ଗତ ସପ୍ତାହର କଥା। ଯାଇଥିଲି ଛେଣ୍ଡିପଦା ଗାଁ ପାଖ, ବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ। ଭୁବନେଶ୍ୱରରୁ ପ୍ରାୟ ଦୁଇ ଘଣ୍ଟା ବାଟ ଅନୁଗୋଳ, ଆଉ ତା’ପରେ ଘଣ୍ଟେ ବାଟ ସ୍କୁଲକୁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏ ଜିଲ୍ଲା। ରାସ୍ତା ଦୁଇ ପଟେ ପାହାଡ଼, ଜଙ୍ଗଲ, କ୍ଷେତର ମନଭୁଲା ଦୃଶ୍ୟ। ଯିବାବେଳେ ସମୟ କେତେବେଳେ ଚାଲିଗଲା, ଜାଣି ମଧ୍ୟ ପାରିଲି ନାହିଁ। ସ୍କୁଲର ସୁବର୍ଣ୍ଣ ଜୟନ୍ତୀ! କେତେ ବଡ଼ କଥା। ପୁରୁଣା ଛାତ୍ରମାନଙ୍କର ବହୁ ମାସର ପରିଶ୍ରମରେ ଗୋଟି ଗୋଟି ଆୟୋଜନ। ତିନି ଦିନର ମୁଖର ଉତ୍ସବ ଭିତରେ ଆଜି ପ୍ରଥମ। ଏପରି ଉତ୍ସବରେ ସାଧାରଣତଃ କହିବାକୁ ଗଲେ, ବଡ଼ ଆକାରର ମଞ୍ଚଟିଏ ତିଆରି ହୁଏ। ବଡ଼ ବଡ଼ ଲୋକେ ଆସନ୍ତି। ଭାଷଣ ହୁଏ। ଶାଲ୍ ଓ ଫୁଲ ଦିଆଯାଏ। ଏ ସବୁ ଭିତରେ ପିଲାମାନଙ୍କ ସାଙ୍ଗରେ, ତାଙ୍କର ମନ କଥା ନେଇ ଆଲୋଚନା ହୋଇପାରେ ନାହିଁ। ମତେ ବାଲିପଟ୍ଟା ସ୍କୁଲକୁ ନିମନ୍ତ୍ରଣ ଜଣେଇ ଥିଲେ ଭୁବନେଶ୍ୱର ପୁଲିସର ଆସିସ୍‌ଟାଣ୍ଟ କମାଣ୍ଡଣ୍ଟ ଶ୍ରୀ ମାନସ ଗଡ଼ନାଏକ। ସ୍କୁଲର ନାଁ କରିଥିବା ପୁରାତନ ଛାତ୍ର। ଯିବା ଆଗରୁ ମାନସଙ୍କୁ କହିଥିଲି, ମଞ୍ଚରେ ଭାଷଣ ତ ଠିକ୍ ଅଛି, କିନ୍ତୁ ତା’ ଆଗରୁ ମୁଁ ପିଲାଙ୍କ ସାଙ୍ଗରେ ଘଣ୍ଟେ ଦୁଇ ଘଣ୍ଟା ବସିବି। ତାଙ୍କ ମନ କଥାଟି ମାନ ଶୁଣିବି, ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେବି। ସେଇଥି ପାଇଁ, ସଭା କାର୍ଯ୍ୟକ୍ରମର ଦୁଇ ଘଣ୍ଟା ଆଗରୁ ପହଞ୍ଚିଥିଲି। ପ୍ରଥମେ ରାସ୍ତାରେ ଗାଡ଼ି ଅଟକାଇ ଗ୍ରାମବାସୀଙ୍କର ଆଳତି, ବନ୍ଦାପନା, ହୁଳହଳିରେ ମନ ଭରିଗଲା। ତା’ପରେ ସ୍କୁଲରେ ପହଞ୍ଚିଥିଲି। ସାତ ଶହରୁ ଅଧିକ ଛାତ୍ରଛାତ୍ରୀ। ସମସ୍ତଙ୍କ ମୁହଁ ଉଜ୍ଜ୍ବଳ, ସମସ୍ତେ ବିଭୋର। ଫାଟକ ପାଖରୁ ସ୍କାଉଟ୍‌ ଓ ଗାଇଡ୍‌ର ପୁଅଝିଅମାନେ ପ୍ୟାରେଡ୍‌ କରି ଭିତରକୁ ନେଇଗଲେ, ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ହିତାକାଂକ୍ଷୀ ବ୍ୟକ୍ତିମାନଙ୍କ ସାଙ୍ଗରେ କିଛି ସମୟ କଥା ହୋଇ, ଅପେକ୍ଷମାଣ ପୁଅ ଝିଅଙ୍କ ପାଖକୁ ଗଲି। କଟକ ଭୁବନେଶ୍ୱର ପରି ସହରୀ ପିଲା ନୁହଁନ୍ତି। ଗାଁ ପିଲା। ତଥାପି କେତେ ଆତ୍ମବିଶ୍ୱାସ ତାଙ୍କ ଆଖିରେ। ଦେଖି ମନ ଭରିଗଲା। ପିଲାମାନେ ତାଙ୍କର ମନ କଥା କହିଲେ। ତାଙ୍କ ପ୍ରଶ୍ନରେ ମୋତେ ପୋତି ପକାଇଲେ। କିଏ ପଚାରିଲା, ଆପଣ ଏତେ ଭଲ ଏବଂ ଏତେ ବଡ଼ କିପରି ହେଲେ? କିଏ ପଚାରିଲା, ଆପଣ ଜୀବନ ଯାତ୍ରାରେ କାହାକୁ କାହାକୁ ଆଦର୍ଶ ବୋଲି ଗ୍ରହଣ କରିଥିଲେ? ସବୁ ପ୍ରଶ୍ନ ଭିତରେ, ଏଇ ପ୍ରଶ୍ନଟି ମତେ ବହୁତ ଭଲ ଲାଗିଥିଲା। ଯେତେବେଳେ ଆମେ କିଶୋର ଝିଅଟିଏ ବା ପୁଅଟିଏ ସାଙ୍ଗରେ ମିଶୁ, ଅଜାଣତରେ ପଚାରି ଦେଉ, ‘ବଡ଼ ହେଲେ କ’ଣ ହେବ?’ ବେଳେବେଳେ ମୋ’ ମନକୁ ଆସେ, ହୁଏତ ଏହି ପ୍ରଶ୍ନଠାରୁ ଅଧିକ ମୂଲ୍ୟବାନ ପ୍ରଶ୍ନଟି ହେଲା, ‘ବଡ଼ ହେଲେ କାହା ପରି ହେବ?’ ଅର୍ଥାତ୍‌, କିଏ ତମର ଆଦର୍ଶ? ଆଖି ଆଗରେ ଆଦର୍ଶ ରହିଲେ, ଗୋଟିଏ କିଶୋର ଅନେକ ବାଧା ସତ୍ତ୍ୱେ ନିଜେ ନିଜ ବାଟ ଖୋଜି ନିଏ। ମଧ୍ୟବିତ୍ତ ବା ଉଚ୍ଚ ସମ୍ବଳ ଥିବା ପରିବାରରେ ଆଦର୍ଶ ଅଥବା ‘ରୋଲ୍‌ ମଡେଲ୍’ର ଅଭାବ ନ ଥାଏ। ଗାଁ ଗହଳିରେ, ବିଶେଷତଃ ଅଭାବ‍ ଅନଟନ କିମ୍ବା ସ୍ୱଳ୍ପ ସମ୍ବଳର ପରିବାରରେ ବଢ଼ି ଉଠୁଥିବା ପିଲାଟି ପାଖରେ ଜୀବନର ଧ୍ରୁବତାରା ପାଇବା ଏତେ ସହଜ ହୋଇ ନ ଥାଏ। ଆଜି ବାଲିପଟ୍ଟା ସ୍କୁଲର କିଶୋରଟି କିନ୍ତୁ ମତେ ଠିକ୍ ପ୍ରଶ୍ନଟିଏ ପଚାରୁଛି। କିଏ କିଏ ଆପଣଙ୍କ ଜୀବନରେ ଆଦର୍ଶ ଥିଲେ? ମନ ମୋର ଫେରିଗଲା ଶୈଶବ, କୈଶୋର ଆଉ ଯୌବନକୁ। ଶୈଶବରେ ସମସ୍ତଙ୍କ ପରି ମୋର ମଧ୍ୟ ଆଦର୍ଶ ଥିଲେ ବାପା, ମା’, ବଡ଼ଭାଇ। ସ୍କୁଲ ଜୀବନରେ ଶଶାଙ୍କ ସାର୍‌ ଆଉ ବୃନ୍ଦାବନ ସାର୍‌। ଯୌବନ ତଥା ପରବର୍ତ୍ତୀ ସମୟରେ କର୍ମ କ୍ଷେତ୍ରରେ ଯେଉଁମାନେ ମତେ ପ୍ରଭାବିତ କରିଛନ୍ତି ସେଇମାନଙ୍କ ମଧ୍ୟରୁ କେତେ ଜଣ ହୋଇଗଲେ ଜୀବନର ଆଦର୍ଶ। ସେମାନଙ୍କ ଭିତରେ ଅନ୍ୟତମ, ବ୍ୟବସାୟ ଦୁନିଆରେ ସଚ୍ଚୋଟପଣିଆର ଉଦାହରଣ ଅଜିମ୍ ପ୍ରେମଜୀ ଏବଂ ଭାରତୀୟ ସଫ୍‌ଟୱେର ଶିଳ୍ପର ମୁଖ୍ୟ ପୁରୋଧାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ନାରାୟଣ ମୂର୍ତ୍ତି। ପିଲାମାନଙ୍କୁ ସେମାନଙ୍କ କଥା କହୁ କହୁ ରହିଗଲି। ପଚାରିଲି, ଏମାନଙ୍କୁ ଜାଣିଛ ତ? ନାଁ ଦୁଇଟି ନିଶ୍ଚୟ ଚିହ୍ନି ପାରୁଛ? ପୁଅଝିଅମାନେ ଚୁପ୍ ରହିଲେ। ଏଥର ପଚାରିଲି, ‘ଉଇପ୍ରୋ’ ଆଉ ‘ଇନ୍‌ଫୋସିସ୍‌’ ସଂସ୍ଥାର ନାଁ ଶୁଣିଥିବ? ସମସ୍ତଙ୍କ ମନ ଊଣା ହୋଇଗଲା; କହିଲେ, ଶୁଣିନାହାନ୍ତି। ପୁରାତନ ଛାତ୍ର, ସ୍ଥାନୀୟ ବ୍ୟକ୍ତି ତଥା ସରକାରଙ୍କ ବଦାନ୍ୟତାରେ ସ୍କୁଲ ପରିସରର ଗଭୀର ରୂପାନ୍ତରଣ ହୋଇଛି। ଶ୍ରେଣୀ ଘରମାନ ଦେଖିଲେ ମନ ଭରି ଯାଉଛି। ସ୍କୁଲରେ ପିଲାମାନଙ୍କ ପାଇଁ କଂପ୍ୟୁଟର ଲାଗିଛି। ଇଣ୍ଟରନେଟ୍ ଲାଗିଛି। କିନ୍ତୁ ପିଲାମାନେ ଅଜିମ୍ ପ୍ରେମଜୀ କିଏ, ନାରାୟଣ ମୂର୍ତ୍ତି କିଏ ଜାଣନ୍ତି ନାହିଁ। ମୁଁ କହିଲି, ‘ପିଲାମାନେ, ସ୍କୁଲରେ ତ ସବୁ ବ୍ୟବସ୍ଥା ରହିଛି, କଂପୁଟର ବ୍ୟବହାର କରୁଛ ନିଶ୍ଚୟ। ଉଇକିପିଡିଆରେ ଏମାନଙ୍କ ବିଷୟରେ ଅନେକ ତଥ୍ୟ ପାଇପାରିବ। ଉଇକିପିଡିଆ ବ୍ୟବହାର କରୁଛ ତ?’ ପୁଣି ମୁହଁ ଶୁଖାଇ ସେମାନେ କହିଲେ ଯେ ଉଇକିପିଡିଆ କ’ଣ ସେମାନେ ଜାଣିନାହାନ୍ତି। ପିଲାମାନଙ୍କ ସାଙ୍ଗରେ ଅନ୍ୟ ଅନେକ କଥା ହେଲା, ସେମାନଙ୍କୁ ନିଜର ପରି ଲାଗିଲା। ତାଙ୍କ ଆଖିର ଆଲୋକ, କଅଁଳ ମନର ଆକାଂକ୍ଷା, ଅଭିଳାଷ, ଅନାବିଳ କଥାମାନ ଶୁଣି ମତେ ନିଜକୁ ଅନୁପ୍ରାଣିତ ଲାଗିଲା। ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ସାରି ପାଖ କୋଠରିକୁ ଗଲି ଚା’ ପିଇବା ଲାଗି। ସେଠି ପୁରୁଣା ଛାତ୍ରମାନେ ଆସି ଜଣ ଜଣ କରି ପରିଚୟ ଦେଲେ। ଫଟୋଟିଏ, ସେଲ୍‌ଫିଟିଏ ଉଠେଇବାକୁ ଅନୁରୋଧ କଲେ। ଫଟୋ ଉଠାଇବାକୁ ଅନୁରୋଧ କରୁଥିବା ଜନୈକ ବ୍ୟକ୍ତିଙ୍କୁ ପଚାରିଲି, ଆପଣ କ’ଣ କରନ୍ତି? କହିଲେ, ମୁଁ ଆଇଟି ଇଣ୍ଡଷ୍ଟ୍ରିରେ ବହୁ ବର୍ଷ ଧରି ପୁନେରେ କାମ କରୁଛି। କେଉଁ ସଂସ୍ଥାରେ? ଉତ୍ତର ଦେଲେ, ଉଇପ୍ରୋ କଂପାନିରେ।

Advertisment

ବାଲିପଟ୍ଟା ସ୍କୁଲ ଗୋଟିଏ ଐତିହ୍ୟସଂପନ୍ନ ଅନୁଷ୍ଠାନ। ଏହି ସ୍କୁଲର ପୁରାତନ ଛାତ୍ରମାନେ ଆଜି ଆମେରିକା, ଇଂଲାଣ୍ଡରେ ବଡ଼ ବଡ଼ କାମରେ ନିଯୁକ୍ତ। ଆଉ ସାରା ଭାରତରେ ଅଛନ୍ତି ଡାକ୍ତର, ଇଂଜିନିଅର୍, ଶିକ୍ଷକ, ସଫଳ ବ୍ୟବସାୟୀ, ସରକାରୀ କର୍ମଚାରୀ ଭାବେ।

ଏ ସବୁ ଜାଣିବା ପରେ ମୋ ମନକୁ ଆସିଲା ଗୋଟିଏ କଥା। ଏହି ସଫଳ ବ୍ୟକ୍ତିମାନେ ଯଦି ନିଜ ଜୀବନର କର୍ମବ୍ୟସ୍ତତା ମଧ୍ୟରେ, ବର୍ଷକୁ ଗୋଟିଏ ସପ୍ତାହ ଆଜିର ଛାତ୍ରଛାତ୍ରୀମାନଙ୍କ ସାଙ୍ଗରେ ମିଶନ୍ତେ, ତା’ର ପ୍ରଭାବ କେତେ ଦୂର ପଡ଼ନ୍ତା? ସ୍କୁଲମାନଙ୍କର ରୌପ୍ୟ ଜୟନ୍ତୀ, ସୁବର୍ଣ୍ଣ ଜୟନ୍ତୀ, ହୀରକ ଜୟନ୍ତୀ ପାଳିତ ହେଉଛି। ସଭା ଅନୁଷ୍ଠାନ, ଭୋଜିଭାତର ଆନନ୍ଦ ଖେଳି ଉଠୁଛି। ପୁରୁଣା କଳା-ଧଳା ଛବିକୁ ଫେସ୍‌ବୁକ୍‌ରେ ତୋଳି ସ୍ମୃତିର ଗନ୍ତାଘର ଗଢ଼ି ଉଠୁଛି। ତା’ରି ଭିତରେ ସତରେ କ’ଣ ଆମେ ଦୁଇ ଚାରିଟି ଦିନ, ଆମ ପିଲାମାନକୁ ଦେଇ, ନିଜ କଥା, ନିଜ ଅଭିଜ୍ଞତା, ବୃତ୍ତିଗତ ସଂସ୍ଥା ଆଉ ନିଜ ଆଖିରେ ଦେଖିଥିବା ପୃଥିବୀ ବିଷୟରେ କହିପାରନ୍ତେ ନାହିଁ?

ମୋ’ ସ୍କୁଲ, ମୋ’ କଲେଜ, ମୋର। ଏହି ସ୍କୁଲ କଲେଜର ଋଣ ଶୁଝିବା ପାଇଁ ଗୋଟିଏ ଜନ୍ମ ନିଅଣ୍ଟ। ଏହି ସ୍କୁଲ କଲେଜକୁ ଆମେ ଫେରିଯାଉ ସ୍ମୃତି ସାଉଁଟିବା ଲାଗି। ସେଥିରେ କୌଣସି ବାଧା, ଆପତ୍ତି ନାହିଁ। କିନ୍ତୁ ତାହାରି ଭିତରେ, ଆସନ୍ତୁ ଟିକିଏ ସମୟ କାଢ଼ିବା, ଆମର ପୁଅଝିଅଙ୍କ ପାଇଁ ଏବେ ଠାରୁ ଏକ ଉଜ୍ଜ୍ବଳ ଭବିଷ୍ୟତର ସ୍ମୃତି ଗଢ଼ିବାର ସାଧନ ଯୋଗାଇଦେବା।
ଅଧ୍ୟକ୍ଷ, ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ