‘କୋଭିଡ୍-୧୯’ ‘ପାନ୍ଡେମିକ୍’ ସକାଶେ ହୋଇଥିବା ତାଲାବନ୍ଦ କାରଣରୁ ନିମ୍ନ ଓ ମଧ୍ୟମ ଆୟକାରୀ ପ୍ରାୟ ୧୧୪ଟି ରାଷ୍ଟ୍ରର ନାରୀମାନେ କିଭଳି ଶାରୀରିକ ଓ ମାନସିକ ଦୁଃସ୍ଥିତି ମଧ୍ୟ ଦେଇ ଗତି କରୁଛନ୍ତି ତାର ଏକ ଚିତ୍ର ‘ୟୁ.ଏନ୍. ପପୁଲେସନ୍ ଫଣ୍ଡ୍’, ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଜନ ହପକିନ୍ସ ୟୁନିଭର୍ସିଟି ଏବଂ ଅଷ୍ଟ୍ରେଲିଆର ଭିକ୍ଟୋରିଆ ୟୁନିଭର୍ସିଟି ଦ୍ବାରା କରାଯାଇଥିବା ଏକ ମିଳିତ ଅନୁଧ୍ୟାନରୁ ଜଣାଯାଇଛି। ଏହା କହିଛି ଯେ ‘ଲକ୍ଡାଉନ୍’ କାରଣରୁ ଏହି ସବୁ ମଧ୍ୟମ ଓ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ଘରେ ବନ୍ଦ ହୋଇ ରହିଥିବା ପ୍ରାୟ ୪୭ ନିୟୁତ ନାରୀଙ୍କ ମଧ୍ୟରୁ ପାଖାପାଖି ୭ ନିୟୁତ ଅବାଂଛିତ ଗର୍ଭଧାରଣ କରିବାକୁ ବାଧ୍ୟ ହେବେ। ଏହାର ଏକ ବଡ଼ କାରଣ ହେଉଛି ତାଲାବନ୍ଦ କାରଣରୁ ‘ଗର୍ଭ ନିରୋଧକ’ ପାଇବାରେ ସେମାନଙ୍କ ଅସାମର୍ଥ୍ୟ। ଏହା ସେମାନଙ୍କର ପାରିବାରିକ ସ୍ଥିତିକୁ ଗଭୀର ଭାବେ ଆକ୍ରାନ୍ତ କରିବାର ଆଶଙ୍କା ରହିଛି। ସେହି ଅନୁଧ୍ୟାନ ଏହା ମଧ୍ୟ କହିଛି ଯେ ଏହି ସମୟରେ ଅନେକ କିଶୋରୀ-ତରୁଣୀ ପରିବାର ମଧ୍ୟରେ ଯୌନ ଶୋଷଣର ଶିକାର ହୋଇ ଅକଥନୀୟ ଶାରୀରିକ ଓ ମାନସିକ ଉତ୍ପୀଡ଼ନ ସହିବା ସହିତ ଭବିଷ୍ୟତ୍ରେ କୁମାରୀ ମାତା ହେବାର ଲାଂଛନା ଦ୍ବାରା ମଧ୍ୟ ବୋଝଗ୍ରସ୍ତ ହେବେ। ଏହା ଦ୍ବାରା ସେମାନେ ଉଭୟ ସ୍ବାସ୍ଥ୍ୟ ଓ ସମ୍ମାନ ହାନିର ଶିକାର ମଧ୍ୟ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
‘ଲକ୍ଡାଉନ୍’ ଭଳି ଏକ ପଦକ୍ଷେପ ସାରା ବିଶ୍ବରେ ମଣିଷ ସମାଜକୁ ଧନୀ ଓ ଦରିଦ୍ର ଏବଂ ପୁରୁଷ ଓ ନାରୀ ଭିତ୍ତିରେ ଯେଉଁଭଳି ବିଭାଜିତ କରି ପକାଇଛି, ତାହା ଘଟିବ ବୋଲି କେହି ଧାରଣା କରିପାରି ନ ଥିଲେ। ଏଠାରେ ପ୍ରଣିଧାନଯୋଗ୍ୟ ଯେ ମଧ୍ୟ-ଆଫ୍ରିକା ଓ ପୂର୍ବ-ଆଫ୍ରିକାର କେତେକ ରାଷ୍ଟ୍ରରେ ତାଲାବନ୍ଦ ସମୟରେ ପୁରୁଷମାନଙ୍କ ଦ୍ବାରା ମାତ୍ରାଧିକ ଅତ୍ୟାଚାରର ଶିକାର ମହିଳାମାନେ ‘ତାଲାବନ୍ଦ’କୁ ଉଠାଇ ନେବା ଲାଗି ବିକ୍ଷୋଭମାନ ମଧ୍ୟ ପ୍ରଦର୍ଶନ କରିଛନ୍ତି। ‘ତାଲାବନ୍ଦ’ ସମୟରେ ଏହି ନିର୍ଦ୍ଦିଷ୍ଟ ବର୍ଗର ମହିଳାମାନେ ଆର୍ଥିକ, ସ୍ବାସ୍ଥ୍ୟଗତ ତଥା ଅଧିକାରଗତ କ୍ଷେତ୍ରରେ ସବୁଠାରୁ ଅଧିକ ବୈଷମ୍ୟର ଶିକାର ହେବାରେ ଲାଗିଛନ୍ତି। କିନ୍ତୁ ଏହି ଅନୁଧ୍ୟାନରେ ଯେଉଁ ଚେତାବନୀଟି ରହିଛି, ତାହା ହେଲା ପୃଥିବୀ କରୋନାମୁକ୍ତ ହେବା ପରେ ଯେତେବେଳେ ବନ୍ଦ ଘରର ଦ୍ବାର ସବୁ ଖୋଲିବା ଆରମ୍ଭ ହେବ, ସେତିକି ବେଳେ ଯେଉଁ ଚିତ୍ର ବାହାରକୁ ଦିଶିବ, ତାହା ହୁଏ’ତ ଏହି ଅନୁଶୀଳନ ଦ୍ବାରା ପ୍ରଦର୍ଶିତ ଚିତ୍ର ଠାରୁ ଅନେକ ଗୁଣ କରୁଣ ହୋଇପାରେ।