ଜନସଂଖ୍ୟା ବଢ଼ିବ ନା କମିବ?

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଗତ ସପ୍ତାହରେ ବିଶ୍ୱର ଜନସଂଖ୍ୟା ୮୦୦ କୋଟିକୁ ଅତିକ୍ରମ କରିଛି। ଗତ ୧୨ ବର୍ଷରେ ବିଶ୍ୱର ୭୦୦ କୋଟି ଜନସଂଖ୍ୟାରେ ଆଉ ୧୦୦ କୋଟି ଯୋଡ଼ି ହୋଇଛନ୍ତି। ଅନ୍ୟ ପକ୍ଷରେ ଚୀନ ଏ ପର୍ଯ୍ୟନ୍ତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିଲା ବେଳେ ଆଗାମୀ ୨୦୨୩ରେ ଭାରତର ଜନସଂଖ୍ୟା ଚୀନକୁ ବଳେଇ ଯିବ। ୨୦୨୨ରେ ଭାରତର ଜନସଂଖ୍ୟା ୧୪୧ କୋଟି ୨୦ ଲକ୍ଷରେ ପହଞ୍ଚିଛି। ଏବେ ଚୀନର ଜନସଂଖ୍ୟା ହେଉଛି ୧୪୨ କୋଟି ୬୦ ଲକ୍ଷ; ଅର୍ଥାତ୍‌, ଆଗାମୀ ବର୍ଷ ଚୀନ ସହ ଥିବା ୮୦ ଲକ୍ଷର ଜନସଂଖ୍ୟା ବ୍ୟବଧାନକୁ ଭାରତ ନିଶ୍ଚୟ ଅତିକ୍ରମ କରିଯିବ। ଯଦି ଭାରତର ଜନସଂଖ୍ୟା ଏହି ହାରରେ ବଢ଼ିଚାଲେ, ତେବେ ୨୦୫୦ ବେଳକୁ ଏ ଦେଶର ଜନସଂଖ୍ୟା ୧୬୬ କୋଟି ୮୦ ଲକ୍ଷରେ ପହଞ୍ଚିଥିବ। ସେତେବେଳକୁ ଚୀନର ଜନସଂଖ୍ୟା ୧୩୧ କୋଟି ୭୦ ଲକ୍ଷ ଧରିଥିବ; ଅର୍ଥାତ, ଚୀନର ଜନସଂଖ୍ୟା ଏବେ ଯେତେ ଅଛି, ୨୦୫୦ ବେଳକୁ ତାହା କମି ଯାଇଥିବ ଓ ଭାରତର ଜନସଂଖ୍ୟା ଚୀନଠାରୁ ପ୍ରାୟ ୩୫ କୋଟି ଅଧିକ ହୋଇଥିବ।

ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ପୃଥିବୀରେ ଜନସଂଖ୍ୟାର ବୃଦ୍ଧି ଆଉ ଏକ କଥାକୁ ସୂଚାଇ ଦେଉଛି। ତାହା ହେଲା ସାଧାରଣ ଜନସ୍ୱାସ୍ଥ୍ୟରେ ଉନ୍ନତି, ଯେଉଁ କାରଣରୁ ମୃତ୍ୟୁ ହାର କମୁଛି ଓ ଆୟୁଷର ହାରାହାରି ବୃଦ୍ଧି ହେଉଛି। ସୁତରାଂ, ଏବେ ମଣିଷମାନେ ପୂର୍ବାପେକ୍ଷା ଅଧିକ କାଳ ବଞ୍ଚୁଛନ୍ତି। ତେବେ ଏଠାରେ ଏହି ଜନସଂଖ୍ୟା ବୃଦ୍ଧି ଆଉ ଏକ କଥା କହିଥାଏ ଯେ ଏହି ବିଶାଳ ଜନସଂଖ୍ୟାକୁ ସୁରକ୍ଷିତ ରଖିବା ଏବଂ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ଏହି ଧରିତ୍ରୀକୁ ମଧ୍ୟ ମାନବ ଜାତିର ପ୍ରକୋପରୁ ରକ୍ଷା କରାଯିବା ଆମ ପୃଥିବୀର ଏକ ମିଳିତ ଦାୟିତ୍ୱ। ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ୟୁ.ଏନ୍.ଏଫ୍.ପି.ଏ.)ର ବାର୍ତ୍ତାରେ ଏହି ଭାବକୁ ଦେଖି ହୁଏ। ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ୮୦୦ କୋଟି ଲୋକ ସମ୍ଭବ ହେବା ପୃଥିବୀର ସଫଳତାର କାହାଣୀ ଅଟେ। ଏହି ଲୋକଙ୍କ ମଧ୍ୟରେ ଥିଲାବାଲା ଓ ନଥିଲାବାଲା ରହିବେ। ଉଭୟ କେମିତି ରହିବେ ତାହା ମଧ୍ୟ ଏକ ପ୍ରସଙ୍ଗ। କାରଣ ଏଥିରେ ଆଶଙ୍କା, ଅବିଶ୍ୱାସ, ସଙ୍କଟ ଓ ସଂଘର୍ଷ ରହିବ। କେମିତି ଏତେ ଲୋକଙ୍କୁ ଏହି ସବୁ ନେତିବାଚକ ଅବସ୍ଥାରୁ ରକ୍ଷା କରାଯିବ, ତାହା ମଧ୍ୟ ଏକ ପ୍ରସଙ୍ଗ ହୋଇ ଏବେ ଠିଆ ହେବ। କାରଣ ଏହି ଆକଳନ ଅନୁସାରେ ବିଶ୍ୱର ଜନସଂଖ୍ୟା ୨୦୩୦ ବେଳକୁ ୮୫୦ କୋଟି, ୨୦୫୦ ବେଳକୁ ୯୭୦ କୋଟି ଓ ୨୧୦୦ ବେଳକୁ ୧୦୦୪ କୋଟିରେ ପହଞ୍ଚିଥିବ। ଏତେ ଲୋକଙ୍କୁ କେମିତି ସୁସ୍ଥ ଓ ସଂବୃଦ୍ଧ କରି ରଖିହେବ, ତାହାକୁ ନେଇ ଆଗାମୀ ଦିନମାନଙ୍କରେ ଚିନ୍ତା ମୁଣ୍ଡ ଟେକିବ।

ଭାରତରେ ଗତ ୬ ଦଶକ ମଧ୍ୟରେ ଜନସଂଖ୍ୟା ଦୁଇ ଗୁଣ ହୋଇଛି। ସେତେବେଳେ ବିଭିନ୍ନ ବିକଶିତ ଦେଶମାନେ ସେମାନଙ୍କ ଜନସଂଖ୍ୟାକୁ କମାଇବାରେ ଲାଗିଥିଲେ। ଏବେ ମଧ୍ୟ ଦେଖାଯାଉଛି ଯେ ଜନ୍ମହାର କମିକମି ଯାଉଛି। ଗୋଟିଏ ସ୍ୱାମୀ-ସ୍ତ୍ରୀର ପରିବାର ଏବେ ମାତ୍ର ୨ ଜଣ ପିଲାଙ୍କୁ ହାରାହାରି ଭାବରେ ଜନ୍ମ ଦେଉଛନ୍ତି; ଅର୍ଥାତ, ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ମରିଗଲା ପରେ ସେମାନଙ୍କ ପରିବାରର ସଂଖ୍ୟା ସେଇଆ ରହିବ, ତାହା ଆଉ ବଢ଼ିବ ନାହିଁ, ଯାହା ପୂର୍ବରୁ ଘଟୁଥିଲା। କିନ୍ତୁ ଏହା ଦ୍ୱାରା ଆଉ ଏକ ଘଟଣା ଘଟିବା ଆରମ୍ଭ ହୋଇଛି, ଯାହା ନେଇ ପୂର୍ବରୁ କେହି ଚିନ୍ତା ମଧ୍ୟ କରିନଥିଲେ। ତାହା ହେଉଛି ଅଧିକ ଲୋକ ମୁଣ୍ଡ ବାଳ ଧଳା ଅବସ୍ଥା ଅର୍ଥାତ ବାର୍ଦ୍ଧକ୍ୟ ଆଡ଼କୁ ଯିବେ। ତେବେ, ଦେଶରେ ଜନସଂଖ୍ୟା ବୃଦ୍ଧି ଏଇଥି ପାଇଁ ଘଟୁଛି ଯେ ଅତୀତରେ ଜନ୍ମ ହେଇିଥିବା ଏକ ବୃହତ୍‌ ସଂଖ୍ୟକ ଲୋକ ପିଲାଛୁଅା ଜନ୍ମ କରୁଛନ୍ତି। ଏ ଧରଣ ବୃଦ୍ଧି ହେତୁ ଦେଶରେ କାମ କରୁଥିବା ଲୋକମାନଙ୍କର ସଂଖ୍ୟା ମଧ୍ୟ ବଢୁଛି। ଉନ୍ନତ ସ୍ୱାସ୍ଥ୍ୟସେବା ହେତୁ ଆୟୁଷରେ ବୃଦ୍ଧି ଏବଂ ହ୍ରାସମାନ ମୃତ୍ୟୁ ହାର କାରଣରୁ ଏବେ ୧୫ରୁ ୬୪ ବର୍ଷ ବୟସର କାର୍ଯ୍ୟକ୍ଷମ ଲୋକଙ୍କ ସଂଖ୍ୟା ବଢ଼ିଛି। ତେବେ ବିଶ୍ୱ ସ୍ତରରେ କାର୍ଯ୍ୟକ୍ଷମ ଲୋକଙ୍କ ସଂଖ୍ୟା ଗତ ୨୦୧୨ରୁ ଚରମ ସୀମାରେ ପହଞ୍ଚି ସାରିଛି। ସେତେବେଳେ ବିଶ୍ୱରେ ୬୬% ଲୋକ କାର୍ଯ୍ୟକ୍ଷମ ଥିଲେ। ୨୦୨୦ରେ ଭାରତରେ କାର୍ଯ୍ୟକ୍ଷମ ଲୋକଙ୍କ ଅନୁପାତ ୭୦% ଥିଲା, ଯାହା ଏବେ କ୍ରମେ କମି କମି ଯିବ ବୋଲି ଆକଳନ ଓ ଅନୁମାନ କରାଯାଉଛି। ସୁତରାଂ, ଭାରତରେ ଜନସଂଖ୍ୟା ବୃଦ୍ଧିର ଲାଭ କ୍ରମେ କମିବାକୁ ଲାଗିବ। ଏବେ ଅଧିକରୁ ଅଧିକ ଲୋକ ଆଉ କାର୍ଯ୍ୟକ୍ଷମ ହେବେ ନାହିଁ। ଏବେ ପୃଥିବୀରେ କାର୍ଯ୍ୟକ୍ଷମ ଲୋକଙ୍କ ସଂଖ୍ୟା ୫୯% ହୋଇଥିଲା ବେଳେ ଭାରତରେ ତାହା ୪୬% ଅଟେ। ମହିଳାମାନଙ୍କ କ୍ଷେତ୍ରରେ ଏହି ଅନୁପାତ ଅତି କମ୍। ସାରା ବିଶ୍ୱରେ ୪୬% ମହିଳା କାର୍ଯ୍ୟକ୍ଷମ ହୋଇଥିଲା ବେଳେ ଭାରତରେ ଏହା ମାତ୍ର ୧୯ ପ୍ରତିଶତ।

ଏଠାରେ ଏବେ ଗୋଟିଏ ଜଟିଳ ପ୍ରଶ୍ନ ଉଠିଛି। ତାହା ହେଲା, ଅତୀତରେ ଜନସଂଖ୍ୟା ହ୍ରାସ ଦେଶର ବିକାଶ ପାଇଁ ଏକ ବଡ଼ ଆବଶ୍ୟକତା ବୋଲି କୁହାହୋଇ ଆସିଛି। ଭାରତ ଜନସାଧାରଣ ତାହାକୁ ବିଶ୍ୱାସ ମଧ୍ୟ କରିଆସିଛନ୍ତି। ବଡ଼ ପରିବାରର ଅର୍ଥ ଦୁଃଖୀ ପରିବାର ଓ ଛୋଟ ପରିବାରର ଅର୍ଥ ସୁଖୀ ପରିବାର। ସରକାର ମଧ୍ୟ ଜନସଂଖ୍ୟା ହ୍ରାସ ପାଇଁ ବାରମ୍ବାର ପ୍ରଚାର କରିଛନ୍ତି ଓ ଗର୍ଭ ନିରୋଧକ ବ୍ୟବସ୍ଥାମାନ ଗ୍ରହଣ କରିଛନ୍ତି। ସେଥି ପାଇଁ ପୁରୁଷ ଓ ନାରୀମାନଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର ଇତ୍ୟାଦି କରାଯାଇ ଆସୁଛି। ନାରୀ ଯଦି ଶିକ୍ଷିତା ହୁଏ, ତେବେ ତା’ର ସ୍ୱାସ୍ଥ୍ୟ ରକ୍ଷା ଲାଗି ସେ ଅଧିକ ଜନ୍ମ କରିବାକୁ ଚାହିଁବ ନାହିଁ ବୋଲି କୁହାଯାଇଛି, ଯାହା ସତ୍ୟ ମଧ୍ୟ। ଏପରିକି ମୁସଲମାନ ଓ ଦଳିତ ମହିଳାମାନେ ଶିକ୍ଷିତ ହେବାରୁ ସେମାନଙ୍କ ବର୍ଗରେ ମଧ୍ୟ ଜନ୍ମ ହାର କମିଛି। ଠିକ୍ ଏହିପରି ସମସ୍ୟା ଦିନେ ଚୀନର ହୋଇଥିଲା। ପ୍ରଥମେ ଭାରତ ପରି ‘ଆମେ ଦୁଇ ଆମର ଦୁଇ’ ନୀତି ସେମାନେ ଆପଣେଇଥିଲେ। କିନ୍ତୁ ପରେ ସେମାନେ ପ୍ରତି ପରିବାର ପିଛା ମାତ୍ର ଜଣେ ପିଲା ଜନ୍ମ ହେବାର ନୀତି ଘୋଷଣା କଲେ। ଏହା ପରେ ମଧ୍ୟ ସେମାନଙ୍କ ମୋଟ ଜନସଂଖ୍ୟା ହଠାତ୍‌ କମିଲା ନାହିଁ, ଯଦିଓ ଜନ୍ମ ହାର କମିଲା। ଚୀନର ନେତୃତ୍ୱ ଦେଖିଲା ଯେ ଜନ୍ମ ହାର କମିବା ଦୃଷ୍ଟିରୁ ଅର୍ଥନୀତିରେ ସେମାନେ ଯେପରି ବିଶ୍ୱରେ ଆଗକୁ ଆଗକୁ ବଢ଼ିଥିଲେ ତାହା ଆଉ କରିପାରୁନାହାନ୍ତି। କଥା ହେଲା, ଚୀନରେ କାର୍ଯ୍ୟକ୍ଷମ ଶ୍ରମିକମାନଙ୍କ ସଂଖ୍ୟା ବହୁ ଅଧିକ ଥିବାରୁ ସେମାନେ ଶସ୍ତାରେ ଅଧିକ ଉତ୍ପାଦନ କରୁଥିଲେ ଯାହାର ମୂଲ୍ୟ ବିଶ୍ୱ ବଜାରରେ କମ୍‌ ଥିଲା। ବାଣିଜ୍ୟରେ ଚୀନ, ଆମେରିକା ଓ ଅନ୍ୟ ଦେଶମାନଙ୍କୁ ମଧ୍ୟ ଅତିକ୍ରମ କରିଗଲା। ବିଶ୍ୱର ବଡ଼ ବଡ଼ କମ୍ପାନି ଚୀନରେ ହିଁ ସେମାନଙ୍କ କାରଖାନା ମୁଖ୍ୟତଃ ଶସ୍ତା ଶ୍ରମିକ ଯୋଗୁଁ ପ୍ରତିଷ୍ଠା କଲେ। ଚୀନର ଅର୍ଥନୀତି ଅଧିକରୁ ଅଧିକ ସଂବୃଦ୍ଧ ହେଲା।

କିନ୍ତୁ ଜନସଂଖ୍ୟା ନ ବଢ଼ିବାରୁ ଏବେ ଚୀନରେ କାର୍ଯ୍ୟଦକ୍ଷ ଶ୍ରମିକମାନଙ୍କର ସଂଖ୍ୟା ମଧ୍ୟ କମୁଛି। ଆଉ କିଛି ବର୍ଷ ପରେ ଏଥିପାଇଁ ଅଧିକ ଯୁବକଯୁବତୀ ମିଳିବେ ନାହିଁ ବୋଲି ଚୀନର ଏବେ ଧାରଣା। ତେଣୁ ଚୀନ ସରକାର ଘୋଷଣା କରିଛନ୍ତି ଯେ ଏବେ ପ୍ରତି ଦଂପତି ଗୋଟିଏ ପିଲା ଜାଗାରେ ତିନିଟି ପିଲା ଜନ୍ମ କରିପାରିବେ। ଏବେ କେମିତି ଅଧିକ ପିଲା ଜନ୍ମ ହେବେ, ସେଥିପାଇଁ ଚୀନ ସରକାର ଲାଗିଛନ୍ତି। ଏପରି ଅବସ୍ଥା ସୃଷ୍ଟି ହୋଇଛି ଯେ, ଚୀନର ସରକାରୀ ଅଫିସରମାନେ ନବବିବାହିତା ମହିଳାମାନଙ୍କୁ ଫୋନ୍ କରି ସେମାନେ ଗର୍ଭବତୀ ହେଲେଣି କି ନାହିଁ, ସେ କଥା ମଧ୍ୟ ପଚାରୁଛନ୍ତି। ଯଦି ସେମାନେ ବିବାହର ବର୍ଷେ ପରେ ମଧ୍ୟ ଗର୍ଭବତୀ ହୋଇ ନ ଥାନ୍ତି, ତେବେ ସେମାନଙ୍କ ଠାରୁ କୈଫିୟତ ତଲବ କରାଯାଉଛି। ସେମାନେ ଭାବୁଛନ୍ତି ଯେ ଜନସଂଖ୍ୟା ବୃଦ୍ଧିର ସୁଫଳ ଏବେ ସେମାନଙ୍କ ହାତରୁ ବାହାରି ଯାଉଛି। ବିଶ୍ୱରେ ମୁଖ୍ୟ ଅର୍ଥନୈତିକ ଶକ୍ତି ହୋଇ ରହିବାକୁ ହେଲେ ସେମାନଙ୍କୁ ଜନସଂଖ୍ୟା ବଢ଼ାଇବାକୁ ହେବ ଓ କାର୍ଯ୍ୟକ୍ଷମ ଶ୍ରମିକମାନଙ୍କ ସଂଖ୍ୟାକୁ ଅଧିକ ରଖିବାକୁ ପଡ଼ିବ। ତେଣୁ ଏହା ହେଉଛି ଏବେ ଚୀନର ନୀତି।

ଭାରତରେ ମଧ୍ୟ କିଛି ବର୍ଷ ପରେ ଠିକ୍ ଏହି ଅବସ୍ଥା ସୃଷ୍ଟି ହେବ। ସେତେବେଳେ ‘ପରିବାର ନିୟନ୍ତ୍ରଣ’ କଥା ନକହି ସରକାର ହୁଏତ ‘ପରିବାରକୁ ନୂଆ ସଦସ୍ୟଙ୍କୁ ନିମନ୍ତ୍ରଣ’ କଥା କହିବେ। ସେତେବେଳେ ଜନସଂଖ୍ୟା ବୃଦ୍ଧିର ସୁଫଳର କଥା ସରକାର ଉଠାଇବେ।

କିନ୍ତୁ ଏ ସମ୍ପର୍କରେ ବିଚାର ବିମର୍ଶର ବେଳ ଆସିଛି। ଯେ କୌଣସି ବିଷୟ ହେଉ ମାତ୍ରାତିରିକ୍ତ ଅବସ୍ଥା ଯେ ଠିକ୍ ନୁହେଁ, ସେ କଥା ଶାସ୍ତ୍ର କହିଛି। ତେଣୁ ପ୍ରଶ୍ନ ହେଲା, କାର୍ଯ୍ୟକ୍ଷମ ଶ୍ରମିକମାନଙ୍କର ସଂଖ୍ୟା ବଢ଼ାଇବା ପାଇଁ କ’ଣ ଜନସଂଖ୍ୟାକୁ ବଢ଼ାଯିବ? ଜନସଂଖ୍ୟା ବୃଦ୍ଧି ଯୋଗୁଁ ଅଧିକ ବୟସ୍କ ଲୋକମାନଙ୍କୁ ସାମାଜିକ ସୁବିଧା ଦେବା ପାଇଁ କମ୍ କାର୍ଯ୍ୟକ୍ଷମ ଲୋକମାନଙ୍କୁ କଷ୍ଟ ପଡ଼ିବ ବୋଲି ମଧ୍ୟ କୁହା ଯାଇପାରେ। କିନ୍ତୁ ଗୋଟିଏ କଥା ସତ ଯେ ଆଗାମୀ ବିଶ୍ୱରେ ଜନସଂଖ୍ୟା ଠାରୁ ଟେକ୍‌ନୋଲୋଜି ବା ପ୍ରଯୁକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ଆମେରିକା ପରି ୩୨ କୋଟି ଜନସଂଖ୍ୟାର ଦେଶଟିଏ ମୁଖ୍ୟତଃ ସେଇଥିପାଇଁ ବିଶ୍ୱରେ ଏକ ନମ୍ବର ହୋଇ ରହିଛି। ଚୀନ, ଭାରତ ପରି ବହୁ ଜନସଂଖ୍ୟା ବିଶିଷ୍ଟ ଦେଶଗୁଡ଼ିକ ସେତେ ସଂବୃଦ୍ଧ ବା ଶକ୍ତିଶାଳୀ ହୋଇପାରିନାହାନ୍ତି। ବ୍ରାଜିଲ, ରୁଷିଆ ପରି ଦେଶମାନଙ୍କର ଜନସଂଖ୍ୟା ଆମେରିକା ଅପେକ୍ଷା କିଛି କମ୍‌ ହୋଇଥିଲେ ମଧ୍ୟ ସେମାନେ ଆମେରିକାର ପାଖାପାଖି ହୋଇ ପାରୁନାହାନ୍ତି। ଜାପାନ ପରି ଗୋଟିଏ ଅପେକ୍ଷାକୃତ ଛୋଟ ଦେଶ ସେ କ୍ଷେତ୍ରରେ ଅନେକ ଆର୍ଥିକ ପ୍ରଗତି ହାସଲ କରି ଅର୍ଥନୀତି କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।

ଏଣୁ ଆଗାମୀ ଦିନମାନଙ୍କରେ ଭାରତ ଅଧିକ ସନ୍ତାନ ଜନ୍ମ ନକରି ତା’ର ଜନତାକୁ କେମିତି କୁଶଳୀ କରିବ ତାହା ଚିନ୍ତା କରୁ, ଯେଉଁମାନେ ଟେକ୍‌ନୋଲୋଜିକୁ ଆପଣାଇବେ। ବିଶେଷ କରି ଏ ଦେଶର ଅଧିକ ସଂଖ୍ୟକ ମହିଳାମାନଙ୍କୁ କେମିତି ଦକ୍ଷ କରି ଗଢ଼ି ତୋଳାଯିବ, ସେ କଥା ଦେଖିବା ଉଚିତ। ତା’ ହେଲେ ଲୋକେ ଯେତେ ବୁଢ଼ା ହେଲେ ବି ଦେଶ ସଂବୃଦ୍ଧ ହେବାରେ କିଛି ଅସୁବିଧା ହେବନି। କାରଣ ସେତେବେଳେ ଅଳ୍ପ ଲୋକ ବେଶି କାମ କରିପାରିବେ।
ମୋ: ୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର