ବୁଗୁଡ଼ା କଲୋନିର ମହିଳା

କୃଷ୍ଣ ଚନ୍ଦ୍ର ମହାପାତ୍ର

୨୦୦୦-୨୦୦୨ ମସିହାର କଥା। ଏହି ଲେଖକ ନୟାଗଡ଼ର ଜିଲ୍ଲାପାଳ ଥାଏ। ସେତେବେଳେ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଅଧିକ ପ୍ରମୁଖତା ପାଉଥାଏ। ମହିଳାମାନଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ଏହି ଲକ୍ଷ୍ୟ ସାଧନ କରିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉଥାଏ। ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ‘ବୁଗୁଡ଼ା କଲୋନି’ରେ ପ୍ରଶାସନ ତରଫରୁ ଆଦିବାସୀ ମହିଳାମାନଙ୍କୁ ସଂଗଠିତ କରି ଶିଆଳି ପତ୍ର ସିଲେଇ କରି ପ୍ରେସିଂ ମେସିନ୍ ଦ୍ବାରା କପ୍-ପ୍ଲେଟ (ଖଲି ଓ ଦୋନା) ତିଆରି କରିବା ପାଇଁ ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲା। ଏହା ଆଗରୁ ପାରମ୍ପରିକ ଭାବରେ ପ୍ରସ୍ତୁତ ହେଉଥିବା ଶିଆଳି ଖଲିପତ୍ରର ମାନ ଠାରୁ ଅଧିକ ଉନ୍ନତ ହେବ ଏବଂ ଏହାର ବିକ୍ରି ସେମାନଙ୍କୁ ଅଧିକ ଲାଭବାନ କରିବ ବୋଲି ସମସ୍ତେ ନିଶ୍ଚିତ ଥାଆନ୍ତି। ସେ ପର୍ଯ୍ୟନ୍ତ ପାରମ୍ପରିକ ପ୍ରଣାଳୀରେ ଶାଳ ଗଛରୁ ଶିଆଳି ପତ୍ର ସଂଗ୍ରହ କରି ସେଠାକାର ମହିଳାମାନେ ଖଡ଼ିକା ବାଉଁଶ ଛେଲି ସାହାଯ୍ୟରେ ସିଲେଇ କରି ନିଜ ଅବସର ସମୟରେ ଖଲି ପ୍ରସ୍ତୁତ କରୁଥିଲେ ଓ ମଧ୍ୟସ୍ଥଙ୍କ ଜରିଆରେ ବିକ୍ରି କରି ସ୍ବଳ୍ପ ଉପାର୍ଜନ କରୁଥିଲେ; ଦିନକୁ ପ୍ରାୟ ୨୦୦ ଖଲିପତ୍ର, ଯାହାର ବିକ୍ରିରୁ ମିଳୁଥିଲା ମାତ୍ର ୨୦ ଟଙ୍କା। ସୁତରାଂ, ଏବେ ଆବଶ୍ୟକ ତାଲିମ ସହିତ କଞ୍ଚାମାଲ ଯୋଗାଣ କରିବା ତଥା ମଧ୍ୟସ୍ଥିଙ୍କୁ ଉଚ୍ଛେଦ କରି ଉତ୍ପାଦର ବିକ୍ରୟ ପାଇଁ ଏକ ଉତ୍କୃଷ୍ଟ ବଜାର ସୃଷ୍ଟି କରିବା ଥିଲା ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ।

କିନ୍ତୁ ସହରୀ ବାବୁମାନଙ୍କ ପ୍ରତି ଆଦିବାସୀ ମହିଳାମାନଙ୍କର ମନରେ ଥିଲା ଭୟ ଓ ଅବିଶ୍ବାସ। ତେବେ, ସେଠାକାର କିଛି ନେତୃସ୍ଥାନୀୟ ଲୋକଙ୍କ ସହଯୋଗ ଓ ଚେଷ୍ଟା ପରେ ସେମାନେ ପ୍ରାଥମିକ ଆଲୋଚନାକୁ ଆସିଲେ। ଶେଷରେ ଜିଲ୍ଲା ପ୍ରଶାସନ ତରଫରୁ ସେଠାରେ ମେସିନ ସିଲେଇ ବାବଦରେ ପ୍ରତ୍ୟକ୍ଷ ତାଲିମ ଦିଆଗଲା। ପର୍ଯ୍ୟାୟ କ୍ରମେ ପାରମ୍ପରିକ ପ୍ରଣାଳୀରେ ଖଲିପତ୍ର ସିଲେଇ କରୁଥିବା ମହିଳାମାନଙ୍କୁ ଡି.ଆର.ଡି.ଏ. ତରଫରୁ ସିଲେଇ ମେସିନ ମାଗଣାରେ ଯୋଗାଇ ଦିଆଗଲା। ଏଣିକି ସେମାନେ ସିଲାଇ କରୁଥିବା ଖଲିପତ୍ରକୁ ନିଜେ ବିକ୍ରି କଲେ ଓ ଲାଭ ପାଇଲେ; ଏବେ କମ୍‌ସେ କମ୍‌ ୨୦୦ ପତ୍ର ପ୍ରସ୍ତୁତ କରି ଦୈନିକ ୧୨୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କଲେ। ଏହା ପରେ ବାବୁମାନଙ୍କ ଉପରେ ସେମାନଙ୍କ ବିଶ୍ବାସ ବଢ଼ିଲା। କ୍ରମେ ଏଥି ଲାଗି ଆଗ୍ରହ ବଢ଼ିଲା, ଏହାର ଉତ୍ପାଦନ ଓ ବିକ୍ରିର ସୀମା ବଢ଼ିଲା। ଅଧିକ ମେସିନ ବସିଲା, ଅଧିକ ହିତାଧିକାରୀ ଏ ଦିଗରେ ଆଗଭର ହେଲେ। ବଡ଼ ବଡ଼ ଭୋଜିରୁ ଅର୍ଡର ଆସିଲା, ରାଜ୍ୟ ବାହାରକୁ ମଧ୍ୟ ଏ ସବୁ ଗଲା। ଜିଲ୍ଲା ମଧ୍ୟରେ ଏହା ଏକ ସଫଳ କାର୍ଯ୍ୟକ୍ରମ ରୂ‌େପ ପରିଗଣିତ ହେଲା।

ଏହି ସମୟରେ ହଠାତ୍ ରାଜଭବନରୁ ମାନ୍ୟବର ରାଜ୍ୟପାଳଙ୍କର ବ୍ୟକ୍ତିଗତ ସଚିବ ମୋତେ ଟେଲିଫୋନ୍‌ କରି ମାନ୍ୟବର ରାଜ୍ୟପାଳଙ୍କ ନୟାଗଡ଼ ଜିଲ୍ଲାକୁ ଏକ ୪ ଦିନିଆ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଲେ। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମ ଭିତରେ ଗୋଟିଏ ଆଦିବାସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକୁ ପରିଦର୍ଶନ କରିବା ଅନ୍ତର୍ଭୁକ୍ତ ଥିଲା। ମୁଁ ଜାଣିଲି ଯେ ମାନ୍ୟବର ରାଜ୍ୟପାଳ ପୂର୍ବରୁ ଗୋଟିଏ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେହି ଦୃଷ୍ଟିରୁ ଅନ୍ୟାନ୍ୟ ରାଜ୍ୟପାଳଙ୍କ ତୁଳନାରେ ଏହି ରାଜ୍ୟପାଳଙ୍କ ଗସ୍ତ ଥିଲା ସ୍ବତନ୍ତ୍ର। ବୁଗୁଡ଼ା କଲୋନି ଥିଲା ନୟାଗଡ଼ ଠାରୁ ୬୦ କିଲୋମିଟର ଦୂର। ଗାଡ଼ିରେ ଗଲା ବେଳେ ବାଟରେ ରାଜ୍ୟପାଳ ମହୋଦୟ ମୋତେ ବିଭିନ୍ନ ପ୍ରଶ୍ନ ପଚାରି ସେହି ସ୍ବୟଂ ସହାୟକ ସଂଘ ବିଷୟରେ ଅବଗତ ହୋଇଥିଲେ। ସେଠାରେ ପହଞ୍ଚି ତାଲିମ କେନ୍ଦ୍ର, ସିଲେଇ ମେସିନ ଓ କାର୍ଡବୋର୍ଡ ପ୍ରେସିଂ ମେସିନ୍‌ ସାହାଯ୍ୟରେ ଆଦିବାସୀ ମହିଳାମାନଙ୍କର ଖଲିପତ୍ର ଓ କପ୍ ତିଆରି କାର୍ଯ୍ୟ ଦେଖିଥିଲେ। ତା’ ପରେ ରାଜ୍ୟପାଳ ମହୋଦୟ କାହା ସହ ଆଉ କିଛି କଥାବାର୍ତ୍ତା ନ କରି ସିଧାସଳଖ ସଂଘର ସମ୍ପାଦିକା ଓ ସଦସ୍ୟାମାନଙ୍କ ସହିତ କଥା ହେବାକୁ ଇଚ୍ଛା କରିଥିଲେ। ଆଲୋଚନା ବେଳେ ସେ ପଚାରିଥିଲେ- ‘ତୁମେ କାହିଁକି ଏ କାମ କରିବାକୁ ନିଷ୍ପତ୍ତି ନେଲ?’

ସଂପାଦିକା ଏହାର ଉତ୍ତରରେ ସବୁ କଥା ବର୍ଣ୍ଣନା କରି କହିଥିଲେ ଯେ ‘ଜିଲ୍ଲା ପ୍ରଶାସନ ଆମର ଆଖି ଖୋଲିଦେଲା। ଆମେ ଆଜି ଦିନକୁ ୨୦ ଟଙ୍କା ବଦଳରେ ୧୨୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛୁ।’ ରାଜ୍ୟପାଳ ମହୋଦୟ ସେମାନଙ୍କ ବ୍ୟାଙ୍କ ପାସ୍‌ ବହି ଦେଖିବାକୁ ଚାହିଁଲେ ଓ ଦେଖିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ମାନ୍ୟବର ରାଜ୍ୟପାଳ ପଚାରିଥିଲେ ଏବେ କେମିତି ଲାଗୁଛି?

ସେମାନଙ୍କର ଉତ୍ତର ଥିଲା- ‘ଆମେ ଆଉ ମାଲିକ ପାଖରେ ପ୍ରତିଦିନ ସକାଳୁ ଘଣ୍ଟା ଘଣ୍ଟା ଧରି ମଜୁରି ପାଇଁ ହାତ ପତେଇ ଠିଆ ହେଉନୁ। ଆମରି ଉପାର୍ଜିତ ଅର୍ଥରେ ଆମେ ପିଲାଙ୍କୁ ପାଠ ପଢ଼ାଇ ଯତ୍ନ ନେବା ସହ ପରିବାର ଚଳାଇବାରେ ସାହାଯ୍ୟ କରୁଛୁ।’

ଆଦିବାସୀ ମହିଳାମାନଙ୍କର ଏଭଳି ଆର୍ଥିକ ସ୍ବାବଲମ୍ବନଶୀଳତା, ଆତ୍ମ ପ୍ରତ୍ୟୟ ରାଜ୍ୟପାଳ ମହୋଦୟଙ୍କୁ ବେଶ୍‌ ପ୍ରୀତ କରିଥିଲା। ସେଠାରୁ ସେ ଖୁସି ହୋଇ ବିଦାୟ ନେଇଥିଲେ। ପରବର୍ତୀ ସମୟରେ ପାର୍ଲାମେଣ୍ଟରେ ମହିଳା ସଶକ୍ତୀକରଣ କମିଟି ମଧ୍ୟ ବୁଗୁଡ଼ା କଲୋନିର ଏହି ସଂଘମାନଙ୍କର ସଫଳତାରେ ସନ୍ତୋଷ ପ୍ରକାଶ କରିଥିଲେ। ଏଠାରେ କହି ରଖେ ଯେ ପ୍ରାରମ୍ଭିକ ଭାବେ ଯେଉଁ ଆଦିବାସୀ ମହିଳାମାନେ ସଂପୂର୍ଣ୍ଣ ଭାବେ ଆତ୍ମ ପ୍ରତ୍ୟୟ ରହିତ ଥିଲେ ଏବଂ ସହରୀ ବାବୁ ତଥା ସରକାରୀ କର୍ମଚାରୀମାନଙ୍କ ଉପରେ ବିଶ୍ବାସ ସ୍ଥାପନ କରିପାରୁ ନ ଥିଲେ, ସେମାନଙ୍କ ଭିତରେ ଏବେ ଗଭୀର ଆତ୍ମ ପ୍ରତ୍ୟୟ ଭରି ଯାଇଥିଲା। କେବଳ ସେତିକି ନୁହେଁ, ନିକଟବର୍ତ୍ତୀ ଗ୍ରାମମାନଙ୍କର ମହିଳାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏବଂ ଆମେ ସେତିକି ବେଳେ ମହିଳା ସଶକ୍ତୀକରଣର ପ୍ରକୃତ ସ୍ବରୂପ ଦେଖି ଆଚମ୍ବିତ ହୋଇଥିଲୁ, ଯେତିକି ବେଳେ ତାଲିମଦାତାଙ୍କ ଅଭାବରେ ସେହି ନିକଟବର୍ତ୍ତୀ ଗ୍ରାମର ମହିଳାମାନଙ୍କୁ ତାଲିମ ଦେବାକୁ ଏହି ମହିଳାମାନେ ଆଗଭର ହୋଇପଡ଼ିଥିଲେ। ଏହା ଥିଲା ମହିଳା ସଶକ୍ତୀକରଣର ପ୍ରକୃତ ସ୍ବରୂପ।
ପୂର୍ବତନ ଜିଲ୍ଲାପାଳ
ମୋ: ୯୪୩୭୦୩୨୦୦୨

ସମ୍ବନ୍ଧିତ ଖବର