କିଛି ଦିନ ତଳେ ବିହାରର ରୋହତସ ଜିଲ୍ଲାରେ ଅସମ୍ଭବ ମନେ ହେଉଥିବା ଏକ ଚୋରି ଘଟଣା ଘଟିିଛି। ଚୋରମାନେ ସ୍ପଷ୍ଟ ଦିବାଲୋକରେ ୫୦୦ ଟନ୍ ଓଜନର ଏକ ଲୁହା ପୋଲକୁ ଚୋରି କରି ନେଇ ଯାଇଛନ୍ତି। ପୁଲିସ କହିବା ଅନୁଯାୟୀ ଚୋରମାନେ ସବୁପ୍ରକାର ପୂର୍ବପ୍ରସ୍ତୁତି କରିଥିଲେ। ସେମାନେ ପିକ୍ଅପ୍ ଭ୍ୟାନ୍, ଗ୍ୟାସ୍ କଟର୍, ଜେସିବି ଓ ଅନ୍ୟାନ୍ୟ ଯନ୍ତ୍ର ନେଇ ବିକ୍ରମଗଞ୍ଜସ୍ଥିତ ଏକ ପରିତ୍ୟକ୍ତ ପୋଲ ନିକଟରେ ପହଞ୍ଚିଥିଲେ। ପୋଲଟିକୁ ସଂପୂର୍ଣ୍ଣ ରୂପେ କାଟି, ଓପାଡ଼ି ନେଇଯିବାକୁ ସେମାନଙ୍କୁ ମାତ୍ର ତିନି ଦିନ ଲାଗିଥିଲା। ଏହି ତସ୍କରକୁ ସୁଗମ କରିବା ପାଇଁ ଚୋରମାନେ ସରକାରୀ ଅଧିକାରୀ ପରିଚୟ ବହନ କରିଥିଲେ। ସେହି କାରଣରୁ ସେମାନେ ସ୍ପଷ୍ଟ ଦିବାଲୋକରେ କେବଳ ଯେ ଏହି ଅବିଶ୍ବସନୀୟ ଚୋରିକୁ ସଫଳ କରିପାରିଲେ ତାହା ନୁହେଁ, ଏହି ଅପରାଧରେ ସ୍ଥାନୀୟ ଜଳସେଚନ ବିଭାଗ ମଧ୍ୟ ଆଗଭର ହୋଇ ସହାୟତା ଯୋଗାଇ ଦେଇଥିଲା। କିଛି ସ୍ଥାନୀୟ ଲୋକେ ମଧ୍ୟ ଅଜାଣତରେ ଏହି ଅପରାଧରେ ସହଯୋଗ କରିଥିଲେ। ୧୯୭୨ ମସିହାରେ ଆରା କେନାଲ୍ ଉପରେ ନିର୍ମିତ ୬୦ ଫୁଟ୍ ଦୀର୍ଘ ଓ ୧୨ ଫୁଟ୍ ଉଚ୍ଚ ପୋଲଟି ବିପଦପୂର୍ଣ୍ଣ ଘୋଷିତ ହେବା ପରେ ଏହାକୁ କେହି ବ୍ୟବହାର କରୁ ନ ଥିଲେ। କିନ୍ତୁ ପୋଲଟି ହଠାତ୍ ଅଦୃଶ୍ୟ ହୋଇଯିବା ଘଟଣା ଅଞ୍ଚଳର ଲୋକମାନଙ୍କୁ ଯେତିକି ଆଚମ୍ବିତ କରିଛି, ତା’ ଠାରୁ ଅଧିକ ଜଳସେଚନ ବିଭାଗର କର୍ମଚାରୀଙ୍କୁ ଲଜ୍ଜାଜନକ ପରିସ୍ଥିତିରେ ପକାଇଛି। ଶେଷରେ ସେମାନେ ପୁଲିସ୍କୁ ଏ ନେଇ ଅଭିଯୋଗ କରିଛନ୍ତି। ବିହାରରେ ଦୁର୍ନୀତିର ଇତିହାସ ସ୍ମରଣ କରି ଲୋକମାନେ ଏବେ ବ୍ୟଙ୍ଗ କରି କହୁଛନ୍ତି ଯେ ଲାଲୁ ପ୍ରସାଦଙ୍କ ସରକାର ସମୟରେ କାଳ୍ପନିକ ‘ଅଦୃଶ୍ୟ ସେତୁ’ ନିର୍ମିତ ହୋଇ ବର୍ଷାରେ ଧୋଇହୋଇଯାଉଥିଲା। ଏବେ ନୀତୀଶ କୁମାରଙ୍କ ସରକାରରେ ନିର୍ମାଣ ହୋଇଥିବା ସେତୁ ଚୋରି ହୋଇଯାଇଛି। ସେତୁ ବାସ୍ତବିକ ହେଉ ଅବା କାଳ୍ପନିକ, ବିହାର ବଦଳିବା ଭଳି ମନେ ହେଉନାହିଁ।
ଝରକା: ଅପହୃତ ସେତୁ
/sambad/media/post_attachments/wp-content/uploads/2022/04/65sf465h4sf4hh4hf654h654fh65fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)