ଗତ ୧୪ ତାରିଖରୁ କଂଗ୍ରେସ ଦ୍ବାରା ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ମୋର ପିଲାଦିନେ ଶୁଣିଥିବା ଗୀତ ‘ଇନ୍‌ସାଫ୍‌ କି ଡଗର ପେ, ବଚ୍ଚୋଁ ଦିଖାଓ ଚଲ୍‌‌ କେ ୟେ ଦେଶ ହୈ ତୁମ୍‌ହାରା, ନେତା ତୁମ୍‌ହି ହୋ କଲ କେ’ ମନେ ପକାଇଦେଇଛି। ସଂବିଧାନର ପ୍ରସ୍ତାବନାରେ ‘ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ’ ପ୍ରତିଶ୍ରୁତିର ଏକ ଦଶନ୍ଧି ପରେ ‘ଗଙ୍ଗା ଯମୁନା’ ଚଳଚ୍ଚିତ୍ର ପାଇଁ ଶକିଲ ବଦାୟୁନି ଲେଖିଥିବା ଏବଂ ହେମନ୍ତ କୁମାର ଗାଇଥିବା ଏହି ଗୀତ ଆମକୁ ଦେଶଭକ୍ତି ଓ ନ୍ୟାୟର ଅନ୍ତରଙ୍ଗ ସମ୍ବନ୍ଧକୁ ମନେ ପକାଇଦିଏ।
‘ଅପନେ ହୋ ୟା ପରାଏ, ସବକେ ଲିଏ ହୋ ନ୍ୟାୟ/ ଦେଖୋ କଦମ ତୁମ୍‌ହାରା ହରଗିଜ୍‌ ନ ଡଗମଗାଏ’- ଏହି ପଙ୍‌କ୍ତି ନ୍ୟାୟର ଏପରି ଏକ ବୋଧକୁ ସୂଚାଉଛି, ଯାହା କୌଣସି କାଠଗଡ଼ାରେ ବା ଦେଶର ସୀମାରେ ବନ୍ଧାହୋଇ ନାହିଁ। ଏଠାରେ ନ୍ୟାୟ ପରଆପଣା କୌଣସି ଭେଦଭାବକୁ ମାନିବା ପାଇଁ ମଧ୍ୟ ପ୍ରସ୍ତୁତ ନୁହେଁ। ଅନ୍ୟଠାରୁ ଉଚ୍ଚ ହେବାପାଇଁ ନୁହେଁ, ବରଂ ସମଗ୍ର ମାନବତାକୁ ଉପରକୁ ଉଠାଇ ଭାରତର ଗୌରବ ବଢ଼ାଅ: ‘ଇନ୍‌ସାନିୟତ କେ ସର ପର ଇଜ୍ଜତ ରଖନା/ ତନ ମନ ଭି ଭେଟ ଦେକର ଭାରତ କି ଲାଜ୍‌ ରଖନା’। ଏହି ଗୀତ ଆମକୁ ସତର୍କ କରାଇ ଦେଇଛି କି, କେବଳ ‘ସତ୍ୟର ଶକ୍ତି ଜରିଆରେ’ ଭାରତର ସମ୍ମାନ ରକ୍ଷା କରାଯାଇପାରିବ।
ବିଗତ ୬୩ ବର୍ଷ ଭିତରେ ଭାରତର ଯାତ୍ରା ଆମକୁ ନ୍ୟାୟ ପଥଠାରୁ ବହୁତ ଦୂରରେ ରଖିଛି। ଆମେ ପ୍ରତ୍ୟେକ ପ୍ରଶ୍ନକୁ ପରଆପଣା ନଜରରେ ଦେଖୁଛନ୍ତି। ଯଦି ପୀଡ଼ିତ ବ୍ୟକ୍ତି ନିଜ ଧର୍ମ କି ଜାତିର ନୁହେଁ, ତା’ହେଲେ ଆମେ ସମସ୍ତ ପ୍ରକାର ଅନ୍ୟାୟକୁ ବରଦାସ୍ତ କରିବା ସହିତ ତାହାର ମହିମାମଣ୍ଡନ କରିବା ଲାଗି ମଧ୍ୟ ପ୍ରସ୍ତୁତ। ସୁଦୂର ଅତୀତରେ ହୋଇଥିବା ଅଥବା କାଳ୍ପନିକ ଭାବେ ସଂଘଟିତ ଅନ୍ୟାୟର ପ୍ରତିଶୋଧ ନେବାକୁ ଆମେ ନ୍ୟାୟ ବୋଲି ଗ୍ରହଣ କରିନେଇଛୁ। ଘରେ ଘଟୁଥିବା ଅନ୍ୟାୟ ଉପରେ ମିଛର ଚାଦର ଢାଙ୍କିଦେଇ ଆମେ ବିଶ୍ବଗୁରୁ ବୋଲାଇବା ଲାଗି ପ୍ରୟାସ ଚଳାଇଛୁ।
ଏଭଳି ପରିସ୍ଥିତିରେ କଂଗ୍ରେସ ଦଳର ନ୍ୟାୟ ଯାତ୍ରା ଯଦିଓ କିଛି ଆଶା ସଂଚାର କରୁଛି, କିଛି ପ୍ରଶ୍ନ ମଧ୍ୟ ଛିଡ଼ା କରାଉଛି। ରାଜନୈତିକ ଦୃଷ୍ଟିକୋଣରୁ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’କୁ ଆଗାମୀ ଲୋକସଭା ନିର୍ବାଚନ ସହ ଯୋଡ଼ି ଦେଖାଯିବା କଥାଟା ମଧ୍ୟ ଠିକ୍‌। ଯଦି ନିର୍ବାଚନରେ କଂଗ୍ରେସ ନିଜର ସ୍ଥିତିକୁ ମଜବୁତ କରିବା ଲାଗି ଏହି ଯାତ୍ରା କରୁଛି, ତେବେ ଏଥିରେ କିଛି ଭୁଲ୍‌ ନାହିଁ। କୌଣସି ଦଳ ନିର୍ବାଚନ ଜିତିବା ପାଇଁ ନ୍ୟାୟ, ସତ୍ୟ, ଅହିଂସା, ସମାନତା ଓ ସ୍ବାଧୀନତା ଭଳି ମୂଲ୍ୟବୋଧ ଉପରେ ନିର୍ଭର କରିବାକୁ ଚାହିଁଲେ, ତାହାକୁ ସ୍ବାଗତ କରାଯିବା ଉଚିତ।
ତେବେ ଏହି ଯାତ୍ରାର ନ୍ୟାୟର ଅର୍ଥ କ’ଣ ବୋଲି ଏଠାରେ ପ୍ରଶ୍ନ ଉଠୁଛି। କଂଗ୍ରେସ ଜାରି କରିଥିବା ଘୋଷଣାରେ ନ୍ୟାୟର ଅବଧାରଣାକୁ ସାଂବିଧାନିକ ଭାଷାରେ ଅର୍ଥାତ୍‌ ରାଜନୈତିକ, ଆର୍ଥିକ ଓ ସାମାଜିକ ନ୍ୟାୟର ସଂକଳ୍ପକୁ ସୂଚିତ କରାଯାଇଛି।
ସର୍ବପ୍ରଥମେ ଏହି ଯାତ୍ରାକୁ ସମକାଳୀନ ପ୍ରସଙ୍ଗ ସହ ଯୋଡ଼ିହେବାକୁ ପଡ଼ିବ। ସ୍ବାଧୀନତା ପରଠାରୁ ସାଧାରଣ ଲୋକଙ୍କ ପାଇଁ ନ୍ୟାୟକୁ ଭିନ୍ନ ଭିନ୍ନ ଅର୍ଥରେ ପ୍ରକାଶ କରାଯାଇଛି। ସତୁରି ଓ ଅଶୀ ଦଶକରେ ନ୍ୟାୟର ଅର୍ଥ ଥିଲା ‘ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ’, ଅର୍ଥାତ୍‌ ଲୋକଙ୍କ ପାଇଁ ଜୀବନର ସର୍ବନିମ୍ନ ଆବଶ୍ୟକତା। ତେବେ ନବେ ଦଶକ ଆସିଲା ବେଳକୁ ଲୋକଙ୍କର ଏହି ଚିନ୍ତାଧାରା ବଦଳି ଯାଇଥିଲା। ସେତେବେଳେ ସେମାନଙ୍କ ପାଇଁ ‘ବିଦ୍ୟୁତ୍‌, ରାସ୍ତା ଓ ଜଳ’ ଜରୁରୀ ହୋଇଗଲା।
ତେବେ ସମ୍ପ୍ରତି ଲୋକଙ୍କର ଆକାଂକ୍ଷା ଆହୁରି ଅଧିକ ବଢ଼ିଯାଇଛି। ‘ଯୁବା ହଲ୍ଲା ବୋଲ’ର ନେତା ଅନୁପମ ଏହି ନବୀନ ଆକାଂକ୍ଷାକୁ ‘ରୋଜଗାର, ଶିକ୍ଷା ଓ ଔଷଧ’ ବୋଲି କହିଛନ୍ତି। ଆଜି ଦେଶବାସୀ ଏଭଳି ନେତାଙ୍କୁ ଖୋଜୁଛନ୍ତି ଯିଏ ପ୍ରତ୍ୟେକ ଯୁବକଙ୍କୁ ରୋଜଗାର ଦେଇପାରିବେ, ପ୍ରତ୍ୟେକ ପିଲାଙ୍କୁ ଶିକ୍ଷା ପାଇଁ ସମାନ ଓ ଉତ୍ତମ ସୁଯୋଗ ଯୋଗାଇବେ ଏବଂ ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ସୁବିଧା ଦେଇପାରିବେ। ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’କୁ ଏହି ନୂତନ ଆକାଂକ୍ଷା ସହ ଯୋଡ଼ିହେବାକୁ ପଡ଼ିବ।
ଏହି ଆକାଂକ୍ଷାକୁ ନ୍ୟାୟ ଦେବା ଲାଗି ସେମାନଙ୍କୁ ଠୋସ ଯୋଜନା ଓ ଘୋଷଣାର ସ୍ବରୂପ ଉପସ୍ଥାପନ କରିବାକୁ ହେବ। ବେକାରୀ ସଂକଟକୁ ମୁକାବିଲା କରିବା ପାଇଁ ରୋଜଗାରର ଅଧିକାରକୁ ଦୃଢ଼ ନୀତିରେ ରୂପାନ୍ତର କରିବାକୁ ପଡ଼ିବ। ଏଥି ପାଇଁ ଗ୍ରାମାଞ୍ଚଳ ରୋଜଗାରର ଗ୍ୟାରେଣ୍ଟି ସହିତ ରାଜସ୍ଥାନରେ କାର୍ଯ୍ୟକାରୀ ହୋଇଥିବା ସହରୀ ନିଯୁକ୍ତି ଗ୍ୟାରେଣ୍ଟି ଏବଂ ଶିକ୍ଷିତ ବେକାରଙ୍କ ପାଇଁ ମାଗଣା ପ୍ରଶିକ୍ଷଣ ଭଳି ଯୋଜନାଗୁଡ଼ିକର ନୀଳନକ୍ସା ଉପସ୍ଥାପନା କରିବାକୁ ହେବ। ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ଦେବା ଲାଗି କେବଳ ବୀମା ଉପରେ ନିର୍ଭର କରିବା ପରିବର୍ତ୍ତେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ସରକାରୀ ଜିଲ୍ଲା ଡାକ୍ତରଖାନା ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବାକୁ ପଡ଼ିବ। ସେଥିରେ ମାଗଣାରେ ଡାକ୍ତର ପରାମର୍ଶ ସହ ମାଗଣା ପରୀକ୍ଷାନିରୀକ୍ଷା ଓ ଔଷଧ ପ୍ରଦାନର ବ୍ୟବସ୍ଥାକୁ ବି ସୁନିଶ୍ଚିତ କରିବାକୁ ପଡ଼ିବ। ଶିକ୍ଷାକ୍ଷେତ୍ରରେ ସମାନତା ଆଣିବା ଲାଗି କେଜିରୁ ପିଜି ଯାଏ ଗୁଣାତ୍ମକ ଶିକ୍ଷାର ସମାନ ସୁଯୋଗକୁ ନିଶ୍ଚିତ କରିବାକୁ ହେବ।
ସବୁଠୁ ବଡ଼ ଆହ୍ବାନ ହେଉଛି ଏହି ନ୍ୟାୟର ଅବଧାରଣା ପାଇଁ ଏକ ରାଜନୈତିକ ଆଧାର ସୃଷ୍ଟି କରିବା। ଆଜିର ଭାରତରେ ଅନ୍ୟାୟର ଶିକାର ହୋଇଥିବା ବର୍ଗଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ନୁହେଁ। ମହିଳା, ବେକାର, ଯୁବକ, ଗରିବ, ଶ୍ରମିକ ଓ କୃଷକମାନଙ୍କ ସମେତ ଏବେ ବି ସାମାଜିକ ଅନ୍ୟାୟର ଶିକାର ହେଉଥିବା ସଂପ୍ରଦାୟଗୁଡ଼ିକୁ ଚିହ୍ନଟ କରିବାକୁ ପଡ଼ିବ। ଏହି ଯାତ୍ରାର ନୈତିକ ତଥା ରାଜନୈତିକ ଦାୟିତ୍ବ ହେଉଛି ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମାଜର ସ୍ବର ଉତ୍ତୋଳନ କରିବା ଅବସରରେ ଯାଯାବର ସମାଜ, ପସମାନ୍ଦା ସମାଜ (ମୁସଲମାନ ପଛୁଆ ବର୍ଗ), ଅତି ପଛୁଆବର୍ଗ ଓ ମହାଦଳିତ ଶ୍ରେଣୀର ସ୍ବରକୁ ମଧ୍ୟ ଉତ୍ତୋଳିତ କରିବା।
ଏହି ବିରାଟ ତଥା ଦୀର୍ଘମିଆଦୀ ଦାୟିତ୍ବକୁ ସ୍ବୀକାର କରିପାରିଲେ ନ୍ୟାୟ ଯାତ୍ରା ଏହି ପଙ୍‌କ୍ତିକୁ ଗୁଣୁଗୁଣେଇ ଆଗକୁ ବଢ଼ିପାରିବ: ‘ଦୁନିଆ କେ ରଂଜ ସହନା ଔର କୁଚ୍ଛ ନ ମୁହଁ ସେ କହନା/ ସଚ୍ଚାଇୟୋଂ କେ ବଲ ପେ ଆଗେ କୋ ବଢ଼ତା ରହନା/ ରଖ ଦୋଗେ ଏକ ଦିନ ତୁମ୍‌ ସଂସାର କୋ ବଦଲ କେ/ ଇନ୍‌ସାଫ କି ଡଗର ପେ...’
ଭାରତ ଯୋଡ଼ୋ ଅଭିଯାନ, ରାଷ୍ଟ୍ରୀୟ ସଂଯୋଜକ