ଚାଷୀଙ୍କୁ ସନ୍ତୁଷ୍ଟ କରିବ କି କେନ୍ଦ୍ର ବଜେଟ୍‌?

ସରଳ କୁମାର ଦାସ

ଦେଶରେ କୃଷିକୁ ବୈଷୟିକ ଆଧୁନିକ ଜ୍ଞାନକୌଶଳ ଆଧାରିତ କରିବା ପାଇଁ ବଜେଟ୍‌ରେ ହୋଇଥିବା ପ୍ରୟାସ ପ୍ରଶଂସନୀୟ ହୋଇଥିଲେ ବି ଏହାକୁ ଅତି ବେଶିରେ ଭବିଷ୍ୟତ୍‌ର କୃଷି ଲାଗି ଏକ ବଜେଟ୍‌ ବୋଲି କୁହାଯାଇପାରେ, କାରଣ ଏଥିରେ ଚାଷୀ ସମ୍ମୁଖୀନ ହେଉଥିବା ତାତ୍କାଳିକ ମୌଳିକ ପ୍ରସଙ୍ଗ ଓ ସମସ୍ୟାଗୁଡ଼ିକ ସମ୍ପର୍କରେ ବିଶେଷ ଉଲ୍ଲେଖ ନାହିଁ।

ବିବାଦୀୟ ତିନିଟି କୃଷି ଆଇନ ପ୍ରତ୍ୟାହୃତ ହୋଇ କୃଷକ ଆନ୍ଦୋଳନ ସ୍ଥଗିତ ରହିବା ପରେ ଏ ବର୍ଷ କେନ୍ଦ୍ର ବଜେଟ୍‌ରେ କୃଷିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଥିଲା ବେଳେ ପ୍ରମୁଖ ଚାଷୀ ସଂଗଠନଗୁଡ଼ିକ ବଜେଟ୍‌ଟି ନିରାଶାଜନକ ବୋଲି ଅଭିହିତ କରିଛନ୍ତି। ସେ ସଂପର୍କରେ ଏକ ଆଲୋଚନା ପ୍ରାସଙ୍ଗିକ ଭଳି ଲାଗେ।
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପାଇଁ ୨୦୨୨-୨୩ ବଜେଟ୍‌ରେ ପ୍ରାୟ ୧.୩୩ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଗତ ବର୍ଷ ସଂଶୋଧିତ ବଜେଟ୍‌ ଆକଳନ ଅନୁଯାୟୀ ଏହି ରାଶି ୧.୨୭ ଲକ୍ଷ କୋଟି ଟଙ୍କା ଥିଲା, ଯେଉଁଥିରେ ଏ ବର୍ଷ ମାତ୍ର ୪.୫ ପ୍ରତିଶତ ବୃଦ୍ଧି ଘଟିଛି। ଏହି ଆବଣ୍ଟିତ ରାଶି ମଧ୍ୟରୁ ୬୮ ହଜାର କୋଟି ଟଙ୍କା ବା ଅଧାରୁ ବେଶି କେବଳ ପିଏମ୍‌-କିଷାନ ଯୋଜନା ପାଇଁ ଆବଣ୍ଟିତ ହୋଇଛି। ଚାଷୀ ପରିବାରଙ୍କୁ ମିଳୁଥିବା ବାର୍ଷିକ ୬୦୦୦ ଟଙ୍କା ଏହି ପାଣ୍ଠିରୁ ଦିଆଯାଇଥାଏ। ତେଣୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଉପଲବ୍‌ଧ ରାଶି ସୀମିତ ଅଟେ।

ଏ ବର୍ଷ ବଜେଟ୍‌ରେ କୃଷି କ୍ଷେତ୍ରରେ ଯେଉଁ ନୂଆ କାର୍ଯ୍ୟକ୍ରମଗୁଡ଼ିକର ଘୋଷଣା କରାଯାଇଛି, ତନ୍ମଧ୍ୟରେ ପି.ପି.ପି. ମାଧ୍ୟମରେ କୃଷକଙ୍କୁ ଡିଜିଟାଲ, ହାଇ-ଟେକ୍‌ ସେବା ପ୍ରଦାନ, କୃଷି ଓ ଗ୍ରାମୋଦ୍ୟୋଗ ପାଇଁ ନାବାର୍ଡ ମାଧ୍ୟମରେ ଏକ ଷ୍ଟାର୍ଟ-ଅପ୍‌ ପାଣ୍ଠିର ପ୍ରତିଷ୍ଠା, ଜଳସେଚନର କ୍ଷେତ୍ର ବିସ୍ତାର ଉଦ୍ଦେଶ୍ୟରେ ପାଇଲଟ ଭିତ୍ତିରେ କେନ-ବେତୱା ନଦୀ ସଂଯୋଗୀକରଣ ଆଦି ଅନ୍ୟତମ। କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଉପଯୋଗକୁ ବଢ଼ାଇବା ପାଇଁ ‘କିଷାନ ଡ୍ରୋନ୍‌’ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଡ୍ରୋନ୍‌ ମାଧ୍ୟମରେ ଆକାଶମାର୍ଗରୁ ଫସଲର ସ୍ଥିତି ଆକଳନ, ଜମିଜମା ରେକର୍ଡକୁ ଡିଜିଟାଇଜ କରିବା, କୀଟନାଶକ ଓ ପୋଷକ ସ୍ପ୍ରେ କରିବା ଆଦି କରାଯାଇପାରିବ। ଡ୍ରୋନ୍‌ ଦ୍ୱାରା କୀଟନାଶକ ସ୍ପ୍ରେ କରାଗଲେ ଚାଷୀମାନେ ସିଧାସଳଖ କ୍ଷତିକାରକ କୀଟନାଶକ ସଂସ୍ପର୍ଶରେ ନ ଆସି ରୋଗାକ୍ରାନ୍ତ ହେବାର ଆଶଙ୍କା କମିଯିବ, ଯାହା ଏକ ପ୍ରଶଂସନୀୟ ପରିକଳ୍ପନା। ଅଧିକାଂଶ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ସେମାନେ ଏହି ଜ୍ଞାନକୌଶଳକୁ ନିକଟ ଭବିଷ୍ୟତ୍‌ରେ ପାଇବାର ସମ୍ଭାବନା କ୍ଷୀଣ ଓ ଏହା କେବଳ ସଂଖ୍ୟାଲଘୁ ବଡ଼ ଓ କର୍ପୋରେଟ୍‌ ଚାଷୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ତେଣୁ ସାମଗ୍ରିକ ଭାବେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧିରେ ଏହା ତତ୍କାଳ ସହାୟକ ହୋଇ ନ ପାରେ।

ଦେଶରେ ମାଣ୍ଡିଆ ଜାତୀୟ ଶସ୍ୟ (ମିଲେଟ)ର ବ୍ୟବହାରକୁ ବଢ଼ାଇବା ଲାଗି ସେଗୁଡ଼ିକର ଅମଳ ପରବର୍ତ୍ତୀ ମୂଲ୍ୟ ସଂବର୍ଦ୍ଧନ(ଭାଲ୍ୟୁ ଆଡିସନ) ଉପରେ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ‘ମିଲେଟ ମିସନ’ ସଫଳତାର ସହ କାର୍ଯ୍ୟ କରୁଥିବାରୁ ଏହି କାର୍ଯ୍ୟକ୍ରମରୁ ରାଜ୍ୟ କିପରି ଲାଭବାନ ହୋଇପାରିବ, ସେ ନେଇ ପ୍ରୟାସ ହେବା ଆବଶ୍ୟକ। ସେହିପରି ଆମଦାନି ନିର୍ଭରଶୀଳତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ତୈଳବୀଜର ଉତ୍ପାଦନକୁ ବଢ଼ାଇବା ଲାଗି ଓ ରାଜ୍ୟ ସରକାରଙ୍କ ଭାଗୀଦାରିରେ ଖାଦ୍ୟ ପ୍ରକ୍ରିୟାକରଣର ସମନ୍ୱିତ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବଜେଟ୍‌ରେ ସାରା ଦେଶରେ ରାସାୟନିକ ସାର ମୁକ୍ତ ପାରମ୍ପରିକ ଚାଷକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ ହୋଇଥିଲେ ବି ଗଙ୍ଗା ନଦୀ କୂଳକୁ ଲାଗି ୫ କିଲୋମିଟର ଚଉଡ଼ାର ବିସ୍ତୀର୍ଣ୍ଣ ଅଞ୍ଚଳରେ ପାରମ୍ପରିକ ଚାଷକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ପାରମ୍ପରିକ ଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବା ଏକ ପ୍ରଶଂସନୀୟ ବିଚାର ହୋଇଥିଲେ ବି ଏହାର ବ୍ୟାବହାରିକତା ଓ ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଥାଏ। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ କେହି କେହି ଏହାକୁ ଏକ ନିର୍ବାଚନୀ ଘୋଷଣା ଭାବେ ଗ୍ରହଣ କରୁଛନ୍ତି। ଅଧିକନ୍ତୁ, କୃଷି ଗବେଷଣା ଓ ଶିକ୍ଷା ବାବଦରେ ପ୍ରାୟ ୮୫୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ଯାହା ପୂର୍ବ ବର୍ଷ ସହ ସମାନ। ଏଥିରେ କୌଣସି ବୃଦ୍ଧି ନ ହୋଇ ସ୍ଥିର ରହିବା ଦ୍ୱାରା ସରକାରଙ୍କ ଦୃଷ୍ଟିରେ କୃଷି ଗବେଷଣା ଓ ଶିକ୍ଷା ଅଗ୍ରାଧିକାର ହରାଇଥିବା ପରି ମନେହୁଏ।

ରାସାୟନିକ ସାର ଉପରୁ ସବ୍‌ସିଡି ପରିମାଣ ଲଗାତାର ହ୍ରାସ ପାଇ ଚାଲିବା ଚାଷୀଙ୍କ ପାଇଁ ଉଦ୍‌ବେଗର କାରଣ ପାଲଟିଛି। ୨୦୨୦-୨୧ରେ ସାର ସବ୍‌ସିଡିର ପରିମାଣ ପ୍ରାୟ ୧.୨୮ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୧-୨୨ର ବଜେଟ୍‌ରେ ତାକୁ ପ୍ରାୟ ୪୮ ହଜାର କୋଟି ଟଙ୍କା କମ୍‌ କରି ୮୦ ହଜାର କୋଟି ଟଙ୍କା କରି ଦିଆଯାଇଥିଲା। ତେବେ କୃଷକ ଆନ୍ଦୋଳନର ହଟ୍ଟଗୋଳ ମଧ୍ୟରେ ସେହି ସବ୍‌ସିଡି ପରିମାଣକୁ ସଂଶୋଧିତ ବଜେଟ୍‌ରେ ୧.୪୦ ଲକ୍ଷ କୋଟି ଟଙ୍କା କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ରାସାୟନିକ ସାର ଦର ହୁ ହୁ ହୋଇ ବଢ଼ି ଦେଶରେ ସାରର ଅଭାବ ଦେଖା ଦେଇଥିବା ବେଳେ ଏ ବର୍ଷ ବଜେଟ୍‌ରେ ସବ୍‌ସିଡି ଆବଣ୍ଟନ ପ୍ରାୟ ୩୫ ହଜାର କୋଟି ଟଙ୍କା ହ୍ରାସ ପାଇ ୧.୦୫ ଲକ୍ଷ କୋଟି ଟଙ୍କା ହେବା ଗ୍ରହଣ କରି ହେଉନାହିଁ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବଜେଟ୍‌ ଆବଣ୍ଟନ ଗତ ବର୍ଷର ୧୫୯୮୯ କୋଟି ଟଙ୍କାରୁ ପ୍ରାୟ ୫୦୦ କୋଟି ଟଙ୍କା ହ୍ରାସ କରି ୧୫୫୦୦ କୋଟି ଟଙ୍କା କରାଯାଇଛି। ପ୍ରତିବର୍ଷ ଚାଷ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି ଓ ସେଥିପାଇଁ ଫସଲ ଋଣ ମାପଦଣ୍ଡରେ ପ୍ରତି ଫସଲର ଋଣ ପରିମାଣ ବାର୍ଷିକ ହାରାହାରି ପ୍ରାୟ ୧୦ ପ୍ରତିଶତ ବଢ଼ିଥାଏ। ଏପରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବଜେଟ୍‌ ଆବଣ୍ଟନ ବୃଦ୍ଧି ନ ପାଇ ହ୍ରାସ ପାଇବା କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନ ଉଠାଉଛି। ଗୁଜରାଟ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଭଳି ରାଜ୍ୟ ଏହି ବୀମା ଯୋଜନାରୁ ଓହରି ଯିବା ବଜେଟ୍‌ ଆବଣ୍ଟନ ହ୍ରାସର ଅନ୍ୟତମ କାରଣ ହୋଇପାରେ। ତେବେ ଓଡ଼ିଶା ଏହି ବୀମା ଯୋଜନାରେ ଅଂଶଗ୍ରହଣ ଜାରି ରଖିବା ଏଠାକାର ଚାଷୀଙ୍କ ହିତରେ କେତେ, ସେ ନେଇ ବିମର୍ଶ ହେବା ଆବଶ୍ୟକ। ଫସଲ ଉତ୍ପାଦନ ଖର୍ଚ୍ଚ କମ୍‌ କରିବା ପାଇଁ ଟ୍ରାକ୍ଟର, ପାୱାର ଟିଲର, ରାସାୟନିକ ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ଉପକରଣ ଓ ଉପାଦାନ ଆଦି ଉପରୁ ଜିଏସ୍‌ଟି ହଟାଇବା ବା ଟିକସ ଦର ହ୍ରାସ କରିବା ନେଇ ଚାଷୀମାନେ ଦାବି କରି ଆସୁଛନ୍ତି। ହେଲେ ଜିଏସ୍‌ଟି ଦର କମ୍‌ ହେବା ତ ଦୂରର କଥା ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ କିପରି କମ୍‌ କରି ହେବ, ସେଥି ପ୍ରତି ମଧ୍ୟ ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଥିଲା ପରି ଜଣାପଡୁନାହିଁ। ବିଡ଼ମ୍ୱନାର ବିଷୟ ଏହି ଯେ ଅନ୍ୟ ପକ୍ଷରେ ରତ୍ନ ପଥର ଓ ସୁନା ଗହଣା (ଜୁଏଲାରି) କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ତାହା ଉପରେ ଆମଦାନି ଶୁଳ୍‌କ ୭.୫ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯାଇଛି।

ଚାଷୀଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ଦେଶରେ କୃଷି ଭିତ୍ତିଭୂମିର ବିକାଶ ପାଇଁ ମେ ୨୦୨୦ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧ ଲକ୍ଷ କୋଟି ଟଙ୍କାର ଏକ ବ୍ୟାଙ୍କ୍‌ ଋଣ ଆଧାରିତ କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍‌)ର ଘୋଷଣା କରାଯାଇଥିଲା, ଯେଉଁଥିରେ କେନ୍ଦ୍ର ସରକାର ସୁଧ ରିହାତି, ଗ୍ୟାରେଣ୍ଟି ଫି ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୦ ବର୍ଷରେ ୧୦୭୩୬ କୋଟି ଟଙ୍କା ବହନ କରିବାର ପ୍ରାବଧାନ ଥିଲା। କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଏହି ଯୋଜନାରେ ଅନ୍ୟାନ୍ୟ ଅନେକ ଅଂଶଗ୍ରହଣକାରୀଙ୍କ ତାଲିକାରେ ‘ଏ.ପି.ଏମ୍‌.ସି.’କୁ ନୂଆ କରି ସାମିଲ କରି ଏପରି ପ୍ରଚାର କରାଗଲା, ସତେ ଯେପରି ‘ଏ.ପି.ଏମ୍‌.ସି.’ଗୁଡ଼ିକ ଦ୍ୱାରା ମଣ୍ଡିଗୁଡ଼ିକର ଆଧୁନିକୀକରଣ ପାଇଁ ଏହି ପାଣ୍ଠି ସମ୍ପୂର୍ଣ୍ଣ ଭାବେ ଉଦ୍ଦିଷ୍ଟ। ଇତି ମଧ୍ୟରେ ୨ ବର୍ଷ ପୂରିବାକୁ ଯାଉଥିଲେ ବି ସାରା ଦେଶରେ ଏହି ପାଣ୍ଠିରୁ ମାତ୍ର ୨୬୫୪ କୋଟି ଟଙ୍କା ଋଣ ପ୍ରଦାନ ହୋଇଛି। ଏହା ଯୋଜନାର ସାଫଲ୍ୟ ସମ୍ଭାବନାକୁ ନେଇ ପ୍ରଶ୍ନ ଉଠାଉଛି। ସରକାରଙ୍କ ଦ୍ୱାରା ଗତ ବର୍ଷର ସଂଶୋଧିତ ବଜେଟ୍‌ ଆକଳନରେ ଏଥିପାଇଁ ୨୦୦ କୋଟି ଟଙ୍କା ଓ ଏ ବର୍ଷ ମାତ୍ର ୫୦୦ କୋଟି ଟଙ୍କା ଆବଣ୍ଟନରୁ ଯୋଜନାଟିର ମନ୍ଥର ଗତି ସମ୍ପର୍କରେ ଅଧିକ ସ୍ପଷ୍ଟ ହେଉଛି। କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା ପ୍ରତି ବିଶେଷ ଧ୍ୟାନ ପ୍ରଦାନ କରା ନ ଗଲେ, ଏହା ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମ ପରି କେବଳ କାଗଜ କଲମରେ ରହିଯିବ।

ଆସନ୍ତା ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଧାନ ଓ ଗହମ ସଂଗ୍ରହକୁ ଗୁରୁତ୍ୱ ପ୍ରଦାନ କରାଯାଇ ଏଥିପାଇଁ ୨.୩୭ ଲକ୍ଷ କୋଟି ଟଙ୍କାର ବଜେଟୀୟ ଆବଣ୍ଟନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୧-୨୨ର ସଂଶୋଧିତ ବଜେଟ୍‌ ଆକଳନ ଅନୁଯାୟୀ ଏମ୍‌ଏସ୍‌ପିରେ ସଂଗ୍ରହ ପାଇଁ ୨.୪୨ ଲକ୍ଷ କୋଟି ଟଙ୍କାର ରାଶି ଆବଣ୍ଟିତ ହୋଇଥିଲା। ଅର୍ଥାତ୍, ପୂର୍ବ ବର୍ଷ ତୁଳନାରେ ଏଥର ଏମ୍‌ଏସ୍‌ପିରେ ସଂଗ୍ରହ ପାଇଁ ଆବଣ୍ଟନ ରାଶି ପ୍ରାୟ ୫ ହଜାର କୋଟି ଟଙ୍କା ହ୍ରାସ ପାଇବା ପ୍ରକୃତରେ ଚିନ୍ତାଜନକ। ଏତଦ୍‌ବ୍ୟତୀତ ପ୍ରତି ବର୍ଷ ଧାନ ଓ ଗହମର ଏମ୍‌ଏସ୍‌ପି ଦର ପ୍ରାୟ ୪ରୁ ୫ ପ୍ରତିଶତ ବଢ଼ିଥାଏ। ତେଣୁ ଏଥିପାଇଁ ଆବଣ୍ଟନ ରାଶି ହ୍ରାସ ପାଇବା ଦ୍ୱାରା ବର୍ଦ୍ଧିତ ଏମ୍‌ଏସ୍‌ପି ଦରରେ ସଂଗ୍ରହ ପରିମାଣ ହ୍ରାସ ହୋଇପାରେ ବୋଲି ସ୍ପଷ୍ଟ ସଂକେତ ମିଳୁଛି। ଅର୍ଥମନ୍ତ୍ରୀଙ୍କ ଅନୁସାରେ ୨୦୨୧-୨୨ରେ ୧.୬୩ କୋଟି ଚାଷୀଙ୍କ ଠାରୁ ୧୨.୦୮ କୋଟି ଟନ ଧାନ ଓ ଗହମ ସଂଗ୍ରହ ହୋଇଥିଲା। ଅନ୍ୟ ପକ୍ଷରେ ୨୦୨୦-୨୧ରେ ୧.୯୭ କୋଟି ଚାଷୀଙ୍କ ନିକଟରୁ ୧୨.୮୬ କୋଟି ଟନ ଧାନ ଓ ଗହମ ସଂଗୃହୀତ ହୋଇଥିଲା। ତେଣୁ ବର୍ଷ ପରେ ବର୍ଷ ଏମ୍‌ଏସ୍‌ପିରେ କମ୍‌ ସଂଖ୍ୟକ ଚାଷୀଙ୍କ ନିକଟରୁ ସଂଗ୍ରହ ହେଉଥିବା ବେଳେ ସଂଗ୍ରହ ପରିମାଣ ମଧ୍ୟ କମି ଚାଲିବା କ୍ରମଶଃ ଏକ ଧାରାରେ ପରିଣତ ହେବାକୁ ବସିଲାଣି। କୃଷକ ସଂଗଠନଗୁଡ଼ିକ ଏମ୍‌ଏସ୍‌ପିକୁ ଆଇନଗତ ବୈଧତା ପ୍ରଦାନ କରି ୨୩ଟି ଯାକ ଫସଲ ସଂଗ୍ରହ ପାଇଁ ଦାବି କରି ଆସୁଥିବା ବେଳେ ସରକାରଙ୍କ ଦ୍ୱାରା ଏମ୍‌ଏସ୍‌ପିରେ କେବଳ ଧାନ ଓ ଗହମ ସଂଗ୍ରହକୁ ଗୁରୁତ୍ୱ ଦେବା ସହ ଆବଣ୍ଟନ ରାଶିକୁ ହ୍ରାସ କରିବା ସେହି ଦାବିର ବିରୋଧାଚରଣ କଲା ଭଳି ପ୍ରତୀତ ହେଉଛି। ଏମ୍‌ଏସ୍‌ପି ପ୍ରସଙ୍ଗର ପର୍ଯ୍ୟାଲୋଚନା ପାଇଁ ପ୍ରସ୍ତାବିତ କମିଟିର ଗଠନରେ ବିଳମ୍ୱ ହେବା ମଧ୍ୟ ସେମାନଙ୍କ ଉଦ୍‌ବେଗକୁ ବଢ଼ାଉଛି।

ଗ୍ରାମାଞ୍ଚଳର ଦରିଦ୍ରଙ୍କ ଶ୍ରମ ବିନିମୟରେ କର୍ମ ନିଯୁକ୍ତିକୁ ସୁନିଶ୍ଚିତ କରୁଥିବା ‘ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏ. ବା ‘ମନରେଗା’ କାର୍ଯ୍ୟକ୍ରମରେ ଏ ବର୍ଷ ମାତ୍ର ୭୩୦୦୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଥିପାଇଁ ୧.୧୧ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଗତ ବର୍ଷ ବଜେଟ୍‌ରେ ସେହି ରାଶିକୁ ଯଥେଷ୍ଟ ହ୍ରାସ କରି ୭୩ ହଜାର କୋଟି ଟଙ୍କା କରି ଦିଆଯାଇଥିଲା। ଅବଶ୍ୟ ସଂଶୋଧିତ ବଜେଟ୍‌ରେ ତାହା ବୃଦ୍ଧି ପାଇ ୯୮ ହଜାର କୋଟି ଟଙ୍କା ହେଲା। ଅର୍ଥାତ୍, ଗତ ବର୍ଷର ସଂଶୋଧିତ ବଜେଟ୍‌ ତୁଳନାରେ ଏ ବର୍ଷ ବଜେଟ୍‌ରେ ଏହା ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଛି। କୋଭିଡ୍‌ କାଳରେ ସହରାଞ୍ଚଳରେ ବସବାସ କରୁଥିବା ଶ୍ରମିକମାନେ ବହୁ ସଂଖ୍ୟାରେ ଗ୍ରାମାଞ୍ଚଳକୁ ଫେରିବା ପରେ ଏହି ମନରେଗା କାର୍ଯ୍ୟକ୍ରମ ମାଧ୍ୟମରେ ହିଁ ଅନେକଙ୍କୁ ଶ୍ରମ ଆଧାରିତ ନିଯୁକ୍ତି ପ୍ରଦାନ କରାଯାଇ ବେକାରି ସମସ୍ୟାକୁ କିଛିଟା ଲାଘବ କରାଯାଇ ପାରିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଏବେ ବି ଗାଁମାନଙ୍କରେ ରହୁଥିବାରୁ ଗତ ବର୍ଷ ତୁଳନାରେ ବଜେଟ୍‌ ରାଶିକୁ ପ୍ରାୟ ୨୫ ହଜାର କୋଟି ଟଙ୍କା କମ୍‌ କରିବା ଉଚିତ ମନେ ହେଉନାହିଁ। ଏହାଦ୍ୱାରା ନିଯୁକ୍ତି ସୁଯୋଗ ହ୍ରାସ ପାଇବ। ଦେଶରେ କୃଷିକୁ ବୈଷୟିକ ଆଧୁନିକ ଜ୍ଞାନକୌଶଳ ଆଧାରିତ କରିବା ପାଇଁ ବଜେଟ୍‌ରେ ହୋଇଥିବା ପ୍ରୟାସ ପ୍ରଶଂସନୀୟ ହୋଇଥିଲେ ବି ଏହାକୁ ଅତି ବେଶିରେ ଭବିଷ୍ୟତ୍‌ର କୃଷି ଲାଗି ଏକ ବଜେଟ୍‌ ବୋଲି କୁହାଯାଇପାରେ, କାରଣ ଏଥିରେ ଚାଷୀ ସମ୍ମୁଖୀନ ହେଉଥିବା ତାତ୍କାଳିକ ମୌଳିକ ପ୍ରସଙ୍ଗ ଓ ସମସ୍ୟାଗୁଡ଼ିକ ସମ୍ପର୍କରେ ବିଶେଷ ଉଲ୍ଲେଖ ନାହିଁ।
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର