ଯେତେବେଳେ ଶ୍ରୀଲଙ୍କା ଅତି ଗୁରୁତର ଆର୍ଥିକ ପରିସ୍ଥିତି ଯଥା ଖାଦ୍ୟ, ତୈଳ (ପେଟ୍ରୋଲ, ଡିଜେଲ), ଔଷଧ ଆଦିର ଉତ୍କଟ ଅଭାବ ମଧ୍ୟରେ ଗତି କରୁଛି, ସେତେବେଳେ ଦେଶରେ ଗତ ମାସାଧିକ କାଳ ଧରି ଅତି ବ୍ୟାପକ ପ୍ରତିବାଦ ଚାଲିଛି। ଏପରି କି ଏହି ପ୍ରତିବାଦରେ କେବଳ ଶ୍ରୀଲଙ୍କାର ବିରୋଧୀ ଦଳ ନୁହନ୍ତି, ସେଠାକାର ବୌଦ୍ଧ ଭିକ୍ଷୁ, ତାମିଲ ନାଗରିକ, ବ୍ୟବସାୟୀ ଗୋଷ୍ଠୀ ଏବଂ ଅର୍ଜୁନ ରଣତୁଙ୍ଗ ତଥା ସନତ୍ ଜୟସୂର୍ଯ୍ୟାଙ୍କ ପରି ବିଖ୍ୟାତ କ୍ରିକେଟ୍ ଖେଳାଳି ଅଛନ୍ତି। ଗତ ୨୫ ବର୍ଷ ଧରି ତାମିଲ ଓ ବୌଦ୍ଧମାନଙ୍କ ଭିତରେ ଯେଉଁ ଗୃହଯୁଦ୍ଧ ଚାଲିଥିଲା ବର୍ତ୍ତମାନର ଆର୍ଥିକ ସଙ୍କଟ ଏହି ସବୁ ବିରୋଧୀମାନଙ୍କୁ ଏକଜୁଟ କରିଦେଇଛି। ପ୍ରତିବାଦକାରୀମାନେ ଦାବି କରୁଛନ୍ତି ଯେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଗେ ଇସ୍ତଫା ଦିଅନ୍ତୁ। ଗୋଟାବାୟା ରାଜପକ୍ଷେଙ୍କ ସାନଭାଇ ମହିନ୍ଦ ରାଜପକ୍ଷେ ସେଠାରେ ଏବେ ପ୍ରଧାନମନ୍ତ୍ରୀ ଅଛନ୍ତି, ଯିଏ ଅତୀତରେ ଦେଶର ଦୁଇ ଦୁଇ ଥର ରାଷ୍ଟ୍ରପତି ଥିଲେ ଓ ତାଙ୍କ ବେଳେ ତାମିଲ ଉଗ୍ରବାଦୀ ଏଲ୍.ଟି.ଟି.ଇ. ଗୋଷ୍ଠୀ ପକ୍ଷରୁ ଦେଶେର ବିଚ୍ଛିନ୍ନତାବାଦୀ ଆତଙ୍କରାଜ ଚାଲିଥିଲା। ଏଲ୍.ଟି.ଟି.ଇ. ନେତା ପ୍ରଭାକରନଙ୍କ ନେତୃତ୍ୱରେ ସେତେବେଳେ ଏହି ହିଂସ୍ର ଗୃହଯୁଦ୍ଧ ଚାଲିଥିଲା। ମହିନ୍ଦ ରାଜପକ୍ଷେଙ୍କ ବେଳେ ଶ୍ରୀଲଙ୍କାର ସେନା ସେହି ତାମିଲ ଉଗ୍ରବାଦୀମାନଙ୍କୁ ଦମନ କରିଥିଲେ ତଥା ସେମାନେ ପରାସ୍ତ ହେବା ପରେ ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା। ଏଲ୍.ଟି.ଟି.ଇ. ବିଚ୍ଛିନ୍ନତାବାଦୀମାନଙ୍କୁ ଦମନ କରୁଥିବାରୁ ସେତେବେଳେ ମହିନ୍ଦ ରାଜପକ୍ଷେ ଅତି ଲୋକପ୍ରିୟ ହୋଇଉଠିଥିଲେ। ଏବେ କିନ୍ତୁ ଦେଶରେ ଗୁରୁତର ଆର୍ଥିକ ସଙ୍କଟ ଯୋଗୁଁ ସେ ଆଉ ଲୋକପ୍ରିୟ ହୋଇ ରହିନାହାନ୍ତି। ବରଂ ତାଙ୍କ ପରିବାରର ଛଅ ଜଣ ବ୍ୟକ୍ତି ମନ୍ତ୍ରୀମଣ୍ଡଳରେ ଥିବାରୁ ଦେଶବାସୀଙ୍କ ଧାରଣା ହୋଇଛି ଯେ, ଗୋଟିଏ ପରିବାର ସାରା ଦେଶର ସମ୍ପଦକୁ ଲୁଟି ନେଇଛନ୍ତି। ତେଣୁ କ୍ଷମତାରୁ ଏହି ପରିବାର ଯାଉ ବୋଲି ପ୍ରତିବାଦକାରୀମାନଙ୍କର ଦୃଢ଼ ଦାବି। ସେମାନେ ଦାବି କରୁଛନ୍ତି ଯେ, ଦେଶର ସମ୍ବିଧାନ ମାଧ୍ୟମରେ ରାଷ୍ଟ୍ରପତିଙ୍କ ହାତରେ ଯେଉଁ ଅସାଧାରଣ କ୍ଷମତାମାନ ନ୍ୟସ୍ତ କରାଯାଇଛି, ସମ୍ବିଧାନ ସଂଶୋଧନ ଦ୍ୱାରା ସେଗୁଡ଼ିକୁ ହଟାଇ ଦିଆଯାଉ। ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କର ଯେଉଁ ସ୍ୱତନ୍ତ୍ର କ୍ଷମତାମାନ ରହିଛି, ସେଗୁଡ଼ିକ ହେଲେ ୫ ବର୍ଷ ପାଇଁ ସାଂସଦମାନେ ଜିତିଥିଲେ ମଧ୍ୟ ସଂସଦକୁ ମଝିରେ ଭାଙ୍ଗି ନୂଆ ନିର୍ବାଚନ କରାଇବା। ସରକାରୀ ଅଫିସର ଓ ବିଚାରପତିମାନଙ୍କୁ ନିଯୁକ୍ତି ଦେବା ଓ ଦରକାର ପଡ଼ିଲେ ସେମାନଙ୍କୁ ପଦରୁ ବହିଷ୍କାର କରିବା। ବିରୋଧୀ ପକ୍ଷ ମହାଭିଯୋଗ (ଇମ୍ପିଚ୍ମେଣ୍ଟ୍) ପଦ୍ଧତିରେ ଗୋଟାବାୟାଙ୍କୁ ବହିଷ୍କାର କରିବା ଚାହାନ୍ତି। ତେବେ ରାଷ୍ଟ୍ରପତି ଇସ୍ତଫା ଦେବାକୁ ଅନିଚ୍ଛୁକ। ବିରୋଧୀ ଦଳମାନଙ୍କୁ ମିଶାଇ ଏକ ମିଳିତ ସରକାର ଗଢ଼ି ସେ ଦେଶର ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ସେ ଚାହାନ୍ତି। କିନ୍ତୁ ଯେ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଅସାଧାରଣ କ୍ଷମତାଗୁଡ଼ିକୁ ନ ହଟାଯାଇଛି ସେ ପର୍ଯ୍ୟନ୍ତ ବିରୋଧୀ ଦଳମାନେ ସରକାରଙ୍କୁ ସହଯୋଗ କରିବାକୁ ରାଜି ନୁହନ୍ତି। ଏଥିପାଇଁ ଶେଷକୁ ବାଧ୍ୟ ହୋଇ ରାଷ୍ଟ୍ରପତି ଗୋଟାବାୟା ତାଙ୍କର ୨ଜଣ ଭାଇ ଓ ଜଣେ ପୁତୁରାକୁ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି।
ମୁଖ୍ୟତଃ ରାଷ୍ଟ୍ରପତି ଗୋଟାବାୟାଙ୍କ ସହ ମିଶି ସରକାର ନ ଗଢ଼ିବା ପାଇଁ ବିରୋଧୀ ଦଳମାନଙ୍କର ଯୁକ୍ତି ସମ୍ପର୍କରେ ସେଠାକାର ବିରୋଧୀମାନେ କହନ୍ତି ଯେ, ଇତିହାସରେ ଏମିତି ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସଙ୍କଟ କେବେ ସୃଷ୍ଟି ହୋଇନଥିଲା। ସେମାନଙ୍କର ଆପତ୍ତି ହେଲା, ୨୦୧୯ରେ ସେଠାରେ ସଂସଦୀୟ ନିର୍ବାଚନ ହେଲା। ତା’ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଏହି ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଏକପ୍ରକାର ଏକ ତୃତୀୟାଂଶ ଟିକସ କାଟ କରିଦେଲେ। ଏହା ଫଳରେ ବିଶ୍ୱର ଆର୍ଥିକ ମାନକ ନିର୍ଦ୍ଧାରଣକାରୀ ସଂସ୍ଥାମାନେ ଶ୍ରୀଲଙ୍କାର ଆର୍ଥିକ ମାନକକୁ ‘ସ୍ଥିର’ରୁ ‘ନେତିବାଚକ’କୁ ନେଇଆସିଲେ। କିନ୍ତୁ ସରକାର ଏହି ମର୍ଯ୍ୟାଦା ହାନିକୁ ଖାତିର ନ କରି ଟଙ୍କା ଛପାଇବା ଆରମ୍ଭ କଲେ। ଏହା ପରେ ଦେଶର ଆର୍ଥିକ ମାନ୍ୟତାକୁ ଆହୁରି କମାଇ ଦିଆଗଲା ଯାହାକୁ ସରକାର ଆଦୌ ଖାତିର କଲେ ନାହିଁ। ଦେଶର ଆର୍ଥିକ ମାନ୍ୟତା କମିଲେ ବିଦେଶୀ ଋଣ ସାଧାରଣତଃ ମିଳିବା କଷ୍ଟକର ହୋଇଯାଏ ଓ ମିଳିଲେ ମଧ୍ୟ ଚଢ଼ା ସୁଧରେ ମିଳିଥାଏ। ଆବଶ୍ୟକତା ଠାରୁ ଅଧିକ ମୁଦ୍ରା ଛପାଗଲେ ମୁଦ୍ରାସ୍ଫୀତି ଘଟିଥାଏ ଓ ସେଥିପାଇଁ ଦରଦାମ୍ ବୃଦ୍ଧି ଘଟେ। ସେତେବେଳେ କୋଭିଡ୍ ମହାମାରୀ ବ୍ୟାପକ ଭାବେ ବିସ୍ତାର ଲାଭ କରିଥାଏ। ସେତେବେଳେ ମୁଦ୍ରାସ୍ଫୀତି ଘଟିଲା ଓ ଡଲାର୍ ତୁଳନାରେ ଶ୍ରୀଲଙ୍କା ଟଙ୍କାର ଅବମୂଲ୍ୟାୟନ ହେବା ଆରମ୍ଭ ହେଲା। ସେତେବେଳେ ବିଶେଷଜ୍ଞମାନଙ୍କ ମତ ବିରୋଧରେ ଯାଇ ରାଷ୍ଟ୍ରପତି ବିଦେଶରୁ ରାସାୟନିକ ସାର ଆମଦାନି କରିବା ବନ୍ଦ କରିଦେଲେ। ଏହା ଫଳରେ ଚା’, ରପ୍ତାନିକାରୀ ଫସଲ, ଫଳ ଉତ୍ପାଦନ, ଖାଦ୍ୟାନ୍ନ, ଧାନ ଇତ୍ୟାଦିର ଉତ୍ପାଦନ ପ୍ରାୟ ୫୦% କମିଗଲା। ସେତେବେଳେ ଆନ୍ତର୍ଜାତିକ ମୁଦ୍ରାକୋଷ ଆଇ.ଏମ୍.ଏଫ୍. କିଛି ଋଣ ଦେଇ ଶ୍ରୀଲଙ୍କାର ଟଙ୍କାକୁ ଆମେରିକାର ଡଲାର୍ ବଦଳରେ ଟ.୨୩୦ରେ ରଖିବାକୁ ପରାମର୍ଶ ଦେଇଥିଲା। ସେତେବେଳେ ଆଇ.ଏମ୍.ଏଫ୍. କହିଥିଲା ଯେ, ଶ୍ରୀଲଙ୍କାର ଟଙ୍କା ଶେଷବେଳକୁ ଏହି ସ୍ତରକୁ ଆସିବ। କିନ୍ତୁ ଶ୍ରୀଲଙ୍କା ସରକାର ସେହି ପରାମର୍ଶ ନ ମାନିବାରୁ ଏହା ଆହୁରି ତଳକୁ ଖସି ଏବେ ୩୩୦ ଟଙ୍କା ଧରିଲାଣି। ଏଣୁ ସରକାର ଅତି ଦାୟିତ୍ୱହୀନ ବ୍ୟବହାର କରିଛନ୍ତି। ବିରୋଧୀମାନେ ସେଠାରେ କହୁଛନ୍ତି ଯେ, ଦେଶକୁ କିପରି ଚଳାଇବା ଉଚିତ ନୁହେଁ, ଏହା ହେଉଛି ତାହାର ଏକ ଦୃଷ୍ଟାନ୍ତ। ସେତେବେଳେ ଶ୍ରୀଲଙ୍କା ସରକାରଙ୍କୁ ଅନେକ ଅର୍ଥ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ ଆଇ.ଏମ୍.ଏଫ୍. ପାଖକୁ ଯାଇ ଏହି ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ। କିନ୍ତୁ ସେତେବେଳେ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ୍ ଗଭର୍ଣ୍ଣର ଅଜିତ ନିର୍ବାଡ କାକ୍ରାଲ ଓ ଅର୍ଥମନ୍ତ୍ରୀ ଥିବା ଗୋଟାବାୟା ରାଜପକ୍ଷେଙ୍କ ଭାଇ ବାସିଲ ରାଜପକ୍ଷେ ଭାବିଥିଲେ ଯେ, ସେମାନଙ୍କ ପାଖରେ ଏହି ଆର୍ଥିକ ସମସ୍ୟାର ସମାଧାନ ପାଇଁ ଦେଶୀୟ ରାସ୍ତା ଅଛି। କେବଳ ବଜାରକୁ କିଛି ଟଙ୍କା ଛାପି ଛାଡ଼ିଦେଲେ ସବୁ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ। କିନ୍ତୁ ଅସଲ କଥା ହେଲା ଦେଶ ନିକଟରେ ଟଙ୍କା ତୁଳନାରେ ଆବଶ୍ୟକୀୟ ସମ୍ପତ୍ତି ନ ଥିଲା।
ତେବେ ବର୍ତ୍ତମାନ ଅବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀଲଙ୍କା ସରକାର କେନ୍ଦ୍ରୀୟ ବ୍ୟାଙ୍କ୍ର ଗଭର୍ଣ୍ଣର ରୂପେ ଜଣେ ଅର୍ଥନୀତିଜ୍ଞ ପି. ନନ୍ଦଲାଲ ବୀରସିଂଘେଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ନନ୍ଦଲାଲ ବୀରସିଂଘେ ତାଙ୍କର ପ୍ରଥମ ପଦକ୍ଷେପ ସ୍ୱରୂପ ସେ ସୁଧହାରକୁ ୭% ବଢ଼ାଇ ଦେଇଛନ୍ତି ଯେମିତି ବଜାରକୁ ଆଉ ଅଧିକ ଅର୍ଥ ଆସିବ ନାହିଁ। ଋଣ ନେବାକୁ ବେଶି ଲୋକ ରାଜି ହେବେ ନାହିଁ। ତାହା ହେଲେ ବଜାରରୁ ମୁଦ୍ରାସ୍ଫୀତି ଆପେ ଆପେ କିଛି କିଛି କମିବା ଆରମ୍ଭ କରିବ। ଏକ ଗଠିତ ହୋଇଥିବା ୩ ଜଣିଆ ପରାମର୍ଶଦାତା କମିଟି ଏବେ ଏହି ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ କଥାବାର୍ତ୍ତା କରିବା ଆରମ୍ଭ କରିଛନ୍ତି। ଋଣକୁ କେମିତି ପରିଚାଳନା କରାଯିବ, ଶୁଝାଯିବ; ସେଥିପାଇଁ ରାଷ୍ଟ୍ରପତିଙ୍କୁ ସେମାନେ ପରାମର୍ଶ ଦେବେ। ଯେଉଁମାନଙ୍କୁ ନେଇ ଏହି ପରାମର୍ଶଦାତା କମିଟି ଗଠିତ ହୋଇଛି ସେଥିରେ ଅଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ୍ର ପୂର୍ବତନ ଗଭର୍ଣ୍ଣର ଇନ୍ଦ୍ରଜିତ କୁମାରସ୍ୱାମୀ, ବିଶ୍ୱ ବ୍ୟାଙ୍କ୍ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ଶାନ୍ତା ଦେବରାଜନ୍ ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କାପାସିଟି ଡେଭଲପ୍ମେଣ୍ଟ (ଯୋଗ୍ୟତା ବୃଦ୍ଧିର ପ୍ରତିଷ୍ଠାନ)ର ନିର୍ଦ୍ଦେଶକ ଶର୍ମିଳି କୁରେ।
ଆହୁରି ମଧ୍ୟ ଏହି ଆର୍ଥିକ ସଙ୍କଟ ବେଳେ ଭାରତ ସେମାନଙ୍କୁ ଯେଉଁ ସାହାଯ୍ୟ ଦେଇଛି, ସେଥିପାଇଁ ଶ୍ରୀଲଙ୍କା ପକ୍ଷରୁ କୃତଜ୍ଞତା ପ୍ରକଟ କରାଯାଇଛି। ଶ୍ରୀଲଙ୍କାର ବିଶେଷଜ୍ଞ ଓ ବିରୋଧୀ ପକ୍ଷ କହନ୍ତି ଯେ, ଯେତେବେଳେ ସେମାନଙ୍କର ସବୁଠାରୁ ବେଶି ଆବଶ୍ୟକତା ଥିଲା ସେତେବେଳେ ଭାରତ ସେମାନଙ୍କୁ ସାହାଯ୍ୟ କରିଛି। ବିଶେଷକରି ଭାରତ ସେମାନଙ୍କୁ ଏସିଆନ କ୍ଲିଅରିଂ ୟୁନିୟନ୍ରେ ସାହାଯ୍ୟ କରିଛି। ଯେଉଁ ଦ୍ରବ୍ୟମାନଙ୍କୁ ବିଦେଶରୁ ଆମଦାନି କରାଯାଇଥାଏ ସେମାନଙ୍କର ଦେୟ ଏହି କ୍ଲିଅରିଂ ୟୁନିୟନ୍ ମାଧ୍ୟମରେ ଦିଆଯାଇଥାଏ। ଭାରତ-ଶ୍ରୀଲଙ୍କାର ଦେୟକୁ ଏହି କ୍ଲିଅରିଂ ୟୁନିୟନ୍ ଜରିଆରେ ଦେଇ ଦେବାରୁ ଶ୍ରୀଲଙ୍କା ଆଉ ଋଣ ଖିଲାପି ହେଲା ନାହିଁ। ନ ହେଲେ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଅନେକ ବଢ଼ିଯାଇଥାଆନ୍ତା। ଭାରତ ମଧ୍ୟ ୧୫୦ କୋଟି ଡଲାର୍ ଶ୍ରୀଲଙ୍କାକୁ ଋଣ ଦେଇଛି ଖାଦ୍ୟ, ତୈଳ ଓ ଔଷଧ ଆମଦାନି କରିବା ପାଇଁ। ତେବେ ଶ୍ରୀଲଙ୍କା ସରକାରଙ୍କର ବିରୋଧୀମାନେ କହୁଛନ୍ତି, ସେମାନେ କ୍ଷମତାକୁ ଆସିଲେ ଦେଶର ଅର୍ଥନୀତିକୁ ସ୍ଥିର କରିବେ। ସେମାନେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବେ। ସେମାନଙ୍କ ମୁଦ୍ରାର ଯେମିତି ଅବମୂଲ୍ୟାୟନ ହେବ ନାହିଁ ଅର୍ଥାତ୍ ଡଲାର୍ ବିନିମୟ ବେଳେ ସେମାନଙ୍କ ମୁଦ୍ରା ଆହୁରି ତଳକୁ ତଳକୁ ଖସି ନ ଯାଏ, ତାହା ମଧ୍ୟ ସେମାନେ ଦେଖିବେ। ଲୋକମାନଙ୍କୁ କେମିତି ଚାକିରି ମିଳିବ, ସେମାନେ ସେ କଥା ଦେଖିବେ। ସେମାନେ ପୁଣି ଟିକସ ହାରକୁ ତା’ର ପୂର୍ବ ସ୍ଥିତିକୁ ଫେରାଇ ଆଣିବେ। ବାଣିଜ୍ୟ ବ୍ୟବସାୟକୁ ସରକାରଙ୍କ ଅଜଗର ବନ୍ଧନରୁ ମୁକ୍ତ କରିବେ। ଜନସାଧାରଣଙ୍କୁ ସାମାଜିକ ସୁରକ୍ଷା ଦେବେ।
ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଅବସ୍ଥାରେ ଭାରତ ପୁଣି ଶ୍ରୀଲଙ୍କା ସହ ତା’ର ପୂର୍ବ ସମ୍ପର୍କ ବୃଦ୍ଧି କରିପାରିବ। ଏଲ୍.ଟି.ଟି.ଇ. ଆତଙ୍କବାଦ ବେଳେ ଭାରତ ନିରବ ରହିବାରୁ ସେତେବେଳେ ଚୀନ ତାହାର ସୁଯୋଗ ନେଇ ଶ୍ରୀଲଙ୍କା ସହିତ ଅଧିକ ସମ୍ପର୍କ ବଢ଼ାଇଲା। କାରଣ ଏଲ୍.ଟି.ଟି.ଇ. ଏକ ତାମିଲ ସଂଗଠନ ହୋଇଥିବାରୁ ତଥା ତାମିଲମାନେ ଶ୍ରୀଲଙ୍କାକୁ ବିଭାଜିତ କରି ସେମାନଙ୍କ ପାଇଁ ଏକ ‘ଇଲାମ’ ଅର୍ଥାତ୍ ଏକ ସ୍ବତନ୍ତ୍ର ଦେଶ ସୃଷ୍ଟି କରିବାର ଚେଷ୍ଟାକୁ ବୌଦ୍ଧ ସିଂହଳୀମାନେ ସ୍ୱାଭାବିକ ଭାବରେ ଗ୍ରହଣ କରୁନଥିଲେ। ଏହାଛଡ଼ା ତାମିଲମାନଙ୍କର ଏହି ବିଚ୍ଛିନ୍ନତାବାଦକୁ ଭାରତ ନିରବରେ ସମର୍ଥନ କରୁଥିଲା; କାରଣ ଭାରତର ତାମିଲମାନେ ଶ୍ରୀଲଙ୍କାର ତାମିଲମାନଙ୍କ ପ୍ରତି ଉଦାର ଥିଲେ। ଅବଶ୍ୟ ରାଜୀବ ଗାନ୍ଧୀଙ୍କ ବେଳେ ଭାରତୀୟ ଶାନ୍ତିବାହିନୀ ଶ୍ରୀଲଙ୍କା ଯାଇ ତାମିଲମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସେମାନଙ୍କ ସହ ଯୁଦ୍ଧ କରି ଅନେକ ସୈନ୍ୟ ଓ ଖୋଦ ରାଜୀବ ଗାନ୍ଧୀଙ୍କୁ ହରାଇଥିଲେ। ତେଣୁ ସେତେବେଳୁ ଭାରତ ସହ ଶ୍ରୀଲଙ୍କାର ସମ୍ପର୍କ ମଳିନ ପଡ଼ିଆସିଥିଲା। ଏହାର ସୁଯୋଗ ନେଇ ଚୀନ ଶ୍ରୀଲଙ୍କା ସହ ବନ୍ଧୁତା ସ୍ଥାପନ କରି ପାକିସ୍ତାନ ସହ ସେ ଦେଶକୁ ଏଲ୍.ଟି.ଟି.ଇ. ବିରୋଧରେ ଅସ୍ତ୍ରଶସ୍ତ୍ର ଓ ବିକାଶମୂଳକ କାର୍ଯ୍ୟ ପାଇଁ ବିପୁଳ ଅର୍ଥ ଋଣରେ ହେଉ ପଛେ ଯୋଗାଇ ଦେଇଥିଲା। ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରକୁ ନିର୍ମାଣ କରି ତାହାକୁ ନିଜର ନୌସେନା ଘାଟି ଭାବରେ ବ୍ୟବହାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ଏହା ଥିଲା ଭାରତର ପ୍ରତିରକ୍ଷା ପାଇଁ ଏକ ଘୋର ବିପଦର କାରଣ। ଶ୍ରୀଲଙ୍କାର ସେହି ଆର୍ଥିକ ଦୁରବସ୍ଥାକୁ ଦୂର କରି ଶ୍ରୀଲଙ୍କାକୁ ନିଜ ଆଡ଼କୁ ଟାଣିଆଣିବାର ସୁଯୋଗ ଏବେ ଭାରତ ପାଇଁ ଆସିଛି। ଶ୍ରୀଲଙ୍କା ସହ ନେପାଳ ପରି ଦେଶମାନଙ୍କୁ ପୁଣି ସମ୍ପର୍କର ଡୋରିରେ ବାନ୍ଧିବା ଭାରତର କାମ ଅଟେ।
ମୋ-୯୪୩୭୦୨୦୨୯୦