ଉତ୍ତରପ୍ରଦେଶ ଓ ପଞ୍ଜାବ ନିର୍ବାଚନରେ ଚାଷୀମାନଙ୍କ ଭୋଟ କାହାକୁ ମିଳିବ, ତାହା ହିଁ ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ ବାବଦରେ ଦଳ ପାଇଁ କିଛି ଭଲ ସଂକେତ ନ ଥିଲା ବେଳେ ଚଳିତ ବଜେଟ୍ ମଧ୍ୟ ସେଥିରେ ସୁଧାର ଆଣି ପାରିନି। ଚାଷୀମାନଙ୍କ କ୍ରୋଧର ବହ୍ନି ଏ ଯାବତ୍ ନିର୍ବାପିତ ହୋଇନାହିଁ। ସେମାନଙ୍କ ବକେୟା ଦାବି ପୂରଣ କରିବାରେ ମୋଦୀ ସରକାରଙ୍କ ବିଫଳତାକୁ ଦର୍ଶାଇବା ଲାଗି ସେମାନେ ନିକଟରେ ‘ବିଶ୍ବାସଘାତକତା ଦିବସ’ ପାଳନ କରିଥିଲେ। ଦଳ ଏହି ନିର୍ବାଚନରେ ଅଧିକ ଆସନ ହରାଇବା କଥା ଆଦୌ ଆଶା ରଖି ନ ଥାଇପାରେ। ମାତ୍ର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ଦ୍ବାରା ଏହି ନିର୍ବାଚନରେ ସେମାନଙ୍କ ପାଇଁ ଅନୁକୂଳ ପାଗ ରହିବ ବୋଲି ବିଜେପି କରିଥିବା ଅନୁମାନରେ ମଧ୍ୟ ଭୁଲ୍‌ ରହିଛି। ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଉପହାର’ ବୋଲି ପ୍ରତିପାଦନ କରିବାକୁ ଦଳ ପ୍ରୟାସ କରିଥିବା ବେଳେ ତାଙ୍କୁ କୌଣସି ପ୍ରକାର ଶ୍ରେୟ ଦେବାକୁ ଚାଷୀମାନେ କୁଣ୍ଠିତ। ବରଂ ତାହା ସରକାର ବିରୋଧରେ ସେମାନେ ଚଳାଇଥିବା ଦୀର୍ଘ ବର୍ଷକର ବଳିଦାନରେ ଜିତିଥିବା ‘ବିଜୟ କୃତି’ ବୋଲି ସେମାନେ ବିଚାରୁଛନ୍ତି। ତେଇଶଟି ଶସ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ଦାବି ସମେତ ଚାଷୀ ଆନ୍ଦୋଳନର ନେତୃତ୍ବ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା (ଏଏସ୍‌କେଏମ୍) ଲୋକମାନଙ୍କୁ ବିଜେପି ବ୍ୟତୀତ ଅନ୍ୟ ଯାହାକୁ ବି ଭୋଟ ଦେବା ଲାଗି ନିବେଦନ କରୁଛି। ଏହି ପ୍ରକାରେ ‘ଏଏସ୍‌କେଏମ୍‌’ର ନିର୍ବାଚନୀ ପ୍ରଚାର କେବଳ ବିଜେପି ବିରୋଧରେ ନୁହେଁ, ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ମଧ୍ୟ। ମୋଦୀଙ୍କୁ ଦୁର୍ବଳ କରିବା ଲାଗି ବିଜେପିର ପରାଜୟ ଚାହୁଛି ‘ଏଏସ୍‌କେଏମ୍‌’। କାରଣ ସେମାନଙ୍କର ଆଶଙ୍କା, ଏହି ନିର୍ବାଚନରେ ମୋଦୀ ପୁଣି ଶକ୍ତିଶାଳୀ ହୋଇ ଉଭା ହେଲେ ସେ ପ୍ରତ୍ୟାହୃତ କୃଷି ଆଇନଗୁଡ଼ିକୁ ପୁଣି ଥରେ ଭିନ୍ନ ରୂପରେ ଆଣିପାରନ୍ତି। ମୋଦୀଙ୍କ ଉପରୁ ସେମାନଙ୍କର ଭରସା ତୁଟି ଯାଇଛି। ସେମାନେ ତାଙ୍କୁ ପୁଞ୍ଜିପତି ଗୋଷ୍ଠୀର ସମର୍ଥକ ଭାବେ ଦେଖୁଛନ୍ତି।

Advertisment

ଅବଶ୍ୟ, ସେଥିପାଇଁ ମୋଦୀ ଓ ବିଜେପିକୁ ହିଁ ଦୋଷ ମୁଣ୍ଡାଇବାକୁ ହେବ। ଦୀର୍ଘ ବର୍ଷେ କାଳ ଚାଷୀମାନେ ଶୀତ, ଖରା ଓ ବର୍ଷାରେ ରାସ୍ତା ଉପରେ ଖୋଲା ଆକାଶ ତଳେ ପଡ଼ି ରହିଲେ। ସେହି ସମୟ ଭିତରେ ୭୦୦ରୁ ଅଧିକ ଚାଷୀ ଜୀବନ ଦେଲେ। ମାତ୍ର ବିଜେପି କୃଷକମାନଙ୍କୁ ଭାରତର ଏକ ଅଙ୍ଗ ଛେଦନ ପାଇଁ ଉଦ୍ଦିଷ୍ଟ ଖଲିସ୍ତାନୀ ଖଣ୍ଡାର ଖୋଳ ରୂପେ ଚିତ୍ରଣ କଲା। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆନ୍ଦୋଳନଜୀବୀ ବା ଅଭ୍ୟାସଗତ ବିକ୍ଷୋଭକାରୀର ଆଖ୍ୟା ଦେଲେ, ସତେ ଯେପରି କୌଣସି ଦୃଷ୍ଟି ଆକର୍ଷଣ କଲା ଭଳି ସେମାନଙ୍କ ଆନ୍ଦୋଳନର କିଛି ମହତ୍ତ୍ବ ନାହିଁ। କୃଷକମାନଙ୍କ ହୃଦୟରେ ଏହି ତିକ୍ତତା ଜାଗି ରହିଥିଲା। ଏଥି ସହିତ ଗତ ଜାନୁଆରି ୫ରେ ସୁରକ୍ଷା ଭଙ୍ଗ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର ଗସ୍ତକୁ ଅଧାରୁ ବାତିଲ କରି ପରିସ୍ଥିତିକୁ ନିଜ ପାଇଁ ଓ ଦଳ ପାଇଁ ଆହୁରି ଖରାପ କରିଦେଲେ। ସେ ଭତିଣ୍ଡା ବିମାନବନ୍ଦରକୁ ଫେରି ଆସି ପଞ୍ଜାବର ବରିଷ୍ଠ ରାଜ୍ୟ ଅଧିକାରୀମାନଙ୍କୁ ତାଚ୍ଛଲ୍ୟ କରି କହିଲେ, ‘ଆପଣମାନେ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ବଧାଇ ଜଣାଇ ଦେବେ କି ମୁଁ ଜୀବନ ଧରି ଭତିଣ୍ଡା ବିମାନବନ୍ଦର ଯାଏ ଆସି ପାରିଲି।’ ଏକ ଲୋକପ୍ରିୟ ହିନ୍ଦୀ ରୂଢ଼ି ଅଛି, ଯାହାର ଓଡ଼ିଆ ହେଉଛି ‘ନିମ ସାଙ୍ଗରେ କଲରା ପିତା ମିଶିଗଲା।’ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଚାଷୀମାନେ ସେହି ପ୍ରକାରେ ଗ୍ରହଣ କଲେ। ସେମାନେ ଦେଖୁଛନ୍ତି ଯେ ବିଜେପି ସେମାନଙ୍କୁ ଆତଙ୍କବାଦୀଙ୍କ ହାତବାରିସି ଭାବେ ବର୍ଣ୍ଣନା କରିବା ଛଡ଼ା ଆଉ କିଛି କରୁନାହିଁ। ଗତ ଅକ୍ଟୋବର ମାସରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଲଖିମପୁର ଖେରିଠାରେ ଆନ୍ଦୋଳନକାରୀ କୃଷକମାନଙ୍କ ଉପରକୁ ନିଜର ଗାଡ଼ି ଚଢ଼ାଇ ଚାରି ଜଣ ଚାଷୀଙ୍କୁ ଦଳି ମାରିଦେଲେ। ଏହି ଘଟଣା ସେମାନଙ୍କ କ୍ଷୋଭକୁ ଆହୁରି ଘନୀଭୂତ କରିଛି।

ଉତ୍ତରପ୍ରଦେଶ ଓ ପଞ୍ଜାବରେ କୃଷକମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବିଜେପି ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରିଛି। ଉତ୍ତରପ୍ରଦେଶରେ ଦଳ ଏହାର ପୁରୁଣା ‘ୟୁନିକ୍‌ ସେଲିଂ ପଏଣ୍ଟ୍‌’ ବା ଓଡ଼ିଆ ମର୍ମାର୍ଥରେ ‘ସ୍ବତନ୍ତ୍ର ଆବେଦନ’ ହିନ୍ଦୁତ୍ବକୁ ଫେରି ଆସିଛି। ସାତ ବର୍ଷ ତଳେ ମୁଜାଫରନଗରଠାରେ ଜାଠ ଓ ମୁସଲମାନଙ୍କ ମଧ୍ୟରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ୬୦ ଜଣ ମୃତ୍ୟୁ ବରଣ କରିଥିଲେ ଓ ହଜାରେରୁ ଅଧିକ ବିସ୍ଥାପିତ ହୋଇଥିଲେ। ସେମାନଙ୍କ କଥା ଉଠାଇ ବିଜେପି ଲୋକଙ୍କୁ ଉସୁକାଉଛି। ଗତ ୨୯ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘର ଘର ବୁଲି ନିର୍ବାଚନ ପ୍ରଚାର କରିବା ଅବସରରେ ଜାଠ ଭୋଟରଙ୍କୁ ‘ଆପଣମାନେ କ’ଣ ସେହି ଦଙ୍ଗା ଭୁଲିଗଲେଣି?’ ବୋଲି ପ୍ରଶ୍ନ କରିଥିଲେ। ‘ତୁମେ ନିଜକୁ ପ୍ରଥମେ ଜଣେ ହିନ୍ଦୁ ଓ ପରେ କୃଷକ ବୋଲି ଚିନ୍ତା କର’ ବୋଲି ଏକ ବାର୍ତ୍ତା ଜାଠମାନଙ୍କୁ ବିଜେପି ଦେବାକୁ ଚାହୁଛି। ଏହା ଗୋଟିଏ ଗୋଷ୍ଠୀ ଜାଠଙ୍କ ମନରେ ଭାବାନ୍ତର ସୃଷ୍ଟି କରିଛି। ତେବେ କୃଷକ ଆନ୍ଦୋଳନ ସହ ଜଡ଼ିତ ଜାଠମାନେ ଏହାକୁ କର୍ଣ୍ଣପାତ କରୁନାହାନ୍ତି। ସେମାନଙ୍କ ଉତ୍ତର ହେଲା, ‘ଆମେ ପ୍ରଥମେ କୃଷକ, ତା’ ପରେ ହିନ୍ଦୁ।’

କୃଷକ ଆନ୍ଦୋଳନ ସହ ଜଡ଼ିତ ଥିବା କାରଣରୁ ପଶ୍ଚିମ ଉତ୍ତରପ୍ରଦେଶରେ ସମର୍ଥନ ସାଉଁଟୁଥିବା ରାଷ୍ଟ୍ରୀୟ ଲୋକଦଳ (ଆର୍ଏଲ୍‌ଡି)ର ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ସମାଜବାଦୀ ପାର୍ଟି (ଏସ୍‌ପି) ସହ ମେଣ୍ଟ ଛାଡ଼ି ବିଜେପି ସହ ମିଶିବାକୁ ପ୍ରଦାନ କରାଯାଇଥିବା ପ୍ରସ୍ତାବରେ ସେ ମଧ୍ୟ ଅନୁରୂପ ମନ୍ତବ୍ୟ ରଖିଥିଲେ। ଗତ ମାସ ୨୬ ତାରିଖରେ ନୂଆଦିଲ୍ଲୀ ଠାରେ କିଛି ଜାଠ ସଂପ୍ରଦାୟ ନେତାଙ୍କ ସହ ଅମିତ ଶାହଙ୍କ ବୈଠକ ପରେ ବିଜେପି ସାଂସଦ ପର୍ବେଶ ବର୍ମା ଗଣମାଧ୍ୟମକୁ କହିଥିଲେ, ‘ଆମେ ଆମ ଘରକୁ ଜୟନ୍ତ ଚୌଧୁରୀଙ୍କୁ ସ୍ବାଗତ କରିବାକୁ ଚାହିଥିଲୁ, ମାତ୍ର ସେ ଭୁଲ୍‌ ଘର ବାଛିଲେ। ତେବେ ତାଙ୍କ ପାଇଁ ସବୁବେଳେ ଆମ ଦରଜା ଖୋଲା ରହିଛି।’ ମାତ୍ର ଚୌଧୁରୀ ମହାଶୟ ପର୍ବେଶଙ୍କୁ ଟ୍ବିଟର୍‌ରେ କଟାକ୍ଷ କଲେ, ‘ତୁମ ଘରକୁ ମୋତେ ଆମନ୍ତ୍ରଣ ନ କରି ଯେଉଁ ୭୦୦ରୁ ଅଧିକ କୃଷକଙ୍କ ପରିବାରର ଜୀବନକୁ ଦୁର୍ବିଷହ କରିଛ, ସେମାନଙ୍କ କଥା ପଚାର।’ ବାସ୍ତବରେ ଚୌଧୁରୀ ଜାଠ ଏବଂ ପଶ୍ଟିମ ଉତ୍ତରପ୍ରଦେଶର ଅନ୍ୟ ଜାତିର କୃଷକମାନଙ୍କ ସମର୍ଥନ ହାସଲ କରିଛନ୍ତି, ଯେଉଁମାନେ ବିଜେପି ପ୍ରତି କ୍ଷୁବ୍‌ଧ ହୋଇ ‘ଆମେ ପ୍ରଥମେ କୃଷକ, ପରେ ହିନ୍ଦୁ’ ବୋଲି ନିଜକୁ କହୁଛନ୍ତି। ସେମାନେ ୨୦୧୪, ୨୦୧୭ ଓ ୨୦୧୯ରେ ‘ପ୍ରଥମେ ହିନ୍ଦୁ, ପରେ କୃଷକ’ ଧାରଣାକୁ ଭିତ୍ତି କରି ବିଜେପିକୁ ଭୋଟ ଦେଇଥିଲେ। ମାତ୍ର ୨୦୨୨ରେ ସେମାନେ ନିଜର ଧାର୍ମିକ ସ୍ବାର୍ଥ ଅପେକ୍ଷା ଅର୍ଥନୈତିକ ସ୍ବାର୍ଥକୁ ଅଗ୍ରାଧିକାର ଦେଉଛନ୍ତି। ଏହି କାରଣରୁ ମୁସଲମାନ ଚାଷୀମାନେ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଛନ୍ତି। ଦୀର୍ଘ ବର୍ଷେ କାଳର ଚାଷୀ ଆନ୍ଦୋଳନ ପଶ୍ଚିମ ଉତ୍ତରପ୍ରଦେଶରେ ହିନ୍ଦୁ ଓ ମୁସଲମାନ ଚାଷୀଙ୍କୁ ଏକଜୁଟ କରିପାରିଛି। ମୁଜାଫରନଗରରେ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ଦ୍ବାରା ଆୟୋଜିତ ଏକ ମହା-ପଞ୍ଚାୟତରେ ଉଭୟ ହିନ୍ଦୁ ଓ ମୁସଲମାନ ଚାଷୀମାନେ ଯୋଗ ଦେଇଥିଲେ ଏବଂ ସେଠାରେ ସେମାନଙ୍କର ‘ହର ହର ମହାଦେବ’ ଓ ‘ଆଲ୍ଲା ହୁ ଆକବର’ ଧ୍ବନି ସାଂପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ବହନ କରିଥିଲା। ସୁତରାଂ ଚାଷୀ ଆନ୍ଦୋଳନରେ ଏପରି ହିନ୍ଦୁ ଓ ମୁସଲମାନ କୃଷକଙ୍କ ମିଳିତ ଯୋଗଦାନ ୨୦୧୩ ଦଙ୍ଗାର କ୍ଷତକୁ ଶୁଖାଇବାରେ ସମର୍ଥ ହୋଇଛି।

ଉଭୟ ସଂପ୍ରଦାୟର ବହୁସଂଖ୍ୟକ ଚାଷୀ ଧାର୍ମିକ ସ୍ବାର୍ଥ ଅପେକ୍ଷା ଆର୍ଥିକ ସ୍ବାର୍ଥ ଦ୍ବାରା ଅଧିକ ପରିଚାଳିତ ହେବାକୁ ଶ୍ରେୟ ମଣୁଛନ୍ତି। ଅପର ପକ୍ଷେ, ହିନ୍ଦୁ ଓ ମୁଲସମାନଙ୍କ ଭିତରେ ଧାର୍ମିକ ସ୍ବାର୍ଥ ଭିତ୍ତିରେ ଫାଟ ସୃଷ୍ଟି କରିବାକୁ ଚାହୁଥିବା ବିଜେପି ବିପକ୍ଷରେ ଏହା ଯାଉଛି ଏବଂ ଏସ୍‌ପି-ଆର୍ଏଲ୍‌ଡି ମେଣ୍ଟକୁ ସୁହାଉଛି। ସେହିପରି ଗୋ ସଂପଦ କ୍ଷେତ୍ରରେ ମଧ୍ୟ କୃଷକମାନଙ୍କର ଅର୍ଥନୈତିକ ସ୍ବାର୍ଥ ସେମାନଙ୍କ ଧାର୍ମିକ ସ୍ବାର୍ଥକୁ ପଛରେ ପକାଇ ଦେଇଛି। ହିନ୍ଦୁ ଧର୍ମରେ ଗାଈକୁ ‘ଗୋମାତା’ର ମର୍ଯ୍ୟାଦା ଦିଆଯାଇଛି ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରାଜ୍ୟରେ ଗୋ ସଂପଦର ବିକ୍ରି ଓ ହତ୍ୟାକୁ ନିଷେଧ କରିଛନ୍ତି। ରାଜ୍ୟ ତମାମ ଏପରିକି କଠୋର ହିନ୍ଦୁ ଚାଷୀମାନେ ମଧ୍ୟ ସରକାରଙ୍କ ଏହି ନୀତିକୁ ବିରୋଧ କରୁଛନ୍ତି। କାରଣ ମାଲିକଙ୍କ ଦ୍ବାରା ପରିତ୍ୟାଜ୍ୟ ହୋଇ ଏଣେ ତେଣେ ବୁଲୁଥିବା ଭୋକିଲା ଗାଈ ଓ ଷଣ୍ଢମାନେ ସେମାନଙ୍କ ଫସଲ ଖାଇ ନଷ୍ଟ କରୁଛନ୍ତି।

ସେହିପରି ପଞ୍ଜାବରେ ମଧ୍ୟ ବହୁସଂଖ୍ୟକ କୃଷକଙ୍କୁ ସେମାନଙ୍କ ଆର୍ଥିକ ସ୍ବାର୍ଥ କଥା ଘାରିଛି। ଚାଷୀ ଆନ୍ଦୋଳନରେ ଭାଗ ନେଇଥିବା କୃଷକଙ୍କ ମଧ୍ୟରୁ ସିଂହ ଭାଗ ହେଉଛନ୍ତି ପଞ୍ଜାବର ଚାଷୀ। ଏପରିକି ଆନ୍ଦୋଳନ ଅବସରରେ ପ୍ରାଣବଳି ଦେଇଥିବା ସାତ ଶହ କୃଷକଙ୍କ ମଧ୍ୟରୁ ପା଼ଞ୍ଚ ଶହ ହେଉଛନ୍ତି ଏହି ରାଜ୍ୟର। ସେହିପରି ଆନ୍ଦୋଳନରେ ସାମିଲ ହୋଇଥିବା ଏହି ରାଜ୍ୟର କିଛି କୃଷକ ସଂଗଠନ ମଧ୍ୟ ଚାଷୀମାନଙ୍କ ସ୍ବାର୍ଥ ସାଧନ ନିମନ୍ତେ ରାଜନୈତିକ ମଞ୍ଚ ଗଠନ କରି ଏହି ନିର୍ବାଚନ ଲଢୁଛନ୍ତି। ସବୁ ଥର ପରି ଏଥର ମଧ୍ୟ ବିଜେପି ପଞ୍ଜାବରେ ହିନ୍ଦୁତ୍ବ କାର୍ଡ ନ ଖେଳି ଜାତୀୟତା କାର୍ଡ ଖେଳିବାକୁ ପସନ୍ଦ କରିଛି। ମାତ୍ର ତାହା ସେଭଳି କାମ କଲା ଭଳି ଜଣାପଡୁନାହିଁ। ଚଳିତ ଥର ପଞ୍ଜାବ ନିର୍ବାଚନ ଜାତୀୟ ସୁରକ୍ଷା ପ୍ରସଙ୍ଗଭିତ୍ତିକ ନ ହୋଇ ଚାଷୀ ପ୍ରସଙ୍ଗଭିତ୍ତିକ ହୋଇଛି। ସେହି କାରଣରୁ ଶିରୋମଣି ଅକାଳୀ ଦଳ ଦୀର୍ଘ ଦୁଇ ଦଶନ୍ଧିର ସମ୍ପର୍କ ତୁଟାଇ ବିଜେପି ଠାରୁ ଅଲଗା ହୋଇଯାଇଛି। ଫଳରେ ଗ୍ରାମାଞ୍ଚଳରେ ବିଜେପି ପ୍ରତି ସମର୍ଥନ ସଂକୁଚିତ ହୋଇଯାଇଛି।
[email protected]