ପୃଥିବୀର ପ୍ରାୟ ସର୍ବତ୍ର ଯେଉଁ କ୍ୟାଲେଣ୍ଡର୍ ଆନୁଷ୍ଠାନିକ ଭାବେ ବ୍ୟବହାର କରାଯାଇଥାଏ, ତାହା ହେଉଛି ଏକ ଖ୍ରୀଷ୍ଟିଆନ କ୍ୟାଲେଣ୍ଡର୍, ଯାହାର ନାମ ଗ୍ରେଗୋରିଆନ କ୍ୟାଲେଣ୍ଡର୍। ପୋପ୍ ଦ୍ବାଦଶ ଗ୍ରେଗୋରି ୧୫୮୭ ମସିହାରେ ଏହି କ୍ୟାଲେଣ୍ଡର୍୍ର ପ୍ରଚଳନ କରିଥିଲେ। ଏହା ପୂର୍ବରୁ ଜୁଲିଅନ୍ କ୍ୟାଲେଣ୍ଡର୍ ପ୍ରଚଳିତ ଥିଲା ଏବଂ ମୁଖ୍ୟତଃ ଖ୍ରୀଷ୍ଟଧର୍ମାବଲମ୍ବୀ ଦେଶଗୁଡ଼ିକ ଏହି କ୍ୟାଲେଣ୍ଡର୍୍ର ଅନୁସରଣ କରୁଥିଲେ। ତେବେ ଖ୍ରୀଷ୍ଟ ଧର୍ମର ପ୍ରସାର ଓ ୟୁରୋପୀୟମାନଙ୍କ ଦ୍ବାରା ଉପନିବେଶ ସ୍ଥାପନ କାରଣରୁ ବିଭିନ୍ନ ଦେଶରେ ଗ୍ରେଗୋରିଆନ୍ କ୍ୟାଲେଣ୍ଡର୍ ଅନୁସୃତ ହୋଇ ଏବେ ସରକାରୀ କାର୍ଯ୍ୟକଳାପ କ୍ଷେତ୍ରରେ ପ୍ରାୟ ସର୍ବତ୍ର ଏହା ଆନୁଷ୍ଠାନିକ ସ୍ବୀକୃତି ଲାଭ କରିଛି। ତେବେ ଗ୍ରେଗୋରିଆନ୍ କ୍ୟାଲେଣ୍ଡର୍କୁ କାଥୋଲିକ୍ ସଂପ୍ରଦାୟର ଲୋକେ ମୂଳରୁ ଗ୍ରହଣ କରି ନେଇଥିଲେ ସୁଦ୍ଧା ଅନେକ ବର୍ଷ ଯାଏ ପ୍ରୋଟେଷ୍ଟାଣ୍ଟମାନେ ତାକୁ ସ୍ବୀକାର କରୁ ନ ଥିଲେ। ଏପରିକି ୧୭୫୨ ମସିହା ପର୍ଯ୍ୟନ୍ତ ଇଂଲାଣ୍ଡ ଜାନୁଆରି ୧ ତାରିଖ (ଗ୍ରେଗୋରିଆନ୍ କ୍ୟାଲେଣ୍ଡର୍ ଅନୁସାରେ)କୁ ନୂତନ ବର୍ଷର ପ୍ରଥମ ଦିନ ଭାବେ ଗ୍ରହଣ ନ କରି ମାର୍ଚ୍ଚ ମାସ ୨୫ ତାରିଖକୁ ନୂଆ ବର୍ଷର ପ୍ରଥମ ଦିନ ବୋଲି ବିଚାର କରୁଥିଲା। ପୂର୍ବ-ୟୁରୋପର ଅନେକ ରକ୍ଷଣଶୀଳ ଚର୍ଚ୍ଚ ଏ ଯାବତ୍ ଗ୍ରେଗୋରିଆନ୍ କ୍ୟାଲେଣ୍ଡର୍ର ଅନୁସରଣ ନ କରି ଜୁଲିଆନ୍ କ୍ୟାଲେଣ୍ଡର୍ ଅନୁସାରେ ଜାନୁଆରି ୧୪ ତାରିଖକୁ ନୂଆ ବର୍ଷର ପ୍ରଥମ ଦିନ ବୋଲି ବିଚାର କରନ୍ତି।
ଉଲ୍ଲେଖନୀୟ ଯେ ସାମାଜିକ ଓ ସାଂସ୍କୃତିକ ବିଚାରରେ ପୃଥିବୀର ବିଭିନ୍ନ ଜାତି, ଧର୍ମ, ସଂପ୍ରଦାୟ ଓ ଗୋଷ୍ଠୀର ଲୋକେ ପାରଂପରିକ ଏପରିକି ପ୍ରାଚୀନ ପାଞ୍ଜି ହିସାବ ଓ କ୍ୟାଲେଣ୍ଡର୍ ଅନୁସରଣ କରି ତିଥି ଅନୁସାରେ ଭିନ୍ନ ଭିନ୍ନ ମାସ ଓ ତାରିଖରେ ନୂଆ ବର୍ଷକୁ ଆରମ୍ଭ କରନ୍ତି। ସେହି ଅନୁସାରେ ହିନ୍ଦୁମାନେ ଭିନ୍ନ ଭିନ୍ନ ଅବ୍ଦ ଅନୁସାରେ ପାରଂପରିକ ଭାବେ ବର୍ଷ ବିଚାର କରନ୍ତି। ଭାରତର କେତେକ ଅଞ୍ଚଳରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଅର୍ଥାତ୍ ବୈଶାଖ ମାସର ଆରମ୍ଭ ରୂପେ ଦେଖନ୍ତି। ଏହା ପ୍ରାୟତଃ ଏପ୍ରିଲ୍ ମାସର ମଧ୍ୟ ଭାଗରେ ପଡ଼ିଥାଏ। ତେବେ, ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଭଳି ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକରେ ଚନ୍ଦ୍ରକୁ ଆଧାର କରି ନୂଆ ବର୍ଷର ବିଚାର କରାଯାଇଥାଏ, ଯାହା ଅନୁସାରେ ଚୈତ୍ର ପ୍ରତିପଦା ହେଉଛି ବର୍ଷର ପ୍ରଥମ ଦିନ। ଗୁଜରାଟ ଓ ରାଜସ୍ଥାନରେ ଲୋକେ ଦୀପାବଳି ଠାରୁ ନୂତନ ବର୍ଷର ପ୍ରାରମ୍ଭ କରନ୍ତି। କେବଳ ସେତିକି ନୁହେଁ, ଭାରତୀୟ ଜନଜାତିମାନେ ମଧ୍ୟ ଭିନ୍ନ ଭିନ୍ନ ଦିନରେ ସେମାନଙ୍କ ବର୍ଷର ପ୍ରାରମ୍ଭ କରନ୍ତି।
ଇସଲାମ ପାଞ୍ଜିରେ ମହରମ ହେଉଛି ବର୍ଷର ପ୍ରଥମ ମାସ। ସେହି ମାସରେ ହିଜିର ନିର୍ଦ୍ଧାରିତ ହୋଇଥାଏ। ଇହୁଦୀମାନେ ସେମାନଙ୍କ ବର୍ଷର ପ୍ରଥମ ଦିନକୁ ‘ରୋଶହାସନା’ ବୋଲି କହନ୍ତି। ଏହା ପ୍ରାୟତଃ ସେପ୍ଟେମ୍ବର ବା ଅକ୍ଟୋବର ମାସରେ ପଡ଼ିଥାଏ। ଚୀନର ପାରଂପରିକ ପାଞ୍ଜି ଗଣନା ଓ କ୍ୟାଲେଣ୍ଡର୍ ଅନୁସାରେ ସେମାନଙ୍କ ନୂଅା ବର୍ଷ ଜାନୁଆରି ୨୧ରୁ ଫେବ୍ରୁଆରି ୨୦ ତାରିଖ ମଧ୍ୟରେ ପଡ଼ିଥାଏ। ଚୀନୀୟ କ୍ୟାଲେଣ୍ଡର୍ରେ ମଧ୍ୟ ବର୍ଷକୁ ବାର ମାସ; କିନ୍ତୁ ପ୍ରତି ମାସର ନାମକରଣ ଗୋଟିଏ ଗୋଟିଏ ପଶୁଙ୍କ ଅନୁସାରେ ହୋଇଥାଏ। ପାର୍ସୀମାନଙ୍କ ନବବର୍ଷକୁ ‘ନଭରୋଜ’ ବୋଲି କୁହାଯାଏ। ଆଜିର ଇରାନ ପୂର୍ବରୁ ପାରସ୍ୟ ନାମରେ ପରିଚିତ ଥିଲା। ସେଠାରେ ଇସଲାମ ଧର୍ମ ବ୍ୟାପିବା ପରେ ଅନେକ ପାର୍ସୀ ସେଠାରୁ ପଳାୟନ କରିଥିଲେ, ଯହିଁରୁ ଏକ ଅଂଶ ଭାରତରେ ଆଶ୍ରୟ ପାଇ ବସବାସ କରିଥିଲେ। ଆଜି ସେମାନେ ଭାରତର ଏକ କ୍ଷୁଦ୍ର ସଂପ୍ରଦାୟ ହୋଇଥିଲେ ମଧ୍ୟ ସର୍ବାଧିକ ପ୍ରଭାବଶାଳୀ ବର୍ଗ। ଏହା ସୁବିଦିତ ଯେ ଭାରତର ବିକାଶରେ ଏହି ଉଦ୍ୟୋଗୀ ଓ ଉଦ୍ୟମୀ ଜାତିର ଅବଦାନ ସର୍ବାଧିକ। ଇରାନରେ ପାର୍ସୀମାନଙ୍କ ସାଂସ୍କୃତିକ ମୂଳ ଆଜି ସୁଦ୍ଧା ବିଦ୍ୟମାନ, ଯେଉଁ କାରଣରୁ ସେଠାରେ ମଧ୍ୟ ଅନେକ ଲୋକ ‘ନଭରୋଜ’କୁ ସେମାନଙ୍କ ବର୍ଷର ପ୍ରଥମ ଦିନ ଭାବେ ପାଳନ କରନ୍ତି। ସାଧାରଣତଃ ମାର୍ଚ୍ଚ ମାସର ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ‘ନଭରୋଜ’ ପାଳନ କରାଯାଇଥାଏ।
ଥାଇଲାଣ୍ଡରେ ପାରଂପରିକ ଭାବେ ବର୍ଷର ଆରମ୍ଭ ହୋଇଥାଏ ଏପ୍ରିଲ୍ ମାସର ମଧ୍ୟ ଭାଗରେ। ଏହି ଉତ୍ସବର ନାମ ସୋଙ୍ଗକ୍ରାନ। ଶ୍ରୀଲଙ୍କାରେ ବର୍ଷର ପ୍ରଥମ ଦିନର ନାମ ‘ଆଲୁଥ ଆଭୂରୁତା’ ଏହା ସାଧାରଣତଃ ଏପ୍ରିଲ୍ ୧୩ ଓ ୧୪ ତାରିଖରେ ପାଳିତ ହୋଇଥାଏ। କାମ୍ବୋଡିଆରେ ବର୍ଷର ପ୍ରଥମ ଦିନଟିକୁ ‘ଚୋଲଚାମ ସେଲ’ ବୋଲି କୁହାଯାଏ, ଯାହା ଏପ୍ରିଲ ୧୩ ଓ ୧୪ ତାରିଖରେ ପଡ଼ିଥାଏ। ନ୍ୟୁଜିଲାଣ୍ଡର ମାଓରି ଜନଜାତି ସଂପ୍ରଦାୟ ପକ୍ଷରୁ ବର୍ଷାଋତୁ ସମାପ୍ତ ହେବା ପରେ ସେପ୍ଟେମ୍ବର ୧୧ ତାରିଖକୁ ବର୍ଷର ସର୍ବପ୍ରଥମ ଦିନ ଭାବେ ଗଣନା କରାଯାଏ। ସେମାନେ ଏହି ଦିବସକୁ ‘ମଟାରିକା’ େବାଲି କହନ୍ତି। କେବଳ ସେମାନେ ନୁହନ୍ତି ଅଷ୍ଟ୍ରେଲିଆରେ ବାସ କରୁଥିବା କେତେକ ଜନଜାତି ନିଜ ନିଜ ହିସାବରେ ବର୍ଷ ବିଚାର କରନ୍ତି।
ତେବେ, ଅନେକ ଦେଶରେ ଗ୍ରେଗୋରିଆନ୍ ନୂଆ ବର୍ଷ ପାଳନ ଭଳି ଉତ୍ସାହ ସେମାନଙ୍କ ପାରଂପରିକ ନୂଆ ବର୍ଷ ପାଳନରେ ଦେଖାଯାଏ ନାହିଁ। କେହି ପ୍ରଶ୍ନ କରନ୍ତି ନାହିଁ ଯେ କେବଳ ପହିଲା ଜାନୁଆରି କାହିଁକି? ସୁତରାଂ, ପହିଲା ଜାନୁଆରି ପାଳନର ଉତ୍ସାହର ସୁନାମି ଦ୍ବାରା ଯଦି ଅନେକ ପାରଂପରିକ ନବ ବର୍ଷ ଭବିଷ୍ୟତ୍ରେ ସେମାନଙ୍କ ସତ୍ତା ହରାଇ ବସନ୍ତି, ତେବେ ବିସ୍ମିତ ହେବାର କାରଣ ନାହିଁ।
ମୋ: ୯୯୩୭୮୬୩୫୨୮
କେବଳ ପହିଲା ଜାନୁଆରି କାହିଁକି?
ମିହିର ପ୍ରତାପ ଦାସ
/sambad/media/post_attachments/wp-content/uploads/2024/05/fshhffhfhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)