ଜଙ୍ଗଲ ଓ ଜଙ୍ଗଲୀ ଜୀବଙ୍କ ପାଇଁ ପ୍ରକୃତିର ଅବଦାନ ଅତୁଳନୀୟ। ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶୀଳ କରି ରଖି ଆମ ପାଇଁ ଏକ ପରିଷ୍କୃତ ଓ ପ୍ରକୃଷ୍ଟ ପରିବେଶ ପ୍ରଦାନ କରିବାରେ ବନ୍ୟ ପ୍ରାଣୀମାନଙ୍କ ଆବଶ୍ୟକତା ଅପରିହାର୍ଯ୍ୟ। କିନ୍ତୁ ବିଡ଼ମ୍ବନା ହେଲା, ଅରଣ୍ୟର ଅବିଚ୍ଛେଦ୍ୟ ଅଂଶ ଓ ଆତ୍ମା ସଦୃଶ ଏହି ଜୀବଜନ୍ତୁମାନେ ଅବିଚାରିତ ଓ ଅବାଞ୍ଛିତ ମାନବୀୟ କାର୍ଯ୍ୟକଳାପ କାରଣରୁ ବାସସ୍ଥଳୀ ସଂକୋଚନ ତଥା ଖାଦ୍ୟ, ପାନୀୟ ଓ ଆଶ୍ରୟ ଇତ୍ୟାଦିର ଅଭାବ ଦ୍ବାରା ଜର୍ଜର ହୋଇ ଚାଲିଛନ୍ତି। ଏଭଳି ସ୍ଥିତିରେ କିଛି ପ୍ରଜାତି ନିଶ୍ଚିହ୍ନ ମଧ୍ୟ ହୋଇ ଗଲେଣି ଏବଂ ଆଉ ଅନେକ ବିଲୁପ୍ତ ହେବାର ଦ୍ବାର ଦେଶରେ। ବାସ ଓ ଖାଦ୍ୟ ହରା ବନ୍ୟଜନ୍ତୁମାନେ ମଣିଷ ବସତି ଅତିକ୍ରମଣ କରୁଥିବାରୁ ମଣିଷ-ବନ୍ୟଜନ୍ତୁ ବିବାଦ ଚରମ ରୂପ ନେଲାଣି। ଏଭଳି ଏକ ସାଂଘାତିକ ସ୍ଥିତିରେ ସୁଧାର ଆଣିବା ପାଇଁ ଜନ ସମାଜର ଭାଗୀଦାରିରେ ବନ୍ୟ ଜନ୍ତୁ ସଂରକ୍ଷଣ କରିବାର ସମୟ ଉପନୀତ।
୧୯୭୬ ମସିହାରେ ୪୨ତମ ସଂଶୋଧନ ମାଧ୍ୟମରେ ସଂବିଧାନର ଅଷ୍ଟମ ପରିଚ୍ଛେଦର ଧାରା ୨୫୬ରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ମିଳିତ ତାଲିକାଭୁକ୍ତ ହେଲା ଏବଂ ଏହାର ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦିଆଗଲା। ସେହି ଅନୁସାରେ କେନ୍ଦ୍ର ସରକାର ନୀତି ନିର୍ଦ୍ଧାରଣ କରୁଥିବା ବେଳେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ପୁନଶ୍ଚ ସଂବିଧାନର ଧାରା ୫୧-ଏ (ଜି) ଅନୁସାରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଉନ୍ନତି ସହିତ ଜୀବମାନଙ୍କ ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ କରିବା ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ। ମନେ ରହିବା ଦରକାର ଯେ ପ୍ରାକୃତିକ ସମ୍ପଦର ପରିଚାଳନା ପରିବର୍ତ୍ତନଶୀଳ ହୋଇଥାଏ; ସୁତରାଂ, ସମୟ ଓ ସ୍ଥିତି ସହିତ ତାଳ ଦେଇ ପରିଚାଳନାରେ ଆଭିମୁଖ୍ୟଗତ ପରିବର୍ତ୍ତନ ଅଣାଯିବା ଦରକାର। ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରାଯାଇସାରିଲାଣି; ଯେମିତି କି ଚିଡ଼ିଆଖାନାରେ ଥିବା ପଶୁପକ୍ଷୀଙ୍କ ରକ୍ଷଣାବେକ୍ଷଣ, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ରକ୍ଷାରେ ବେସରକାରୀ ପୃଷ୍ଠପୋଷକତାକୁ ଏବେ ପ୍ରୋତ୍ସାହନ ଦିଆଯାଉଛି। ଆଗରୁ ଏହା କେବଳ ସରକାରଙ୍କ ଦାୟବଦ୍ଧ ଥିଲା। ଆମ ରାଜ୍ୟର ନନ୍ଦନକାନନରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଦେଶର ଚାରିଟି ହାତୀ ଚଲାପଥ ଯଥା- କର୍ଣ୍ଣାଟକର ଏଡ଼ୟାରହାଲି-ଡୋଡ଼ାସାମ୍ପଗ, ଉତରାଖଣ୍ଡର ଚିଲି-ମୋତିଚୁର, ମେଘାଳୟର ସିଜୁ-ରେୱାକ୍ ଓ କେରଳର ତିରୁନେଲି-କୁଦ୍ରାକୋଟେର ଉନ୍ନତୀକରଣ କାର୍ଯ୍ୟରେ ଵାଇଲ୍ଡଲାଇଫ ଟ୍ରଷ୍ଟ ଅଫ୍ ଇଣ୍ଡିଆ ନାମକ ଏକ ବେସରକାରୀ ଅନୁଷ୍ଠାନ ସରକାରଙ୍କ ଅଂଶୀଦାର ହୋଇଛି। ବିଦେଶରେ ବିଶେଷ କରି ଆଫ୍ରିକୀୟ ଦେଶମାନଙ୍କରେ ଏଭଳି ଭାଗୀଦାରି ସଂରକ୍ଷଣ ବେଶ୍ ଜନପ୍ରିୟ ଓ ସଫଳ ହୋଇଛି।
ସାଂପ୍ରତିକ ପରିସ୍ଥିତିରେ ସୁରକ୍ଷିିତ ଅଞ୍ଚଳର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ସବୁଠାରୁ ଅଧିକ ଆହ୍ୱାନପୂର୍ଣ୍ଣ। ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ କ୍ଷେତ୍ରରେ ଏହା କଷ୍ଟସାଧ୍ୟ, ଜଟିଳ ଏବଂ ଆହ୍ବାନଭରା। ଅଭ୍ୟନ୍ତର ଅଂଚଳ (କୋର୍ ଏରିଆ) ଓ ବାହ୍ୟ ଇଲାକା (ବଫର ଜୋନ୍) ପାଇଁ ଆଇନଗତ ପ୍ରାବଧାନ ଭିନ୍ନ; ଅର୍ଥାତ୍ ଭିତର କ୍ଷେତ୍ର କେବଳ ଜନ୍ତୁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବାହାର ପରିଧିସ୍ଥ ଅଞ୍ଚଳରେ ଉଭୟ ବନ୍ୟପ୍ରାଣୀ ଓ ସନ୍ନିକଟ ଗ୍ରାମଗୁଡ଼ିକର ଅଧିବାସୀମାନେ ଚଳପ୍ରଚଳ ଓ ଉପଭୋଗ କରିପାରିବେ। ଏଭଳି ସ୍ଥଳେ ସୁରକ୍ଷିତ ଅଞ୍ଚଳରେ ପରିସଂସ୍ଥା ଉନ୍ନୟନ ସମିତିମାନ ଗଠନ କରାଯାଇ ଜନ-ଭାଗୀଦାରିକୁ ପ୍ରୋତ୍ସାହିତ କରାଯାଇଛି। ଏଥିରେ ଲୋକମାନଙ୍କର ଅଧିକାର, ଦାୟିତ୍ୱ ଓ ଲାଭାଂଶ ସ୍ଥିରୀକୃତ କରାଯାଇଥାଏ। କିନ୍ତୁ ଏଥିରେ କ୍ଷତିରେ ଅଂଶୀଦାରିର କୌଣସି ବ୍ୟବସ୍ଥା ନାହିଁ। ସୁତରାଂ, ଏଭଳି ସ୍ଥିତିରେ ଜନସାଧାରଣଙ୍କ ଦ୍ବାରା ଦାୟିତ୍ୱ ନିର୍ବାହନ ଆଶାନୁରୂପକ ହୋଇପାରୁନାହିଁ। ଶିକାର ଓ ଅନ୍ୟାନ୍ୟ ଅପରାଧକୁ ରୋକିବା ଦିଗରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ମିଳୁନାହିଁ। ତେଣୁ ଏଭଳି ଅଂଶୀଦାରିକୁ ଅଧିକ ପ୍ରଭାବଶାଳୀ କରିବାକୁ ହେଲେ କ୍ଷତି ଭରଣା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବାକୁ ହେବ। ଜନ୍ତୁ ଉପଦ୍ରବ ଜନିତ କ୍ଷତିର ଉପଯୁକ୍ତ ଭରଣା କରାଯିବା ନିତାନ୍ତ ଆବଶ୍ୟକ। ଓଡ଼ିଶାରେ ହାତୀ ଉତ୍ପୀଡ଼ିତ ଚାଷୀମାନଙ୍କୁ ଅନୁକମ୍ପା ରାଶି ବଦଳରେ ଯଥେଷ୍ଟ କ୍ଷତିପୂରଣ ଦେବା ପାଇଁ ହାତୀ ସୁରକ୍ଷା ପାଇଁ ସମର୍ପିତ ଏକ ସଂସ୍ଥା ‘ସେଭ୍ ଏଲିଫେଣ୍ଟ୍ ଫାଉଣ୍ଡେସନ୍ ଟ୍ରଷ୍ଟ’ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି। ଏହା ଦ୍ୱାରା ଉତ୍ପୀଡ଼ିତ ଜନତାଙ୍କ ଭିତରେ ହାତୀ ପ୍ରତି ଆକ୍ରୋଶ କମିବାର ସମ୍ଭାବନା ଅଧିକ।
ବନ ଓ ବନ୍ୟଜନ୍ତୁ ଉଭୟ ହେଉଛନ୍ତି ରାଷ୍ଟ୍ରୀୟ ସମ୍ବଳ। ଏମାନଙ୍କ ସୁରକ୍ଷାରେ ଦେଶର ନାଗରିକମାନଙ୍କ ସ୍ୱାର୍ଥ ନିହିତ। ଭୁଲିଗଲେ ହେବ ନାହିଁ ଯେ ଜଙ୍ଗଲ ସମୀପବର୍ତ୍ତୀ ଅଞ୍ଚଳର ଅଧିବାସୀମାନଙ୍କ ସହଯୋଗ ନ ମିଳିଲେ ସଂରକ୍ଷଣ ସଫଳ ହେବ ନାହିଁ। ସେହି ଦୃଷ୍ଟିରୁ ଏହି ସମ୍ବେଦନଶୀଳ ସମସ୍ୟାଟି ଗୁରୁତ୍ବ ଲାଭ କରିବା ଦରକାର।
(ବନ୍ୟଜନ୍ତୁ ସପ୍ତାହ ଅବସରରେ)
ମୋ: ୯୪୩୭୦୮୦୨୩୩
ବନ୍ୟଜନ୍ତୁ ସଂରକ୍ଷଣ ଓ ଜନ ଭାଗୀଦାରି
ଜିତଶତ୍ରୁ ମହାନ୍ତି
/sambad/media/post_attachments/wp-content/uploads/2023/10/dg654gdj65gjgjdgj.jpg)