିବାର ଅଧିକାର କୌଣସି ସାଂସଦଙ୍କର ନାହିଁ, ସେହିପରି ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ସେ ଅଧିକାର ନାହିଁ। ଏହି ଅଧିକାର କେବଳ ସଂସଦର ରହିଛି, ଯେଉଁଠି ଖୋଲାଖୋଲି ଏ ପ୍ରସଙ୍ଗରେ ବିତର୍କ ହେବ। ଦେଶରେ ଜନମତର ଅନ୍ୟ ମାଧ୍ୟମଗୁଡ଼ିକୁ ମଧ୍ୟ ଏ ବିଷୟରେ ବିଚାରବିମର୍ଶ କରିବା ଲାଗି ସୁଯୋଗ ମିଳୁ ଏବଂ ସାର୍ବଜନୀନ ଚିନ୍ତାଧାରାକୁ ଗୁରୁତ୍ବ ଦେଇ ନିଷ୍ପତ୍ତି ହେଉ। ଏପରି ନିଷ୍ପତ୍ତିର ଘୋଷଣା ବି ସଂସଦରେ ହେବା ଆବଶ୍ୟକ, ତାହା ପରେ ଯାଇ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାହା ଦର୍ଶାଇ ପାରିବେ। ସଂସଦକୁ ବି ଅନ୍ୟ ସାମ୍ବିଧାନିକ ବ୍ୟବସ୍ଥାଗୁଡ଼ିକୁ ସେତୁ ଭଳି ଉପଯୋଗ କରି ଚାଲିବା ଦରକାର ବୋଲି ବୁଝିବା ଜରୁରୀ। ଆମ ସମ୍ବିଧାନ କାହାକୁ ଏପରି ବ୍ରହ୍ମା-ତୁଲ୍ୟ ମାନ୍ୟତା ଦେଇନାହିଁ। ତେଣୁ ଅଗଷ୍ଟ ୧୫ରେ କରାଯାଇଥିବା ଏପରି ଉଦ୍ଭଟ ଘୋଷଣା ଆହୁରି ଉଦ୍ଭଟ ମନେ ହେଉଛି।

ପ୍ରତିଟି ମନୁଷ୍ୟ ଓ ଅଞ୍ଚଳର ଇତିହାସ କଳା କିମ୍ବା ଧଳା ବା ସଫେଦ ପୃଷ୍ଠାର ସମାହାରରେ ଗଠିତ। ଦୁଇଟି ଯାକ ପ୍ରକାରର ପୃଷ୍ଠା ସତ। କେବଳ ଫରକ ଏତିକି ଯେ, କଳା ପୃଷ୍ଠାରୁ କିଛି ପଢ଼ି ହେବନାହିଁ, ନା ଅନ୍ୟ କେହି କିଛି ସେଥିରେ ଲେଖି ପାରିବ। ଅପର ପକ୍ଷେ, ସଫେଦ ପୃଷ୍ଠା ଜଣକୁ ପଢ଼ିବା ସହ କିଛି ଲେଖିବାକୁ ମଧ୍ୟ ଆମନ୍ତ୍ରଣ କରିଥାଏ। କଳା ପୃଷ୍ଠାରେ ଲୁଚାଇ ରଖିଲା ଭଳି କିଛି ନ ଥାଏ, କାରଣ ଶେଷକୁ ସେହି ସତ୍ୟ ହିଁ ପ୍ରକଟି ଥାଏ। ମାତ୍ର ସେଥିରେ ଭୁଲିଯିବା ପାଇଁ ବହୁତ କିଛି ରହିଥାଏ, କାରଣ ସେ ସବୁ ଅମଙ୍ଗଳ ହୋଇଥାଏ। ତେବେ ଇତିହାସକାରଟିଏ ଦୁଇ ପ୍ରକାର ପୃଷ୍ଠାକୁ ସଜାଇ ରଖିଥାଏ, କାରଣ ଇତିହାସ ପ୍ରତି ସତ୍ୟନିଷ୍ଠ ରହିବା ହେଉଛି ତାହାର ଉତ୍ତରଦାୟିତ୍ବ। ସାଧାରଣ ନାଗରିକଟିଏ ଇତିହାସକାର ହୋଇପାରିବନି। ତାହାର ଉତ୍ତରଦାୟିତ୍ବ ହେଉଛି ନିଜର ଦେଶକୁ ସାଧୁତା ଓ ପ୍ରେମର ସହ ଗଢ଼ିବା, ଆଗକୁ ବଢ଼ିବା; ଏବଂ ଏପରି ବୀରତ୍ବରେ ଇତିହାସରୁ ଯେତିକି ସହଯୋଗ ମିଳୁଛି, ସେତିକି ଗ୍ରହଣ କରିବା।

ଦେଶ ବିଭାଜନ ଆମ ଇତିହାସର ଏପରି ଏକ କଳା ପୃଷ୍ଠା ଯେଉଁଥିରେ ଆମ ସାମୂହିକ ବିଫଳତାର କାହାଣୀ ଲେଖା ହୋଇ ରହିଛି। କେବଳ ବିଫଳତାର ତ ନୁହେଁ, ଆମ ଅମାନବିକତାର, ପାଶବିକତାର ଆଉ ମନୁଷ୍ୟ ରୂପରେ ଆମ ଅକଳ୍ପନୀୟ ପତନର। ଆମ ସ୍ବାଧୀନତା ନେତୃତ୍ବର ଏପରି କୌଣସି ଉପାଦାନ ନାହିଁ, ଯାହା ପଛରେ ବିଭାଜନର ଦାଗ ନ ଥିଲା- ଏପରିକି ମହାତ୍ମା ଗାନ୍ଧୀ ମଧ୍ୟ। ଦ୍ବିତୀୟତଃ ଆମର ସାମୂହିକ ବିଫଳତା ଓ ପତନର କାରଣ ହେଉଛି ସେହି ପରି ଅଗଣିତ କଳା ଚେହେରା। ପ୍ରଧାନମନ୍ତ୍ରୀ ଯେଉଁ ବିଭାଜନକୁ ବିଭୀଷିକା ବୋଲି କହିଛନ୍ତି, ତାହା ପ୍ରକୃତିଗତ ନୁହେଁ, ମାନବ ଦ୍ବାରା ସୃଷ୍ଟ। କବି ଅଜ୍ଞେୟ ସାପକୁ ପଚାରିଲେ,
‘ସାପ,
ତୁ ସଭ୍ୟ ତ ହୋଇ ପାରିଲୁନି,
ନଗରରେ ବସବାସ କରିବା ବି ତୋତେ ଆସିଲାନି,
ଗୋଟେ କଥା ପଚାରିବି
ଉତ୍ତର ଦେବୁ,
ତା’ ହେଲେ ଦଂଶିବା କେମିତି ଶିଖିଲୁ?
ବିଷ କୋଉଠୁ ପାଇଲୁ?’
ବିଭାଜନର ପୃଷ୍ଠା ଓଲଟାଇଲା ବେଳେ ଆମେ ଆମମାନଙ୍କୁ ‘ଅଜ୍ଞେୟ’ଙ୍କର ସେହି ପ୍ରଶ୍ନ ପଚାରିବାକୁ ହେବ। ମନୁଷ୍ୟର ଏଭଳି ପତନ କେବଳ ଯେ ଆମରି ଇତିହାସରେ ଘଟିଛି, ତାହା ନୁହେଁ, ସମଗ୍ର ବିଶ୍ବର ଇତିହାସରେ ଏପରି ପତନ କାହାଣୀ ରହିଛି। ବହୁତ ପଡ଼ି ଉଠି ମାନବ ଜାତି ଆଜି ଏଇଠି ପହଞ୍ଚିଛି। ଏବେ ବି କିଛି ଲୋକଙ୍କ ନୈତିକତାରେ ପତନଶୀଳତା ଭରି ରହିଛି, କିଛି ଲୋକଙ୍କର ଜୀବନଶୈଳୀ ପାଲଟିଛି।

ତେବେ କ’ଣ ଭୁଲିବା, କ’ଣ ମନେ ପକେଇବା? ବିଭାଜନ କାହିଁକି ହେଲା, ତାହା ତ ଭୁଲିବାର ବିଷୟ ନୁହେଁ। ସେଥିରୁ ଆମେ ଶିଖିବା ଯେ ମନୁଷ୍ୟ କେଉଁଠି ଓ କାହିଁକି ଏମିତି ଦୁର୍ବଳ ହୋଇଯାଏ, ଯେତେବେଳେ ଇତିହାସର ପ୍ରତିଗାମୀ ଶକ୍ତିମାନେ ତା’କୁ ନିର୍ବଳ କରି ନିଜର ମନବାଞ୍ଛା ପୂରଣ କରିନିଅନ୍ତି। ଗାନ୍ଧୀଙ୍କ ପରି ଦୁର୍ଜେୟ ବ୍ୟକ୍ତି ବି ପୂରା ପ୍ରୟାସ କରି ଯାହାକୁ ରୋକି ପାରି ନ ଥିଲେ। ମଣିଷ ମନର ଏମିତି କେଉଁ ଦୁର୍ବଳତା ଥିଲା, ତାହାକୁ ଗଭୀର ଭାବରେ ବୁଝିବାକୁ ହେବ ଏବଂ ତା’ଠାରୁ ସାବଧାନ ରହିବାକୁ ହେବ। ଗାନ୍ଧୀଙ୍କର ବିଫଳତା ସେହି ସ୍ବାଭିମାନରେ ଏତେ ଉଦୀପ୍ତ ଆଉ ଉଜ୍ଜ୍ବଳ ରହିଥିଲା ଯେ ତାହାକୁ ପତନ ଆଡ଼କୁ ନେଇ ହେବ ନାହିଁ। ସ୍ବର୍ଗ ଛୁଇଁବାର ପ୍ରଚେଷ୍ଟାରେ ବିଫଳ ହେବା ଆଉ ନର୍କକୁଣ୍ଡ ଗଢ଼ିବାରେ ସଫଳ ହେବା ଭିତରେ ଯେଉଁ ପାର୍ଥକ୍ୟ ରହିଛି, ଗାନ୍ଧୀଙ୍କ ବିଫଳତା ଆଉ ସାମ୍ପ୍ରଦାୟିକ ଶକ୍ତିମାନଙ୍କର ସଫଳତା ଭିତରେ ସେହି ତଫାତ୍‌ ରହିଛି। ସେଥିପାଇଁ ତ ହିନ୍ଦୁ ମୁସଲମାନ ଉଭୟଙ୍କର ଭୀରୁ ସାମ୍ପ୍ରଦାୟିକ ତତ୍ତ୍ବମାନେ ସବୁଦିନ ପାଇଁ ଇତିହାସର କାଠଗଡ଼ାରେ ଅପରାଧୀଟିଏ ପରି ଛିଡ଼ା ହୋଇଥି‌େବ। କାରଣ ଗାନ୍ଧୀଙ୍କ ପ୍ରଚେଷ୍ଟାକୁ ବିଫଳ କରିବା ଲାଗି ସେମାନେ ଅନ୍ଧ ପ୍ରୟାସ ଜାରି ରଖିଥିଲେ ଏବଂ କେବଳ ଦେଶ ସିନା ଭାଙ୍ଗି ନ ଥିଲା, ମାତ୍ର ସେମାନେ ସର୍ବଭୁକ୍‌ ଘୃଣାର ଏମିତି ଏକ ସମୁଦ୍ର ସୃଷ୍ଟି କରିଥିଲେ ଯାହା ଆଜି ବି ପତିଆରା ଜାହିର କରି ଚାଲିଛି। ଏଥିପାଇଁ ଗାନ୍ଧୀଙ୍କ ପ୍ରୟାସକୁ ଆମେ ସବୁଦିନ ମନେ ପକାଇବା ଜରୁରୀ, କାରଣ ସେଥିରୁ ହିଁ ଆଗକୁ ରାସ୍ତା ଫିଟିଛି।

ଆମକୁ କ’ଣ ଭୁଲିବାକୁ ହେବ? ଯାହାକୁ ବିଭୀଷିକା ବୋଲି କୁହାଯାଉଛି, ସେହି କୁକର୍ମକୁ ଭୁଲିଯିବା। କିନ୍ତୁ, ତାହା ବିଭୀଷିକା ବି ନ ଥିଲା, କାରଣ ତାହା ଆକାଶରୁ ନ ଆସି ମନୁଷ୍ୟକୃତ ଥିଲା। ଇତିହାସର କୌଣସି ଅନ୍ଧାରି କୋଣରେ ତାହାକୁ ସମାଧିସ୍ଥ କରାଯିବା ଦରକାର, କାରଣ ଏହା ଆମକୁ ତଳେ ପକାଉଛି, ଘୃଣା ଜାଲରେ ଫସାଉଛି, ଯୋଡୁ ନାହିଁ, ଭାଙ୍ଗି ଦେଉଛି। ଏହା ସ୍ମୁତି ହୋଇ ରହୁ, ବଢ଼ି ଚାଲୁ, ବିସ୍ତାର କରୁ ଏବଂ ଜମାଟ ବାନ୍ଧୁ ବୋଲି ଉଭୟ ପକ୍ଷର ସାମ୍ପ୍ରଦାୟିକ ମାନସିକତାର ଲୋକ ଚାହାନ୍ତି ଯଦ୍ଦ୍ବାରା ଗାନ୍ଧୀ ପିଇଥିବା ବିଷ ପୁଣି ଫାଟି ବାହାରି ଆସି ସାରା ଭାରତ ମାଟିକୁ ଅଭିଶପ୍ତ କରିଦେବ; ଆଉ ଏହି ମହାଦ୍ବୀପର ଲୋକଙ୍କୁ ଡେଙ୍ଗା ନ କରି ବାମନ କରିଦେବ। କିନ୍ତୁ ସେମାନଙ୍କ ପାଇଁ ଏପରି କରିବା ଜରୁରୀ, କାରଣ ଏହାକୁ ପାନ କରି ସେମାନେ ବଞ୍ଚି ରହିପାରିବେ। ମାତ୍ର କୌଣସି ରାଷ୍ଟ୍ର ଯେତେବେଳେ ନିଜର କଳୁଷକୁ ଲୋପ କରି ଓ ତାହାକୁ ଭୁଲିବା ପାଇଁ ପ୍ରସ୍ତୁତ ହୁଏ, ସେତେବେଳେ ତା’ର ସଭ୍ୟତା ଓ ସଂସ୍କୃତି ଉଦାତ୍ତ ମାନବିକତା ଆଡ଼କୁ ଗତି କରିଥାଏ। ସଭ୍ୟତା ଓ ସଂସ୍କୃତିର ଯାତ୍ରା ହେଉଛି ଏକ ଊର୍ଦ୍ଧ୍ବଗାମୀ ଯାତ୍ରା। ତାହା ତଳକୁ କେବେ ଓହ୍ଲାଏ ନାହିଁ, ଆମେ କେବଳ ପାଦ ଆଙ୍ଗୁଠିରେ ଛିଡ଼ା ହୋଇ ତାହାକୁ ଛୁଇଁବା ଓ ପାଇ ପାରିବା। ସେ ଜିନ୍ନା ହୁଅନ୍ତୁ କି ସାବରକର କି ସେମାନଙ୍କ ଉତ୍ତରାଧିକାରୀ, ଯିଏ ଏପରି କରି ନ ପାରେ, ସେ ସମଗ୍ର ସମାଜକୁ ଟାଣି ରସାତଳକୁ ନେଇ ଯାଇଥାଏ। ସେଥିପାଇଁ ଆମକୁ ସେହି ସାମ୍ପ୍ରଦାୟିକ ଶକ୍ତିକୁ ମନେ ରଖିବାକୁ ପଡ଼ିବ, ଯାହାଙ୍କ ଯୋଗୁଁ ଦେଶ ଖଣ୍ଡଖଣ୍ଡ ହେଲା, ଅଗଣିତ ଜୀବନ ଗଲା, ଅପ୍ରମିତ ସମ୍ପତ୍ତି ବରବାଦ ହେଲା ଆଉ ଏହି ମହାଦ୍ବୀପର ମନପ୍ରାଣରେ ପିଢ଼ି ପିଢ଼ି ଧରି ରକ୍ତଝରା କ୍ଷତ ସମ୍ଭବ ହେଲା। ଆମେ ସେମାନଙ୍କୁ ନ ଭୁଲିଲେ ନାଇଁ, ଯେତେ ଶୀଘ୍ର ସମ୍ଭବ ସେହି କ୍ଷତକୁ ଯେପରି ଭୁଲିଯିବା।

ମନେ ତ ରଖିବା ନାହିଁ, ଭୁଲିଯିବା ବି ଈଶ୍ବର ପ୍ରଦତ୍ତ ଆଶୀର୍ବାଦ। ସେଥିପାଇଁ ୧୫ ଅଗଷ୍ଟକୁ ନିଜର ସ୍ବତନ୍ତ୍ରତା ଦିବସ ରୂପେ ପାଳନ କରିବାର ଉଲ୍ଲାସଭରା ମାନସିକତା ଆଣିବା ପାଇଁ ଆମକୁ ୧୪ ଅଗଷ୍ଟକୁ ପ୍ରାୟଶ୍ଚିତ୍ତ ବା ସଂକଳ୍ପ ଦିବସ ଭାବେ ପାଳନ କରିବା ଜରୁରୀ ମନେ ହେଉଛି। ଆମକୁ ଏଥିପାଇଁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ କି ଆମେ ଏତେ ଦୁର୍ବଳ ହୋଇପଡ଼ିଥିଲେ ଯେ ଆମର ସାମୂହିକ ପତନକୁ ରୋକି ପାରି ନ ଥିଲେ; ଆଉ ସଂକଳ୍ପ ଏଥିପାଇଁ ନେବା କି ଭବିଷ୍ୟତ୍‌ରେ ଆମ ମନରେ କି ସମାଜରେ ଏପରି ଦୁର୍ବଳତାକୁ ସ୍ଥାନ ଦେବାନାହିଁ। ମହାଜ୍ଞାନୀ ବୁଦ୍ଧଙ୍କୁ ସାକ୍ଷୀ ମାନି ଅଗଷ୍ଟ ୧୪ରେ ଗାଇଚାଲିବା: ଅସତ୍ୟରୁ ସତ୍ୟ ଆଡ଼କୁ ନେଇଯାଅ; ଅନ୍ଧକାରରୁ ଆଲୋକକୁ ନେଇଯାଅ; ମୃତ୍ୟୁ ଠାରୁ ଅମୃତ ଆଡ଼କୁ ନେଇଯାଅ। ବିଶ୍ବଗୁରୁ ହେବାରେ କୌଣସି ବିଭ୍ରାନ୍ତି ନାହିଁ; ଏଥି ଲାଗି ଆସ୍ଥା ଦରକାର। ଆସ୍ଥା ଥିଲେ ଏଇ ଦେଶର ମନକୁ ନୂତନ ଓ ଉଦାତ୍ତ କରିହେବ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର