ପ୍ରତିବର୍ଷ ଫେବ୍ରୁଆରି ୧୩ ତାରିଖରେ ବିଶ୍ବ ରେଡିଓ ଦିବସ ପାଳିତ ହୋଇଥାଏ। ଏକ ସର୍ବପୂରାତନ ତଥା ସର୍ବାଧିକ ବ୍ୟବହୃତ ସଂଚାର ମାଧ୍ୟମ ଭାବେ ରେଡିଓର ସ୍ମରଣ ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ବିଶ୍ବ ରେଡିଓ ଦିବସ ମଧ୍ୟ ଲୋକମାନଙ୍କ ମଧ୍ୟରେ ରେଡିଓର ଉପଯୋଗିତାର ପ୍ରଚାର ଏବଂ ଏହାର ଲୋକପ୍ରିୟତା ଓ ବ୍ୟବହାର ବୃଦ୍ଧି ଦିଗରେ କାର୍ଯ୍ୟ କରିଥାଏ। ଭାରତରେ ପ୍ରଥମ ରେଡିଓ ପ୍ରସାରଣ ୧୯୨୦ ମସିହାରେ ହୋଇଥିଲା, ଯାହା ପରୀକ୍ଷାମୂଳକ ଭାବେ ଏକ ଘରର ଛାତ ଉପରୁ କରାଯାଇଥିଲା। ଏହାର ତିନିବର୍ଷ ପରେ, ଅର୍ଥାତ୍ ୧୯୨୩ ମସିହାରେ ରେଡିଓ କ୍ଲବ୍ ଅଫ୍ ବମ୍ବେ ଦ୍ବାରା ପ୍ରଥମ ରେଡିଓ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା।
ସୂଚନା ପ୍ରସାରଣ କ୍ଷେତ୍ରରେ ରେଡିଓ ଅତ୍ୟନ୍ତ ବିଶ୍ବସନୀୟ ଢଙ୍ଗରେ କାର୍ଯ୍ୟ କରି ଆସିିଛି। ସର୍ବାଧିକ ଲୋକଙ୍କ ପାଖରେ ସୂଚନା ଓ ମନୋରଞ୍ଜନ ପହଞ୍ଚାଇବାରେ ରେଡିଓ ଏକ ସହଜ ମାଧ୍ୟମ ସାଜିଛି। ସେଥିପାଇଁ ରେଡିଓ ଉପରେ ସାଧାରଣ ଲୋକର ବିଶ୍ବାସ ଅତୁଟ ରହିଛି। ନିକଟରେ କୋଭିଡ୍ ମହାମାରୀ ସମୟରେ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ତୁଳନାରେ ରେଡିଓ ଅଧିକ ଆସ୍ଥାଭାଜନ ହୋଇପାରିଛି। ମିଥ୍ୟା ସୂଚନା, ଦୁଷ୍ପ୍ରଚାର ଓ ଗୁଜବଠାରୁ ବହୁ ଦୂରରେ ରହି ରେଡିଓ ବିଶ୍ବାସ ସଂଚାର କରି ଆସୁଛି। ଏତଦ୍ବ୍ୟତୀତ ରେଡିଓ ତାହାର ବିଭିନ୍ନ ବିଭବ, ଯେମିତିକି ଗୋଷ୍ଠୀ ରେଡିଓ, ଗ୍ରାମୀଣ ରେଡିଓ ଆଦି ମାଧ୍ୟମରେ ସମାବେଶୀ ହେବା ସହ ବିକାଶର ପ୍ରକ୍ରିୟାରେ ବହୁମୂଲ୍ୟ ଯୋଗଦାନ ଦେଇ ପାରୁଛି।
ଏଥରର ବିଶ୍ବ ରେଡିଓ ଦିବସର ପ୍ରସଙ୍ଗ ରହିଛି ‘ରେଡିଓ ଓ ବିଶ୍ବାସକୁ ହଁ’। ରେଡିଓ ସାମ୍ବାଦିକତା, ଶ୍ରୋତାଙ୍କ ମାନସିକତା ତଥା ରେଡିଓ କେନ୍ଦ୍ରମାନଙ୍କର ବ୍ୟବହାର୍ଯ୍ୟତାରେ ବିଶ୍ବାସର ସ୍ଥାନ ଓ ଗୁରୁତ୍ବକୁ ଉପଲବ୍ଧି କରାଯିବା ଅପରିହାର୍ଯ୍ୟ। ଉଲ୍ଲେଖଯୋଗ୍ୟ ଯେ, ୨୦୧୧ ମସିହାରେ ୟୁନେସ୍କୋ (UNESCO) ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ବାରା ଘୋଷଣା କରାଯିବା ପରେ ୨୦୧୨ ମସିହାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଦ୍ବାରା ବିଶ୍ବ ରେଡିଓ ଦିବସ ଏକ ଆନ୍ତର୍ଜାତିକ ଦିବସ ଭାବେ ଗୃହୀତ ହୋଇଥିଲା।
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ
[email protected]