ମହାମେଘବାହନ ଐର ଖାରବେଳ ସ୍ୱାଇଁ
୨୦୨୦ରୁ ଲଦାଖର କେତେକ ଅଂଚଳରେ ସୀମାକୁ ନେଇ ଚୀନ ଓ ଭାରତ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ଏପରି ଅବସ୍ଥା ହୋଇଥିଲା ଯେ ସେଠାରେ ଥିବା ବିବାଦୀୟ ପାଙ୍ଗଙ୍ଗ୍ ହ୍ରଦକୁ ନେଇ ଭାରତ ଓ ଚୀନ ସେନା ହାତାହାତି ଯୁଦ୍ଧରେ ଲାଗି ଯାଇଥିଲେ। ଏହା ଏତେ ବେଶୀ ଗୁରୁତର ଥିଲା ଯେ, ଭାରତ ପକ୍ଷରୁ ୨୦ ଜଣ ସୈନିକ ସହିଦ ହୋଇଥିଲେ। ଚୀନ ପକ୍ଷରୁ ଆହୁରି ଅଧିକ ସୈନ୍ୟ ମୃତ୍ୟୁବରଣ କରିଥିଲେ ମଧ୍ୟ ଚୀନ ସେ ସମ୍ପର୍କରେ କୌଣସି ସଂଖ୍ୟା ଦେଇ ନଥିଲା। ଅବଶ୍ୟ ବିଭିନ୍ନ ସୂତ୍ରରୁ ଜଣାପଡ଼ିଥିଲା ଯେ ୪୦ରୁ ଅଧିକ ଚୀନା ସୈନ୍ୟ ପ୍ରାଣ ହରାଇଥିଲେ। ଲଦାଖରେ ଭାରତ-ଚୀନ ସୀମାରେଖା ଏ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। କାରଣ, ଏ ଅଂଚଳ ହିଁ ସେହିପରି। ଏହି ଅଂଚଳର ଗଢ଼ଣ ପାହାଡ଼ୀ ଓ ସମତଳ ଅଂଚଳମାନଙ୍କୁ ନେଇ। ଅବଶ୍ୟ ଯେତେବେଳେ ଭାରତରେ ବ୍ରିଟିସ ସରକାର ଥିଲେ, ସେତେବେଳେ ଭାରତ-ଚୀନ ସୀମାରେଖାକୁ ମ୍ୟାକ୍ମହୋନ୍ ଲାଇନ୍ ବୋଲି କୁହାଯାଉଥିଲା। କାରଣ ବ୍ରିଟିସ୍ ୍ଅଧିକାରୀ ମ୍ୟାକ୍ମହୋନ୍ ଏହି ସୀମାରେଖା ଧାର୍ଯ୍ୟ କରିିଥିଲେ। କିନ୍ତୁ ଏହାକୁ ସବୁ ଜାଗାରେ ଠିକ୍ ଭାବରେ ଦୁଇ ପକ୍ଷ ଗ୍ରହଣ କରୁନାହାନ୍ତି। ଯେଉଁ ପକ୍ଷ ଯେଉଁ ଜାଗାରେ ଯେଉଁ ଅଂଚଳକୁ ଦଖଲ କରି ରହିଛି, ସେହି ଅଂଚଳଟି ତାହାର ବୋଲି ସାଧାରଣରେ ଗୋଟିଏ ବିଶ୍ୱାସ ଅଛି। ୧୯୬୩ ମସିହାରେ ଯଦିଓ ଚୀନର ଲାଲ ସେନା ଏହି ସବୁ ଧାର୍ଯ୍ୟ ସୀମାରେଖାକୁ ଅତିକ୍ରମ କରି ଆସାମର ଦିଗ୍ବୋଇ ପର୍ଯ୍ୟନ୍ତ ମାଡ଼ି ଆସିଥିଲେ, କୌଣସି ଅଜଣା କାରଣ ହେତୁ ସେମାନେ ପୁଣି ନିଜ ଦେଶକୁ ବାହୁଡ଼ି ଯାଇଥିଲେ। ସେତେବେଳେ ଭାରତର ସୈନିକ ପ୍ରସ୍ତୁତିି ଅତି ଦୁର୍ବଳ ସ୍ତରରେ ଥିଲା। ତେଣୁ ସେତେବେଳର ଭାରତୀୟ ସେନା ସୁପ୍ରସ୍ତୁତ ଚୀନା ସେନା ଆଗରେ ଲଢ଼ି ପାରିନଥିଲେ। ଯଦି ସେତେବେଳେ ଭାରତ ମଧ୍ୟକୁ ପ୍ରବେଶ କରିଥିବା ଚୀନ ସେନା ଆପେ ଆପେ ଓହରି ଯାଇନଥାନ୍ତେ, ତେବେ ଭାରତୀୟ ସେନା ଓ ଭାରତ ସେତେବେଳେ କିଛି କରି ପାରିନଥାନ୍ତେ। ୨୦୨୦ରେ ଗାଲୱାନ ଉପତ୍ୟକା ଓ ପାଙ୍ଗଙ୍ଗ୍ ହ୍ରଦକୁ ନେଇ ବିବାଦ ଉପୁଜିଲା ଏବଂ ସେହି ବିବାଦକୁ ନେଇ ଏ ପର୍ଯ୍ୟନ୍ତ ଏପରି କିଛି ଚୁକ୍ତି ହୋଇନଥିଲା ଯାହାକୁ ଦୁଇ ପକ୍ଷ ଗ୍ରହଣ କରିଛନ୍ତି। ଅବଶ୍ୟ, ଇତିମଧ୍ୟରେ ଅନେକ ଥର ଭାରତ ଓ ଚୀନ ମଧ୍ୟରେ ସେମାନଙ୍କ ସେନାବାହିନୀ ସ୍ତରରେ ବିବାଦର ସମାଧାନ ପାଇଁ କଥାବାର୍ତ୍ତା ହୋଇସାରିଛି। ଯେଉଁ ଦେଶ ଯେଉଁ ଅଂଚଳକୁ ତା’ର ବୋଲି ଭାବୁଛି, ସେହି ଅଂଚଳରେ ସେହି ଦେଶର ସୈନ୍ୟ ପେଟ୍ରୋଲିଂ କରୁଛନ୍ତି।
ଏହା ଏକ ଉଲ୍ଲେଖନୀୟ ଘଟଣା ଯେ, ଗତ ସପ୍ତାହରେ ରୁଷିଆର କାଜାନଠାରେ ଆୟୋଜିତ ‘ବ୍ରିକ୍ସ’ ଦେଶମାନଙ୍କର (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଶୀର୍ଷ ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କର ଏହି ସୀମା ବିବାଦକୁ ନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ନିଷ୍ପତ୍ତି ହୋଇଥିଲା ଯେ ଉଭୟ ଦେଶ ନିଜ ନିଜର ଅଂଚଳରେ ଆଉ ସୈନ୍ୟ ପେଟ୍ରୋଲିଂ କରିବେ ନାହିଁ ଓ ଯିଏ ଯେଉଁ ଅଂଚଳ ଦଖଲ କରିଛି, ସେ ଅଂଚଳ ତା’ର ରହିବ। ଏ ଧରଣର ନିଷ୍ପତ୍ତିରେ ଭାରତ ଏକମତ ହେବା ସ୍ୱାଭାବିକ। କିନ୍ତୁ ଏଥିରେ ଚୀନ କିପରି ଏକମତ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। କେବଳ ସେତିକି ନୁହେଁ, ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଲା ଭାରତ ଓ ଚୀନ ଏହି ବିବାଦୀୟ ଅଂଚଳମାନଙ୍କରୁ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେବା ଆରମ୍ଭ କରିଛନ୍ତି।
ଦୁଇ ଦେଶର ନେତାମାନେ ସୀମା ବିବାଦକୁ ନେଇ ଯେଉଁ ସ୍ତରରେ ପହଞ୍ଚିଛନ୍ତି, ତାହା ଆବଶ୍ୟକ କରେ ଚୀନର ‘ପିଏଲ୍ଏ’ (ଗଣମୁକ୍ତି ସେନା ବା ଚୀନ ସେନା) ପଶ୍ଚିମ ଅଂଚଳରୁ ତା’ର ସେନା ପ୍ରତ୍ୟାହାର କରୁ। ‘ପିଏଲ୍ଏ’ ଏହି ଅଂଚଳରେ କେତେକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି, ଯାହା ହେଉଛି ଲଦାଖ ସୀମା ନିକଟରେ କେତେକ ସାମରିକ ଘାଟି। ଏହି ସବୁ ଅଂଚଳରେ ଅଛି ୧୧ଟି ବିବାଦୀୟ ଅଂଚଳ। ତେବେ, ‘ପିଏଲ୍ଏ’ର ସାମରିକ କମାଣ୍ଡୋମାନଙ୍କୁ ବୁଝାଇବା ଏତେ ସହଜ କଥା ନୁହେଁ ଯେ ସୀମାନ୍ତ ଅଂଚଳରୁ ସେମାନେ ପଛକୁ ହଟିଯିବେ। ନୂଆଦିଲ୍ଲୀ ଆଶା କରୁଛି ଯେ, ସି ଜିନ୍ପିଙ୍ଗ ସୀମାନ୍ତ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିନେବା କାର୍ଯ୍ୟ ତ୍ୱରାନ୍ୱିତ କରିବେ। ଚୀନରେ ସେନାବାହିନୀ ନିକଟରେ ନିଷ୍ପତ୍ତି ନେବାର ଅନେକ କ୍ଷମତା ଅଛି। ଏ ନିଷ୍ପତ୍ତି କେବଳ ଯେ କୂଟନୀତିଜ୍ଞମାନେ ନେବେ ତାହା ନୁହେଁ। ସେନାବାହିନୀ ପାଖରେ ନିଷ୍ପତ୍ତି ନେବାର ସ୍ବତନ୍ତ୍ର କ୍ଷମତା ଅଛି।
ସି ଜିନ୍ପିଙ୍ଗ ଆଶା କରନ୍ତି ଯେ, ଭାରତ ଚୀନ ସହିତ ଶିଳ୍ପ ବାଣିଜ୍ୟକୁ ବଢ଼ାଇବ। ଭାରତ ମଧ୍ୟ ଠିକ୍ ସେୟା ଚାହୁଛି। ଭାରତର ବ୍ୟାବସାୟିକ ଗୋଷ୍ଠୀ ଚାହାନ୍ତି ଯେ ଭାରତ ସରକାର ଚୀନର ଟେକ୍ନିକାଲ୍ କର୍ମଚାରୀ ବୃନ୍ଦ ଓ ଟେକ୍ନୋଲୋଜି ଭାରତକୁ ଆଣନ୍ତୁ, ଯାହା ଉପରେ ଭାରତ ସରକାର ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। ଏମାନେ ନ ଆସିବା ଫଳରେ ଉତ୍ପାଦନର ଖର୍ଚ୍ଚ ବଢ଼ିଯାଉଛି। ଚୀନ ସରକାରଙ୍କ ଅନେକ କୂଟନୀତିଜ୍ଞ ଭାରତ ସରକାର ଓ ବେସରକାରୀ ପ୍ରତିଷ୍ଠାନମାନଙ୍କୁ ଠିକ୍ ଏହି ବାର୍ତ୍ତା ଦେଇଥିଲେ। କିନ୍ତୁ ଭାରତରେ ଏହାକୁ ନେଇ ଅତିରଞ୍ଜିତ ଢଙ୍ଗରେ ରାଷ୍ଟ୍ରୀୟ ସୁରକ୍ଷା କଥା ଉଠାଯାଉଛି। ଭାରତ ଓ ଚୀନର ସ୍ୱତନ୍ତ୍ର ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ ଦୁଇ ଦେଶ ମଧ୍ୟରେ ଗୋଟିଏ ନିରପେକ୍ଷ ନ୍ୟାୟସଂଗତ ଓ ଦୁଇ ପକ୍ଷକୁ ଗ୍ରହଣଯୋଗ୍ୟ ସୀମା ବିବାଦର ସମାଧାନ କରାଯାଉ। ଭାରତ ପାଇଁ ଏବେ ଲାଭ ହେଉଛି ଚୀନ ସହିତ ଏ ଦେଶ ତା’ର ବାଣିଜ୍ୟ ବ୍ୟବସାୟକୁ ବଢ଼ାଉ। ଚୀନଠାରୁ ଭାରତ ପ୍ରତି ବିପଦ ରହିଛି ବୋଲି ଭୟକୁ ବର୍ତ୍ତମାନ ଆଉ ଗ୍ରହଣ କରା ନଯାଉ। ଭାରତର ମନ୍ତ୍ରୀସ୍ତରୀୟ ଗୋଟିଏ ଗୋଷ୍ଠୀ ସ୍ଥିର କରିଥିଲା ଯେ ଚୀନ ଓ ହଂକଂରେ ଥିବା କମ୍ପାନିମାନେ ଭାରତରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ। ଏହା ହେଉଛି ଭାରତ ସରକାରଙ୍କ ତରଫରୁ ଗୋଟିଏ ପ୍ରକାର ରିହାତି ଭଳି। ଗାଲୱାନରେ ହାତାହାତି ଲଢ଼େଇ ପରେ ଚୀନ ପୁଞ୍ଜିନିବେଶ ଉପରେ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ ପରେ ମୋଟ ଜାତୀୟ ଉତ୍ପାଦ ବା ‘ଜିଡିପି’ ଦୃଷ୍ଟିକୋଣରୁ ଭାରତ ସାରା ବିଶ୍ୱରେ ତୃତୀୟ ବୃହତ୍ତମ ଦେଶ ବୋଲି ଗଣ୍ୟ ହୋଇପାରି ନ ଥିଲା। ଭାରତ ପକ୍ଷରୁ ଏହି ସୀମା ଚୁକ୍ତିକୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଚୀନ ପକ୍ଷରୁ ସେ ଧରଣର ଉତ୍ସାହ ପ୍ରକଟିତ ହୋଇନାହିଁ। ତଥାପି, ଚୀନର ରାଷ୍ଟ୍ରପତି ସି ଜିନ୍ପିଙ୍ଗ ସୀମା ବିବାଦ ଚୁକ୍ତିରେ ଏକମତ ହେବାର କାରଣ ରହିଛି। କାରଣ ସୀମା ଚୁକ୍ତି ହେଲେ ଭାରତ ଚୀନ ମଧ୍ୟରେ ସମ୍ପର୍କ ସ୍ଥିର ରହିବ ଓ ଚୀନରୁ ଭାରତକୁ ଶିଳ୍ପ କ୍ଷେତ୍ରରେ ପୁଂଜି ଲଗାଣ ପାଇଁ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ ଓ ଅର୍ଥ ଆସିବ। ୨୦୨୦ ଗାଲୱାନ ଆକ୍ରମଣ ପୂର୍ବରୁ ଅବସ୍ଥା ଯାହା ଥିଲା, ସେ ସ୍ଥିତିକୁ ଫେରିଯିବାକୁ ଚୀନ ବର୍ତ୍ତମାନ ଚାହୁଛି।
ଚୀନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଦେଶ ଯାହା କରୁଛି ସେ ସମ୍ପର୍କରେ ତା’ ଦେଶର ଲୋକମାନେ କ’ଣ କହୁଛନ୍ତି! ତେବେ ଭାରତର ଜନସାଧାରଣଙ୍କର ରାଜନୈତିକ ଆଗ୍ରହ ଯେମିତି ଅଛି, ଚୀନର ଲୋକଙ୍କର ସେମିତି ଆଗ୍ରହ ନାହିଁ। କାରଣ, ଭାରତ ହେଉଛି ଏକ ଗଣତନ୍ତ୍ର ଓ ଭାରତର ଜନସାଧାରଣଙ୍କର ନିର୍ବାଚନ ସମ୍ମୁଖୀନ ହେବା ଅଭ୍ୟାସଗତ। ଚୀନା ଜନସାଧାରଣଙ୍କର ସେଭଳି ନାହିଁ। ତେଣୁ ଭାରତ ସହ ଚୀନର ସଂପର୍କ ବା ଯୁଦ୍ଧ ବା ତିକ୍ତତା ନେଇ ଚୀନ ଲୋକମାନଙ୍କ ମଧ୍ୟରେ ସେମିତି କିଛି ଆଗ୍ରହ ନ ଥାଏ।
ବର୍ତ୍ତମାନ ଦେଖାଯାଇଛି ଯେ ଚୀନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଜନସମର୍ଥନ ଗତ କୋଭିଡ୍ ମହାମାରୀରେ ବିସ୍ତାର ପରଠାରୁ ଅନେକଟା କମିଯାଇଛି। କାରଣ, କୋଭିଡ୍ ମହାମାରୀ ଯୋଗୁଁ ସେ ଦେଶରେ ବେକାରି ବଢ଼ିଗଲା ଓ ରୋଜଗାର କମିଗଲା। ସେ ଦେଶରେ ଗୃହ ନିର୍ମାଣ ସଂକଟ ଦେଖାଦେଇଛି, ଯାହା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏହା ହେଉଛି ମୁଖ୍ୟ କାରଣ, ଯାହା ଫଳରେ ସି ଜିନ୍ପିଙ୍ଗ ତାଙ୍କ ଲୋକମାନଙ୍କୁ ବୁଝାଇବାକୁ ଚାହାନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା କୂଟନୈତିକ ସମ୍ପର୍କକୁ ସେମାନେ ଗ୍ରହଣ କରନ୍ତୁ। ଆହୁରି ମଧ୍ୟ ସି ଜିନ୍ପିଙ୍ଗ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ସମର୍ଥନ ଚାହାନ୍ତି କାରଣ ଆମେରିକା ନେତୃତ୍ୱାଧୀନ ଶକ୍ତିମାନେ ଚୀନ ଉପରେ ଲାଗୁ କରିଥିବା ଆର୍ଥିକ ବାସନ୍ଦମାନ ଦୁର୍ବଳ ହେବ। ଚୀନର କମ୍ପାନିମାନଙ୍କ ଉପରେ ଆମେରିକା ବ୍ୟାପକ ପ୍ରତିବନ୍ଧକମାନ ଲଗାଇଛି, ଯେମିତି ସେମାନେ ନୂଆ ଟେକ୍ନୋଲୋଜି ବା ପ୍ରଯୁକ୍ତିର ପ୍ରୟୋଗ କରିପାରିବେ ନାହିଁ। ପୃଥିବୀର ଅନ୍ୟ ଦେଶମାନଙ୍କୁ ଯେମିତି ଚୀନର ନୂଆ ଟେକ୍ନୋଲୋଜି ଯାଇନପାରିବ, ତାହା ଉପରେ ଆମେରିକା ଦୃଷ୍ଟି ରଖିଛି।
ଚୀନ ମଧ୍ୟ ଚାହେ ଯେ ଡଲାର ବଦଳରେ ଅନ୍ୟ ଦେଶର ମୁଦ୍ରା ଅନ୍ତର୍ଜାତୀୟ ବାଣିଜ୍ୟରେ ଦେଣନେଣ ମାଧ୍ୟମ ରୂପେ ବ୍ୟବହାର କରାଯାଉ। ଭାରତ ମଧ୍ୟ ବର୍ତ୍ତମାନ ସେହି ପ୍ରସଙ୍ଗ ଉଠାଇଛି ଯାହାକୁ ଚୀନ ସମର୍ଥନ କରୁଛି। ସେମିତି ‘ବ୍ରିକ୍ସ’ ସଂଗଠନରେ ଚୀନ ବିରୋଧରେ ତୀବ୍ର ମତ ପ୍ରକାଶ ପାଉ ବୋଲି ଚୀନ ଚାହେ ନାହିଁ, ଯାହା ଆମେରିକା ଚାହେ। ତେଣୁ ‘ବ୍ରିକ୍ସ’ ସଂଗଠନରେ ଭାରତ ଚୀନ ବିରୋଧରେ ଯାଉ ବୋଲି ଚୀନ ଆଦୌ ଚାହିବ ନାହିଁ। ‘ବ୍ରିକ୍ସ’ରେ ଚୀନର ବିରୋଧୀ ସ୍ବର ମୁଣ୍ଡ ଟେକି ଉଠୁ ବୋଲି ଚୀନ ଚାହିବ ନାହିଁ। ତେଣୁ ଚୀନର ମୁଖ୍ୟ କଥା ଭାରତ ସହ ବିବାଦ ନ ବଢୁ। ଆମେରିକାରେ ଆଗାମୀ ନିର୍ବାଚନରେ କେଉଁ ପ୍ରାର୍ଥୀ ରାଷ୍ଟ୍ରପତି ହିସାବରେ ଜିତୁଛନ୍ତି ତାହାକୁ ‘ବ୍ରିକ୍ସ’ର ସଦସ୍ୟମାନେ ଅତି ଆଗ୍ରହର ସହକାରେ ଅପେକ୍ଷା କରିଛନ୍ତି। ବିଶେଷ କରି ଡୋନାଲ୍ଡ ଟ୍ରମ୍ପ୍ ଯଦି ଜିତନ୍ତି, ତେବେ ଚୀନରୁ ଆସୁଥିବା ଦ୍ରବ୍ୟମାନଙ୍କ ଉପରେ ଦୁଇ ଗୁଣ କର ବଢ଼ାଇବେ ଓ ଚୀନର କମ୍ପାନିମାନଙ୍କ ବିରୋଧରେ ପ୍ରତିବନ୍ଧକ ଲାଗୁ କରିବେ। ମୁଖ୍ୟତଃ ଏହି କାରଣ ଯୋଗୁଁ ଏହି ମୁହୂର୍ତ୍ତରେ ଚୀନ ପକ୍ଷରୁ ଭାରତ ଓ ଅନ୍ୟ ଦେଶମାନଙ୍କର ସମର୍ଥନ ଲୋଡ଼ା ଯାଇଥାଏ। ଗତ କେତେ ବର୍ଷ ମଧ୍ୟରେ ଭାରତ ସଂକେତ ଦେଇଛି ଯେ ଏହା ନିଜ ପାଇଁ ସ୍ୱାଧୀନ ରଣନୈତିକ ପଦକ୍ଷେପ ନେଇପାରେ। ଉଦାହରଣ ସ୍ୱରୂପ ରୁଷିଆ, ୟୁକ୍ରେନ୍ ଯୁଦ୍ଧ ବେଳେ ରୁଷିଆର ତୈଳ କାରବାର ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲାଗୁ ହୋଇଥିଲେ ମଧ୍ୟ ଭାରତ ସେ ଦେଶରୁ ଏ ଯାଏ ତେଲ କିଣି ଆସୁଛି। ତେଣୁ ଭାରତ ସହିତ ତିକ୍ତତା ବୃଦ୍ଧି ନ କରି ସି ଜିନ୍ପିଙ୍ଗ ଭାରତ ସହ ସୁସୁମ୍ପର୍କ ବଢ଼ାଇବାକୁ ଚେଷ୍ଟା କରିଛନ୍ତି।
ମୋ: ୯୪୩୭୦୨୦୨୯୦