ଓଡ଼ିଶାର ଏକ ଆଦିବାସୀ ବିଦ୍ୟାଳୟରେ ଶିକ୍ଷାଦାନ ଠାରୁ ଆରମ୍ଭ କରି କାଉନସିଲର୍‌ ଭାବରେ ନିର୍ବାଚିତ ହେବା ଏବଂ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଏକ ପ୍ରମାଣ ଯେ ସୁଯୋଗ ପାଇଲେ ମହିଳାମାନେ କ’ଣ ସବୁ ହାସଲ କରିପାରିବେ। ସେ ଆଜି ଗୋଟିଏ ଉଜ୍ଜ୍ବଳ ଦୃଷ୍ଟାନ୍ତ ଭାବେ ଛିଡ଼ା ହୋଇଛନ୍ତି। କିନ୍ତୁ, ମହିଳା ସଶକ୍ତୀକରଣର ଧାରଣା ଏହି ଗୋଟିଏ ଉଦାହରଣରେ କିମ୍ବା ହାତଗଣତି ଲୋକଙ୍କ ମଧ୍ୟରେ ସୀମିତ ରହିଯିବା‌ ଉଚିତ ନୁହେଁ। ବିଶ୍ବ ଲିଙ୍ଗ ଫାଙ୍କ ରିପୋର୍ଟ ୨୦୨୨ ଅନୁଯାୟୀ ଗତ ୫୦ ବର୍ଷ ଧରି ରାଜ୍ୟ-ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ହା‌ରରେ ହ୍ରାସ ହେତୁ ଭାରତ ରାଜନୈତିକ ସଶକ୍ତୀକରଣ ସୂଚକାଙ୍କରେ ୪୮ତମ ସ୍ଥାନରେ ରହିଛି। ଅଧିକନ୍ତୁ, ଭାରତ ସ୍ୱାସ୍ଥ୍ୟ ଓ ଜୀବନଧାରଣ ସୂଚକାଙ୍କରେ ୧୪୬ତମ ସ୍ଥାନ ଅଧିକାର କରିଛି। ତେଣୁ ମହିଳା ସଶକ୍ତୀକରଣ ପାଇଁ ଆହୁରି ଅନେକ କିଛି କରିବା ଦରକାର, ତାହା କହିବା ବାହୁଲ୍ୟ।

Advertisment

ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଲୋକସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦% ବୃଦ୍ଧି ପାଇନାହିଁ। ସେହିପରି ରାଜ୍ୟସଭାରେ ୧୯୫୨ ପର ଠାରୁ ନିର୍ବାଚିତ ବା ମନୋନୀତ ମହିଳା ସଦସ୍ୟଙ୍କ ହାର କ୍ରମାଗତ ଭାବରେ ୧୩% ତଳେ ରହିଆସିଛି। ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ଅବସ୍ଥା ଆହୁରି ଖରାପ, ଯେଉଁଠାରେ ସେମାନଙ୍କ ଭାଗ ପ୍ରାୟ ୯%।

୨୦୨୦ରେ ପ୍ରକାଶିତ ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍‌ (ଏଡିଆର୍) ଏବଂ ନେସନାଲ୍ ଇଲେକ୍‌ସନ୍ ଵାଚ୍ (ନ୍ୟୁ)ର ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଏବଂ ରାଜ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୫୦,୦୦୦ରୁ ଅଧିକ ପ୍ରାର୍ଥୀଙ୍କ ମଧ୍ୟରୁ ମହିଳାଙ୍କ ଭାଗ ଏକ-ଦଶମାଂଶରୁ ମଧ୍ୟ କମ୍। ଏଠାରେ ଏହା ବୁଝିବା ଆବଶ୍ୟକ ଯେ କେବଳ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ମହିଳାଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ କରାଇ ନ ଥାଏ। ଉଦାହରଣ ସ୍ୱରୂପ ୧୭ତମ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମୋଟ ୭୨୬ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୫୭୫ ମହିଳା ପ୍ରାର୍ଥୀ ସେମାନଙ୍କ ଜମା ହରାଇଛନ୍ତି। ଏହା ଦର୍ଶାଇଥାଏ ଯେ ନିର୍ବାଚିତ ହେବା ରାଜ୍ୟ ତଥା ତୃଣମୂଳ ସ୍ତରରେ ମହିଳା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଜିତିବାର ପରିବେଶ ଏବେ ବି ଅନୁକୂଳ ନୁହେଁ।

ବିଧାନସଭାକୁ ଅଧିକ ମହିଳା ନିର୍ବାଚିତ ହେଲେ ଲିଙ୍ଗଗତ ବିଭେଦ ଭାଙ୍ଗିବା ସହିତ ସମାଜର ଶକ୍ତି ସମୀକରଣ ଉପରେ ଅନୁକୂଳ ପ୍ରଭାବ ପଡ଼ିବ। ଯେତେବେଳେ ମହିଳାମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସିଧାସଳଖ ଭାଗ ନିଅନ୍ତି ସେତେବେଳେ ସେମାନଙ୍କର ନେତୃତ୍ୱ ଶକ୍ତି ଏବଂ ସ୍ୱାଧୀନତା ବୃଦ୍ଧି ପାଇଥାଏ।

ସବୁ କ୍ଷେତ୍ରରେ ମହିଳା ସଶକ୍ତୀକରଣ ଏବଂ ଆରକ୍ଷଣ ପାଇଁ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଏଠାରେ ଉଲ୍ଲେଖଯୋଗ୍ୟ। ୧୯୯୧ ମସିହାରେ ସମସ୍ତ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୦% ଆରକ୍ଷଣ ଘୋଷଣା କରିଥିବା ଦେଶର ଅଳ୍ପ କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ। ଏହା ମଧ୍ୟ ପ୍ରଥମ ରାଜ୍ୟ ଭାବରେ ପଞ୍ଚାୟତ ଓ ପୌର ନିର୍ବାଚନରେ ୩୩% ଆସନ ଆରକ୍ଷଣ ଘୋଷଣା କରିଥିଲା ​​ଯାହା ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ୫୦%କୁ ବୃଦ୍ଧି ପାଇଛି।

୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ, ଯାହା ସଂସଦରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମହିଳା ପ୍ରାର୍ଥୀଙ୍କ ପାଇଁ ସିଧାସଳଖ ୩୩% ଆସନ ଆରକ୍ଷଣ ଘୋଷଣା କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକରୁ ଅଧିକ ମହିଳାଙ୍କ ରାଜନୈତିକ ପ୍ରତିନିଧିତ୍ୱ ପାଇଁ ନିରନ୍ତର ସଂଗ୍ରାମ କରିଛନ୍ତି।

ଏହା ଦୁର୍ଭାଗ୍ୟଜନକ ଯେ ମହିଳାଙ୍କ ଲାଗି ଲୋକସଭା ଓ ବିଧାନସଭାରେ ଏକ ତୃତୀୟାଂଶ ଆସନ ଆରକ୍ଷଣ ପାଇଁ ଏକ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବା ମହିଳା ଆରକ୍ଷଣ ବିଲ୍ କାର୍ଯ୍ୟକାରୀ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତ ହୋଇପାରିନାହିଁ। ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇସାରିଥିବା ବେଳେ ଏହା ଲୋକସଭାରେ ଅଟକି ରହିଛି। ଏକାଧିକ ଷ୍ଟାଣ୍ଡିଂ କମିଟିକୁ ରେଫର୍ କରାଯିବା ପରେ, ଏହି ବିଲ୍ ଉପରେ ଅନ୍ତିମ ଫଳାଫଳ ଅପରିବର୍ତ୍ତିତ ରହିଛି। ମୋର ବିଶ୍ବାସ ଯେ ମହିଳା ଆରକ୍ଷଣ ଆଇନ ପ୍ରବର୍ତ୍ତନ କରିବା ‘ଆଜାଦୀର ଅମୃତ ମହୋତ୍ସବ’ର ଶୁଭ ଅବସର ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ।

ନିଷ୍ପତ୍ତି ଗ୍ରହଣ କରିବାର ପ୍ରକ୍ରିୟାରେ ବିଶେଷ କରି ନିର୍ବାଚିତ ସଭାଗୁଡ଼ିକରେ ମହିଳାଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଏବଂ ସାମାଜିକ ତଥା ଅର୍ଥନୈତିକ ଜୀବନର ସମସ୍ତ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରିକୁ ସୁନିଶ୍ଚିତ କରିବା ଲାଗି ଅନୁଷ୍ଠାନିକ ଭାବେ ଆଇନ କରାଯିବାର ଆବଶ୍ୟକତା ରହିଛି। ମହିଳାମାନଙ୍କୁ ରାଜନୀତିରେ ଉତ୍ସାହିତ କରୁଥିବା ଆଦର୍ଶର ବିକାଶ ପାଇଁ ସଚେତନତା ଏବଂ ଶିକ୍ଷା ଅଭିଯାନ ଚଳାଇ ଏଥି ଲାଗି ଅଧିକ ସମର୍ଥନ ଠୁଳ କରାଯାଇପାରିବ।
ରାଜ୍ୟସଭା ସାଂସଦ
ମୋ- ୯୮୬୧୪୬୯୩୨୮