କୁହାଯାଏ ଯେ ଯାହା ଶୁଣିବାକୁ କାନ ଚାହିଁଥାଏ, ଲୋକେ ପ୍ରାୟ ତାହା ହିଁ କହନ୍ତି। ଏହା ତ ସାଧାରଣ ଜ୍ଞାନର କଥା। ସେଥି ଲାଗି ଆପଣଙ୍କୁ ଖୁସି କରିବା ଭଳି ‘ଟେକା-ଟେକି’ କଥାମାନ ଆପଣମାନେ ଅବଶ୍ୟ ଶୁଣୁଥିବେ! ସତ କହିଲେ ଆଉ କାହା ତୁଣ୍ଡରୁ ନିଜ ବିଷୟରେ ଏଭଳି କଥାମାନ ଶୁଣିବା ପାଇଁ ଲୋକେ ଟାକି ବସନ୍ତି। ସେଥି ଲାଗି ତ କିଛି ମତଲବ ଥିଲେ ଲୋକେ ବନେଇ ଚୂନେଇ ନାନା ବାଗରେ ଏମିତି କଥାମାନ କହନ୍ତି ଯେ ଶୁଣୁଥିବା ଲୋକର ମନରେ କଦମ୍ବ ଫୁଟିଯାଏ; ତା’ ପରେ କହୁଥିବା ଲୋକ ଯାହା ଚାହୁଁଥାଏ, ଶୁଣୁଥିବା ଲୋକ ଏକା ବେଳକେ ‘ତଥାସ୍ତୁ’ ବୋଲି କହିଦିଏ। ସେଥି ଲାଗି ତ କ୍ଷମତାଶାଳୀମାନଙ୍କ ପାଖରେ ଏଭଳି ଲୋକ ବେଢ଼ି ରହନ୍ତି। କିନ୍ତୁ ସତ କହିଲେ ଦେଖି ଏମିତି କଥାମାନ ଶୁଣି ଶୁଣି ଆପଣଙ୍କ ମନ କେବେ ପୂରିଛି କି? ତେଣୁ କାନ ଆହୁରି ଆହୁରି ଶୁଣିବାକୁ ଚାହିଁଥାଏ।

Advertisment

ଏବେ ଧରନ୍ତୁ ଆପଣଙ୍କ ଭୂମିକା ଓଲଟି ଯାଇଛି। ଆପଣ ଆଉ ଶ୍ରୋତା ନୁହନ୍ତି; ଆପଣ ଏବେ କହୁଛନ୍ତି। କିନ୍ତୁ କ’ଣ ସବୁ କହୁଛନ୍ତି? ଆପଣ କହିଲା ବେଳେ ସେଥି‌େର ଏତେ ମଜ୍ଜି ଯାଇଛନ୍ତି ଯେ କିଛି ଶୁଣି ପାରୁ ନାହାନ୍ତି। ତେଣୁ କାନ ଡେରି ଶୁଣିବାକୁ ଚେଷ୍ଟା କରନ୍ତୁ ବୋଲି ଆମେ କହିବୁ। ଶୁଣିଲେ? ଆପଣ ତ ଅନର୍ଗଳ କେବଳ ନିଜ କଥା ହିଁ ଗପି ଚାଲିଛନ୍ତି! ଯେମିତି ଆପଣ ନିଜ କଥା ଶୁଣି ଶୁଣି ହାଲିଆ ହେଉ ନାହାନ୍ତି, ନିଜ କଥା କହି କହି ବି ଥକୁ ନାହାନ୍ତି! କି ମାୟା ସତରେ?

ଆମେମାନେ ସମସ୍ତେ ଊଣାଅଧିକେ ପ୍ରାୟ ଏୟା: ବର୍ଷକ ତିନି ଶହ ପଅଁଷଠି ଦିନ ଗୁଣନ ଚବିଶ ଘଣ୍ଟା ଖାଲି ନିଜକୁ ନେଇ ବାଇ! ନିଜ ଘର, ନିଜ ପରିବାର, ନିଜ ବେଉସା, ନିଜ ପସନ୍ଦ, ଖାଲି ନିଜ, ନିଜ ଆଉ ନିଜ କଥା। ସବୁଥିରେ କେବଳ ‘ମୁଁ’ ଆଉ ‘ମୋର’। ଯଦି କେହି ମାତ୍ର ଘଣ୍ଟାଟିଏ ହେଲେ ବି କେବଳ ନିଜ କଥାକୁ କାନ ଡେରି ଶୁଣିବାକୁ ଚେଷ୍ଟା କରିବ; ସେ ହୁଏ’ତ ଲଜ୍ଜିତ ହୋଇ ଯାଇପାରେ ଯେ ତା’ ତୁଣ୍ଡରୁ ନିସୃତ କଥାମାନ କେବଳ ‘ମୁଁ’ ମୟ!

ସେତେବେଳ ପର୍ଯ୍ୟନ୍ତ ଏମିତି ଭାବେ ସଂସାର ଚାଲିଥାଏ, ଯେତେବେଳ ପର୍ଯ୍ୟନ୍ତ ଏମିତି କ୍ଷଣଟିଏ ଆସି ନ ଥାଏ ଯେ ଲାଗେ ‘ମୁଁ କିଛି ନୁହେଁ’; ମୋ ହାତରେ କିଛି ନାହିଁ! ଏବେ କାହାଣୀଟିଏ କହିବା। ଶାଶୂ ଓ ବୋହୂ ଏକାଠି ରହୁଥିଲେ। ଶାଶୂ ମହାପ୍ରତାପୀ। କେବଳ ତାଙ୍କ କଥା ଚାଲେ। ଦିନକର କଥା। ଭିକାରିଟିଏ ଭିକ ଲାଗି ଆସିଲା। ସେତିକି ବେଳକୁ ବାରଣ୍ଡାରେ ବୋହୂ ଥିଲେ ତ କହିଦେଲେ ଘରେ ଚାଉଳ ନାହିଁ, କାଲି ଆସ। ଭିକାରି ଫେରିଯାଏ। କିନ୍ତୁ ବୋହୂର କଥାଟି ଶାଶୂଙ୍କ କାନରେ ପଡ଼ିଯାଏ। ଘରେ ଚାଉଳ ନାହିଁ ବୋଲି କହିବାକୁ ବୋହୂ କିଏ? ତତ୍‌କ୍ଷଣାତ୍‌ ସେ ବାହାରକୁ ବାହାରି ଆସନ୍ତି। ଖଣ୍ଡେ ଦୂରକୁ ଚାଲିଯାଇଥିବା‌ ଭିକାରିକୁ ପୁଣି ଡାକନ୍ତି। ଅଗତ୍ୟା ଭିକାରିଟି କିଛି ପାଇବାର ଆଶା ନେଇ ଫେରିଆସେ। କିନ୍ତୁ, ଶାଶୂ କହନ୍ତି ଘରେ ଚାଉଳ ନାହିଁ ବୋଲି କହିବାକୁ ସେ କିଏ? ମୁଁ କହୁଛି ଘରେ ଚାଉଳ ନାହିଁ, କାଲି ଆସ! ଏଥର ଭିକାରି ହସିଦିଏ ଓ ଏହା କହି ଫେରିଯାଏ ଯେ ସମୟ ଆସିଲେ ବୁଝିବ ତୁାମ କିଏ ଆଉ ସେ କିଏ? କିଛି ବର୍ଷ ପରେ ଏବେ ଶାଶୂ ରୋଗାକ୍ରାନ୍ତ ଓ ଶଯ୍ୟାଶାୟୀ। ବୋହୂର ଶୁଶ୍ରୂଷା ଉପରେ ସେ ପୂରା ନିର୍ଭରଶୀଳ। ଭିକାରିର କଥା ବାରମ୍ବାର ମନେ ପଡ଼ିଯାଉଛି! ସେ ଭାବୁଛନ୍ତି ହାୟ, ଚୈତନ୍ୟ ଉଦୟ ହେବାରେ କେତେ ଡେରି ହୋଇଗଲା ସତେ? କୋଉ କଥାକୁ ନେଇ ମୁଁ ଏ‌େତ ଗର୍ବ କରୁଥିଲି?

ଆମେମାନେ ନିଜ ଭିତରେ ସେଇ ପ୍ରକୃତ ‘ମୁଁ’ଟିକୁ ପାଇପାରିବା କି ଯିଏ କେବେ ହେଲେ ଉଚ୍ଚାଟିତ ହୁଏ ନାହିଁ ଏବଂ ସନ୍ତର୍ପଣରେ କହିଥାଏ ଯେ ଯେଉଁ ‘ମୁଁ’କୁ ନେଇ ତୁମର ଏତେ ଦମ୍ଭ, ତାହା ମୂଲ୍ୟହୀନ! ଯେଉଁ ‘ମୁଁ’ଟି ଅସଲ ଐଶ୍ୱର୍ଯ୍ୟ, ତାହା ତୁମ ଠାରେ ଅଛି, କିନ୍ତୁ ଅତି ସଂଗୋପନରେ! ଆଜିକାଲି କୁହାଯାଉଛି ନିଜ ଭିତରେ ‘ନିଜ’କୁ ଚିହ୍ନ। ତା’ କଥା ବୁଝ। ତା’ର ଧୀର ସନ୍ଦେଶକୁ ଶୁଣିବାକୁ ଚେଷ୍ଟା କର। ତା’ ଲାଗି ସମୟ ଦିଅ। ସୁତରାଂ, ସେହି କଥା ଅନୁସାରେ ନିଜ ଭିତରେ ନିଜକୁ ଚିହ୍ନିବା ହେଉଛି ସେହି ‘ମୁଁ’ଟିକୁ ଆବିଷ୍କାର କରିବା। ଆପଣଙ୍କ ସାମନାରେ ଏବେ ଦୁଇ ପ୍ରକାରର ‘ମୁଁ’। ଆପଣ ବିଚାର କରନ୍ତୁ କାହାକୁ ନେଇ ରହିବେ!
ମୋ: ୯୪୩୭୯୦୯୬୭୬