ଏ କଥା ସମସ୍ତେ କହିବେ ଯେ ସାହିତ୍ୟ କୃତି ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାରଗୁଡ଼ିକ ମଧ୍ୟରୁ ନୋବେଲ ପୁରସ୍କାର ହେଉଛି ସର୍ବାଧିକ ମର୍ଯ୍ୟାଦାବନ୍ତ। ଏହା ପୃଥିବୀର ସମସ୍ତ ଭାଷାକୁ ବିଚାରକୁ ନେଇ ସର୍ବଶ୍ରେଷ୍ଠ ଲେଖକ ବା ଲେଖିକାଙ୍କୁ ବାଛି ସମ୍ମାନିତ କରିବାର ଉଦ୍ୟମ କରିଥାଏ। ଆମମାନଙ୍କୁ ଯଦି ପଚରାଯାଏ ଯେ ନୋବେଲ ପୁରସ୍କାର ପରେ କେଉଁ ପୁରସ୍କାର ଅନ୍ତର୍ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନରେ ଆସିବ?, ତେବେ ଆମେମାନେ ସାଧାରଣତଃ ବୁକର୍‌ ପୁରସ୍କାର କଥା କହିବା, ଯାହା ଇଂରେଜୀ ଭାଷାରେ ରଚିତ ଉପନ୍ୟାସମାନଙ୍କୁ ବିଚାରକୁ ନେଇଥାଏ।

Advertisment

ଅନେକ ଭାରତୀୟ ବୁକର୍‌ ପୁରସ୍କାର ପାଇବା ଲାଗି ପ୍ରତିଦ୍ବନ୍ଦ୍ବିତାର ସଂକ୍ଷିପ୍ତ ତାଲିକା ପର୍ଯ୍ୟାୟକୁ ଆସିପାରିଛନ୍ତି ଏବଂ ଅରୁନ୍ଧତୀ ରାୟ ବା ଅମିତାଭ ଘୋଷ ବା ସଲମାନ ରସଦିଙ୍କ ଭଳି କେତେକ ଭାରତୀୟ ତାହା ଲାଭ କରିଛନ୍ତି ମଧ୍ୟ। କିନ୍ତୁ ଚୀନରେ ଯଦି ବୁକର୍‌ ପୁରସ୍କାର କଥା କୁହାଯାଏ, ତେବେ ହୁଏତ ଅଧିକାଂଶ ଏହା ବିଷୟରେ ଶୁଣି ନ ଥିବେ। କାରଣ, ଚୀନରେ ଇଂରେଜୀ ଭାଷା ଚଳେ ନାହିଁ। ଇଂରେଜୀ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଭାଷା ମାଣ୍ଡାରିନ୍‌ର ଘର ହେଉଛି ଚୀନ। ଏହି ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟିକ କୃତି ଲାଗି ପ୍ରଦାନ କରାଯାଉଥିବା ପୁରସ୍କାରର ନାମ ହେଲା ‘ମାଓ ଡନ୍‌ ଲିଟରେଚର ପ୍ରାଇଜ୍‌’। ଚୀନର ମୁଖ୍ୟ ଭୂଖଣ୍ଡରେ ବାସ କରୁଥିବା ଲେଖକ-ଲେଖିକାଙ୍କୁ ଏହା ମିଳିଥାଏ। ସ୍ପେନୀୟ ଭାଷା ହେଉଛି ପୃଥିବୀର ଚତୁର୍ଥ ବୃହତ୍ତମ ଭାଷା। ଏହି ଭାଷାରେ ସର୍ବଶ୍ରେଷ୍ଠ ସାହିତ୍ୟିକ ପୁରସ୍କାରର ନାମ ହେଉଛି ‘ସର୍ଭାଣ୍ଟୋସ’ ପୁରସ୍କାର, ଯାହାକୁ ବିଶ୍ୱ ବିଖ୍ୟାତ ଉପନ୍ୟାସ ‘ଡନ୍‌ କୁସ୍ତି’ର ଲେଖକଙ୍କ ସ୍ମୃତିରେ ତାଙ୍କ ନାମାନୁସାରେ ରଖାଯାଇଛି। ପୃଥିବୀରେ ଏକଦା ‌େସ୍ପନୀୟମାନେ ଅନେକ ଉପନିବେଶ ସ୍ଥାପନ କରିଥିଲେ। ଏହି ପୁରସ୍କାର ସକାଶେ ସ୍ପେନୀୟ ଭାଷୀ ୨୩ଟି ଦେଶର ଲେଖକ ଓ ଲେଖିକା ପ୍ରତିଦ୍ବନ୍ଦ୍ବିତା କରନ୍ତି। ଅବଶ୍ୟ, ଏହା ସତ ଯେ ଅନେକ ସ୍ପେନୀୟଭାଷୀ ଲେଖକ ନୋବେଲ ପୁରସ୍କାର ଜିଣିଛନ୍ତି, ଯେମିତି ଗାଳ୍ପିକ ଓ ଉପନ୍ୟାସକାର ଗାବ୍ରିଏଲ୍‌ ଗାର୍ସିଆ ମାରକ୍ବେଜ ବା କବି ପାବ୍‌ଲୋ ନେରୁଦା ବା ଅକ୍ଟାଭିଓ ପାଜ୍‌।

ପୃଥିବୀର ଅନ୍ୟତମ ସର୍ବାଧିକ ସମୃଦ୍ଧ ତଥା ମର୍ଯ୍ୟାଦାବନ୍ତ ଭାଷା ହେଉଛି ଫରାସୀ। ବ୍ୟବହାରକାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ପଞ୍ଚମ ବୃହତ୍ତମ। ଏହି ଭାଷାର ଲେଖକଲେଖିକାମାନେ ପ୍ରମୁଖ ଭାବେ ଯେଉଁ ପୁରସ୍କାର ଲାଗି ପ୍ରତିଯୋଗିତା କରନ୍ତି, ତାହା ହେଲା ‘ପ୍ରିକ୍‌ସ ଗନକୋର୍ତ’ ପୁରସ୍କାର। ବିଖ୍ୟାତ ଲେଖକ, ପ୍ରକାଶକ ଏବଂ ସମାଲୋଚକ ଏଡମଣ୍ଡ ଗନକୋର୍ତଙ୍କ ଭ୍ରାତା ଜୁଲସ ଗନକୋର୍ତଙ୍କ ସମ୍ମାନାର୍ଥେ ଏହି ପୁରସ୍କାର ୧୯୦୩ ମସିହାରୁ ଦିଆ ହୋଇଆସୁଛି। ସାହିତ୍ୟ, ଦର୍ଶନ ଓ କଳା କ୍ଷେତ୍ରରେ ଫରାସୀମାନେ ବେଶ୍‌ ଆଗୁଆ। ନୋବେଲ ପୁରସ୍କାର ବିଜେତାଙ୍କ ମଧ୍ୟରେ ଅ‌େନକ ଫରାସୀ ଲେଖକ ଏବଂ ଲେଖିକା ଅଛନ୍ତି। ପ୍ରସିଦ୍ଧ ଫରାସୀ ଲେଖକ ଆଲବେର କାମ୍ୟୁ ଏବଂ ଦାର୍ଶନିକ-ସାହିତ୍ୟିକ ଜାଁ ପଲ ସାର୍ତ୍ର ସମକାଳୀନ ଥିଲେ ଏବଂ ଦୁହେଁ ଅସ୍ତିତ୍ବବାଦର ସମର୍ଥକ ଥିଲେ। କିନ୍ତୁ ଏହି ସମାନ ଦାର୍ଶନିକ ବିଚାର ନେଇ ମଧ୍ୟ ସେମାନଙ୍କ ମଧ୍ୟରେ ତୀବ୍ର ମତପାର୍ଥକ୍ୟ ଥିଲା, ଯାହା ପୃଥିବୀ ପ୍ରସିଦ୍ଧ ଥିଲା ଏବଂ ଏହି ବିବାଦର ଖବର ତତ୍କାଳୀନ ପୃଥିବୀର ସବୁ ଦେଶର ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଥିଲା। ଏହି ଦୁଇ ଜଣ ଯାକ ଲେଖକ ସାହିତ୍ୟ ଲାଗି ନୋବେଲ ପୁରସ୍କାର ଜିଣିଥିଲେ।

ଆରବୀ ଭାଷା ସାହିତ୍ୟ ଲାଗି ସର୍ବଶ୍ରେଷ୍ଠ ପୁରସ୍କାରର ନାମ ହେଉଛି ‘ଦି ଇଣ୍ଟରନେସ୍‌ନାଲ୍‌ ପ୍ରାଇଜ୍ ଫର୍ ଆରବିକ୍ ଫିକ୍‌ସନ୍‌’। ପୃଥିବୀରେ ଆରବୀ ଭାଷା ହେଉଛି ଷଷ୍ଠ ବୃହତ୍ତମ ଭାଷା। ଏହି ପୁରସ୍କାରକୁ ବର୍ତ୍ତମାନ ଲଣ୍ଡନର ‘ବୁକର୍‌ ପ୍ରାଇଜ ଫାଉଣ୍ଡେସନ’ ପରିଚାଳନା କରୁଛି। ଏହି ପୁରସ୍କାର ଲାଗି ଶ୍ରେଷ୍ଠ ମନୋନୀତ ଲେଖକଙ୍କୁ ପଚାଶ ହଜାର ଆମେରିକୀୟ ଡଲାର ମିଳିଥାଏ। ପର୍ତ୍ତୁଗୀଜ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ବ୍ରାଜିଲ ଏବଂ ପର୍ତ୍ତୁଗାଲ ସରକାରଙ୍କର ମିଳିତ ଉଦ୍ୟମରେ ‘କ୍ୟାମୋଲଜ’ ପୁରସ୍କାର ପ୍ରଦାନ କରାଯାଉଛି। ସେମିତି ‘ଜର୍ଜ ବୁକେନର’ ପୁରସ୍କାର ହେଉଛି ଜର୍ମାନ ଭାଷାର ଶ୍ରେଷ୍ଠତମ ସାହିତ୍ୟ ପୁରସ୍କାର। ଇଣ୍ଡୋନେସୀୟ ଭାଷାର ସର୍ବଶ୍ରେଷ୍ଠ ଭାଷା-ସାହିତ୍ୟ ପୁରସ୍କାରର ନାମ ହେଉଛି ‘କୁଶଳ ଶାସ୍ତ୍ର ଖଟୁଲିସ୍ତିଓ’ ଏବଂ ଜାପାନୀ ଭାଷାରେ ସର୍ବଶ୍ରେଷ୍ଠ ସାହିତ୍ୟ ପୁରସ୍କାରର ନାମ ହେଉଛି ‘ଆକୁଟାଗାଵା’। ଜାପାନର ଲେଖକ ରୁନୋ ସୁକୋ ଆକୁଟାଗାଵାଙ୍କ ନାମ ଅନୁସାରେ ଏହି ପୁରସ୍କାରର ନାମକରଣ କରାଯାଇଛି। ସେହିଭଳି ଆଫ୍ରିକୀୟ ଦେଶଗୁଡ଼ିକର ସର୍ଜନାଶୀଳ ସାହିତ୍ୟ ପାଇଁ ‘ଆମୁରି ତାଳବଟ’ ପୁରସ୍କାର, ‘କେନେ ପ୍ରାଇଜ୍‌’, ‘ଆସଲା ବୁକ୍‌ ପ୍ରାଇଜ୍’ ଭଳି ପୁରସ୍କାରମାନ ରହିଛି।

ଭାରତରେ ଶ୍ରେଷ୍ଠତମ ସାହିତ୍ୟ ପୁରସ୍କାର ବୋଇଲେ ଜ୍ଞାନପୀଠକୁ ବୁଝାଯାଏ। ଭାଷା ବ୍ୟବହାରକାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଯଦିଓ ଇଂରେଜୀ ପ୍ରଥମ, ମାଣ୍ଡାରିନ ଦ୍ୱିତୀୟ ଏବଂ ହିନ୍ଦୀ ତୃତୀୟ, ତଥାପି ଜ୍ଞାନପୀଠ ପୁରସ୍କାର ପାଇଁ ୨୨ ଗୋଟି ଭାରତୀୟ ଭାଷା ମଧ୍ୟରେ ପ୍ରତିଯୋଗିତା ହେଉଥିବାରୁ ଏ ସମସ୍ତ ଭାଷା ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ମାଣ୍ଡାରିନ ବ୍ୟବହାରକାରୀଙ୍କ ଠାରୁ ମଧ୍ୟ ଅଧିକ ହୋଇଥାଏ। ଆଜି ସୁଦ୍ଧା ଆଠାବନଟି ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି; ଯହିଁରୁ ଚାରି ଥର ପ୍ରଥିତଯଶା ଓଡ଼ିଆ ଲେଖକ-ଲେଖିକା ତାହା ଲାଭ କରିଛନ୍ତି। ଏହା ଛଡ଼ା ଭାରତରେ ସରସ୍ବତୀ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ। ସରକାରୀ ଭାବେ ପ୍ରଦାନ କରାଯାଉଥିବା ସାହିତ୍ୟ ଏକାଡେମୀ ପୁରସ୍କାରର ମର୍ଯ୍ୟାଦା ମଧ୍ୟ ଆମ ଦେଶରେ ଖୁବ୍‌ ଅଧିକ।
ମୋ: ୯୯୩୭୮୬୩୫୨୮