ଏ ମାସ ଆରମ୍ଭରେ ଗୁରୁଗ୍ରାମ ସହରରୁ ଏକ ଗରିବ ମୁସଲମାନ ପରିବାର ଘରଦ୍ବାର ଛାଡ଼ି ପଳାଇଯାଉଥିବାର ଚିତ୍ର ଏକ ଖବରକାଗଜରେ ଦେଖି ମୁଁ ଅତ୍ୟନ୍ତ ମର୍ମାହତ ହୋଇଥିଲି। ଉକ୍ତ ଚିତ୍ରର କେନ୍ଦ୍ରରେ ଥିଲା ଜଣେ କିଶୋରୀ ତା’ର ଓଢ଼ଣା ଘୋଡ଼ାଇ ରହିଥିବା ମୁଣ୍ଡ ଉପରେ ସୁଟ୍‌କେସ୍‌ଟିଏ ମୁଣ୍ଡେଇ ଚାଲୁଥିବାର ଦୃଶ୍ୟ। ସୁଟ୍‌କେସ୍‌ଟିକୁ ସନ୍ତୁଳନରେ ଧରି ରଖିବା ପାଇଁ ସେ ତା’ର ବାମ ହାତକୁ ଉପରକୁ ଟେକିଥିଲା, ଆଉ ବନ୍ଧାହୋଇଥିବା ଏକ ପ୍ଲାଷ୍ଟିକ୍‌ ବାଲତି ଓ ପ୍ଲାଷ୍ଟିକ୍‌ ବ୍ୟାଗ୍‌କୁ ସେ ଡାହାଣ ହାତରେ ଧରିଥିଲା। ତା’ର ମଇଳା ମକା ରଙ୍ଗର କାମିଜଟିର ବାହୁ ପାଖଟି ଝାଳରେ ତିନ୍ତିଯାଇଥିଲା, ସେ ନିଶ୍ଚୟ ବେଶ୍‌ କିଛି ବାଟ ଚାଲିଥିବା କଥାକୁ ତାହା ଦର୍ଶାଉଥିଲା। କିଶୋରୀର ବାମପଟେ ଜଣେ ଯୁବକ ଥିଲେ, ବୋଧେ ତା’ର ଭାଇ। ସେ ଡାହାଣ ହାତରେ ଉପୁଚିପଡୁଥିବା ଏକ ବସ୍ତାରେ କିଛି ଅନାବନା ସାମଗ୍ରୀ ଧରିଥିଲା ଏବଂ ବାମ ହାତରେ ହାଣ୍ଡବ୍ୟାଗଟିଏ ଧରିଥିଲେ। ସେମାନଙ୍କ ମଝିରେ ଜଣେ ମଧ୍ୟବୟସ୍କା, ବୋଧହୁଏ ସେମାନଙ୍କ ମାଆ, ବାମ ହାତରେ ଏକ ପ୍ଳାଷ୍ଟିକ୍‌ ପାତ୍ର ଏବଂ ଡାହାଣପଟ କାଖରେ ଏକ ହାଣ୍ଡବ୍ୟାଗ୍‌ ଚାପିଧରି ଚାଲୁଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ, ସେମାନେ ତାଙ୍କ ପୂରା ଘରକୁ ନିଜ ହାତରେ ବୋହି ନେଉଥିଲେ। ସେମାନଙ୍କଠାରୁ କିଛି ଦୂର ପଛରେ ଠିଆ ହୋଇଥିଲା ଗୋଟିଏ ପୁଲିସ ଗାଡ଼ି। ଗାଡ଼ି ପାଖରେ ୪/୫ ଜଣ ପୁଲିସ ଏହି ବାସହୀନ ପରିବାରର ଦୁର୍ଭାଗ୍ୟ ପ୍ରତି ବେଫିକର ହୋଇ ଗପରେ ମଜ୍ଜିଯାଇଥିଲେ।
ଚିତ୍ରଟିକୁ ଦେଖିଲା ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ଶବ୍ଦଗୁଡ଼ିକ ମୋ’ କାନରେ ଗୁଞ୍ଜରିତ ହେଉଥିଲା: ମୁଁ ଜାଣେ ଦାରିଦ୍ର୍ୟ କେମିତି ଲାଗେ... ରେଳ ପ୍ଲାଟଫର୍ମରେ ଚା’ ବିକ୍ରି କରି ମୁଁ ଏଠିକି ପହଞ୍ଚିଛି... ମୁଁ ପଢ଼ାବହିରୁ କେବେ ଦାରିଦ୍ର୍ୟ ବିଷୟରେ ଶିଖିନାହିଁ। ମୁଁ ମୋ’ ଜୀବନରୁ ଏ ବିଷୟରେ ଶିକ୍ଷାଲାଭ କରିଛି... ମୁଁ ସ୍ବାଭାବିକ ଭାବେ ଗରିବଙ୍କ ଦୁଃଖ ବୁଝିପାରେ...।
ସେଗୁଡ଼ିକ ଫମ୍ପା ଶବ୍ଦ ପରି ଲାଗୁଥିଲା- ଜଣେ ପ୍ରତିଶ୍ରୁତିପ୍ରବଣ ରାଜନେତାଙ୍କର ଛଳନାତ୍ମକ ସହାନୁଭୂତି। ଫଟୋରେ ଥିବା କିଶୋରୀ, ତାଙ୍କ ଭାଇ ବା ତାଙ୍କ ମାଆର ଯନ୍ତ୍ରଣା ବୁଝିବାକୁ ସେଠାରେ କେହି ନଥିଲେ। ହିନ୍ଦୁ ଭିଡ଼ର ଆକ୍ରମଣ ଭୟରେ ଗୁରୁଗ୍ରାମ ଛାଡ଼ି ପଳାଇ ଯାଉଥିବା ହଜାର ହଜାର ଅନ୍ୟ ପୁରୁଷ ଓ ମହିଳାଙ୍କ ଦୁଃଖ କଷ୍ଟ ବୁଝିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନ ଥିଲେ କି ମୁଖ୍ୟମନ୍ତ୍ରୀ ଖଟ୍ଟର ନଥିଲେ! ଏହି ପୁରୁଷ ଓ ମହିଳାମାନେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଅନ୍ୟ ରାଜ୍ୟରୁ ଆସି ପ୍ରଗତିର ପ୍ରତିଷ୍ଠିତ ସହର ଗୁରୁଗ୍ରାମରେ ରହୁଥିଲେ। ସେମାନଙ୍କର ସ୍ବପ୍ନ ଥିଲା- କଳକାରଖାନା, ଦୋକାନ ବଜାର ବା କାହା ପାଖରେ କାମ କରି ନିଜ ଜୀବନଯାପନର ମାନରେ ଉନ୍ନତି ଆଣିବା, ନିଜସ୍ବ ଘରଟିଏ କରିବା, ଗାଡ଼ିମୋଟର କିଣିବା, ନିଜ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ଏବଂ ନିଜର ଚିକିତ୍ସା ଖର୍ଚ୍ଚ ବହନ କରିବା। ମାତ୍ର ସେମାନଙ୍କର ସ୍ବପ୍ନ ଭାଙ୍ଗି ଚୂର୍‌ମାର ହୋଇଗଲା।
ଏପରି କାହିଁକି ହେଲା? ଜୁଲାଇ ୩୧ ତାରିଖରେ ହରିୟାଣାର ଗୁରୁଗ୍ରାମ ଜିଲ୍ଲା ସଂଲଗ୍ନ ମୁସଲମାନ ବହୁଳ ଜିଲ୍ଲା ନୁହ ଠାରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦ୍ବାରା ଆୟୋଜିତ ହିନ୍ଦୁ ଧାର୍ମିକ ଶୋଭାଯାତ୍ରା ଉପରେ ଏକ ମୁସଲମାନ ଗୋଷ୍ଠୀ ହିଂସାତ୍ମକ ଆକ୍ରମଣ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ହିନ୍ଦୁମାନେ ଗୁରୁଗ୍ରାମ ସହରରେ ଅନେକ ମୁସଲମାନ ବସ୍ତି ଓ ଦୋକାନ ସମେତ ଏକ ମସଜିଦରେ ନିଆଁ ଲଗାଇ ଦେଇଥିଲେ। ତେବେ ହିନ୍ଦୁଙ୍କ ପ୍ରତିଶୋଧ ସେତିକିରେ ସରିନଥିଲା। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ନେତାମାନେ ମୁସଲମାନମାନଙ୍କର ଆର୍ଥିକ ବାସନ୍ଦ କରିବାକୁ ଆହ୍ବାନ ଦେଇଥିଲେ। ଯେଉଁମାନେ ମୁସଲମାନମାନଙ୍କୁ ଶ୍ରମିକ କିମ୍ବା କାରିଗର ଭାବେ ନିଯୁକ୍ତ କରିବେ କିମ୍ବା ସେମାନଙ୍କୁ ଜାଗାବାଡ଼ି ଲିଜ୍‌ରେ ଦେବେ କିମ୍ବା ସେମାନଙ୍କ ଦୋକାନରୁ ସାମଗ୍ରୀ ଓ ସେବା କିଣିବାର ସୁଯୋଗ ଦେବେ, ସେମାନଙ୍କୁ ଦେଶଦ୍ରୋହୀ ବିବେଚନା କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ସେମାନଙ୍କ ଲୋକ ମୋଟରସାଇକଲ୍‌ରେ ବୁଲି ବୁଲି ମୁସଲମାନମାନଙ୍କୁ ଚେତାବନୀ ଦେଉଥିଲେ କି ସେମାନେ ସହର ଛାଡ଼ନ୍ତୁ, ନଚେତ ମୃତ୍ୟୁ ଓ ବିନାଶର ସମ୍ମୁଖୀନ ହୁଅନ୍ତୁ। ଏ ଚେତାବନୀ ଯେ ଖୁବ୍ ସାଂଘାତିକ ତାହା ବୁଝାଇଦେବା ପାଇଁ ସେମାନେ କେତେକ ଆକ୍ରମଣ ମଧ୍ୟ କରିଥିଲେ।
ମୋ’ ମନରେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ କଥା ପ୍ରତିଧ୍ବନିତ ହେଲା: ଗରିବ ଲୋକମାନେ ଦାରିଦ୍ର୍ୟରୁ ମୁକୁଳିବା ପାଇଁ ଚେଷ୍ଟା କରୁଥିବାର ଦେଖିଲେ ମୋତେ ବହୁତ ଖୁସି ଲାଗେ... ଦାରିଦ୍ର୍ୟ ଦୂରୀକରଣ ପାଇଁ ମୋର ପଦ୍ଧତି ହେଉଛି ଗରିବଙ୍କୁ ସଶକ୍ତ କରିବା। ଯଦି ଆମେ ସେମାନଙ୍କୁ ସଶକ୍ତ କରିବା, ତେବେ ସେମାନେ ନିଜକୁ ନିଜେ ଦାରିଦ୍ର୍ୟରୁ ମୁକୁଳାଇପାରିବେ...।
ଦାରିଦ୍ର୍ୟରୁ ମୁକ୍ତି ପାଇବା ପାଇଁ ଗୁରୁଗ୍ରାମ ଆସିଥିବା ଏବଂ ହିନ୍ଦୁ ଧର୍ମାନ୍ଧଙ୍କ କବଳରୁ ବର୍ତ୍ତିଯାଇଥିବା ପ୍ରବାସୀ ଶ୍ରମିକଙ୍କ ଅନୁଭୂତି ଥିଲା ଠିକ୍‌ ଓଲଟା। ସେମାନଙ୍କୁ ଅସହାୟ କରିଦିଆଯାଇଥିଲା। ସେମାନଙ୍କୁ ନିଜ ସହର କିମ୍ବା ଗ୍ରାମରେ ଉପଲବ୍‌ଧ ଜୀବିକା ସୁଯୋଗ ତୁଳନାରେ ଗୁରୁଗ୍ରାମର ଉତ୍ତମ ସୁଯୋଗ ହାସଲ କରିବା ପାଇଁ ବାରଣ କରାଯାଇଥିଲା। ସେମାନଙ୍କୁ ସମସ୍ତ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ଆଇନର ସମାନ ସୁରକ୍ଷା (ଅନୁଚ୍ଛେଦ ୧୪), ଧର୍ମ ଆଧାରରେ କୌଣସି ଭେଦଭାବ ନ କରିବା (ଅନୁଚ୍ଛେଦ ୧୫), ଚଳପ୍ରଚଳର ସ୍ବାଧୀନତା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କରିବାର ଅଧିକାର (ଅନୁଚ୍ଛେଦ ୧୯) ଏବଂ ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷା (ଅନୁଚ୍ଛେଦ ୨୧) ଆଦି ରହିଛି। ସେମାନଙ୍କୁ ସ୍ବାଧୀନ ଭାରତରେ ଯେ କୌଣସି ସ୍ଥାନକୁ ମୁକ୍ତ ଭାବରେ ଯିବା, ଜୀବନର ମାନରେ ଉନ୍ନତି ଆଣିବା ଲାଗି ଯେ କୌଣସି ଚାକିରି କରିବା ଆଦି ସ୍ବାଧୀନତାରୁ ବଞ୍ଚିତ କରାଯାଇଥିଲା। ଏହା ଦାରିଦ୍ର୍ୟ ଦୂରୀକରଣ ନୁହେଁ, ବରଂ ଦାରିଦ୍ର୍ୟର ଚିରସ୍ଥାୟୀକରଣ ଥିଲା।
ଏ କଥା ସତ ଯେ, ଡବଲ ଇଞ୍ଜିନ ସରକାର ସେମାନଙ୍କୁ ସିଧାସଳଖ ଦୁର୍ବଳ କରିନାହିଁ। ତେବେ ତାହା ପରୋକ୍ଷରେ ହିନ୍ଦୁ ଧର୍ମାନ୍ଧ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେଉଥିଲା, ଯେଉଁମାନେ ସେମାନଙ୍କୁ ନିର୍ବଳ କରୁଥିଲେ। ଯଦି ଉନ୍ନତ ଜୀବିକା ହାସଲ ପାଇଁ ଗରିବମାନଙ୍କୁ ଉତ୍ସାହିତ କରିବା ଲାଗି ସରକାର ସଚ୍ଚୋଟତାର ସହ ପ୍ରତିବଦ୍ଧ ହୋଇଥା’ନ୍ତେ, ତେବେ ସେମାନେ ଧର୍ମାନ୍ଧ ଗୋଷ୍ଠୀ ସହ ଦୃଢ଼ ଭାବରେ ମୁକାବିଲା କରିପାରିଥା’ନ୍ତେ। ଏହା ପରିବର୍ତ୍ତେ ସେମାନେ ଧର୍ମାନ୍ଧ ହିନ୍ଦୁମାନଙ୍କୁ ସଭାସମିତି ଓ ଶୋଭାଯାତ୍ରା କରି ମୁସଲମାନମାନଙ୍କୁ ଅର୍ଥନୈତିକ ବର୍ଜନ ପାଇଁ ଆହ୍ବାନ କରିବାକୁ ଦେଇଥିଲେ। ‘ଡବଲ ଇଞ୍ଜିନ’ ସରକାର ଦ୍ବାରା ନୁହରେ ଶହ ଶହ ଘର ଓ ଦୋକାନକୁ କେବଳ ଏହି ସନ୍ଦେହରେ (କୌଣସି ପ୍ରମାଣ ନାହିଁ) ବୁଲଡୋଜର ଲଗାଇ ଭାଙ୍ଗି ଦିଆଗଲା ଯେ ମୁସଲମାନ ଆକ୍ରମଣକାରୀମାନେ ସେଗୁଡ଼ିକୁ ବ୍ୟବହାର କରୁଥିଲେ। ଯେଉଁ ଧର୍ମାନ୍ଧ ହିନ୍ଦୁମାନେ ଗୁରୁଗ୍ରାମରେ ମୁସଲମାନ ବସ୍ତି ଓ ଦୋକାନ ପୋଡ଼ିଦେଲେ କିମ୍ବା ଇମାମଙ୍କୁ ହତ୍ୟା କଲେ, ସେମାନଙ୍କ ଘରକୁ ବୁଲଡୋଜର ଛୁଇଁଲା ନାହିଁ।
ହିନ୍ଦୁ ଓ ମୁସଲମାନଙ୍କ ଆପରାଧିକ କାର୍ଯ୍ୟକଳାପର ମୁକାବିଲା କରିବାରେ ସରକାରଙ୍କ ଦୋମୁହାଁ ନୀତି ସରକାରଙ୍କ ଉପରୁ ଭରସା ତୁଟାଇଦେଇଛି। ଫଳରେ ପ୍ରବାସୀ ମୁସଲମାନଙ୍କ ପକ୍ଷରେ ପଳାୟନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ସେମାନେ ସ୍ପଷ୍ଟ ଭାବରେ ଦେଖିପାରିଲେ ଯେ ସରକାର ଦାରିଦ୍ର୍ୟ ଦୂରୀକରଣ ଅପେକ୍ଷା ରାଜନୈତିକ ଫାଇଦା ହାସଲ କରିବାକୁ ବେଶୀ ତତ୍ପର। ପ୍ରଧାନମନ୍ତ୍ରୀ ମୋଦୀ ଅର୍ଥନୈତିକ ଅନ୍ତର୍ଭୁକ୍ତୀକରଣ ବିଷୟରେ ପ୍ରଚାର କରନ୍ତି। ଏଣେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଅର୍ଥନୈତିକ ବହିର୍ଭୂତୀକରଣର ପ୍ରସାର କଲେ। ମୋଦୀ ସରକାର ସେମାନଙ୍କୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ। କାହିଁକି ବା ନେବେ? ଉଭୟ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ବିଜେପିର ଭାଇଭଉଣୀ ପରି। ବିଜେପି ପାଇଁ ହିନ୍ଦୁ ଭୋଟ ବ୍ୟାଙ୍କର ବିସ୍ତାର ଲକ୍ଷ୍ୟରେ ସେମାନେ ତୃଣମୂଳ ସ୍ତରରେ କାମ କରିଥିଲେ। ତେଣୁ ସେମାନଙ୍କୁ ଦଣ୍ଡିତ ନୁହେଁ, ବରଂ ପୁରସ୍କୃତ କରିବା ଆବଶ୍ୟକ ଥିଲା ଏବଂ ସେମାନେ ତାହା ହିଁ କରିଥିଲେ। ଏହା ଥିଲା ଧର୍ମାନ୍ଧ ହିନ୍ଦୁମାନଙ୍କ ଶକ୍ତି ବୃଦ୍ଧି ଏବଂ ପ୍ରବାସୀ ମୁସଲିମ୍‌ମାନଙ୍କ ଶକ୍ତି କ୍ଷୟ।
ପଳାୟନ କରୁଥିବା ମୁସଲମାନମାନଙ୍କ ବିଷୟରେ ମୁଁ ଯେତେବେଳେ ଭାବୁଛି, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସ୍ଲୋଗାନ- ଯାହା ବୋଧହୁଏ ତାଙ୍କ ରାଜନୈତିକ ଦର୍ଶନର ମଞ୍ଜ- ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ’ ମୋ’ କାନରେ ବାଜି ଉଠୁଛି। ଏହାର ଅର୍ଥ ହେଉଛି, ସମସ୍ତଙ୍କର ବିଶ୍ବାସଭାଜନ ହେବା, ସମସ୍ତଙ୍କୁ ସାଙ୍ଗରେ ଧରି ଦେଶର ବିକାଶ କରାଇବା ଏବଂ ସମସ୍ତଙ୍କ ଉଦ୍ୟମରେ ବିକାଶର ଫଳକୁ ସମାନ ଭାବରେ ବାଣ୍ଟିବା ପାଇଁ ତାଙ୍କ ସରକାର ପ୍ରତିବଦ୍ଧ। ଏ ପରିପ୍ରେକ୍ଷୀରେ ପ୍ରବାସୀମାନେ ତାଙ୍କୁ ପଚାରିବା ଉଚିତ ହେବ ଯେ- କାହା ସହିତ, କାହାର ବିକାଶ, କାହାର ବିଶ୍ବାସ ଓ କାହାର ପ୍ରୟାସ? (ଆପଣ କାହାର ବିଶ୍ବାସ ଜିତିବାକୁ ଆଶା ରଖିଛନ୍ତି, କାହାକୁ ସାଙ୍ଗରେ ନେଇ ବିକାଶର ଯୋଜନା କରିବାକୁ ଚାହୁଁଛନ୍ତି ଏବଂ କିଏ ବିକାଶର ଫଳ ଭୋଗ କରୁ ବୋଲି ଚାହୁଁଛନ୍ତି?)
[email protected]