ଆଳୁ, ପିଆଜ, ଟମାଟୋ, କୋବି ଭଳି ପନିପରିବା କିମ୍ବା ଫଳ ବା ଫୁଲ ଇତ୍ୟାଦି ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରେ। ଏପରି କି ଯେଉଁ ସବୁ କୃଷିଜ ଆମ ରାଜ୍ୟରେ ପ୍ରଚୁର ଉତ୍ପାଦିତ ହୁଏ, ସେ ସବୁର ସଂରକ୍ଷଣ ସକାଶେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷୀମାନେ ଭୀଷଣ କ୍ଷତିଗ୍ରସ୍ତ ହୁଅନ୍ତି। ନିକଟ ଅତୀତରେ ବରଗଡ଼ ତଥା ଅନ୍ୟ ଜିଲ୍ଲାରେ ଚାଷୀ ବିକ୍ରି କରି ନ ପାରିବା କାରଣରୁ ନିଜେ କରିଥିବା କୋବି ଫସଲ ଉପରେ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରି ଦେଇଥିଲେ। ପ୍ରତି ବର୍ଷ ଏଭଳି ଘଟଣାମାନ ଘଟୁଛି। ଆମ ରାଜ୍ୟରେ ପାଖାପାଖି ୯୯ ଲକ୍ଷ ମେଟ୍ରିକ ଟନ ଓଜନର ପରିବା ଉତ୍ପାଦିତ ହେଉଛି। କିନ୍ତୁ ଶୀତଳ ଭଣ୍ଡାରର ଅଭାବ ହେତୁ ଏଥିରୁ ଚାଷୀ କିମ୍ବା ଗ୍ରାହକ କାହାକୁ ଲାଭ ମିଳି ପାରୁନାହିଁ।
‘ନିତି’ ଆୟୋଗର ରିପୋର୍ଟ ଏବଂ ସଂସଦର ପ୍ରଶ୍ନୋତ୍ତର (ନମ୍ବର ୫୦୧/୨୦୧୯)କୁ ମିଳିତ ଭାବେ ଦେଖିଲେ ଜାଣିହୁଏ ଯେ ଓଡ଼ିଶାରେ ପ୍ରତି ୪୯,୪୧୨ ହେକ୍ଟର ଚାଷ ଜମି ଲାଗି ଗୋଟିଏ ଶୀତଳ ଭଣ୍ଡାର ରହିଛି, ଅଥଚ, ପଶ୍ଚିମବଙ୍ଗ ଓ ବିହାରରେ ଯଥାକ୍ରମେ ପ୍ରତି ୧୦,୯୫୬ ଓ ୧୮,୩୧୦ ହେକ୍ଟରରେ ଗୋଟିଏ ଶୀତଳ ଭଣ୍ଡାର ରହିଛି। ଉଲ୍ଲେଖ ଥାଉ କି ଓଡ଼ିଶାରେ ଚାଷ ହେଉଥିବା ଜମିର କ୍ଷେତ୍ରଫଳ ୮୭.୪୬ ଲକ୍ଷ ହେକ୍ଟର ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ବିହାରରେ ତାହା ଯଥାକ୍ରମେ ୫୫ ଲକ୍ଷ ଓ ୫୬ ଲକ୍ଷ ହେକ୍ଟର, ଯାହା ଆମ ଠାରୁ ବହୁତ କମ୍। କିନ୍ତୁ ଆମ ରାଜ୍ୟରେ ସମୁଦାୟ ୧୭୭ଟି ଶୀତଳ ଭଣ୍ଡାର ଥିଲା ବେଳେ ପଶ୍ଚିମବଙ୍ଗ ଓ ବିହାରରେ ରହିଛି ଯଥାକ୍ରମେ ୫୦୨ ଓ ୩୦୬ଟି। ଏବଂ ଦେଖିବାର କଥା ହେଲା ଚାଷ ଜମିର ପରିମାଣ ଏହି ଦୁଇ ରାଜ୍ୟରେ ଓଡ଼ିଶା ତୁଳନାରେ କମ୍ ଥାଇ ସୁଦ୍ଧା ଏମାନେ ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟକୁ ପନିପରିବା ଆଦି ଯୋଗାଉଛନ୍ତି। ଏହାର କାରଣ ସେହି ରାଜ୍ୟଗୁଡ଼ିକ ପଚନଶୀଳ ପରିବାପତ୍ରକୁ ଶୀତଳ ଭଣ୍ଡାରରେ ସାଇତି ରଖି ପାରୁଛନ୍ତି ଓ ବର୍ଷ ତମାମ ବିକ୍ରି କରୁଛନ୍ତି।
ପାର୍ଲିଆମେଣ୍ଟର ପ୍ରଶ୍ନୋତ୍ତର ନମ୍ବର (୩୫୬୨/ ୨୦୨୧)ରୁ ଜଣାଯାଏ ଯେ ଓଡ଼ିଶାରେ ୧୭୭ଟି ଶୀତଳଭଣ୍ଡାର ଭିତରୁ ମାତ୍ର ୪୯ଟି କାର୍ଯ୍ୟକ୍ଷମ ଅବସ୍ଥାରେ ଅଛନ୍ତି। ପରିଚାଳନାଗତ ତ୍ରୁଟି ହେତୁ ଓଡ଼ିଶାର ଅଧିକାଂଶ ଶୀତଳଭଣ୍ଡାର ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ। ପ୍ରତି ଶୀତଳଭଣ୍ଡାର ପିଛା ୫୦ ହଜାରରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ଏବଂ ଅନ୍ୟାନ୍ୟ ସରକାରୀ ପ୍ରୋତ୍ସାହନମୂଳକ ସୁବିଧା ଯୋଗାଇ ଦିଆଯାଉଛି, ତଥାପି ଶୀତଳ ଭଣ୍ଡାର ବ୍ୟବସାୟରେ ନୂତନ ଉଦ୍ୟୋଗୀଙ୍କ ଆଗ୍ରହ ନାହିଁ। ଦେଶର ବଡ଼ ପୁଞ୍ଜିପତିମାନେ ମଧ୍ୟ ଏ ବ୍ୟବସାୟରେ ବିଶେଷ ରୁଚି ରଖନ୍ତି ନାହିଁ। ଯଦିଓ ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ଉଦ୍ୟୋଗପତି ଶୀତଳ ଭଣ୍ଡାରକୁ ସେମାନଙ୍କ ବ୍ୟବସାୟ ଲାଗି ଏକ ସହାୟକ ଭିତ୍ତିିଭୂମି ବୋଲି ମାନନ୍ତି, କିନ୍ତୁ ଶୀତଳ ଭଣ୍ଡାରକୁ ଏକ ସ୍ୱତନ୍ତ୍ର ବ୍ୟବସାୟ ରୂପେ ଦେଖନ୍ତି ନାହିଁ; କେବଳ ନିଜ ବ୍ୟବସାୟକୁ ସୁହାଇଲା ଭଳି ପୁଞ୍ଜି ନିବେଶ କରନ୍ତି। ଏହାର ଏକ ବଡ଼ କାରଣ ହେଉଛି କୃଷି ଭିତ୍ତିକ ବ୍ୟବସାୟରେ ମିଳୁଥିବା ବାର୍ଷିକ ଲାଭର ହାର ଶୀତଳଭଣ୍ଡାର ବ୍ୟବସାୟରୁ ଅର୍ଜିତ ଲାଭ ତୁଳନାରେ ଢେର ଅଧିକ। ଓଡ଼ିଶା କଥା ବିଚାର କଲେ, ଦେଖାଯାଏ ଯେ ଚାଷୀଙ୍କ ଏକର ପିଛା ଉତ୍ପାଦନ ପରିମାଣ ସେତେ ଅଧିକା ନୁହେଁ। ସେଥି ପାଇଁ ଶୀତଳ ଭଣ୍ଡାର ଚଳାଇବା ରାଜ୍ୟ ପାଇଁ ସେତେ ଅନୁକୂଳ ସାବ୍ୟସ୍ତ ହୋଇ ପାରୁନାହିଁ।
ଏବେ ଶୀତଳ ଭଣ୍ଡାରର ପରିଚାଳନାକୁ ଯିବା। କୌଣସି ଏକ ଶୀତଳ ଭଣ୍ଡାର ଲାଗି ବିଦ୍ୟୁତ୍ ଜନିତ ଖର୍ଚ୍ଚ ସମୁଦାୟ ଖର୍ଚ୍ଚର ପ୍ରାୟ ୪୦ ଶତାଂଶ। ତେଣୁ ନିରନ୍ତର ଓ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଯୋଗାଣ ସବୁଠାରୁ ଅଧିକ ଜରୁରୀ। ବିଜୁଳି ଯୋଗାଣରେ ଅନିୟମିତତା କୃଷିଜକୁ ନଷ୍ଟ କରିଦେବା ସହିତ ଶୀତଳଭଣ୍ଡାରକୁ ଆର୍ଥିକ ରୂପେ ବିକଳାଙ୍ଗ କରି ପକାଏ। ତେଣୁ ଶୀତଳ ଭଣ୍ଡାର ସକାଶେ ବିକଳ୍ପ ବିଦ୍ୟୁତ୍ ଯୋଗାଣର ପ୍ରାବଧାନ ନିତାନ୍ତ ଆବଶ୍ୟକ। ଓଡ଼ିଶାର ଅଧିକାଂଶ ଶୀତଳ ଭଣ୍ଡାରର ଡିଜେଲ ଚାଳିତ ଜେନେରେଟର୍ରୁ ବିକଳ୍ପ ବିଜୁଳି ପାଆନ୍ତି, ଯାହା ଅତ୍ୟନ୍ତ ବ୍ୟୟବହୁଳ। ଏବେ ସୌର ବିଜୁଳି ବ୍ୟୟ କ୍ରମେ ଅଧିକରୁ ଅଧିକ ଶସ୍ତା ହେଉଥିବାରୁ ଓଡ଼ିଶାର ଶୀତଳ ଭଣ୍ଡାରଗୁଡ଼ିକ ଲାଗି ଏହାର ବ୍ୟବସ୍ଥା କରାଯିବା ଆବଶ୍ୟକ। ମୂଳ କଥା ହେଲା, ଶୀତଳ ଭଣ୍ଡାର ଲାଗି ବିଦ୍ୟୁତ୍ ବ୍ୟବହାରଜନିତ ଖର୍ଚ୍ଚକୁ ସୀମିତ କରିବାର ଆବଶ୍ୟକତା ରହିଛି।
ଦ୍ବିତୀୟରେ ଆମ ରାଜ୍ୟର ଶୀତଳ ଭଣ୍ଡାରଗୁଡ଼ିକ କୃଷିଜ ଉତ୍ପାଦନ କେନ୍ଦ୍ରରୁ ଅନେକ ଦୂରରେ ଏବଂ ସେଗୁଡ଼ିକର ଆକାର ସେଇ ଅଂଚଳର ଆବଶ୍ୟକତା ତୁଳନାରେ ଅଧିକ ବଡ଼। ତେଣୁ, ଅମଳ ପରେ ଉତ୍ପାଦିତ ଦ୍ରବ୍ୟର ପରିବହନ ଚାଷୀଙ୍କୁ ଖର୍ଚ୍ଚାନ୍ତ କରେ ଏବଂ ଅଧିକ ବଡ଼ ଆକାରର ଶୀତଳ ଭଣ୍ଡାରଗୁଡ଼ିକ କାର୍ଯ୍ୟକ୍ଷମ ରହିବା ଲାଗି ଅଧିକ ଅର୍ଥ ଲୋଡ଼ନ୍ତି, ଯାହା ପରିଚାଳନା ଦୃଷ୍ଟିରୁ ଅସମ୍ଭବ ହୋଇପଡ଼େ। ଓଡ଼ିଶାର ଅଧିକାଂଶ ଶୀତଳ ଭଣ୍ଡାର କେବଳ କିଛି ନିର୍ଦିଷ୍ଟ ଖାଦ୍ୟଶସ୍ୟ କିମ୍ବା ପନିପରିବାକୁ ଲକ୍ଷ୍ୟରେ ରଖି ତିଆରି କରାଯାଇଥାଏ, ଯେମିତି କି ଅଧିକାଂଶ ଶୀତଳଭଣ୍ଡାର ଆଳୁ ନତୁବା ସାମୁଦ୍ରିକ ଖାଦ୍ୟ ଦ୍ରବ୍ୟ ସାଇତିବା ଲାଗି ଉଦ୍ଦିଷ୍ଟ। ଏକ ନିର୍ଦ୍ଦିଷ୍ଟ କୃଷିଜ ଲାଗି ବ୍ୟବସ୍ଥା ଥିବାରୁ ତା’ର ଅମଳ ଋତୁ ସରିଗଲେ ଶୀତଳ ଭଣ୍ଡାରଗୁଡ଼ିକ ବର୍ଷର ଅବଶିଷ୍ଟ ସମୟ ଫାଙ୍କା ରହନ୍ତି।
ଆମ ରାଜ୍ୟର କେଉଁଝର ଓ ମୟୁରଭଞ୍ଜ ଜିଲ୍ଲା ଟମାଟୋ ଉତ୍ପାଦନରେ ଅଗ୍ରଣୀ, ହେଲେ ସରକାରୀ ତଥ୍ୟ ଅନୁସାରେ ଏଇ ଜିଲ୍ଲା ଦ୍ବୟରେ ଯଥାକ୍ରମେ ମାତ୍ର ଗୋଟିଏ ଓ ଚାରିଟି ଶୀତଳ ଭଣ୍ଡାର ରହିଛି ଏବଂ ଦେଖିବାର କଥା ହେଲା, ଟମାଟୋକୁ ସୁହାଇଲା ଭଳି କୌଣସି ଗୋଟାଏ ବି ଶୀତଳ ଭଣ୍ଡାର ନାହିଁ। ଏ ସବୁ ଶୀତଳ ଭଣ୍ଡାର ଆଳୁ ନିମନ୍ତେ ଉଦ୍ଦିଷ୍ଟ। ସୁତରାଂ, ରାଜ୍ୟ ସରକାର ଖାଦ୍ୟଶସ୍ୟ ଏବଂ ପନିପରିବା ଉତ୍ପାଦନର ଧାରାକୁ ଅନୁଧ୍ୟାନ କରି ସେହି ଅନୁସାରେ ଶୀତଳ ଭଣ୍ଡାରର ଯୋଜନା କରିବା ଜରୁରୀ। ଏଭଳି ଅନୁଧ୍ୟାନ ପଂଚାୟତ କିମ୍ବା ବ୍ଲକ୍ ଅଧାରରେ ହେବା ଆବଶ୍ୟକ। ଧରନ୍ତୁ, ଗୋଟେ ଜିଲ୍ଲା ଉଭୟ ଆଳୁ ଓ ଟମାଟୋ ଉତ୍ପାଦନ କରୁଛି; ତେବେ ସେହି ଅଞ୍ଚଳରେ ‘ମଲ୍ଟି ଷ୍ଟୋରେଜ’ର ବ୍ୟବସ୍ଥା ହେବା ଉଚିତ।
ଅବଶ୍ୟ ଏ କଥା ନୁହେଁ ଯେ ସରକାର ଏ ସବୁ ଅସୁବିଧା ବିଷୟରେ ଅବଗତ ନାହାନ୍ତି। କିନ୍ତୁ ଦୁର୍ବଳ ପରିଚାଳନା ହିଁ ହେଉଛି ମୁଖ୍ୟ ସମସ୍ୟା। ଉଦାହରଣ ସ୍ୱରୂପ ଦୁଇ ବର୍ଷ ତଳେ ସମ୍ବଲପୁରର ଯୁଯୁମୁରା ବ୍ଲକ୍ରେ ଏକ ସୌରଶକ୍ତିସଂପନ୍ନ ଶୀତଳ ଭଣ୍ଡାର ସ୍ଥାପନ କରାଗଲା ପରେ ଅତି କମ୍ ଦିନ ଭିତରେ ‘ସୌର ପ୍ୟାନେଲ’ଗୁଡ଼ିକ ଚୋରି ହୋଇଗଲା। ଏହାର କାରଣ ଦୁର୍ବଳ ସୁରକ୍ଷା ବ୍ୟବସ୍ଥା, ଯାହା ହେଉଛି ଏକ ପରିଚାଳନାଗତ ତ୍ରୁଟି। ପୁଣି ଦେଖାଯାଉଛି ଯେ ଅନେକ ସମୟରେ ବଡ଼ ବ୍ୟବସାୟୀମାନେ ଶୀତଳ ଭଣ୍ଡାରକୁ ନେଇ ସରକାରୀ ସବ୍ସିଡିର ଫାଇଦା ଉଠାନ୍ତି, ଏବଂ ତା’ ପରେ ବିଭିନ୍ନ ଆଳରେ ସେ ସବୁକୁ ବନ୍ଦ କରି ଦିଅନ୍ତି। ଏଭଳି କାର୍ଯ୍ୟକୁ ରୋକିବା ସରକାରଙ୍କ ଦାୟିତ୍ବ। ଅନେକ ବିଶାରଦ ମତ ଦିଅନ୍ତି ଯେ ଶୀତଳ ଭଣ୍ଡାରଗୁଡ଼ିକର ପରିଚାଳନାକୁ ‘ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍’ ବା ‘ପି.ପି.ପି’ ମୋଡ୍ରେ ନିଆଯାଇପାରନ୍ତା। ପ୍ରାୟତଃ ଦେଖାଯାଉଛି ଯେ ଘରୋଇ ଶୀତଳ ଭଣ୍ଡାରଗୁଡ଼ିକ ଦକ୍ଷ ପରିଚାଳନା ହେତୁ ଲାଭବାନ ହେଉଛନ୍ତି। ବିଗତ ୫ ବର୍ଷ ହେଲା ଶୀତଳ ଭଣ୍ଡାର ବ୍ୟବସାୟରେ ଲାଭ ବଢ଼ିବାରେ ଲାଗିଛି ଏବଂ ଦେଶରେ ଶୀତଳ ଭଣ୍ଡାରର ଆବଶ୍ୟକତା ଓ ବ୍ୟବସାୟ ମଉକାର ସଦ୍ ବ୍ୟବହାର କରି ୨୦୧୨ ମସିହାରୁ ୨୦୨୧ ମସିହା ଭିତରେ ଅନେକ ଦେଶୀ ଏବଂ ବିଦେଶୀ କଂପାନି ମିଳିତ ଭାବେ ପାଖାପାଖି ୬,୦୦୦ କୋଟି ଟଙ୍କା ନିବେଶ କରିସାରିଛନ୍ତି। କେବଳ ତାହା ନୁହେଁ, ଦେଶରେ ‘ଇ-କମର୍ସ’ କିମ୍ବା ‘କ୍ଲାଉଡ୍ କିଚେନ’ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହାର ଏକ ମୂଳ ପିଣ୍ଡ ଶୀତଳ ଭଣ୍ଡାର। ତେଣୁ ମୋଟାମୋଟି ଭାବେ କହିଲେ ‘ମଲ୍ଟି କମୋଡିଟି’ ଶୀତଳ ଭଣ୍ଡାରର ଆବଶ୍ୟକତା ଉଭୟ କୃଷକ ତଥା ବ୍ୟବସାୟ ସଂସ୍ଥା ପାଇଁ ଉପଯୋଗୀ ହୋଇଥାଏ। ତେଣୁ ରାଜ୍ୟର ସମସ୍ତ ଶୀତଳ ଭଣ୍ଡାରକୁ ‘ପି.ପି.ପି.’ ମୋଡ୍ରେ କିମ୍ବା ମିଳିତ ଉଦ୍ୟୋଗ ଭାବେ ଚଳାଇବା ଦିଗରେ ସରକାର ବିଚାର କରିବା ଉଚିତ।
ଅନେକ ଗବେଷଣା ରିପୋର୍ଟ ଏବଂ ବ୍ୟବସାୟ ପ୍ରକଳ୍ପ ରିପୋର୍ଟ ଆଧାରରେ କୁହାଯାଇପାରେ ଯେ ଗୋଟିଏ ୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଅତି ଉନ୍ନତ ସୁବିଧା ଥିବା ‘ମଲ୍ଟି ପର୍ପସ୍’ ଶୀତଳ ଭଣ୍ଡାର ବସାଇଲେ ଆନୁମାନିକ ଭାବେ ୩ କୋଟି ଟଙ୍କା ଖର୍ଚ୍ଚ ହୁଏ। ଓଡ଼ିଶାରେ ସମୁଦାୟ ୩୧୪ଟି ବ୍ଲକ ଥିବାରୁ ପ୍ରତି ଦୁଇଟି ବ୍ଲକ ପାଇଁ ଯଦି ଗୋଟିଏ ‘ମଲ୍ଟି ପର୍ପସ ଶୀତଳ ଭଣ୍ଡାର’ର ପ୍ରାବଧାନ କରାଯାଏ, ତେବେ ନୂଆ ଶୀତଳ ଭଣ୍ଡାର ତିଆରି ଏବଂ ପୁରୁଣା ବା ବନ୍ଦ ପଡ଼ିଥିବା ଶୀତଳ ଭଣ୍ଡାରର ପୁନରୁଦ୍ଧାର ପାଇଁ ସରକାରୀ ପାଣ୍ଠିରୁ ପ୍ରଥମ ସ୍ତରରେ ଅତି ଅଧିକରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରାଇଭେଟ କଂପାନିଗୁଡ଼ିକର ବ୍ୟବସାୟ ଉପରେ ନଜର ପକାଇଲେ ଦେଖିବାକୁ ମିଳେ ଯେ ସଫଳ ଭାବେ ପରିଚାଳିତ ଗୋଟିଏ ଶୀତଳ ଭଣ୍ଡାରରେ ଖର୍ଚ୍ଚ ହୋଇଥିବା ଅର୍ଥ ଅତି ଅଧିକରେ ୫-୭ ବର୍ଷରେ ମିଳିଯାଇଥାଏ। ତେଣୁ ଦକ୍ଷ ପରିଚାଳନା ହିଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ଯାହା ଶୀତଳ ଭଣ୍ଡାରଗୁଡ଼ିକୁ ଲାଭପ୍ରଦ କରିବ।
ଶୁଣାଯାଉଛି ଯେ ଓଡ଼ିଶାରେ ୧୦୦ଟି ଶୀତଳ ଭଣ୍ଡାରର ପ୍ରାବଧାନ କରାଯାଉଛି। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ଉପରେ ବର୍ଣ୍ଣିତ ଦିଗଗୁଡ଼ିକ ପ୍ରତି ନଜର ଦିଆ ନ ଗଲେ ଶୀତଳ ଭଣ୍ଡାରର ସ୍ଥାପନା ବିଶେଷ ଲାଭପ୍ରଦ ହୋଇ ନ ପାରେ। ସେଥି ଲାଗି ସରକାର ବିଶେଷଜ୍ଞମାନଙ୍କ ସହିତ ଅଧିକ ବିଚାରବିମର୍ଶ କରନ୍ତୁ। ଆମେ ମନେ ରଖିବା ଉଚିତ ଯେ ଶୀତଳ ଭଣ୍ଡାରର ସଫଳତା ଆମ ରାଜ୍ୟର ଚାଷୀମାନଙ୍କ ଭାଗ୍ୟ ବଦଳାଇ ଦେବ ଓ ଖାଉଟିମାନଙ୍କୁ ମଧ୍ୟ ସୁଲଭ ଦରରେ ଖାଦ୍ୟଦ୍ରବ୍ୟ ଯୋଗାଇ ପାରିବ।
ମୋ: ୯୭୯୧୧୨୧୦୬୮
ବଣିଜ ବିଚାର; ଆମ ଶୀତଳ ଭଣ୍ଡାର ବିଫଳ କାହିଁକି?
ପୂର୍ଣ୍ଣେନ୍ଦୁ କର
/sambad/media/post_attachments/wp-content/uploads/2023/02/cold-store-1.jpg)