କରୋନାର ବିଭୀଷିକା ସମୟରେ କରୋନା ସହ ହେପାଟାଇଟିସ୍ ବା ଜଣ୍ଡିସ୍ର ସମ୍ପର୍କ ଦେଖିବାକୁ ମିଳୁଛି। ସେଥି ଲାଗି ହେପାଟାଇଟିସ୍ ବା କାମଳ (ଜଣ୍ଡିସ୍) ବିଷୟରେ ଅଧିକ ଜାଣିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଲିଭର ବା ଯକୃତ୍ ସଂକ୍ରମିତ ହେଲେ ଜଣ୍ଡିସ୍ ବା ହେପାଟାଇଟିସ୍ ହୋଇଥାଏ। ଏବଂ ସମସ୍ତେ ଜାଣିବା ଦରକାର ଯେ ‘ହେପାଟାଇଟିସ୍ ବି’ ଓ ‘ହେପାଟାଇଟିସ୍ ସି’ ଯକୃତ୍ କର୍କଟ ବା ଲିଭର କ୍ୟାନ୍ସରର ଏକ ମୁଖ୍ୟ କାରଣ। ଆମ ଦେଶରେ ସାଧାରଣଃ ଦୁଇରୁ ସାତ ପ୍ରତିଶତ ଲୋକ ‘ହେପାଟାଇଟିସ୍ ବି’ ଦ୍ବାରା ଆକ୍ରାନ୍ତ ହୁଅନ୍ତି। ଏସିଆ ଓ ଆଫ୍ରିକା ମହାଦେଶରେ ‘ହେପାଟାଇଟିସ୍ ବି’ ରୋଗୀଙ୍କ ଭିତରୁ ୮୦ ପ୍ରତିଶତ ଓ ଆମେରିକା ଏବଂ ଜାପାନ ଭଳି ଦେଶରେ ‘ହେପାଟାଇଟିସ୍ ସି’ ରୋଗୀଙ୍କ ୭୫ ପ୍ରତିଶତ ଲିଭର କ୍ୟାନ୍ସର ଦ୍ବାରା ଆକ୍ରାନ୍ତ ହୁଅନ୍ତି। ପ୍ରତି ବର୍ଷ ସମଗ୍ର ପୃଥିବୀରେ ପ୍ରାୟ ଛଅ ଲକ୍ଷ ବ୍ୟକ୍ତି ଲିଭର କ୍ୟାନ୍ସର ଯୋଗୁଁ ମୃତ୍ୟୁବରଣ କରିଥାନ୍ତି। ସମଗ୍ର ପୃଥିବୀରେ ଏହି କ୍ୟାନ୍ସରର ସ୍ଥାନ ଷଷ୍ଠରେ ରହିଛି। ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଂଖ୍ୟାରେ ଏହି ରୋଗର ପ୍ରାଦୁର୍ଭାବ ଦ୍ବାରା ଶିକାର। ଫୁସ୍ଫୁସ୍ କ୍ୟାନ୍ସର ଓ ପେଟ କ୍ୟାନ୍ସର ପରେ ଲିଭର କ୍ୟାନ୍ସର ଦ୍ବାରା ଅଧିକ ଲୋକଙ୍କ ପ୍ରାଣ ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୁତରାଂ, ଆମକୁ ‘ହେପାଟାଇଟିସ୍ ବି’ ଓ ‘ସି’ ଠାରୁ ଦୂରରେ ରହିବାକୁ ହେବ। ଯକୃତ୍ର ସ୍ବାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିବାକୁ ହେବ। ସାଧାରଣତଃ ସଂକ୍ରମିତ ରକ୍ତ, ସଂକ୍ରମିତ ସିରିଞ୍ଜ ଓ ଛୁଞ୍ଚି ମାଧ୍ୟମରେ ଅଥବା ଅସୁରକ୍ଷିତ ଯୌନ ସମ୍ପର୍କ ଜରିଆରେ ଜଣଙ୍କର ଶରୀରରୁ ଅନ୍ୟ ଜଣଙ୍କର ଶରୀରକୁ ଏହି ରୋଗର ଭୂତାଣୁ ପ୍ରବେଶ କରିଥାଏ। ସେମିତି ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରନ୍ତି ସେମାନେ ଲିଭର୍କୁ ନଷ୍ଟ କରିଦିଅନ୍ତି, କାରଣ ତଦ୍ଦ୍ବାରା ଲିଭର୍ ସିରୋସିସ୍ ଓ କ୍ୟାନ୍ସର ରୋଗ ସୃଷ୍ଟି ହୋଇଥାଏ। ଏବେ ଅନେକ ଲୋକଙ୍କୁ ‘ଫ୍ୟାଟି ଲିଭର୍’ ହେଉଛି। ତାହାର ଅର୍ଥ ଲିଭର୍ରେ ଅତ୍ୟଧିକ ଚର୍ବି ଜମିବା। ଏହା ଯକୃତର ସ୍ବାସ୍ଥ୍ୟକୁ ବିଗାଡ଼ି ଦେଇପାରେ, ଯହିଁରୁ ଜଟିଳ ରୋଗମାନ ହୋଇପାରେ। ସେମିତି ‘ହିମୋକ୍ରୋମାଟୋସିସ୍’ ହେଉଛି ଆଉ ଏକ ଅବସ୍ଥା ଯହିଁରେ ଲିଭର୍ରେ ଅତ୍ୟଧିକ ଲୌହ କଣା ଜମେ। ଏହା ମଧ୍ୟ ଯକୃତ କ୍ୟାନ୍ସରର କାରଣ ହୋଇପାରେ। ତେଣୁ, ମଦ୍ୟ ପାନ ଓ ଧୂମ ସେବନରୁ ଦୂରେଇ ରହିବା ଏକାନ୍ତ ଜରୁରୀ। ସେମିତି ଏବେ ଆମ ଜୀବନଶୈଳୀ ଏମିତି ହୋଇଛି ଯେ ମେଦ ବହୁଳତା ଓ ଡାଇବେଟିସ୍ ଆଦି ଏକ ସାଧାରଣ ରୋଗରେ ପରିଣତ ହେଲାଣି। କିନ୍ତୁ ଅସାବଧାନ ରହିଲେ ଏହି ସବୁ ରୋଗ ମଧ୍ୟ ଯକୃତକୁ ଆକ୍ରାନ୍ତ କରିପାରେ।
‘ହେପାଟାଇଟିସ୍ ବି’ ଭୂତାଣୁର ବାହକମାନେ ସାଧାରଣତଃ ନିରୋଗ ଓ ସୁସ୍ଥ ଜଣା ପଡ଼ନ୍ତି। ପିଲାମାନେ ଜନ୍ମ ସମୟରେ ସଂକ୍ରମିତ ମା’ଠାରୁ ଭୂତାଣୁର ଶିକାର ହୋଇଥାନ୍ତି, ଯାହାକୁ ସିଧା ସଂକ୍ରମଣ ବୋଲି କୁହାଯାଏ। ଆମ ଦେଶରେ ବର୍ତ୍ତମାନ ପାଖାପାଖି ପାଞ୍ଚକୋଟି ‘ହେପାଟାଇଟିସ୍ ବି’ ଭୂତାଣୁର ବାହକ ଅଛନ୍ତି। ଏମାନେ ନିରୋଗ ଓ ସୁସ୍ଥ ଜଣାପଡୁଥିଲେ ମଧ୍ୟ ୨୦ ବା ୨୫ ବର୍ଷ ପରେ ଏମାନେ ଯକୃତ ସିରୋସିସ୍ ଓ ଯକୃତ କର୍କଟରେ ଆକ୍ରାନ୍ତ ହୁଅନ୍ତି। ‘ହେପାଟାଇଟିସ୍ ବି’ ଏଡ୍ସ ଠାରୁ ଅଧିକ ସଂକ୍ରାମକ। ତେଣୁ ଏହିପରି ଏକ ମାରାତ୍ମକ ରୋଗର ନିରାକରଣ ଆମ୍ଭମାନଙ୍କ ସମ୍ମୁଖରେ ଏବେ ଏକ ବଡ଼ ଆହ୍ୱାନ ଭାବେ ଛିଡ଼ା ହୋଇଛି। ଟିକା ମାଧ୍ୟମରେ ‘ହେପାଟାଇଟିସ୍ ବି’ ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରାଯାଇ ପାରିବ। ରକ୍ତ ଭଣ୍ଡାରଗୁଡ଼ିକୁ ‘ହେପାଟାଇଟିସ୍ ବି’ ସଂକ୍ରମିତ ରକ୍ତରୁ ମୁକ୍ତ ରଖିବା ଦିଗରେ ଉଦ୍ୟମ କରାଯିବା ଜରୁରୀ। ସେମିତି ରକ୍ତ ଦିଆନିଆ ବେଳେ ବା ଇଂଜେକ୍ସନ ନେବା ସମୟରେ ଯେମିତି ସଂକ୍ରମିତ ଛୁଞ୍ଚିର ବ୍ୟବହାର କରା ନ ଯାଏ, ସେଥି ପ୍ରତି ସତର୍କ ଦୃଷ୍ଟି ରହିବା ଆବଶ୍ୟକ। ଏବେ ଅନେକ କରୋନା ଲକ୍ଷଣଧାରୀ ରୋଗୀ ପରୀକ୍ଷା କଲା ବେଳେ ଜଣ୍ଡିସ୍ ବା ହେପାଟାଇଟିସ୍ର ଶିକାର ହୋଇଥିବା କଥା ଜଣା ପଡୁଛି। ଏହାର କାରଣ ବୋଧହୁଏ କରୋନା ଭୂତାଣୁ ଲିଭରକୁ ମଧ୍ୟ ଆକ୍ରାନ୍ତ କରୁଛି। ଏହି ପରିପ୍ରେକ୍ଷୀରେ ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ ତାହା ହେଲା ଯକୃତର ସ୍ବାସ୍ଥ୍ୟକୁ ଭଲ ରଖିବା। ସେଥି ଲାଗି ସନ୍ତୁଳିତ ଆହାର ଖାଇବା ସହିତ ଜୀବନଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଦରକାର। ତା’ ସହିତ ମଦିରା ପାନ ବା ଧୂମ ପାନରୁ ଦୂରେଇ ରହିବା ଜରୁରୀ।
(ବିଶ୍ବ ହେପାଟାଇଟିସ୍ ଦିବସ ଉପଲକ୍ଷେ)
ବିଭାଗୀୟ ମୁଖ୍ୟ, ହେପାଟାଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭