ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ: ଜୀବନଦାତାଙ୍କୁ କୋଟି ପ୍ରଣାମ

ସ୍ବରାଜ ମିଶ୍ର

କରୋନା ମହାମାରୀ କାଳରେ ସାରାଦେଶରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଚତୁର୍ଦ୍ଦିଗରୁ ହୃଦୟ ଥରାଇଦେବା ଭଳି ଖବରମାନ ଆସିବାରେ ଲାଗିଛି। ହେଲେ ତା’ ସହିତ ଆସୁଛି ଅନେକ ଉତ୍ସାହଜନକ ଖବର। ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ନିଜ ଚେଷ୍ଟାରେ ଦେବଦୂତ ଭଳି ଅସହାୟଙ୍କର ସହାୟତା କରୁଛନ୍ତି। ଏ କ୍ଷେତ୍ରରେ ମନକୁ ଆସୁଛି ଅଗଣିତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ କଥା, ଯେଉଁମାନେ ମହାମାରୀ କାଳରେ ମଧ୍ୟ ବିପନ୍ନଙ୍କ ସହାୟତା ପାଇଁ ରକ୍ତଦାନ କରିବାକୁ ଆଗେଇ ଆସୁଛନ୍ତି। ବାହାରକୁ ବାହାରିଲେ ପାଦେ ପାଦେ ସଂକ୍ରମଣର ଭୟ ଥିବାବେଳେ ସେମାନେ ବିପଦକୁ ଭ୍ରୂକ୍ଷେପ ନ କରି ଯେଉଁ ନିଷ୍ଠା ଓ ଆନ୍ତରିକତାର ସହ ରକ୍ତଦାନ କରୁଛନ୍ତି, ତାହାର ଯେତେ ବି ପ୍ରଶଂସା କଲେ କମ୍ ହେବ।

ସମୟ ଥିଲା ଯେତେବେଳେ ଆମ ରାଜ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ସମ୍ପର୍କରେ ସଚେତନତା ନ ଥିଲା।

ସେତେବେଳେ ଗରିବ ଶ୍ରେଣୀର ପେସାଦାର ରକ୍ତଦାତା କିଛି ପାରିତୋଷିକ ବିନିମୟରେ ରକ୍ତଦାନ କରୁଥିଲେ। ସେଭଳି ରକ୍ତ ସୁରକ୍ଷିତ ନ ଥିଲା ଏବଂ ନିଜେ ରୁଗ୍ଣ ହୋଇଥିବାରୁ ରକ୍ତଦାତାଙ୍କ ପାଇଁ ମଧ୍ୟ ବିପଦ ଥିଲା। ପରେ ଏଭଳି ରକ୍ତଦାନକୁ ନିଷିଦ୍ଧ କରାଯାଇ କେବଳ ସ୍ବେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ହିଁ ରକ୍ତ ସଂଗ୍ରହ କରାଗଲା। କହିବା ବାହୁଲ୍ୟ ଯେ ଏହି ସମୟରେ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠିତ ସ୍ବେଚ୍ଛାସେବୀ ସଂଗଠନ ‘ଆମ ଓଡ଼ିଶା’ ଏ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କଲା ଏବଂ ସାରା ରାଜ୍ୟରେ ତୃଣମୂଳସ୍ତରରେ ସ୍ୱେଚ୍ଛାକୃତ ରକ୍ତଦାନ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଲା। ଆମ ଓଡ଼ିଶାର ଭାଷାଜ୍ଞାନ କାର୍ଯ୍ୟକ୍ରମ ସହିତ ୨୦୦୬ ମସିହାରୁ ରକ୍ତଦାନ, ଏକ ନିୟମିତ କାର୍ଯ୍ୟକ୍ରମରୂପେ ଯୋଡ଼ି ହେଲା ଏବଂ ରାଜ୍ୟର ଏକ ନମ୍ବର ଖବରକାଗଜ ‘ସମ୍ବାଦ’ର ବଳିଷ୍ଠ ସହଯୋଗରେ ଏହି କାର୍ଯ୍ୟକ୍ରମ ରାଜ୍ୟର କୋଣ ଅନୁକୋଣକୁ ପରିବ୍ୟାପ୍ତ ହେଲା। ଏବେ ସମସ୍ତ ୩୧୪ଟି ବ୍ଲକ୍‌ରେ ପ୍ରତିବର୍ଷ ରକ୍ତଦାନ ଶିବିର ଆୟୋଜିତ ହୋଇଆସୁଛି ଏବଂ ସେଥିରେ ବର୍ତ୍ତମାନ ସୁଦ୍ଧା ୧୬ ବର୍ଷ ଭିତରେ ୧୩୫୦୦ ଶିବିରରୁ ୬ ଲକ୍ଷ ୬୬ ହଜାରରୁ ଅଧିକ ୟୁନିଟ୍ ରକ୍ତ ସଂଗୃହୀତ ହେଲାଣି। ଆଜି ଦିନରେ ରାଜ୍ୟରେ ଛୋଟବଡ ଅନେକ ଅନୁଷ୍ଠାନ ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଶାସକ ବିଜୁ ଜନତା ଦଳ ତରଫରୁ ୨୦୧୫ରେ ଆରମ୍ଭ କରାଯାଇଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମଧ୍ୟ ଏ ଦିଗରେ ଅତ୍ୟନ୍ତ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି। ମାତ୍ର ଏ ସମସ୍ତ କାର୍ଯ୍ୟକ୍ରମ ପଛରେ ଯେଉଁମାନଙ୍କର ସବୁଠାରୁ ବଡ଼ ଅବଦାନ ରହିଛି, ସେମାନେ ହେଲେ ରାଜ୍ୟର ଅଗଣିତ ରକ୍ତଦାତା। କୌଣସି ପ୍ରତ୍ୟାଶା ନ ରଖି, କେହିଜଣେ ଅଜଣା ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇଁ ସେମାନେ ନିଜ ଶରୀରରୁ ରକ୍ତ ନିଗାଡ଼ି ଜୀବନଦାନ ଦେଉଛନ୍ତି। ତାଙ୍କୁ ଆମେ ଈଶ୍ବରଙ୍କ ଦୂତ ବା ଜୀବନଦାତା ବୋଲି କହିପାରିବା। କିନ୍ତୁ ସେତିକି କହିଦେଲେ ଆମର ଦାୟିତ୍ବ ସରିଯିବ କି?

ଯେଉଁ ଉଦ୍ଦେଶ୍ୟରେ ରକ୍ତଦାତାଟିଏ ରକ୍ତଦାନ କରୁଛି, ତାହା ହେଲା କେହିଜଣେ ସଙ୍କଟାପନ୍ନ ରୋଗୀର ଜୀବନ ବଞ୍ଚାଇବା। କିନ୍ତୁ ରୋଗୀର ଜୀବନ ବଞ୍ଚିବା କେବଳ ରକ୍ତ ଉପରେ ନିର୍ଭର କରେନାହିଁ, ଏହା ନିର୍ଭର କରେ ଏକ ସଫଳ ଓ ପାରଦର୍ଶୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ। ଦକ୍ଷ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି, ଔଷଧ, ଡାକ୍ତରୀ ଉପକରଣ, ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପରିଚାଳନା ବ୍ୟବସ୍ଥା ବିନା ତାହା ଅସମ୍ଭବ। ଆଜି ବି ଆମ ରାଜ୍ୟର ଅନେକ ରକ୍ତଭଣ୍ଡାର ଅତ୍ୟାବଶ୍ୟକ ଭିତ୍ତିଭୂମିରୁ ବଞ୍ଚିତ। ରକ୍ତ ସଂଗ୍ରହ, ପରୀକ୍ଷଣ, ସଂରକ୍ଷଣ, ପୃଥକୀକରଣ ଓ ବଣ୍ଟନ ଆଦି କାର୍ଯ୍ୟ ସୂଚାରୁ ରୂପେ କରିବା ପାଇଁ ସେଠାରେ ଆବଶ୍ୟକ ସ୍ଥାୟୀ କର୍ମଚାରୀ ନାହାନ୍ତି। କିଛିବର୍ଷ ତଳେ ରେଡ୍‌କ୍ରସ ଅଧୀନରେ ଥିବା କଟକର ଗୋଟିଏ ରକ୍ତଭଣ୍ଡାରକୁ ଛାଡିଦେଲେ ଅନ୍ୟ ସମସ୍ତ ରକ୍ତଭଣ୍ଡାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ଆସିଥିଲା। ଫଳରେ କର୍ମଚାରୀମାନଙ୍କ ବେତନରେ ଥିବା ତାରତମ୍ୟ ଦୂରୀକରଣ ଓ ଭିତ୍ତିଭୂମିର ବିକାଶ ନେଇ ଅନେକ ଆଶାର ସଞ୍ଚାର ହୋଇଥିଲା। ମାତ୍ର ଏବେ ବି ତାହା ପୂରଣ ହୋଇ ପାରିନାହିଁ।

ଏଭଳି ପରିପ୍ରେକ୍ଷୀରେ ସମଗ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରିବାର ସମୟ ଆସିଛି। ଏଥିପାଇଁ କେବଳ ବ୍ୟୟ ବରାଦ କରିଦେଲେ ଚଳିବ ନାହିଁ। ନିଷ୍ଠା ଓ ତତ୍ପରତା ସହିତ ସମଗ୍ର ବ୍ୟବସ୍ଥାକୁ ସଜାଡ଼ିବାକୁ ପଡିବ।

ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ରକ୍ତଭଣ୍ଡାରଗୁଡ଼ିକର ଅସୁବିଧା ଦୂର କରିବା ସହିତ ରକ୍ତଦାତାଙ୍କୁ ଅଗ୍ରାଧିକାର ଦେବାକୁ ପଡିବ। ଆମେ ଜୟ ଯବାନ, ଜୟ କିଷାନ ଭଳି ସ୍ଲୋଗାନ ଦେଇ ଦେଶର ସୁରକ୍ଷାଦାତା ଓ ଅନ୍ନଦାତାମାନଙ୍କ ଅବଦାନକୁ ସ୍ମରଣ କରୁ। ଆଜି ସେହିଭଳି ଭାବେ ରକ୍ତଦାତା-ଜୀବନଦାତା- ମାନଙ୍କର ଅବଦାନ ସ୍ମରଣ କରିବାର ସମୟ ଆସିଛି। ପାଠପଢା, ନିଯୁକ୍ତି, ନିଜ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟସେବା, ଏପରିକି ଟିକାକରଣ କ୍ଷେତ୍ରରେ ସେମାନେ ଅଗ୍ରାଧିକାର ପାଇବା ପାଇଁ ହକ୍‌ଦାର। ଆଜି ବିଶ୍ବ ରକ୍ତଦାତା ଦିବସରେ ଏ ଦିଗରେ ଚିନ୍ତା କରିବାର ସମୟ ଆସିଛି।

ସମ୍ପାଦକ, ଆମ ଓଡ଼ିଶା,
ମୋ- ୯୪୩୭୦୯୭୫୦୮

ସମ୍ବନ୍ଧିତ ଖବର