ନୂଆଦିଲ୍ଲୀରେ ଜି-୨୦ ସମ୍ମେଳନ ଅନୁଷ୍ଠିତ ହେବାଠାରୁ କାନାଡ଼ାରେ ସ୍ଥାନୀୟ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକୁ ନେଇ ଭାରତ-କାନାଡ଼ା ମଧ୍ୟରେ ଏକ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଏହା ଘଟିବ ବୋଲି ପୂର୍ବରୁ କେହି ଆଶଙ୍କା କରିନଥିଲେ। କାରଣ କାନାଡ଼ା ହେଉଛି ଆମେରିକାର ଏକ ପଡ଼ୋଶୀ ତଥା ଘନିଷ୍ଠ ରାଷ୍ଟ୍ର। କାନାଡ଼ା ହେଉଛି ଜି-୭ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ଯାହାର ନେତୃତ୍ୱ ଆମେରିକା ନେଇଛି। ଅଥଚ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି ଯେ, କାନାଡ଼ାର ଜଣେ ନାଗରିକ ହରଦୀପ ସିଂହ ନିଜ୍ଜର ଯେ କି ସେଠାରେ ଖଲିସ୍ତାନର ପ୍ରଚାର କରୁଛନ୍ତି, ତାଙ୍କୁ ଭାରତର ଏଜେଣ୍ଟମାନେ କାନାଡ଼ାରେ ଗୁଳି କରି ହତ୍ୟା କରିଛନ୍ତି। ଗତ ଜି-୨୦ ନୂଆଦିଲ୍ଲୀ ସମ୍ମେଳନ ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଗୋଟିଏ ପାଖକୁ ଡାକି ନେଇ କାନାଡ଼ାରେ ଖଲିସ୍ତାନ ଆତଙ୍କବାଦୀମାନେ ଭାରତ ବିରୋଧୀ ଆନ୍ଦୋଳନ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। କିଛି ମାସ ହେଲା ଖଲିସ୍ତାନୀ ଆତଙ୍କବାଦୀମାନେ ୟୁକେର ଲଣ୍ଡନ, ଆମେରିକାର ସାନ୍‌ ଫ୍ରାନସିସ୍‌କୋ ଆଦି ସହରମାନଙ୍କରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରି ସେଠାରେ ତ୍ରିରଙ୍ଗା ପାତାକାକୁ ଚିରି ଖଲିସ୍ତାନୀ ପତାକା ଉଡ଼ାଇବା, କାନ୍ଥରେ ଖଲିସ୍ତାନୀ ସମର୍ଥନରେ ପୋଷ୍ଟର ମାରିବା, ଭାରତ ବିରୋଧରେ ସ୍ଲୋଗାନ୍ ଦେବା ଆଦି କାର୍ଯ୍ୟ କରୁଥିଲେ, ଯାହା ଭାରତ ପାଇଁ ଏକ ଅପମାନର କଥା ଥିଲା। ମୋଦୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଟ୍ରୁଡୋ କହିଥିଲେ ଯେ, କାନାଡ଼ାରେ ଭାରତର ଏଜେଣ୍ଟମାନେ କାନାଡ଼ାର ଜଣେ ନାଗରିକଙ୍କୁ ହତ୍ୟା କରିବା କଥା ତାଙ୍କ ଦେଶ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଏବେ ସମ୍ବାଦ ପ୍ରକାଶ ପାଇଛି ଯେ, ଏ ଧରଣର ହତ୍ୟା ସମ୍ବାଦ ସେ ତାଙ୍କ ଦେଶ ଓ ବନ୍ଧୁ ରାଷ୍ଟ୍ର ‘ଫାଇଭ୍ ଆଇଜ୍‌’ ପାଖରୁ ପାଇଛନ୍ତି। ‘ଫାଇଭ୍ ଆଇଜ୍’ ସଂଗଠନରେ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ କାନାଡ଼ା ପରି ଇଂରେଜୀ ଭାଷା କହୁଥିବା ଦେଶମାନେ ଅଛନ୍ତି। ଭାରତୀୟ କୂଟନୀତିଜ୍ଞମାନେ ନିଜ୍ଜରକୁ ହତ୍ୟା କରିବା ପାଇଁ ପରସ୍ପର ମଧ୍ୟରେ ଚିଠିପତ୍ର ଆଦାନପ୍ରଦାନ ବା କଥାବାର୍ତ୍ତା କରୁଥିଲେ ବୋଲି କାନାଡ଼ା ଓ ତା’ର ବନ୍ଧୁରାଷ୍ଟ୍ରମାନଙ୍କର ଗୁଇନ୍ଦାମାନେ କହିଛନ୍ତି ବୋଲି ଟ୍ରୁଡୋ କହୁଛନ୍ତି। ଭାରତ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରୁଛି।
ଏଠାରେ କିନ୍ତୁ ପ୍ରଶ୍ନ ଉଠୁଛି ଯେ, କାନାଡ଼ା ଓ ଏହାର ବନ୍ଧୁରାଷ୍ଟ୍ରମାନଙ୍କ ଗୁଇନ୍ଦା ଖବରମାନଙ୍କୁ କେତେ ବିଶ୍ୱାସକୁ ନିଆଯାଇପାରେ? ଉଦାହରଣ ସ୍ୱରୂପ, ୧୯୮୫ ଜୁନ୍‌ ୧ରେ କାନାଡ଼ାର ଟରଣ୍ଟୋରୁ ମଣ୍ଟ୍ରିଲ ଦେଇ ମୁମ୍ବାଇକୁ ଆସୁଥିବା ଏଆର ଇଣ୍ଡିଆର ବୋଇଂ ୭୪୭(ଏଆଇ-୧୮୨ ନମ୍ବର) ବିମାନ ଉଡୁଥିବା ବେଳେ ଆୟରଲାଣ୍ଡ୍‌ର ଉପକୂଳ ଅଞ୍ଚଳରେ ଆକାଶରେ ବିସ୍ଫୋରିତ ହୋଇଥିଲା ଓ ଏହି ‘ଏମ୍ପରର କନିଷ୍କ’ ବିମାନରେ ଥିବା ସମସ୍ତ ୩୨୯ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୩୧ ଜଣଙ୍କର ଶବ ମିଳିଥିଲା। ଅର୍ଥାତ୍‌ ପୃଥିବୀ ଇତିହାସରେ ଏହା ଏକ ଭୟାବହ ବିମାନ ଦୁର୍ଘଟଣା ଥିଲା। ଯାନ୍ତ୍ରିକ ତ୍ରୁଟି ବା ପାଗ ଖରାପ ଯୋଗୁଁ ଏହି ବିମାନ ଦୁର୍ଘଟଣା ଘଟିନଥିଲା। ଏହା ଭିତରେ ଖଲିସ୍ତାନୀ ଆତଙ୍କବାଦୀମାନେ ଖଂଜିଥିବା ଏକ ବୋମାର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ହୋଇଥିଲା। କାନାଡ଼ା କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା, ଗୁଇନ୍ଦା ବିଫଳତା ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏପରି ଘଟିଥିଲା। ଏହି ଦୁର୍ଘଟଣା ପୂର୍ବରୁ କାନାଡ଼ାରେ ପ୍ରଚାର ହୋଇଥିଲା ଯେ ସେଠାରେ ଥିବା ଖଲିସ୍ଥାନୀ ଆତଙ୍କବାଦୀମାନେ ଗୋଟିଏ ବଡ଼ ଧରଣର ଦୁର୍ଘଟଣା ଭିଆଇବାକୁ ଚାହୁଁଛନ୍ତି। ସେହି ୧୯୮୫ ଜୁନ ୧ରେ ଭାରତର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ‘ଆଇବି’ ପକ୍ଷରୁ ଏଆର ଇଣ୍ଡିଆ ବିମାନ ସଂସ୍ଥା ଓ କାନାଡ଼ାର କର୍ତ୍ତୃପକ୍ଷଙ୍କୁ ଗୋଟିଏ ବାର୍ତ୍ତା ପଠାଯାଇଥିଲା, ଯେଉଁଥିରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା କଥା କୁହାଯାଇଥିଲା।
କାନାଡ଼ା ଗୁଇନ୍ଦା ସଂସ୍ଥାର ମୁଖ୍ୟ ଜେମ୍‌ସ ବର୍ଟ ଲମେନ ଏ ସମ୍ପର୍କରେ କାନାଡିଆନ୍‌ ମାଉଣ୍ଟେନ ପୁଲିସ (ଆରସିଏମ୍‌ପି)କୁ ଜଣାଇଥିଲେ ମଧ୍ୟ ସେମାନଙ୍କଠାରୁ କୌଣସି ସ୍ପଷ୍ଟ ଉତ୍ତର ପାଇନଥିଲେ। ଅତ୍ୟନ୍ତ ଗୋପନୀୟ ସୁରକ୍ଷା ପ୍ରତିଷ୍ଠାନ (ସିଏମ୍‌ଇ)ର ଦସ୍ତାବିଜ୍‌ରେ କୁହାଯାଇଥିଲା ଯେ, ଆତଙ୍କବାଦୀମାନେ ଏଆଇ ୧୮୨ ଏଆର ଇଣ୍ଡିଆ ବିମାନ ଉପରେ ଆକ୍ରମଣ କରିପାରନ୍ତି। ଅର୍ଥାତ୍‌ କାନାଡ଼ା ଗୁଇନ୍ଦା ସଂସ୍ଥା ଏହି ବିମାନ ଉପରେ ଆକ୍ରମଣ ହେବ ବୋଲି ନିର୍ଦ୍ଦିଷ୍ଟ ଭାବରେ ଜାଣିଥିଲେ। କିନ୍ତୁ କାନାଡ଼ା ପୁଲିସ ନିକଟରୁ ଉତ୍ତର ଆସିଲା ଯେ, ଏହାର ତଦନ୍ତ ଚାଲିଛି। କିନ୍ତୁ ଦେଖାଗଲା ଯେ, ସେ ଦିନ ସୁରକ୍ଷା ସଂସ୍ଥା ଢିଲା ଥିଲା। ବିମାନ ବନ୍ଦରରେ ଜିନିଷପତ୍ରକୁ ଶୁଂଘୁଥିବା କୁକୁରମାନେ ସେ ଦିନ ଆଦୌ ନଥିଲେ କାରଣ ଭଂକୋଭର ଠାରେ ତାଙ୍କର ତାଲିମ୍ ଚାଲିଥିଲା। ଟରଣ୍ଟୋର ପିଅରସନ ବିମାନ ବନ୍ଦରରେ ଏକ୍ସ-ରେ ମେସିନ୍‌ ଠିକ୍ ସେହି ଦିନ ଅଚଳ ହୋଇପଡ଼ିଥିଲା, ଅର୍ଥାତ୍‌ କାନାଡ଼ାରେ ସୁରକ୍ଷା ବାହିନୀ ଖଲିସ୍ତାନୀ ଆତଙ୍କବାଦୀମାନଙ୍କ ସହ ମିଶି ସବୁ ସୁରକ୍ଷା ବ୍ୟବସ୍ଥାକୁ ଅଚଳ କରିଦେଇଥିଲେ ଯେମିତି ବୋମାଟି ବିମାନ ମଧ୍ୟକୁ ଚାଲିଯିବ ଓ କିଛି ସମୟ ପରେ ଫୁଟିବ। ତାହା ଘଟିଥିଲେ ମଧ୍ୟ ଏହି ଦୁର୍ଘଟଣାର କିଛି ଦିନ ପୂର୍ବରୁ କାନାଡ଼ାର ଗୁଇନ୍ଦାମାନେ ଖଲିସ୍ତାନୀ ଆତଙ୍କବାଦୀ ତାଲୱିନ୍ଦର ସିଂହ ପରମାରର ପିଛା କରୁଥିଲେ, ଯିଏ ବାବ୍‌ବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ)ର ଜଣେ ନେତା। ପରବର୍ତ୍ତୀ କାଳରେ ଦେଖାଗଲା ଯେ, ଏହି ବ୍ୟକ୍ତି ହିଁ ଏଆଇ ୧୮୨ ଏଆର ଇଣ୍ଡିଆ ବିମାନ ବିସ୍ଫୋରଣର ମୁଖ୍ୟ ସୂତ୍ରଧର ଥିଲା। ଏହି ବ୍ୟକ୍ତି ଗୋଟିଏ ଜଙ୍ଗଲ ମଧ୍ୟରେ ଗୋଟିଏ ବୋମା ବିସ୍ଫୋରଣ କରିଥିଲା ଯାହାର ଶବ୍ଦ କାନାଡ଼ା ଗୁଇନ୍ଦା ବିଭାଗ ଶୁଣିଥିଲେ। ମନେ ହେଉଛି, ଏହି ଧରଣର ଆଉ ଏକ ବୋମା ବିସ୍ଫୋରଣ ଏଆଇ-୧୮୨ ବିମାନରେ ଘଟିଥିଲା। ତେବେ ଏହି ବିସ୍ଫୋରଣକୁ ଗୋଟିଏ ଗୁଳିର ଶବ୍ଦ ବୋଲି କାନାଡ଼ା ଗୁଇନ୍ଦାମାନେ ଧରିନେଇଥିଲେ।
ଏହି ବିମାନ ବିସ୍ଫୋରଣର ତଦନ୍ତ ପାଇଁ ତଦାନୀନ୍ତନ କାନାଡ଼ାର ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର ଗୋଟିଏ ତଦନ୍ତ କମିସନ ୨୦୦୬ରେ ଗଢ଼ିଥିଲେ ଯାହା ୨୦୧୦ରେ ତା’ର ରିପୋର୍ଟ ଦେଇଥିଲା। ଏହି କମିସନର ମୁଖ୍ୟ ଥିଲେ ସେଠାକାର ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜନ୍‌ ମେଜର। ଏହି ରିପୋର୍ଟରେ ବିମାନରେ ବୋମା ବିସ୍ଫୋରଣ ପାଇଁ କାନାଡ଼ାର ଗୁଇନ୍ଦା ବିଭାଗକୁ ଦୋଷାରୋପ କରାଯାଇଥିଲା। କାନାଡ଼ାର ଗୁଇନ୍ଦା ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ତ୍ରୁଟି କରିଛି ବୋଲି ସେଥିରେ କୁହାଯାଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ, କାନାଡ଼ାର ସୁରକ୍ଷା ସଂସ୍ଥା (ସିଏସ୍‌ଆଇଏସ୍‌) ଓ କାନାଡ଼ା ପୁଲିସ (ଆରସିଏସ୍‌ପି) ନିକଟରେ ଏ ଧରଣର ଆକ୍ରମଣ ହୋଇପାରେ ବୋଲି ସ୍ପଷ୍ଟ ସୂଚନା ଥିଲା। ଖଲିସ୍ତାନୀ ଆତଙ୍କବାଦୀମାନେ ଏପରି କରିପାରନ୍ତି ବୋଲି ଜଣା ଥିଲା। କିନ୍ତୁ ବିଭିନ୍ନ ସୁରକ୍ଷା ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ନ ରହିବାରୁ ଏପରି ଭୟାନକ ବିସ୍ଫୋରଣ ଘଟିଥିଲା। ଏ ଧରଣର ସୁରକ୍ଷା ଅବହେଳା ଅକ୍ଷମଣୀୟ ବୋଲି ରିପୋର୍ଟରେ ଲେଖାଯାଇଥିଲା।
ଏହି ବିସ୍ଫୋରଣ ପରେ କାନାଡ଼ା ସୁରକ୍ଷା ବାହିନୀ ପକ୍ଷରୁ କୌଣସି ଦୁଃଖ ପ୍ରକାଶ କରାଯାଇ ନଥିଲା। ସେମାନେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗ ନିକଟକୁ ଆସି ସେମାନଙ୍କୁ ସାନ୍ତ୍ୱନା ଦେଇ ନଥିଲେ।
ଶେଷକୁ ଦେଖାଯାଇଥିଲା ଯେ, କେବଳ ଜଣେ ବ୍ୟକ୍ତି ଇନ୍ଦରଜିତ ସିଂହ ରେୟାତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ଘଟିଥିଲା ବୋମା ବିସ୍ଫୋରଣର କେତେ ଦଶନ୍ଧି ପରେ। ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀ ତାଲୱିନ୍ଦର ସିଂହ ପରମାର ଭାରତ ଫେରିବା ପରେ ପଞ୍ଜାବ ପୁଲିସ ସହ ମୁକାବିଲାରେ ପ୍ରାଣ ହରାଇଥିଲା। ଆଉ ଜଣେ ଆତଙ୍କବାଦୀ ରିପୁଦମନ ସିଂହ ଗତ ଜୁଲାଇ ୧୪ରେ କାନାଡ଼ା ପୁଲିସ ସହ ଲଢ଼େଇରେ ପ୍ରାଣ ହରାଇଥିଲା। ମୋଟାମୋଟି ଭାବରେ ତଦନ୍ତ କମିସନର ରିପୋର୍ଟରେ ବିଚାରପତି ଜନ୍‌ ମେଜର କହିଥିଲେ ଯେ, ଯେଉଁ ଆତଙ୍କବାଦୀମାନେ କାନାଡ଼ା ଉପରେ ଆକ୍ରମଣ କରିଥିଲେ ସେମାନଙ୍କୁ କାନାଡ଼ା କର୍ତ୍ତୃପକ୍ଷ ଅଣଦେଖା କରିଥିଲେ। କାନାଡ଼ାରେ ଏହି ଆତଙ୍କବାଦୀମାନେ କାନାଡ଼ାର ଲୋକମାନଙ୍କୁ ହତ୍ୟା କରିଛନ୍ତି। କିନ୍ତୁ କାନାଡ଼ାର ଲୋକମାନେ ତାହା ଭୁଲି ଯାଇଛନ୍ତି।
ତେଣୁ ଭାରତୀୟ ଏଜେଣ୍ଟମାନେ ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରିଛନ୍ତି ବୋଲି କୁହାଯିବା କଥା ସତ୍ୟ ବୋଲି ଗ୍ରହଣ କରାଯାଇନପାରେ। ଏହାଛଡ଼ା ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହତ୍ୟା କରାଯାଇଥିବା ଅନ୍ୟତମ ଶିଖ ଆତଙ୍କବବାଦୀ ରିପୁଦମନ ସିଂହ ମାଲିକ ଗତ ୨୦୨୨ ଜାନୁଆରି ୧୭ରେ ଗୋଟିଏ ପତ୍ର ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖମାନଙ୍କ ଅନେକ ଦାବି ପୂରଣ କରି ଦେଇଛନ୍ତି ବୋଲି ପ୍ରଶଂସା କରିଥିଲେ। ଅନେକ ଶିଖଙ୍କୁ ପୂର୍ବରୁ ଭାରତ ସରକାର କଳା ତାଲିକାରେ ରଖିଥିଲେ ଯାହା ଫଳରେ ସେମାନେ ଭାରତ ଆସିପାରୁନଥିଲେ। ମୋଦୀ ସେମାନଙ୍କ ମଧ୍ୟରୁ କେତେକଙ୍କ ନାମ କଳା ତାଲିକାରୁ କାଟି ଦେଇଥିବାରୁ ରିପୁ ଦମନ ସିଂହ ମାଲିକ ପତ୍ରରେ ମୋଦୀଙ୍କୁ ପ୍ରଶଂସା କରିଥିଲେ। ପତ୍ରରେ ରିପୁ ଦମନ ସିଂହ ମାଲିକ ଏକଥା ମଧ୍ୟ ଲେଖିଥିଲେ ଯେ, କିଛି ଭାରତ ବିରୋଧୀ ଶିଖ୍‌ ମୋଦୀଙ୍କ ବିରୋଧରେ ଗୋଟିଏ ଯୋଜନାବଦ୍ଧ ପ୍ରଚାର ଚଳାଇଛନ୍ତି। ରିପୁ ଦମନ ସିଂହଙ୍କ ଏହି ପତ୍ର ଯୋଗୁଁ ତାଙ୍କୁ ଶିଖ୍‌ ଆତଙ୍କବାଦୀମାନଙ୍କ ପକ୍ଷରୁ ଜଣେ ବିଶ୍ୱାସଘାତକ ବ୍ୟକ୍ତି ବୋଲି ଅଭିଯୋଗ କରାଯାଇଥିଲା ଓ ଗୋଟିଏ ଆତଙ୍କବାଦୀ ଗୋଷ୍ଠୀ ତାଙ୍କୁ ହତ୍ୟା କରିଥିବା ଜଣାଯାଇଥିଲା।
ଏଥିରୁ ସ୍ପଷ୍ଟ ମନେ ହେଉଛି ଖଲିସ୍ତାନୀମାନେ ଆଦୌ ଏକଜୁଟ ନୁହନ୍ତି ଓ ସେମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଅତି ତୀବ୍ର। ମୁଖ୍ୟତଃ ଏହି କାରଣ ଯୋଗୁଁ ହରଦୀପ ସିଂହ ନିଜ୍ଜରଙ୍କୁ ଆଉ ଗୋଟିଏ ଗୋଷ୍ଠୀ ହତ୍ୟା କରିଛି। କାନାଡ଼ାର ବିଭିନ୍ନ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାମାନେ ନିଜ୍ଜରଙ୍କୁ କିଏ ମାରିଲା, ସେ କଥା ସଠିକ୍ ଭାବେ ଜାଣିପାରୁନାହାନ୍ତି।
ଭାରତୀୟ ଏଜେଣ୍ଟମାନେ ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରିଛନ୍ତି ବୋଲି ଟ୍ରୁଡୋ ଯାହା କହୁଛନ୍ତି, ତାହା ବି ସତ ହୋଇପାରେ। କାରଣ କାନାଡ଼ାରେ ଏମାନେ ଭାରତ ପାଇଁ ଅତି ବିପଦ ସୃଷ୍ଟି କରୁଥିଲେ। କିନ୍ତୁ ଭାରତୀୟ ଗୁଇନ୍ଦା ସଂସ୍ଥା ଏପରି ହତ୍ୟା ନିଜେ କରିବା ଅପେକ୍ଷା ଖାଲିସ୍ତାନୀମାନଙ୍କ ମଧ୍ୟରେ ଥିବା ତୀବ୍ର ଗୋଷ୍ଠୀ ବିବାଦର ସୁଯୋଗ ନେଇଥିବା ଅତ୍ୟନ୍ତ ସମ୍ଭବ। ସେଥିପାଇଁ ଭାରତ ସରକାରଙ୍କୁ ସିଧାସଳଖ ଦୋଷ ଦିଆଯାଇ ନପାରେ।
ମୋ: ୯୪୩୭୦୨୦୨୯୦