ଜିତଶତ୍ରୁ ମହାନ୍ତି
ରାଜନୈତିକ କାରଣରୁ କେବେ ହେଲେ ଚର୍ଚ୍ଚାରେ ରହି ନ ଥିବା ଉତ୍ତର ମେରୁସ୍ଥ ସ୍ଥଳଭାଗ ଗ୍ରିନଲାଣ୍ଡକୁ ନେଇ ଅନେକ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଅଧିକାର କରିବାକୁ ମନ ବଳାଇବା କଥା କହିଲେ। ଏହି ଭୂଖଣ୍ଡ ଯଦି କେବେ ଆଲୋଚନାର ବଳୟକୁ ଆସିଛି, ତେବେ ତାହା ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ଅଞ୍ଚଳ ଭୋଗୁଥିବା ଦୁଃସ୍ଥିତିକୁ ନେଇ! ସ୍ୱୟଂଶାସିତ ଗ୍ରିନଲାଣ୍ଡ ହେଉଛି ଡେନମାର୍କ ସାମ୍ରାଜ୍ୟର ଅଂଶ। ଅବସ୍ଥିତି ଦୃଷ୍ଟିରୁ ଯଦିଓ ଏହା ଉତ୍ତର ଅମେରିକାର ଅତିି ନିକଟରେ, ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ବିଚାରରେ ଏହା ୟୁରୋପ ସହିତ ଅଧିକ ଏକାତ୍ମ। ରଣନୈତିକ କାରଣରୁ ଏହି ଭୂଖଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ଭୂଖଣ୍ଡର କ୍ଷେତ୍ରଫଳ ହେଉଛି ୨୧.୬୬ ଲକ୍ଷ ବର୍ଗ କିଲୋମିଟର, ଯହିଁରୁ ୧୮ ଲକ୍ଷ ବର୍ଗ କିଲୋମିଟର କଠିନ ବରଫ ଆସ୍ତରଣ ଦ୍ବାରା ଆଚ୍ଛାଦିତ। ଏହାର ଜନସଂଖ୍ୟା ମାତ୍ର ୫୬ ହଜାରରୁ କିଛି ଅଧିକ, ଯହିଁରୁ ୯୦ ପ୍ରତିଶତ ଏସ୍କିମୋ। ଏହାର ଦକ୍ଷିଣ ଭାଗରେ ଥିବା ତୁନ୍ଦ୍ରାଞ୍ଚଳରେ ଚାରଣ ଭୂଇଁ ଓ ଅଳ୍ପ ଗଛଲତା ଓ ଜନବସତି ଦେଖିବାକୁ ମିଳିଥାଏ। ଏହି ଦେଶର ମାତ୍ର ୧ ପ୍ରତିଶତ ଅଞ୍ଚଳରେ ଯଅ ଓ ବାଲି ଭଳି କିଛି ଶସ୍ୟ ଚାଷ କରାଯାଏ।
ଏହାର ୩୯,୩୩୦ କିଲୋମିଟର ଦୀର୍ଘ ଦନ୍ତୁରିତ ଉପକୂଳ ଜାହାଜ ଓ ନୌପରିଚାଳନା ପାଇଁ ବେଶ୍ ଉପଯୋଗୀ। ପର୍ଯ୍ୟଟନ ଓ ମତ୍ସ୍ୟ ରପ୍ତାନି ହେଉଛି ଏହି େଦଶର ଆୟର ପ୍ରଧାନ ଉତ୍ସ। ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନରୁ ଏହି ଦେଶର ବାର୍ଷିକ ହାରାହାରି ଆୟ ହେଉଛି ପ୍ରାୟ ୬୭ ନିୟୁତ ଡଲାର।
ଗ୍ରିନଲାଣ୍ଡର ବୈଶିଷ୍ଟ୍ୟ ହେଉଛି ଯେ ଏହା ୨୯ ଲକ୍ଷ ଘନ କିଲୋମିଟର ଘନତା ବିଶିଷ୍ଟ ଗୋଟିଏ ବିରାଟ ହିମଖଣ୍ଡ, ଯାହା ପୃଥିବୀର ମଧୁର ଜଳ ଉତ୍ସର ୨୦ ପ୍ରତିଶତ। ଏହା ଗ୍ରୀଷ୍ମରେ ତରଳି ଶୀତରେ ଜମାଟ ବାନ୍ଧୁଥିବାରୁ ଏହାର ଆକାର ନବମ ଦଶକ ପର୍ଯ୍ୟନ୍ତ ପ୍ରାୟ ସମାନ ରହି ଆସିଥିଲା। କିନ୍ତୁ ଉଦ୍ବେଗର ବିଷୟ ହେଲା, ବିଶ୍ୱ ଉତ୍ତପ୍ତୀକରଣ ହେତୁ କୋଟି କୋଟି ବର୍ଷର ବରଫାବୃତ ଅଂଶ ଦ୍ରୁତ ଗତିରେ ତରଳିବା ଆରମ୍ଭ କଲାଣି, ଯଦ୍ଦ୍ବାରା ବାର୍ଷିକ ପ୍ରାୟ ୨୫୦ ବିଲିଅନ ଟନ୍ରୁ ଅଧିକ ବରଫର କ୍ଷୟ ହେଲାଣି ଏବଂ ଏକ ଆକଳନ ଅନୁସାରେ ଏହି ଧାରା ଲାଗି ରହିଲେ ୨୧୦୦ ମସିହା ବେଳକୁ ଏହି ବିଶାଳ ହିମଖଣ୍ଡର ପ୍ରାୟ ୭୦ ପ୍ରତିଶତ ହ୍ରାସ ପାଇଯିବ। ଏକ ଅନୁଧ୍ୟାନ କହିଛି ଯେ ଗ୍ରିନଲାଣ୍ଡର ବରଫ ଚାଦର ତରଳିବା ଯୋଗୁଁ ସମୁଦ୍ର ଜଳ ସ୍ତରରେ ୧୦.୦୬ ମିଲିମିଟର ବୃଦ୍ଧି ଘଟିଛି, ଯେଉଁ କାରଣରୁ ଉପକୂଳ ଜଳମଗ୍ନ ହେଉଛି, ବନ୍ୟା ହେଉଛି, ମଧୁର ଜଳ ସ୍ରୋତରେ ବ୍ୟାହତ ଘଟୁଛି। ପ୍ରକାଶ ଥାଉ କି ଉତ୍ତର ଗୋଲାର୍ଦ୍ଧର ପ୍ରାୟ ୨ ବିଲିଅନ ଅର୍ଥାତ୍ ୨୦୦ କୋଟି ଲୋକଙ୍କର ମଧୁର ଜଳ ଚାହିଦା ଗ୍ରିନଲାଣ୍ଡ ମେଣ୍ଟାଇଥାଏ। ଗ୍ରିନଲାଣ୍ଡର ତୁଷାର ଆସ୍ତରଣ ପ୍ରାୟ ୨୬ ବିଲିଅନ ଟନ୍ ଅଙ୍ଗାର ଆବଦ୍ଧ କରି ରଖିଛି। ଧବଳ ତୁଷାର ଆସ୍ତରଣ ଦ୍ବାରା ବିକୀରିତ ସୂର୍ଯ୍ୟାଲୋକ ଅନ୍ତରୀକ୍ଷକୁ ଫେରି ଯାଉଥିବାରୁ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ରୋକିବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରେ। କିନ୍ତୁ ବରଫ ତରଳୁଥିବା ହେତୁ ଆବଦ୍ଧ କାର୍ବନ ମୁକ୍ତ ହୋଇ ବାୟୁମଣ୍ଡଳରେ ପ୍ରବେଶ କରୁଛି, ଯାହା ତାପମାତ୍ରା ବୃଦ୍ଧିର କାରଣ ହେଉଛି। ଏଭଳି ନିର୍ଗତ ହେଉଥିବା ଅଙ୍ଗାରକର ପରିମାଣ ପ୍ରାୟ ୩ ନିୟୁତ ଟନରୁ ଅଧିକ। ଗ୍ରିନଲାଣ୍ଡର ବରଫ ତରଳୁଥିବା ହେତୁ ଚଳିତ ଶତାବ୍ଦୀର ଶେଷ ଆଡ଼କୁ ସମୁଦ୍ର ତଟବର୍ତ୍ତୀ ବହୁ ବଡ଼ ବଡ଼ ସହର ଜଳାର୍ଣ୍ଣବ ହୋଇଯିବେ ବୋଲି ଆଶଙ୍କା ଦେଖା ଦେଲାଣି। ଏହା ଫଳରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ପୃଥିବୀ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ ଆକ୍ରାନ୍ତ ହେବେ।
କିନ୍ତୁ ବିଡ଼ମ୍ବନା ହେଲା, ଏଭଳି ଦୁଃସ୍ଥିତି ଲୋଭୀ ମନୁଷ୍ୟ ଲାଗି ମଧ୍ୟ ସୁଯୋଗର ଦ୍ବାର ଖୋଲି ଦେଇଛି। ଗ୍ରିନଲାଣ୍ଡ ବହୁ ଦୁର୍ଲଭ ଓ ଦୁର୍ମୂଲ୍ୟ ଖଣିଜ ପଦାର୍ଥ, ଧାତୁ, ବିରଳ ମୃତ୍ତିକାର ଗନ୍ତାଘର ହୋଇଥିବାରୁ ବରଫର ଆସ୍ତରଣ ପତଳା ହୋଇ ଏ ସବୁ ଖଣିଜର ଉତ୍ତୋଳନ ନେଇ ସମ୍ଭାବନା ସୃଷ୍ଟି କଲାଣି। ବର୍ତ୍ତମାନ ବିରଳ ମୃତ୍ତିକା ପୃଥିବୀର ଜୀବନରେଖା ପାଲଟିବାକୁ ଯାଉଛି, ଯେଉଁ କାରଣରୁ ଏକଦା ଅନାକର୍ଷଣୀୟ ଗ୍ରିନଲାଣ୍ଡ ଏବେ ଆଗ୍ରହର କେନ୍ଦ୍ରରେ। କେବଳ ସେତିକି ନୁହେଁ, ବରଫ ତରଳିବା ହେତୁ ଉତ୍ତର-ପଶ୍ଚିମ ଜଳପଥ ଓ ମେରୁ ଅଞ୍ଚଳ ସମୁଦ୍ର ପଥ ଭଳି ଦୁଇଟି ଜାହାଜ ଚଳାଚଳ ମାର୍ଗ ଖୋଲିବାକୁ ଆରମ୍ଭ କଲାଣି। ଏହା ଦ୍ବାରା ଅନେକ ଦେଶ ଲାଗି ୟୁରୋପ ପହଞ୍ଚିବା ସକାଶେ ଆଉ ବୁଲାଣି ପଡ଼ିବ ନାହିଁ। ଏହି ଜଳପଥର ମାଲିକାନା ଲାଗି ମଧ୍ୟ ଆମେରିକା ଆଗ୍ରହୀ, ତେଣୁ ଗ୍ରିନଲାଣ୍ଡ ଅକ୍ତିଆର କରିବା ବିଷୟ ଟ୍ରଂପ କହୁଛନ୍ତି। ଏଣେ ଚୀନ ମଧ୍ୟ ସେହି ଜଳପଥର ବ୍ୟବହାର କରିବାକୁ ଆଗ୍ରହୀ। କେବଳ ସେତିକି ନୁହେଁ, ଆମେରିକା ସେଠାରେ ସାମରିକ ଘାଟୀ ମଧ୍ୟ ପ୍ରତିଷ୍ଠା କରିବାକୁ ଇଚ୍ଛୁକ। ଏଭଳି ସ୍ଥିତିରୁ ମନେ ହୁଏ ଯେ ଯେ ଗ୍ରିନଲାଣ୍ଡରେ ମାନବୀୟ କାର୍ଯ୍ୟକଳାପ ଅଧିକ ସଘନ ହେବ। ସତରେ ମାନବର ଲୋଭର କୌଣସି ଅନ୍ତ ନାହିଁ। ଏବଂ ଏହି କାରଣରୁ ପୃଥିବୀର ଜଳବାୟୁ ଓ ପ୍ରକୃତିକୁ ଏକ ଉପହାର ସ୍ବରୂପ ମିଳିଥିବା ଏହି ନୈସର୍ଗିକ ଭୂଖଣ୍ଡ ଅଭିଶପ୍ତ ପାଲଟିଯିବ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩